Unknown

 

 

 

 

 

 

 

 

 

 

 

 

ମଣିହରା

କିଶୋରୀ ଚରଣ ଦାସ

 

ଗୋପୀବାବୁ,

 

ଦୀର୍ଘ କୋଡ଼ିଏ ପଚିଶ ବର୍ଷ ହେଲା ମୋତେ ଓ ମୋର ସାହିତ୍ୟକୁ ସ୍ନେହ ଓ ସହାନୁଭୂତିରେ ଭିଜାଇ ଦେଇଛନ୍ତି । ସେଥିପାଇଁ ମୁଁ ଆପଣଙ୍କଠାରେ ଋଣୀ ।

 

ତା’ ଛଡ଼ା ମୁଁ ଆପଣଙ୍କଠାରୁ ଶିଖିଛି ଯେ କାଦୁଅର ରଙ୍ଗ ଅଛି, ଘାସର ବାସ୍ନା ଅଛି, ପବନ ବେଦପାଠ କରେ ଏବଂ ଶୁକ୍ରୁ ଜାନି ଦାର୍ଶନିକ । ମୁଁ ଶିଖିଛି ଯେ ମୋର ମାଆ ଯେଉଁ ଭାଷାରେ ଚମତ୍‍କାର ପୃଥିବୀକୁ ଚିହ୍ନାଇଛି, ତାହାହିଁ ସାହିତ୍ୟର ଭାଷା ।

 

ହୁଏତ ମଣିଷର ମନକୁ ଚିହ୍ନି ଚିହ୍ନାଇବାରେ ମୁଁ ଭିନ୍ନ ପଥ ବାଛିନେଇଛି । କିନ୍ତୁ ମୋର ବିଶ୍ୱାସ ଯେ ମୁଁ ଲକ୍ଷ୍ୟଭ୍ରଷ୍ଟ ହୋଇ ନାହିଁ । କାରଣ ଅକାଳେ ସକାଳେ ଲେଖନୀର ଅଧାବାଟରେ ଆପଣଙ୍କ ସ୍ମୃତି ଓ ଡଷ୍ଟୋଭସ୍କି ପ୍ରସୂତ ଫାଦର ଯୋଶିମାଙ୍କ ଉକ୍ତି ମୋତେ କଲବଲ କରିଛି,–ସବୁଠାରୁ ବଡ଼ ଦୁଃଖ ହେଉଛି ଯେତେବେଳେ ମଣିଷ ଭଲ ପାଇ ପାରେ ନାହିଁ !

 

କୃତଜ୍ଞତାର ସାମାନ୍ୟ ଭେଟି ମୋର ‘ମଣିହରା’ଟିକୁ ଆପଣଙ୍କ ହାତରେ ଦେଲି ।

 

ସ୍ନେହାଧୀନ

କିଶୋରୀଚରଣ

Image

 

ନିବେଦନ

 

କଥାଟିଏ କହୁଁ । କିସ କଥା ? ବେଙ୍ଗୁଲି କଥା...କି କଣ୍ଟା ? କାନକୋଳି କଣ୍ଟା, ଯହିଁରେ ଲାଗଇ ଝଟାପଟା !

 

ସତରେ କ’ଣ ସେଇୟା ନୁହେଁ ? ଗୋବିନ୍ଦବାବୁ ଭଲରେ ଅଛନ୍ତି, ଦି’ପଇସା ରୋଜଗାର କରୁଛନ୍ତି, ବାହାସାହା ହୋଇଛନ୍ତି, ପିଲାଝିଲାଙ୍କୁ ମଣିଷ କରୁଛନ୍ତି, ଗାଧୋଇ ସାରି ଠାକୁରଙ୍କ ପାଖରେ ହାତ ଯୋଡ଼ୁଛନ୍ତି, ଏବଂ ରାତିରେ ସ୍ତ୍ରୀଙ୍କୁ ପ୍ରେମ କରୁଛନ୍ତି । କିନ୍ତୁ ତୁମ ଗପରେ ଗୋବିନ୍ଦବାବୁ ଏପରି କିମ୍ଭୂତକିମାକାର ହୋଇଯାଆନ୍ତି କାହିଁକି ? ଭଲ ମଣିଷଟିର ଏତେ ଭାବ, ଭାବନା, ଭାବକାତରତା ଆସେ କେଉଁଠୁ ? ତାଙ୍କ ମନ ଭିତରେ (ଏବଂ ମୋ ମନ ଭିତରେ ! ମିଛୁଟାରେ ଗଣ୍ଡଗୋଳ ସୃଷ୍ଟି କରିବା କ’ଣ ଲେଖକର ଧର୍ମ ? ଖାଲି ସେତିକି ନୁହେଁ । ତୁମେ ଯେଉଁ ନାଟ ଲଗାଇ ଦେଇ ଯାଅ ତା’ର ଶେଷ ହୁଏ ନାହିଁ । ରାବଣ ମରେ ନାହିଁ କି ରାମଚନ୍ଦ୍ର ମୁହଁ ଶୁଖାଇ ଫେରି ଆସନ୍ତି ନାହିଁ । କଥାଟି ସରିଗଲା ପରି ମନେ ହୁଏ, କିନ୍ତୁ ଛଟପଟ ଲାଗେ, ସତେ କି....ସତେକି...ତୁମେ ପ୍ରକୃତରେ ମୋର ବୁଢ଼ୀମା ନୁହଁ, ରାକ୍ଷସୀ । ଗପ କହି ଶୁଆଇ ପକାଇବା ତୁମର ଉଦ୍ଦେଶ୍ୟ ନୁହେଁ ।

 

ହଁ, ମୋର ଉଦ୍ଦେଶ୍ୟ ମନ୍ଦ । ମୁଁ ଚାହେଁ ଯେ ଚମକି ଚେଇଁ ଉଠିଥିବା ଗୋବିନ୍ଦବାବୁ (ଏବଂ ତୁମେ !) ସହଜେ ଶୋଇ ପାରିବ ନାହିଁ । ସେତିକି ମୋର କାମ୍ୟ ।

 

ଛିଃ ! କହିବାକୁ ଲାଜ ମାଡ଼ୁନାହିଁ ? ଏଇ ତୁମର ମାନବିକତା ? ଧୃଷ୍ଟ ଲେଖକ, ମନେରଖ ଯେ ଆମେ ହେଉଛୁ ଅମୃତର ପୁତ୍ର । ଆମର ବ୍ୟକ୍ତି ଚେତନା ଓ ସମାଜ ଚେତନା ଲହୁଲୁହାଣ ହୋଇ ପଡ଼ିଉଠି ଆଗେଇବାକୁ ଚାହେଁ, ପ୍ରକୃତି ଓ ସମାଜର ତାଡ଼ନାକୁ ଭ୍ରୂକ୍ଷେପ ନ କରି ମହାନନ୍ଦ ଲଭିବାକୁ ଚାହେଁ, ସକଳ ଅଶାନ୍ତିର ମଧ୍ୟ ଦେଇ ଆଦିଧର୍ମ ଆଦିସତ୍ୟ ଜନନୀର କୋଳରେ ଶୋଇବାକୁ ଚାହେଁ । ଓ ଶାନ୍ତି, ଶାନ୍ତି, ଶାନ୍ତି !

 

ତଥାସ୍ତୁ । ସେତିକି ମୋର ଚରମ କାମ୍ୟ ।

 

ମୋର ନିବେଦନ–ମୁଁ ନାସ୍ତିବାଦୀ ନୁହେଁ । ଆଲ୍‍ବର୍ଟ୍‍ କାମ୍ୟୁଙ୍କ ଭାଷାରେ ସାହିତ୍ୟ କଦାପି ସର୍ବନାଶୀ ହୋଇପାରେ ନାହିଁ । ଲେଖିବା ମାତ୍ରେହିଁ ସ୍ୱୀକାର, ଅଂଗୀକାର । କାହାପାଇଁ ଓ କେଉଁଥିପାଇଁ ଇତ୍ୟାଦି ବିଚାର କରିବାର ଦାୟିତ୍ୱ ମୋର ନୁହେଁ, ତୁମର ।

Image

 

ସୂଚନା

 

୧.

ମଣିହରା

୨.

ଘେରାଉ

୩.

ଗୋଟିଏ ଲାଲ୍‍ ସଂଧ୍ୟା

୪.

ଅଣ୍ଡା

୫.

ତିନୋଟି ଦୃଶ୍ୟ

୬.

ସଂଗୀତାର ବାପା

୭.

ନିଶାପ

୮.

ବିଜୟା ଦଶମୀ

୯.

ସୁଖର ସଂସାର

୧୦.

ଶହେ ପୁଅ

Image

 

ଲେଖକଙ୍କ ଅନ୍ୟାନ୍ୟ ଗଳ୍ପ ସଂଗ୍ରହ

 

୧.

ଭଙ୍ଗା ଖେଳଣା

୨.

ଲକ୍ଷ ବିହଙ୍ଗ

୩.

ଘରବାହୁଡ଼ା

Image

 

ମଣିହରା

 

ନାହିଁ ଚାଲିଯାଇଛି ।

 

ସେ ଏହିକ୍ଷଣି ଥିଲା ପରା ! ସେ ତା’ ମୁହଁ ମୋ ଗାଲ ପାଖରେ ରଖିଥିଲା । ମୁଁ ତା’ ବେକ ଆଉଁସି ଦେଉଥିଲି, ଘିମିରି ମାରୁଥିଲି । ତା’ ମୁଣ୍ଡ ଝାଳଉଥିଲା, ଝାଳୁଆ ବାଳରୁ କଅଁଳିଆ ଫୁରୁକୁଟିଆ ବାସ୍ନା ଆସୁଥିଲା । ସେ ତା’ର ଶୋଇଲା ଆଖିରେ ମୋ’ଆଡ଼କୁ, ଏକା ମୋରିଆଡ଼କୁ ଚାହିଁଥିଲା । ସେମାନେ କେମିତି ବୁଝିବେ ? ସେମାନେ କ’ଣ ତାକୁ ଜନ୍ମ କରିଥିଲେ ?

 

‘‘ଭାଉଜବୋଉ ଉଠ–ଚା’ ଖାଇବ ନାହିଁ ? ଉଠ, ପ୍ଳିଜ୍‍ । ହେଇ, ପାଞ୍ଚୁଟା ବାଜିଲାଣି, ଭାଇଙ୍କ ଆସିବା ବେଳ ହୋଇଗଲାଣି ।’’

 

‘‘ଭାଇ ଆସିଲେ ମୁଁ କ’ଣ କରିବି ?’’ ନିର୍ମଳା ଦେବୀ ଚିହିଁକି ଉଠିଲେ । କିନ୍ତୁ ତାଙ୍କର ଧ୍ୟାନ ଭାଙ୍ଗିଗଲା ଓ ସେ ଖଟ ଉପରେ ସିଧା ହୋଇ ବସିଲେ । ସାନ ନଣନ୍ଦ ଛବି ଏକଦୃଷ୍ଟିରେ ଚାହିଁଚି । ତା’ର କାମ ସରିନାଇଁ, ତା’କୁ କୁହାହୋଇଚି ଯେ ଭାଉଜବୋଉଙ୍କୁ ଚା’ ଖୋଇବାକୁ ହେବ-। ସମସ୍ତେ ବୋକା, ଅଗୁଆଁର । ନା, ନା, ଜାଣିସିଆଣିଆ । ଏ ପିଲା ବି’ ତାଙ୍କରି ଭିତରୁ ଜଣେ, ମଜା ଦେଖୁଚି । ଫେରିଯାଇ ବନେଇ ଚୁନେଇ କହିବ ଯେ ଭାଉଜବୋଉ ଏମିତି ଶୋଇଥିଲେ, ଏମିତି ଦେଖାଯାଉଥିଲେ, ଏଇଆ କହିବ, ଆଉ ନିଜର ବାହାଦୁରି ନେବ । ଭାଉଜବୋଉଙ୍କର ଗୋଟାଏ ଘଟଣା ଘଟିଚି, ଭାଉଜବୋଉଙ୍କ ମୁଣ୍ଡରେ ସିଙ୍ଗ ଉଠିଚି–ମୁଁ ଦେଖିଆସିଲି, ମୁଁ ତାଙ୍କୁ କହିଲାରୁ ସେ ଚା’ ଖାଇଲେ ।

 

ଆହୁରି କେତେ ଆସିବେ, ବଡ଼ରୁ ସାନ ଯାଏଁ, ଜଣକ ପରେ ଜଣେ । ଆଖି ଛଳଛଳ କରିବେ, ଦେହରେ ହାତ ବୁଲାଇବେ, ଦୟା ଦେଖାଇବା ପାଇଁ ଧରାପରା ହେବେ ।

ମୋ ପୁଅ ନାଇଁ । ମୁଁ ଥିଏଟର୍‍ କରୁଚି ।

ନିର୍ମଳା ଦେବୀ କ୍ରୋଧ ଓ ତିକ୍ତତାରେ ହସିଲେ, ଏବଂ ପରେ ପରେ କାନ୍ଦିଲେ । ଆଣ୍ଠୁରେ ମୁହଁ ରଖି କୋହ ଚାପି କାନ୍ଦିଲେ । ମୁଁ ଥିଏଟର୍ କରିବି ନାଇଁ । ମୁଁ ତୁମମାନଙ୍କ ସାଙ୍ଗରେ ଜଣେ ହୋଇ ରହିବି, ହସିବି, ବସିବି, ପିଠା କରିବି, ପରିବା କାଟିବି । କିନ୍ତୁ ତାକୁ ମୋ ପାଖକୁ ଆଣିଦିଅ । ଥରେ, ଦି’ମିନିଟ୍‍ ପାଇଁ । ମୁଁ ଟିକିଏ ଖାଲି ତାକୁ ଦେଖିବି, ତା’ ସାଙ୍ଗରେ କଥାଭାଷା ହେବି, ତା’ ଝାଳୁଆ ମୁଣ୍ଡକୁ ପୋଛିଦେବି, ତା’ପରେ କହିବି ତୁ ଯାଆ । ଏତିକିରେ କ’ଣ କାହାର କିଛି ସରିଯାଉଚି ?

ସେ କ’ଣ ଥରେ ହେଲେ ଆସିବ ନାଇଁ ? କାହିଁକି ? ମୁଁ କଅଣ ଦୋଷ କରିଚି ? ନିର୍ମଳା ଦେବୀ ପରାସ୍ତ ବିକଳ ଚାହାଣିରେ ମୁଣ୍ଡ ଟେକିଲେ । ରାଗିବାକୁ ଶକ୍ତି ନ ଥିଲା ପରି ନରମ ନିଉନ ହୋଇ କହିଲେ, ‘‘ତୁମେ କାହିଁକି ଛିଡ଼ା ହୋଇଚ ?’’

ଛବି ଫେରିଗଲା । ଚା’ ଥଣ୍ଡା ହେବାକୁ ବସିଲା । ପୁନର୍ବାର ଚେଷ୍ଟା କରିବା ପାଇଁ ବୋଧହୁଏ ଆଉ କେହି ଆସିଥାଆନ୍ତେ–ପୁରାତନ ଭୃତ୍ୟ ବାଞ୍ଛା, ଦିଅର ରମୁ କିମ୍ୱା ଖୋଦ୍‍ ଶାଶୁ । କିନ୍ତୁ ତା’ ପୂର୍ବରୁ ସେ ଆସି ପହଞ୍ଚିଲେ,–ଉମେଶବାବୁ, ଯୁବକ ସ୍ୱାମୀ । ସେ ଶୋଇବା ଘରକୁ ପଶିଯାଇ ସ୍ତ୍ରୀଙ୍କୁ ଦେଖିଲେ ଏବଂ ତତ୍‍କ୍ଷଣାତ୍‍ ଦୃଷ୍ଟି ଫେରାଇଆଣି ଜାମାପଟା ବଦଳାଇବାକୁ ଲାଗିଲେ । ପଙ୍ଖା ଜୋରରେ ଚାଲୁଚି କି ନାଇଁ ବୋଲି ଉପରକୁ ଅନାଇଲେ । ଯେପରିକି ସେ ସାହସ କରି ଭାବୁଛନ୍ତି ଯେ ଏହିକ୍ଷଣି ଭାରୀ ଗରମ ହେଉଚି । କାଳେ ଭାଙ୍ଗି ପଡ଼ିବେ ସେଇଥିପାଇଁ ବାହ୍ୟିକ ଓ ବର୍ତ୍ତମାନର ଚେତନାକୁ ଜାବୁଡ଼ି ଧରୁଛନ୍ତି । ତାଙ୍କର କୁଞ୍ଚିତ କପାଳ, ଓହଳା ନରମ ମୁହଁକୁ ଦେଖିଲେ ମନେହେବ ଯେ ସେ ଆଉ ପାରୁନାହାନ୍ତି, ସେ ମଧ୍ୟ ମଣିଷ, ସର୍ବଂସହା ନୁହନ୍ତି ।

ନିର୍ମଳା ଦେବୀ ସ୍ୱାମୀଙ୍କୁ ଦେଖିଲେ କିନ୍ତୁ ଭାବ ଅବା ଭାଷାର ଉତ୍ତର ଦେଲେନାଇଁ । ବୋଧହୁଏ ତାଙ୍କ ମନରେ ଥିଲା ଯେ ଏ ଲୋକଟିକୁ ସେ ଜାଣନ୍ତି । ଲୋକଟି ଅତି ଜଣାଶୁଣା, ତା’ ସାମନାରେ ଦେହର ଶାଢ଼ିକୁ ସଜାଡ଼ି ଦେବାର ପ୍ରୟୋଜନ ହେଉନାଇଁ, ତେବେ ସେ କେବଳ ଜଣେ ସ୍ୱାମୀ ଶ୍ରେଣୀର ଜଣେ । ତେଣୁ ତାଙ୍କୁ ଦେଖିଲେ ଦୁଃଖ ବଢ଼ୁନାଇଁ କି କମୁନାଇଁ । ସେ କେବଳ ଜୋତା ମୋଜା ଉତାରୁଛନ୍ତି, ଛାତିର ବୋତାମ ଖୋଲି ପବନ ଖାଉଛନ୍ତି, ଦୀର୍ଘନିଃଶ୍ୱାସ ପକାଉଛନ୍ତି–ସବୁ ସ୍ୱାମୀମାନଙ୍କ ପରି । ତା’ ଛଡ଼ା ଆଉ କ’ଣ କରିପାରନ୍ତେ ?

କିଛି ସମୟ ପଙ୍ଖାତଳେ ଛିଡ଼ା ହେଲାପରେ ଉମେଶବାବୁ ଚା’ ଟ୍ରେ ପାଖକୁ ଗଲେ ଓ କହିଲେ ‘‘କଅଣ ଚା’ ଥଣ୍ଡା ହୋଇଗଲାଣି ? ତୁମେ ଖାଇ ସାରିଲଣି ?

‘‘ନା ।’’

ସେହିଠୁ ସେ ସ୍ତ୍ରୀଙ୍କ ପାଖକୁ ଯାଇ ଖଟ ଉପରେ ବସିଲେ ଓ ଭୀରୁ କଣ୍ଠରେ ପଚାରିଲେ; ‘‘ଆଉ ଚା’ ଅଣେଇବି ?’’

ନିର୍ମଳା ଦେବୀଙ୍କ ଲୁହବୋଳା ଆଖିରୁ ନିଆଁ ବାହାରିଲା । ସେ ତୀକ୍ଷ୍‍ଣ ସ୍ୱରରେ କହିଲେ, ‘‘ଚା-ଚା-ଚା ! ଏ ଘରେ ଆଉ କାହାର କିଛି ଚିନ୍ତା ନାଇଁ । ଟିକିଏ ମଣିଷକୁ ଶାନ୍ତିରେ ରହିବାକୁ ଦେବେ ନାଇଁ ।’’

 

କ୍ଷଣକ ପାଇଁ ମନେ ହେଲା ଯେ ଉମେଶବାବୁ ଏହାର ଉତ୍ତର ଦେବେ, ଚୋଟ ଫେରାଇ ଦେବେ । କିନ୍ତୁ ତା’ପରେ ତାଙ୍କର କପାଳ ଆହୁରି କୁଞ୍ଚିତ ହୋଇଗଲା, ଓଠ ଚାପି ହୋଇଗଲା, ଏବଂ ସେ କିଛି କହିଲେ ନାଇଁ ।

 

ଗୋଟିଏ ଦୁଃଖ, ଦୁଇଜଣଙ୍କର ଗୋଟିଏ ଦୁଃଖ । ନିମୁ କାଇଁକି ବୁଝୁନାଇଁ ଯେ ସେ ଏକୁଟିଆ ନାଇଁ, ମୁଁ ତା’ ପାଖରେ ଅଛି ? ସେ କେତେଦିନ ଏମିତି ନିଜକୁ ହନ୍ତସନ୍ତ କରୁଥିବ ?

 

ବିଜୁ ମୋ ପୁଅ । ସମସ୍ତେ କହୁଥିଲେ ଯେ ସେ ବାପ ପରି ଦେଖିବାକୁ, ବାପ ପରି କାଳିଆ, ସେମିତିକା ଚେପ୍‍ଟା ନାକ, ମୁଣ୍ଡରେ ଗୋଛାଏ କହରା ବାଳ । ସେ ବଡ଼ ହୋଇ ଥାଆନ୍ତା-। ମୁଁ ତାକୁ ହାତ ଧରି ବୁଲେଇ ନେଇଥାଆନ୍ତି, ତା ସାଙ୍ଗରେ ବଲ୍‍ ଖେଳି ଥାଆନ୍ତି, ତାକୁ ଦେଶବିଦେଶରେ କେତେ କଥା ଶିଖେଇ ଥାଆନ୍ତି । ସେ ଖେଳରେ ଜଖମ ହୋଇ ବିଛଣାରେ ପଡ଼ିଥିବାବେଳେ ମୁଁ ତାକୁ କେତେ ମଜାଗପ କହିଥାଆନ୍ତି, ଦୁଷ୍ଟାମି କଲେ ମୁଁ ତା’ କାନମୋଡ଼ି ଚଟକଣି ମାରିଥାଆନ୍ତି ଆଉ ସେ ତା’ ମାଆ ପାଖରେ ଗେହ୍ଲେଇ ହୋଇ ଥାଆନ୍ତା । ବାପ ଓ ପୁଅ । ଉମେଶବାବୁ ଖଟରେ ବସିରହି ସେହି ସମ୍ୱନ୍ଧର ମର୍ଯ୍ୟାଦା ଅନୁଭବ କଲେ, ଏବଂ ନିଜର ଅଭାବକୁ ହେଜିଲେ । ନିର୍ମଳା ଦେବୀ ଚାଖଣ୍ଡେ ଅନ୍ତରରେ ଥିଲେ । ତାଙ୍କ ଶାଢ଼ିର ଘେର ଉଡ଼ି ଉଡ଼ି ଉମେଶବାବୁଙ୍କ ଦେହରେ ବାଜୁଥିଲା ।

 

ସାନ୍ନିଧ୍ୟ । ଖାଲି ସେତିକି ନୁହେଁ । ଥରେ ନିର୍ମଳା ଦେବୀଙ୍କର ମନେ ହେଲା ଯେ ଦୁହିଁଙ୍କ ଦୀର୍ଘନିଃଶ୍ୱାସ ଏକା ସାଙ୍ଗରେ ଆସୁଚି । ତାକୁହିଁ କ’ଣ ସହି ହେଲା ନାଇଁ ? ଯାହାହେଉ ନିର୍ମଳା ଦେବୀ ହଠାତ୍‍ ତରତର ହେଲା ପରି ବିଛଣାକୁ ଉଠି ପଡ଼ିଲେ ଓ ବେପରୁଆ ଠାଣିରେ ପଚାରିଲେ, ‘‘ଆଜି ବଜାରକୁ ଯିବାର ଥିଲା ପରା ? ଚାଲ ।’’ ତାଙ୍କ କଣ୍ଠରେ ଶ୍ରଦ୍ଧା ନଥିଲା ।

 

ପିନ୍ଧାପିନ୍ଧି କରି ଦୁହେଁ ତଳକୁ ଗଲେ, ତା’ପରେ ଦାଣ୍ଡ ଫାଟକ ଦେଇ ଖୋଲା ରାସ୍ତାରେ ପହଞ୍ଚିଲେ । ଯାତ୍ରାର ଗୁରୁତ୍ୱ ଉପଲବ୍‍ଧି କଲାପରି ପରିବାରର ପ୍ରତି ଲୋକ ତାଙ୍କଆଡ଼କୁ ଥରେ ଅଧେ ଚାହିଁଲେ, ଗମ୍ଭୀର ହୋଇଗଲେ, ଓ ଚୁପ୍‍ ରହିଲେ । କେବଳ ଉମେଶବାବୁଙ୍କ ବାପା କହିବାକୁ ଚାହୁଁଥିଲେ ଯେ ଚାଲିକରି ନ ଯାଇ କାର୍‍ରେ ଗଲେ ଭଲ ହେବ, କାଇଁକିନା ସାହିରେ କେତେ ପ୍ରକାରର ପରିଚିତ ଲୋକ, ସମସ୍ତଙ୍କ ଦୃଷ୍ଟିକୋଣ ସମାନ ନୁହେଁ–। କିନ୍ତୁ ସେ କିଛି କହିବାକୁ ଭରସା ପାଇଲେ ନାଇଁ । ମନେମନେ ଆଶୀର୍ବାଦ କଲେ ।

 

ଟ୍ରାଜେଡ଼ିର ପରେ ଏହି ପ୍ରଥମ ସେ ଦୁହେଁ ଏକାଠି ପଦାକୁ ବାହାରିଛନ୍ତି । ଅନ୍ତତଃ ନିଜ ଆଖିରେ ଆଖିଦୁରୁଶିଆ ନ ହେବାର ଉପାୟ ନାଇଁ । ଉମେଶବାବୁ ଅବସ୍ଥା ବୁଝିଥିଲେ, ଏବଂ ନିମୁର ବୋଝକୁ ହାଲୁକା କରିଦେବା ପାଇଁ ଚେଷ୍ଟା କରୁଥିଲେ । ମଝିରେ ମଝିରେ ଅଦରକାରୀ ମାମୁଲି କଥା ପକାଉଥିଲେ,–ଆଜି ପାଗଟା ବେଶ ଭଲ ହୋଇଚି, ନୁହେଁ ?... ନନୀର ଶାଢ଼ି ପାଇଁ କେଉଁଠିକି ଯିବା ? କିସନ୍‍ ଲାଲ୍‍ ନା ଲେଡ଼ିଜ୍‍ ଏମ୍ପୋରିୟମ୍‍ ? (ନନୀ ଉମେଶବାବୁଙ୍କ ସାନଭଉଣୀ, ବାହା ହୋଇଯାଇଚି । ତା’ର ପୁନେଇଁ ବେଭାର ପାଇଁ ଶାଢ଼ି ଦରକାର)...ମୋର ଆସନ୍ତା ହପ୍ତାକୁ ଟୁରରେ ଯିବାର ଥିଲା, କିନ୍ତୁ ନିଜେ ସେକ୍ରେଟେରୀ ମୋ ବଦଳରେ ଆଉ ଜଣକୁ ଯିବାକୁ କହିଲେ, ଇତ୍ୟାଦି ।

 

ଦୁହେଁ ପାଖାପାଖି ଚାଲୁଥିଲେ । ଦୁହିଁଙ୍କ ପାଦ ଏକାଠି ପଡ଼ୁଥିଲା ମାର୍ଚିଂଗ୍‍ କଲା ପରି । କ୍ଳକ୍‍-ଟାଓ୍ୱାର୍‍ର ଚଉମୁହାଣିରେ ଯେଉଁଠି ମଣିଷ ଗାଡ଼ିଘୋଡ଼ାର ପ୍ରବଳ ଭିଡ଼, ସେଠି ମଧ୍ୟ ଉମେଶବାବୁ ନିପୁଣତା ସହ ଡେଇଁ କରି ସ୍ତ୍ରୀଙ୍କର ସାଙ୍ଗ ଛାଡ଼ିଲେ ନାଇଁ । ତାଙ୍କର ଖିଆଲ ଆସୁ ନ ଥିଲା ଯେ ତାଙ୍କର ଏଇ ବ୍ୟବହାର ନୂଆ କିମ୍ୱା ଅସାଧାରଣ ।

 

ବଜାର । କିଣାବିକାର ଚହଳ । ସେମାନଙ୍କ ପାଇଁ ସମୟର ଘଣ୍ଟା ଅଟକି ଯାଇନାଇଁ । ଫୁଟ୍‍ପାଥର ଗୋଟାଏ ଜାଗାରେ ଶସ୍ତା ନାଲିନେଳି ରୁମାଲ ଗଦା ହୋଇଚି, ମଫସଲି ଝିଅଟିଏ ସେଥିରୁ ଗୋଟିଏ ହାତରେ ଧରି ଖୁସି ହେଉଚି, ତା’ ମାଆ ତାକୁ ପଛରୁ ଟାଣୁଚି । ଆଉ କେଉଁଠି ତିନିଚାରୋଟି ମଇନା ଚଢ଼େଇ ପିଞ୍ଜରା ଭିତରେ ଅସ୍ଥିର ହେଉଛନ୍ତି, ତାଙ୍କ ମାଲିକ ପିଞ୍ଜରାଗୁଡ଼ିକୁ ରହି ରହି ଚଳନ୍ତା ଲୋକମାନଙ୍କ ସାମନାରେ ହଲାଇ ଦେଉଚି । କେଉଁ ଶିଖ୍‍ ଭଦ୍ରଲୋକଙ୍କ ଜୁଡ଼ାବନ୍ଧ ଛୋଟ ପୁଅ ଭେଁ କିନି କାନ୍ଦ ଛାଡ଼ିଚି, ତା’ର ଲିପ୍‍ଷ୍ଟିକ୍‍-ନାଇଲନ୍‍ ମାଆ ଦୋକାନରୁ ଦୌଡ଼ି ଆସୁଚି ତା’କୁ ବୁଝାଇବା ପାଇଁ । କେଉଁଠି ବିଡ଼ିବଳା ଚାଲିଚି, କାରିଗର ଯୁବକ ଦୁଇଜଣ ତହିଁରୁ ଅସୀମ ଆନନ୍ଦ ପାଇଲା ପରି ମନେ ହେଉଚି । ବୁଢ଼ାଟିଏ ଆମ୍ବ କିଣିବ ବୋଲି ବସିଚି, ମନୋଯୋଗ ସହ ପ୍ରତି ପାଚିଲା ଆମ୍ବକୁ ଚିପୁଚି । ହଠାତ୍‍ କିଏ ଜଣେ ଯାଦୁମଲମର ବିଜ୍ଞାପନ ପତ୍ର ହାତରେ ଧରାଇ ଦେଇ ଗଲାଣି ।

 

ସେମାନେ କିଛି ଜାଣନ୍ତି ନାଇଁ ! ଜାଣନ୍ତି ନାଇଁ ଯେ ମୋ ପୁଅ ସାତଆଠ ଦିନ ହେଲା ମୋତେ ଛାଡ଼ି କରି ଚାଲିଯାଇଚି । ନିର୍ମଳା ଦେବୀଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ଯେ ଏମିତି ହୋଇପାରେ, ହୋଇପାରୁଚି । କିନ୍ତୁ ତା’ ସହିତ ସେ ତାଙ୍କ ଦୁଃଖରେ ନୂଆ ଗୁଣର ସତ୍ତା ଅନୁଭବ କଲେ । ଗୋପନତାର ଗୌରବ । –ମୁଁ ଜ୍ଞାନୀ, ଏମାନେ ଅଜ୍ଞାନୀ । ମୁଁ ଜଣେ ଅଚିହ୍ନା ଭଗବାନ ୟାଙ୍କରି ମେଳରେ ବୁଲୁଚି । କିମ୍ୱା ମୁଁ ଜଣେ ଅଚିହ୍ନା ପାପିନୀ, କଳଙ୍କିତା, ମୃତ୍ୟୁର ପଚାରକ୍ତରେ ଦୂଷିତା, ଇଚ୍ଛା କଲେ ଏମାନଙ୍କୁ ଛୁଇଁ ନଷ୍ଟ କରିଦେବି । ...ପଛକୁ ଫେରି ଏ ପିଲାଟି ମୋତେ ଏମିତି ବଲବଲ କରି ଚାହୁଁଚି କାଇଁକି ? ମୁଁ କଅଣ ଚିହ୍ନା ପଡ଼ିଯାଉଚି ?

 

‘‘ନିମୁ, ସେ ବାଟେ ନୁହେଁ । ପରିବାହାଟଆଡ଼କୁ ଯାଉଚ କାଇଁକି ? ଆମେ ଲୁଗା ଦୋକାନକୁ ଯିବାପରା ।’’

‘‘ଦେଖି କରି ଚାଲ, ସେଠି ଗୁଡ଼ାଏ କ’ଣ ଅଳିଆ ଗଦା ହୋଇଚି ।’’ ‘‘ତୁମେ ବୋଧହୁଏ ଥକି ଯିବଣି, ଚାଲ କେଉଁଠି ଟିକିଏ ବସି କରି କୋଲଡ଼୍‍ ଡ୍ରିଙ୍କ ଖାଇବା ।’’ ....ଉମେଶବାବୁ ଯାହା କହିବାର କଥା କହୁଥିଲେ ।

 

ଶେଷକୁ ଯେତେବେଳେ ଏକାଠି ବସି କୋଲଡ଼୍‍ ଡ୍ରିଙ୍କ ଖାଇବାକୁ ପଡ଼ିଲା ନିର୍ମଳା ଦେବୀ ସ୍ୱାମୀଙ୍କର ଲୋମଶହାତ, ଭାରୀ ମୁହଁକୁ ଚାହିଁଲେ ଓ ତାଙ୍କୁ ସତକୁସତ ଥକା ଲାଗିଲା । ଏ ଲୋକଟି କେବଳ ସ୍ୱାମୀ ନୁହେଁ, ପୁରୁଷ । ତା’ର ସ୍ଥୂଳ ବେଢ଼ଙ୍ଗ ପୁରୁଷ ମନ । ପୁରୁଷ ଦେହ । ସେ ମୋର ବାଟ ଓଗାଳୁଚି ଓ କହୁଚି ସେ ସବୁ ଜାଣେ । ମୋ ଦୁଃଖରେ ଗୋପନତା ନାଇଁ, ବଡ଼ପଣ ନାଇଁ, କାରଣ ସେ ମୋ ଦେହରେ ତା ଦେହ ଲଦିଥିଲା ଓ କହୁଚି ଯେ ସେ ମୋ ପୁଅର ବାପା ।

 

ଶୋଇବା ଘର ଓ ବଜାର ଭିତରେ କିଛି ତଫାତ୍‍ ନାଇଁ । ମୋର ଏ ଜଣକଠାରୁ ନିସ୍ତାର ନାଇଁ ।

 

ନିର୍ମଳା ଦେବୀଙ୍କର ଇଚ୍ଛା ହେଲା ଯେ ସେ ପିଇବା ଗିଲାସ ‘ତାଙ୍କ’ ଉପରକୁ ଫୋପାଡ଼ି ଦେଇ ପଳେଇଯିବେ, ବଜାରର ଲୋକଗହଳି ଭିତରେ ଲୁଚିଯିବେ । ସେଠି ମୁଁ ଏକୁଟିଆ ମନେମନେ ହସିବି, କାନ୍ଦିବି । ମୋର ନିଜଗଢ଼ା ଘର ଭିତରେ ଲଙ୍ଗଳା ହୋଇ ନାଚିବି, କେହି ମୋତେ ଦେଖିବାକୁ ନ ଥିବେ । କେବଳ ମୁଁ, ମୋର ଦୁଃଖ ଓ ମୋ’ ପୁଅ । ଅନ୍ତତଃ ତୁମେ ନ ଥିବ, ଚିହ୍ନା ପୁରୁଷ । ...ପୁଅ ଚୁପ୍‍ କରି ଆସି ମୋ ଭରା ଛାତିକୁ ମୁଣ୍ଡିଆ ମାରିବ । ସେ ତିନି ବର୍ଷର ହୋଇଥିଲା-? କିଏ କହିଲା ? ସେ ତ ମୋଠୁଁ ଦୁଧ ଖାଉଥିଲା । ତୁମେ କଅଣ ଜାଣିଚ ? ତୁମେ କିଏ ?

 

ଉମେଶବାବୁ ସ୍ତ୍ରୀଙ୍କର ଭାବାନ୍ତର ଲକ୍ଷ୍ୟ କଲେ । ତାଙ୍କୁ ଭୟ ଲାଗିଲା । ଯେ ନିମୁ ହୁଏତ ହଠାତ୍‍ ଦୋକାନ ମଝିରେ କାନ୍ଦି ପକାଇବ, କିମ୍ୱା କଡ଼ା କଡ଼ା କଥା କହିବ । ନିମୁର ବୁଦ୍ଧିବୃତ୍ତି ନଷ୍ଟ ହୋଇ ଯାଇନାଇଁ, ତଥାପି– । ବୁଢ଼ା ଡାକ୍ତର ଗୋବର୍ଦ୍ଧନବାବୁ ବସେଇ ବସେଇ କହୁଥିଲେ, ‘‘ବାବୁ, ତମେ ଇମିତି ବ୍ୟସ୍ତ ହେଲେ ଚଳିବ ନାଇଁ । ତୁମେ ଧୈର୍ଯ୍ୟ ଧରି ନିମୁକୁ ବୁଝେଇବ, ତାକୁ ଦମ୍ଭ ଦବ । ଏହି ସମୟରେ ସ୍ତ୍ରୀଲୋକମାନଙ୍କୁ ଖୁବ୍‍ ସାବଧାନରେ ହ୍ୟାଣ୍ଡଲ କରିବାକୁ ହୁଏ ।’’ କାହିଁକି ? ମୁଁ ପୁରୁଷ ବୋଲି କ’ଣ ମୋର ଦୁଃଖ ନାଇଁ ? ମୁଁ କ’ଣ ପୁଅର ବାପ ନୁହେଁ ? ଲେକ୍‍ଚର ଦେବା ଭାରୀ ସହଜ । ଉମେଶବାବୁ ଡାକ୍ତର ଗୋବର୍ଦ୍ଧନ ବାବୁଙ୍କ ଉପରେ ବିରକ୍ତ ହେବା ସଙ୍ଗେ ସଙ୍ଗେ ନିର୍ମଳା ଦେବୀଙ୍କୁ ଚାହିଁ ରହିଲେ, ବ୍ୟଥିତ ହେଲେ ଓ ଆଶା କଲେ ଯେ ମୁହୂର୍ତ୍ତ କଟିଯିବ ।

 

ଯାହାହେଉ କୋଲଡ଼୍‍ ଡ୍ରିଙ୍କ ସରିଲା, ଶାଢ଼ି କିଣା ସରିଲା ଓ ଦୁହେଁ ଘରକୁ ଫେରିଲେ । ଫେରନ୍ତା ବାଟରେ ନୀରବତା ଘୋଟିଥିଲା । ନିର୍ମଳା ଦେବୀ ଠିକ୍‍ କରିଥିଲେ ଯେ ସେ ଆଜିଠାରୁ ରାତିରେ ଘରେ ଶୋଇବେ ନାଇଁ, ଏକୁଟିଆ ବାରଣ୍ଡାରେ ସପ ପକାଇ ଶୋଇବେ ।

 

...ସେ ଦିନ ରାତିରେ ଜହ୍ନ କେଉଁ କୋଣରେ ଥିଲା, ଥିଲା କି ନ ଥିଲା, କହି ହେବନାଇଁ-। କିନ୍ତୁ ମନେ ହେଉଥିଲା ଯେ ରାତି ନିଶ୍ଚଳ ଓ ଅସହାୟ । ତା’ର କିଛି କରିବାର ନାଇଁ । ଯାହା କରିବ ମଣିଷ ନିଜେ କରିବ । ବୀରତ୍ୱ ସହକାରେ କଷ୍ଟ ସହିବ, ନ ହେଲେ କଷ୍ଟକୁ କାଟିଦେଇ ବାହାସ୍ଫୋଟ ମାରିବ । ଉମେଶବାବୁଙ୍କର ଆଖିରେ ପଡ଼ିଲା ଯେ ଶୋଇବା ଘର ଫୁଲଦାନିରେ ଫୁଲ ଫୁଟିଚି । ଫୁଟିଚି ନିଶ୍ଚୟ, ଝାଉଁଳି ଯାଇନାଇଁ, କିନ୍ତୁ ପଙ୍ଗୁ ହୋଇ ଛିଡ଼ା ହୋଇଚି-

 

ଉମେଶବାବୁ ଛଟପଟ ହେଉଥିଲେ । ଶୂନ୍ୟତାକୁ ହାତ ମୁଠାରେ ଆଣିବାକୁ ଚେଷ୍ଟା କରୁଥିଲେ, ପାରୁ ନ ଥିଲେ । ପୁଅ ନାଇଁ, ନିମୁ ପାଖରେ ଶୋଇନାଇଁ । କ’ଣ ହେଲା ସେଠୁ ? ସ୍ୱୀକାର କରିବାର ଦାୟିତ୍ୱ ମୋର, ଅଧିକାର ମୋର । ଏହି ପୁରୁଣା ଅଥର୍ବ ରାତି, ଥାଉ ସେମିତି ପୁରୁଣା ଓ ଅଥର୍ବ ହୋଇ । ମୁଁ କାହାରିଠାରୁ ସାହାଯ୍ୟ ମାଗୁନାଇଁ । ମୁଁ ପୁଅର ବାପା, ସ୍ତ୍ରୀର ସ୍ୱାମୀ...-

 

ତାହେଲେ ସେ କାଇଁକି ରାତିଅଧରେ ବାରଣ୍ଡାକୁ ଗଲେ ? ଚାଲିକରି ଗଲେ ନା ଗୁରୁଣ୍ଡି ଗୁରୁଣ୍ଡି ଗଲେ ? ଏବଂ ଯାହା ପାଖକୁ ଗଲେ ସେ ତାଙ୍କର କିଏ ବୋଲି ମନେ ହେଲା ?

 

ଯଦି ବା ଗଲେ ସେ ସେହି ଶାୟିତା ସନ୍ତାପିତା ନାରୀର ବ୍ଲାଉସ୍‍ ଖୋଲି ଛାତିର ତଳମଝିରେ ମୁହଁ ଗୁଞ୍ଜି ଉପରକୁ ଅନାଇଲେ କାଇଁକି ?

 

ଏ ସବୁ ପ୍ରଶ୍ନର ଉତ୍ତର ଦେବା ଅନାବଶ୍ୟକ । କାରଣ ନିଦ ବାଉଳାରେ ନିର୍ମଳା ଦେବୀ ତାଙ୍କୁ ଦେଖିଲେ ଓ ଗ୍ରହଣ କଲେ । କ୍ଷୀର ଦେଲାପରି ସେହି ମାଗନ୍ତା ମୁହଁକୁ ହାତରେ ତୋଳି ଧରିଲେ ଓ ଛାତିର ଚୁଚୁମାରେ ଲଗାଇଦେଲେ । ସ୍ୱପ୍ନ ଓ ଜାଗରଣ ମଝିରେ ସେ ଅନୁଭବ କଲେ,–ବିଜୁ ଫେରି ଆସିଚି । ଦୁଷ୍ଟ ଚଗଲା ଟୋକା, ମୋତେ ହଇରାଣ କରୁଥିଲା ଏତେବେଳ ଯାଏଁ !

 

କ୍ଷଣକରେ ଚେତା ଆସିଲା । କିନ୍ତୁ ଆଶ୍ଚର୍ଯ୍ୟରେ କଥା ଯେ ନିର୍ମଳା ଦେବୀ ତଥାପି ସେହି ମୁହଁକୁ ଆଉଁସିବାକୁ ଲାଗିଲେ । ଯେପରିକି ତାଙ୍କର ବଳବତୀ କରୁଣା ସ୍ୱପ୍ନର ମିଛକୁ ଛାଡ଼ିବାକୁ ଚାହୁଁ ନାଇଁ–ବିଜୁ ବଡ଼ ହୋଇଯାଇଚି, କିନ୍ତୁ ସେ ମୋ ପୁଅ । ସେହି ମୁହଁ, ସେହି ନାକ, ଓଠର ସେହି ଲାଳବୋଳା ଲୋଭ.... ।

 

ଦେହରେ ଦେହର ସଂକ୍ରମଣ । ପୁଅ ନୁହେଁ, ସ୍ୱାମୀ । ପୁରୁଷ । ନିମୁ, ଏ କ’ଣ ହେଉଚି-? ଏ ଛଳନା, ଏ ଭଣ୍ଡାମି କାଇଁକି ? କ’ଣ ପାଇବୁ ବୋଲି ନିଜକୁ ଭୁଲାଉଚୁ ?

 

ଆଉ ଶୁଣି ହେଲା ନାଇଁ, ସହି ହେଲା ନାଇଁ । ନିର୍ମଳା ଦେବୀ ପ୍ରଚଣ୍ଡ ବେଗରେ ସ୍ୱାମୀଙ୍କୁ ପାଖରୁ ଠେଲିଦେଲେ । ପୁନର୍ଜୀବିତ ଓ ଦ୍ୱିଗୁଣ ତିକ୍ତତାରେ କହିଲେ–

 

‘‘ଟିକିଏ ଲାଜ ନାଇଁ ତମକୁ ? ଏଠିକି ଆସିବାକୁ କିଏ କହିଲା ?’’

 

ଦୁଇ

 

ଏହାର ପ୍ରାୟ ଦଶଦିନ ପରେ ।

 

ସକାଳୁ ବର୍ଷା ହୋଇ ଛାଡ଼ିଯାଇଚି । ଅଗଣା ଓଦା ହୋଇ ରହିଚି । ନିର୍ମଳା ଦେବୀ ଉପର ଘର ପାରାପେଟ୍‍ ଉପରୁ ତଳକୁ ଚାହିଁଛନ୍ତି । ଏବଂ ତାଙ୍କ ମନରେ ଆସୁଚି ଯେ ଏ ଗୋଡ଼ିମାଟିର ଅଗଣା ନିଦା ଓ ସବୁଦିନିଆ । ଏ କୋଠାର କାନ୍ଥ, ଗହ୍ୱର, ପାଚିରୀ, ପାରାପେଟ, ସିନ୍ଦୁକ, ଲମ୍ବା ଆଲମାରୀ, ଗାଧୁଆ କୁଣ୍ଡ, ଗହୀରିଆ ନଳା, ଫଟା ଫୁଲକୁଣ୍ଡ ଅନ୍ଧାରୁଆ ଚଢ଼େଇ ଖୋପ, ନୂଆ ଗ୍ୟାରେଜ୍‍, ନୂଆ ବାର୍ନିସ୍‍, ନୂଆ ରେଡ଼ିଓଗ୍ରାମ୍‍–ଏସବୁ ହେଉଚି ଅବିଚଳିତ ପୃଥିବୀର ଟାଣ ଓ ଗର୍ବ । ମୁଁ ନୁହେଁ, ମୋ ପୁଅ ନୁହେଁ ।

 

ପୁଅ ମରିବାର କେତେ ଦିନ ହେଲାଣି । ଦଶଦିନ, ପନ୍ଦର ଦିନ ନା ବର୍ଷେ ?

 

ମୁଁ ଆଗ ପରି ରାଗୁ ନାଇଁ, କାନ୍ଦୁ ନାଇଁ । ହୁଏତ ଆଉ କିଛି ଦିନ ଗଲେ ମୁଁ ହସି ହସି ତାସ ଖେଳିବି, ନୂଆ ଶାଢ଼ି ପିନ୍ଧି ଫୁଲେଇ ହେବି, ଝୋଳ ହାପୁଡ଼ି ଗପ ଯୋଡ଼ିବି । ହଁ, କେବେ କେମିତି ମୋର ପୁଅ ମନେ ପଡ଼ିବ, ନିଶ୍ଚୟ ମନେ ପଡ଼ିବ । କିନ୍ତୁ ମୁଁ ବିକଳ ହୋଇ କାନ୍ଦିବି ନାଇଁ । ମୋ ଆଖି କୋଣରେ ସ୍ମୃତିର ସୁନ୍ଦର ଲୁହ ଢଳଢଳ ହେବ । ମୋ ପୁଅ ଥିଲା !

 

ନା–ନା– । ମୁଁ ସେମିତି ହେବି ନାଇଁ । ମୁଁ ରେଡ଼ିଓଗ୍ରାମ୍‍ର କଭର୍‍ ତିଆରି କରିବି ନାଇଁ । ମୁଁ ଆଜି ମାଂସ ତରକାରୀ ରାନ୍ଧିବି ନାଇଁ । ମୁଁ କୁଆଡ଼େ ଭଲ ସିଲେଇ କରିପାରେ, ଭଲ ରାନ୍ଧିପାରେ । ଥାଉ, ମୋର ଦରକାର ନାଇଁ । ମୋତେ ଆଉ ଟିକିଏ ସମୟ ଦିଅ, ମୁଁ ନେହୁରା ହେଉଚି । ମୁଁ ଜାଣେ ମୁଁ ତାକୁ ଭୁଲିଯାଉଚି, ଭୁଲିଯିବି । ମୋତେ ସୁଅ ଟାଣି ନେଉଚି, ପବନ ଭସାଇ ନେଉଚି । କିନ୍ତୁ ତୁମେ ସବୁ ମୋତେ ଠେଲିଦିଅ ନାଇଁ । ଦୟାକର ।

 

‘‘ନିମୁ ଲୋ-ଓ ! ନିମୁ-ଉ !’’

 

ଶାଶୁ ଶରଧାରେ ଡାକୁଛନ୍ତି । ମାଂସ ତରକାରୀ ପାଇଁ ମସଲା ବଟା ହୋଇଗଲାଣି, ରାନ୍ଧିବା ପାଇଁ ଡାକରା ପଡ଼ିଚି । କିମ୍ୱା ଶ୍ୱଶୁରଙ୍କ ପାଇଁ ସରବତ୍‍ । ପୁଣି କାମ କଲା ଭିତରେ ସେ ମୋ ପାଟିରେ ରସଗୋଲା ଗେଞ୍ଜିବେ, ମନା କଲେ ହଜାର ଥର ରାଣ ପକାଇବେ । ହେଲେ ତାଙ୍କର କ’ଣ ସବୁ ଦୋଷ ? ମୋତେ କ’ଣ ରସଗୋଲା ମିଠା ଲାଗୁ ନାଇଁ ? ଖୁଆଇ ହେବାକୁ ଭଲ ଲାଗୁ ନାଇଁ ?

 

‘‘ଯା-ଉ-ଚି’’ କହି ନିର୍ମଳା ଦେବୀ ସିଡ଼ିମୁହଁକୁ ଗଲେ, ଓ କାନ୍ଥକୁ ଲାଗି ଲାଗି ହୋଇ ଧୀରେ ଧୀରେ ପାହାଚ ଓହ୍ଲାଇଲେ । ଯେପରିକି ସେ ନିଜକୁ ଜଣାଉଥିଲେ ଯେ ଏ ଦ୍ୱିଧା ଓ କୁଂଠାର ଗତି । ଦୁଃଖ ସରିଯାଇ ନାଇଁ ।

 

ତଳ ପାହାଚରେ ପହଞ୍ଚିଲା ବେଳକୁ ସେ ଦେଖିଲେ ଚାରିପାଞ୍ଚ ହଳ ଚଟି ଓ ଜୋତା ପିଣ୍ଡାର ଗୋଟିଏ କୋଣରେ ଥୁଆ ହୋଇଚି । ସେଥିମଧ୍ୟରୁ ହଳେ ଜରାଜୀର୍ଣ୍ଣ ଧୂସର-ମାଟିଆ ଜୋତା ଫୁଟି ଉଠୁଚି । ତାଙ୍କର ବୁଝିବାକୁ ବାକି ରହିଲା ନାଇଁ ଯେ ମଝିଘରେ ପ୍ରବୀଣମାନଙ୍କର ସଭା ବସିଚି, ଏବଂ ଶ୍ରେଷ୍ଠାଂଶରେ ଅଛନ୍ତି ଡାକ୍ତର ଗୋବର୍ଦ୍ଧନ ବାବୁ,–ସେହି ସୁଦୃଶ୍ୟ ଜୋତାର ଅଧିକାରୀ, ପରିବାରର ପୁରୁଣା ଓ ପୁରୁଖା ଡାକ୍ତର, ଶୁଭାକାଙ୍‍କ୍ଷୀ, ଶ୍ୱଶୁରଙ୍କର ଡାହାଣ ହାତ ।

 

ଶାଶୁ ପାଖକୁ ଡାକି କହିଲେ, ‘ଦି’ଖଣ୍ଡ ପାନ ଭାଙ୍ଗି ଦେବୁଟି । ବଟଦାଦାଙ୍କର ଅଧିକା ଦୁଇଖଣ୍ଡ, ସାଦା ଅଖଇରିଆ,–ଜାଣିଚୁ ତ ?... ଆଉ ତୋତେ ଏତେ କରି କହିଲି ଯେ କାଲିଠୁ ଖିରି ଥୁଆ ହୋଇଛି ।’’

 

ନିର୍ମଳା ଦେବୀ ଉତ୍ତର ନ ଦେଇ ପାନଭାଙ୍ଗି ବସିଲେ । ବସିବା ଜାଗାରୁ ମଝିଘରର କଥା ଶୁଣାଯାଉଥିଲା, ଏବଂ ଗୋବର୍ଦ୍ଧନବାବୁଙ୍କ ହାଡ଼ୁଆ ଶୁକ୍ଳକେଶମଣ୍ଡିତ ମୁହଁର ଫାଳେ ଦେଖାଯାଉଥିଲା ।

 

ଗୋବର୍ଦ୍ଧନ ବାବୁ ଛିଣ୍ଡେଇ ଦେଲା ପରି କହୁଥାଆନ୍ତି, ‘‘ବୁଝିଲ ଦାଶରଥି ବାବୁ । ଡାକ୍ତର ବଇଦ ବାପମାଆ ଜେଜେବାପା ଜେଜେମାଆ ଏମାନେ ସମସ୍ତେ ଗୋଟାଏ ଆଡ଼େ, ନିକିତିରେ ଭରିଏ ବି’ ହେବେ ନାଇଁ, ଆଉ ସେପାଖରେ ଭାଗ୍ୟ ।’’ ତୁମେ ସେଠି ଅଛ, ଏହି ଭାବରେ ସେ ସସମ୍ମାନରେ ହାତ ଉପରକୁ କଲେ ଓ ଭାଗ୍ୟର ଦିଗ ଦର୍ଶାଇଲେ । ‘‘ଏ ଟୋକାଟା ପାଇଁ କ’ଣ ଚେଷ୍ଟା କରା ନ ହେଲା ? ଦୁଇଅଣା ଆଶା ଥିବା ଯାଏଁ ମୁଁ ତମକୁ ଦମ୍ଭ ଦେଉଥିଲି, କିନ୍ତୁ ତା’ ପରେ ଦେଖିଲି ଯେ ସେ ଆମ ହାତର ବାହାରେ । ସେ ବାଟ କାଟି ଚାଲିଯିବ, ଆମେ ଅଟକେଇ ପାରିବା ନାଇଁ । ତମର ମନେ ଅଛି ? ସେଦିନ ସଂଜବେଳେ, ତା’ ମରିବାର ସାତ ଆଠଦିନ ଆଗରୁ, ମୁଁ ତମକୁ କ’ଣ କହିକରି ଗଲି ?’’

 

କେଉଁଦିନ ସଞ୍ଜବେଳେ ? ମୋତେ କାଇଁକି କେହି କହିଲେ ନାଇଁ ? ବିଜୁ ବଞ୍ଚିବ । ତା’ର ଶେଷନିଶ୍ୱାସ ଯାଏଁ ତମେ ସମସ୍ତେ ମୋତେ ସେହି ଆଶା ଦେଇ ଆସୁଥିଲା । ତମେ ନିଜେ ଗୋବର୍ଦ୍ଧନ ବାବୁ, ତମେ ଶେଷଦିନ ତା’ ମୁଣ୍ଡରେ ହାତ ରଖି କହିଲ,–ଭଗବାନ୍‍ ଅଛନ୍ତି । କାଇଁକି ସ୍ପଷ୍ଟକରି କହିଲ ନାଇଁ ଯେ ଭଗବାନ୍‍ ଅଛନ୍ତି, କିନ୍ତୁ ମୋ ପୁଅ ରହିବ ନାଇଁ ?...ପାନ ଭାଙ୍ଗୁ ଭାଙ୍ଗୁ ନିର୍ମଳା ଦେବୀ ଗୋବର୍ଦ୍ଧନ ବାବୁଙ୍କର ସେହି ଅବିନାଶୀ ଆଦିମ ମୁଣ୍ଡକୁ ଚାହିଁଲେ, ଓ ଭାବିଲେ ଯେ ବିଜୁ ତାଙ୍କୁ ମୋଟେ ଭଲ ପାଉ ନ ଥିଲା ।

 

‘‘ମୋ ଶାଳୀ ସୁବର୍ଣ୍ଣ । ତା ଝିଅର କ’ଣ ହେଲା ଜାଣିଚ !’’ ବଟଦାଦା ଆରମ୍ଭ କଲେ । ‘‘କେଡ଼େ ସୁନ୍ଦର ଡଉଲଡ଼ାଉଲ ଝିଅ, ଦେଖିଲେ ପେଟ ପୂରିଯିବ । ସକାଳୁ କହିଲା ଯେ ତା’ ପେଟ ଟିକିଏ ଟାଣୁଚି, ସଞ୍ଜବେଳକୁ ଶେଷ ।’’

 

ଓଃ,–ଏ କଅଣ ଇତିହାସର ଗପ ? ମୋ ପୁଅର ମରିବା କ’ଣ ଏତେ ପୁରୁଣା ହୋଇଗଲାଣି ଯେ ଏମାନେ ଏ ସବୁ କଥା ମୋ ଆଗରେ ଗପିବେ ? ଏମାନଙ୍କର ବୁଦ୍ଧି ବିଚାର ଦୟାମାୟା, କିଛି ହେଲେ ନାଇଁ ?

 

ତାଲିକା ଶେଷ ହୋଇ ନାଇଁ । ସେମାନେ ସବୁ ମୃତ ସନ୍ତାନମାନଙ୍କୁ ଡାକିହାକି ନିଜ ବଡ଼ପଣର କରୁଣା ଓ ଆଶୀର୍ବାଦ ଦେବାକୁ ସ୍ଥିର କରିଛନ୍ତି । ଏଥର ନିଜେ ଶଶୁର ଦାଶରଥି ବାବୁ କ’ଣ କହିବାକୁ ଯାଉଛନ୍ତି । ତାଙ୍କ ଗଭୀର କଣ୍ଠର ସ୍ୱର ଶୁଣାଯାଉଚି । ନିର୍ମଳା ଦେବୀ କାନ ଡେରିଲେ ।

 

‘‘ମୋର ବାପାଙ୍କର ଜଣେ ବଡ଼ଭାଇ ଥିଲେ । ସେ କୁଆଡ଼େ ତିନିମାସର ନ ହେଉଣୁ ମରିଯାଇଥିଲେ । ପିଲାଦିନେ କାହାଣୀ କହିଲା ବେଳେ ମୋ ଜେଜେମା କେତେବେଳେ କେମିତି ତାଙ୍କ କଥା ପକାଏ । ଆଉ ତମେ ଆଶ୍ଚର୍ଯ୍ୟ ହେବ ସେତେବେଳେ ତା’ ଆଖି ଛଳଛଳ ହୋଇଯାଏ-। ସତେ ଯେପରି ଦି ଦିନ ତଳର କଥା । ମାଆର ମନ ଅପୂର୍ବ । ଯାହାକୁ ସେ ଜନ୍ମ କରିଚି, ଦଶମାସ ପେଟରେ ରଖିଚି, କୋଳରେ କାଖରେ ମଣିଷ କରିଚି ତାକୁ ସେ ଭୁଲିପାରେ ନାଇଁ । ବଞ୍ଚିଥିବା ଯାଏଁ ଭୁଲିପାରେ ନାଇଁ ।’’

 

ଦାଶରଥିବାବୁ ନୀରବ ହେଲେ ଓ ଅନ୍ୟମାନେ ‘ତା ଠିକ୍‍’ ‘ତା ଠିକ୍‍’ ବୋଲି କହିଲେ ।

 

ନିର୍ମଳା ଦେବୀ କିଞ୍ଚିତ୍‍ ଆଶ୍ୱସ୍ତ ହେଲେ । ସେ ଶଶୁରଙ୍କୁ ଦେଖିପାରୁ ନ ଥିଲେ, କିନ୍ତୁ ଅନୁମାନ କଲେ ଯେ ତାଙ୍କର ଉଦାର ମାଂସଳ ବୃଦ୍ଧ ମୁହଁରେ ମାତୃତ୍ୱର ବ୍ୟଥା ଆଶ୍ରା ନେଇଚି । ସେ ଅନ୍ୟମାନଙ୍କ ପରି ନୁହଁନ୍ତି । ସେ ବୁଝି ପାରୁଛନ୍ତି ।

 

କିନ୍ତୁ ଏହି ସମୟରେ ଡାକ୍ତର ଗୋବର୍ଦ୍ଧନ ବାବୁଙ୍କୁ କହିବାକୁ ହେଲା, ଏବଂ ସେ କହିଲେ, ‘‘ଈଶ୍ୱର ଯାହା କରନ୍ତି ମଙ୍ଗଳ ପାଇଁ । ତାଙ୍କ ଇଚ୍ଛା ବୁଝିବ କିଏ ? ତେବେ ସେ ଗୋଟିଏ ହାତରେ ନେଇଗଲେ ଆର ହାତରେ ଦେଇପାରନ୍ତି । ଅକାଳରେ ଫଳଟିକୁ ଛଡ଼ାଇ ଓଟାରି ନେଲେ ଶୀଘ୍ର ଆଉ ଗୋଟିକୁ ଖଞ୍ଜି ଦିଅନ୍ତି । ଏଇ ହେଉଚି ବାଇଓଲଜି, ସୃଷ୍ଟିର ନିୟମ । ମୁଁ ଲେଖି ଦେଉଚି ଯେ ବର୍ଷେ ନ ପୂରୁଣୁ ବିଚାରି ନିମୁର ଆଉ ଗୋଟିଏ ପିଲା ହେବ । ଦାଶରଥିବାବୁ ପୁଣି ନାତି କିମ୍ୱା ନାତୁଣୀର ମୁହଁ ଦେଖିବେ । ବୁଢ଼ାଙ୍କ ପରମାୟୁ ଆହୁରି ଦଶବର୍ଷ ବଢ଼ିଯିବ ।’’

 

ନିର୍ମଳା ଦେବୀ ଥପ୍‍କରି ରହିଗଲେ । ଏହି ଭର୍ତ୍ସନା, ଏହି ଭୀମଗଦାର ପ୍ରହାର ପରେ ସ୍ଫୁରଣ, ଆଲୋଡ଼ନ, ଆନ୍ଦୋଳନ କିଛି ସମ୍ଭବ ନୁହେଁ । ଜୀବନର ଫଲ୍‍ଗୁ ହଠାତ୍‍ ଶୁଖିଗଲା, ଭୟରେ ଶୁଖିଗଲା ।

 

ସେ ଏମିତି କାଇଁକି କହିଲେ ?

 

ଚରମ ନିଷ୍ଠୁରତା । କିନ୍ତୁ ଏ ନିଷ୍ଠୁରତା କେବଳ ଡାକ୍ତର ଗୋବର୍ଦ୍ଧନ ବାବୁଙ୍କର ନୁହେଁ । ନିର୍ମଳା ଦେବୀଙ୍କର ମନେହେଲା ଯେ ଦୟାବାନ୍‍ ଶ୍ୱଶୁରଙ୍କ ମୁହଁରେ ପ୍ରସନ୍ନତା ଆଙ୍କି ହୋଇଯାଇଛି-। ସେ ଗୋବର୍ଦ୍ଧନ ବାବୁ ଓ ବାଇଓଲଜିକୁ ପସନ୍ଦ କରୁଛନ୍ତି । ବଟଦାଦା ପାନ ଚୋବାଇ ଚୋବାଇ ଆନନ୍ଦରେ ପୁଣି ଗୋଟିଏ ଉଦାହରଣ ଦେବାକୁ ବସିଲେଣି । ଆଉ ଜଣେ କିଏ ଅଛନ୍ତି, ଆଉ ଜଣେ ଗରିଷ୍ଠ ଗୁରୁଜନ, ସେ ମଧ୍ୟ ଉପଭୋଗ କରୁଥିବେ । ପ୍ରବୀଣମାନେ; ଜଜ୍‍ମାନେ ଅକାଟ୍ୟ ଅମୂଲ୍ୟ ରାୟ ଦେଇଛନ୍ତି, ଓ ରାୟ ଦେଇସାରି ଓଠ ଚାଟୁଛନ୍ତି । ସୃଷ୍ଟି, ବାଇଓଲଜି, ନିଆଁ, ଚୁଲି !

 

ଭଙ୍ଗାପାନ ଥାଳିଆରେ ସଜାଡ଼ି ସେମାନଙ୍କ ପାଖକୁ ଯିବାକୁ ପଡ଼ିଲା । ଆନତ ଦୃଷ୍ଟିରେ ସେ ସେମାନଙ୍କୁ ଦେଖିଲେ ଓ ନିଜର ଅନୁମାନ ସତ ପରି ଲାଗିଲା । ସେମାନେ କୈଳାଶରେ ବସିଛନ୍ତି, ଗୋଟି ଗୋଟି ହୋଇ । ମୁଁ ଜଣେ ସାମାନ୍ୟ ନର୍ତ୍ତକୀ ସ୍ୱଧର୍ମ ପାଳନ କରି ସେମାନଙ୍କୁ ଖୁସି କରୁଚି ।

 

ନିର୍ମଳା ଦେବୀ ରାଗି ପାରିଲେ ନାଇଁ । ହୀନତାର ଲଜ୍ଜା ମାଡ଼ି ବସୁଚି, ରାଗିବାକୁ ଦେଉ ନାହିଁ । ଯେପରିକି ସେହି ଦାରୁଣ ବର ଅଭିଶାପ ପାଇଲା ପରେ ସେ ଅନ୍ତସତ୍ତ୍ୱା ହୋଇଗଲେଣି । ଏହିକ୍ଷଣି ଭାରି ପେଟରେ ସେମାନଙ୍କ ସାମନାରେ ସଭା ମଝିରେ ଯିବାକୁ ପଡ଼ୁଚି ।

 

ଭଗବାନ୍‍ ! ଗୋଟିଏ ଖେଳଣା ପରେ ଆଉ ଗୋଟିଏ ଖେଳଣା । ଗୋଟିଏ ଫଳ ପରେ ଆଉ ଗୋଟିଏ ଫଳ । ମୁଁ ପିଲା ନୁହେଁ, ପ୍ରକୃତିର ଗଛ ନୁହେଁ ! ମୁଁ ଜଣେ ମଣିଷ ।

 

କିନ୍ତୁ କିଏ ଶୁଣୁଚି ? ରୋଷେଇ ଘରକୁ ଉପେକ୍ଷା କରି, ଶାଶୁଙ୍କୁ ‘ମୁଁ ଟିକିଏ ଆସୁଚି’ ବୋଲି କହି ଚାଲିଗଲା ବେଳକୁ ସେ ଦେଖିଲେ ଯେ ସ୍ନେହମୟୀ ଶାଶୁ ମଧ୍ୟ ତାଙ୍କଆଡ଼କୁ ଅଧିକ ସ୍ନେହରେ ଚାହୁଁଛନ୍ତି, ବୋଧହୁଏ ଆସନ୍ତା ‘ଫଳ’ର ସ୍ୱପ୍ନ ଦେଖୁଛନ୍ତି ।

 

ଉପରମହଲାକୁ ଯିବାର ଅଧାବାଟରେ ସିଡ଼ିର ମଝିରେ ସେ ଅଟକିଗଲେ ଓ ଧଇଁସଇଁ ହେଲେ । ଭାବିଲେ ଯେ ସେ କାହାକୁ ହେଲେ କହିବେ । କହିବେ ଯେ ସେ ମଣିଷ ।

 

ଉମେଶ ବାବୁ କୋଟ୍‍ପ୍ୟାଣ୍ଟ ପିନ୍ଧି ତଳକୁ ଓହ୍ଲାଇ ଆସୁଥିଲେ, ଖାଇସାରି ଅଫିସକୁ ଯିବେ । ନିର୍ମଳା ଦେବୀ ତାଙ୍କୁ ଦେଖି ଭାବିଲେ ଯେ ସେ ତାଙ୍କୁଇଁ ଖୋଜୁଥିଲେ । କାରଣ ସେ ସମଦୁଃଖୀ, ଦୟନୀୟ । ହୀନ ଓ ତରୁଣ, ପ୍ରକୃତିର ହାତବାରିସି । କିନ୍ତୁ ମୁଁ ତାଙ୍କୁ ସାହସ ଦେବି, ଆମେ ଦୁହେଁ ଜବାବ୍‍ ଦେବା ଯେ ସେମାନେ ଭୁଲ କହିଛନ୍ତି, ସେମାନେ ଜାଣନ୍ତି ନାଇଁ । ସେ ଆହୁରି ପାହାଚେ ଉପରକୁ ଗଲେ । ଉଦ୍‍ବିଗ୍ନ ଉଦ୍ୟତ ହେଲେ ।

 

ନିମେଷକରେ ତାଙ୍କ ମନରେ ଆସିଲା ଯେ ‘ସେ’ ରୁଷିଛନ୍ତି, ସେଇଥିପାଇଁ ହାତ ବଢ଼ାଉ ନାହାନ୍ତି, ଚାହାଣି ମିଳାଉ ନାହାନ୍ତି । ମୁଁ ତାଙ୍କ ପ୍ରତି ଅନ୍ୟାୟ କରିଚି, ତାଙ୍କୁ ଫେରାଇ ଦେଇଚି । ଅଯଥାରେ ଫେରାଇ ଦେଇଚି । ପହିଲି କେତେଦିନ ସେ ପାଖରେ ଅଛନ୍ତି ବୋଲି ମୁଁ ଜାଣିପାରି ନାଇଁ । ଯେବେ ଜାଣିଲି ମୁଁ ଅଲଗା ହୋଇଗଲି, ସେ କ’ଣ କହିବାକୁ ଆସିଥିଲେ ନ ଶୁଣି ପାଖରୁ ଠେଲିଦେଲି । ସେହିଦିନଠାରୁ ସେ କଅଣ ମନେମନେ ରାଗିଛନ୍ତି ? ପ୍ରକୃତରେ ରାଗିଛନ୍ତି ?

 

ନିର୍ମଳା ଦେବୀ କହିବାକୁ ଚାହିଁଲେ,–ଆମେ ଦୁହେଁ ଅସହାୟ । କେହି କାହା ଉପରେ ରାଗିବା ଉଚିତ ନୁହେଁ । ଏବଂ ସେ ଅଧିକତର ସତୃଷ୍ଣ ହୋଇ ଉଠିଲେ ।

 

ସ୍ତ୍ରୀଙ୍କର ବାର୍ତ୍ତା ଯେ ଉମେଶ ବାବୁଙ୍କ ପାଖରେ ନ ପହଞ୍ଚିଲା ନୁହେଁ । କିନ୍ତୁ ସେ ଅପେକ୍ଷା କଲେ । ନିଜକୁ ଚେତାଇ ଦେଲେ ଯେ ଏ ପୂର୍ବର ନିମୁ ନୁହେଁ, ଏଥିମଧ୍ୟରେ ଅନେକ କିଛି ଘଟି ଯାଇଚି । ସେ ଆଡ଼େଇ ହୋଇ ଧୀର ସାବଧାନ ଗତିରେ ଆଗେଇଲେ ।

 

ଯେଉଁଠି ସିଡ଼ିକାନ୍ଥରେ ଝରକା ଲାଗିଛି ଓ ଝରକାରୁ ହତାର ବଡ଼ ଫାଟକ ଦେଖାଯାଏ, ସେଇଠି ସେମାନେ ମୁହାଁମୁହିଁ ହେଲେ । ସେଇଠି ଖୋଲା ସଂସାରର ଆଲୁଅ ଓ ଆଲୁଅରେ ଉଦ୍‍ଭାସିତ ବାଲିଗଦା, ବନ୍ଧା ହୋଇଥିବା କୁକୁର, ଭ୍ରାମ୍ୟମାଣ ମୂଲିଆ ଇତ୍ୟାଦିଙ୍କୁ ଭ୍ରୂକ୍ଷେପ ନ କରି ନିର୍ମଳା ଦେବୀ ସ୍ୱାମୀଙ୍କ ଉପରେ ଝାସ ଦେଲେ, ତାଙ୍କୁ ଜାବୁଡ଼ି ଧରିଲେ ଓ କହିଲେ, ‘‘ମୁଁ ଏଠି ରହିପାରିବି ନାହିଁ । ମୋତେ ଛାଡ଼ିଦିଅ ।’’

 

ଉମେଶବାବୁ ଶଙ୍କିତ ହୋଇ ସ୍ତ୍ରୀଙ୍କ ମୁହଁକୁ ତୋଳି ଧରିଲେ ଓ ପଚାରିବାକୁ ଯାଉଥିଲେ,–କ’ଣ ହେଲା ? କାଇଁକି ? କିନ୍ତୁ ତା’ ଆଗରୁ ନିର୍ମଳା ଦେବୀ ଥଙ୍ଗଥଙ୍ଗ ହୋଇ କହିଲେ, ‘‘ତୁମେ ସତ କୁହ । କୁହ ଯେ ତୁମେ ଆଉ ପିଲା ଚାହଁ ନାଇଁ । ସତ କୁହ, ତୁମକୁ ମୋ ରାଣ ।’’

 

ଏହି ଅଧୀର ପ୍ରଶ୍ନରେ ଅର୍ଥ ନାଇଁ, ଆବେଗ ଅଛି । ଏବଂ ଉତ୍ତର ଅତି ସହଜ । ଉମେଶ ବାବୁ ପ୍ରୀତିଭରା କଣ୍ଠରେ ସ୍ତ୍ରୀଙ୍କ ମୁଣ୍ଡ ଉପରେ ଚିବୁକ ରଖି କହିଲେ, ‘‘ମୁଁ ପିଲା ଚାହେଁ ନାଇଁ କିଛି ଚାହେଁ ନାଇଁ । ମୁଁ ତୁମକୁଇ ଚାହେଁ ।’’

 

ଆଖି ଖୋଲିଲା ବେଳକୁ ନିର୍ମଳା ଦେବୀ ଦେଖିଲେ ଯେ ଫାଟକ ପାଖରେ ଡାକ୍ତର ଗୋବର୍ଦ୍ଧନ ବାବୁ ଓଗେର ବିଦାୟ ନେଉଛନ୍ତି । ଗୋବର୍ଦ୍ଧନ ବାବୁ ଛତା ମେଲୁଛନ୍ତି । ସେମାନଙ୍କୁ ଦେଖି ପୁଣି ନିଜକୁ ସାନ ଲାଗିଲା, କିନ୍ତୁ ମନେ ହେଲା ଯେ ଏହି ସାନପଣରେ ମାଧୁରୀ ଅଛି–ଭଅଁର ପରି, ପ୍ରଜାପତି ପରି, ନାଲିମାଛ ପରି ।

 

ତିନି

 

ସେହି ଦିନ ରାତି ଉଛୁର ନ ହେଉଣୁ ଦୁହେଁ ଯୋଡ଼ି ଖଟରେ ଏକାଠି ହେଲେ ଓ ପରସ୍ପରକୁ ଚାହିଁବାର ପ୍ରମାଣ ଦେଲେ । ଦେହ ମନର ପ୍ରତିଟି ଅଂଶକୁ ନେଇ ମିଳନ ପରିପୂର୍ଣ୍ଣ ହେଲା ।

 

ତେବେ ସମାପ୍ତିର କିଛି ସମୟ ପରେ ଗୋଟିଏ ଅଛିଣ୍ଡା ଶେଷକଥା ନିର୍ମଳା ଦେବୀଙ୍କ ମନକୁ ଆସିଲା, ଓ ସେ ଜାଣିବା ପାଇଁ ବ୍ୟସ୍ତ ହେଲେ :

 

ସେମାନେ ମୋ ପୁଅକୁ ପୋଡ଼ି ଦେଲେ ନା ପୋତି ଦେଲେ ? ତା’ର ଛୋଟିଆ ଜାମାର ଛାତି ପକେଟ୍‍ରେ ଗୋଟିଏ ଲଜେନସ୍‍ ଥିଲା । ଦରଚୁଚୁମା ଲଜେନସ୍‍, ପକେଟ୍‍ର କୋଣରେ ଲାଖି ଯାଇଥିବ ।

 

ସେ ସ୍ୱାମୀଙ୍କୁ ପଚାରିବାକୁ ଯାଇ ଦେଖିଲେ ଯେ ସେ ନିଦରେ ଶୋଇ ଯାଇଛନ୍ତି ।

Image

 

Unknown

ଘେରାଉ

 

ଘେରାଉ ଶବ୍ଦଟା କେଉଁଠୁ ଆସିଲା ? ଦେବଭାଷାରୁ ଆସିନାହିଁ ନିଶ୍ଚୟ । ତେବେ ଯେଉଁଠୁ ଆସିଥାଉ, ସେଥିରେ ସଙ୍ଗୀତ ନାହିଁ କି ଶାଳୀନତା ନାହିଁ । ମାନେ ଯାହାକୁ ଇଂରେଜୀରେ କହନ୍ତି ୟେଲିଗ୍ୟାନ୍‍ସ୍‍ । ଭାବିଲାବେଳକୁ ମନେ ହେଉଛି ଯେ ଗୋଟାଏ ଜନ୍ତୁ ହାଉଁ ହାଉଁ କରି ଗିଳିଦେବାକୁ ବସିଛି, କିମ୍ୱା ଗୁଡ଼ାଏ କୁଆ ରାଉ ରାଉ ହୋଇ ମାଡ଼ି ଆସୁଛନ୍ତି କିମ୍ୱା... । ରମାବଲ୍ଲଭ ବାବୁ ଗାଳି ଦେଲାପରି ଏମିତି କେତେ ବୀଭତ୍ସ ଦୃଶ୍ୟର କଳ୍ପନା କରିଗଲେ । ତଥାପି ତାଙ୍କ ମନରେ ଶାନ୍ତି ଆସିଲା ନାହିଁ । ଘେରାଉ ଆସିବ । ସୂର୍ପଣଖା ଆସିବ, ଆଜି ତା’ର ପାଳି । ରମାବଲ୍ଲଭ ନାଏକର ଜୀବନରେ ଏମିତି ଗୋଟାଏ ଦିନ ଆସିବାକୁ ଥିଲା ।

 

ରୀତିମତ ନୋଟିସ ଦିଆ ହୋଇଛି । ଟାଇପ କରା ହୋଇଥିବା ଦୀର୍ଘ ତିନି ପୃଷ୍ଠା ଦାବିର ତାଲିକା, ତଳେ ସଂଯୁକ୍ତ ଶ୍ରମିକ ଓ କିରାଣି ୟୁନିଅନର ସାଧାରଣ ସଂପାଦକ ଲମ୍ୱା ଦସ୍ତଖତ କରିଛନ୍ତି । ଜଣାଇଛନ୍ତି ଯେ, ଅଦ୍ୟାବଧି କୌଣସି ଦାବି ପୂରଣ ନ ହୋଇଥିବା ଯୋଗୁ ସେମାନେ ଆଜି ତାରିଖରେ ଦଳବଦ୍ଧ ହୋଇ ଆସିବେ । ନିର୍ଭର ପ୍ରତିଶ୍ରୁତି ନ ପାଇବା ଯାଏଁ ଫେରିବେ ନାହିଁ । ଘେରାଉ ଆଉ କାହାକୁ କୁହାଯାଏ ?

 

ପି. ଏ. ଅଭିରାମ ଘରଭିତରକୁ ପଶି ଆସିଲା । ସେ ନୂତନ ଯୁଗର ପି. ଏ. –ଯେଉଁମାନେ ଅଳ୍ପକଥା କୁହନ୍ତି, ଅଳ୍ପ ମୁଣ୍ଡ ନୁଆଁନ୍ତି ଓ ଭାବପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି । ସେ ଚେତାଇ ଦେବାର କର୍ତ୍ତବ୍ୟ ପାଳନ କଲା । କହିଲା–‘‘ସେମାନେ ଏଗାରଟା ବେଳକୁ ଆସିବେ-।’’ କହିସାରି ଆଦେଶ ଲୋଡ଼ିବାର ଭଙ୍ଗୀରେ ମୁହୂର୍ତ୍ତେ ଛିଡ଼ାହୋଇ ରହିଲା ଓ ତା’ପରେ ଫେରିଗଲା-

 

ସେମାନେ ଆସିବେ । ଘେରାଉ କରିବେ ବୋଲି କହିବାକୁ କ’ଣ ଲାଜ ମାଡ଼ୁଥିଲା ? ଏମାନଙ୍କର ସତ୍‍ସାହସ ନାହିଁ । ୟୁନିଅନ ସେକ୍ରେଟେରୀଙ୍କର ନାହିଁ, ପି. ଏ ର ନାହିଁ କି କାହାର ନାହିଁ । କଲ୍‍ ଏ ସ୍ପେଡ୍‍ ଏ ସ୍ପେଡ୍‍ । ମୁଁ ପିଲା ନୁହେଁ । ମୁଁ ଜାଣେ କ’ଣ କରିବାକୁ ହେବ ।

 

ରମାବଲ୍ଲଭ ବାବୁ ଓରଫ୍‍ ମି. ନାୟକ କାନ୍ଥଘଡ଼ିକୁ ଅନାଇଲେ । ଆହୁରି ସତଚାଳିଶ ମିନିଟ୍‍ ଅଛି । ନା, ଛୟାଳିଶ ମିନିଟ୍‍ ଅଛି । କିଛି ଯାଏ ଆସେ ନାହିଁ । ମୁଁ ପ୍ରସ୍ତୁତ ।

 

ମିଷ୍ଟର ନାୟକ ଚଉକିରେ ସିଧାସଳଖ ହୋଇ ବସିଲେ, ଓଠରେ ଉଚିତ ଚାପ ଆଣିଲେ ଓ ଛାତିକୁ ସାମାନ୍ୟ ଫୁଲାଇଲେ । ଯେପରିକି ବର୍ତ୍ତମାନ ଘେରାଉ ଆସି ପହଞ୍ଚିଯିବ ଓ ସେ ପଚାରିବେ–ୟେସ୍‍ ?

 

କିନ୍ତୁ ଏତିକିବେଳେ ମୌସୁମୀର ଖଣ୍ଡେ ମେଘ ଖୋଲା ବଡ଼ ଝରକା ଭିତର ଦେଇ ଦେଖାଗଲା ଓ ମିଷ୍ଟର ନାୟକଙ୍କର ମନେ ପଡ଼ିଲା ଓ୍ୱାଡ୍‍ସଓ୍ୱାର୍ଥ– I wandered lonely as a cloud..(ମେଘ ପରାଏ ମୁଁ ବୁଲିଲି ଏକାକୀ...) । ସେ ମେଘକୁ ଅନାଇଲେ ଓ ବ୍ୟଥିତ ହେଲେ-। ଯେ ମେଘକୁ ଏପରି ଭାବରେ ଉତ୍ତର ଦେଇ ପାରୁଛି, ବଛାବଛା ଶବ୍ଦର ମାଳା ପିନ୍ଧାଇ ବରଣକରି ପାରୁଛି, ସେ ଘେରାଉର ସମ୍ମୁଖୀନ ହେବ କାହିଁକି ? ତା’ପରେ ସେ ସେହି ବ୍ୟଥାକୁ ମଧ୍ୟ ବରଣ କଲେ । ଭାବିଲେ–ଏମିତି ହୁଏ । କାରଣ ତାଙ୍କର ମନେ ପଡ଼ିଲା ଦାର୍ଶନିକ ଜର୍ଜ ସାନ୍ତାୟନା । ସେ କହିଥିଲେ–Life is not a spectacle, nor a feast, it is a predicament. (ଜୀବନ ଗୋଟାଏ ତାମସା ନୁହେଁ, ଭୋଜି ନୁହେଁ, ବିପତ୍ତି ।)

 

ମିଷ୍ଟର୍‍ ନାୟକ ପ୍ରବୀଣ, ବୟସ ପଞ୍ଚାବନ ହେବ । କିନ୍ତୁ ତାଙ୍କର ଶରୀର ସୁଗଠିତ, କେଶର ସାମାନ୍ୟ ଶୁଭ୍ରତା କେଉଁଠି କେମିତି ଚିକ୍‍ଚିକ୍‍ କରୁଛି, ଅମଳିନ ଚାହାଣି, ଧାରୁଆ ମୁହଁରେ ପରିପୂର୍ଣ୍ଣ ଓଠ, ଲମ୍ୱା ହାତ ଓ ସରୁ ଆଙ୍ଗୁଳି । ପରିଧାନ ସୂକ୍ଷ୍ମ ଓ ସୌଖୀନ । ମୋଟ ଉପରେ ତାଙ୍କୁ ଦେଖିଲେ ମନେହୁଏ ଯେ ସେ ନିଜକୁ ଯତ୍ନରେ ରଖିଛନ୍ତି, ଜୀବନକୁ ଭଲପାଆନ୍ତି, ଏବଂ ପ୍ରତି ଅବସ୍ଥା ସହିତ ଗୋଟିଏ ଉପାଦେୟ କୋଟେସନ୍‍ ଅର୍ଥାତ୍‍ ସୁ-ଉକ୍ତି ଯୋଖିଦେଇ ନିଶ୍ଚିନ୍ତ ହୋଇ ପାରିବେ ।

 

ତାହାହେଲେ ଆଜି ସେ ଏପରି ବିଚଳିତ ହେଉଛନ୍ତି କାହିଁକି ? ହେଉଛନ୍ତି କି ? କାହିଁ, କିଛି ଲକ୍ଷଣ ଜଣାପଡ଼ୁ ନାହିଁତ । ଆଜି ମଧ୍ୟ ସେ ସୁବେଶ ଓ ସସ୍ମିତ । ଆଜି ମଧ୍ୟ କୋଟେସନ୍‍ଗୁଡ଼ିକ ଅନାୟାସରେ ମନେ ପଡ଼ୁଛି, ଦେବଦତ୍ତ ପୁଷ୍ପ ପରି ଯଥାସ୍ଥାନରେ ଖଞ୍ଜିହୋଇ ଯାଉଛି । ତଥାପି ମନ ଭିତରେ ଏହି ଅଶାନ୍ତି ଏବଂ ଆଶଙ୍କା । ଘେରାଉ !

 

କାହିଁକି ? ଗୋଟିଏ କାରଣ ସହଜେ ଅନୁମେୟ । ମିଷ୍ଟର ନାୟକ ତାଙ୍କର ଦୀର୍ଘ ଜୀବନରେ ମଣିଷଙ୍କ ସହିତ ବ୍ୟବହାର କରିଛନ୍ତି । ବାପମାଆ ଭାଇଭଉଣୀ, ପ୍ରିୟାକାନ୍ତା, ପୁତ୍ରକନ୍ୟା, ବନ୍ଧୁବାନ୍ଧବ, ଅଧିକାରୀ କର୍ମଚାରୀ, ମନ୍ତ୍ରୀ ଓ ଚପରାସି । ଗୋଟିକିଆ ମଣିଷ । ଯେଉଁମାନଙ୍କର ସ୍ୱରୂପ ଅଛି, ସ୍ୱଗୁଣ ଅଛି । କିନ୍ତୁ ଏହି ପ୍ରଥମଥର ପାଇଁ ତାଙ୍କୁ ଏକ ସହସ୍ର ପାଦମୁଣ୍ଡବିଶିଷ୍ଟ ଜନତା ସହିତ ମୁହାମୁହିଁ ହେବାକୁ ପଡ଼ୁଛି । ତା’ର ଚେତନା କେଉଁ ଧାତୁରେ ଗଢ଼ା-? ହଁ, ମିଷ୍ଟର ନାୟକ ସଭାରେ ବକ୍ତୃତା ଦେଇଛନ୍ତି, ସେ ଭଲ ବକ୍ତୃତା ଦେଇପାରନ୍ତି । କିନ୍ତୁ ସେତେବେଳେ ଲୋକମାନେ ଧାଡ଼ି ଧାଡ଼ି ହୋଇ ସଜା ହୋଇଥିବା ପ୍ରକୃତିର ଗଛ ପରି ଦିଶନ୍ତି । ସେମାନେ ଓଲଟି ଆସନ୍ତି ନାହିଁ । ପାଖରେ ଛିଡ଼ାହୋଇ ଦାବିକରନ୍ତି ନାହିଁ, ନିଃଶ୍ୱାସ ଛାଡ଼ନ୍ତି ନାହିଁ । ମିଷ୍ଟର୍‍ ନାୟକ ଶୁଣିଛନ୍ତି ଯେ ଘେରାଉର ଲୋକମାନେ ଟେବୁଲ୍‍ର ଦୂରତ୍ୱରେ ରହିବାକୁ ଭଲପାଆନ୍ତି ନାହିଁ, ଉଚ୍ଛ୍ୱାସର ହାବୁକାରେ ଲାଗି ଲାଗି ଆସନ୍ତି, ଚତୁର୍ଦ୍ଦିଗରେ ବ୍ୟାପି ଯାଆନ୍ତି; ଏପରିକି ଟେବୁଲ ଉପରେ ବସି ପଡ଼ିବା ବିଚିତ୍ର ନୁହେଁ ।

 

ତା’ ଛଡ଼ା ମିଷ୍ଟର ନାୟକ ଜଣେ ଅଧିକାରୀ । ତାଙ୍କ ଭାବନାରେ ରାଜା ଲୁଇସ୍‍ ଦି’ ସିକ୍‍ସ୍‍ଟିନ୍‍ଥ୍‍, ଜାର୍‍ ନିକୋଲାସ ଦି’ସେକେଣ୍ଡ୍, ମୁସୋଲିନୀ ପ୍ରଭୃତିଙ୍କ ଛାୟା ପଡ଼ିବା ସ୍ୱାଭାବିକ । ହୁଏତ ସେମାନେ ଦୁର୍ବଳ ଅଥବା ଖଳପ୍ରକୃତିର ଲୋକ ଥିଲେ । ମିଷ୍ଟର ନାୟକ ସେମିତି ନୁହନ୍ତି । କିନ୍ତୁ ଗଣ କଅଣ କିଛି ବାଛ ବିଚାର କରେ ? ଆଖି ନାହିଁ କି କାନ ନାହିଁ, ବାଜିଗଲେ ଦୋଷ ନାହିଁ । ମିଷ୍ଟର ନାୟକଙ୍କର କଳ୍ପନାରେ ଏହି ସରକାରୀ ଦପ୍ତର ସାମାନ୍ୟ ସରକାରୀ ଦପ୍ତର ହୋଇ ରହିପାରୁ ନଥିଲା । ଏଠି କ’ଣ ରାଜତ୍ୱ ନାହିଁ ? ଶାସନ ନାହିଁ ? ନାହିଁ ପ୍ରଜାପାଳନ ? ଏଠି ମଧ୍ୟ ପ୍ରଜାମାନେ ବିକ୍ଷୋଭ କରିବେ, ଆନ୍ଦୋଳନ କରିବେ । କାହିଁକି ନ କରିବେ ? ଏବଂ ତା’ର ମୁକାବିଲା କରିବାକୁ ହେବ । ‘‘Uneasy lies the head that wears a crown’’ (ମୁକୁଟ ମଣ୍ଡିତ ଶିର ନୁହଁଇ ଶାନ୍ତି ଆସ୍ପଦ), ଏହି କୋଟେସନ୍‍ ମଧ୍ୟ ତାଙ୍କ ମନକୁ ଆସୁଥିଲା । ତେଣୁ ଗୌରବର କପୋଳରେ ଭୟର ସ୍ୱେଦବିନ୍ଦୁ ଝଟକୁଥିଲା ।

 

ଦଶଟା ପଇଁଚାଳିଶ । ଆଉ ପନ୍ଦର ମିନିଟ ଅଛି । ମିଷ୍ଟର ନାୟକ ପୁଣି ସିଧା ହୋଇ ବସିଲେ ଏବଂ ଏହି ସମୟରେ ଘର ଭିତରକୁ ପଶି ଆସିଲେ ନିତ୍ୟାନନ୍ଦ ନାୟକ, ଆକାଉଣ୍ଟ୍‍ସ ଅଫିସର୍‍ । ସେ ତାଙ୍କର ସ୍ୱାଭାବିକ ଭଙ୍ଗୀରେ ସଂପୂର୍ଣ୍ଣ ନମସ୍କାର କଲେ ଓ ପ୍ରସାରିତ ହସ ହସିଲେ-। କିଛି କଥା କହିଲେ ନାହିଁ, କେବଳ ହସିଲେ । ଯେପରିକି ସାହେବଙ୍କ ପାଖ ଲୋକ ହିସାବରେ ସେ ଏହି କଥାକୁହା ଦାୟିତ୍ୱରୁ ବର୍ତ୍ତି ଯାଇଛନ୍ତି । ଅଲିଭା ହସଦ୍ୱାରା ସେ ତାଙ୍କ ଆଗମନ ଓ ଅନୁରାଗ ଜଣାଇଦେଲେ ।

 

ନିତ୍ୟାନନ୍ଦ ବାବୁଙ୍କୁ ଦେଖିଲେ ମିଷ୍ଟର ନାୟକଙ୍କ ମନରେ ଆସେ ଯେ, ଏ ଆଉ ଜଣେ ‘ନାୟକ’, ସେଇଥିପାଇଁ ବୋଧହୁଏ ଭାବୁଛି ଯେ– । ସୌଜନ୍ୟ ଭାବ ପ୍ରଣୋଦିତ ହୋଇ ସେ କିଛି କହି ପାରନ୍ତି ନାହିଁ, ଦୁର୍ବଳ ହସର ପ୍ରତିଦାନ ଦିଅନ୍ତି ।

 

ଆଜି ତାଙ୍କର କିଛି ପ୍ରତିଦାନ ଦେବାକୁ ମଧ୍ୟ ଇଚ୍ଛା ହେଲାନାହିଁ । ଅଧିକନ୍ତୁ ଏହି ଧୋତିପିନ୍ଧା ପୁଷ୍ଟପ୍ରସନ୍ନ ଲୋକଟିକୁ ଦେଖି ତାଙ୍କର ମନେ ପଡ଼ିଲା–‘‘He who is low needs fear no fall’’ (ଯେ ଛୋଟ ତା’ର ଖସି ପଡ଼ିବା ଭୟ ଆସିବ କେଉଁଠୁ ?)

 

ଚଉକିରେ ଧୀରେସୁସ୍ଥେ ବସିସାରିବା ପରେ ନିତ୍ୟାନନ୍ଦ ବାବୁ ହଠାତ୍‍ କହି ଉଠିଲେ । ସମ୍ୱାଦ ପରିବେଷଣର ଭଙ୍ଗୀରେ କହିଲେ, ‘‘ଲେବର୍‍ ଅଫିସର୍‍ ଆସିବେ ନାହିଁ । ଅସୁସ୍ଥ ।’’

 

‘‘ଏଁ ?’’

 

ମିଷ୍ଟର ନାୟକ ଏହି ଖବର ପାଇଁ ପ୍ରସ୍ତୁତ ନ ଥିଲେ । ଘେରାଉ ହେବ, ଅଥଚ ଯାହାର ପରାମର୍ଶ ଦେବା ଆବଶ୍ୟକ, ସେ ଆସିବ ନାହିଁ । ମନ୍ତ୍ରୀ ଅନୁପସ୍ଥିତ । କେବଳ ରାଜା ଓ ପ୍ରଜା । ସମୟ ମାଗିଲେ କିଛି ଲାଭ ନାହିଁ, ତାରିଖ ଆଗରୁ ଦିଆ ହୋଇଛି ।

 

ତାଙ୍କ ମନରେ କ୍ରୋଧ ଆସିଲା । ‘ମୁଁ ବୁଝିଲି,’ ଏହି ଭାବରେ ସେ ମୁଣ୍ଡ ତଳକୁ ଉପରକୁ କଲେ ଓ ତା’ ପରେ ନିତ୍ୟାନନ୍ଦ ବାବୁଙ୍କର ହସିଲା ମୁହଁକୁ ଉପେକ୍ଷା କରି ଦୂରକୁ ଚାହିଁଲେ । ଅନେକ ଦୂରକୁ । କାନ୍ଥର କ୍ୟାଲେଣ୍ଡରରେ ତାଙ୍କର ଦୃଷ୍ଟି ଅଟକି ଗଲା ନାହିଁ । କିମ୍ୱା ଝରକା ଭିତର ଦେଇ ପେଟୁଆ ମେଘ, ଉଡ଼ନ୍ତା ଚଢ଼େଇ ବା ରାସ୍ତାର ଦୃଶ୍ୟରେ ସୀମିତ ହେଲା ନାହିଁ । ସେ ଦିଗନ୍ତ ଖୋଜିଲେ । ଯେଉଁ ଦିଗନ୍ତରୁ ଗୋଟିଏ ଜନ୍ମ ଆସିଲା ଗୋଟିଏ ମୃତ୍ୟୁ ପାଇଁ । ଗୋଟିଏ ସୃଷ୍ଟି । ଜଣେ ମଣିଷ, ମାତ୍ର ଜଣେ । ରମାବଲ୍ଲଭ ନାୟକ ।

 

ମେଘ ମୁହଁରୁ ଥଣ୍ଡାପବନ ଘର ଭିତରକୁ ଧାଇଁ ଆସୁଛି । ବର୍ଦ୍ଦି ପିନ୍ଧା ଚପରାସି ମୁହଁ ଦେଖାଇ ପଚାରିଲା,–ଆଜ୍ଞା, ଝରକା ବନ୍ଦ କରିଦେବି ? ମିଷ୍ଟର ନାୟକ ବାରଣ କଲେ । ସେ ଆହୁରି ଦେଖିବାକୁ ଚାହୁଁଥିଲେ । ଏହି ଦୂର ଦେଖାରେ କ୍ରୋଧକୁ ଟପି ଏକ ବଳିଷ୍ଠ ଉତ୍ତେଜନା ତାଙ୍କର ମନକୁ ଆକ୍ରମଣ କରୁଥାଏ । ସତେ କି ଏହି ଏକକର ଏକୁଟିଆ ପଣ ନେଇ ସେ ବିଶ୍ୱ ବୁକୁରେ କେଉଁଠି ହେଲେ ଗୋଟାଏ ଲମ୍ୱା ଦସ୍ତଖତ୍‍ କରିଦେବେ । ଦସ୍ତଖତ୍‍ କରିବାକୁ ହେବ ।

 

ନିଜକୁ ବ୍ୟକ୍ତ କରିବାର ସଂପୂର୍ଣ୍ଣ ବେଦନା ଓ ଆବେଗ ଏ ପର୍ଯ୍ୟନ୍ତ ଆସି ନଥାଏ । କିନ୍ତୁ ଏହି ହେଲା ତା’ର ପ୍ରଥମ ପଦକ୍ଷେପ । ଯେତେବେଳେ ସେ ଶୁଣିଲେ ଯେ ଲେବର୍‍ ଅଫିସର ଆସିବେ ନାହିଁ ।

 

ଯଥା ସମୟରେ ସେମାନେ ଆସିଲେ । ଏକାଠି ହୋଇ ପଶିଲେ । ସର୍ବାଗ୍ରେ ପ୍ରେସିଡେଣ୍ଟ ସତ୍ୟବ୍ରତ ସିଂହ, ପାଖରେ ସେକ୍ରେଟେରୀ ରଜାକ୍‍ ଆଲି, ଏବଂ ପଛକୁ ସୈନ୍ୟଦଳ–ଶହେ କି ଦୁଇଶହ ହେବେ, ନା ଆହୁରି ବେଶି ?

 

ନିବିଡ଼ ଧ୍ୱନିଗତ ଚଞ୍ଚଳତା । ଗୁରୁ ଗୁରୁ ଗୁରୁ । ସେମାନେ ତଥାପି ଆସୁଛନ୍ତି । ଘର ଭିତରକୁ ଆସିବା ପାଇଁ ଗୋଟିଏ ଛୋଟ ଦରଜା ଥିଲା କି ନାହିଁ ବୋଲି ଜାଣି ହେଉନାହିଁ । ନିତ୍ୟାନନ୍ଦ ବାବୁ କେଉଁଠି ଡୁବି ଯାଇଛନ୍ତି, ବର୍ତ୍ତମାନ ତାଙ୍କ ମୁହଁର ଭାବ କେଉଁ ପ୍ରକାର ଲକ୍ଷ୍ୟ କରି ହେଉନାହିଁ । ହେଲେ କାହାରି ପାଟିରେ କଥା ନାହିଁ । ଅବଶ୍ୟ ଅନେକଙ୍କର ଆଖି ଘୂରି ବୁଲଛି,–ପୂର୍ବତନ ଗୋରା ସାହେବଙ୍କ ଫଟୋ (ଆଉ ଅଛି !) ଶ୍ରେଣୀଗତ ଏକାଧିକ ଫୋନ୍‍ (ତିନିଟାଯାକ ଏକାଠି ବାଜିଲେ କ’ଣ ହୁଏ ?) ଏୟାର୍‍ କଣ୍ଡିସନର୍‍ (ଅଛି ନା ନାହିଁ ? ଶବ୍‍ଦ ହେଉ ନାହିଁତ ?) ଇତ୍ୟାଦି । କିନ୍ତୁ ସେହି ଦୃଶ୍ୟଦେଖା କ୍ଷଣକରେ ଫେରି ଆସୁଛି ସମ୍ମୁଖୀନ କର୍ତ୍ତାଙ୍କର ଚଉକିକୁ ଓ ଚେହେରାକୁ । ଉପସ୍ଥିତ କର୍ତ୍ତବ୍ୟର ଗୁରୁତ୍ୱ ଚହଲିବା ଦୂରର କଥା, ନିର୍ମମ ବେଗରେ ବାନ୍ଧି ହୋଇ ଯାଉଛି, ଜମି ଯାଉଛି । ଲହରୀର ଫଣା ଗଢ଼ିଉଠୁଛି । ପ୍ରେସିଡେଣ୍ଟ୍ ବସିବା ମାତ୍ରେ ଗୁଡ଼େଇ ହୋଇଥିବା କାଗଜଖଣ୍ଡକୁ ଟେବୁଲ୍‍ରେ ଉପସ୍ଥାପିତ କଲେ ଓ ଆରମ୍ଭ କଲେ–‘‘ସାର୍‍... ।’’

 

ଏଭଳି ଏକାଗ୍ରତାସତ୍ତ୍ୱେ କେହି କ’ଣ ଲକ୍ଷ୍ୟ କରି ପାରି ନ ଥିବେ ଯେ ସାର୍‍ ମଧ୍ୟ କିଛି କହିବାକୁ ଚାହାନ୍ତି ? ଯେ ତାଙ୍କର ଏହି ପ୍ରଦୀପ୍ତ ମୁଖମଣ୍ଡଳରେ ଭୟ ଏବଂ କ୍ରୋଧ ଛଡ଼ା ଆଉ କିଛି ଭାବର ଉତ୍ତାପ ଜଣା ପଡ଼ୁଛି ?

 

ହୁଏତ ସେମାନେ ଧରି ନେଇଥିଲେ ଯେ ଆସିଲେ ଆସିବ କୋଟେସନ୍‍ । କେବଳ କୋଟେସନ୍‍ । ଅନାବିଳ ଦୁର୍ଲଭ କୋଟେସନ୍‍ ଏବଂ ସୁମଧୁର ହସ ।

 

ଦୁର୍ଭାଗ୍ୟ ! ପ୍ରକୃତରେ ସେତେବେଳେ ୟୁନିଅନ୍‍, ପ୍ରେସିଡେଣ୍ଟ୍ ଜଳଦଗମ୍ଭୀର ସ୍ୱରରେ କହି ଚାଲିଲେ, ‘ସାର୍‍, ଏହି ହେଉଛି ଆମର ଦାବିପତ୍ର, ଚାଟର୍‍ ଅଫ୍‍ ଡିମାଣ୍ଡସ୍‍, ଏହି ଦାବିଗୁଡ଼ିକ ପୂରଣ ନ ହେବା ପର୍ଯ୍ୟନ୍ତ କିମ୍ୱା ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ପୂରଣ ହେବାର ନିର୍ଭର ପ୍ରତିଶ୍ରୁତି ନ ପାଇବା ପର୍ଯ୍ୟନ୍ତ...’’, ସେତେବେଳେ ମିଷ୍ଟର୍‍ ନାୟକଙ୍କର କୌଣସି କୋଟେସନ୍‍ ମନେ ପଡ଼ୁ ନଥିଲା । ଅଥଚ ସେ ବିବିଧ ବହୁଳ ନିକଟ-ନୀରବ ମୁହଁମାନଙ୍କୁ ନୂଆ ଦେଖିଲା ପରି ଦେଖୁଥିଲେ । ଏବଂ ତାଙ୍କର ଓଠ ଥରି ଉଠୁଥିଲା ।

 

‘‘ସେ ପର୍ଯ୍ୟନ୍ତ ଆମେ ଏହି ଘର ଛାଡ଼ି ଯିବୁନାହିଁ (ସମବେତ କରତାଳି) । ଆମର ଏ ଦାବି ପଛରେ ନ୍ୟାୟ ଅଛି । ଅଛି ମଣିଷ ହୋଇ ମଣିଷ ପରି ବଞ୍ଚି ରହିବାର ଅଧିକାର । ଏତିକି ପାଇବାପାଇଁ ଆମେ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛୁ, କର୍ତ୍ତୃପକ୍ଷଙ୍କ ଦରବାରରେ ଭିକ୍ଷା କରିଛୁ, ବୁକୁ ଫଟାଇ କାନ୍ଦିଛୁ, ଅଭିମାନ କରିଛୁ । କିନ୍ତୁ କେଉଁଥିରେ କିଛି ଫଳ ହେଲାନାହିଁ । ତେଣୁ ଆଜି ଆମେମାନେ ଆସିଛୁ ଆମର ଦାବି ହାସଲ କରିନେବୁ । ଛଡ଼ାଇ ନେବୁ...’’

 

ଜମାଦାର (ମୁଖ୍ୟ ଅର୍ଦ୍ଦଳି) ଭଗତ୍‍ରାମ୍‍ ମିଷ୍ଟର ନାୟକଙ୍କର ପଛଆଡ଼େ ଛିଡ଼ା ହେଲା । ତା’ର ନିର୍ବୋଧ-ଉଦ୍ଧତ ଚାହାଣିରୁ ମନେହେଲା ଯେ ତା’ର ଆଉ କିଛି ଥାଉ ନ ଥାଉ, ସାହସ ଅଛି-। ସେ ମଧ୍ୟ ଏଇଠି ଛିଡ଼ା ହୋଇ ରହିବ । କିଛି କରି ନ ପାରିଲେ ମଧ୍ୟ ଛିଡ଼ା ହୋଇ ରହିବ, ସାକ୍ଷ୍ୟ ଦେବ ।

 

ଏଣେ ମୌସୁମୀର ବର୍ଷା ଝରିବାକୁ ଆରମ୍ଭ କଲା । ଘର ଭିତରକୁ ପାଣି ଛିଟିକା ଆସିଲା । କିନ୍ତୁ ଝରକା ବନ୍ଦ କରିଦେବା ଜରୁରୀ ବୋଲି କେହି ମନେ କଲେ ନାହିଁ ।

 

ବାଗ୍ମୀତାର ଧାସ ଉଠୁଛି, ଥମିଯିବାର ଲକ୍ଷଣ ଦେଖା ଯାଉନାହିଁ । ପ୍ରେସିଡେଣ୍ଟ୍ ସତ୍ୟବ୍ରତ ସିଂହ ବଳିଷ୍ଠ, ଦୀର୍ଘକାୟ । ତାଙ୍କର ବଡ଼ମୁଣ୍ଡ, ଚଉଡ଼ା କପାଳ ଓ ଢିମାଢିମା ଆଖିର ଅଭିବ୍ୟକ୍ତି ସାମାନ୍ୟ ନୁହେଁ, ସାଧାରଣ ନୁହେଁ । ତାଙ୍କୁ ଦେଖିଲେ ମନେହେବ ଯେ ସେ ମଞ୍ଚ ଓ ମଥାନ ପାଇଁ ଜନ୍ମ ହୋଇଛନ୍ତି,–ସେ ଯଦି ବକ୍ତୃତା ନ ଦେବେ ଆଉ ଦେବ କିଏ ?

 

ସେ କର୍ତ୍ତୃପକ୍ଷଙ୍କ ଆସନ୍ନ ଦୁରବସ୍ଥା ସୂଚାଇବାକୁ ଯାଇ ବିଶ୍ୱକବିଙ୍କୁ ସ୍ମରଣ କଲେ ଓ ଆବୃତ୍ତି କଲାପରି କହିଲେ, ‘‘...ଯାଦେର କରେଛୋ ଅପମାନ, ଅପମାନେ ହତେ ହବେ ତାହାଦେର ସବାର ସମାନ ।’’

 

ଏହି ସମୟରେ ମିଷ୍ଟର ନାୟକ ଓଠ କାମୁଡ଼ିବାର ଦେଖାଗଲା । କପାଳରେ କୁଞ୍ଚନ ଦିଶିଲା ଓ ଆଖିପତା ଆଘାତରେ ବୁଜି ଆସିଲା ପରି ମନେ ହେଲା । କାହିଁକି ନା ସେ ନିଜକୁ ସମ୍ଭାଳୁଥିଲେ । –ରବୀନ୍ଦ୍ର ନାଥ ! କବିତା ! ମୁଁ ସେ ଫାନ୍ଦରେ ପଡ଼ିବି ନାହିଁ । ମୁଁ ତା’ର ଉତ୍ତର ଦେବି ନାହିଁ । ମୁଁ କହିବି ।

 

ପ୍ରେସିଡେଣ୍ଟ୍ ନୁହେଁ, ସେକ୍ରେଟେରୀ ନୁହେଁ । ଏମାନେ । ଏମାନଙ୍କୁ ମୁଁ କହିବି ।

 

ଲୋକମାନେ ଅତି ପାଖକୁ ଆସିଗଲେଣି ବୋଲି କହିଲେ ଯଥେଷ୍ଟ ହେବ ନାହିଁ । ଅଜାଡ଼ି ହୋଇ ପଡ଼ିବେ କି କଅଣ । ଜଣେ କିଏ ବକ୍ତୃତା ଶୁଣି ଥକିଗଲା ପରି ହାଇ ମାରୁଛି । ତା’ର କଳା କସରା ଦାନ୍ତ ଓ କଞ୍ଚା ଜିଭର ଗହ୍ୱର ଦୃଷ୍ଟିକୁ ଗ୍ରାସ କରୁଛି । ଆଉ ଜଣେ କିଏ ମଜା ଦେଖିଲା ପରି ମୁରୁକି ମୁରୁକି ହସୁଛି । ତା’ର ଫାପୁଲା ଶେତା ମୁହଁର ହସଟିକ ଦ୍ୱିତୀୟା ଜହ୍ନର ସରୁ ଗାର ପରି ଦିଶୁଛି, ଯାହାକୁ ପୋଛି ଦେବାକୁ ସତ ବଳିବ ନାହିଁ । ପୁଣି କିଏ ଦୁର୍ଦ୍ଧର୍ଷ ଶତ୍ରୁ ପରି କାମିଜର ହାତକୁ ବାରମ୍ୱାର ଉପରକୁ ଟେକୁଛି । ତା’ ହାତର ଶିରା ଗୋଟି ଗୋଟି କରି ଗଣି ହେଉଛି, ରୁଢ଼ ଓ ଛିଦ୍ର ବିଶିଷ୍ଟ ମୁହଁ ଅଚଞ୍ଛା ସଢ଼େଇ ପରି ଦିଶୁଛି । କାହାର ଢଳଢଳ ନାଲି ଆଖି–ସେ ରାଗିଛି ନା କାନ୍ଦିବାକୁ ବସିଛି ? କାହାର ମୁହଁ ଥରକୁଥର ରୁମାଲରେ ପୋଛା ହେଉଛି ଯଦ୍ୟପି ଝାଳ ନାଇଁ । କାହାର ଶ୍ରମିକପଣ ଉତୁରି ଆସୁଛି । କଳା ଲମ୍ୱା ମୁହଁ ଚକ୍‍ଚକ୍‍ କରୁଛି, ମୁଣ୍ଡରେ ଗେରୁଆ ଗାନ୍ଧି ଟୋପି । କାହାର କିରାଣି ପଣ ଉବୁକି ପଢ଼ୁଛି, କାମିଜ ପକେଟ୍‍ରେ ମେଞ୍ଚାଏ କାଳିଦାଗ ।

 

ଏମାନଙ୍କ ପାଇଁ ସ୍ନେହ ଓ ସହାନୁଭୂତି ଜାଗି ଉଠି ନଥିଲା । ବୋଧହୁଏ ଜାଗିବା ସମ୍ଭବପର ନ ଥିଲା । ଏହି କଠୋର ନିକଟତା ସର୍ବବ୍ୟାପୀ ମଣିଷଭରା ଉଷ୍ଣତାର ଚାପରେ କୋମଳଭାବ ଅଙ୍କୁରିବ କେମିତି ? କିନ୍ତୁ ମିଷ୍ଟର ନାୟକ ଏହି ସୁସ୍ପଷ୍ଟ ପ୍ରାଣୀମାନଙ୍କୁ ଦେଖିଲେ, ଦେଖିବାରେ ଏକ ଅଭୂତପୂର୍ବ ପ୍ରେରଣା ପାଇଲେ ଓ ତାଙ୍କର କହିବାର ଇଚ୍ଛା ପ୍ରବଳ ହେଲା । କହିବେ, ଅର୍ଥାତ୍‍ କହିଲା ପରି କହିବେ ଯେମିତି ସେ ଆଗରୁ କେବେହେଲେ କହି ନ ଥିଲେ । ସେ ବିକଳ ହୋଇ ୟୁନିଅନ୍‍ ପ୍ରେସିଡେଣ୍ଟଙ୍କ ଭାଷଣ ସରିବାକୁ ଅପେକ୍ଷା କଲେ । ସ୍ଫୁରନ୍ତ ଓଠ ସାଙ୍ଗରେ ତାଙ୍କର ସରୁ ଆଙ୍ଗୁଳି ମଧ୍ୟ ଚଞ୍ଚଳ ହେଲା, ଟେବୁଲର ଗ୍ଲାସ-ଟପ ଉପରେ ଅସ୍ଥିର କ୍ରୀଡ଼ା କଲା । ସତେ କି ଏ ସୁଯୋଗ ଚାଲି ଗଲେ ପୁଣି ଆସିବ ନାହିଁ ।

 

କ୍ରମଶଃ ସେ ସଂପୂର୍ଣ୍ଣ ଭୟଶୂନ୍ୟ ହେଲେ ।

 

ପ୍ରେସିଡେଣ୍ଟ ସତ୍ୟବ୍ରତ ସିଂହ ଭାଷଣ ଶେଷ କଲାପରେ ହୁଙ୍କାର ଦେଲେ, ବୀରବିକ୍ରମରେ ହାତ ବୁଲାଇ କହିଲେ, ‘‘ଇନ୍‍କିଲାବ୍‍ ।’’ ସମଗ୍ର ଜନତା ସମସ୍ୱରରେ ଚିତ୍କାର କଲେ, ‘‘ଜିନ୍ଦାବାଦ୍‍ !’’

 

ଡାଇରେକ୍‍ଟରଙ୍କ କମରାରେ ଏପରି ଦୃଶ୍ୟ, ହାଟବଜାରର ଦୃଶ୍ୟ ଦେଖିବାକୁ ମିଳିବ ବୋଲି କିଏ ଭାବିଥିଲା ? ନିଜେ ଭଗତ୍‍ରାମ ଜମାଦାର ଝାଉଁଳି ଗଲାପରି ଦିଶିଲା । କିନ୍ତୁ ମିଷ୍ଟର ନାୟକ ଟିକିଏ ହସିଲା ପରି ମନେ ହେଲା । କହିବାର ବିପୁଳ ଆବେଗ ଓ ଉତ୍କଣ୍ଠା ମଧ୍ୟରେ ଏହି ଇନ୍‍କିଲାବର ଧ୍ୱନି ତାଙ୍କୁ କୁତୁକୁତୁ ହେଲା । ବେଶ୍‍ ତ ! ମୋରି ଧ୍ୱନି । ମୋରି ଇତିହାସ । ଅବିସ୍ମରଣୀୟ ସ୍ମରଣିକା ।

 

ଥ୍ରି ଚିଅରସ୍‍ ଫର୍‍ ଇଲା ଏଣ୍ଡ (ରମା) ବଲ୍ଲଭ । ଆସ, ପାଖକୁ ଲାଗିଆସ–ଆମେ ଜିତିଛୁ, ଜିତିବୁ (ତୀବ୍ର ତଡ଼ିତ୍‍ ଚୁମ୍ୱନ)–ଇନ୍‍କିଲାବ ଜିନ୍ଦାବାଦ୍‍ । ଶ୍ୱଶୁରଙ୍କ ନିରୋଳା ଲାଇବ୍ରେରୀ ଘର । ମୋଟା ମୋଟା ଆଇନ ବହି ସାଙ୍ଗରେ କ୍ଲାସିକାଲ ମନୀଷିମାନଙ୍କର ସୁବୃହତ୍‍ କଳେବର–ରାଇଜ୍‍ ଏଣ୍ଡ ଫଲ୍‍ ଅଫ୍‍ ଦି’ ରୋମାନ ଏମ୍ପାୟାର, ସେକ୍‍ସପିୟର, ସାମୁଏଲ ଜନ୍‍ସନ୍‍, ଡିକେନ୍‍ସ୍‍ ଇତ୍ୟାଦି ଇତ୍ୟାଦି । ମୋଟା ପରଦା ଘେରା ଅନ୍ଧାରଭିତରେ ପୁରୁଣା କାଗଜ ଓ ନୂଆ ବନ୍ଧେଇର ବାସ୍ନା । ରୁଚି ଓ ମର୍ଯ୍ୟାଦାର ବାସ୍ନା । ତଥାପି, ତଥାପି ମୁଁ କହିଲି ଇନ୍‍କିଲାବ ଜିନ୍ଦାବାଦ୍‍ । ଥରେ ନୁହେଁ, ଦୁଇଥର ନୁହେଁ । ଛାତି ପଡ଼ୁଥାଏ ଉଠୁଥାଏ । ଇଲା ନର୍ଭସ ହୋଇ ହସୁଥାଏ !

 

ମିଷ୍ଟର ନାୟକଙ୍କର ମନେ ପଡ଼ିଲା । ସମାଜର ବାରଣ ନ ମାନି ମୁଁ ଇଲାକୁ ବାହା ହେବାକୁ ଚାହିଁଲି । ବାହା ହେଲି ନ ଛାଡ଼ିଲି ।

 

ଅତୀତ ଇନ୍‍କିଲାବ୍‍ର ଶୃଙ୍ଗ ଉପରେ ଚଢ଼ି ମିଷ୍ଟର ନାୟକ ଆହୁରି ଆତୁର ହେଲେ । ସତେ କି ତାଙ୍କର କହିବାର ପ୍ରବଣତାରେ ମୁନ ଆସିଗଲା, ସିଧାସଳଖ ଏହି ଲୋକମାନଙ୍କ ହୃଦୟରେ ଲାଖିଯିବ । ସେମାନେ ବୁଝିବେ । କିନ୍ତୁ ପ୍ରେସିଡେଣ୍ଟ ସତ୍ୟବ୍ରତ ସିଂହ ବସୁ ନ ବସୁଣୁ ସେକ୍ରେଟେରୀ ରଜାକ୍‍ ଆଲି ଉଠି ଛିଡ଼ା ହେଲେ । ତାଙ୍କର କୋକିଶିଆଳି ମୁହଁ ଆଗକୁ ଭିଡ଼ି ଆସିଲା ଏବଂ ସେ ଉଦ୍‍ଗାରିଲା ପରି କହିଲେ, ‘‘ବୋନସ୍‍ ଆମର ପ୍ରଥମ ଦାବି ।’’

 

କହିବା ବାହୁଲ୍ୟ ମିଷ୍ଟର ନାୟକ ନିରାଶ ହେଲେ । ତାଙ୍କର ଇଚ୍ଛା ହେଲା ରଜାକ୍‍ ଆଲିଙ୍କ ଉଦ୍‍ଗତ ମୁହଁକୁ ହାତରେ ଚାପି ଧରିବେ ଓ କହିବେ,–ମୁଁ ଜାଣିଛି । ମୁଁ ମୂଳରୁ ଶେଷଯାଏଁ ସବୁ ଜାଣିଛି । ମୁଁ ଟିକିଏ କହି ସାରେ, ପଦୁଟିଏ, ଦୁଇ ମିନିଟ୍‍... । ହେଲେ ସେ ସେକ୍ରେଟେରୀଙ୍କୁ ରୋକି ପାରିଲେ ନାହିଁ । ଭାଷଣରେ ଫାଙ୍କ ଥାଏ, ଯାହା ଉପରକୁ ହୁଏତ କୁଦି ପଡ଼ିବାକୁ ଚେଷ୍ଟା କରି ହୁଅନ୍ତା । କିନ୍ତୁ ସେକ୍ରେଟେରୀ ଭାଷଣ ଦେଉ ନାହାନ୍ତି । ସେ ନିୟମିତ ନିରନ୍ତର ଗୁଳିବର୍ଷଣ କରୁଛନ୍ତି । କଥାର ଶବ୍ଦଗୁଡ଼ିକ ସମତାଳରେ ନିର୍ଗତ ହେଉଛି ଓ ଗଦା ହୋଇ ଯାଉଛି । ବାଧା ଦେବା ଅସମ୍ଭବ ।

 

ସେକ୍ରେଟେରୀ କହୁଛନ୍ତି–‘‘୧୯୫୮ ମସିହାରେ ପ୍ରଥମେ ପ୍ରଶ୍ନର ଉତ୍‍ଥାପନ କରାଗଲା-। ସେତେବେଳେ କର୍ତ୍ତୃପକ୍ଷ କହିଲେ ଯେ ସରକାର ଶିଳ୍ପପତି ନୁହନ୍ତି, ତେଣୁ ସେ ବୋନସ ଦେଇ ପାରିବେ ନାହିଁ କିନ୍ତୁ ତା’ ବଦଳରେ ଅନ୍ୟାନ୍ୟ ସୁବିଧା ଯୋଗାଇବେ । ଆମେ ଅପେକ୍ଷା କଲୁ । ତା’ପରେ ଆସିଲା ୧୯୫୯ । ଆମେ ପୁଣି ଆବେଦନ କଲୁ । ଏଥର କର୍ତ୍ତୃପକ୍ଷ କହିଲେ ଯେ ବୋନସ ସାମାନ୍ୟ କଥା, ସରକାର ଆମକୁ ଘର ତୋଳି ଦେବେ, ପିଲାଙ୍କ ପଢ଼ିବାପାଇଁ ଖର୍ଚ୍ଚ ଦେବେ, ଏପରିକି ଆମ ଝିଅ ବାହାଘରରେ ସାହାଯ୍ୟ କରିବେ (ପଛକୁ ବୁଲିପଡ଼ି ଚତୁର ସ୍ମିତହସ) । ସେଇଠୁ ୧୯୬୦ । ଆମ ଡିପାର୍ଟମେଣ୍ଟରେ ବେପାର ବଣିଜ କାମ ଆରମ୍ଭ ହୋଇଗଲା । ଆମ ଦପ୍ତରରେ ଦାମିକା ଟେବୁଲ ଚଉକି କିଣାଗଲା, କିରାଣି ବଢ଼ିଲେ, ଶ୍ରମିକ ବଢ଼ିଲେ, ଛୋଟ ସାହେବ ବଡ଼ ସାହେବ ହେଲେ । କିନ୍ତୁ ଆମେ ଯେତେବେଳେ ବୋନସ ମାଗିଲୁ ଆମକୁ କୁହାଗଲା ଯେ ଆଲୋଚନା କରାଯିବ । ଆଲୋଚନା ! ୧୯୬୧ ମେ ମାସ ପନ୍ଦର ତାରିଖରେ ଆମେ ଧର୍ମଘଟ କଲୁ ।’’

 

ମିଷ୍ଟର ନାୟକ ଅନ୍ୟମନସ୍କ ହୋଇ ପଡ଼ିଲେ । ୟୁନିଅନ୍‍ ସେକ୍ରେଟେରୀ କ’ଣ କହୁଛନ୍ତି ପୂରାପୂରି ଶୁଣି ପାରିଲେ ନାହିଁ । ବୋଧହୁଏ ବର୍ତ୍ତମାନ ପଡ଼ିଛି ଚିକିତ୍ସା ଭତ୍ତାର କଥା–୧୯୫୭ରେ କର୍ତ୍ତୃପକ୍ଷ କହିଲେ ଯେ... । କଳଗାଉଣାର ଘୋଷା ଶୁଣିଲା ପରି ଲାଗୁଛି କ’ଣ ମିଳିବ ଏଥିରୁ ? ମିଷ୍ଟର ନାୟକ ଧୀରେ ଧୀରେ ଅପସରି ଗଲେ ଓ ନିଜର ଭାବନାକୁ ନିରେଖି ଦେଖିଲେ, କିନ୍ତୁ ସେ ପାରିଲେ ନାହିଁ । ତାଙ୍କର ମନେହେଲା ଯେ କେତେଗୁଡ଼ିଏ ଜୀଅନ୍ତା ଦେହର ଆଖି ଏକାଠି ହୋଇ ତାଙ୍କୁ ଉସ୍‍କେଉଛି । ପୃଥିବୀ ଘେରାଉ କରୁଛି । କଥା କୁହ । କଥା କୁହ ।

 

ମୁଁ କହିବି । ମୁଁ ଦେବି । ...ମିଷ୍ଟର ନାୟକଙ୍କର ଆଖି ବୁଜି ହୋଇ ଆସିଲା ଏବଂ ଆଖି ବୁଜିବାର ସେହି ଅଳ୍ପ କିଛି ସମୟ ମଧ୍ୟରେ ସେ ତୀବ୍ରତମ ବେଦନା ଅନୁଭବ କଲେ । ଏଇ ଶେଷ ମୁହୂର୍ତ୍ତ । ଡେଣାଭଙ୍ଗା ଚଢ଼େଇ ତା ଡ଼େଣା ସଜାଡ଼ି ସାରିଲାଣି । ଜେଟ୍‍ ଉଡାଜାହାଜ ଗର୍ଜିଉଠ–ଦଶ, ନଅ, ଆଠ, ସାତ– ।

 

କଥା କହିବାର ଅର୍ଥ କଅଣ ସେ ପୂର୍ବରୁ ଭାବିପାରି ନ ଥିଲେ, କିନ୍ତୁ ବର୍ତ୍ତମାନ ତା’ର କାୟାକଳେବର ତାଙ୍କ ମନକୁ ଆସିଲା, ଚେତନାକୁ ଚିହ୍ନାଇ ଦେଲା । ଏଇ ତା’ର ରୂପ, ଏଇ ତା’ର ଧ୍ୱନି, ଏଇ ତା’ର ରଙ୍ଗ–

 

ଯେମିତି କଅଁଳା ପିଲା ମାଆର ସ୍ତନକୁ ଜାବୁଡ଼ି ଧରେ ।

 

ଯେମିତି ଶତ୍ରୁର ଛାତିରେ ବର୍ଚ୍ଛା ଭୁଷି ହୋଇଯାଏ ।

 

ଯେମିତି ଭକ୍ତ ଭଗବାନଙ୍କ ପାଦତଳ ଲୋଟିଯାଏ ।

 

ଯେମିତି ମେଘ ଫାଟିଯାଏ, ବର୍ଷା ଝରେ ।

 

ମାନେ ଯାହାକୁ ପ୍ରେମ କହନ୍ତି ! ମିଷ୍ଟର୍‍ ନାୟକ ଆପଣା ଆବିଷ୍କାରର ଆଶ୍ଚର୍ଯ୍ୟରେ ପୁଲକିତ ହେଲେ । ବେଦନା ଉଭେଇ ଗଲା । ସେ ଆଖି ଖୋଲିଲେ । ସେକ୍ରେଟେରୀ ଏଥର କେଉଁ କ୍ୟାଣ୍ଟିନ୍‍, କେଉଁ ପାଇଖାନା କଥା କହୁଛନ୍ତି ସେ ବୁଝି ପାରିଲେ ନାହିଁ । ଅବାନ୍ତର । କେବଳ ଶବ୍ଦ, ଶବ୍ଦ, ଶବ୍ଦ । ପ୍ରେମର ସଂଘାତରେ କଟିଯିବ, ନିର୍ମୂଳ ହୋଇଯିବ । ପ୍ରଫୁଲ୍ଲ ବଦନରେ ମିଷ୍ଟର୍‍ ନାୟକ ହସିଲେ । ସେହି ହସର ତୁଳନା ଦେବାକୁ ହେଲେ କୌଣସି ମହାତ୍ମା ଓ କୌଣସି ମହାପ୍ରେମିକର ହସକୁ ଏକାଠି କରି ଦେଖିବାକୁ ହେବ ।

 

ହସିବା ସଙ୍ଗେ ସଙ୍ଗେ ସେ ୟୁନିଅନ୍‍ ସେକ୍ରେଟେରୀଙ୍କୁ ଦବେଇ ଦେଇ ପାରିଲେ । କେବଳ ହାତଟେକି ମୃଦୁଗମ୍ଭୀର ସ୍ୱରରେ କହିଲେ–‘‘ଶୁଣନ୍ତୁ । ମୁଁ ଦୋଷୀ ।’’

 

ସେକ୍ରେଟେରୀ ରଜାକ୍‍ ଆଲି ଥପ୍‍ କରି ରହିଗଲେ । ତେଣୁ ତାଙ୍କର ପାଟି ଈଷତ୍‍ ମେଲା ହୋଇଗଲା । ବିସ୍ମୟର ଚାପରେ ପ୍ରେସିଡେଣ୍ଟ ସତ୍ୟବ୍ରତ ସିଂ ଚଉକିରୁ ଅଧା ଉଠି ପୁଣି ବସି ପଡ଼ିଲେ । ଜନତା ସ୍ତବ୍‍ଧ ।

 

ମିଷ୍ଟର ନାୟକ ବିନା ଦ୍ୱିଧାରେ ଆଗେଇ ଗଲେ । ସଂଯତ ସ୍ୱଚ୍ଛନ୍ଦ ଗତିରେ କହି ଚାଲିଲେ–

 

‘‘ମୁଁ ଦୋଷୀ । କାହିଁକିନା ମୁଁ ଆଜିଯାଏ ଆପଣମାନଙ୍କୁ କହିପାରି ନାହିଁ । ମୁଁ କେବଳ ଚଉକିରେ ବସିଛି, ଫାଇଲରେ ଅଡ଼ର୍‍ ଦେଇଛି, କେତେବେଳେ କେମିତି ଉପଦେଶବାଣୀ ଶୁଣାଇଛି ଏବଂ ସଦାସର୍ବଦା ଭାବିଛି ଯେ ଦପ୍ତରର ଉନ୍ନତି ହେଉ, ଆପଣମାନଙ୍କର ମଙ୍ଗଳ ହେଉ, ମୋର ପ୍ରମୋସନ୍‍ ହେଉ, ଏଇ କ’ଣ ଯଥେଷ୍ଟ ?’’

 

ପ୍ରଶ୍ନର ଯଥାର୍ଥତା ବୁଝି ପାରିଲା ପରି କେତେଗୁଡ଼ିଏ ମୁଣ୍ଡ ଉଠିଲା ପଡ଼ିଲା ।

 

‘‘ନୁହେଁ, ଶତବାର ନୁହେଁ । ମୋର ଆପଣମାନଙ୍କୁ କହିବା ଉଚିତ ଥିଲା । ଆପଣମାନଙ୍କର ନିଜ ନିଜର ଦେହମନ, ଘରଦ୍ୱାର, ଭୋକଶୋଷ, ହସକାନ୍ଦ ମୋ ଆଖି ଆଗରେ ଦିଶି ଯାଉଥିଲା–ସକାଳୁ ସଞ୍ଜଯାଏ–ତଥାପି ମୁଁ କିଛି କହିପାରିଲି ନାହିଁ, ଦେଇପାରିଲି ନାହିଁ । କାହିଁକି ? ମୁଁ ଦୋଷ କରିଛି । ତା’ର ବିଚାର ଆପଣଙ୍କ ଉପରେ,.. କିନ୍ତୁ ମୁଁ ଆଜି କହିବି ।’’

 

ଯେଉଁ ଲୋକଟିର ଢଳଢଳ ନାଲି ଆଖି, ସେ ଠେଲି ହୋଇ ଆଗକୁ ଆସିବାକୁ ଚେଷ୍ଟା କଲା । ସତେ କି ମିଷ୍ଟର ନାୟକ ଯାହା କହିବେ ତାକୁ ସେ ଆଗତୁରା ଗୋଟେଇ ନେବ । ତା’ର ଅଭାବ ସବୁଠାରୁ ବେଶି । ଯେଉଁ ଶ୍ରମିକ ଗାନ୍ଧିଟୋପି ପିନ୍ଧିଥିଲା ସେ ଟୋପିକୁ କାଢ଼ି ଦେଇ ତା’ ଚନ୍ଦା ମୁଣ୍ଡକୁ ନିଷ୍ଠୁର ଭାବରେ କୁଣ୍ଡେଇ ହେଲା । ମୋଟ ଉପରେ ପ୍ରତ୍ୟେକ ଲୋକ କିଛି ନା କିଛି କରିବାର ଦେଖାଗଲା ଓ ସେମାନେ ଆହୁରି ପାଖକୁ ଲାଗି ଆସିଲେ । ଏହିକ୍ଷଣି ଦୂରରୁ ଦେଖିଲେ ମନେହେବ ଯେ ଘେରାଉର ଏକ ସଙ୍ଗୀନ୍‍ ଅବସ୍ଥା ଆସିଯାଇଛି, ସେମାନେ କର୍ତ୍ତୃପକ୍ଷଙ୍କ ଅଙ୍ଗହାନି କରିବାକୁ ବସିଲେଣି ।

 

ମିଷ୍ଟର ନାୟକ ଅବିଚଳିତ । ବଂର ତାଙ୍କର ମନେହେଲା ଯେ ଏମାନେ ଯେତେ ପାଖକୁ ଆସିବେ, ସେ ତେତେ ଅଧିକ ଦେଇପାରିବେ । ପ୍ରତି ଲୋକର ଅସଂଖ୍ୟ ଇନ୍ଦ୍ରିୟ, ପ୍ରତି ଇନ୍ଦ୍ରିୟକୁ କହିବା–ଭଲପାଇବାରେ ଭରି ଦେଇ ହେବ ।

 

ଢଳଢଳ ନାଲି ଆଖି । ତାକୁ ଦେଖିଲେ ମନେହୁଏ ଯେ ସେ ଯେଉଁ ଗଳିରେ ଥାଏ ସେଠି ଖାଲି ଧୂଆଁ । କୋଇଲା ଚୁଲିର ଧୂଆଁ, ଘସିଜଳାର ଧୂଆଁ, ବିଡ଼ି ଓ ବଳାପିଙ୍କାର ଧୂଆଁ । ସେହି ଧୂଆଁର ଆବରଣ ଭିତରେ କେଉଁ ଗୋଟିଏ ଭଡ଼ାଘର ବଖରାରେ ଦଉଡ଼ି ଝୁଲୁଥିବ । ଆଜି ସେ ଗାଧୋଇ ସାରି ସେଇଠୁ ଏଇ ଡୋରିଆ ଜାମାକୁ ଓଟାରି ଆଣି ତା ଗୋରା ଥୁଲୁଥୁଲିଆ ଦେହରେ ଗଳାଇଥିବ, ଆଉ ସୁଡୁ ସୁଡ଼ୁ କରି ଚା’ ପିଇଥିବ । ତରତର ହେବାର ଭଙ୍ଗୀରେ ଅଧା ଚାହା ପିଇ ସ୍ତ୍ରୀଆଡ଼କୁ ହାତ ହଲାଇ କହିଥିବ ଆଜି ଜଲ୍‍ଦି ଯିବାକୁ ହେବ । ଘେରାଉ ଅଛି, ଘେରାଉ । ବଡ଼ ସାହେବଙ୍କ ଘରେ ଘେରାଉ । ସେତେବେଳେ ତା’ର ଚେଇଁ ଉଠିଥିବା ଚେହେରା ଦେଖି ତା’ ସ୍ତ୍ରୀ ତାକୁ ନିଶ୍ଚୟ ଭଲପାଇଥିବ । ହାଡ଼ୁଆ ହାଡ଼ୁଆ ମରଦ । ସେ ଏହିକ୍ଷଣି ତା’ର କାମିଜର ହାତକୁ ଟେକୁ ନାହିଁ, କିନ୍ତୁ ତା’ର ଓଠର ଫାଳେ ଟାଣି ହୋଇଯାଇଛି । ମନେହେଉଛି ଯେ ସେ ନିଜକୁ ଟାଣିଧରୁଛି, କାଳେ ହୁଗୁଳା ହୋଇଯିବ, କାଳେ ନରମିଯିବ । ସେ ତା’ ବିସ୍ତୃତ ପାଦର ପଞ୍ଝାକୁ ଭଲପାଏ । ତାକୁ ପୋଖରୀ ତୁଠରେ ଘସିମାଜି ସଫାକରେ ରକ୍ତ ଖେଳାଇ ଦିଏ । ଏବଂ କ୍ଷଣକରେ ଧୂଳିଧୂସର କରିଦିଏ । ତା’ର ଗୁଡ଼ାଏ ପିଲା ଅଛନ୍ତି । ତା’ ସାହିରେ ମଣିଷ ସାଲୁବାଲୁ, କୁକୁର ହାଉଜାଉ; ବାରି କବାଟକୁ ବାରିକବାଟ ପାଇଖାନାକୁ ପାଇଖାନା ଅନେଇଛି । ସେ ଆଜି ବାରିପଟେ ଖାଲି ପାଦରେ ଚଟାଣ ମାଡ଼ି ଛିଡ଼ା ହୋଇଥିବ, ଅଣ୍ଟାରେ ହାତଦେଇ ଛିଡ଼ା ହୋଇଥିବ, ଓ କେଉଁ ଖଣ୍ଡୀ କୁକୁରକୁ ଚିରୁଡ଼ାଏ ରୁଟି ପକାଇଦେଇ ଆଉ ଚିରୁଡ଼ାଏ ପକାଉଥିବ,–ଆଜି ଶଳା ଘେରାଉ... ଜବରଦସ୍ତ ଘେରାଉ... ସେ ରୁମାଲରେ ମୁହଁ ପୋଛୁଛି । ସେ ଭ୍ରାମ୍ୟମାଣ ଜୀବ । ସେ ପଡ଼ିଆରେ ବୁଲେ, ବଜାରରେ ବୁଲେ । ସିନେମା ପୋଷ୍ଟର୍‍ର ଅର୍ଦ୍ଧନଗ୍ନା ନାରୀମାନଙ୍କୁ ଚାହିଁରହେ ଓ ମୁହଁ ପୋଛେ; ପାନଦୋକାନର କୁହୁଡ଼ିଆ ଦର୍ପଣରେ ନିଜର ପ୍ରତିବିମ୍ୱ ଦେଖେ ଓ ମୁହଁ ପୋଛେ; ଚାହା ଦୋକାନରେ ବନ୍ଧୁମାନଙ୍କ ସହିତ ଘୋର ଯୁକ୍ତିକରେ ଓ ଘନଘନ ମୁହଁ ପୋଛେ । ସେ ବାମପନ୍ଥୀ, ଫ୍ରଏଡ୍‍ ବାଦୀ ଓ ନାସ୍ତିକ । ହଁ, ମୁଁ ତାକୁ ଜାଣିଛି । ସେ ସକାଳେ ତା’ର କେତେଜଣ ବନ୍ଧୁଙ୍କୁ ଖୋଜି ଖୋଜି ବାହାର କରିଥିବ ଓ ଜଣାଇଥିବ,–‘‘ମୁଁ’’ ଆଜି ଘେରାଉ କରିବି । ଆମେ ଆଜି ଘେରାଉ କରିବୁ । ନିଜର ଦାବି ନିଜ ହାତରେ ଓଟାରି ନେବାକୁ ହେବ । ଏବଂ ସନ୍ଦେହ ନାହିଁ, ସେ ଜୋରରେ ମୁହଁ ପୋଛିଥିବ । ଟୋପିପିନ୍ଧା ଶ୍ରମିକ । ବର୍ତ୍ତମାନ ତା’ ମୁଣ୍ଡରେ ଟୋପି ନାହିଁ, କିନ୍ତୁ ଥିବା ଉଚିତ । ଟୋପିଟି ଧଳା, ତୋଫା ଧଳା । ବାକିସବୁ କଳା । ସେ ଯେଉଁ ବସ୍ତିରେ ଥାଏ, ସେଥିର ନର୍ଦ୍ଦମା କଳା ଓ ବହଳ । ତା ସାଙ୍ଗକୁ କଳା ଗୋବରର ସ୍ତୂପ । କିନ୍ତୁ ସେଠି ଅଛି ନିରୋଳା ବାମ୍ଫ, ଉଷୁମ ଓ ଧର୍ମ । ନର୍ଦ୍ଦମା ପାଣି ଉପରେ ସଞ୍ଜଦୀପର ଆଲୁଅ ଜୁକୁଜୁକୁ କରେ ଓ ଶ୍ରମିକବର ତା’ ମାଟି ପିଣ୍ଡାଉପରେ ବସି, ମୁଣ୍ଡରେ ଟୋପିଲଗାଇ ତୁଳସୀ ରାମାୟଣ ପଢ଼େ । ମୁଁ ଜାଣେ, ମୁଁ ଜାଣେ । ଆଜି ସେ କାମକୁ ବାହାରିବା ଆଗରୁ ପରମ ଯତ୍ନରେ ଟୋପି ପିନ୍ଧିଥିବ, ଓ ରାମାୟଣକୁ ଛୁଇଁ ଆସନ୍ତା ଘେରାଉକୁ ସ୍ମରଣ କରିଥିବ । ଅପର ଲୋକଙ୍କୁ ଜଣାଇବାକୁ ଚାହିଁ ନ ଥିବ, କାଳେ ତା’ର ମାହାତ୍ମ୍ୟ ନଷ୍ଟ ହୋଇଯିବ । ...ବାବୁରି ବାଳ, ପାନ ଖାଇ ପାଟି ନାଲିକରିଛି । ସେ ବଜାରି, ଅସଲ ବଜାରି । ସେ ଯାହାକୁ ପ୍ରେମରେ ଆକ୍ରମଣ କରେ, ତା’କୁ ଅଶ୍ଳୀଳ କଥା କୁହେ । ସେତେବେଳେ ତା’ର ପ୍ରେମିକା ଖିଲିଖିଲି ହୋଇ ହସେ ।...ଶେତା ଫାପୁଲା ମୁହଁଟା ଅଳସୁଆ । ଯାଉଣୁ ଆସୁଣୁ ଖାଏ, ଆଚାର ଗୁଡ଼ ଖୁରୁଡ଼ ନଡ଼ିଆ ଯାହା ପାଇବ ପାଟିରେ ପକାଏ । ନ ହେଲେ କି ତା’ ଭଉଣୀମାନେ (ପାଞ୍ଚ ଭଉଣୀ) ତାକୁ ଏତେ ଚିଡ଼ଉ ଥାଆନ୍ତେ, ଏତେ କାମ ବତାଉଥାଆନ୍ତେ-! କିନ୍ତୁ ସେ ଠିକ୍‍ କରିଛି ଯେ ବାହାହେବ ନାହିଁ, ଭଉଣୀମାନଙ୍କୁ ବାହା ଦେଇସାରିଲେ ବଡ଼ବଡ଼ ରେସ୍ତୋରାଁରେ ଭଲ ଭଲ ଜିନିଷ ଖାଇବ,–ଚାଉମିନ୍‍, ରୋଗନ୍‍ ଜୋସ୍‍, ସିକ୍‍ କବାବ୍‍ ।

 

ଇସ୍‍ ମୁଁ ଏମାନଙ୍କ ବିଷୟରେ କ’ଣ ନ ଜାଣେ ! ମୋର କଳ୍ପନା ଭୁଲ୍‍ ନୁହେଁ । ମୁଁ ଏମାନଙ୍କୁ ଦେଖିଛି, ନହେଲେ ଏମାନଙ୍କ ଜାତିଭାଇଙ୍କୁ ଦେଖିଛି । ମୁଁ ତାଙ୍କର ସେହି ଗୁଣ ଅବିଗୁଣଗୁଡ଼ିକୁ ଭଲପାଏ । ସେଥିର ଥଣ୍ଡା, ସେଥିର ଗରମ, ପୃଥିବୀଛୁଆଁ ଷଡ଼ରସ, ଅମୃତ । ପିଲାଦିନୁ ଭଲପାଏ । ମୁଁ ଏମାନଙ୍କୁ କହିବି ନାହିଁ ତ କହିବି କାହାକୁ ?

 

ଏ ଭଳି ଭାବରେ ଆପ୍ଳୁତ ହୋଇ ମିଷ୍ଟର ନାୟକ ଯାହା କହି ଗଲେ, ତା’ର ଭଗ୍ନାଂଶ ଏହିପ୍ରକାର–

 

‘‘ଆପଣମାନେ ସଂସାରକୁ ଧରି ରଖିଛନ୍ତି । ଆପଣମାନଙ୍କର କାମ,–କେବଳ ଅଫିସ କାମନୁହେଁ–, ଘର କାମ ବାହାର କାମ, ବଞ୍ଚିବାର ଲୀଳାଖେଳା ନେଇ ଚକ ଘୂରୁଛି । ଏଇ ହେଉଛି ସତକଥା । ଏ ଚକ ଆହୁରି ଘୂରିବ । ତା’ର ସ୍ଫୁଲିଙ୍ଗ ଦୂର ଦୁରାନ୍ତରେ ଛିଟିକି ପଡ଼ିବ, ମର୍ତ୍ତ୍ୟକୁ ଡେଇଁ ପହଞ୍ଚିବ କେଉଁ ସୂର୍ଯ୍ୟ, କେଉଁ ତାରାପାଖରେ । ମଣିଷ ଜାତିର ଆଡ଼୍‍ଭେଞ୍ଚର । ମାନେ ଆପଣମାନଙ୍କର କାମ । ତାକୁ କିଏ ରୋକିପାରିବ ?

 

‘‘କିଏ ବାଧା ଦେବ... ?’’

 

‘‘ଏଇ ବୋନସ୍‍ । ଏଇ ଚିକିତ୍ସା ଭତ୍ତା । ରହିବାର ବ୍ୟବସ୍ଥା । ଇତ୍ୟାଦି ଇତ୍ୟାଦି । ଏସବୁ ଆପଣମାନଙ୍କର ଦାବି ନୁହେଁ, ବିବର୍ତ୍ତନର ଦାବି । ଏ ଦାବିକୁ ମେଣ୍ଟାଇବାକୁ ହେବ । ନ ହେଲେ ଚକ ଧିମେଇଯିବ, ଗତିର ଆନନ୍ଦ କମି କମି ଯିବ (ସେ ଗୋରା କୋମଳାଙ୍ଗ କିରାଣି ସୁଡ଼ୁ ସୁଡ଼ୁ କରି ଚାହା ପାଇପାରିବ ନାହିଁ, ଚାହାପାଇଁ ଚିନି ନାହିଁ...ସେ ହାଡ଼ୁଆ ମରଦ ଘରେ କବାଟ କିଳି ଶୋଇବ, କୁକୁରମାନେ ଫେରିଯିବେ... ବାମପନ୍ଥୀ ଲୁଚିଲୁଚି ବୁଲିବ । ବନ୍ଧୁକୁ ଦେଖିଲେ ତା ମୁହଁ ପ୍ରକୃତରେ ଝାଳେଇବ...ଧଳା ଟୋପି ମଇଳା ହୋଇଯିବ, ହୁଏତ ନର୍ଦ୍ଦମାରେ ଖସିପଡ଼ିବ...ବଜାରି ଅଶ୍ଳୀଳ କଥା କହିପାରିବ ନାହିଁ । ତୁଚ୍ଛାଟାକୁ ବିଡ଼ି ବିଡ଼ି ହେବ...ଫାପୁଲା ମୁହଁର ଭୋକ ମରିଯିବ...)-। ଅସମ୍ଭବ ! ମୁଁ ତା ହେବାକୁ ଦେବି ନାହିଁ ।

 

‘‘ମୁଁ କର୍ତ୍ତୃପକ୍ଷ ନୁହେଁ, ସରକାର ନୁହେଁ, ଭିନ୍ନ ନୁହେଁ, ମୁଁ ମଧ୍ୟ ମଣିଷ । ମୁଁ ଆପଣମାନଙ୍କୁ ଜାଣେ, ଭଲଭାବରେ ଜାଣେ, ଭଲ ପାଏ...’’

 

ଏଇଠି ମିଷ୍ଟର ନାୟକ ଝୁଣ୍ଟିଲେ । ସମ୍ମୁଖକୁ ଚାହିଁ ତାଙ୍କର ମନେହେଲା ଯେ ଜନତା କେବଳ ଆଗ୍ରହୀ ନୁହେଁ, ଲୁଲୁବ୍‍ଧ । ଯେତିକି କଥା କହିବାକୁ ଅଛି, ତା ବୋଧହୁଏ ଅଣ୍ଟିବ ନାହିଁ । ତା’ପରେ ?

 

ଯାହାହେଉ ସେ କ୍ଷଣକରେ ନିଜକୁ ସୁଧାରି ନେଲେ । ସଳିତାକୁ ତେଜିଦେଲା ପରି ତାଙ୍କ ପରବର୍ତ୍ତୀ କଥାଗୁଡ଼ିକୁ ନଚାଇ ଦେଲେ–

 

‘‘ଆସନ୍ତୁ ପ୍ରେସିଡେଣ୍ଟ ସାହେବ ।

 

‘‘ଆସନ୍ତୁ ସେକ୍ରେଟେରୀ ସାହେବ ।

 

‘‘ଆଣନ୍ତୁ ଆପଣଙ୍କ ଦାବିପତ୍ର । ମୁଁ ଗୋଟି ଗୋଟି କରି ଦେଖିବି । ଦେଖିବି କାହାର ସାଧ୍ୟ ଅଛି ତାକୁ ଟାଳି ଦେବ । ଦରକାର ହେଲେ ମୁଁ ନିଜେ ଦିଲ୍ଲୀ ଯିବି । ଦିଲ୍ଲୀ କାହିଁକି, ଲଣ୍ଡନ ଯିବି, ଓ୍ୱାସିଙ୍ଗ୍‍ଟନ ଯିବି, ମସ୍କୋ ଯିବି । ବୁଝାଇ ଆସିବି ଯେ ଆମ ଦେଶର କର୍ମୀ କେଉଁଥିରେ ଊଣା ନୁହନ୍ତି, ତାଙ୍କୁ କେଉଁଥିରେ ଊଣା କରିବାର ନୁହେଁ ।’’

 

ସହସା କରତାଳି ବାଜି ଉଠିଲା । ଡାଇରେକ୍‍ଟରଙ୍କ କାମରା ଏ ମୁଣ୍ଡରୁ ସେ ମୁଣ୍ଡଯାଏଁ କମ୍ପିତ ହେଲା ଏବଂ ମିଷ୍ଟର ନାୟକ ଥମିଗଲେ ।

 

ଏଥର ମିଷ୍ଟର ନାୟକ ବେଶ୍‍ କିଛି ସମୟ ରହିଗଲେ । ଏମାନେ ତାଳି ମାରିଲେ । ମୋ କଥାରେ ତାଳି ମାରିଲେ । ସତେ କି ମୁଁ ତାଙ୍କରି ଦଳର ଲୋକ, ଦଳପତି, ବଡ଼ପଣ୍ଡା ! କାଲି ସକାଳେ ମୋତେ ତାଙ୍କ ସାଙ୍ଗରେ ପତାକା ଧରିବାକୁ କହିବେ, ଇନ୍‍କିଲାବର ଡାକ ଛାଡ଼ିବାକୁ କହିବେ !!

 

ହେଉ–କ୍ଷତି କଅଣ ? ମୁଁ କ’ଣ ଏଇୟା ଚାହିଁ ନ ଥିଲି ?

 

ନା ମୁଁ ମୋ ଚାକିରିକୁ ଡରିଛି ? ଚାକିରି ଚାଲିଗଲେ ମୋ ପେଟ ଅପୋଷା ରହିବ ନାହିଁ-। ପିଲାଏ ହୁଏତ ଟିକିଏ କଷ୍ଟ ପାଇବେ । ପାଇଲେ ପାଇବେ,–କ’ଣ କରାଯିବ ? ତା’ ବୋଲି ମୁଁ ପଛଘୁଞ୍ଚା ଦେବି ନାହିଁ । ଯାହା କହିବାକୁ ଠିକ୍‍ କରିଛି, ନିଶ୍ଚୟ କହିବି ।

 

ନିଶ୍ଚୟ । ନିଶ୍ଚୟ । ମିଷ୍ଟର ନାୟକ ନିଜର ସଂକଳ୍ପକୁ ଦୋହରାଇଲେ । କିନ୍ତୁ ଏକା ସାଙ୍ଗରେ ହସିବାକୁ ଓ କାନ୍ଦିବାକୁ ଇଚ୍ଛା ହେଲା । ଯେପରିକି ସେ କିଛି ପାଇବାକୁ ବସିଛନ୍ତି ଯାହା ସେ କେବେହେଲେ ପାଇବେ ବୋଲି ଆଶା କରି ନ ଥିଲେ, ଓ କିଛି ଛାଡ଼ି ଦେବାକୁ ଯାଉଛନ୍ତି ଯାହା ଆଜିଯାଏଁ ତାଙ୍କ ଜୀବନକୁ ଆବୁରି ଧରିଥିଲା ।

 

ଏହି ଆନ୍ଦୋଳନକୁ ଅତିକ୍ରମ କରି ମିଷ୍ଟର ନାୟକ ପୁଣି କଥାର ଖିଅ ଧରିଲେ–

 

‘‘ମୋତେ ଆପଣମାନେ ସାହାଯ୍ୟ କରନ୍ତୁ । ମୁଁ ଏକା ପାରିବି ନାହିଁ । ମୋତେ କୁହନ୍ତୁ କେଉଁଟାକୁ ଆଗେ ଧରିବି । ବୋନ୍‍ସ ? ଚିକିତ୍ସା ଭତ୍ତା ? ଲିଭ୍‍ ରୁଲସ ? ନା ଆଉ କିଛି ? ଯାହା କହିବେ ସେଇୟା କରିବି । ତା’ପରେ ଆମେ ଏକାଠି ବସିବା, ଆଲୋଚନା କରିବା, ଉପାୟ ଠିକ୍‍ ହେଲା ପରେ ମୁଁ ନିଜେ ତା’ର ଦାୟିତ୍ୱ ନେବି । ଦେଖିବି ଯେ ଅଡ଼ର କରା ହେବ, ଟଙ୍କା ଆସିବ । ଯଦି ନ ହୁଏ, ତାହା ହେଲେ ମୁଁ–ମୁଁ– ।

 

‘‘ମୋତେ ଆପଣମାନେ ସାହାଯ୍ୟ କରନ୍ତୁ ।’’

 

ଯଦି ନ ହୁଏ ତାହାହେଲେ ମିଷ୍ଟର ନାୟକ କ’ଣ କରିବେ ତାହା ସ୍ପଷ୍ଟ ହେଲାନାହିଁ । କିନ୍ତୁ ତାଙ୍କର ପେଲବ-ପ୍ରବୀଣ ମୁହଁ ସକରୁଣ ହେଲା । ସେ ନିଜେ ତା’ର ମଧୁରତା ଅନୁଭବ କଲେ-। ଅନୁଭବ କଲେ ଯେ ସେ ପ୍ରକୃତରେ ଆଉ କିଛି କହି ପାରିବେ ନାହିଁ । ସେ ଭଲ ପାଇବାର ସେହି ଅବସ୍ଥାରେ ପହଞ୍ଚିଲେଣି ଯେତେବେଳେ ଆଉ କିଛି କହି ହୁଏନାହିଁ । ନିଜକୁ ସଁପି ଦେବାକୁ ଇଚ୍ଛା ହୁଏ । –ଏଥର ମୁଁ ତୁମର । ଯାହା କହିବ କୁହ । ଯାହା କରିବ କର ।

 

କିନ୍ତୁ ତାଙ୍କ ମନରେ ଏକ କ୍ଷୀଣ ସନ୍ଦେହର ଛାଇ ପଡ଼ିଲା । ଏ ମୋର ଦୁର୍ବଳତା ନୁହେଁ ତ ? ହାରି ଯିବାର ସରିଯିବାର ଲକ୍ଷଣ ନୁହେଁ ତ ?

 

ଏହି ସମୟରେ ଫାପୁଲା ମୁହାଁର ସୁମିଷ୍ଟ ‘ସାର୍‍’ ବା ସେହିପରି କୌଣସି ଧ୍ୱନି ନିର୍ଗତ ହେଲା । ମିଷ୍ଟର ନାୟକ ତା’ଆଡ଼କୁ ଚାହିଁଲେ, ପରେ ପରେ ଅନ୍ୟମାନଙ୍କୁ ଚାହିଁଲେ । ଏବଂ ତାଙ୍କର ଧାରଣା ହେଲା ଯେ ପ୍ରିୟଜନଗଣ ଆହୁରି ପାଖେଇ ଆସୁଛନ୍ତି । ଅବଶ୍ୟ ଆହୁରି ପାଖେଇ ଆସିବାକୁ ତିଳେ ହେଲେ ଜାଗା ନାହିଁ, ତେଣୁ ସ୍ଥାନଚ୍ୟୁତି ଘଟି ନାହିଁ । କିନ୍ତୁ ମୁହଁଗୁଡ଼ିକ ଲାଗି ଆସିଲା ପରି ମନେ ହେଉଛି । ଅତିଲୋଭୀ ମୁହଁ–ଆଖି, ଓଠ, ନାକପୁଡ଼ା । ଯେମିତିକି ଏମାନେ ଶେଷ ଜିନିଷଟିକୁ ଲୋଭେଇଲେଣି । ପାନୀୟ ଛାଡ଼ି ପାନପାତ୍ରକୁ ଚାହିଁଲେଣି ।

 

ସତେ କି ଏମାନେ ମୋତେ ଚୁମ୍ୱନ କରିବେ ?

 

ଅଦ୍‍ଭୁତ ଆଶଙ୍କା । ମସ୍ତିଷ୍କ ବିକୃତି । ଏହି ଭାବରେ ମିଷ୍ଟର୍‍ ନାୟକ ନିଜକୁ ତିରସ୍କାର କଲେ । କିନ୍ତୁ ତାଙ୍କର ଦେହ ଶିହରି ଉଠିଲା । ତାଙ୍କ କାନରେ କିଏ ବାରମ୍ୱାର କହିଲା ପରି ଲାଗିଲା,–ଏଇ ହେଉଛି ଘେରାଉ, ଘେରାଉର ଶେଷ କଥା । ଏଥର ? ସେ ପୁଣି ଅଣ୍ଟା ଭିଡ଼ିଲେ, କିଛି କହିବେ ବୋଲି ଗଳା ସଫା କଲେ । ହେଲେ ବଳ ପାଇଲା ନାହିଁ । ଆଉ କିଛି କହିବାର ନାହିଁ-। ମୁଁ ଅନେକ ଦୂରକୁ ଚାଲି ଆସିଲିଣି । ଯାହା ହେବାର ହେବ ।

 

ମିଷ୍ଟର୍‍ ନାୟକ ନୀରବ ରହିଲେ । କିନ୍ତୁ ତାଙ୍କ ଭୟର ମାତ୍ରା ଅଧିକରୁ ଅଧିକତର ହେଲା । ଚାକିରି ଚାଲିଯିବାର ଭୟ ନୁହେଁ । ନିର୍ଯ୍ୟାତନାର ଭୟ ନୁହେଁ । ଭୟର କାରଣ ସେହି,–ଚୁମ୍ୱନ । ଅର୍ଥାତ୍‍ ସଂଯୋଗ, ସମ୍ମିଶ୍ରଣ-। ମୁଁ ଟାଣି ହୋଇ ଯାଉଛି । ଆଉ ରକ୍ଷାନାହିଁ ।

 

ମୁଁ ସେମାନଙ୍କୁ କହିଛି–ଭଲ ପାଇଛି । ସତ କଥା । ତା’ର ପରିଣତି ଆଉ କଅଣ ହୁଅନ୍ତା ?

 

କିନ୍ତୁ–କିନ୍ତୁ– । ଇଲା । ସକାଳ ଚା’ର ଲୀଳାୟିତ ଧୂଆଁ । ମାତ୍ର ସରୁ ଗାର ଗୋଟିଏ ଯୋଡ଼ିଏ । ତା’ ସାଙ୍ଗକୁ ସରସ ଉଡ଼ି ବୁଲୁଥିବା ଗପ । ଏ ମାଳୀଟା କାମକୁ ଧପଉଛି...ଏ ଚା’ ଗୁଡ଼ାକରେ ଫ୍ଲେଭର୍‍ ନାହିଁ, ମିସେସ୍‍ ମାଲ୍‍କାନୀ କହୁଥିଲେ ତାଙ୍କ ମିଲିଟାରୀ କ୍ୟାଣ୍ଟିନ୍‍ରୁ ଶସ୍ତାରେ ଲପ୍‍ଚୁ ଚା’ ଅଣେଇ ଦେବେ...ଚାଇନା କଅଣ ସତରେ ଯୁଦ୍ଧ କରିବ ?...କାଲି ରାତିଠୁଁ ଦେହଟା କସ୍‍ମସ୍‍ ଲାଗୁଛି । କାଲି ରାତିରେ କ’ଣ ହୋଇଥିଲା ମନେପଡ଼ୁଛି, ପଡ଼ୁନାହିଁ, ମନେ ପକାଇବାକୁ ଇଚ୍ଛା ହେଉନାହିଁ । ସ୍କାଇ ଲାଇଟ୍‍ କି କେଉଁଠୁ ଝାପ୍‍ସା ଆଲୁଅ ଆସି ଯୋଡ଼ାଦେହ ଉପରେ ପଡ଼ୁଥାଏ, ଭଲ ଦିଶୁ ନଥାଏ । ତା’ ପରେ ଇଲା ଘଣ୍ଟାଏ ଧୋଇପୋଛି ହେଲା, ସବୁଥର ପରି ଇଲା ମଇଳା ଅସନାକୁ ଘୃଣା କରେ * * ବଡ଼ଝିଅ ପ୍ରୀତିର କଲେଜ ଫେରନ୍ତା ଗପ । ବାପା, ଇଣ୍ଡିଆ ଏତେ ପୁଅର୍‍ ନ ହେଲେ କ’ଣ ଚଳନ୍ତା ନାହିଁ ? ପିଲାଟାର ହୃଦୟ ଅଛି । ଆଉ କାହାର ଝିଅ ଏମିତି ଭାବି ପାରିବ ନାହିଁ । * * ବଡ଼ପୁଅ ପ୍ରେମ୍‍ । କ’ଣ ଖଣ୍ଡେ ବହି ଧରିଥିଲା, ମୋତେ ଦେଖି ଲୁଚେଇ ପକାଇଲା । ପଚାରିଲାରୁ କହିଲା–ଏକ୍‍ଜିଷ୍ଟେନ୍‍ସିଆଲିଜ୍‍ମ୍‍ । ତା’ ମୁଣ୍ଡରେ ବଡ଼ବଡ଼ କଥା ଖେଳେ-। କିନ୍ତୁ ବହିଟାକୁ ଲୁଚେଇଲା କାହିଁକି ? * * ବନ୍ଧୁମାନେ । ସଞ୍ଜୁଆ ଗପ । ଶୁଣିଛନ୍ତି ? ନ୍ୟାସ୍‍ନାଲ୍‍ କେମିକାଲ୍‍ସ୍‍ରେ ଘେରାଉ । ଏ ଗଭର୍ଣ୍ଣମେଣ୍ଟର କିଛି ଗୋଟାଏ ପଲିସି ନାହିଁ,–ହେବ କଅଣ-? ବନ୍ଧୁପତ୍ନୀ ମିସେସ୍‍ ଦଲାଲ୍‍ ଯୋଡ଼ିଦେଲେ,–ଅସଲ ହେଉଛି ଡିସିପ୍ଳିନ୍‍ । ଦେଶରୁ ଡିସିପ୍ଳିନ୍‍ ଚାଲିଗଲାଣି । ମିସେସ୍‍ ଦଲାଲ୍‍ଙ୍କର ପେଟ ବାହାରିଛି ସିନା, କିନ୍ତୁ ତାଙ୍କର ଖୋଲା ପିଠି ଗୋରା ସୁନ୍ଦର ।

 

ସେମାନେ କଅଣ ଭାବିବେ ? ମୁଁ ତାଙ୍କୁ କଅଣ କହିବି ? ନା, ନା–ମୁଁ ପାରିବି ନାହିଁ । ମୋତେ କ୍ଷମାକର । ମୁଁ ତାଙ୍କରି ଭିତରୁ ଜଣେ । ମୁଁ ତୁମ୍ଭମାନଙ୍କୁ ଭଲପାଏ, ହଜାରବାର ଭଲପାଏ, କିନ୍ତୁ ମୋତେ ଚୁମ୍ୱନ ଦିଅ ନାହିଁ, ତୁମ ଭିତରକୁ ଟାଣି ନିଅ ନାହିଁ । ମୁଁ ପାରିବି ନାହିଁ ।

 

ମୋତେ ମାଟିରେ ପାଦ ଲଗାଇବାକୁ ଭଲଲାଗେ । କିନ୍ତୁ ମାଟି ତାତେ ଓ ହେମାଳ ହୁଏ-। ଗୋଡ଼ ଛଟପଟ ହୋଇ ନାଚିବାକୁ ପଡ଼େ । ମୁଁ ସେ ଆନନ୍ଦ ନୃତ୍ୟ କରି ପାରିବି ନାହିଁ, ପାରିବି ନାହିଁ ।

 

ମୁଁ ପାରିଥାଆନ୍ତି । ଯେବେ ମୁଁ ଶ୍ୱଶୁରଙ୍କ ଲାଇବ୍ରେରୀ ଘରେ ଇଲାର ହାତ ଧରି ଇନ୍‍କିଲାବ୍‍ କହିଥିଲି । ହେଲେ ଏହିକ୍ଷଣି କିଏ ପାରିବ ? ଇଲା ପାରିବ ? ମୋର ଭାଇ ବନ୍ଧୁ କୁଟୁମ୍ୱ କେହି ପାରିବେ ? ତାହାହେଲେ ମୋରି ମୁଣ୍ଡରେ କ’ଣ ଶିକା ଛିଣ୍ଡିଛି ?

 

କିନ୍ତୁ ମୁଁ ଏମାନଙ୍କୁ ଅନେକ କଥା କହିଛି । ଦେଇଛି । ଫେରି ଆସିବି କେମିତି ? ଏଇ ଦେଖୁନା, ସେହି ବାମପନ୍ଥୀ କେମିତି ଚାହିଁଛି । ବାମପନ୍ଥୀ ପରି ଦିଶୁନାହିଁ, ମୁହଁ ପୋଛୁ ନାହିଁ । ଭୁଲି ଯାଇଥିବା ମାଆକୁ ଦେଖିଲା ପରି ମନେ ହେଉଛି । ଆଉ ସେହି ବାବୁରିବାଳ ବଜାରି–, ସେ ଏମିତି ଆହ୍ଲାଦରେ ହାତ ମଳୁଛି କାହିଁକି ? ସତେ କି ମୋତେ ଦୋସ୍ତ ବୋଲି ଡାକି ନେବ କେଉଁ ବଜାରଗଳିକୁ, ଓ ତା’ର ନୂଆ ପ୍ରେମିକା ସାଙ୍ଗରେ ଚିହ୍ନା କରାଇ ଦେବ !

 

ଓଃ ! ମୁଁ କେମିତି ଫେରି ଆସିବି ? କ’ଣ କରିବି ? ମିଷ୍ଟର ନାୟକ ଗଭୀର ଅବସାଦରେ ଡୁବିଗଲେ । କ୍ଷଣେ କ୍ଷଣେ ଆଖି ବୁଜିଲେ ଓ ଖୋଲିଲେ ଏବଂ ଦୃଷ୍ଟି ତଳକୁ କଲେ ।

 

ଯାହାହେଉ ଅଧିକ ବିଳମ୍ୱ ହେବା ଆଗରୁ ସେ ନିଜର ଭୟକୁ ଜିଣି ପାରିଲେ । କାଇଁକିନା ଆସି ପହଞ୍ଚିଗଲା କୋଟେସନ୍‍–ଆଉ କେତେ ସମୟ ଆତ୍ମଗୋପନ କରି ରହିଥାଆନ୍ତା-? ଏଥର ସଂସ୍କୃତ । ଭଗବଦ୍‍ ଗୀତା ‘‘କୁତସ୍ତ୍ୱାଂ କଶ୍ମଳ ମିଦଂ ବିଷମେ ସମୁପସ୍ଥିତଂ, ଅନାର୍ଯ୍ୟଜୁଷ୍ଟମ ସ୍ୱର୍ଗ ଅକୀର୍ତ୍ତିକରମର୍ଜୁନ ।’’

 

ମିଷ୍ଟର ନାୟକ ପାଟି ଫିଟାଇଲେ । ତେବେ ସେ ଗୀତାର ଅର୍ଜୁନଙ୍କ ପରି ଦେଖା ନ ଯାଇ ଗୋପପୁରର ଶ୍ରୀକୃଷ୍ଣଙ୍କ ପରି ଦେଖାଗଲେ । ସେହି ପୁରୁଣା ସ୍ମିତହାସ, ସେହି ସୌମ୍ୟ ବଦନ-। ପୁଣି ସେହି ପ୍ରଲମ୍ୱିତ ଚାହାଣି, ପଲ୍ଲବିତ ଓଠ, ଯାହାକୁ ଦେଖିଲେ ମନେ ହେବ ଯେ କୋଟେସନ ଆସୁଛି, ଏଇ ଆସୁଛି । କିନ୍ତୁ ସର୍ବୋପରି ଏକ ଅଭିନବ ଆମୋଦ ଖେଳି ବୁଲୁଥିବାର ଜଣାଗଲା ।

 

ମିଷ୍ଟର ନାୟକ ପୂର୍ବରୁ କହିଥିବା କଥାଗୁଡ଼ିକ ମନେ ପକାଇଗଲେ, ବିଚକ୍ଷଣ ଅଫିସର ପରି ତା’ର ସାରାଂଶକୁ ପରଖି ନେଲେ ଓ ଦେଖିଲେ ଯେ ଠିକ୍‍ ଅଛି । ସବୁ ଠିକ୍‍ ଅଛି । ଶବ୍ଦ ଓ ବାକ୍ୟରେ କିଛି ଯାଏ ଆସେ ନାହିଁ । ତା’ର ମଙ୍ଗ ମୋଡ଼ିଦେଇ ହେବ । ନୂଆ ଅର୍ଥ କରିହେବ । କହିବାରୁ କରିବାଯାଏଁ, ସ୍ଥିତିରୁ ବିପ୍ଳବ ଯାଏଁ କେତେ କନ୍‍ଫରେନ୍‍ସ, କେତେ ଘେରାଉ, କେତେ ବୁଝାମଣା । ରମାବଲ୍ଲଭ ନାୟକ ଶେଷ ପର୍ଯ୍ୟନ୍ତ ନ ଥିବ, କୈଫିୟତ ଦବାକୁ ନ ଥିବ । କେବଳ ଦେଖ ବର୍ତ୍ତମାନର ମନୋରଞ୍ଜକ ଦୃଶ୍ୟ,–

 

କର୍ତ୍ତୃପକ୍ଷ ଜିଣିଛି । ସେମାନେ ହାରିଛନ୍ତି, ଅଥଚ ଭଲ ପାଉଛନ୍ତି ।

 

ଏହି ହେଲା ଆମୋଦର ତଥ୍ୟ । ଏହି ହେଲା ତାଙ୍କ ବେପରୁଆ ପଣ ଅର୍ଥାତ୍‍ ଆତ୍ମବିଶ୍ୱାସର ମଞ୍ଜି । ଏହିଭାବରେ ସେ ତାହାପରେ ଲଗାମ୍‍ ଛାଡ଼ିଦେଲେ, (ପ୍ରେମରେ) ସେମାନଙ୍କୁ ଖତେଇ ହେଲେ, ଚିମୁଟିଲେ, ଗେହ୍ଲେଇ ହେଲେ । ପୁଣି ଯଥା ସ୍ଥାନରେ କୋଟେସନ୍‍ଗୁଡ଼ିକ ଯୋଖିଦେଲେ,–

 

‘‘Life is made up of sobs, sniffles, and smiles, with sniffles predominating’’ (ଜୀବନ କୋହ, ସୁଁ ସୁଁ ଓ ହସକୁ ନେଇ ଗଢ଼ା, ସୁଁ ସୁଁ ହିଁ ସର୍ବପ୍ରଧାନ ।) –ଓ ହେନ୍‍ରୀ ।

 

‘‘There are two tragedies in life. One is not to get your heart’s desire. The other is to get it’’.(ଜୀବନରେ ଯୋଡ଼ିଏ ଟ୍ରାଜେଡ଼ି । ଗୋଟିଏ ହେଉଛି ହୃଦୟର କାମନାକୁ ଝୁରିବା, ଅନ୍ୟଟି ତାକୁ ପାଇବା ।) –ବର୍ଣ୍ଣାଡ଼୍‍ଶ’ ।

 

‘‘Trifles make perfection, and perfection is not a trifle;(ଛୋଟ କଥାଗୁଡ଼ିକ ନେଇ ପୂର୍ଣ୍ଣତା ଆସେ, ପୂର୍ଣ୍ଣତା ଛୋଟ କଥା ନୁହେଁ ।) –ମାଇକେଲ୍‍ ଆଞ୍ଜେଲୋ । ଇତ୍ୟାଦି ଇତ୍ୟାଦି... ।

 

ଜ୍ଞାନୀ ବୁଝିଥାଆନ୍ତା ଯେ ଏ ବାଜେ ଗପ ନୁହେଁ, ଜୀବନର ରହସ୍ୟ । କଳା ଓ ଧଳା ମଧ୍ୟରେ ପାର୍ଥକ୍ୟ ନାହିଁ । ଦାବୀ ପୂରଣ ଓ ଦାବୀ ଦଳନ, ଆରୋହଣ ଓ ଅବରୋହଣ ଏକା ଧାତୁରେ ଗଢ଼ା । କିନ୍ତୁ ସେମାନେ ମନେକଲେ ଯେ ଏ ହେଉଛି ପ୍ରେମର ଉପଚାର । ସେମାନେ ଆହ୍ଲାଦିତ ହେଲେ, କେତେମତେ ଓ ପାରୁପରିଯନ୍ତେ ହସିଲେ । କାହିଁକି ନ ହସିବେ ? ପ୍ରେମରେ କ’ଣ କେବଳ ଗଭୀରତା ଅଛି, ଲଘୁତା ନାହିଁ ? କାବ୍ୟ ଅଛି, କଉତୁକ ନାହିଁ ?

 

ନିଜେ ଜନତାର ମହାମେରୁ ପ୍ରେସିଡେଣ୍ଟ୍ ସତ୍ୟବ୍ରତ ସିଂ ମୃଦୁମୃଦୁ ହସିଲେ । ଏବଂ ଅନ୍ୟମାନଙ୍କଆଡ଼କୁ ଚାହିଁ ଜଣାଇଦେଲେ ଯେ ସେ ପ୍ରେସିଡେଣ୍ଟ୍ ହେଲେ ମଧ୍ୟ ମଣିଷ ।

 

ଚାଟର୍ସ୍‍ ଅଫ୍‍ ଡିମାଣ୍ଡସ୍‍ର ଫର୍ଦ୍ଦ ଗୁଡ଼େଇ ହୋଇ ଯାଇଥିଲା । ହୁଏତ ବିସ୍ମୃତ ହୋଇ ରହିଯାଇ ଥାଆନ୍ତା । କିନ୍ତୁ ଜଣେ ତାକୁ ମନେପକାଇଦେଲା । ସେହି ଢଳଢଳ ନାଲି ଆଖି, କୋମଳାଙ୍ଗ ତରୁଣ । ତା’ର କ’ଣହେଲା କେଜାଣି ସେ ପ୍ରେସିଡେଣ୍ଟଙ୍କ ହାତକୁ ଧରିପକାଇଲା, ଓ ତୀବ୍ରକରୁଣ କଣ୍ଠରେ କହିଲା, ‘‘ଆଜ୍ଞା ସେ ପାଇଖାନା କଥା କିଛି କରନ୍ତୁ !’’ ଯେପରିକି ସେ ଚାହେଁ ଯେ ଚାଟର୍ସ ଅଫ୍‍ ଡିମାଣ୍ଡସ୍‍ର ଅନ୍ତତଃ ଏତିକ ଉଦ୍ଧାର କରିନେବ, ତା’ ସ୍ତ୍ରୀକୁ କହିବ ।

 

ମିଷ୍ଟର୍‍ ନାୟକ ଓ ୟୁନିଅନ୍‍ର ପ୍ରେସିଡେଣ୍ଟ୍ ଏକାଠି ହସି ଉଠିଲେ । ତା’ପରେ ମିଷ୍ଟର୍‍ ନାୟକ ତତ୍ପରତାର ଭଙ୍ଗୀରେ ବେଲ୍‍ ବଜାଇଲେ, କହିଲେ ‘‘ନିଶ୍ଚୟ, ନିଶ୍ଚୟ । କେଉଁଆଡ଼କୁ ହେଲେ ଆରମ୍ଭ କରିବାକୁ ହେବ ।’’

 

ଷ୍ଟେନୋ ଆସିଲା ଓ ଡିକ୍‍ଟେସନ୍‍ ନେଲା । –ଡିରେକ୍‍ଟରଙ୍କ ଆଦେଶ । ଦୁଇଦିନ ମଧ୍ୟରେ ପାଣି ଗଳିବା ବନ୍ଦ ହେବ, ଦୁର୍ଗନ୍ଧ ଦୂରୀଭୂତ ହେବ ।

 

ଏହିପରି ଭାବରେ ସେ ଦିନ ଘେରାଉ ସଂପନ୍ନ ହେଲା, ଚାଟର୍ସ୍‍ ଅଫ୍‍ ଡିମାଣ୍ଡସ୍‍ ପୂରଣ କରିବାରେ ଶୁଭ ଦିଆଗଲା, କର୍ତ୍ତୃପକ୍ଷ ଓ ଜନତା ହାତ ମିଳାଇ ପରସ୍ପରଠାରୁ ବିଦାୟ ନେଲେ ।

 

ସେମାନେ ଚାଲିଗଲା ପରେ ମିଷ୍ଟର ନାୟକ ଚଉକିକୁ ଆଉଜି ଗଲେ । ବର୍ଷା ଛାଡ଼ି ଯାଇଥିଲା । ଅସାରସିକ୍ତ ଶୀତ ପବନ ତାଙ୍କ ପାଖକୁ ଆସିଥିଲା ଓ ତାଙ୍କ କପୋଳ ଛୁଉଁଥିଲା ।

 

ମିଷ୍ଟର ନାୟକ ଶ୍ରାନ୍ତିପୋଛା ଶାନ୍ତି ଅନୁଭବ କଲେ । ଉପଭୋଗ କଲେ । ଉପଭୋଗରେ କିଛି ବାରିବାକୁ ନ ଥାଆନ୍ତା, କିନ୍ତୁ ଦୁଃଖର ବିଷୟ ତାଙ୍କ ଆଖିରେ ପଡ଼ିଲା ଯେ ନିତ୍ୟାନନ୍ଦ ନାୟକ ବର୍ତ୍ତମାନ ସୁଦ୍ଧା ଖାଲି ଘରେ ବସି ରହିଛନ୍ତି ଓ ଦାନ୍ତ ନିକୁଟୁଛନ୍ତି । କେବଳ ସେତିକି ନୁହେଁ ସେ ତୋଷାମଦ ଆରମ୍ଭ କଲେ,–

 

‘‘ଆପଣ ବୋଲି ଅବସ୍ଥାକୁ ସମ୍ଭାଳିନେଲେ । ବେଶ୍‍ କୌଶଳରେ ସମ୍ଭାଳିନେଲେ । ଆଉ କେହି ହୋଇଥିଲେ–’’

 

ସେହିଠୁ ମିଷ୍ଟର୍‍ ନାୟକଙ୍କ ମନରେ ଗ୍ଳାନି ଆସିଲା ଏବଂ ସେ ଗ୍ଳାନିର ପାତ୍ର ରୂପେ ନିତ୍ୟାନନ୍ଦ ବାବୁଙ୍କ ଆଡ଼କୁ ମନେମନେ ତର୍ଜନୀ ଦେଖାଇଲେ,–ଏହି ଲୋକ । ଏମିତିକା ଲୋକ । ଏମାନେ ଅନୂଢ଼ା କୁମାରୀକୁ ଭୁଲେଇ ଦିଅନ୍ତି, ପ୍ରେମର ବଡ଼ବଡ଼ କଥା କହି ନିଛାଟିଆ ପୋଖରୀ କୂଳକୁ ଟାଣି ଆଣନ୍ତି ଓ ତା’ ପରେ ବିଜୟ ହାସଲ କରନ୍ତି । ରେପ୍‍ କରନ୍ତି । ରେପ୍‍ । ରେପ୍‍ !

 

ମନ୍ଦ ମଧୁର ପବନ ତଥାପି ବହି ଆସୁଥିଲା । ମିଷ୍ଟର୍‍ ନାୟକଙ୍କ ଅନୁଭୂତିରେ ଆସିଲା ଯେ ନାରୀ ଧର୍ଷଣ ପରେ ଆକାଶରୁ ଯେଉଁ ପବନ ବହେ, ତାହା ବୋଧହୁଏ ଏମିତି ଲାଗେ ।

Image

 

ଗୋଟିଏ ଲାଲ୍‍ ସଂଧ୍ୟା

 

‘‘ରହନ୍ତୁ ।’’

 

‘‘ଆସନ୍ତୁ । ମୁଁ ଅଛି । ଡରିବାର କୌଣସି କାରଣ ନାହିଁ ।’’

 

‘‘ନା–ନା–ଡରିବାର ପ୍ରଶ୍ନ ଉଠୁ ନାହିଁ । ମୋର ଜୋତାଫିତା ଖୋଲି ଯାଇଛି କି ନା–’’

 

‘‘ଠିକ୍‍ ଅଛି । ବାନ୍ଧି ନିଅନ୍ତୁ ।’’ ଏହା କହି ସେ ଛିଡ଼ା ହୋଇ ରହିଲେ ।

 

ପ୍ରକୃତରେ ଜୋତାଟା ମୋ ଗୋଡ଼କୁ କାଟୁଥିଲା । ମୁଁ ସେକଥା ନ କହି ଫିତା ଖୋଲି ଯାଇଛି ବୋଲି କାହିଁକି କହିଲି କେଜାଣି ! ଯାହାହେଉ ମୁଁ ଜୋତାଫିତା ଖୋଲିକରି ବାନ୍ଧିଲି ଓ ତାଙ୍କ ସୁଟ୍‍ ପିନ୍ଧା ସଳଖଠାଣିର ପଛଆଡ଼କୁ ଚାହିଁ ବିଡ଼ିବିଡ଼ି ହେଲି,–ଡ୍ୟାମ୍‍...ମଣିଷ ଆଗରୁ ଜାଣିଥିଲେ...

 

ଏହି ସମୟରେ ପୁଣି ଗୋଟାଏ ‘‘ଗୁଡୁମ୍‍’’ର ଶବ୍‍ଦ ଶୁଭିଲା ଏବଂ ଗୁଡ଼ାଏ ଲୋକ ମାଡ଼ି ଆସୁଥିବାର କୋଳାହଳ ତୀବ୍ରତର ହେଲା । ମୁଁ ତରତର ହୋଇ ଆଗେଇ ଗଲା ବେଳକୁ ଫୁଟ୍‍ପାଥ୍‍ ମଝିରେ ଥିବା ଗୋଟାଏ ଟୋକେଇରେ ଧକ୍‍କା ଲାଗି ଝୁଣ୍ଟି ପଡ଼ିଲି । ଟୋକେଇଟାଏ ଏତିକିବେଳେ କ’ଣ କରୁଛି ? ସେ ମୋଆଡ଼କୁ ବୁଲିପଡ଼ି ଅନାଇଲେ, ଓ ମୋର ଅନୁମାନ ଭୁଲ୍‍ ବୋଲି ପ୍ରମାଣିତ କଲେ । ଅର୍ଥାତ୍‍ ମୁଁ ତାଙ୍କ ଓଠରେ ବକ୍ରହସ ବା କୌଣସି ପ୍ରକାରର ହସ ଲାଖି ଥିବାର ଦେଖିଲି ନାହିଁ । ଉପରନ୍ତୁ ସେ ଭଦ୍ର ବିନୀତ ଭଙ୍ଗୀରେ କହିଲେ, ‘‘ଆଇ ଆମ୍‍ ସରି । ଆଉ ବେଶି ଦୂର ନାହିଁ-। ଏଇ ଯେଉଁ ବାଟା ଦୋକାନ ଦିଶୁଛି, ତାରି ମୋଡ଼ରେ ମୋ କାର୍‍ ଅପେକ୍ଷା କରିଛି ।’’

 

ତମେ ତ କଲିକତାର ପୋକ ହୋଇଗଲଣି । ତମକୁ କାହିଁକି କିଛି ଲାଗିବ ? ଅବଶ୍ୟ ମୁଁ ଯଦି ଆଗରୁ ଜାଣିଥାଆନ୍ତି ଏତେ ହୀନସ୍ତା ହେବାକୁ ପଡ଼ି ନ ଥାଆନ୍ତା । ଏହି ମର୍ମରେ ନିଜକୁ ପ୍ରବୋଧନା ଦେଇ ମୁଁ ତାଙ୍କ ପାଖକୁ ଲାଗି ଆସିଲି ଓ ତାଙ୍କର ପ୍ରଚ୍ଛନ୍ନ ଦାମ୍ଭିକତା ସହିତ ପାଦ ମିଳାଇଲି ।

 

ବାଟା ଦୋକାନ ମୋଡ଼ ନିହାତି ନିଛାଟିଆ ଦିଶୁଛି । ପ୍ରତି ଦୋକାନରେ ତାଟି ପଡ଼ିଛି । ନିବୁଜ କାନ୍ଥ କବାଟରୁ କିଛି ହେଲେ ଝୁଲୁ ନାହିଁ । ରାସ୍ତା ଉପରେ ଖଣ୍ଡୀ କୁକୁରଟାଏ ଛିଡ଼ା ହୋଇ ଲାଙ୍ଗୁଡ଼ ହଲାଉଛି, ଶୂନ୍ୟତାର ବାନା ଉଡ଼ାଉଛି । ବେଶ୍‍ । କିନ୍ତୁ ଆଲୁଅ ପାଖରେ ଲୁଙ୍ଗିପିନ୍ଧା ଲୋକ ଜଣକ ଛିଡ଼ା ହୋଇ କ’ଣ କରୁଛି ? ହାତରେ ଢେଲାଟାଏ ଧରିଛି ନା କଅଣ ?

 

କ୍ରମଶଃ ମୁଁ ଜାଣିଲି ଯେ ଏହି ଶୂନ୍ୟତା ହାସ୍ୟଜନକ, କାରଣ ଏହାର ବିଭିନ୍ନ ସନ୍ଧିରେ ଲୁଙ୍ଗିପିନ୍ଧା ଗାମୁଛାଭିଡ଼ା ଲୋକମାନେ ଟାକି ବସିଛନ୍ତି । ବେଳଉଣ୍ଡି ମାଡ଼ି ଆସୁଥିବା କୋଳାହଳ ସାଙ୍ଗରେ ମିଶିଯିବେ ଓ ବିପ୍ଳବ ସୃଷ୍ଟି କରିବେ ।

 

ବିପ୍ଳବ ! ମୁଁ ଉତ୍ତେଜନାର ଖରନିଃଶ୍ୱାସ ଛାଡ଼ିଲି । ମୋ ସାଙ୍ଗରେ ଚାଲୁଥିବା ଏହି ଭଦ୍ରଲୋକ ସେଥିରେ ବିଶ୍ୱାସ କରନ୍ତି ନାହିଁ । ସ୍ୱାଭାବିକ । ସେ ହେଉଛନ୍ତି ନ୍ୟସ୍ତସ୍ୱାର୍ଥ ଶୋଷକ ଦଳର ଲୋକ । ତାଙ୍କ ଦୃଷ୍ଟିକୋଣ ଭିନ୍ନ ।

 

ଚାଲୁ ଚାଲୁ ସେ ମୋ ପିଠିରେ ହାତ ରଖିଲେ । ମୁଁ ଅବିଳମ୍ୱେ ସେହି ବଡ଼ପଣର ସ୍ପର୍ଶକୁ ଝାଡ଼ିଦେଲି । ଧନ୍ୟବାଦ, ମୁଁ ଆପଣଙ୍କର ସହଯାତ୍ରୀ ନୁହେଁ ।

 

ସେ ପୁଣି ମୋ ପିଠିରେ ହାତ ପକାଇଲେ । ମୁଁ ମୋର ଇଙ୍ଗିତକୁ ଦୃଢ଼ତର କରି ନିଜକୁ ଛଡ଼ାଇ ଆଣିଲି, ଏବଂ ତତ୍‍କ୍ଷଣାତ୍‍ ଦେଖିଲି ଯେ ମୋତେ ଦୌଡ଼ିବାକୁ ହେବ ।

 

କାରଣ ଦେଖିଲି ଯେ କୋଳାହଳରୁ ଖଣ୍ଡଖଣ୍ଡ ଉଲ୍‍କାମାନ ଖସି ଆସୁଛି । ଏ ବାଟେ ସେ ବାଟେ ଶୂନ୍ୟରାସ୍ତାର ଦିଗ୍‍ବିଦିଗରେ ଜଣ ଜଣ କରି ଧାଉଁଛନ୍ତି । ଧାଉଁଛନ୍ତି ମାନେ ପଳାଉଛନ୍ତି-।....ମୁଁ ଦୌଡ଼ିଲି ।

 

ମୋର କ୍ଳେଶଦାୟକ ଜୋତା ମୋତେ ବେଶି ଦୂରକୁ ନେଇ ପାରିଲା ନାହିଁ । ମିଷ୍ଟର୍‍ ଦତ୍ତ ମୋତେ ଅନାୟାସରେ ଝିଙ୍କି ଆଣି ମୋ ଚାହାଣିରେ ଚାହାଣି ମିଳାଇଲେ ଓ ଆଦେଶ ଦେଲା ପରି କହିଲେ, ‘‘ସିଧା ହୋଇ ଚାଲନ୍ତୁ । ଦୌଡ଼ିଲେ ମାଡ଼ ବସିଯିବ ।’’

 

ମୁଁ ମାଡ଼ୁଆମାନଙ୍କୁ ଦେଖିଲି ଓ ନିଜକୁ ଧିକ୍‍କାରିଲି । ମୋର ଜୋତାଟା କାଟୁଛି ବୋଲି ସିନା, ନ ହେଲେ ମୁଁ ମଧ୍ୟ ସେମାନଙ୍କ ସାଙ୍ଗରେ ଉନ୍ମତ୍ତ ହୋଇ ଦୌଡ଼ୁଥାନ୍ତି । ପୁଲିସ୍‍ ପଛରେ ଗୋଡ଼େଇଛି । ପୁଲିସ ଠେଙ୍ଗା ଧରିଛି, କନ୍ଧୁକ ଦେଖାଉଛି, ଲୁହବୁହା ଗ୍ୟାସ୍‍ ଛାଡ଼ୁଛି । କେତେ ଗୋଡ଼େଇବ ? କେତେ କାହାକୁ ମାରିବ ? ଆମେ ଜଣେ ନୁହେଁ ପଣେ, ଗୋଟି ଗୋଟି ହୋଇ ପଚାଶ କୋଟି । ଆମେ ପଡ଼ିବା, ଉଠିବା, ମରିକରି ଶୋଇଯିବା, ପୁଣି ଭୂତ ପରି ମାତିଯିବା–

 

ଗୁଡ଼ୁମ୍‌ । ଘୋଡ଼ା ଟାପୁ ।

 

ଧୂଆଁ, ଆଖି ପୋଡ଼ୁଛି ।

 

ସେମାନେ ରାସ୍ତାଯାକ ଭରି ଗଲେଣି । ହାତକୁ ଉପରକୁ ଟେକିଛନ୍ତି ଓ ରହି ରହି ପଛକୁ ଚାହୁଁଛନ୍ତି । ଆମ ଆଗରେ, ଆମ ପଛରେ କେତେ କୁଆଡ଼ୁ ଆସି ଭିଡ଼ିଗଲେଣି ।

 

ସହସା ଯୋଡ଼ାଏ ପୋଲିସ୍‌ବାଲା ସବେଗରେ ଲାଠି ଓ ଢେଲାଧରା ଢାଲ ଧରି ଆମରି ବାଟ ଦେଇ ଧାଇଁଗଲେ । ମୋର ଛାତି ନିଶ୍ଚୟ ଦମ୍‌ଦମ୍‌ ପଡ଼ୁଥିଲା । ତା’ ସତ୍ତ୍ୱେ ମୁଁ ନିଜକୁ ବ୍ୟକ୍ତ କଲି । ଜନମତ ଅନୁଯାୟୀ ପଛରୁ ସେହି ଦୁଇଟାଙ୍କ ପ୍ରତି ଛେପ ପକାଇଲି । ସମସ୍ତେ ଦେଖନ୍ତୁ ।

 

କିନ୍ତୁ କିଏ ଦେଖିବ ? ବିକ୍ଷିପ୍ତ ଜନତାର ଆଖି ନାହିଁ, କାନ ନାହିଁ..... । ଆଉ ଏହି ଭଦ୍ରଲୋକ ଜଣକ କଳ ମଣିଷ ! ମିଟିଂ ଡକା ହେଲା ପରି ସିଧା ହୋଇ ବାଟ ଚାଲୁଛନ୍ତି !

 

ମୁଁ ଆଉ ସହି ପାରିଲି ନାହିଁ । ଛାତିର ଦମ୍‌ଦମ୍‌ ଓ ପ୍ରାଣର ଛଟପଟରେ ହନ୍ତାଳି ହୋଇ, ଧୂଆଁ ଓ ଧାବନର ଚକରେ ଘୂରି ଘୂରି ମୁଁ ସ୍ୱଗତ ବାହୁ ଟେକିଲି । ଭଗବାନଙ୍କୁ ନୁହେଁ; ମୁଁ ତାଙ୍କୁ ବିଶ୍ୱାସ କରେ ନାହିଁ । ମୁଁ ଇତିହାସର କାଳପୁରୁଷକୁ ଡାକିଲି । ଡାକିଲି ଯେ ମୋତେ ଉଠାଇ ନିଅ, ମୋତେ ତୁମ ରଥରେ ବସେଇ ଦିଅ । ମୋତେ କିଛି କରିବାକୁ ଦିଅ !

 

ମିଷ୍ଟର୍‌ ଦତ୍ତ ! କାହିଁ ଆପଣଙ୍କର କାର୍‌ ? ମୁଁ କାର୍‌ ଚାହେଁ ନାହିଁ, ମୁଁ ଚାହେଁ ଲଢ଼ୁଆ ଉଡ଼ାଜାହାଜ, ମୁଁ ଚାହେଁ ହେଲିକୋପ୍‌ଟର୍‌ । କିନ୍ତୁ ଏହି ହୀନିମାନିଆ ଚାଲିବାଠାରୁ ଆପଣଙ୍କର ଗାଡ଼ିରେ ବସିବା ଶତଗୁଣେ ଭଲ ।

 

କାହିଁ ? କାହିଁ ? ? ....ପୁଣି ଗୁଡ଼ୁମ୍‌ । ପୁଣି ଧୂଆଁ । .....କାର୍‌ କାହିଁ ? ବାଟ କାହିଁ ?

 

ମିଷ୍ଟର୍‌ ଦତ୍ତ ନିପୁଣ ଖେଳାଳିର ଖେଳ ଦେଖାଇଲେ । ଅତି ଚମତ୍‌କାର ଭାବରେ ସେ ମୋତେ ସେହି ଦୁର୍ବୃତ୍ତ ଓ ଧର୍ଷିତ ଜନଗଣଙ୍କ ମଝିରେ ବାଟ କଢ଼େଇ ବାଟା ଦୋକାନ ମୋଡ଼ରେ ଥିବା ତାଙ୍କର କାର୍‌ ପାଖରେ ପହୁଞ୍ଚାଇ ଦେଲେ । ଥ୍ୟାଙ୍କ୍‌ ୟୁ ।

 

କାର୍‌ଟି ସଂଘର୍ଷର ଆଢ଼ୁଆଳରେ ଛାଇତଳେ ବସିଛି । ମୋ ଦମ୍‌ ଥମିଗଲା । କିନ୍ତୁ କାର୍‌କୁ ଭଲଭାବରେ ଦେଖି ସାରିଲା ପରେ ମୋର ମିଷ୍ଟର୍‌ ଦତ୍ତଙ୍କ ପ୍ରତି କ୍ରୋଧ ଆସିଲା । ଆଜିକା ଦିନରେ ଏତେ ବଡ଼ କାର୍‌ ଚଢ଼ି ବୁଲିବା ଦରକାର ? ଟାଇ-ସୁଟ୍‌ର ଆସ୍ପର୍ଦ୍ଧା କ’ଣ ଯଥେଷ୍ଟ ନୁହେଁ ଯେ ତା’ ସାଙ୍ଗକୁ ଯୋଡ଼ିବାକୁ ଥିଲା ଏହି ବିରାଟ ବିଦେଶୀ କାର୍‌ର ଆସ୍ଫାଳନ ? ମିଷ୍ଟର୍‌ ଦତ୍ତ ନିଜକୁ କ’ଣ ବୋଲି ଭାବିଛନ୍ତି କି ?

 

ମିଷ୍ଟର୍‌ ଦତ୍ତ, ଆପଣ ପୁଞ୍ଜିବାଦର ପ୍ରତୀକ । ସେଥିପାଇଁ ଆପଣ ଦୟନୀୟ ଏବଂ ଦଣ୍ଡନୀୟ । ଏତିକି ବୁଝିବାର କ୍ଷମତା କଣ ଆପଣଙ୍କର ନାହିଁ ? ନା, ଆପଣ ବୁଝନ୍ତି । କିନ୍ତୁ ଆପଣଙ୍କର ଦାମ୍ଭିକତା ବୁଦ୍ଧିଠାରୁ ବଳି ପଡ଼ିଛି ।

 

ଠିକ୍‌ ଅଛି, ମୋର କିଛି କହିବାର ନାହିଁ । ମୁଁ ଆପଣଙ୍କୁ ଚେତାଇବାକୁ ଯିବି ନାହିଁ ।

 

ସିଟ୍‌ର ଗଦି ଭେଲ୍‌ଭେଟ୍‌ କି କେଉଁଥିରେ ତିଆରି କେଜାଣି ମୋର ମନେ ହେଲା ଯେ ମୁଁ ଶୋଇ ପଡ଼ିବି । ବିସ୍ମୃତିର କୋମଳ ଅଙ୍ଗରେ ଲତେଇ ଯାଇ ପ୍ରତ୍ୟକ୍ଷ ସଂଗ୍ରାମକୁ ମୁହଁ ମୋଡ଼ିଦେବି । କିନ୍ତୁ ତତ୍‌କ୍ଷଣାତ୍‌ ମୁଁ ନିଜକୁ ତଆରିଲି,–ଛିଃ ! ମୋର କଅଣ ହୋଇଛି ? ଘଟଣା ଚକ୍ରରେ ମୁଁ ମିଷ୍ଟର ଦତ୍ତଙ୍କ ସାଙ୍ଗରେ ବୁଲୁଛି ବୋଲି କଅଣ ମୁଁ ମୁହୂର୍ତ୍ତକ ପାଇଁ ମୋର ନିଜତ୍ୱକୁ ଲିଭାଇ ଦେଇ ପାରିବି ? ମୁଁ ବର୍ତ୍ତମାନ ଏହି ନରମ ଗଦିରେ ବସିଛି । କାରଣ ମୁଁ ନିରୁପାୟ । ଯଥାର୍ଥରେ ମୋର ସ୍ଥାନ ଏଠି ନୁହେଁ, ଆଖି ଆଗରେ ମାଡ଼ ଖାଉଥିବା ଏଇ ମଳିମୁଣ୍ଡିଆଙ୍କ ସାଙ୍ଗରେ । ମୁଁ ବେଶି ପାଠ ପଢ଼ିଛି, ତେଣୁ ମୁଁ କଲମ ପେଷୁଛି । ତା’ ବୋଲି ମୁଁ ମିଷ୍ଟର ଦତ୍ତଙ୍କ ଦଳର ନୁହେଁ । ନୁହେଁ ନୁହେଁ, କଦାପି ନୁହେଁ !

 

କାର୍‌ରେ ବସିଲା ପରେ ଯେଉଁ ଆରାମ ମିଳିଲା ତାକୁ ତିରସ୍କାର କରି ମଧ୍ୟ ପେଟ ପୂରିଲା ନାହିଁ । ମୁଁ ଆତୁର ହୋଇ କାର୍‌ର ମୋଟା ଝରକା କାଚ ଭିତରଦେଇ (ମିଷ୍ଟର୍‌ ଦତ୍ତ କାଚ ଟେକି ଦେଇଥିଲେ) ସେମାନଙ୍କଆଡ଼କୁ ଚାହିଁଲି । ନିଠେଇ କରି ଚାହିଁଲି । ମୋଆଡ଼କୁ ଦେଖ । ମୋର ଆତ୍ମୀୟତାର ତରଙ୍ଗ ତଡ଼ିତ୍‌ କଅଣ ତୁମମାନଙ୍କୁ ଛୁଇଁ ପାରୁ ନାହିଁ ? ଛୁଇଁଲେ ତୁମେ ନିଶ୍ଚୟ ବୁଝିବ ଯେ ମୁଁ ତୁମଠାରୁ ଦୂରେଇ ଯାଇ ନାହିଁ । ମୁଁ ଉପେନ୍ଦ୍ର ଦାସ । ଆଗେ ମଫସଲରେ ମାଷ୍ଟର୍‌ ହୋଇଥିଲି, ଏବେ କଲିକତାରେ କିରାଣି-ଗିରି କରୁଛି । ଅଜାଣତରେ ମୋର ଦୃଷ୍ଟି କାର୍‌ ଦର୍ପଣରେ ପଡ଼ିଲା, ଏବଂ ମୁଁ ମୋର ଚେହେରାକୁ ନିର୍ଦ୍ଧାରିତ କଲି । ସେହି ହାଡ଼ୁଆ ଗାଲ, ସେହି ଜଳନ୍ତା ଛୋଟ-ଆଖି ଚାହାଣି, ସେହି ଉତ୍‌ଥିତ କଣ୍ଟାଳିଆ କେଶ । ମିଷ୍ଟର୍‌ ଦତ୍ତଙ୍କର ସ୍ନେହସାରସିକ୍ତ ଚର୍ବିଳ ଚେହେରା ସାଙ୍ଗରେ ମୋଟେ ମିଶୁନାହିଁ । ସେମାନେ କ’ଣ ବୁଝିବେ ନାହିଁ ?

 

ମିଷ୍ଟର୍‌ ଦତ୍ତ ଭୁଁ କିନି ଗାଡ଼ି ଚଳାଇବାକୁ ଆରମ୍ଭ କଲାବେଳକୁ ମୁଁ ଗୋଟିଏ ନୂତନ ଦୃଶ୍ୟ ଦେଖିଲି । ଛାଡ଼ି ଆସିଥିବା ରାସ୍ତାର ସୁଦୂର ସୀମାରେ, ଯେଉଁଠି ପୁଲିସ୍‌ ବୋଧହୁଏ ପହୁଞ୍ଚି ନାହାନ୍ତି, କଅଣ ଗୋଟାଏ ହୁତୁହୁତୁ ହୋଇ ଜଳୁଛି । କାର୍‌ ହେବ ପରା । ମୁଁ ମିଷ୍ଟର୍‌ ଦତ୍ତଙ୍କ ହାତକୁ ଧରି ପକାଇଲି ଓ କମ୍ପିତ ତୀକ୍ଷ୍‍ଣ ସ୍ୱରରେ କହିଲି–ଏଇ–ଏଇ, ଦେଖନ୍ତୁ ।

 

ତଥାପି ଲୋକଟାର ଚୈତନ୍ୟୋଦୟ ହେଲା ନାହିଁ । କାର୍‌କୁ ତିଳେମାତ୍ର ଅଟକାଇ ନରଖି ସେ କହିଲେ, ‘‘ମୁଁ ଜାଣେ । କିନ୍ତୁ ଆମେ ଅନ୍ୟ ବାଟେ ଯିବା ।’’

 

ସେ ବେପରୁଆ ହସ ହସିଥିଲେ ମୁଁ ତା’ର ଠିକଣା ଜବାବ୍‌ ଦେଇଥାନ୍ତି । ଥରେହେଲେ ରାଗିଥିଲେ ଦି’ପଦ ଶୁଣେଇ ଥାଆନ୍ତି । କିନ୍ତୁ ତାଙ୍କର ଏହି ଥଣ୍ଡା ନିଦା ଅହଂକାରକୁ ନେଇ କ’ଣ କରିବି ?

 

ଭାବିଲି,–ଶୀଘ୍ର ଏହି ଯାତ୍ରା ପାରି ହୋଇ ଯାଉ । ଆମର ଏହି ବିଷମ ଯୋଡ଼ି ଖଣ୍ଡକ କଟିଯାଉ !

 

ବାଟା ଦୋକାନ ମୋଡ଼ ଗୋଟିଏ ତିନି ମୁହାଣି ଛକ । ବଡ଼ ରାସ୍ତାରେ; ସଂଗ୍ରାମ ଚାଲିଛି-। ମୁଁ ଆଉ ସେଆଡ଼କୁ ଚାହିଁଲି ନାହିଁ । ଆମ କାର୍‌ ଚାଲୁଥିବା ରାସ୍ତାରେ ଜନତା ଛିଟିକି ହୋଇ ଆସିଛି, ପାଟିତୁଣ୍ଡ ହେଉଛି, କିନ୍ତୁ ପୁଲିସ୍‌ ନାହିଁ । ତା’ ଛଡ଼ା ଆଉ ଗୋଟିଏ ଅଣଓସାରିଆ ତୃତୀୟପଥ ଥିଲା । ସେଠି ଜୀବନର କେତୋଟି ଅଚଞ୍ଚଳ ଗୋଳିଆ ପାଣିର ଟପ୍‌ ଟପ୍‍ ମୋ ଆଖିରେ ପଡ଼ିଥିଲା । କେତୋଟି ଢିମା ଆଖି ଲଙ୍ଗଳା ପିଲା, ଚାଳ ଦୋକାନରୁ ଝୁଲୁଥିବା କେତୋଟି ପାଚିଲା କଦଳୀ ଓ ପୁଡ଼ିଆ ଚା’, ଦାଣ୍ଡ ପିଣ୍ଡାରେ ଛିଡ଼ା ହୋଇଥିବା କେଉଁ ଗୋଟିଏ ମଳିନାର ମୁକୁଳା କେଶ । କାର୍‌କୁ ସେଇଠି କେଉଁଠି ରଖି ଦେଇ ଗୋଟିଏ ନିରୋଳା ସୁଶୀତଳ ଗୁହାରେ ମୁଣ୍ଡଗୁଞ୍ଜି ନେଇ ଥିଲେ ହୋଇ ନଥାଆନ୍ତା ? ନା, ଭାବି ଲାଭ ନାହିଁ । ସେ ଗଳି କେତେବେଳଠୁଁ ଚାଲି ଗଲାଣି ।

 

ମିଷ୍ଟର୍‌ ଦତ୍ତଙ୍କ କାର୍‌ ଗୁରୁଗମ୍ଭୀର ଠାଣିରେ ଅଗ୍ରସର ହେଉଛି । ସାରଥୀ ଶଙ୍ଖ ବଜାଉ ନାହିଁ । ‘ମୁଁ ଆସିଛି’ ବୋଲି ଘୋଷଣା କରୁନାହିଁ । ହେଲେ ଏହି ନନ୍ଦିଘୋଷଟି କାହା ଆଖିରେ ପଡ଼ିବ ନାହିଁ କେମିତି ? ଯେଉଁମାନେ ସଂଗ୍ରାମରେ ବ୍ୟାପୃତ ଅଛନ୍ତି ସେମାନେ ଅବଶ୍ୟ ପଛରେ ପଡ଼ିଲେଣି । କିନ୍ତୁ ଯେଉଁମାନେ ନେପଥ୍ୟରେ ଅଛନ୍ତି ? ଯେଉଁମାନେ ଛାତ ଉପରେ ଦଳ ବାନ୍ଧି ଛିଡ଼ା ହୋଇଛନ୍ତି ? ତା’ ଛଡ଼ା ଯେହେତୁ ଏ ମଧ୍ୟ ବଜାର ରାସ୍ତା, ଏଠି ଜଣ ଜଣ କିଆ ଲୁଙ୍ଗିପିନ୍ଧା ଗାମୁଛାଭିଡ଼ା ଯୁବକମାନଙ୍କର ଆବିର୍ଭାବ ହେବ ନାହିଁ ବୋଲି କିଏ କହିବ ? ମିଷ୍ଟର୍‌ ଦତ୍ତ ଗ୍ୟାରେଣ୍ଟି ଦେଇ ପାରିବେ ?

 

ଯାହାହେଉ ଆମ ସାଙ୍ଗକୁ ଆଉ କୌଣସି କାର୍‌ ଚଳପ୍ରଚଳ ହେବାର ଦେଖାଗଲା ନାହିଁ-। ଟ୍ରାମ୍‌ ବସ୍‌ ତ ସହଜେ ବନ୍ଦ । କେବଳ ଗୋଟାଏ ପୋଲିସ୍‌ ଜିପ୍‌ ଓ ତା’ ପଛେ ପଛେ ଗୋଟାଏ ଆମ୍ୱୁଲାନ୍‌ସ ଗାଡ଼ି ଧାଇଁ ପଳାଇଲା । କ୍ରମଶଃ ମୁଁ ବିସ୍ମିତ ହେଲି–

 

ଗୁଡ଼୍‍ମର ଶବ୍‌ଦ ଆଉ ଶୁଭୁ ନାହିଁତ ।

 

ଆକାଶ ମଧ୍ୟ ନୀଳ ଦିଶୁଛି । ଧୂଆଁର ଚିହ୍ନବର୍ଣ୍ଣ ନାହିଁ ।

 

ପଡ଼ିଆରେ ଗାଈ ହମ୍ୱାରଡ଼ି ଛାଡ଼ୁଛି !

 

ତାହାହେଲେ କଣ ମୋର ଆଶଙ୍କା ଅମୂଳକ ? ଅର୍ଥାତ୍‍ ମିଷ୍ଟର୍‌ ଦତ୍ତ ଜିତି ଯିବେ ? ଏଭଳି ଉଦ୍ଧତ ଭାବରେ ଝଡ଼କୁ କାଟି ଦେଇ ଆପଣା ବୈଠକଖାନାରେ ପହଞ୍ଚିଯିବେ ? ପ୍ରମାଣ କରିଦେବେ ଯେ ପିମ୍ପୁଡ଼ିମାନଙ୍କଠାରୁ ହାତୀ ବଡ଼ ଯାହାର ପୁଂଜି ସର୍ବମେଦ ଏବଂ ଶୁଣ୍ଢ ଅଛି ? ଦାନ୍ତ ଅଛି ? ତାଙ୍କର ଜିତିଯିବାର ସମ୍ଭାବନା ମୋତେ ଉସ୍‌କେଇଲା । ଉପେନ୍ଦ୍ର ଦାସ, ଏହି ଜିତାପଟ୍ଟରେ ତୋର ଭାଗ ଅଛି । ଜନଦରବାରରେ ବିଚାର ହେଲାବେଳେ ସେମାନେ ଯଥାର୍ଥରେ କହି ପାରନ୍ତି ଯେ ତୁ ଦତ୍ତଙ୍କ ଲାଙ୍ଗୁଡ଼କୁ ଧରି ତପ୍ତ ବୈତରଣୀ...

 

କାର୍‌ ଯେତିକି ଆଗଉଥାଏ, ଶାନ୍ତିର ମନ୍ଦ ସମୀରଣ ଯେତିକି ବହୁଥାଏ, ସଂଘର୍ଷର ଗନ୍ଧ ଯେତିକି ଅପସରି ଯାଉଥାଏ, ମୋର ହିଂସାଭାବ ସେତିକି ବଢ଼ୁଥାଏ । ଜିଙ୍ଘାସା କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଗୋଟିଏ ମୁହୂର୍ତ୍ତରେ ମୋର ବିପ୍ଳବୀ ଚେତନାର ତଳେ ଛପି ରହିଥିବା ସଂନ୍ତ୍ରାସବାଦ ମୁଣ୍ଡ ଟେକିଲା । ସେତେବେଳେ ପୋଖରୀରେ ହଂସକୁ ପହଁରିବାର ଦେଖି ମୋର ଇଚ୍ଛା ହେଲା–ଇଚ୍ଛା ହେଲା ଯେ ମୁଁ ମିଷ୍ଟର୍‌ ଦତ୍ତଙ୍କର ସୁକୁମାର ଗ୍ରୀବାଟିକୁ ମୋଡ଼ି ଦେବି ! ସମସ୍ତେ ଜାଣିବେ । ଜାଣିବେ ଯେ ଜନୈକ ସାଧାରଣ ବ୍ୟକ୍ତି ଦୁଃସାହସ କର୍ମ କରିଛି, ବିଦେଶୀ କାର୍‌ର ଗଦି ଉପରେ ଗୋଟିଏ ପୁଂଜିବାଦୀକୁ ହତ୍ୟା କରିଛି ।

 

ହଠାତ୍‌ ଗୋଟିଏ ଦଶବର୍ଷିଆ ପିଲା ଅବୋଧ୍ୟ କୁହାଟ କରି ଆମ ଆଗେ ଆଗେ ପଳାଇଲା ।

 

ମୋର ମନେ ହେଲା ଯେ ସେ ମଧ୍ୟ ଜଣେ ବିପ୍ଳବୀ । ଅସ୍ତ୍ର ଧରି ନାହିଁ, କିନ୍ତୁ ଡାକ ଛାଡ଼ିଛି ।

 

ନୀରବତା ଚୂନା ହୋଇଗଲା ସେହି ପିଲାର ଡାକରେ (ତା’ଛଡ଼ା ଆଉ କ’ଣ ହୋଇପାରେ ?) । ଗୋଟାଏ ଟେକା ଢାଏକିନି ଆମ କାର୍‌ରେ ବାଡ଼େଇ ହେଲା । କୁଆଡ଼ୁ ଆସିଲା ବୋଲି ଖୋଜିଲା ବେଳକୁ ଆଉ ଗୋଟାଏ ଟେକା ଆର ପାଖରୁ ଛୁଟି ଆସିଲା । ମୋ’ରିଆଡ଼କୁ । ମୁଁ ମୁଣ୍ଡ ତଳକୁ କରିଦେଲି । ରକ୍ଷା ! ଟେକା କାଚରେ ନବାଜି ଲୁହାରେ ବାଜିଲା ।

 

ଦ୍ୱିତୀୟ ଟେକାର ଚାଳକକୁ ଦେଖି ପାରିଲି । ଲୁଙ୍ଗି ନୁହେଁ, ଗାମୁଛା ନୁହେଁ, ସରୁ ଟ୍ରାଉଜର୍ସ । ବାଳଗୁଡ଼ା ଝଡ଼ ପରି ଝୁଙ୍କି ଆସିଛି । ଏବଂ ତା’ ଆଖି ଦୁଇଟା ! ଗୋଟାଏ ଗାତୁଆ ଜନ୍ତୁର ଆଖି ପରି ଦିଶୁଛି । ଯେତିକି ଡରୁଛି, ସେତିକି ଡରାଉଛି, ଜୀବନର ଅବଶିଷ୍ଟ ରାଗ ଓ ନିଆଁକୁ ବାନ୍ତି କରୁଛି । ଇସ୍‌ ! ସାମାନ୍ୟ ଝଲକରେ ମୋର ଦେହ ସିରି ସିରି ହୋଇ ଉଠିଲା ।

 

ମୋର ଦେହ ସିରି ସିରି ହୋଇ ଉଠିଲା । କିନ୍ତୁ ମିଷ୍ଟର୍‌ ଦତ୍ତଙ୍କ ଆଡ଼କୁ ଅନେଇ ମୋର ମନେ ହେଲା ଯେ ତାଙ୍କର ରୋମ ଟାଙ୍କୁରି ଉଠୁ ନାହିଁ । କାରଣ ସେ ଓଠ କାମୁଡ଼ୁଛନ୍ତି, ସତେ କି ଘୃଣିତ ଜନ୍ତୁଟାକୁ ଦଳି ଦେବେ ।

 

ସେଇଠୁଁ ମୋର ଜିଙ୍ଘାସା ପ୍ରବଳତର ହେଲା । ମୁଁ ଚାହିଁଲି ଯେ ଆହୁରି ଟେକା ପଡ଼ୁ । ମୋ ମୁଣ୍ଡ ଫାଟୁ, କିନ୍ତୁ ଏହି ଲୋକଟା କାନ୍ଦୁ । ମୋତେ ମାରନା ମାରନା କହି ଖତମ ହୋଇଯାଉ-

 

ମୋର ଇଛା ପୂରଣ ହେଲା । ସହସା ଆଉ ଗୋଟିଏ ମସ୍ତବଡ଼ ଟେକା କାଚ ଝରକା ଉପରେ ବାଡ଼େଇ ହେଲା । ମୁଁ ପୁଣି ମୁଣ୍ଡ ତଳକୁ କଲି । ଭାବିଲି ଏହିକ୍ଷଣି କାଚ ପଶିଯିବ, ରକ୍ତ ପିଚିକି ଉଠିବ । କିନ୍ତୁ ଆଶ୍ଚର୍ଯ୍ୟ କଥା କିଛି ହେଲା ନାହିଁ । କାଚ ଧାର ଧାର ହୋଇ ଫାଟିଗଲା, ଭାଙ୍ଗିଲା ନାହିଁ । ମିଷ୍ଟର ଦତ୍ତ ଦାନ୍ତଚିପା ସ୍ୱରରେ କହିଲେ, ‘‘ହ୍ୟାପ ଜାଣନ୍ତି ନାହିଁ । ଏ ହେଉଛି ଟ୍ରିପ୍‌ଲେକ୍‌ସ କାଚ ।’’

 

ମୁଁ କିଛି କହି ପାରିଲି ନାହିଁ ସିନା, କିନ୍ତୁ ମୋର ସର୍ବାଙ୍ଗ ଶରୀରର କମ୍ପନ ଜବାବ୍‌ ଦେଲା,–ଭୁଲ୍‌, ଭୁଲ୍‌, । କାଚଠାରୁ ଟେକା ବଡ଼ । ଏତିକିରେ ସରିନାହିଁ, ଆହୁରି ଆସିବ । ମିଷ୍ଟର ଦତ୍ତ, ତୁମେ ମରିବ । ତୁମ ସଙ୍ଗରେ ମୁଁ ମଧ୍ୟ ମରିବି । ମଲେ ମରିବି, ମୁଁ ପରୁଆ କରେ ନାହିଁ ।

 

ଏହି ସମୟରେ ମୁଁ ଦେଖିଲି । ମୋର ଆଲ୍ଲାଦୀନ ଦୀପର ଦାନବ କାର୍‌ ସାମନାରେ ଆସି ଛିଡ଼ା ହୋଇଛି । ତା ହାତରେ ଗୋଟାଏ ଗୋଲାକାର ବସ୍ତୁ ।

 

ପଥର ନୁହେଁ ବୋମା !

 

ବୋମା ! ତା ମାନେ ରକ୍ତର ନାଲିକୁ ଦେଖିବା ପାଇଁ ସମୟ ମିଳିବ ନାହିଁ । ଛଟପଟ କଲବଲକୁ ବେଳ ନାହିଁ । ମୁହୂର୍ତ୍ତକରେ– । ନା ନା ! ନା !! ଶୁଣ, ମୁଁ କ’ଣ କହୁଛି ଶୁଣ । ମୁଁ ତୁମରି ଦଳରେ ଅଛି । ମୁଁ ମରିବାକୁ ଖାତିର୍‌ କରେ ନାହିଁ । କିନ୍ତୁ ଏଇ ବୋମା ବାଜେ, ଅଦରକାରୀ–

 

ମୁଁ ‘ଷ୍ଟପ୍‌’ ବୋଲି ପାଟି କଲି । ହେଲେ ତାକୁ ଶୁଭି ନ ଥିବ । ସେ ହାତ ତଳେଇଲା, ବୋମାକୁ ଘୁରେଇଲା ।

 

ତତ୍‌ ସହ ମିଷ୍ଟର ଦତ୍ତଙ୍କ ମୁହଁରୁ ଏକ ପ୍ରକାର ଶବ୍‌ଦ ବାହାରିଲା ଚିପାଦାନ୍ତ ଭିତରୁ ଏକ ପ୍ରକାର ଅଶ୍ଳୀଳ ଫୁତ୍‌କାର, ଯାହାକୁ ଶୁଣିଲେ ସାପ ଭୟ ପାଇବ । ସେ ଗାଡ଼ି ଚଳାଇ ନେଲେ ।

 

ଏଁ,–ସେ ତା’ ଉପରକୁ ମାଡ଼ିଯିବେ ନା କଅଣ ? ମାରିବେ ଆଉ ମରିବେ ।

 

ଲୋକଟା ପାଗଳ, ବଦ୍ଧ ପାଗଳ । ମୁଁ ତାଙ୍କ ହାତକୁ ଧରି ପକାଇଲି ଓ ସେ ତାକୁ ଛିଞ୍ଚାଡ଼ି ଦେଲେ । ତା ପରେ ମୁଁ ଦୁଇ ହାତ ଟେକିଲି ଓ ମୁଁ ମଧ୍ୟ ଏକ ପ୍ରକାର ଶବଦ କଲି । ଶବଦ ଅଥବା ରଡ଼ି । ଯାହାଦ୍ୱାରା ମୁଁ ସେମାନଙ୍କୁ କାଟିଲି, ସମ୍ପିଲି ଓ ପ୍ରଚଣ୍ଡ ଭାବରେ ମନା କଲି । ଯାହାଦ୍ୱାରା ମୁଁ କହିଲି–ତୁମେ ଦୁଇଜଣ ମୂର୍ଖ ଓ ପାଗଳ । ମୂର୍ଖ ଓ ପାଗଳ ।

 

ତା’ପରେ କ’ଣ ହେଲା ଠିକେ ଠିକେ ବର୍ଣ୍ଣନା କରି ହେଉ ନାହିଁ । ବୋଧେ ଗୋଟିଏ ପୁଲିସ ଗାଡ଼ି ଆସିଲା, ଗୋଟାଏ ଗୁଳି ଫୁଟିବାର ଶବ୍‍ଦ ହେଲା । ବୋଧହୁଏ କିଏ ପଳାଇଲା ବା ଟଳି ପଡ଼ିଲା । ବୋଧହୁଏ ମିଷ୍ଟର ଦତ୍ତ ଚିତ୍‌କାର କଲେ କିମ୍ୱା ମୋତେ ଗୋଟାଏ ଚାପୁଡ଼ା ମାରିଲେ । ବୋଧହୁଏ ମୁଁ ରକ୍ତ ଛୁଟୁଥିବାର ଦୃଶ୍ୟ ଦେଖିଲି ଓ କାରରୁ ଲମ୍ଫ ଦେଲି । ଯାହାହେଉ କ୍ଷଣିକ ବିଭ୍ରମର ଅନ୍ଧାର ପରେ ମୁଁ ଦେଖିଲି ଯେ ମୁଁ ଗୋଟିଏ ଖୋଲା ଟିଣ ଘର ଭିତରେ ଖଟିଆ ଉପରେ ଶୋଇଛି ଓ ମିଷ୍ଟର ଦତ୍ତ ମୋ ପାଖରେ ବସି ସଅଁ ସଅଁ ହେଉଛନ୍ତି । ସତେ କି ସଂପୂର୍ଣ୍ଣ ଶକ୍ତି ଖଟାଇ ସାରିଲା ପରେ ସେ ସଫଳତାର ଦମ୍‌ ନେଉଛନ୍ତି । ଏବଂ ଦେଖିଲି ଯେ ଖଟ ପାଖରେ ଜଣେ ଶିଖ ଭଦ୍ରଲୋକ ମୋଆଡ଼କୁ ଚାହିଁ ମୃଦୁମୃଦୁ ହସୁଛନ୍ତି ।

 

ମୋର ମୁଣ୍ଡ ଭିତରେ ତୀବ୍ର ଯନ୍ତ୍ରଣା ହେଉଥାଏ । ତଥାପି ମୁଁ ସେହି ଦୃଶ୍ୟ ଓ ଅବସ୍ଥାକୁ ଅସ୍ୱୀକାର କଲି । ତୁରନ୍ତ ବସିପଡ଼ି କହିଲି, ‘‘ମୋର କିଛି ହୋଇ ନାହିଁ । ଚାଲନ୍ତୁ ଯିବା ।’’ ଶିଖ୍‌ ଜଣକ ହସହସ ଭାବରେ ମୁଣ୍ଡ ହଲାଇଲେ ଓ କହିଲେ ‘‘ଖୁଦାକୀ ଶୁକ୍‌ର ହୈ ଆପ୍‌ ବଚ୍‌ ଗୟେ ।’’ କିନ୍ତୁ ମିଷ୍ଟର୍‌ ଦତ୍ତ ତାଙ୍କର ସଅଁ ସଅଁ ଭାବକୁ ରୋକି ଦେଇ ମୋ ପିଠିରେ ହାତ ରଖିଲେ ଓ ଗମ୍ଭୀର ମୁଦ୍ରାରେ କହିଲେ, ‘‘ହଁ ଯିବା । ନିଶ୍ଚୟ ଯିବା ।’’

 

ତାଙ୍କର ସେହି ସ୍ପର୍ଶ ସ୍ଥିତିର ସ୍ପର୍ଶ ବୋଲି ମନେ ହେଲା, ବଞ୍ଚିବାର ଆଶ୍ୱାସନା ଆଣିଦେଲା । ପ୍ରଥମ ଥର ପାଇଁ ମୋର ଧାରଣା ହେଲା ଯେ ଏଭଳି ମଣିଷଟିକୁ ଗଢ଼ି ବିଧାତାମାନେ ପ୍ରକୃତି, ନିହାତି ଭୁଲ କରି ନାହିଁ ।

 

ଶୀଘ୍ର ସଂଜ ହୋଇ ଆସିଲା । ମିଷ୍ଟର ଦତ୍ତ ମୋତେ ଚଲେଇ ଚଲେଇ ପାଖରେ ଥିବା ତାଙ୍କ ଶାଳୀଙ୍କ ଘରକୁ ନେଇଗଲେ । କହିଲେ ଯେ ଅନ୍ୟ ଉପାୟ ନାହିଁ, କାରଣ ତାଙ୍କ ନିଜ ଘର ଅନେକ ଦୂର ଓ ତାଙ୍କ କାର ଭାଙ୍ଗି ଯାଇଛି । ବୁଝିଲି ଯେ କାର ସେହି ସର୍ଦ୍ଦାରଜୀଙ୍କ ଜିମାରେ ରହିବ ଯେ ଆମକୁ ତାଙ୍କ କାଠ ଗୋଦାମରେ ଆଶ୍ରା ଦେଇଥିଲେ । ଏହାଛଡ଼ା ମୁଁ ଅସ୍ପଷ୍ଟ ଭାବରେ ବୁଝିଲି ଯେ କଅଣ ଗୋଟାଏ ଘଟିଗଲା ଯେଉଁଥିରେ ସର୍ଦ୍ଦାରଜୀ ହୋଇ ଥିଲେ ଭୀମ, ମିଷ୍ଟର ଦତ୍ତ ହୋଇଥିଲେ ଅର୍ଜୁନ । କ’ଣ ଗୋଟାଏ ଘଟିଗଲା ଯେଉଁଥିରେ ମିଷ୍ଟର ଦତ୍ତ ସର୍ଦ୍ଦାରଜୀଙ୍କ ସହିତରେ ବୀର ବୋଲି ଗଣାହେଲେ ।

 

ମୋତେ ଭୋକ କରୁଥିଲା କି ମୁଁ ଥକି ଯାଇଥିଲି କହି ପାରୁ ନାହିଁ, ମୁଁ ସେହି ବୀରତ୍ୱର ସତମିଛ ଆବିଷ୍କାର କରିବାକୁ ଚାହିଁଲି ନାହିଁ ।

 

ତାଙ୍କ ଶାଳୀଙ୍କ ନାଁ ଅନୁରାଧା । ବେଲ ବଜାଇଲାରୁ ସେ ନିଜେ ଆସି କବାଟ ଖୋଲି ଦେଲେ । ପ୍ରଥମ ଦୃଷ୍ଟିରେ ମୋର ମନେ ହେଲା ଯେ ଶ୍ରୀମତୀ ଅନୁରାଧା ମିଷ୍ଟର ଦତ୍ତଙ୍କର ଶାଳୀ ହେବାର ଉପଯୁକ୍ତା । ଲମ୍ୱା ଗଢ଼ଣ, ନିରପେକ୍ଷ ଗଭୀର ଚାହାଣି, ଅଭଙ୍ଗା ଧୀର ଗମନ, ଅଭଙ୍ଗା ମୃଦୁବଚନ । ସତେ କି ସେ ଚମକାଇବାକୁ ଚାହାନ୍ତି ନାହିଁ, କାଳେ ତୁମେ ଚମକି ପଡ଼ିବ । ସତେ କି ସେ ନିଜ ରୂପଗୁଣର କରାମତିକୁ ଧରି ରଖିଛନ୍ତି, ନ ହେଲେ ଅପର (ସାଧାରଣ) ବ୍ୟକ୍ତିଟି ହାରିଯିବ-

 

କେବଳ ଗୋଟିଏ ପ୍ରଭେଦ । ଅନୁରାଧା ନାରୀ । ତେଣୁ ତାଙ୍କ ନିବୃତ୍ତ ଦୃପ୍ତଭଙ୍ଗୀର ସନ୍ଧିରେ ଅଳସ ବିଳାସ କୁଳୁକୁଳୁ ହେଉଛି । ପୁରୁଷ ମିଷ୍ଟର ଦତ୍ତ ଘଟଣା ଚକ୍ରରେ ସଅଁ ସଅଁ ହୋଇପାରେ । ତାଙ୍କର ସେ ଭୟ ନାହିଁ । ସେ ଦତ୍ତଙ୍କର ଶାଳୀ ।

 

ଯାହାହେଉ ଅନୁରାଧା ମିତ୍ର ତାଙ୍କ ଭିଣେଇଙ୍କ ଆଡ଼କୁ ଚାହିଁ ଯେଉଁ ସ୍ମିତ ହାସ ଦେଲେ ମୋତେ ଦେଖି ସେଥିରୁ କିଛି ଊଣା କରିଦେଲେ ବୋଲି ମୁଁ ଭାବି ପାରିଲି ନାହିଁ ।

 

ପୁଣି ସେ ଯେତେବେଳେ ବୁଲି ପଡ଼ି ତାଙ୍କ ଫାଳେ ପିଠିର ମସୃଣ ନଗ୍ନତାକୁ ଦେଖାଇଲେ, ତାହା ମୋ ପ୍ରତି ଉଦ୍ଦିଷ୍ଟ ନଥିଲା ବୋଲି ମୁଁ ମାନି ପାରିଲି ନାହିଁ ।

 

ପ୍ରାୟ ଦଶ ମିନିଟ୍‌ର ବସାଉଠା କଥାବାର୍ତ୍ତା ପରେ କ’ଣ ମନେ ହେଲା କହିବି ? ମନେ ହେଲା ଯେ ସେ ମଧ୍ୟ ମୋର ଶାଳୀ ! କାହିଁକି ନୁହେଁ ? ଆଜିର ସନ୍ଧ୍ୟାରେ, ଆଜିର ଅବିସ୍ମରଣୀୟ ଯୁଗ୍ମ ଅନୁଭୂତି ପରେ ମିଷ୍ଟର ଦତ୍ତ ଯେପରି ଭାବରେ ତାଙ୍କ ହାତରୁ ସନ୍ଦେଶ ଖାଉଛନ୍ତି, ମୁଁ କ’ଣ ଠିକ୍‌ ସେମିତି ଖାଉନାହିଁ ? ସେତିକି ଉପଭୋଗ କଣ ମୋର ପାଉଣା ନୁହେଁ ?

 

ଅନୁରାଧା କାହିଁକି ମୋର ଶାଳୀ ହୋଇ ପାରିବେ ନାହିଁ ?

 

କହିବାକୁ ଗଲେ ଏହି ଶାନ୍ତ ମଧୁର ପରିବେଶ, ଏହି ଥଣ୍ଡା ଘରର ପରିପାଟି, ଏହି ଜାପାନୀ କାଇଦାରେ ସଜା ହୋଇଥିବା ଫୁଲଦାନୀ, ଏହି ଭାନ୍‌ଗଗ୍‌ ଓ ମୋଗଲ ପେଣ୍ଟିଙ୍ଗ୍, ଏହି ଟଲଷ୍ଟୟଙ୍କର ଓ୍ୱାର୍‌ ଏଣ୍ଡ୍‌ ପିସ୍‌, ଏସବୁର ତତ୍ତ୍ୱ କ’ଣ ମୁଁ ଜାଣେ ନାହିଁ ? ମିଷ୍ଟର ଦତ୍ତ ମୋଠାରୁ ବେଶି ଜାଣନ୍ତି ? ହେଇ ଏଇଠି ସେ ବହି ଅଛି, ବୋଧହୁଏ ଶାଳୀକୁ ପଢ଼ିବା ପାଇଁ ଦିଆ ହୋଇଛି । କ୍ଳାସିକାଲ ଡ୍ରାମା ଉପରେ ଲେଖା ହୋଇଥିବା ଜବର ବହି, ଯାହା ମୁଁ ତାଙ୍କୁ କିଣେଇ ଦେଇଥିଲି । ସେହିଥିରୁ ତ ପ୍ରଥମେ ଆମର ଚିହ୍ନା ହୋଇଥିଲା । ସେ କଲେଜ୍‌ ଷ୍ଟ୍ରୀଟ୍‌ ବହି ଦୋକାନରେ ମନ ମୁତାବକ ସାହିତ୍ୟ ବହି କିଣିବା ପାଇଁ ଧନ୍ଦାଳି ହେଉଥିଲେ । ମୁଁ ତାଙ୍କୁ ଭଲମନ୍ଦ ଚିହ୍ନେଇ ଦେଇଥିଲି, ଠିକଣା ଜାଗାକୁ ନେଇ ଯାଇଥିଲି । ସେଇଠୁ ସେ ମୋତେ ଧନ୍ୟବାଦ ଦେଇଥିଲେ, ମୁଁ କେଉଁଠି କାମ କରୁଛି ବୋଲି ପଚାରିଥିଲେ ଓ ବୁଝିନେଲା ପରେ କହିଥିଲେ, ‘‘ଆଚ୍ଛା ! ତାହାହେଲେ ତ ଆପଣ ମୋର ପଡ଼ୋଶୀ । ଭଲ । ଏଥର ଆପଣଙ୍କୁ ସାଙ୍ଗରେ ନେଇ ବହି କିଣିବି । ଆପତ୍ତି ଅଛି-?’’

 

ବାସ୍ତବିକ–ମୁଁ ନିଜକୁ ବାରମ୍ୱାର କହିଲି–ଶାଳୀ ସମେତ ଏହି ଘରର ଉତ୍‌କର୍ଷ ଓ ମାଧୁରୀ ମୋର ମନ ବୁଦ୍ଧିର ମାରଫତ୍‌ରେ ଅଛି । ମୁଁ ଇଛା କରିଥିଲେ–

 

‘‘ଆଉ ଗୋଟିଏ ସନ୍ଦେଶ ଆଣିଦେବି ?’’

 

‘‘ନୋ, ଥ୍ୟାଙ୍କ୍‌ସ’’ କହି ମୁଁ ଭଦ୍ରୋଚିତ ବାରଣ କଲି ।

 

‘‘ଖାଆନ୍ତୁ ନା ! ଅନୁର ସନ୍ଦେଶ ପୃଥିବୀ ବିଖ୍ୟାତ । ମୁଁ ବାହାହେବା ଆଗରୁ ଜାଣିଥିଲେ– ।’’ ମିଷ୍ଟର ଦତ୍ତଙ୍କ ଓଠରେ ଦୁଷ୍ଟ ହସ ।

 

‘‘ଆଗରୁ ଜାଣିଥିଲେ କଣ କରିଥାଆନ୍ତେ ? କୁହନ୍ତୁ ଲଜ୍ଜା କରନ୍ତୁ ନାହିଁ ।’’ ଅନୁରାଧାଙ୍କ ଓଠରେ ଚତୁର ହସ ।

 

ଲଜ୍ଜାର ଅରୁଣ ଆଭା ମୁଁ କାହାରି ମୁହଁରେ ଦେଖିଲି ନାହିଁ । କିନ୍ତୁ ସେହି ଦୁଷ୍ଟତାର ଚତୁରତା ଖେଳ ମୋତେ ଭଲ ଲାଗିଲା ।

 

ମିଷ୍ଟର୍‌ ଦତ୍ତ ଆବୃତ୍ତିର ସ୍ୱରରେ କହିଲେ, ‘‘ଅୟି ଗରବିଣୀ ନାରୀ ! ମୋର ଲଜ୍ଜା ଘୁଞ୍ଚାଇ ଦିଅ, ମୋତେ ହୃଦୟର କଥାଟିକୁ କହିବାକୁ ଦିଅ ।’’

 

ଅନୁରାଧା ଅନୁରୂପ କଣ୍ଠରେ କହିଲେ, ‘‘ଉଠ ହୃଦୟବାନ୍‌ କଥା କୁହ । ତୁମେ ଭୀରୁ ନୁହଁ-। ତୁମେ ଯୁଦ୍ଧ ଭୂମିରୁ ଫେରିଛ, ତୁମେ କାର ଭାଙ୍ଗି ଦେଇ ଆସିଛ ।’’

 

ଦୁହେଁ ଖିଲିଖିଲି ହୋଇ ହସି ଉଠିଲେ ଏବଂ ମୁଁ ସେମାନଙ୍କ ସହିତ ଯୋଗ ଦେଲି । କିନ୍ତୁ ପରମୁହୂର୍ତ୍ତରେ ମୋ ଭିତରୁ ଆଉ ଜଣେ ଆବୃତ୍ତିର ପାଦ ପୂରଣ କରିବାକୁ ଚାହିଁଲା–

 

‘‘ତୁମେ ମଣିଷକୁ ମାରି ଆସିଛ....’’

 

ଧ୍ୟାତ୍‌ । ବେସୁରା ବେରସିକ ହେବା କ’ଣ ମୋର ସ୍ୱଧର୍ମ ? ମୁଁ ଅଜ୍ଞାନ ହୋଇ ଯାଇଥିଲି-। କିଏ ମଲା କିଏ ଜୀଇଁଲା ମୁଁ ତା’ର ହିସାବ ରଖି ନାହିଁ ।

 

‘‘କଫି ଖାଇବେ ନିଶ୍ଚୟ ? ପ୍ଲେନ୍‌ ନା ଏସ୍‌ପ୍ରେସୋ ?’’ ଅନୁରାଧା ଦେବୀଙ୍କର ଶ୍ୟାମଳ ଶ୍ରଦ୍ଧାନତ ଗ୍ରୀବା କଫି ପରି ବାସୁଛି ।

 

‘‘ଥ୍ୟାଙ୍କ ୟୁ । ଏସପ୍ରେସୋ ।’’ ମୋତେ ଏସପ୍ରେସୋ ଭଲଲାଗେ ।

 

କଫି ଆସୁ ଆସୁ ପୁଣି ସେହି ନିର୍ବୋଧ ଭୂତ ମୋତେ ଖେଞ୍ଚିଲା । ଏଥର ମୁଁ ତାକୁ ଟାଣୁଆ ଜବାବ ଦେଲି–ଯେ ବୋମା ପକାଇବାକୁ ଆସିଥିଲା, ସେ ମଲା । କ’ଣ ହେଲା ସେଇଠୁ ? କେହି ହେଲେ ତ ମରି ଥାଆନ୍ତା ? ତା’ଛଡ଼ା ମନେ ରଖ, ମିଷ୍ଟର ଦତ୍ତଙ୍କ ହାତରେ ବନ୍ଧୁକ ନ ଥିଲା, ପୁଲିସ ହାତରେ ଥିଲା ।

 

ମୋର ଇଛା ହେଲା ମୁଁ ମିଷ୍ଟର ଦତ୍ତଙ୍କୁ ପଚାରିବି । ପ୍ରକୃତରେ କ’ଣ ହେଲା, ଟିକିନିକି କରି ପଚାରିବି । ପଚାରିବି ସେ ବୋମାଧାରୀ କୁଆଡ଼େ ଗଲା, ମୋର କଅଣ ହେଲା, ରକ୍ତ କେଉଁଠୁ ଆସିଲା, ସର୍ଦ୍ଦାରଜୀ କଅଣ କଲେ...। ଥାଉ ଥାଉ ଥାଉ । ବିଶେଷ କିଛି କହିବାର ଥିଲେ ସେ ନିଶ୍ଚୟ କହି ଥାଆନ୍ତେ । ସେ ତାଙ୍କ ଶାଳୀଙ୍କୁ ମଧ୍ୟ ଜଣେଇ ନାହାନ୍ତି । କେବଳ କହିଛନ୍ତି ଯେ ଆମେ ଦୁହେଁ ଯୁଦ୍ଧ କରି ଆସିଛୁ, କାର ଭାଙ୍ଗିଯାଇଛି, ଖାଇବାକୁ ଦିଅ । ତା’ ହେଲେ ମୋର କାହିଁକି ଗରଜ ପଡ଼ିଛି ? ମୋର କଫି କାହିଁକି ଥଣ୍ଡା ହୋଇଯିବ ? ମୁଁ କାହିଁକି ଭୂରୁ କୁଞ୍ଚେଇବି, ଗାଲ ଓହଳେଇବି-? ଅନୁରାଧା ଦେବୀ କାହିଁକି ଭାବିବେ ଯେ ମୁଁ ଗୋଟିଏ– ?

 

ଉପେନ୍ଦ୍ର ଦାସ । ତୁ କଅଣ ସତରେ ଭାବିଥିଲୁ ଯେ ମିଷ୍ଟର ଦତ୍ତ ତାଙ୍କ କୃତିତ୍ୱଟିକୁ ବିଶଦ ବ୍ୟାଖ୍ୟା କରି ବୁଝେଇଦେବେ ? ଅସମ୍ଭବ । ସେ ହେଉଛନ୍ତି ପୁରୁଣା ହିରୋ । ତୁ ନୁହେଁ କି ହୋଇ ପାରିବୁ ନାହିଁ । ପିଇ ଯା’, କଫି ପିଇ ଯା’ ।

 

ଉତ୍ତମ । ମୁଁ କଫି ପିଇବି ଆଉ ଏଠି ବସି ରହିବି । ମୁଁ ଏହି ହସ ପରିହାସରେ ଆପଣାକୁ ମିଶେଇ ଦେବି । ମୁଁ ଏହି ଶୋକହୀନ, ଶଙ୍କାହୀନ, ଶାଳୀ ଭିଣେଇଙ୍କ ଗହଣରେ ମଜ୍ଜିଯିବି । ମୁଁ ମଜ୍ଜିବାକୁ ଚାହିଁଲେ ମଜ୍ଜିଯିବି ।

 

ମୁଁ ମଧ୍ୟ ହିରୋ ହୋଇ ପାରିବି ।

 

ଅସଲ କଥା ହେଲା ଏହି ହିରୋ ହେବାର କାଇଦା । ଏକ ଅନୁକୂଳ ପୃଷ୍ଠଭୂମି । ଏମିତି ଖଣ୍ଡେ ଘର, ଗୋଟାଏ କାର ଯାହାର କାଚ ସହଜେ ଭାଙ୍ଗେ ନାହିଁ, ଯାହାକୁ ବଞ୍ଚେଇବା ପାଇଁ ପୁଲିସ ଦୌଡ଼ି ଆସେ, ଏମିତି ବହି ଓ ଛବିର ସାଜ, ଏମିତି ଜଣେ ଶାଳୀ...

 

ଡ୍ରଇଁରୁମର ଖୋଲା ଝରକା ମୋ ଆଖିରେ ପଡ଼ିଲା ଓ ମୁଁ କାନେଇଲି । ଗୋଟିଏ ହେଲେ ଧ୍ୱନି ଆସୁ ନାହିଁତ ? ଯୁଦ୍ଧ ସରି ଯାଇଛି ନିଶ୍ଚୟ । ତା’ବୋଲି କ’ଣ କେହି କିଛି ସନ୍ଦେଶ ପଠାଇ ପାରି ନାହାନ୍ତି ? ଧ୍ୱନି ସରି ଯାଇଛି ସିନା–ପ୍ରତିଧ୍ୱନି ନାହିଁ....ନାହିଁ । ଖାଲି ପରସ୍ତ ପରସ୍ତ ହୋଇ ଉଷୁମୂଳିଆ ପବନ ଭାସି ଆସୁଛି । ହତବାକ୍ୟ ନଷ୍ଟବୀର୍ଯ୍ୟବାଷ୍ପତକ ମୋ ଚାରି ପାଖରେ ଗୁଡ଼େଇ ହେଉଛି, ଶରଣ ପଶୁଛି ।...କିଓ, ମୁଁ କ’ଣ କରିବି ? ମୁଁ କଣ ଲିଡ଼ର ନା ହିରୋ ? ଏତକ ବୁଝୁ ନାହଁ ଯେ ମୁଁ ତୁମ ଦଳରେ ଥିଲେ କ’ଣ ହେବ ମୋର ଦର୍କାର ଏମିତି ଗୋଟାଏ ଘର, ଏମିତି ଗୋଟାଏ ଡ୍ରଇଁରୁମ୍‌– । କାହିଁକିନା ମୋର ମଧ୍ୟ ପକ୍‌କା ବସାଘରଟିଏ ଅଛି, ହୁଏତ ସେଥିରେ ପୋର୍ଟିକୋ ନାହିଁ, ବାଲକନି ନାହିଁ, ଏୟାର କଣ୍ଡିସନର ଲଗା ହୋଇ ନାହିଁ । ମୋର ମଧ୍ୟ ଡ୍ରଇଁରୁମ୍‌ ଅଛି ଯଦିଓ ସେଠି ଗାଲିଚା ପଡ଼ିନାହିଁ, ସୋଫା ନାହିଁ, ଭଳିଭଳିକା ଟେବୁଲ ଲ୍ୟାମ୍ପ ସଜା ହୋଇନାହିଁ-। ହଁ, ମୋ ଘରେ ଇଲେକ୍‌ଟ୍ରିକ୍‌ ଲାଇଟ୍‌ ଜଳେ । ଅବଶ୍ୟ ଖର୍ଚ୍ଚ ବେଶି ପଡ଼ୁଛି ବୋଲି ରେଣୁ କଜିଆକରି ବଲ୍‌ ବଦଳେଇଛି, ସାହିତ୍ୟ କି ରାଜନୀତି କିଛି ପଢ଼ି ହେଉ ନାହିଁ । ମୁଁ ବହିର ମୂଲ୍ୟ ଜାଣେ । ମୋରି କଥା ମାନି ମିଷ୍ଟର ଦତ୍ତମାନେ ବହି କିଣନ୍ତି ! ମୁଁ ଆର୍ଟ ଚିହ୍ନି ଜାଣେ-। ଏସବୁ ମୋର ହାତ ପାହାନ୍ତରେ, ମୁଁ ଯଦି ଲାଗି ପଡ଼ନ୍ତି । ଏଇ ପାହାଚରେ ଉଠିବା ସହଜ, ତା’ହେଲେ ମୁଁ ଜଲଦି ହିରୋ ହୋଇଯିବି । ଥରେ ହିରୋ ହୋଇଗଲେ ଆଉ କଥା ନାହିଁ । ମୁଁ ବିପ୍ଳବର ଢେଉ ଉପରେ ବଢ଼ିଯିବି । ଚଢ଼ିଯିବି ଆଉ ତୁମମାନଙ୍କୁ ଧନ୍ୟ କରିବି । ଏତିକି ବୁଝୁନାହଁ ?

 

ମୋର ଆଜି ଯାହା ହେଲା, ପୁଣି କେବେ ହେବ ନାହିଁ । ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି ।

 

ଏହି ସମୟରେ ମୁଁ ଦେଖିଲି ଯେ ମିଷ୍ଟର ଦତ୍ତ ଓ ତାଙ୍କ ଶାଳୀ, ଦୁହିଁଙ୍କୁ ଦୁହେଁ, ଝରକା ବାଟେ ବାହାରକୁ ଚାହିଁଛନ୍ତି । ମିଷ୍ଟର ଦତ୍ତ ହାତ ଘଡ଼ି ଦେଖୁଛନ୍ତି । ମୁଁ କୌତୂହଳୀ ଦୃଷ୍ଟି ଦେବା ମାତ୍ରେ ମିଷ୍ଟର ଦତ୍ତ ତାଙ୍କ ଶାଳୀଙ୍କୁ କହିଲେ, ‘‘ବେଶି ଡେରି ହୋଇନାହିଁ । ଆଉ ଅଳ୍ପ ସମୟ ଭିତରେ ପହଞ୍ଚିଯିବ ।’’ ଅନୁରାଧା ଦେବୀ ସମର୍ଥନ ସୂଚକ ମୁଣ୍ଡ ଟୁଙ୍ଗାରିଲେ । କହିଲେ, ‘‘ମୁଁ ଜାଣେ-। ତା’ ଛଡ଼ା ଆଜିତ ଡେରି ହେବାର କଥା । ଆଜି ତାଙ୍କର ମୁଣ୍ଡ ଗଣୁ ଗଣୁ ସମୟ ଯାଉଥିବ-।’’ କହି ସାରି ଫିକ୍‌ କରି ହସିଲେ ।

 

କିଏ ଆସିବ ? କିଏ ସେହି ମେଷ ପାଳକ ? ମିଷ୍ଟର ଦତ୍ତ ମୋର ଜିଜ୍ଞାସା ଅନୁମାନ କଲା ପରି କହିଲେ, ‘‘ଆମ ଶାଳୀଙ୍କ ସ୍ୱାମୀ ଆସି ପହଞ୍ଚିଯିବେ ଏଇକ୍ଷଣି । ତାଙ୍କଠୁ ପୁରା ଖବର ଜଣା ପଡ଼ିବ । ସେ ହେଉଛନ୍ତି ସିକ୍ୟୁରିଟି ପୁଲିସ ବିଭାଗର ଅସଲ ମାଲ, ସୁଭାଷ ମିତ୍ର । ତାଙ୍କ ନାଁ ଶୁଣିଥିବେ ବୋଧହୁଏ–’’

 

ନା, ମୁଁ ଶୁଣି ନାହିଁକି ଶୁଣିବାକୁ ଚାହେଁ ନାହିଁ । ଏମାନେ ଜାଣିଶୁଣି ମୋତେ ଏଠୁ ତଡ଼ିବାକୁ ଚାହାନ୍ତି । ଯେପରିକି ପୁଲିସ ନାଁ ଶୁଣିଲେ ମୋର ମନେ ପଡ଼ିବ । ଆଜି ସଂଜବେଳେ ଯାହା ଘଟିଲା, ଯେଉଁ ଅସନା ନାଲିଚିଆ ଆଖି ମାରିବାକୁ ମାଡ଼ି ଆସିଲା ଓ ଟଳି ପଡ଼ିଲା....ତା’ ଛାତିରୁ (ଛାତିରୁ ନା ପେଟରୁ ? ନା ବେକରୁ ?) ଗଜଗଜ ହୋଇ ରକ୍ତ ବାହାରି ଆସିଲା । ନା, ମୁଁ ଶୁଣିବି ନାହିଁ । ମୁଁ ଅଯଥାରେ ରାଗିକରି ନିଜକୁ ଦୁର୍ବଳ କରିବି ନାହିଁ । କାହିଁକି ? ସେହି ରକ୍ତର ରଙ୍ଗ କ’ଣ ଖାଲି ମୋରି ରକ୍ତର ରଙ୍ଗ ସାଙ୍ଗରେ ମିଶୁଛି ।

 

ମୋତେ ରଗେଇବାକୁ ଚେଷ୍ଟା କରନାହିଁ । ସୁଭାଷ ମିତ୍ର ଆସନ୍ତୁ । ଜୀଅନ୍ତା ମୁଣ୍ଡ ଗଣିକରି ଆସନ୍ତୁ ବା ମଲା ମୁଣ୍ଡ ଗଣିକରି ଆସନ୍ତୁ ମୋର ଯାଏ ଆସେ ନାହିଁ । ଏଇ ଦେଖ ଅନୁରାଧାଙ୍କ ଓଠରେ ଏପର୍ଯ୍ୟନ୍ତ ହସଟିଏ ଲାଖି ରହିଛି, ସତେକି ସ୍ୱାମୀଙ୍କର ବିଚିତ୍ର ବୃତ୍ତି ତାଙ୍କୁ ଏପର୍ଯ୍ୟନ୍ତ କୁତୁକୁତୁ କରୁଛି । ମିଷ୍ଟର ଦତ୍ତ ତାଙ୍କ ବକ୍ତବ୍ୟ ଶେଷକରି ମ୍ୟାଗାଜିନ୍‌ ଓଲଟେଉଛନ୍ତି । ଏମାନଙ୍କର କିଛି ହେଉନାହିଁ । ନିଶ୍ଚିନ୍ତ ଅବିଚଳିତ ହିରୋ-ମଣିଷ, ହିରୋ ଶାଳୀ; ଆସି ପହଞ୍ଚିବେ ହିରୋ ପ୍ରମୁଖ । ଶିଳ୍ପପତି, ଶିଳ୍ପପତିର ପୁଲିସ, ଶିଳ୍ପପତିର ନାରୀ, ତୁମେ ସମସ୍ତେ ସେହି ଅମଳିନ ହିରୋଧାତୁରେ ଗଢ଼ା । ମୁଁ କ’ଣ ଜାଣେନାହିଁ ? ମୁଁ ଆଜି ଭଲ ଭାବରେ ଜାଣିଲି, କଦାପି ଭୁଲିବି ନାହିଁ । ମୁଁ ଯିବିନାହିଁ ।

 

ଆଉ ଥରେ କଫି ଆସୁ ନାହିଁ କାହିଁକି ? ଅନୁରାଧା ଦେବୀ, ଆପଣ ହସୁଛନ୍ତି ନା ଓଠ ଚାଟୁଛନ୍ତି ? ଦୟାକରି ମୋତେ ସେସବୁ ଭେଳିକି ଦେଖାଅ ନାହିଁ ! ମୋତେ ଚହଲାଇ ଦିଅ ନାହିଁ ! ମୁଁ ତୁମକୁ ଚାହେଁ, ମାନେ ତୁମର ଏଇ ସଂସାରର ଶୁଭ୍ର ସଂପଦଟିକ ଯାହା ମୋ ହାତ ପାହାନ୍ତାରେ ଅଛି, ଆଉ କେଇଟା ପାହାଚ...

 

ମିଷ୍ଟର ଦତ୍ତ କ’ଣ ଭାବିଲେ କେଜାଣି ମୋ ପାଖକୁ ଆସି ମୋ ଦେହରେ ହାତ ରଖିଲେ ଓ କହିଲେ, ‘‘ମିଷ୍ଟର ଦାସ, କେମିତି ଲାଗୁଛି ଏଇକ୍ଷଣି ? ରାତି ବଢ଼ିଲାଣି, ଘରକୁ ଯିବେନାହିଁ ?’’ ମୋ ଉତ୍ତରର ଅପେକ୍ଷା ନ କରି କହି ଚାଲିଲେ, ‘‘ଅବସ୍ଥା ଥଣ୍ଡା ପଡ଼ିଗଲାଣି । ଆପଣ ଗୋଟାଏ କାମ କରନ୍ତୁ । ଏଇ ହତା ପାରିହୋଇ ଆସ୍ତେ ଆସ୍ତେ ଚାଲି ଚାଲି ଲୋଅର ସାର୍କୁଲାର ରୋଡ଼ ଧରି,–ଆପଣଙ୍କର ବସା କେଉଁଠି, ମୋମିନ୍‌ପୁର ନା ? ବେଶି ଦୂର ନୁହେଁ । ସିଧାସଳଖ ଆସ୍ତେ ଆସ୍ତେ ଚାଲିଯିବେ । ପଛକୁ ଅନେଇବେ ନାହିଁ ।’’

 

ମୁଁ ଶୁଣିଗଲି, କିନ୍ତୁ ସୋଫାରୁ ଉଠିବାକୁ ଉଦ୍ୟତ ହେଲି ନାହିଁ ।

 

ଯିବାକୁ ହେବ ? ମୋର ଅନ୍ତଃସ୍ଥତ କାନ୍ଦି ଉଠିଲା । ଏଠୁ ଘର ଯାଏଁ ଗଲା ଭିତରେ ଯଦି ମୁଁ ଏମାନଙ୍କୁ ଭୁଲିଯାଏ ! ଆଉ ଯଦି ସେମାନେ–ସେଇ ଲୋକଟା–ସେଇ ଲୋକମାନେ ମନେ ପଡ଼ିଯିବେ ।

 

ଉପାୟ ନଥିଲା । ଅନୁରାଧା ଦେବୀ ବିଦାୟର ବିସ୍ତୃତ ସ୍ମିତହାସ ଦେଲେ ଓ ମଝିରେ ମଝିରେ ଆସିବାକୁ କହିଲେ ।

 

ମିଷ୍ଟର ଦତ୍ତ ମୋତେ ଫାଟକଯାଏଁ ପାଛୋଟି ନେଲେ । ନିଛାଟିଆ ରାସ୍ତାରେ ଲୋକବାକ କେହି ଦିଶୁ ନଥିଲେ । କେବଳ ବତୀଖୁଣ୍ଟର ଆଲୁଅ ତଳେ ଅଲାଜୁକ ଟୋକା ଓ ଭଙ୍ଗା କାଚଗୁଡ଼ା ଆକାଶକୁ ଅନେଇ ଦାନ୍ତ ଦେଖାଉ ଥିଲେ ।

ଶେଷକୁ ମିଷ୍ଟର ଦତ୍ତ ପୁଣି ଥରେ ଚେତାଇ ଦେଲେ–ଆସ୍ତେ ଆସ୍ତେ ଘରମୁହାଁ । ଚାଲିବେ । ପଛକୁ ଅନେଇବେ ନାହିଁ । ବୁଝିଲେ ?

Image

 

ଅଣ୍ଡା

 

ଶ୍ରୀଯୁକ୍ତ ରାଏ ଯାହା କହିଲେ–

 

ସକାଳୁ ଉଠିଲା ବେଳେ ମୁଁ ପ୍ରସନ୍ନ ଥିଲି । ନିଦଟା ଭଲ ହୋଇଥିଲା ପରି ଲାଗୁଥାଏ । ପୁଣି ନିଦର ଧାରରେ କ’ଣ ଗୋଟାଏ ସ୍ୱପ୍ନ ଲାଖିଥିଲା କେଜାଣି, ମୋର ମୁହଁ ଧୋଇବାକୁ ଇଚ୍ଛା ହେଉ ନ ଥିଲା, କାଳେ ମନର ସୁଆଦିଆ ଭାବ ଧୋଇ ହୋଇଯିବ ।

 

ମୁହଁକୁ ଧୋଇ ପୋଛି ତଉଲିଆରେ ରଗଡ଼ି ସାରିଲା ପରେ ମୁଁ ସ୍ୱପ୍ନକୁ ମନେ ପକାଇବାକୁ ଚେଷ୍ଟା କଲି । ପରିଶ୍ରମରେ ବିଶେଷ କିଛି ଲାଭ ହେଲା ନାହିଁ । ତେବେ ଗୋଟିଏ କ୍ଷୀଣ ଅଥଚ ଉଜ୍ଜ୍ୱଳ ଅନୁଭୂତିର ଆଭାସ ମିଳିଲା ଯେ ସ୍ୱପ୍ନରେ ଶ୍ରୀମତୀ ଓ ତାଙ୍କ ପରି ଆଉ କେତେଜଣ ନାରୀ ମୋତେ ପ୍ରଶଂସା କରୁଥିଲେ । ପ୍ରଶଂସାର ପଦ ମନେ ପଡ଼ିଲା ନାହିଁ । ଏବଂ ଦୁଃଖର ବିଷୟ ସେ ଶ୍ରୀମତୀଙ୍କ ବ୍ୟତୀତ ଆଉ କାହାର ନିଜସ୍ୱ ମୁହଁ ବାରି ହେଲା ନାହିଁ ।

 

ଏଥିରେ ତାଙ୍କର ଦୋଷ ଥିଲା ବୋଲି ମୁଁ କହୁ ନାହିଁ । ସେ କ’ଣ ଏତେ ପ୍ରତାପଶାଳିନୀ ଯେ ମୋ ସ୍ୱପ୍ନକୁ ଲେସି ଦେଇ ନିଜ ଚେହେରାର ଠଅ ବୁଲେଇ ଦେଇ ଚାଲିଯିବେ ! ମୁଁ ହସିଲି, ଓ ହସହସ ମୁହଁରେ ଶୋଇବା ଘର ଭିତରକୁ ଯାଇ ଶ୍ରୀମତୀଙ୍କ ମୁଣ୍ଡ ପାଖରେ ବସିଲି । ତା’ ପରେ ତାଙ୍କୁ ଉତ୍ତମରୂପେ ଗେହ୍ଲା କଲି ।

 

ଅବଶ୍ୟ ତାଙ୍କର ନିଦ ଭାଙ୍ଗିଲା ନାହିଁ । ସକାଳର ପ୍ରଥମ ଚୁମ୍ୱନରେ ତାଙ୍କ ନିଦ ଭାଙ୍ଗେ ନାହିଁ । ସେ ପ୍ରଥମେ ଚା’କପ୍‌ ପାଇଁ ଅପେକ୍ଷା କରନ୍ତି । ଆଜିକାର ଚୁମ୍ୱନରେ ଯେଉଁ ବିଶେଷ ଗୁଣ ଥିଲା ତା’ର ଅଙ୍ଗୀକାର ମିଳିଥିଲେ ବୋଧହୁଏ ମୁଁ ଅଧିକ ଆନନ୍ଦିତ ହୋଇ ଥାଆନ୍ତି । କିନ୍ତୁ ସେଥିପାଇଁ ମୁଁ ତାଙ୍କୁ ଦୋଷ ଦେଉ ନାହିଁ । ସେ କ’ଣ ସର୍ବଜ୍ଞ ହୋଇଛନ୍ତି ଯେ ମୋ ନିଜ ଓ ସ୍ୱପ୍ନର ଭିତିରି କଥା ଜାଣିପାରନ୍ତେ ?

 

ଯାହାହେଉ ସେ ଯଥା ସମୟରେ ଉଠିଲେ ଓ ତତ୍‌କ୍ଷଣାତ୍‌ ଘରକରଣାର ନହବତ୍‌ ବାଜି ଉଠିଲା ସବୁଦିନ ପରି । ଅଳସେଇ ଝିଅର ନିଦ ଭାଙ୍ଗିଗଲା । ଘର ଓଳେଇବାର ଶବ୍ଦ ଦ୍ରୁତ ହୋଇଉଠିଲା । ଦ୍ୱିତୀୟ ପର୍ଯ୍ୟାୟର ଚା’ପାଣି ଗବ୍‌ଗବ୍‌ ହୋଇ ଫୁଟିଲା । ଜଲି କୁକୁର ନିଜକୁ ଦୁଇ ତିନିଥର ଝାଡ଼ିଝୁଡ଼ି ଦେଇ ଆଟେନ୍‌ସନ୍‌ର ଭଙ୍ଗୀରେ ଛିଡ଼ା ହୋଇଗଲା–ମୁଁ ସକାଳ ଭ୍ରମଣପାଇଁ ପ୍ରସ୍ତୁତ । ମନେହେବ ଯେ ମୁଁ ମଧ୍ୟ ସେହି ସିଗ୍‌ନାଲ୍‌ର ଅପେକ୍ଷାରେ ଥିଲି ଓ ତରତର ହୋଇ ଖିଅର ହେବା ଜିନିଷ ଆଣି ଟେବୁଲ୍‌ ଉପରେ ସଜାଡ଼ି ଦେଲି ।

 

ସେ ମୋ ମୁହଁକୁ ଚାହିଁ ସାମାନ୍ୟ ଓଠଚିପା ସ୍ମିତହାସ ଦେଲେ । ସତେକି ସେ ଘରକରଣାର ଏହି ଉପଯୁକ୍ତ ତତ୍ପରତା ଦେଖି ମୋତେ ଧନ୍ୟବାଦ ଜଣାଉଛନ୍ତି । ନା, ମୋର ଏଭଳି କଳ୍ପନା ପାଇଁ ସେ ଦାୟୀ ନୁହନ୍ତି । ସେ କର୍ମକୁଶଳା ଏବଂ ତାଙ୍କ ପ୍ରଭାବରେ କର୍ମର ପ୍ରଭାବ ଚଞ୍ଚଳ ହୋଇ ଉଠେ–ଏଥିରେ ଦୋଷ ଦେବାର କ’ଣ ଅଛି ?

 

ଚାହୁଁ ଚାହୁଁ ବ୍ରେକ୍‌ଫାଷ୍ଟର ସମୟ ଆସିଗଲା । ପ୍ରଥମେ ମୁଁ । ମୁଁ ବ୍ରେକ୍‌ଫାଷ୍ଟ ଖାଇ ଅଫିସକୁ ଯାଇ ସାରିଲା ପରେ ଅନ୍ୟମାନଙ୍କ ପାଳି । ତେଣୁ ମୁଁ ଯଥାବିଧି ଏକୁଟିଆ ମଝି ଚଉକିରେ ବସିଲି ଓ ଅପେକ୍ଷା କଲି ।

 

ଦିନର ଏହି ପ୍ରଥମ ଆାହାରଟିକୁ କିଏ ଭଲ ନ ପାଏ ? ଆଗକୁ ଜଞ୍ଜାଳ ଅଛି, ସଂଘର୍ଷ ଅଛି, ଥାଉ । ମୁଁ ସୁସ୍ଥ, ମୁଁ ସଦ୍ୟସ୍ନାତ, ମୁଁ ଜୀବନକୁ ସ୍ୱୀକାର କରୁଛି । ତା’ର ପ୍ରତୀକ ଏହି ମୋର ବ୍ରେକଫାଷ୍ଟ୍‌ । ବିପୁଳ ଓ ବର୍ଣ୍ଣ ବିଚିତ୍ର ! ଫେନିଳ ଓ ଧୂମାୟିତ !

 

ଏବଂ ଜଣେ ବୋଲି ମୁଁ ତା’ର ଅପେକ୍ଷା କରୁଛି । ଶ୍ରୀମତୀଙ୍କର ନେତୃତ୍ୱରେ ଅନ୍ୟମାନେ ପରିବେଷଣ କରିବେ । ମୁଁ ଗ୍ରହଣ କରିବି ।

 

ମୁଁ ଆଙ୍ଗୁଳିରେ ଆଙ୍ଗୁଳି ଯୋଡ଼ିଲି । ଗୁଣୁଗୁଣୁ ହେଲି, ଅପେକ୍ଷା କଲି ।

 

ଆହାର ଦ୍ରବ୍ୟ ସବୁଦିନେ ସମାନ । କିନ୍ତୁ ମୋତେ ଚିଟା ଲାଗେ ନାହିଁ । ବିଶେଷତଃ ଅଣ୍ଡା । ଅଣ୍ଡା-ଫ୍ରାଏର ନିତ୍ୟନୂତନ ରୂପ ମୋତେ ମୁଗ୍‌ଧ କରେ । କୋମଳ ଧଳାର ପରିଧି ଭିତରେ ଗୋଲ ଗୋଲ ହଳଦିଆଟି ଢଳଢଳ ହେଉଛି । କହିପାର ଗୋଟିଏ ଜାଗ୍ରତ ଆଖି କିମ୍ୱା ଗୋଟିଏ ପ୍ରସ୍ଫୁଟିତ ଗୋଲାପ ଫୁଲ । କିନ୍ତୁ ଉପମାର ପ୍ରୟୋଜନ ନାହିଁ । ଉଚିତ ଭାବରେ ପ୍ରସ୍ତୁତ ହୋଇଥିବା ଅଣ୍ଡା-ଫ୍ରାଏର ଏକ ପରିପୂର୍ଣ୍ଣ ସୌନ୍ଦର୍ଯ୍ୟ ଅଛି ଯାହା ଏକାଧାରରେ ପଞ୍ଚ ଇନ୍ଦ୍ରିୟକୁ ଆକ୍ରମଣ କରେ, ତୁରନ୍ତ ତା’ ପ୍ରତି ପ୍ରତିଆକ୍ରମଣ ଚଳାଇବାକୁ ଇଚ୍ଛା ହୁଏ । ବ୍ରେକ୍‌ଫାଷ୍ଟ୍‌ର ଅଣ୍ଡା ପ୍ରତ୍ୟେହ ଶ୍ରୀମତୀ ତିଆରି କରି ଆଣନ୍ତି । କାରଣ ସେ ଜାଣନ୍ତି ଓ ମୋର ବିଶ୍ୱାସ ଯେ ତାଙ୍କ ଛଡ଼ା ନିଖୁଣ ଅଣ୍ଡା-ଫ୍ରାଏ କରିବାର ଦକ୍ଷତା ଆଉ କାହାର ନାହିଁ ।

 

ଟୋଷ୍ଟ୍‌ ସହିତ ଅଣ୍ଡା-ଫ୍ରାଏ ଆସିଲା । କିନ୍ତୁ ଏ କ’ଣ ? ଆଜି ଏ କଅଣ ହୋଇଛି ? ଧଳାର ସୀମା ଉଦ୍‌ବୃତ୍ତ ଘିଅରେ ଦୁଗ୍‌ଧ ହୋଇ ମୋଡ଼ି ମୋଡ଼ି ହୋଇ ଯାଇଛି ଏବଂ ହଳଦିଆଟି ନାହିଁ ! ଆର୍ଥାତ୍‌ ଅମୁହାଁ ହୋଇ ଗୋଟାଏ କଡ଼କୁ ଲେସି ହୋଇଯାଇଛି । ଏଭଳି ଗୋଟିଏ ବସ୍ତୁ ଉପରେ ଛୁରିକଣ୍ଟା ଚଳାଇଲେ କି ସୁଖ ମିଳିବ ?

 

ସେହିଠୁ ତାଙ୍କୁ ଦୋଷ ଦେବାକୁ ପଡ଼ିଲା । ଦୋଷ ଦେବାର କ’ଣ ଯଥେଷ୍ଟ କାରଣ ନ ଥିଲା ?

 

କିନ୍ତୁ ମୁଁ ରାଗିଲି ନାହିଁ । କିଛି କହିଲି ନାହିଁ । ବିରାଗ ସହକାରେ ଅଣ୍ଡାକୁ କିଛି ସମୟ ଅନାଇଲି ଓ ତା’ପରେ କୁଣ୍ଠିତ ଭଙ୍ଗିରେ କାଟିବାକୁ ଆରମ୍ଭ କଲି ।

 

ଭୁଲ୍‌ ତ୍ରୁଟି କାହାର ହୁଏ ନାହିଁ ? କାର୍ଯ୍ୟରେ ହୁଏ, ଚିନ୍ତାରେ ହୁଏ । ବ୍ୟବହାରରେ ହୁଏ, ବାକ୍ୟରେ ହୁଏ । ଅତଏବ ଯେ ଭୁଲ୍‌ କଲା ତାକୁ ତର୍ଜ୍ଜନୀ ଦେଖାଇ ଛିଃ ବୋଲି କହିବା ଉଚିତ ନୁହେଁ, ତା’ ମନରେ ଗ୍ଳାନି ଆଣିବା ଉଚିତ ନୁହେଁ । ସେଥିରେ ତା’ର ଆତ୍ମବିଶ୍ୱାସ ବିକ୍ଷତ ହୁଏ, ଏବଂ ଭବିଷ୍ୟତରେ ଭୁଲ୍‌ କରିବାର ପ୍ରବଣତା ବଢ଼ିଯାଏ । ମୁଁ ଏହି ଧାରଣା ସର୍ବଦା ପୋଷଣ କରି ଆସିଛି-। ତେଣୁ ମୋର ରାଗିବାର କୌଣସି କାରଣ ନ ଥିଲା ।

 

ଅବଶ୍ୟ ଯେ ଭୁଲ୍‌ କଲା ତା’ର ଜାଣିବା ଉଚିତ । ଜାଣିବା ଉଚିତ ଯେ ସେ ଯେତେ ସାବଧାନ ସୁଚତୁର ପ୍ରବୀଣ ହେଉ ନା କାହିଁକି, ତା’ର ମଧ୍ୟ ଭୁଲ୍‌ ହୋଇପାରେ । ସେଇଥିପାଇଁ ମୁଁ ରହି ରହି ମନ୍ଦ ଗତିରେ ଅଣ୍ଡାଟିକୁ ଖାଇବାକୁ ଲାଗିଲି । ତୁମର ଭୁଲ୍‌ ହୋଇଛି, ତା’ର ଫଳ ମୋତେ ଭୋଗିବାକୁ ପଡ଼ୁଛି । କିନ୍ତୁ କ’ଣ କରାଯିବ ? ଏମିତି ହୋଇଥାଏ ।

 

ଶ୍ରୀମତୀ ପାଖକୁ ଲାଗି ଆସି ପଚାରିଲେ, ‘‘ଅଣ୍ଡାଟା ଖରାପ ହୋଇଗଲା ନା ?’’

 

ମୁଁ ନିରୁତ୍ତର ରହିଲି । ପ୍ରତ୍ୟକ୍ଷ ସତ୍ୟକୁ ଚିହ୍ନାଇବା ଦରକାର କଅଣ ?

 

ସେ ପୁଣି ପଚାରିଲେ, ‘‘ଆଉ ଗୋଟିଏ କରି ଆଣିବି ?’’

 

ମୁଁ ଦୃଢ଼ ଭାବରେ ମୁଣ୍ଡ ହଲାଇ ମନା କଲି । କହିଲି, ‘‘ଠିକ୍‌ ଅଛି । ଏମିତିକା ଅଣ୍ଡା କଅଣ କେହି ଖାଆନ୍ତି ନାହିଁ ?’’

 

ମୁଁ କେବଳ ଏତିକି କହିଲି ତାହା ନୁହେଁ, ଶ୍ରୀମତୀଙ୍କ ଫେରନ୍ତା ବାଟକୁ କଣେଇ କଣେଇ ଚାହିଁଲି । କାରଣ ମୋର ସନ୍ଦେହ ହେଲା ଯେ ସେ ମୋର ବାରଣ ନ ମାନି ଆଉ ଗୋଟିଏ ଅଣ୍ଡା ତିଆରି କରି ଆଣି ପାରନ୍ତି । ଅସମ୍ଭବ ନୁହେଁ । ସେମିତି କହିଥିଲେ ମୁଁ ହୁଏତ ଲମ୍ଫ ଦେଇ ଚଉକିରୁ ଉଠି ଯାଇଥାଆନ୍ତି ଓ ଖପ୍‌ କରି ତାଙ୍କ ହାତକୁ ଧରି ପକାଇ ଥାଆନ୍ତି । ଭୁଲ୍‌କୁ ସୁଧାରି ନେବା କ’ଣ ଏତେ ସହଜ, ଏତେ ସାମାନ୍ୟ ?

 

ମୁଁ ଆଶ୍ୱସ୍ତ ହେଲି ଯେ ସେ ସେଭଳି ବୀରତ୍ୱ ପ୍ରକାଶ କରୁନାହାନ୍ତି । କିନ୍ତୁ ମୁଁ ତାଙ୍କ ମୁହଁର ଚେହେରାରେ ଦୁଃଖ ବା ପରାଜୟର ଚିହ୍ନ ଦେଖିଲି ନାହିଁ, କେବଳ କିଞ୍ଚିତ ଭାରୀପଣର ଅନୁମାନ କଲି । ଭାବିଲି ଯେ ସେଇ ଯଥେଷ୍ଟ । ଏ ଭାରୀପଣ ଦୁଃଖକୁ ଘୋଡ଼ାଇବାର ପଲମ ।

 

ଖାଇ ସାରିବା ପୂର୍ବରୁ ସେ ଆଉ ଥରେ ଯନ୍ତ୍ରଚାଳିତ ଭାବରେ ପଚାରିଥିଲେ,–‘‘କଣ କହୁଛ ? ଆଉ ଗୋଟାଏ କରିଦିଏ ?’’

 

ମୁଁ ଅନୁରୂପ କଣ୍ଠରେ ଦ୍ୱିରୁକ୍ତି କରିଥିଲି, ‘‘ନା–ନା–ଠିକ୍‌ଅଛି ।’’

 

ଏହିପରି ବ୍ରେକ୍‌ଫାଷ୍ଟ ସମାପ୍ତ ହେଲା । ଶ୍ରୀମତୀଙ୍କର ଭୁଲ୍‌ ଓ ଭୁଲ୍‌ର ପରିଣତି ଜାରୀ ରହିଲା ।

 

ଏହାର କ୍ରମଶଃ ଏପରି ହେବ ବୋଲି କିଏ ଜାଣିଥିଲା ? କିଏ ଜାଣିଥିଲା ଯେ ଗୋଟିଏ ଭୁଲ୍‌ର ଆବିଷ୍କାର ପରେ ଏତେଗୁଡ଼ିଏ ଭୁଲ୍‌ ଜଳଜଳ ହୋଇ ଆଖିରେ ପଡ଼ିବ ?

 

ଛୋଟ ଛୋଟ କଥା । କିନ୍ତୁ ନ କହିଲେ କାହାଣୀ ପୂରା ହେଉ ନାହିଁ । ଡ୍ରଇଂ ରୁମ୍‍ର ଯେଉଁ ଫର୍ନିଚରଗୁଡ଼ିକ କାଲି ରଙ୍ଗ ଓ ପାଲିସ କରା ଯାଇଥିଲା, ଆଜି ସେ ସବୁ ମାଟିଆ ମଳିଚିଆ ଦେଖା ହେଉଛି । ଅଥଚ ମୁଁ ଆଶା କରିଥିଲି ଯେ ଶ୍ରୀମତୀଙ୍କ ଧାରଣା ଅନୁଯାୟୀ ମୁଁ ସେଥିରେ ମୁହଁ ଦେଖି ପାରିବି । ହୁଏତ ନିଜ ମୁହଁ ଦେଖିଲାବେଳକୁ ଶ୍ରୀମତୀଙ୍କର ସସ୍ମିତ ସମୁଜ୍ଜ୍ୱଳ ମୁଖମୁଣ୍ଡଳ ତା’ ଉପରେ ଲେପି ହୋଇଯିବ, ଯଥା ଜ୍ଞାନର ଦର୍ପଣ । କିନ୍ତୁ ଏ କଅଣ ହେଲା ? ଗତକାଲି ମୁଁ ତାଙ୍କ କଥାକୁ କାଟି ନ ଦେଇ ରୁଚିପ୍ରଦ ଭାବରେ ଆରମ୍ଭ କରିଥିଲି ଯେ ବୋଧହୁଏ ଏଭଳି କାଠରେ ରଙ୍ଗ ଚମକିବ ନାହିଁ । କିନ୍ତୁ ମୁଁ ମୋ କଥା ପୂରା କରି ପାରିଲି ନାହିଁ । ସେ ବଢ଼େଇକୁ ଆଦେଶ ଦେଲେ । ଏବଂ ମୋ ପ୍ରତି ଉଦାର ହସର ଛିଟିକାଏ ଛାଡ଼ି ଦେଲେ ।

 

ବ୍ରେକ୍‍ଫାଷ୍ଟ ପରେ ଆମେ ଦୁହେଁ ଡ୍ରଇଂରୁମ୍‍କୁ ଆସିଥିଲୁ । ମୁଁ ନୀରବରେ ଫର୍ନିଚରଆଡ଼କୁ ଆଙ୍ଗୁଳି ଦେଖାଇଲି । ସେ ନିଶ୍ଚୟ ବୁଝିଥିବେ, କିନ୍ତୁ କିଛି କହିଲେ ନାହିଁ ।

 

ହାୟ ! ନିଜ ଦୋଷ ସ୍ୱୀକାର କରିବା କଅଣ ଭୀରୁତାର ଲକ୍ଷଣ ?

 

କିନ୍ତୁ ମୁଁ କିଞ୍ଚିତ ବିସ୍ମିତ ହେଲି ଯେ ସେ ସ୍ୱୀକାର ନ କରିବାର ଟାଣପଣ ମଧ୍ୟ ଦେଖାଉ ନାହାନ୍ତି । ମୁହଁଟା ସେମିତି ଭାରୀ ହୋଇଅଛି । ନା, ଦୁଃଖ ଯୋଡ଼େଇବାର ପଲମ ପରି ଦିଶୁ ନାହିଁ-। ତା’ଠାରୁ ଆହୁରି ଗହୀରିଆ, ଆହୁରି ବର୍ତ୍ତୁଳ । ସତେ କି ସେ କିଛି ଘୋଡ଼ାଇବାକୁ ଯାଉ ନାହାନ୍ତି, ସମ୍ପାଦି ରଖୁଛନ୍ତି, ଜମାଉଛନ୍ତି । ଯଥା ସମୟରେ ପ୍ରକାଶ କରିବେ, ପ୍ରମାଣ ଦେବେ, ଆଖି ଝଲସାଇ ଦେବେ । ଯାହାହେଉ ମୁଁ ସେଥିରେ କିଛି ଗୁରୁତ୍ୱ ଦେଲି ନାହିଁ । ବ୍ରେକ୍‍ଫାଷ୍ଟର ଅଣ୍ଡା ପରଠାରୁ ମୋର ଧାରଣା ବଢ଼ି ଚାଲିଲା ଯେ ସେ ବୁଝିବେ । ହୁଏତ ଆଜିକାର ଦିନ ସରିବା ଆଗରୁ,–କିଏ କହିବ ?

 

କେବଳ ନିଜ ଭୁଲ ବୁଝିବା କଥା କହୁନାହିଁ । ମୋତେ ବୁଝିବେ ଯେ ମୁଁ ତାଙ୍କ ଭୁଲ୍‍ର ପରିଚୟ ଦେଇ ପାରିବି, ପ୍ରତିକାର କରି ପାରିବି ।

 

କଥା ହେଉଛି ଯେ ଖାଲି ଭଲପାଇବା କ’ଣ ଯଥେଷ୍ଟ ? ଯଦ୍ୟପି ମୁଁ ସେଥିରେ କେବେହେଲେ ଊଣା କରି ନାହିଁ । ସବୁଦିନ ପରି ସେଦିନ ମଧ୍ୟ ଅଫିସ୍‍ ଯିବା ଆଗରୁ ମୁଁ ତାଙ୍କ କପୋଳରେ ଯଥାବିଧି ଚୁମା ଦେଲି ।

 

ଅଫିସକୁ ଯାଇ ମୁଁ ବୀରବିକ୍ରମରେ କାମ କରି ବସିଲି । କେଜାଣି କାହିଁକି ମୋତେ କାମ କରିବାକୁ ଭାରୀ ହାଲୁକା ଲାଗୁଥାଏ ।

 

ପ୍ରତ୍ୟେକ ଦିନ ଲଞ୍ଚ୍‌ ପରେ ମୁଁ ତାଙ୍କ ପାଖକୁ ଫୋନ୍‍ କରେ । ଆଜି ମଧ୍ୟ କଲି । କିନ୍ତୁ ଆଜି ବୋଧହୁଏ ଟିକିଏ ଡେରି ହୋଇଗଲା । କାରଣ ଶ୍ୟାମଳୀ ଦତ୍ତ ନାମରେ ଜଣେ ଜୁନିୟର୍‌ ମୋ ପାଖକୁ ଆସି କୌଣସି ବିଷୟରେ ପରାମର୍ଶ ମାଗିଲେ ଓ ମୁଁ ମୋର ପରାମର୍ଶଟିକୁ ପ୍ରକୃଷ୍ଟ କରିବାକୁ ଚେଷ୍ଟା କଲି । କେତେବେଳେ ମୋର ଚେତା ପଶିଲା ଯେ ଠିକଣା ଟାଇମ୍‌ରୁ ପାଞ୍ଚ ମିନିଟ୍‌ ପାରି ହୋଇ ଗଲାଣି । ସେଇଠୁ ମୁଁ ମିସ୍‌ ଦତ୍ତଙ୍କ ପାଖରୁ କ୍ଷମା ମାଗି କହିଲି ଯେ ବାକିତକ ପରେ କହିବି, ଘରକୁ ଗୋଟିଏ ଜରୁରୀ ଫୋନ୍‌ କରିବାକୁ ଅଛି ।

 

ଶ୍ରୀମତୀ ମୋର ବିଳମ୍ୱ ଉପରେ ଆପେକ୍ଷ କରି କିଛି କହିଲେ ନାହିଁ । କିନ୍ତୁ ପ୍ରକୃତରେ କେତେ ସମୟ ଯାଏଁ ମୁଁ ମୋର ଅନୁଚିତ ବିଳମ୍ୱ ପାଇଁ ଦୁଃଖ କଲି ।

 

ଏବଂ କେତେକ ସମୟ ଯାଏଁ ମୋର ମନରେ ଏକ ଅପୂର୍ବ ଭାବ ଆସିଲା ଯେ ମୁଁ ଆଜି ଶ୍ୟାମଳୀକୁ ଭଲ ଭାବରେ ଦେଖିଲି ! କେଉଁ ଅଂଶଟିକୁ ଆଗରୁ ଦେଖି ନ ଥିଲି ଯାହା ଆଜି ଦେଖିଲି ଏ ଭଳି ପ୍ରଶ୍ନ କଲେ ମୁଁ ଅସୁବିଧାରେ ପଡ଼ିବି । ତେବେ ମୋଟାମୋଟି ଏତିକି କହିହେବ ଯେ ପ୍ରଥମଥର ପାଇଁ ମୁଁ ତାକୁ ଜଣେ ପୂର୍ଣ୍ଣାଙ୍ଗ ନାରୀ ରୂପରେ ଦେଖିଲି । ବୋଧହୁଏ ଆହୁରି ଟିକିଏ ବ୍ୟାଖ୍ୟା କରିବା ଆବଶ୍ୟକ । ଆମ ଅଫିସରେ ଅନେକ ନାରୀ ଅଛନ୍ତି । ଅଫିସ୍‌କୁ ଆସିବା ଓ ଅଫିସ୍‌କୁ ଫେରିବା ବାଟରେ ମଧ୍ୟ କେତେ ନାରୀମୂର୍ତ୍ତି ଆଖିରେ ପଡ଼ନ୍ତି । କାହାର ଟଣା ଟଣା ଆଖି, କାହାର କେଶ ବିନ୍ୟାସ, କାହାର ଭରା ନିତମ୍ୱ, ଅବା କାହାର ଉଚ୍ଚ ଛାତି ମୋ ମନରେ ଉଦ୍ଦୀପନା ଆଣେ, ଧପ୍‌ କରି ନାରୀତ୍ୱର ମୋହରଟିଏ ବାଡ଼େଇ ଦେଇ ଚାଲିଯାଏ । ବେଶ୍‌ ସେତିକି-। ସେଇ ଚେନାଏ । ସେଇ ଚେନାକରୁ ଆଗେଇ ଯାଇ ସମ୍ପୂର୍ଣ୍ଣ ନାରୀ-ମଣିଷକୁ ଦେଖିବାକୁ ଅର୍ଥାତ୍‌ ବ୍ୟକ୍ତି ବିଶେଷରୂପେ ଗ୍ରହଣ କରିବାକୁ କେଜାଣି କାହିଁକି ଡର ଲାଗେ । ସତେ କି ମୋତେ ମନା କରାହୋଇଛି । ସତେ କି ଶ୍ରୀମତୀ ଜାଣି ପାରିବେ ଓ ଜାଣିଲା ପରି ହସିବେ । କିନ୍ତୁ ମୁଁ ଆଜି ମିସ୍‌ ଦତ୍ତଙ୍କ ପ୍ରତ୍ୟେକ ସ୍ଫୁରଣ, ଉନ୍ମେଷ ଓ ଉନ୍ମୀଳନକୁ ଦେଖିଲି, ନିଠେଇ କରି ଦେଖିଲି ଓ ଖୁସି ହେଲି । ବାରମ୍ୱାର ନିଜକୁ ଚିହ୍ନାଇଲି ଯେ ଏ ମଧ୍ୟ ଜଣେ ନାରୀ । ଏବଂ ମୋର ହେଲା ଯେ ଏମିତି ଗୋଟି ଗୋଟି କରି ସମସ୍ତ ନାରୀମାନଙ୍କୁ ଦେଖିବି ।

 

ଆଜିକାର ଘଟଣା ସହିତ ମୋର ଏପରି ଭାବିବାର ସମ୍ପର୍କ ନଥାଇ ପାରେ । କିନ୍ତୁ ଯଦିବା ସେଥିରେ କିଛି ଭୁଲ୍‌ ଥାଏ, ଶ୍ରୀମତୀ କ’ଣ ଏମିତିକା ଭୁଲ୍‌ କରନ୍ତେ ନାହିଁ ? ନା ସେହେତୁ ମୁଁ ତାଙ୍କ ହୀନ ଚକ୍ଷୁରେ ଦେଖନ୍ତି ?

 

ଅଫିସରୁ ଫେରିବା ବାଟରେ ମୁଁ ଦରଜି ଦୋକାନକୁ ଯାଇ ମୋର ଗୋଟିଏ ପ୍ୟାଣ୍ଟ୍‌ର ଡେଲିଭରି ନେଲି । କନାଟିକୁ ଶ୍ରୀମତୀ ବାଛି ଥିଲେ (ଆଉ କିଏ ବାଛନ୍ତା ?) । ପ୍ୟାଣ୍ଟର ମାପ ମଧ୍ୟ ଶ୍ରୀମତୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଆ ହୋଇଥିଲା, ଯଦ୍ୟପି ମୁଁ ମୋର ଆଶଙ୍କା ଜଣାଇଥିଲି ଯେ ମୋର ଅଣ୍ଟା ଚିପି ହୋଇ ଯାଇପାରେ । ଦେଖିଲାବେଳକୁ ମୁଁ ଯାହା ଭାବିଥିଲି ସେଇୟା । କେବଳ ଅଣ୍ଟା ନୁହେଁ, ମୋର ନିମ୍ନ ଅଙ୍ଗ ସମସ୍ତ ଚିପି ହୋଇ ଯାଉଛି !

 

ମୁଁ ନୂଆପ୍ୟାଣ୍ଟ ପିନ୍ଧି ଶ୍ରୀମତୀଙ୍କୁ ମୋର ଦୁରବସ୍ଥା ଦେଖାଇଲି । ସେ ଉଚ୍ଚବାଚ୍ୟ ନ କରି ପଚାରିଲେ, ‘‘ତୁମେ ଦରଜିକୁ ଦେଇ ଆସୁ ନାହଁ ? ସେ ଢିଲା କରିଦେବ ।’’

 

ମୁଁ କହିଲି ‘‘ନା ଠିକ୍‌ ଅଛି । ଏକ ଦମ୍‌ ଫିଟ୍‌ ନ ପିନ୍ଧିଲେ କ’ଣ ଚଳିବ ନାହିଁ ?’’

 

ଅର୍ଥାତ୍‌ ପୁଣି ଜଣାଇ ଦେଲି ଯେ ତୁମର ଭୁଲ୍‌, ତା’ର ଏହି ପରିଣତି, କିନ୍ତୁ ମୁଁ ସେଥିରେ ବିଚଳିତ ହେବାର ଲୋକ ନୁହେଁ ।

 

ଶ୍ରୀମତୀ ମୋ‘ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁଲେ । ସତେ କି ସେ ମୋର ଉତ୍ତରକୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରୁଛନ୍ତି । ବୁଝିସାରି ତାଙ୍କ ଭାରୀ ମୁହଁର ପଲମ ଭିତରେ ସଜାଡ଼ି ଦେବେ । ତାଙ୍କର ଏହି ଅଧ୍ୟବସାୟ ଦେଖି ମୋ ମନରେ ଦୟାର ଉଦ୍ରେକ ହେଲା । ଏ କଷ୍ଟସାଧନ କେଉଁଥିପାଇଁ ? ମୋର ଇଚ୍ଛା ହେଲା ତାଙ୍କୁ ଆଶ୍ୱାସନା ଦେବି । କହିବି ଯେ ମଣିଷ ଭୁଲ୍‌ କରି ବଡ଼ ହୁଏ । ଭୁଲ୍‌ କରି ଶିଖେ । ତଟିନୀ ବଙ୍କା ହୋଇ ସିଧା ହୋଇ ଯିବାରୁ ସିନା କେତେ କୂଳ ଛୁଇଁ ଛୁଇଁ ଯାଏ, କେତେ ଭୂଇଁ ଶୀତଳାଇ ଯାଏ !

 

କହି ଥାଆନ୍ତି । କହି ପାରିଲି ନାହିଁ । କାଳେ ସେ ଭାବିବେ ଯେ ମୁଁ ତାଙ୍କ ଭୁଲ୍‌ର ସୁଯୋଗ ନେଇ ନିଜର ବଡ଼େଇ କରୁଛି ।

 

ଦୁର୍ଭାଗ୍ୟ ! ସେଦିନ ସଞ୍ଜବେଳେ ଆଉ ଗୋଟିଏ ଘଟଣା ଘଟିଲା । ଆବିଷ୍କାର କରାଗଲା ଯେ ଆମର ନୂଆ ବିଲେଇ ଛୁଆଟି ମରି ଯାଇଛି । ସେଥିପାଇଁ ଶ୍ରୀମତୀଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇ ପାରେ ନାହିଁ । କିନ୍ତୁ ହୁଏତ ସେ ଯଦି ତାକୁ ଆଲମାରୀ ଭିତରେ ନ ରଖି ଖୋଲା ଟୋକେଇ ଭିତରେ ରଖିଥାଆନ୍ତେ, ତାହାହେଲେ ସେ ବଞ୍ଚିଯାଇ ଥାଆନ୍ତା । ମୁଁ ମୋର ଆଶଙ୍କା ଜଣାଇଥିଲି, କିନ୍ତୁ ସେ ସେଥିରେ ଗୁରୁତ୍ୱ ଦେଇ ନ ଥିଲେ । ଫଳତଃ– ।

 

ଏଥର ମୁଁ ତାଙ୍କ ଭୁଲ ଚିହ୍ନାଇବାର ଚେଷ୍ଟା କଲି ନାହିଁ । ମୋର ହୃଦୟ ସହାନୁଭୂତିରେ ଭରିଗଲା । ସଞ୍ଜର ଧୂସର ଛାଇରେ ତାଙ୍କ ମୁହଁରେ ଯେଉଁ ଘନୀଭୂତ ଭାବ ପ୍ରକଟିଲା (ସେଥିରେ ଦୁଃଖ, କ୍ଷୋଭ, ଗ୍ଳାନି ଯାହା ଥାଉ ପଛକେ), ତାକୁ ଦେଖି ମୋର ପ୍ରେମପ୍ରବଣ ମନ ପୁଣି କିଛି କହିବାକୁ ଖୁଜୁବୁଜୁ ହେଲା । ଏଇୟା କହିବାକୁ ଯେ–

 

ଆସ, ମୁଁ ତୁମକୁ ଏଇ ସଞ୍ଜର ପରିଭାଷା ବୁଝେଇ ଦେବି । କବିତାରେ ଶୁଣେଇବି । ବିଜ୍ଞାନରେ ବଖାଣିବି ।

 

ଆସ, ମୁଁ ତୁମକୁ ଦେଶର ଆର୍ଥିକ ପରିସ୍ଥିତି ବିଷୟରେ ପଦେ ଅଧେ କହିବି । ଯେଉଁଥିରୁ ତୁମେ ଜାଣି ପାରିବ ଯେ କେବଳ ସରକାରକୁ ଗାଳି ଦେଲେ ଏତେ ବଡ଼ ଜଟିଳ ସମସ୍ୟାର ସମାଧାନ କରାଯାଇ ପାରିବ ନାହିଁ ।

 

ଆସ, ମୁଁ ତୁମକୁ ଶିଶୁ ମନସ୍ତତ୍ତ୍ୱ ସମ୍ପର୍କରେ କିଛି କହିବି । ସେହଠୁଁ ତୁମେ ବୁଝିପାରିବ ଯେ ପାଞ୍ଚବର୍ଷର ଝିଅଟାକୁ ଏମିତି ଗାଳି ଦେବା ପିଟିବା ଉଚିତ ନୁହେଁ ।

 

ଆସ, ମୁଁ ତୁମକୁ ଅନେକ କଥା କହିବି । ଅନେକ କଥା । ତୁମରି ଭଲ ପାଇଁ, ତୁମର ଭ୍ରମ-ଦୁଃଖ ଘୁଞ୍ଚାଇବା ପାଇଁ । ଜାଣିଛ, ସେଥିରେ ଆମର ପ୍ରେମ କେତେ ବଳିଷ୍ଠ କେତେ ଉନ୍ନତ ହୋଇ ଉଠିବ ?

 

ମୋର ଅନ୍ତରର ନିମନ୍ତ୍ରଣ ଅବ୍ୟକ୍ତ ରହିଲା । ରହୁ, ଆଜି ଦିନଟା କଟିଯାଉ । ନ ହେଲେ ସେ କାଳେ ଭାବିବେ ଯେ–। କିନ୍ତୁ ସେହି ଭାବର ପ୍ରଚୋଦନାରେ ମୁଁ ଗୋଟିଏ ଅସାଧାରଣ କାମ କଲି । ମୁଁ ରାତି ସାଢ଼େ ଆଠଟା ବେଳେ ତାଙ୍କୁ ଚମକାଇ କୁଣ୍ଢାଇ ପକାଇଲି (ସେତେବେଳେ ସେ ମନ ମାରିଦେଇ କ’ଣ ଗୋଟାଏ ମ୍ୟାଗାଜିନ୍‌ ପଢ଼ୁଥିଲେ) ଓ ତାଙ୍କ ବିସ୍ମୟ-ବିହ୍ୱଳ ଚାହାଣିକୁ ସମ୍ମାନ ଦେଲା ପରି ଆଖିପତାରେ ଚୁମା ଦେଲି । ଚୁମା ଦେଲି ଓ ତାଙ୍କର ହାତ ପାପୁଲିକୁ ମୁଠାଇ ଧରିଲି ।

 

ତାଙ୍କର ଭାରୀ ମୁହଁ ନିଶ୍ଚୟ ନରମ ହୋଇ ଆସିଲା । ପାଇବାର ଅପ୍ରତ୍ୟାଶିତ ସଙ୍ଘାତରେ ସେ ନିଶ୍ଚୟ ଜାଗ୍ରତ ହେଲେ, ଉଦ୍ୟତ ହେଲେ । ତାଙ୍କର ଦେହ ହାତ ଓ ଓଠ ଚଞ୍ଚଳ ହେଲା ପରି ଦିଶିଲା । ମୋର ମନେହେଲା ସେ ଯେ କୌଣସି ମୁହୂର୍ତ୍ତରେ ମୋର ଛାତିରେ ଲୋଟି ପଡ଼ିବେ ଓ କହିବେ,–ମୁଁ ତୁମକୁ ଚାହେଁ । ମୁଁ ତୁମ କଥା ଶୁଣିବାକୁ ଚାହେଁ ।

 

ସେ ନତୋମୁଖୀ ହୋଇ ତାଙ୍କ ହାତକୁ ସଧୀରେ କାଢ଼ି ଆଣିଲେ । କିନ୍ତୁ ମୋର ଦୃଢ଼ ଧାରଣା ହେଲା ଯେ ସେ ଅଚିରେ ଆପଣାକୁ ସଁପି ଦେଇ ଥାଆନ୍ତେ ଯଦି ଗୋଟାଏ ଦିନରେ ଏତେଗୁଡ଼ାଏ ଘଟଣା ଘଟି ନ ଥାଆନ୍ତା, ପୁଞ୍ଜୀଭୂତ ପରାଭବର ଖୋଳପା ଏତେ ଟାଣ ହୋଇ ନ ଥାଆନ୍ତା । ହେଉ, ଆଜିକା ଦିନଟା କଟିଯାଉ ।

 

ସେଦିନ ରାତିରେ ଶୋଇବା ବେଳକୁ ମୁଁ ତାଙ୍କ ଓଠରେ ଏକ ସ୍ୱଗତ ହସର ସଞ୍ଚାର ଦେଖିଲି । ମୁଁ ତାର ରୂପଗୁଣ ଠଉରେଇ ପାରିଲି ନାହିଁ ।

 

**ତା’ ପରଦିନ ସକାଳେ । ଆଉ ଗୋଟିଏ ବ୍ରେକ୍‌ଫାଷ୍ଟ୍‌ । ଆଉ ଗୋଟିଏ ଅଣ୍ଡା-ଫ୍ରାଏ-। ମୁଁ ଅଭ୍ୟସ୍ତ ଅପେକ୍ଷାରେ ଥିଲି । ଗତକାଲିର ବ୍ୟତିକ୍ରମ ମୋ ମନରେ ନଥିଲା ।

 

ତା’ପରେ ମୁଁ ଅନ୍ୟମନସ୍କ ଭାବରେ ଦେଖିଲି, ଓ ଦେଖି କରି ଚିହିଙ୍କି ଉଠିଲି । ସତ ନା ମିଛ ? ଦ୍ୱିତୀୟ ବାର ! କ୍ରମାନ୍ୱୟରେ ଦ୍ୱିତୀୟବାର ସେହି ବିକୃତ ବିଳକାଙ୍ଗ–ଅଣ୍ଡା-ଫ୍ରାଏ !

 

ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ହେଲି । ସେହିଠୁଁ ମୋ ମନରେ ସନ୍ଦେହ ହେଲା । ସନ୍ଦେହ ହେଲା ଯେ ଶ୍ରୀମତୀଙ୍କଦ୍ୱାରା ବାରମ୍ୱାର ଏପରି ଭୁଲ୍‌ ହୋଇ ନ ପାରେ । ତାହାହେଲେ–କ’ଣ ସେ ଜାଣିଶୁଣି.... ? ମୁଁ ବିମୂଢ଼ ହେଲି । କେଉଁ ଏକ ଅସ୍ପଷ୍ଟ ବିଦ୍ରୂପର ମୁନ ମୋ ମନକୁ ଖେଞ୍ଚିଲା ଓ ରାଗିବାକୁ କହିଲା । ମୋର ମନେହେଲା ଯେ ନ ରାଗିଲେ ମୋର ସମସ୍ତ ମଣିଷପଣିଆ ସମସ୍ତ ସ୍ୱାମୀପଣ ବ୍ୟର୍ଥ ହୋଇଯିବ ।

 

ତେଣୁ ମୁଁ ରାଗିଲି । ଚିତ୍କାର କରି ହାତଗୋଡ଼ ବାଡ଼େଇବାର ଆଡ଼ମ୍ୱର କଲି ନାହିଁ । କେବଳ ତାଙ୍କଆଡ଼କୁ କଟମଟ କରି ଚାହିଁଲି । ବୋଧହୁଏ ମୁଁ ଆଗରୁ କେବେହେଲେ ଏମିତି ରାଗି ନ ଥିଲି, ତାଙ୍କଆଡ଼କୁ ଏମିତି ଚାହିଁ ନ ଥିଲି ।

 

ମୁଁ ଜାଣେ ମୋ ଚାହାଣିରୁ ତାଜା ନିରୋଳା ବିଷ ଝରି ପଡ଼ୁଥିଲା । ତଥାପି ମୁଁ ତାକୁ ଝରିବାକୁ ଦେଲି ।

 

ଦୁଇ

 

ଶ୍ରୀମତୀ ରାଏ ଯାହା କହିଲେ–

 

ମୋ କଥା ଟିକିଏ ଶୁଣନ୍ତୁ । ନ ଶୁଣିଲେ ଚଳିବ ନାହିଁ ।

 

ପ୍ରଥମରୁ କହି ରଖେ ଯେ ମୋ ନାଁ ମିସେସ୍‌ ରାଏ ନୁହେଁ । ମୁ ବାରମ୍ୱାର ସମସ୍ତଙ୍କୁ କୁହେ ଯେ ମୋର ନିଜର ଗୋଟିଏ ନାଁ ଅଛି–କାମିନୀ, ଯାହାକୁ ବାପ ମାଆ ବାଛି ବାଛି ଦେଇଥିଲେ । ମୁଁ ଅମୁକର ସ୍ତ୍ରୀ ହିସାବରେ ଏ ସଂସାରକୁ ଆସି ନାହିଁ । ତା’ଠାରୁ ବରଂ ମୋତେ ଅମୁକର ମାଆ ବୋଲି ଡାକ, ସେଥିରେ ଅଧିକ ମର୍ଯ୍ୟାଦା ଅଛି, କାରଣ ଲୋକେ ଜାଣିବେ ଯେ ମୁଁ ମୋର ନିଜର ଗୋଟିଏ ଝିଅକୁ ଜନ୍ମ କରିଛି ।

 

ଅବଶ୍ୟ ଏଥିରୁ ବୁଝିବାକୁ ହେବ ନାହିଁ ଯେ ମୁଁ ତାଙ୍କର ସ୍ତ୍ରୀ ହେବାକୁ ନାପସନ୍ଦ କରୁଛି ବା କରୁଥିଲି । ମୁଁ ସ୍ପଷ୍ଟ ଭାବରେ କହି ଦେଉଛି ଯେ ମୁଁ ନିଜେ ଜାଣିଶୁଣି ତାଙ୍କୁ ବାହା ହୋଇଛି । ଏବଂ ସେ ମୋତେ ବାହା ନ ହୋଇ ରହି ପାରି ନ ଥାଆନ୍ତେ । କାହିଁକି ସେ କଥା ପଚାରନ୍ତୁ ନାହିଁ । ମୁଁ କେଉଁ ଧାତୁରେ ଗଢ଼ା କେଜାଣି, ମୋତେ ଆଗତ ଭବିଷ୍ୟର ଛବି ଦିଶିଯାଏ । ପିଲାଦିନେ ବାପା କେସ୍‌ ଜିତିବେ କି ହାରିବେ ସବୁ ମୋତେ ପଚାରୁ ଥିଲେ ପରା ।

 

ଏଇ ଧରନ୍ତୁ ସେଦିନ କଥା । ରାତି ପାହିବା ଆଗରୁ ମୁଁ ଜାଣି ପାରିଥିଲି ଯେ କିଛି ଗୋଟାଏ ଘଟିବ । ରାତି ଅଧରେ ଯେତେବେଳେ ଆଲୁଅ ଜଳାହେଲା ଓ ମୁଁ ତାଙ୍କ ମୁହଁକୁ ଦେଖିଲି, ସେତିକିବେଳେ ମୋର ମନେହେଲା ଯେ କାଲି ସକାଳେ ତା’ର ଚେହେରା ବଦଳିଯିବ, ଏବଂ ସେଥିପାଇଁ ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ ।

 

ରାତି ଅଧରେ ସେ ମୋତେ ନିଦରୁ ଉଠାଇଥିଲେ । ସପ୍ତାହକୁ ପ୍ରାୟ ତିନିଥର ଉଠାନ୍ତି ଓ କାମ ସାରି ଆଲୁଅ ଜଳାଇଲା ବେଳକୁ ଟାଇମ୍‌ପିସ୍‌ର ଘଣ୍ଟା କଣ୍ଟା ବାରଟା ସେ ପାଖକୁ ଢଳି ଯାଇଥାଏ । କିନ୍ତୁ ଏଥର ଯେମିତି ଘଣ୍ଟାକୁ ଦେଖିଲି ମୋର ସଙ୍ଗେ ସଙ୍ଗେ ତାଙ୍କ ମୁହଁକୁ ଦେଖିବାକୁ ଇଚ୍ଛା ହେଲା । ସତେ କି ଦୁଇଟି ଯାକ ସ୍ଥାଣୁ, ରୁଟିନ୍‌ ଏକା ଧରଣିଆ ବସ୍ତୁ, ଓ ମୁଇଁ ସେମାନଙ୍କୁ ଯଥାସ୍ଥାନରେ ରଖିଛି । ମୁଁ ଦେଖିଲି ଓ ହସି ପକାଇଲି ।

 

ତା’ପରେ ହଠାତ୍‌ ମୋର ଆଶଙ୍କା ହେଲା । ମୋତେ ଲାଗିଲା ଯେ ତାଙ୍କର ତୃପ୍ତି ଅତି ଅଧିକ ପାଲିସ୍‌ ହୋଇଗଲାଣି ଅର୍ଥାତ୍‌ ଘୋରି ହୋଇ ଗଲାଣି । ଟିକିକରେ ଛିଣ୍ଡିଯିବ କିମ୍ୱା ଭାଙ୍ଗିଯିବ । ସେଇଠୁଁ କ’ଣ ହେବ ?

 

ଆଶଙ୍କା ସହିତ ମୋର କୌତୂହଳ ଜାଗି ଉଠିଲା । କ୍ରମଶଃ ଚ୍ୟାଲେଂଜ୍‌ର ଗୋଟିଏ କଡ଼ାମିଠା ଭାବ ମୋ ମନକୁ ଆସିଲା । ସକାଳେ ନିଦରୁ ଉଠିଲା ବେଳକୁ ମୁଁ ଉଦ୍ୟତ ଥିଲି; ସତେ କି ନିକଟ ଭବିଷ୍ୟତରେ ହୁଏ ଆଜି, ମୋତେ ଏକ ନୂତନ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ । ଭଲ, ଭଲ, ମୁଁ ସେଇୟା ଚାହେଁ ।

 

ମୋତେ ବିଶ୍ୱାସ କରନ୍ତୁ ଯେ ମୋର ଏହି ମନୋଭାବ ସହିତ ବ୍ରେକ୍‌ଫାଷ୍ଟ ପାଇଁ ଅଣ୍ଡା-ଫ୍ରାଏ ତିଆରି କରିବାର କୌଣସି ସମ୍ପର୍କ ନ ଥିଲା । ତାଉଆର ଦୋଷ ଥିଲା କିମ୍ୱା ଅଣ୍ଡାର ଦୋଷ ଥିଲା କହିପାରିବି ନାହିଁ, କିନ୍ତୁ ମୋ’ଆଡ଼ୁ ଜାଣିଶୁଣି ଏଭଳି ବ୍ୟତିକ୍ରମ ରଚିବାର ଉଦ୍ଦେଶ୍ୟ ନ ଥିଲା । ତଥାପି ଆପଣ କହି ପାରନ୍ତି ଯେ ତାଉଆ ଇତ୍ୟାଦିର ହଜାରେ ଦୋଷ ଥିଲେ ମଧ୍ୟ ଏପରି ଅସମ୍ଭବ ଘଟଣା ଘଟିଲା କେମିତି ? କାମିନୀ ରାଏ ହାତରେ ଅଣ୍ଡା-ଫ୍ରାଏ ଏତେ କୁରୂପ ହୋଇ ଉଠିବ, ଏହା କଳ୍ପନାତୀତ । କିନ୍ତୁ ହେଲା । ତାହାହିଁ ହେବାର ଥିଲା । ମୁଁ ରାତି ଅଧରୁ ଜାଣିଥିଲି ।

 

ଆଉ ଗୋଟିଏ ଅଣ୍ଡା-ଫ୍ରାଏ କରି ଆଣିବି କି ନାହିଁ ବୋଲି ଥରେ ଅଧେ ପଚାରିଥିଲି । କିନ୍ତୁ ଜୋର୍‌ କଲି ନାହିଁ । ଏହି ଅସ୍ୱାଭାବିକ ଓ ଅପ୍ରୀତିକର ଅଣ୍ଡା ଖାଇବାକୁ ଯାଇ ତାଙ୍କ ତୃପ୍ତ ଟାଇମ୍‌ପିସ୍‌ର ଡାଏଲ୍‌ଟି କେଉଁଠି ଫାଟିଯିବ ଓ ତା’ପରେ ସେ କେମିତି ଦେଖାଯିବେ କଅଣ କହିବେ, ତାକୁହିଁ ଦେଖିବାର ଲୋଭ ସମ୍ଭାଳି ପାରିଲି ନାହିଁ ।

 

ପ୍ରଥମେ ମୁଁ ଭାବିଲି ଯେ ମୋର ଧାରଣା ଠିକ୍‌ ନୁହେଁ । ମୁଁ ଯାହାକୁ ଏତେ ଯତ୍ନରେ ଘସିମାଜି ପାଲିସ କରିଛି ତାକୁ ଭଙ୍ଗୁର ବୋଲି ଆଖ୍ୟା ଦେଇ ମନ ମୁତାବକ ଭାଙ୍ଗିବାକୁ ବସିଲେ ଭାଙ୍ଗିବ ନାହିଁ, ବଦଳାଇବାକୁ ଚାହିଁଲେ ବଦଳିବ ନାହିଁ । ମୁଁ ମୋର କୃତିତ୍ୱକୁ ଖାତିର୍‌ କଲି । ଭାବିଲି ଯେ ସାମାନ୍ୟ ଅଣ୍ଡା-ଫ୍ରାଏର ବିକୃତି ଯଥେଷ୍ଟ ନୁହେଁ ହୁଏତ ଘର ପୋଡ଼ିଗଲେ କିମ୍ୱା ତାଙ୍କ ପ୍ରିୟ କାମେରାଟି ମୋ ହାତରୁ ପଡ଼ି ଭାଙ୍ଗିଗଲେ କିମ୍ୱା...

 

ମୁଁ ସ୍ପଷ୍ଟ ଜାଣିପାରିଲି ଯେ ସେ ରାଗୁ ନାହାଁନ୍ତି । ପୁଣି ଜାଣିଲି ଘଟଣାର ଅଭିନବତ୍ୱ ତାଙ୍କୁ କୁତୁକୁତୁ କରୁ ନାହିଁ । କିନ୍ତୁ ମୁଁ ଏକ ଅପ୍ରାକୃତିକ ଭାବର ଲକ୍ଷଣ ଦେଖିଲି । ମୋର ମନେ ହେଲା ଯେ ସେ ଜାଣିଶୁଣି ମୁହଁକୁ ସାମାନ୍ୟ ଫୁଲାଇଛନ୍ତି ଓ ତା’ ସାଙ୍ଗକୁ ତାଙ୍କ ଛାତି ମଧ୍ୟ ଅଳ୍ପ ବହୁତ ଫୁଲି ଉଠୁଛି ।

 

ଏପରିକି ମୋର ଭ୍ରମ ହେଲା ଯେ ଯଦି ମୁଁ ତାଙ୍କର ବାରଣ ନ ମାନି ଆଉ ଗୋଟିଏ ଅଣ୍ଡା-ଫ୍ରାଏ କରିବାକୁ ଯାଇଥାଆନ୍ତି ସେ ପାଗଳଙ୍କ ପରି ଦୌଡ଼ିଆସି ମୋ ହାତକୁ ଧରି ପକାଇ ଥାଆନ୍ତେ ଓ କହିଥାଆନ୍ତେ–ତୁମକୁ ଭଗବନାଙ୍କ ଦ୍ୱାହି । ମୋତେ ଭଲ ଅଣ୍ଡା ତିଆରି କରି ଦିଅ ନାହିଁ-

 

ସତେ କି ଏହି ବିକୃତ ଅଣ୍ଡା ଖାଇବାରେ କିଛି ବାହାଦୂରୀ ଅଛି ! ସତେ କି ସେ କେଉଁ ଗଡ଼ ଜିତି ଯାଇଛନ୍ତି !

 

ମୁଁ ସେହି ଭାବର ତାତ୍ପର୍ଯ୍ୟ ସହଜେ ଠଉରେଇ ପାରିଲି ନାହିଁ । ବୁଝିଲି ଯେତେବେଳେ ବ୍ରେକ୍‌ଫାଷ୍ଟ୍‌ ପରେ ଆମେ ଦୁହେଁ ଡ୍ରଇଂରୁମ୍‍କୁ ଆସିଥିଲୁ, ଓ ସେ ଓଠକୁ ଚିପି ହାତକୁ ଦରଉଠା କରି ଫର୍ନିଚରଗୁଡ଼ିକ ଆଡ଼କୁ ଆଙ୍ଗୁଳି ଦେଖାଇଲେ । ଅର୍ଥାତ୍‌–ଦେଖ, କେବଳ ଅଣ୍ଡାଫ୍ରାଏ ନୁହେଁ, ଏ ଫର୍ନିଚର୍‌କୁ ମଧ୍ୟ ଦେଖ ।

 

ବୁଝିଲି । ସେ ମୋତେ ଦୋଷ ଦେଉଛନ୍ତି ଏବଂ ସେହି ସୁଯୋଗ ପାଇଥିବାରୁ ତାଙ୍କ ଛାତି ଫୁଲି ଉଠୁଛି ।

 

ମୁଁ କାବା ହୋଇଗଲି । କ୍ଷଣକ ପାଇଁ ମୋର ଇଚ୍ଛା ହେଲା ଯେ ତାଙ୍କ ବେଲୁନ୍‌ଟିକୁ ଛୁଞ୍ଚିରେ ଫୋଡ଼ିଦେବି, ଓ ତା’ପରେ ଠୋଠୋ ହୋଇ ହସି ଉଠିବି ଯେ ମୋତେ ଦୋଷ ଦେବାର ଏଇ ପିଲାଳିଆମିକୁ ବନ୍ଦ କର; ସେଥିରେ ନିଜର କ୍ଷତି ହେବ । କହିବି ଯେ ଫର୍ନିଚରରେ ଆହୁରି କାମ ବାକି ଅଛି, ଦ୍ୱିତୀୟ ପୁଟ ଓ ବାର୍ନିସ୍‌ ବାକି ଅଛି । ତା’ ପରେ ? ସେହିଠୁଁ ଯେଉଁ ଚକ୍‌ ଚକ୍‌ ଉଠିବ ତାକୁ ସହି ପାରିବ ତ ?

 

ମୁଁ କହିଲି ନାହିଁ, କାରଣ ମୋର ଆଉ କିଛି ସମୟ ମଜା ଦେଖିବାକୁ ଇଚ୍ଛା ହେଲା ।

 

କିନ୍ତୁ ସେ ଅଫିସ୍‌କୁ ଚାଲିଗଲା ପରେ ତାଙ୍କର ଅଦ୍‌ଭୁତ ପ୍ରତିକ୍ରିୟା ମୋର ମନକୁ ଘାରିଲା ଓ ମୋତେ ବାଧିଲା । ବାଧିଲା ଏଇଥିପାଇଁ ଯେ, ଏତେ ବର୍ଷର ଘରକରଣା ଏତେ ଆତ୍ମତ୍ୟାଗ ପରେ ମଧ୍ୟ ସେ ମୋର ଭୁଲ୍‌ ଖୋଜିବାକୁ ବସିଛନ୍ତି !

 

ମୁଁ ତାଙ୍କ ପାଇଁ କ’ଣ ନ କରିଛି ? ତାଙ୍କର ସବୁ ଦାୟିତ୍ୱ ମୋ ମୁଣ୍ଡକୁ ନେଇ ନେଇଛି । ସେ କ’ଣ ପିନ୍ଧିବେ, କ’ଣ ଖାଇବେ, ସଂସାରର ଜଟିଳ ପଥରେ କେମିତି ନିଜକୁ ଆଗେଇ ନେବେ, ସବୁ ମୋତେ ହିଁ ଭାବିବାକୁ ପଡ଼ିଛି । ଏପରିକି ବେଳେ ବେଳେ ତାଙ୍କ ମନ ଭଲ ନଥିବା ବେଳେ ମୁଁ ଏଭଳି ଅବସ୍ଥା ସୃଷ୍ଟି କରିଛି ଯେଉଁଥିରେ ସେ ଅନ୍ୟ ସୁନ୍ଦରୀମାନଙ୍କୁ ଦେଖିବେ ଓ ଖୁସୀ ହେବେ ।

 

ମୋର ମନେ ଅଛି ଦିନେ ସେ ବିରସ ମୁହଁରେ ଅଫିସରୁ ଫେରିଥିଲେ । କ’ଣ ନା ବଡ଼ ସାହେବ ଏଣୁ ତେଣୁ କହିଛି । ସେଦିନ ମୋ ଦେହ ବିଶେଷ ଭଲ ନ ଥିଲା, ତେଣୁ ମୁଁ ଭାବିଲି ଯେ ଆଉ ଜଣକର ସାହାଯ୍ୟ ନେଲେ ମନ୍ଦ ହେବ ନାହିଁ । ସେହିଠୁଁ ମୁଁ କ’ଣ କଲି ଜାଣନ୍ତି ? ବିଶ୍ୱାସ କରିବେ ନାହିଁ, ମୁଁ ଆମ ପଡ଼ାର ଛଇଳା, ନାମଜାଦା ବଟର୍‌ ଫ୍ଲାଏ ମିସେସ୍‌ ନନ୍ଦାଙ୍କୁ ଚା’ ଖାଇବା ପାଇଁ ଡାକିଲି । କେବଳ ସେତିକି ନୁହେ, ୟାଙ୍କୁ ତା’ ପାଖରେ ବସିବା ପାଇଁ କହିଲି । ତା’ ଦେହରୁ ଅତରର ଯେଉଁ କଡ଼ା ବାସ୍ନା ଆସୁଥାଏ, ସେଥିରେ ମୋ ମୁଣ୍ଡ ବୁଲେଇ ହୋଇ ଯାଉଥାଏ । ତଥାପି ମୁଁ ସ୍ଥିରକଲି ଯେ ସେଇ ବାସ୍ନାରେ ୟାଙ୍କ ପୁରୁଷ ମନ ଚହଲିଯିବ । ସେ ବଡ଼ ସାହେବର ଗାଳିକୁ ଭୁଲିଯିବେ । କେତେ ଜଣ ସ୍ତ୍ରୀ ଏମିତି କରି ପାରନ୍ତି କହିଲେ ?

 

ଗୋଟିଏ କଥାରେ ମୁଁ ତାଙ୍କୁ ଗଢ଼ିଛି । ବାପ ମାଆ କେବଳ ଜନ୍ମ ଦେଇଛନ୍ତି । ମୁଇଁ ତାଙ୍କୁ ଜଣେ ପୁରା ମଣିଷ ଅର୍ଥାତ୍‌ ପୁରୁଷ-ସ୍ୱାମୀ-ବାପା-ମିଷ୍ଟର୍‌ ଅମୁକ କରି ଗଢ଼ିଛି ।

 

କେଉଁଥିରେ କେବେହେଲେ ମୁଁ ତାଙ୍କ ଭୁଲତ୍ରୁଟି ବାଛି ନାହିଁ । ଛିଃ ବୋଲି କହି ନାହିଁ । ନୀରବରେ ସଂଶୋଧନ କରି ନେଇଛି, ଚୁପ୍‌ଚାପ୍‌ ବାଟ କଢ଼େଇ ନେଇଛି । ତଥାପି...ତଥାପି... !

 

ଆଉ କେହି ସ୍ତ୍ରୀ ହୋଇଥିଲେ ତା’ ଆଖିରେ ଲୁହ ଆସି ଥାଆନ୍ତା । କିନ୍ତୁ ମୁଁ ଭିନ୍ନ ଧାତୁରେ ଗଢ଼ା । ମୁଁ ମୋର ସ୍ୱାମୀଙ୍କୁ ଜାଣିଛି । ତେଣୁ କ୍ରମଶଃ ମୁଁ ନିଜକୁ ସଜାଡ଼ି ନେଲି, ଏବଂ ଏହି ଅଭୂତପୂର୍ବ ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ କଲି । ନିଜକୁ କହିଲି–ଇଏ ବି’ କ’ଣ ଗୋଟାଏ ଧରଣର ଚ୍ୟାଲେଂଜ୍‌ ନୁହେଁ ? ତାଙ୍କର ପାଲିସ୍‌କରା ତୃପ୍ତିଭରା ମୁହଁ ଚିଟାଲାଗି ଯାଇଥିଲା ପରା ! ଘଣ୍ଟାର ଡାଏଲ୍‌ ପୁରୁଣା ହୋଇଗଲାଣି, ବଦଳାଇବାକୁ ହେବ । ବେଶ୍‌, ଯେମିତି ଭାବରେ ବଦଳୁ–କ୍ଷତି କଅଣ ? ତୁ କ’ଣ ତାକୁ ଯଥା ସମୟରେ ଚାବି ଦେଇ ଟିକ୍‌ଟିକ୍‌ କରି ପାରିବୁ ନାହିଁ ?

 

ତୁ କ’ଣ ତୋର ସ୍ୱାମୀକୁ ଭଲ ପାଉ ନାହୁଁ ?

 

ଆପଣ ମିଛ ମାନିବେ, ଶେଷକୁ ମୁଁ ଉଚ୍ଚାଟ ହୋଇ ଉଠିଲି । ସତେ କି ଯାହା ଚାହିଁଥିଲି, ସେଇୟା ହେବାକୁ ଯାଉଛି । ମୁଁ କ୍ଲାଇମାକ୍‌ସ୍‌କୁ ଅପେକ୍ଷା କଲି ।

 

କ୍ଲାଇମାକ୍‌ସ କେମିତି ଆସିବ ତା’ର ସ୍ପଷ୍ଟ ଧାରଣା ମୋ ମନରେ ନ ଥିଲା, କିମ୍ୱା ମୁଁ ଆଣିବାକୁ ଚାହୁଁ ନ ଥିଲି । ବରଂ ସେ ଅତର୍କିତରେ ଆସୁ, ଚମକାଇ ଦେଇ ଆସୁ । ମୁଁ ତାକୁ ସମ୍ଭାଳି ନେବି । କୁରୁଳି ଖାଇ ତା’ର ଦେଉଳିଆ ଢେଉ ଉପରେ ଡିଆଁ ମାରିବି ।

 

ଲଞ୍ଚ୍‌ ଟାଇମ୍‌ ବେଳକୁ ସେ ଫୋନ୍‌ କଲେ । ସବୁଦିନେ ଯେତେବେଳେ କରନ୍ତି ତା’ର ପାଞ୍ଚସାତ ମିନିଟ୍‌ ପରେ । ମୁଁ ଏହି ପରିବର୍ତ୍ତନଟିକୁ ସାଦରେ ଗ୍ରହଣ କଲି ।

 

ସେ ଅଫିସରୁ ଫେରିଲା ବେଳକୁ ମୁଁ ପ୍ରାୟ ବେଶଭୂଷା ପିନ୍ଧି ସାଜିସୁଜି ହୋଇ ବସିଥାଏ-। କିନ୍ତୁ ଆଜି ଜାଣିଶୁଣି ସାଦା ଶାଢ଼ି ଖଣ୍ଡିଏ ବେଢ଼େଇ ହୋଇ ମୁଣ୍ଡବାଳ ଖେଳାଇଦେଇ ଶୋଇ ରହିଲି । ଏଣେ ଅବଶ୍ୟ ଆଖିରେ ଯତନରେ କଜଳ ଲଗାଇଥାଏ । ସତେ କି ମୋର ଏହି ଅସଂଭୃତ ଅପରୂପ ବେଶ ତାଙ୍କର ବିଚିତ୍ର ମନୋଭାବ ସହିତ ମୁହାଁମୁହିଁ ହୋଇଯିବ ଓ ସେହିଥିରୁ କ୍ଲାଇମାକ୍‌ସ ଉପୁଜିବ ।

 

ସେ ଫେରିଲେ ।

 

ମୁଁ ତାଙ୍କର ଦୈନନ୍ଦିନ ପୁନର୍ମିଳନର ରୁଟିନରେ କୌଣସି ପରିବର୍ତ୍ତନ ଦେଖିଲି ନାହିଁ । ଅଧିକନ୍ତୁ ମୋର ମନେ ହେଲା ଯେ କାରିଗରି ନିହାଣ ମୁନରେ ତିଆରି ହେଲା ପରି ତାହା ଅତି ନିଖୁଣ ଅତି ସମ୍ପୂର୍ଣ୍ଣ । ସେଇଠୁଁ ମୁଁ ଭାବିଲି ଯେ ସାମାନ୍ୟ ଅଣ୍ଡାଫ୍ରାଏ ଜନିତ ଗୋଳମାଳିଆ ଭାବ କଟିଗଲାଣି । ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

 

ମୁଁ ନିରାଶ ହେଲି । କିନ୍ତୁ କିଛିକ୍ଷଣ ପରେ ମୋତେ ଟିକିଏ ଚିନ୍ତା କରିବାକୁ ପଡ଼ିଲା । ସେ ମୋ ମୁହଁକୁ ସିଧା ହୋଇ ଚାହୁଁ ନାହାନ୍ତି କାହିଁକି ?

 

କୌଣସି ନିର୍ଣ୍ଣୟରେ ପହୁଞ୍ଚିବା ପୂର୍ବରୁ ସେ ତାଙ୍କର ଦରଜି ପାଖରୁ ଆଣିଥିବା ନୂଆପ୍ୟାଣ୍ଟ୍‌ ପିନ୍ଧିକରି ଦେଖାଇଲେ ଓ ଧୀରକଣ୍ଠରେ କହିଲେ ‘‘ନିହାତି ଛୋଟ ହୋଇଛି ।’’ ଦରଜିକୁ ଢିଲା କରିଦେବାପାଇଁ କାହିଁକି ଦେଲ ନାହିଁ ବୋଲି ପଚାରିବାରୁ ସେ ନାହି କଲେ, କହିଲେ ଚଳିଯିବ-

 

ମୋର ମନ ମାନିଲା ନାହିଁ । ହଠାତ୍‌ ମୋର ଇଚ୍ଛା ହେଲା ତାଙ୍କ ମୁହଁକୁ ସ୍ଥିର ଦୃଷ୍ଟିରେ ଚାହିଁବି, ତାଙ୍କର ସବୁ ଅକୁହା ଭାଷାତକ ଓଟାରି ନେବି, ତାଙ୍କ ମନର ପୂରା ମାନଚିତ୍ରକୁ ଉତାରି ଦେବି । ମୁଁ ପାରିବି ନାହିଁ ତ ଆଉ ପାରିବ କିଏ ?

 

ତେଣୁ ମୁଁ ଚାହିଁଲି । ଏବଂ ତାଙ୍କ ପଲକ ନୋଁଇବା ଆଗରୁ ମୁଁ ତାଙ୍କ ମନର ଗହୀରରେ ପଶିଗଲି । ସେଇଠି ଦେଖିଲି ଯେ ସେ କଷ୍ଟ ପାଉଛନ୍ତି । ପ୍ୟାଣ୍ଟ ପ୍ରସଙ୍ଗ ନେଇ ସେ ଯେ ମୋର ଭୁଲକୁ ଚିହ୍ନାଉଛନ୍ତି, କେବଳ ତା’ ନୁହେଁ । (ମୋର ମନେ ପଡ଼ୁଛି ମୁଁ ଦରଜୀକୁ କହିଥିଲି ଯେ ଅଣ୍ଟାକୁ ଚିପିଦେବ ନାହିଁ) କଥା ହେଉଛି ଯେ ଅଣ୍ଡାଫ୍ରାଏର କ୍ରମରେ ସେ ପୁଣି ମୋର ଆଉ ଗୋଟିଏ ଭୁଲର ହାବୁଡ଼ରେ ପଡ଼ିଛନ୍ତି । ତେଣୁ ବିଦଗ୍‌ଧ ହେଉଛନ୍ତି ।

 

ସେ ମୋର କଳ୍ପିତ ପରାଭବକୁ ହେଜି କଷ୍ଟ ପାଉଛନ୍ତି । ଯେ ଯାହାର କେବେ କିଛି ଭୁଲ ହୁଏ ନାହିଁ, ଯାହାର ନିର୍ଭୁଲ ସ୍ତ୍ରୀପଣ ତାଙ୍କୁ ଆଜିଯାଏଁ ସରସ ସଜୀବ କରି ରଖିଛି, ସେଥିରେ ଏତେଗୁଡ଼ିଏ ଫାଙ୍କ ଦେଖାଗଲାଣି । ତାହାହେଲେ ସେ କୁଆଡ଼େ ଯିବେ ? କେମିତି ମୋ’ଆଡ଼କୁ ସିଧାହୋଇ ଚାହିଁ ପାରିବେ ? ତାଙ୍କୁ ଲାଜ ଲାଗିବ ନାହିଁ ଯେ ତାଙ୍କରିଦ୍ୱାରା ଏତେଗୁଡ଼ାଏ ଭୁଲ ଧରା ପଡ଼ୁଛି ?

 

ବିଚରା । ମୋର ଦୟା ଆସିଲା । କିନ୍ତୁ ମୁଁ ସଙ୍ଗେ ସଙ୍ଗେ ଅଭୟବାଣୀ ଦେଲି ନାହିଁ । ମୋ ମନରେ ତଥାପି ସେହି କ୍ଲାଇମାକ୍‌ସର ଭୂତ ଚଢ଼ିଥାଏ । ମୁଁ ଚାହିଁଲି ଯେ ସେ ପ୍ରଥମେ କିଛି କୁହନ୍ତୁ, ତାଙ୍କର ବେଦନାଦୁଃଖକୁ ମୋ ଆଗରେ ବାଢ଼ି ଦିଅନ୍ତୁ, ଢାଳି ଦିଅନ୍ତୁ । ତହିଁରୁ କ୍ଲାଇମାକ୍‌ସ ଉପୁଜିବ । ତା’ପରେ ପୁରୁଣାତୃପ୍ତିର ଡାଏଲ ପରିବର୍ତ୍ତେ ନୂଆ ଡାଏଲ ଖଞ୍ଜି ହୋଇଯିବ । ମୁଁ ତାଙ୍କୁ ନୂତନ ଧାରାରେ ନୂତନ ଗଙ୍ଗାର ତରଙ୍ଗରେ ଭସାଇନେବି ।

 

ମୁଁ ଅପେକ୍ଷା କଲି । ସେ କିନ୍ତୁ କିଛି କହିଲେ ନାହିଁ । ଅପରନ୍ତୁ ମୁଁ ଲକ୍ଷ୍ୟ କଲି ଯେ ଯେତେବେଳେ ଆମ ଛୋଟ ବିଲେଇଛୁଆଟି ମରି ଯାଇଛି ବୋଲି ଜଣାପଡ଼ିଲା ତାଙ୍କର ମୁଖମଣ୍ଡଳ ଅଧିକ କରୁଣ ହୋଇ ଉଠିଲା । ସତେକି ମୁଁ ଦୁର୍ବଳ ହୋଇ ପଡ଼ିଛି ବୋଲି ସେ ମରିଗଲା । ହୁଏତ ପରେ ଭାବି ପାରନ୍ତି ଯେ ମୋର ଦୁର୍ବଳତା ହେତୁ ଜହ୍ନର ଆଲୁଅ ଏପରି ନିଷ୍ପ୍ରଭ ଦେଖାଯାଉଛି ।

 

ମୁଁ ଅପେକ୍ଷା କଲି । କିନ୍ତୁ ମୁଁ ତାଙ୍କୁ ଭଲପାଏ । ତେଣୁ ମୁଁ ଛଟପଟ ହେଲି । ସଞ୍ଜର ଧୂସର ଛାଇରେ ତାଙ୍କ ମୁହଁରେ ଯେଉଁ ଘନୀଭୂତଭାବ ପ୍ରକଟିଲା (ସେଥିରେ ଦୁଃଖ, କ୍ଷୋଭ, ଗ୍ଳାନି, ଯାହା ଥାଉ ପଛକେ) ତାକୁ ଦେଖି ମୋର ପ୍ରେମପ୍ରବଣ ମନ ଚଞ୍ଚଳ ହୋଇ ଉଠିଲା । ମୋର ଇଚ୍ଛା ହେଲା କହିବି–

 

ଆସ ମୁଁ ତୁମକୁ ଟେକି ନେବି, ଉପରକୁ, ଆହୁରି ଉପରକୁ, ଏତେ ଉପରକୁ ଯେ ତୁମର ଆଖି ଖୋସି ହୋଇଯିବ । ଆସ ମୋ ମୁହଁକୁ ସିଧା ଚାହଁ କିଛି କହିଦିଅ, କାନ୍ଦି ପକାଅ । ଦେଖିବ ଯେ ଭୁଲ୍‌ ନାହିଁ, ମୁଁ ଅଛି ।

 

ଆସ ତୁମ ବହିକୁ ଫିଙ୍ଗିଦିଅ, ତୁମର ଭାବନା ତୁମର ଖବରକାଗଜ ସବୁ ଫିଙ୍ଗିଦିଅ । ଦେଖିବ ଯେ ଚିନ୍ତା ନାହିଁ, ମୁଁ ଅଛି ।

 

କିନ୍ତୁ ମୋର ଅନ୍ତରର ନିମନ୍ତ୍ରଣ ଅବ୍ୟକ୍ତ ରହିଲା । ମୁଁ ଭାବିଲି ଯେ ଆଜି ଦିନଟା କଟିଯାଉ । ଆଜି ସେ କିଛି ନ କହିଲେ ମୁଁ କାଲି ସକାଳେ ନିଜେ ଝାମ୍ପ ଦେବି, ଝଡ–ଶ୍ରାବଣ–କ୍ଲାଇମାକ୍‌ସ ତିଆରି କରିବି, ଡାଏଲଟାକୁ ନିଜ ହାତରେ ଭାଙ୍ଗି ଦେଇ ନୂଆ ଲଗାଇ ଦେବି ।

 

ମୋର ଧାରଣା ବଳବତ୍ତର ହେଲା ଯେ ଯେମିତି ହେଲେ ଆସନ୍ତା କାଲି ସକାଳେ ଆମ ଯୁଗ୍ମ ଜୀବନର ସୂର୍ଯ୍ୟ ନୂଆ ରଙ୍ଗରେ ଝଟକିବ ତା’ର ଗୋଟିଏ ପୂର୍ବାଭାଷ ରାତି ସାଢ଼େ ଆଠଟା ବେଳକୁ ମିଳିଲା । ଅତି ଆଶ୍ଚର୍ଯ୍ୟର କଥା ଯେ ଏମିତିକା ଅବେଳରେ ସେ ମୋତେ କୁଣ୍ଢାଇ ଧରିଲେ, ମୋ ଆଖିପତାରେ ଚୁମାଦେଲେ, ମୋ ହାତପାପୁଲିକୁ ମୁଠେଇ ଧରିଲେ ଇତ୍ୟାଦି । ମୁଁ ଜାଣିଲି ଯେ ସେ ଚାହୁଁଛନ୍ତି, ବ୍ୟାକୁଳ ହୋଇ ଚାହୁଁଛନ୍ତି ଯେ ମୁଁ ତାଙ୍କୁ କିଛି କହିବି । କହିବି ଓ ନୂଆ ଜୀବନର ଆନନ୍ଦ ଚଖାଇବି ।

 

ତଥାପି ମୁଁ ଧୈର୍ଯ୍ୟ ଧରିଲି । ନିଜକୁ କହିଲି–ଆଜି ନୁହେଁ । ଆସନ୍ତା କାଲି । ଆସନ୍ତାକାଲିର ସୂର୍ଯ୍ୟ ଓ ସକାଳ ।

 

** ତା’ ପରଦିନ ସକାଳ ।

 

ସେ ବ୍ରେକ୍‌ଫାଷ୍ଟ୍‌ ଟେବୁଲରେ ବସିଛନ୍ତି । ମୁଁ ଅଣ୍ଡା-ଫ୍ରା‌ଏ ତିଆରି କରୁଛି ।

 

ହଠାତ୍‌ ମୋର ମନେ ହେଲା ଯେ ଏ ଅଣ୍ଡାଫ୍ରାଏ ବିଗିଡ଼ି ଯିବ । ଯେତେ ଚେଷ୍ଟା କଲେ ମଧ୍ୟ ଠିକ୍‍ ହେବ ନାହିଁ । ନ ହେଉ, ମୁଁ କ’ଣ କରିବି ।

 

ମୁଁ ଆହା ଉହୁଁ କଲି ନାହିଁ । ସିଧା ସଳଖ ତାଙ୍କ ପ୍ଳେଟରେ ସେହି ଅଭେକା ଅସୁନ୍ଦର ଅଣ୍ଡାଫ୍ରାଏଟିକୁ ରଖିଦେଲି । ବେଶ୍‌ । ଯାହା ଘଟିବାର ଘଟୁ ।

 

ସେ ପ୍ଳେଟକୁ ଦେଖିଲେ, ବିଶ୍ୱାସ କଲା ପରି ଆଉ ଥରେ ଦେଖିଲେ ଓ ମୁଣ୍ଡ ଟେକିଲେ-। ମୋ’ଆଡ଼କୁ କଟମଟ କରି ଚାହିଁଲେ ।

 

ଏଇୟାକୁ ତ ମୁଁ ଅପେକ୍ଷା କରିଥିଲି । କିନ୍ତୁ ଏ କଅଣ ? ଏଇ କଅଣ କ୍ଲାଇମାକ୍‌ସ ? ତାଙ୍କ ଚାହାଣିରୁ ଗରଳ ଧାର ଛୁଟୁଛି । ସାମାନ୍ୟ କ୍ରୋଧ ନୁହେଁ, ତା’ଠାରୁ ଆହୁରି ଅଧିକ ଘନ, ନିବିଡ଼, କଳା–ତାକୁ କ’ଣ କୁହାଯିବ ମୁଁ କହିପାରୁ ନାହିଁ । ବାହାହେବା ଦିନଠାରୁ ମୁଁ ତାଙ୍କର ଏମିତିକା ରୂପ କେବେହେଲେ ଦେଖି ନ ଥିଲି କି ଦେଖିବି ବୋଲି ଭାବି ନ ଥିଲି ।

 

ସେହିଠୁଁ ମୁଁ କ’ଣ କଲି ଜାଣନ୍ତି ? ମୁଁ ପାଟିତୁଣ୍ଡ ନ କରି ଆଲମାରୀରୁ ସବୁ ଅଣ୍ଡାତକ ଆଣିଲି, ଓ ତାଙ୍କରି ଆଗରେ ଗୋଟି ଗୋଟି କରି ଭାଙ୍ଗିଲି ଓ ନଳାରେ ଭସାଇଦେଲି ।

 

ମୁଁ ଭାବିଲି ଯେ ଅଣ୍ଡାର ଏହି ଧଳା-ହଳଦିଆ ଲାଳ ହିଁ ତାଙ୍କ କୁତ୍ସିତ କ୍ରୋଧର ଜବାବ୍‌ ଦେବ । ମୋର ଘୃଣାକୁ ଚିହ୍ନାଇ ଦେବ ।

Image

 

Unknown

ତିନୋଟି ଦୃଶ୍ୟ

 

ଦାଣ୍ଡଘର ।

 

ବାଁ ପାଖରେ ସୋଫା ସେଟ୍‌ । ଡାହାଣ ପାଖରେ ଟେବୁଲ୍‌ ଚଉକି ଇତ୍ୟାଦିକୁ ଆଡ଼େଇ ଦେଇ ଗୋଟିଏ ଫିତାଖଟ ଲଗା ହୋଇଛି, ଖଟ ଉପରେ ଗୋଟିଏ ଚମଡ଼ା ସୁଟ୍‌କେସ୍‌ । ଗତ କିଛିକ୍ଷଣ ହେଲା ବିନାୟକ ବାବୁ ସେଥିରୁ ପାଇଜାମା କାଢ଼ିବାରେ ବ୍ୟସ୍ତ ଅଛନ୍ତି ।

 

ହାତକଟା ଜାଲି ଗେଞ୍ଜିର ଆବରଣ ସତ୍ତ୍ୱେ ବିନାୟକବାବୁଙ୍କର ଗୋରା ଚିକ୍‌କଣ ପିଠି ସୁଦୃଶ୍ୟ ହୋଇଛି । କେଶରେ ଶୁଭ୍ରତାର ଅନିୟମ ଦେଖା ଯାଉ ନାହିଁ । ତେଣୁ ମନେ ହେଉଛି ଯେ ସେ ଯୌବନଠାରୁ ଅଧିକ ଦୂରକୁ ଯାଇନାହାଁନ୍ତି । ଏବଂ ତାଙ୍କର ପରିଧାନ, ଗେଞ୍ଜି, ଧୋତି ଓ ଚଟି, ଘରୋଇ ହେଲେ ମଧ୍ୟ ସେଥିରୁ ଜଣାପଡ଼ୁଛି ଯେ ସେ ସୌଖୀନ ବସ୍ତୁର ଅଭିଳାଷୀ । ଜୀବନର ମହତ୍ତ୍ୱରେ ଦବି ଯାଇ ନାହାନ୍ତି ।

 

କିନ୍ତୁ ସେ ତଥାପି ପାଇଜାମା ଖୋଜୁଛନ୍ତି । ଶେଷକୁ ସୁଟ୍‌କେସ୍‌ର ଜିନିଷପତ୍ର ଯଥେଚ୍ଛା ଘାଣ୍ଟି ସାରିଲା ପରେ ସେ ମୁହଁ ଫେରାଇଲେ, ଓ ବିଫଳତାର ଗୋଟିଏ ଅର୍ଦ୍ଧସ୍ଫୁଟ ଶବ୍‌ଦ ଉଚ୍ଚାରଣ କଲେ । ଏହି ସମୟରେ ସେ ଦେଖିଲେ ଯେ ସବିତା ଦେବୀ ଦୁଆର ମୁହଁରେ ଛିଡ଼ା ହୋଇ ଫିକ୍‌ କରି ହସୁଛନ୍ତି ।

 

‘‘ବୁଢ଼ାଟିଏ ହେଲାଣି, ଆଜିଯାଏଁ ସେହି ଫୁଙ୍ଗୁଳା ଅଭ୍ୟାସ ଯାଇ ନାହିଁ ? କଅଣ ହଜିଛି,–ଦର୍ପଣ ପାନିଆ, ସାବୁନ ନା ଡାଏରୀ ?’’

 

‘‘ପାଇଜାମା । ଡାଏରୀ ଲେଖା କେବେଠୁଁ ଛାଡ଼ି ଦେଇଛି ।’’

 

‘‘ଡାଏରୀ ଏତେ ତେବେ ପକଉଥିବ, ପିଲାଙ୍କ ଆଖିରେ ପଡ଼ିବ ବୋଲି ଭାଉଜବୋହୂ, ଚିଡ଼ୁଥିବେ ସେଇଠୁ ବାବୁ ରାଗରେ ଛାଡ଼ିଦେଇ ଥିବେ ନା କଅଣ ?’’

 

ବିନାୟକବାବୁ ଦୁର୍ବଳ ପ୍ରତିବାଦ କଲେ, ‘‘ନା ନା, ତା’ ନୁହେଁ ।’’ ତା’ପରେ ନିଜକୁ ଟାଣି ଆଣିଲା ପରି କହିଲେ, ‘‘ବର୍ତ୍ତମାନ ପାଇଜାମା କଥା କ’ଣ କରାଯିବ ?’’

 

ଏଥର ସବିତା ଦେବୀ ସଶବ୍‌ଦରେ ହସି ଉଠିଲେ ଓ କହିଲେ, ‘‘କ’ଣ କରାଯିବ ? ଭାଉଜବୋହୂଙ୍କ ପାଖକୁ ଟ୍ରଙ୍କକଲ୍‌ କରାଯାଉ ଯେ ତାଙ୍କ ସ୍ୱାମୀ ବିପଦରେ ପଡ଼ିଛନ୍ତି ।’’

 

ଏହି ପ୍ରକାର ଆଳାପକୁ ବେଶି ସମୟ ବଢ଼ାଇ ହେଲା ନାହିଁ । କାରଣ ସବିତା ଦେବୀଙ୍କର ମନ ସ୍ଥିର ନ ଥିଲା । ଶୋଇବା ପାଇଁ ପିଲାଙ୍କର ସବୁ ସୁବିଧା ହେଲା କି ନାହିଁ ଦେଖିବାକୁ ହେବ । ଅଭି–ଅଭିମନ୍ୟୁର (ନାଁଟା ଭାରୀ ସୁନ୍ଦର, ରୂପଗୁଣ ବି’ ବେଶ୍‌ ଭଲ, ମୋ ଝିଅମାନଙ୍କ ସାଙ୍ଗରେ ମିଶିଯିବ) ଖବର ବୁଝିବାକୁ ହେବ । ତା’ଛଡ଼ା ‘ତାଙ୍କ’ ସାଙ୍ଗରେ କଥାବାର୍ତ୍ତା କରିବାର ଅଛି; ଅନେକ କଥାବାର୍ତ୍ତା କରିବାର ଅଛି । ସେ ଦି’ତିନି ଦିନ ଭିତରେ ଟୁର୍‌ରେ ଚାଲିଯିବେ । ସବିତା ଦେବୀ ଆଳାପର କ୍ରମ ହଠାତ୍‌ ଛିଣ୍ଡାଇ ଦେଇ କହିଲେ ‘‘ରୁହ, ମୁଁ ତାଙ୍କର ଗୋଟାଏ ବାସି ପାଇଜାମା ନେଇ ଆସୁଛି । ତମକୁ ହୁଏତ ଟିକିଏ ଛୋଟ ହୋଇପାରେ, ତେବେ ପିନ୍ଧିବା ପାଇଁ ଚଳିଯିବ ।’’

 

ସବିତା ଦେବୀ ତତ୍‌ପର ହେଲେ । ବାସି ପାଇଜାମା ନେଇ ଆସିଲେ । ବିନାୟକ ବାବୁଙ୍କୁ ନ ପଚାରି ତାଙ୍କ ସୁଟ୍‌କେସ୍‌ରେ ଖେଳା ହୋଇଥିବା ଜିନିଷପତ୍ର ସଜାଡ଼ି ଦେଲେ । ବିନାୟକ ବାବୁଙ୍କର ଆପତ୍ତି ନ ଶୁଣି ତାଙ୍କ ଖଟରେ ବିଛଣା ପାରି ଦେଇ, ମୁଣ୍ଡ ପାଖରେ ଟେବୁଲ୍‌ ଲ୍ୟାମ୍ପ୍‌ ସଜାଡ଼ିଦେଲେ, ପବନ ଆସିବା ପାଇଁ ଝରକା ଖୋଲି ଦେଇ ଛିଟିକିଣି ଲଗାଇ ଦେଲେ, ଇତ୍ୟାଦି ।

 

ପ୍ରଫୁଲ୍ଲତା । ଏବଂ ସ୍ନେହ । ବିନାୟକ ବାବୁଙ୍କର ମନରେ ଆସିଲା ଯେ ସବିତା ଯାହା କରୁଛି ଉଚିତରୁ ଅଧିକ କରୁଛି, ଓ ଖୁସି ହୋଇ କରୁଛି । କାରଣ ସେ ଭାବୁଛି ଯେ ବିନଭାଇ ସବୁଦିନେ ଏମିତି, ‘ଅପାରଗ’, ଏବଂ ସେ କେହି ନିଜ ଲୋକ (ସ୍ତ୍ରୀ ଲୋକ)ର ସ୍ନେହ ଓ ଯତ୍ନ ଚାହାଁନ୍ତି । ବିନାୟକବାବୁ ଆମୋଦିତ ହେଲେ,–ତମ ଚାକର ରଥିଆ କ’ଣ ଏତକ କରି ପାରି ନ ଥାଆନ୍ତା ? ତମକୁ କଷ୍ଟ କରିବାକୁ କିଏ କହୁଛି ?

 

ସେ ଭାବିଲେ,–ଘରୁ ବାହାରିବା ପରେ ପରେ ମନରେ ସନ୍ଦେହ ହୋଇଥିଲା ଯେ ହୁଏତ ପାଇଜାମା ସାଙ୍ଗରେ ଆସିନାହିଁ । ଫେରିଯାଇ କ’ଣ ତାକୁ ଆଣି ହୋଇ ନ ଥାଆନ୍ତା ? କିନ୍ତୁ ସେମିତିକା ସନ୍ଦେହ ତ ସବୁବେଳେ ଆସେ । କୁନ୍ତଳା କ’ଣ ଯାଉଣୁ ଆସୁଣୁ କୁହେ ନାହିଁ ଯେ ମୁଁ ଗୋଟିଏ ଭୁଲା ମଣିଷ ? ହେଲା ଏବେ ମୋର ଭିତିରି ମନ ଚାହିଁଲା ସେ ସବିତା ଦେଈ ମୋର ଦୁରବସ୍ଥା ଦେଖି ମୋର ଟିକିଏ ବିଶେଷ ଯତ୍ନ ନେବେ, କ’ଣ ହେଲା ସେଠୁଁ ? ବିନାୟକ ବାବୁ ସବିତା ଦେବୀଙ୍କର ସୁଠାମ-ଗୌର ହାତର କ୍ରୀଡ଼ା ଦେଖି ରହିଲେ ଓ ତାଙ୍କୁ ଭଲ ଲାଗିଲା ।

 

ଅଭି ଏଠି ଭଲରେ ଚଳିବ, ଖୁସିରେ ରହିବ । ମୁଁ ଜାଣେ ଅବଶ୍ୟ ଅନେକ କହିଲେ ଯେ ପୁଅକୁ ଏତେ ଦୂରକୁ ପଠାଇ ଦେବା ଉଚିତ ହୋଇ ନାହିଁ । ଯେ ସେ ବାପ ମାଆଙ୍କୁ ଝୁରିବ,–ସେ ଯେମିତିକା ଗେଲବସର ଅଭିମାନିଆ ପିଲା । କିନ୍ତୁ ସେମାନେ ଜାଣନ୍ତି ନାହିଁ । ସବିତା ଅନ୍ୟମାନଙ୍କ ପରି ନୁହେଁ, ସେ ଯେ କୌଣସି ମାଉସୀ ପିଉସୀ ଖୁଡ଼ିଙ୍କ ପରି ନୁହେଁ । ସେ ଅଭିର ଯତ୍ନ ନେବ, ନିଜ ପୁଅପରି ଦେଖିବ ।

 

ନିଜ ପୁଅ ! ବିନାୟକ ବାବୁଙ୍କ ମନରେ କରୁଣାର ଭାବ ଆସିଲା, ଓ ସେ କର୍ମରତା ସବିତା ଦେବୀଙ୍କ ମୁହଁକୁ ନ ଅନାଇ ରହି ପାରିଲେ ନାହିଁ । ଯେପରିକି ସେ ସେହି ପ୍ରବୃତ୍ତ-ପ୍ରଫୁଲ୍ଲ ମୁହଁରେ ବିଷାଦର ଚିହ୍ନ କେଉଁଠି ଅଛି ବୋଲି ଦେଖୁଛନ୍ତି । ସବିତାର ପୁଅ ନାହିଁ । ତିନି ତିନୋଟି ଝିଅ, ସାନ ଝିଅକୁ ଆଠ ବର୍ଷ ହେଲାଣି, ଆଉ ପୁଅର ଆଶା ନାହିଁ । ବିନ ଭାଇର ପୁଅକୁ ପାଖରେ ପାଇ (ଅଭିକୁ ଏଠି କେତେବର୍ଷ ରଖିବାକୁ ପଡ଼ିବ କିଏ ଜାଣେ ? ସ୍କୁଲ୍‌ ପାଞ୍ଚ ଛଅ ବର୍ଷ, ସ୍କୁଲରୁ କଲେଜ୍‌–) ତା’ ସଂସାର ହସି ଉଠିବ । ବିନାୟକ ବାବୁ କଳ୍ପନାଚିତ୍ର ଆଙ୍କିବାକୁ ଯାଇ ଦେଖିଲେ ଯେ ବଡ଼ମୁଣ୍ଡିଆ ଢିମା ଆଖିଆ ଅଭି ସକାଳୁ ସକାଳୁ ଓଦା ସରସର ମୁହଁରେ ଗର୍ଦ୍ଦଭ କଣ୍ଠରେ କହୁଛି, ‘ମୋତେ ଭୋକ କଲାଣି ।’ ସବିତା ଚମକି ପଡ଼ି ଶୁଣୁଛି, ଅନେକଦିନୁ ଏହି ଅକୋମଳ ଅଖାଡ଼ୁଆ ପୁଅ ଭାଷାକୁ ଚାହିଁ ରହିଥିଲା ପରି ଶୁଣୁଛି, ଓ ଝୁଙ୍କିପଡ଼ି ତା’ ରାତିପିନ୍ଧା ଶାଢ଼ିର ପଣତରେ ଅଭିର ମୁହଁ ପୋଛି ପୋଛି ଦେଉଛି । ମାଆ ଓ ପୁଅ । ବିନାୟକ ବାବୁ ପରୋକ୍ଷରେ ସେମାନଙ୍କର ଗଦ୍‌ଗଦ୍‍ ଭାବ ଅନୁଭବ କଲେ । ଏବଂ ତାଙ୍କର ମନେହେଲା ଯେ ସେହି ରାତିପିନ୍ଧା ଶାଢ଼ିର ବାସ୍ନା ତାଙ୍କ ଆଘ୍ରାଣରେ ବାଜିଛି । ସେହି ଗୋରା ହାତର ଶୀତଳତା ଦେହକୁ ଛୁଉଁଛି ।

 

ସବିତାର ସଜଡା ସଜଡ଼ି ରଖାଥୁଆ କାମ ସରି ଗଲାଣି । ଏତେ ଜଲ୍‌ଦି ସରିଗଲା ? ସେ ସାମ୍‌ନାରେ ଆସି ଛିଡ଼ା ହୋଇଛି । ଅଣ୍ଟାରେ ହାତ ଦେଇ ପ୍ରସାରିତ ଓଠର ହସରେ ତା’ ଗାଲର ଟିପଚିହ୍ନକୁ ସୁସ୍ପଷ୍ଟ କରି ଦେଇ କହୁଛି–

 

‘‘ଫିନିସ୍‌ଡ୍‌ ! ଆଉ କିଛି ଦରକାର ?’’

 

ବିନାୟକ ବାବୁ ତା’ର ଏହି ଠାଣି ପସନ୍ଦ କଲେ ନାହିଁ । ଏ ପିଲାଳିଆ ଢଙ୍ଗ ତା’ ବୟସକୁ ଶୋଭା ପାଉ ନାହିଁ । ଯେପରିକି ଏମିତି ହେବାଦ୍ୱାରା ସେ ନିଜକୁ ଦୂରେଇ ରଖୁଛି, ବିନାୟକ ବାବୁଙ୍କୁ କିଛି ଗୁରୁଗମ୍ଭୀର କଥା କହିବାର ସୁଯୋଗ ଦେଉ ନାହିଁ ।

 

ଯାହାହେଉ ବିନାୟକ ବାବୁ ‘ଧନ୍ୟବାଦ’ ଦେଲେ ଓ ମୃଦୁ ଗମ୍ଭୀର ଭାବରେ କହିଲେ, ‘‘ସବିତା ଦେଈ, ତମ ସାଙ୍ଗରେ ଟିକିଏ କାମ ଅଛି । ପାଞ୍ଚ ମିନିଟ୍‌ ଦେଇ ପାରିବ ?’’

 

‘‘ବର୍ତ୍ତମାନ ?’’

 

ଏଥିରେ ଆଶ୍ଚର୍ଯ୍ୟ ହେବାର କଅଣ ଅଛି ? ରାତି ଏମିତି କିଛି ବେଶି ହୋଇନାହିଁ, ଗୋକୁଳି ଏପର୍ଯ୍ୟନ୍ତ ଫେରିନାହିଁ । ନା, ସବିତାର ଚାହାଣିରେ ଆଶଙ୍କା ନାହିଁ । ସେ କେବଳ ଜଣାଇ ଦେଉଛି ଯେ ସେ ଗୃହିଣୀ, ତା’ର ବହୁତ କାମ ଅଛି, ବିନଭାଇଙ୍କର ବାଜେକଥା ଶୁଣିବାକୁ ବେଳ ନାହିଁ ।

 

ତେବେ ସେ ଖଟ ପାଖକୁ ଚଉକିଟିଏ ଆଣି ବସି ସାରିଲାଣି, ଓ ପଚାରୁଛି ‘‘କଅଣ କୁହ-।’’

 

ବିନାୟକ ବାବୁ ଭାବିଲେ ଯେ ସବିତାର ଏହି ଦେଖାଣିଆ ଭାବ ଭାଙ୍ଗି ଦେବା ଉଚିତ । କାନମୋଡ଼ା ଓ ଚଟକଣି । ସାନଭଉଣୀମାନଙ୍କୁ ତିଆରିବାକୁ ହେଲେ ସେମିତି କରାଯାଏ । କିମ୍ୱା ଆଉ କିଛି । ଯେଉଁଥିରେ ଘରଣୀ ପଣର ସାଜ ଖୋଲିଯିବ ଓ ନାରୀତ୍ୱ ଛୋଟିଆ ନମସ୍କାରଟିଏ କରି ଅଳସେଇ ହେବ । (ମୁଁ ସବିତାକୁ ଅଳସେଇ ହେବାର ଦେଖିଛି,–କେଉଁ ଦଶ ବାର ବର୍ଷ ତଳେ ସେ ସମୁଦ୍ରକୂଳ ବାଲି ଉପରେ ପେଟେଇ ପଡ଼ିଥିଲା, ଗୋକୁଳିଠାରୁ ଆରମ୍ଭ କରି ଅନ୍ୟ ସମସ୍ତଙ୍କଆଡ଼କୁ ସମାନ ଭାବରେ ଚାହୁଁଥିଲା, ଓ ନିଜ ଉପଭୋଗରେ ଲୋଟେଇ ହେଉଥିଲା । ସେତେବେଳେ ସେ ନୂଆ ବାହା ହୋଇଥିଲା, ତା’ ଦେହର ରଙ୍ଗ ଆହୁରି ଚମକୁଥିଲା...)

 

ଏହିପରି ଭାବିଲା ବେଳେ ତାଙ୍କ ନିଜ ମୁହଁର ରୂପ ବୋଧହୁଏ ଅଳସ-ମଧୁର ହୋଇ ଉଠିଥିଲା । କାରଣ ସବିତା ଦେବୀ କୃତ୍ରିମ ରାଗରେ କହିଲେ, ‘‘କଅଣ ଭାଉଜବୋହୂଙ୍କ କଥା ମନେ ପଡ଼ୁଛି ? ତାହାହେଲେ ମୋତେ କାହିଁକି ଏଠି ବସେଇ ରଖିଛ, ଶୁଣେ ?’’ ତାହାହେଲେ ମୋତେ କାହିଁକି ଏଠି ବସେଇ ରଖିଛ, ଶୁଣେ ?’’ ଏତିକି କହି ସେ ଉଠିବାକୁ ବସିଲେ । ସେଇଠୁ ବିନାୟକବାବୁ ଚେତା ପଶିଲା ପରି ସବିତା ଦେବୀଙ୍କ ହାତ ଧରି ପକାଇଲେ । ବିଜୁଳି ବେଗରେ ଧରି ପକାଇଲେ । ଯେପରିକି ତାଙ୍କ ମନରେ ଭୟ ହେଲା ଯେ ଚଞ୍ଚଳ ଖସି ଚାଲିଯିବ ଓ ସେ ନିଜକୁ ସମ୍ଭାଳି ପାରିଲେ ନାହିଁ ।

 

ସବିତା ଦେବୀ ତାଙ୍କ ହାତକୁ ଛଡ଼ାଇ ନେଲେ ନାହିଁ, ସଧୀରେ କାଢ଼ି ଆଣିଲେ ।

 

ବିନାୟକବାବୁ ଲଜ୍ଜିତ ହେଇ ଯେଉଁ ମୁହଁକୁ ଅନାଇଲେ ସେଥିରେ ସେ କ୍ରୋଧ ବା ବିରକ୍ତିର କୌଣସି ଲକ୍ଷଣ ଦେଖିଲେ ନାହିଁ । ବରଂ ତାଙ୍କର ମନେ ହେଲା ଯେ ସବିତାକୁ ବାଧିଲା । କାହିଁକି ? ସେ କ’ଣ ନିଜକୁ ମୋ ଭଉଣୀ ବୋଲି ଭାବୁନାହିଁ ? ମୁଁ କ’ଣ ତା’ ଦେହକୁ ଆଗରୁ କେବେ ଛୁଇଁ ନାହିଁ ?

 

ନା ତାକୁ ବାଧିଲା ଏଇଥିପାଇଁ ଯେ ? ଯେ ବିନଭାଇ ସବିତାକୁ ଛୁଇଁଲେ ? କାମନା କଷ୍ଟ ଦିଏ । ବିନାୟକବାବୁ ପ୍ରତିବେଦନାର ବ୍ୟଥାରେ ପୁଲକିତ ହେଲେ । ସେ କୋମଳ ଆର୍ଦ୍ରକଣ୍ଠରେ ଉଚ୍ଚାରଣ କଲେ, ‘‘ସ-ବି-ତା !’’

 

କହି ସାରିଲା ପରେ ସେ ଅପେକ୍ଷା କଲେ । ପ୍ରତି ମୁହୂର୍ତ୍ତରେ ଅପେକ୍ଷା କଲେ ଯେ ଅନୁରୂପ କଣ୍ଠରେ ସବିତା, କହିବ ‘‘ବି-ନ-ଭାଇ ।’’ କିନ୍ତୁ ସେ କିଛି କହୁ ନାହିଁ । କାହିଁକି କିଛି କହୁ ନାହିଁ-? ବିନାୟକ ବାବୁଙ୍କର ସନ୍ଦେହ ହେଲା ଯେ ସବିତା ମନେମନେ ହସୁଛି । ସେ ମୋର ସ୍ପର୍ଶରୁ କିଛି ପାଇ ନାହିଁ, ପାଇବାର ଛଳନା କରୁଛି । ସେ ସତୀତ୍ୱର ସ୍ୱର୍ଗରେ ଥାଇ ମୋର କୃତିତ୍ୱ ଦେଖିବ ବୋଲି ବସିଛି । ସତେ ଯେପରି ମୁଁ କୋଡ଼ିଏ ବର୍ଷର ଟୋକା ହୋଇଛି, ପ୍ରେମ-ବିଦଗ୍‌ଧ ରୋମିଓ,–ମୁଁ ନିଜକୁ ତା’ ପଦତଳେ ଅଜାଡ଼ି ଦେବି, ସଁପି ଦେବି, ଝାସ ଦେବି ! (କିନ୍ତୁ ତା’ ପାଦ ଦୁଇଟି ଭାରୀ ସୁନ୍ଦର, ଲକ୍ଷ୍ମୀ ପାଦ ପରି) ଆଉ ସେ ମୋ ମୁଣ୍ଡ ଆଉଁସି ଦେଇ କହିବ, ବିନଭାଇ, ଛିଃ । ଉଠ । ଏମିତି ପାଗଳଙ୍କ ପରି ହେଲେ ଚଳିବ ? ଆମର ଏ ପବିତ୍ର ସଂପର୍କ ଇତ୍ୟାଦି ଇତ୍ୟାଦି ।

 

ସେ ଏତିକି କହି ନାହିଁ, କିନ୍ତୁ କହି ପାରିବ । ତା’ର ପରୀଭାବ ଯେତିକି, ଦେବୀଭାବ ସେତିକି । ବୋଧହୁଏ ସେ ଭାବେ ଯେ ତା’ର ସାନ ବର୍ତ୍ତୁଳ ମୁହଁର ଚାରିପାଖରେ ଗୋଟିଏ ଜ୍ୟୋତିର ମଣ୍ଡଳ ରହିଛି । ସବିତା ଦେଈ ! ସବିତା ଦେଈ । ଶୁଣୁଛ ? କିଛି ହେଲେ କୁହ । ଆଉ ସମୟ ନାହିଁ, ଆଜି ବୋଧହୁଏ ଶେଷ ରାତି । ବୁଢ଼ାବୁଢ଼ୀ ହେବାକୁ ଆଉ ବିଶେଷ ଡେରି ନାହିଁ । ସେତେବେଳକୁ ବଞ୍ଚିବା ଶୋଭା ପାଇବ ନାହିଁ, ପ୍ରେମ କରିବା ଦୂରର କଥା ।

 

ଆଜି ଶେଷ ରାତି । ଆମେ କେତେଥର ଏମିତି ପାଖାପାଖି ବସିଛୁ । ଦେହ ଦେହକୁ ଡାକିଛି, ନିଃଶ୍ୱାସରେ ନିଶ୍ୱାସ ମିଶିଛି । କିନ୍ତୁ କିଛି ଘଟି ନାହିଁ । ଆଜି ପୁଣି କ’ଣ ସେଇୟା ହେବ ? ନା । ଆଜିର ରାତି ଫଳବତୀ ହେବ, ହେବାକୁ ହେବ । ଆଉ ବେଳ ନାହିଁ ।

 

(ହାତ ପାପୁଲି ଦୁଇଟି ଗୋଲ୍‌ଗାଲ୍‌, ହଳଦିଆ ଗୋରା ନାଲି ପଥରର ମୁଦି ଚମ୍ପା ଫୁଲରେ ସିନ୍ଦୂର ଛିଟା)

 

ଆଜିଠୁଁ ଅଭି ତୁମର ପୁଅ । ତୁମେ ତା’ର ମାଆ ସେହି ଆନନ୍ଦରେ କଅଣ ଆମେ ଅୟମାରମ୍ଭ କରି ପାରିବା ନାହିଁ ? ସବିତା ଦେଈ !

 

ବିନାୟକବାବୁ ଆତୁର ହେଲେ, ଉତ୍ତରୋତ୍ତର ନୀରବ ହେଲେ ଏବଂ ସବିତା ଦେବୀଙ୍କ ହାତକୁ ଚାହିଁ ରହିଲେ । ‘ସବିତା’ ବୋଲି ଦ୍ୱିତୀୟଥର କହି ପାରିଲେ ନାହିଁ କିମ୍ୱା ତାଙ୍କ ମୁହଁକୁ ଅନାଇ ପାରିଲେ ନାହିଁ । ଅଥଚ ହାତକୁ ଦେଖୁ ଦେଖୁ ତାଙ୍କ ଆଖିରେ ପଡ଼ିଲା ସେହି ଜାନୁ ଦୁଇଟି ଯାହା ଉପରେ ହାତ ଥୁଆ ହୋଇଥିଲା, ସେଥିର କୋମଳ କମନୀୟତା ସବିତାପଣ । ବିନାୟକବାବୁ ନିଜକୁ ତିରସ୍କାର କରି ଫେରାଇ ଆଣିଲେ ଓ ହୃଦୟଭରା ପ୍ରେମର ଡାକକୁ ପୁଣି ଅପେକ୍ଷା କଲେ । ଏ ରାତି କ’ଣ ଆଗେଇବ ନାହିଁ ।

 

କେତେବେଳେ ତାଙ୍କ ମୁଣ୍ଡରେ ପଶିଲା ଯେ ଅନେକ ସମୟ ହେଲା ସେମାନେ ନୀରବ ହୋଇ ବସିଛନ୍ତି । ଅନ୍ୟଥା ଭାବୁଥିଲେ ସବିତା ନିଶ୍ଚୟ ଉଠି ପଳାଇ ସାରନ୍ତାଣି, ବାଆଁରେଇ ଦେଇ ଏଣୁ ତେଣୁ କଥା ପକାଇ ସାରନ୍ତାଣି, କିମ୍ୱା ନିରର୍ଥକ ହସ ହସି ସାରନ୍ତାଣି । କିନ୍ତୁ ସେ ମଧ୍ୟ ଚୁପ ହୋଇ ବସି ରହିଛି । ତା’ର ଅର୍ଥ ସେ ଗ୍ରହଣ କରିଛି, ଓ ଚାହିଁ ରହିଛି । ତା’ପରେ ?

 

ତା’ ପରେ କ’ଣ ?

 

ବିନାୟକ ବାବୁ ଭାବିଲେ ଯେ ଏ ପ୍ରଶ୍ନ ଯୁଗାନ୍ତକାରୀ । କିନ୍ତୁ ଉତ୍ତର ଏତେ ସହଜ ନୁହେଁ-। କିଏ କହୁଛି ଯେ ମୁଁ ଆଖିପିଛୁଳାକେ ସେଇ ହାତ ଦୁଇଟିକୁ ଚାପି ଧରି ପାରିବି (ଜାଣିଶୁଣି), ସେହି କାମ୍ୟ ଦେହକୁ ଟାଣି ଆଣି ଉଷ୍ଣତାର ଅତଳତଳ ଖୋଜି ପାରିବି । କିମ୍ୱା ସେହି ଦୁଷ୍ପ୍ରାପ୍ୟ ଓଠକୁ ? ନା, ସବିତା ସେମିତି ନୁହେଁ ! ସେମିତି ହୁଏ ନାହିଁ, ହୋଇ ପାରିବ ନାହିଁ ! ବିନାୟକ ବାବୁ ଆପଣାକୁ ନିଷେଧ କଲେ ପ୍ରଚଣ୍ଡ ଭାବରେ ନିଷେଧ କଲେ ।

 

ଓଃ ! ବିନାୟକ ଓ ସବିତାର ସଂପର୍କ, ସମଗ୍ର ଅତୀତ ବର୍ତ୍ତମାନ ଓ ଭବିଷ୍ୟତର ଦାୟିତ୍ୱ କ’ଣ ଏହି ଗୋଟିଏ ମୁହୂର୍ତ୍ତର ବିନ୍ଦୁରେ ଠୁଳ ହେବାର ଥିଲା ? ବିନାୟକ ବାବୁଙ୍କର ମନେ ହେଲା ଯେ ନିୟତି ଆକାଶ ଓ ପୃଥିବୀର ଅଖଣ୍ଡ ବିରାଟ କଳେବର ଧାରଣ କରି ତାଙ୍କୁ ମାଡ଼ି ବସୁଛି । କହୁଛି ଆଉ ରକ୍ଷା ନାହିଁ । ଏଥର କିଛି କରିବୁତ କର ନଚେତ୍‍ । ଛିଃ ! ଆମର ପ୍ରେମ ସୂକ୍ଷ୍ମ ଓ ସୁନ୍ଦର । ତାହା ଏହି ସ୍ଥୂଳତା, ଏହି ଗର୍ଜନ, ଏହି ଆକସ୍ମିକତା ସହି ପାରିବ ନାହିଁ । ସହି ପାରିବ ନାହିଁ-

 

ସହି ନ ପାରିଲା ପରି ସେ ତାଙ୍କ ଛାତିତଳେ ଏକ ଶୂନତ୍ୟ, ଏବଂ ରସନାରେ ଶୁଷ୍କତା ଅନୁଭବ କଲେ । କିନ୍ତୁ କିଛି କହିବାକୁ ହେବ । ଯେତେ ଡେରି ହେଉଛି ଅବସ୍ଥା ଅଧିକ ସାଂଘାତିକ ହୋଇ ଉଠୁଛି । ବିନାୟକ ବାବୁ ତାଙ୍କ ଚେତନାର ସମସ୍ତ ଅଂଶକୁ ଜଗାଇ କିଛି କହିବାକୁ ଚାହିଁଲେ, ଓ ଶେଷକୁ କହି ପକାଇଲେ,–

 

‘‘ସବିତା । ଅଭି ତୁମକୁ ଲାଗିଲା ।’’ (ସେତେବେଳେ ତାଙ୍କ ଦୃଷ୍ଟ ସାମାନ୍ୟ ଉର୍ଦ୍ଧ୍ୱକୁ ଗଲା, ସବିତା ଦେବୀଙ୍କର ହାତ ଦୁଇଟିରୁ ତାଙ୍କ ବିପୁଳ ବକ୍ଷଦେଶକୁ ।)

 

ତଥାପି ସବିତା ଦେବୀ ନିରୁତ୍ତର ରହିଲେ । କିନ୍ତୁ କ୍ଷଣକ ପାଇଁ । ତା’ପରେ ଏକାଧାରରେ ଅବସ୍ଥାର ଗୌଣତା ଓ ଟ୍ରାଜେଡ଼ି ବୁଝିପାରିଲା ପରି ସେ ଗୋଟିଏ ହାତ ମୁଣ୍ଡରେ ଲଗାଇଲେ ଓ ରହି ରହି ହସି ଉଠିଲେ । ସେ ହସରେ ଆନନ୍ଦ ଥିଲା ପରି ଲାଗିଲା ନାହିଁ । ଏବଂ ସେହି ଅଦମ୍ୟ ହାବୁକା ଭିତରେ ସେ କହିଲେ, ‘‘ବିନଭାଇ । ତୁମେ ବିଚିତ୍ର । ଏଇଥିପାଇଁ ଏତେ ଚିନ୍ତା ? ପିତୃହୃଦୟ ଏତେ କୋମଳ ବୋଲି ମୁଁ ଜାଣି ନ ଥିଲି !

 

ସେହିଠୁଁ ସେ ଛିଡ଼ା ହୋଇ ପଡ଼ିଲେ । ମନେ ହେଲା ଯେ ତାଙ୍କର ଅନତି ଦୀର୍ଘ ଗୁଷ୍ଟ ପ୍ରଦୀପ୍ତ ଦେହର ଛାଇରେ ବିନାୟକ ବାବୁ ଟାଙ୍କି ହୋଇ ଯାଇଛନ୍ତି । ଗମ୍ଭୀର-କରୁଣ ହୋଇ ସେ କହିଲେ,–

 

‘‘ବିନଭାଇ, ଅଭି କ’ଣ ମୋର ପୁଅ ନୁହେଁ ? ହୋଇ ପାରିବ ନାହିଁ ? ହୁଏତ ମୁଁ ତୁମ ପରି ଆଉ ଭାଉଜବୋହୂଙ୍କ ପରି ତା’ର ଯତ୍ନ ନେଇ ପାରିବି ନାହିଁ । ଯେତେହେଲେ ମୁଁ ତାକୁ ଜନ୍ମ କରି ନାହିଁ– ।’’

 

‘‘ନା ନା’’ ମୁଁ ସେ କଥା କହୁନାହିଁ । କି ଆଶ୍ଚର୍ଯ୍ୟ ! ମୁଁ କହୁଥିଲି କ’ଣ କି ଅଭିକୁ ତୁମେ ଜାଣ ନାହିଁ । ସେ ଭଲ ପିଲା, କିନ୍ତୁ ବେଳେ ବେଳେ ଭାରୀ ଜିଦି କରେ । ଯାହା ବୁଝିଥିବ ସେଇୟା-।’’

 

‘‘ଠିକ୍‍ ଆମ ମୀରାପରି’’–(ଏଥର ତାଙ୍କ କଣ୍ଠସ୍ୱର ସହଜ, ଆଳାପ ଉପଯୋଗୀ)

 

‘‘ବେଳେ ବେଳେ ଏମିତି ଗୁମାନୀ ହୋଇଯିବ ଯେ ତା’ ମନକଥା ବୁଝିବା କାଠିକର ପାଠ । ଯେମିତିକି ସେ ପୃଥିବୀର କେହି ନୁହେଁ ।’’

 

ମୁଁ କ’ଣ ଜାଣି ନାହିଁ ? ଏଇ ସେଦିନ ଆମେ ଗୋଟିଏ ପାର୍ଟିକୁ ଯାଇଥିଲୁ । ଘରକୁ ଫେରି ଆସି ଦେଖେ ଯେ ମୀରା ମୁହଁ ଫୁଲାଇ ବସିଛି ।’’

 

‘‘ସେ ବାପା ମାଆକୁ ଛାଡ଼ି ଯିବାକୁ ଚାହେଁ ନାହିଁ । କିନ୍ତୁ ସେ ଏଠି ଆରେଇ ଯିବ । ଏଠି ପହଞ୍ଚୁ ନ ପହଞ୍ଚୁଣୁ ସେ କ’ଣ ପଚାରିଲା ଜାଣିଛ ? କହିଲା,–ମୀରା ହେରିକା ମୋତେ ଭାଇ ବୋଲି ଡାକିବେ ନା ? ତା’ର କେହି ସାନଭଉଣୀ ନାହାନ୍ତି ନା, ସେଇଥି ଲାଗି– ।’’

 

‘‘କିନ୍ତୁ ସେ ଦୁଷ୍ଟ ହେଲେ ମୁଁ ତାକୁ ଶାସନ କରିବି । ଜାଣି ଥା’ । ନ ହେଲେ ସେ ଅବାଗିଆ ହୋଇଯିବ, (ଧୂର୍ତ୍ତ ହସ) ତା’ ବାପ ପରି ।’’

 

‘‘ତା’ ବାପାକୁ ଏବେ ଶାସନ କରୁନାହଁ,–କିଏ ମନ କରୁଛି ?’’

 

ହସର ଆଦାନ ପ୍ରଦାନ । ବିନାୟକ ବାବୁ ଆଶ୍ୱସ୍ତ ହେଲେ । ବୋଝ ଉତୁରି ଯାଉଛି, ପୃଥିବୀ ପୁଣି ଗୋଲ୍‍ ହୋଇଯାଇଛି । ପ୍ରିୟପରିଚିତା ସବିତା ଦେଈ-ଗୋକୁଳିର ସ୍ତ୍ରୀ,–ହସୁଛନ୍ତି ଓ ମୁଁ ତାଙ୍କ ସାଙ୍ଗରେ ହସୁଛି । ଗୋକୁଳି ଏହିକ୍ଷଣି ଆସି ପହଞ୍ଚିଲେ ଆମ ସାଙ୍ଗରେ ଗପ ଯୋଡ଼ିଦେଇ ପାରିବ, ଅଧରାତିଆ କଫି ପିଇ ଆମେ ବିଶ୍ୱ ବ୍ରହ୍ମାଣ୍ଡର ଗପ ଗପି ପାରିବା । ଯେଉଁଥିରେ କିଛି ମଳିଧୂଳି ନାହିଁ, ଅଞ୍ଚ ଲାଗିବ ନାହିଁ ।

 

କିନ୍ତୁ ସବିତା ଦେବୀ ଶୀଘ୍ର ପ୍ରସ୍ଥାନ କଲେ । ଗଲାବେଳକୁ କହିଲେ, ‘‘ମୁଁ ଯାଉଛି ବିନଭାଇ । ଗୁଡ଼ନାଇଟ୍‍ । ମୁଁ ଦେଖେ ତୁମ ପୁତ୍ରମଣି କ’ଣ କରୁଛନ୍ତି ।’’

 

ସବିତା ଦେବୀ ଯିବାପରେ ବିନାୟକ ବାବୁ ଅତି ଅଳ୍ପ ସମୟ ପାଇଁ ଆଲୁଅ ଜଳାଇ ରଖିଲେ, ତା’ପରେ ଲିଭାଇ ଦେଲେ । ଯେପରିକି ସେ ନିଜ ଚରିତ୍ରର ଚେହେରା ଦେଖି ପାରିଲେ, ଓ ଦେଖିବାକୁ ଚାହିଁଲେ ନାହିଁ । ତାଙ୍କର ମନେ ପଡ଼ିଲା ଯେ ରାତିରେ ଟ୍ରେନରେ ଆସିଲା ବେଳେ ସେ ଗୋଟିଏ ଛୋଟ ଷ୍ଟେସନ୍‍ ଦେଖିଥିଲେ–ସେଠି ଟ୍ରେନ୍‍ ରହିଲା ନାହିଁ, ଲୋକବାକ କେହି ଥିଲା ପରି ଦିଶୁ ନ ଥିଲା, କିନ୍ତୁ ତା’ ପ୍ଲାଟ୍‍ଫର୍ମରେ ଆଲୁଅ ଜଳୁଥିଲା, ଓ ଲୁହା ବେଞ୍ଚ୍ କେତୋଟି ଅତି ନଗ୍ନ ଓ ଏକୁଟିଆ ଦେଖା ଯାଉଥିଲା ।

 

ବିନାୟକ ବାବୁ ନିଜ ମନକୁ ଅଣ୍ଡାଳିଲେ । ନିଜକୁ କହିଲେ ଯେ ସେ ମିଛ କହି ନାହାଁନ୍ତି, ସେ ମୂଳରୁ ଠିକ୍‍ କରିଥିଲେ ଯେ ଅଭି ବିଷୟ ନେଇ ସବିତା ସାଙ୍ଗରେ କଥାବାର୍ତ୍ତା କରିବେ । ଯେ ମୁଖ୍ୟତଃ ସବିତା ତାଙ୍କର ଭଉଣୀ, ଅଥବା ବନ୍ଧୁପତ୍ନୀ । ଅଥବା ଅଭିର ‘‘ମାଆ’’ । ହେଲେ ଥରକୁଥର ତାଙ୍କର ମନକୁ ଆସୁଥାଏ ସେହି ଲୁହା ଶାଗୁଆ ବେଞ୍ଚ୍,–ସ୍ଥାବର ଦୟନୀୟ ବେଞ୍ଚ୍ । ଚରିତ୍ରର ଗୋଟାଏ ଝଲକ ।

 

ମୁଁ କଅଣ ସତରେ ନିଜକୁ ପଦାରେ ପକାଇ ଦେଲି ? ଜଣାଇଦେଲି ଯେ ମୁଁ ଭୀରୁ ! ମୁଁ ମଣିଷ ନୁହେଁ, ପଦାର୍ଥ ! ମୋର ଏ ପ୍ରେମରେ ସତ ନାହିଁ, ସାହାସ ନାହିଁ !!

 

ବିନାୟକ ବାବୁ ମନେମନେ ସବିତା ଦେବୀଙ୍କୁ ଖୋଜିଲେ, ଡାକିଲେ, ଓ କଳ୍ପନାରେ ତାଙ୍କ ଦେହର ଅଗଣାରେ ମୁହଁ ଘସି କହିଲେ, ସବିତା ଦେବି, ମୁଁ ତୁମକୁ ଭଲପାଏ । ଭାରୀ ଭଲପାଏ । ମୋର ପ୍ରେମ ପବିତ୍ର, ମହାନ୍‍ । ନ ହେଲେ ମୁଁ କ’ଣ ତୁମକୁ ଅଭିର ମାଆ ରୂପରେ ବାଛି ଥାଆନ୍ତି ?

 

ତଥାପି ତୁମେ ବୁଝୁନାହଁ ? ବିନାୟକ ବାବୁ ସେହି କୋମଳବନ୍ଧୁର ଅଗଣାରେ ବାରମ୍ୱାର କଡ଼ ଲେଉଟାଇଲେ ଓ ଛାଟିପିଟି ହେଲେ । କେତେବେଳେ ତାତିକୁ ଶୀତଳାଇଲେ, କେତେବେଳେ ହେମାଳକୁ ଉଷୁମ କଲେ, ଓ କାମନା କଲେ ଯେ ଏ ରାତି ଶେଷ ରାତି ନ ହେଉ ।

 

ଦୁଇ

 

ଲମ୍ୱା ଘର ।

 

ଏ ଘରଟି କ’ଣ ମୁଣ୍ଡରେ, ଚଉଡ଼ାଠାରୁ ଲମ୍ୱା ଅନେକ ବେଶି, ସେଇଥିପାଇଁ ଏହାକୁ ଲମ୍ୱା ଘର କହନ୍ତି । ଏଇଠି ପିଲାମାନେ ଧାଡ଼ି ଧାଡ଼ି ହୋଇ ଶୁଅନ୍ତି ।

 

ଆଜି ଏଠି ଗୋଟିଏ ନୂଆପିଲା ଆସିଛି, ସେ ମଧ୍ୟ ସମସ୍ତଙ୍କ ସାଙ୍ଗରେ ଶୋଇଛି । କାନ୍ଥ କଡ଼ରେ ପରା ହୋଇଥିବା ଗୋଟିଏ ଅଲଗା ବିଛଣାରେ ଶୋଇଛି । ସେ ହେଉଛି ଅଭିମନ୍ୟୁ; ବିନାୟକ ବାବୁଙ୍କର ପୁଅ ।

 

ସବିତା ଦେବୀ ଆସି ଦେଖିଲେ ଯେ ଅଭି ଆଖି ବୁଜି ନାହିଁ, ମନଯୋଗ ସହକାରେ ଗୋଟିଏ ‘କମିକ୍‍’ ବହି ଧରି ପଢ଼ୁଛି । କିନ୍ତୁ ତା’ର ଅତି ନିବିଷ୍ଟ ଭାବ, ଓ ଚାହାଣିର ଅସ୍ୱାଭାବିକ ତୀବ୍ରତା ସନ୍ଦେହଜନକ ମନେ ହେଲା । ସବିତା ଦେବୀ ଭାବିଲେ ଯେ ସେ ପ୍ରକୃତରେ ପଢ଼ୁନାହିଁ, ପଢ଼ିବା ବାହନାରେ ଆକାଶ ପାତାଳ ଭାବୁଛି । ପୁଣି ସେ ଦେଖିଲେ ଯେ ଅଭି କଡ଼େଇ କଡ଼େଇ ତାଙ୍କ ଆଡ଼କୁ ଚାହୁଁଛି ।

 

ସବିତା ଦେବୀ ହୁଏତ କ’ଣ କହି ପକାଇ ଥାଆନ୍ତେ, କିମ୍ୱା ତାଙ୍କର ଆମୋଦକୁ ସ୍ପଷ୍ଟରୂପେ ଜଣାଇଦେଇ ଥାଆନ୍ତେ, କିନ୍ତୁ ଏତିକିବେଳେ ତାଙ୍କ ରୋଗଣା ମଝିଆ ଝିଅ ନାରୀ ଭେଁ କିନି କାନ୍ଦି ଉଠିଲା । ସଞ୍ଜବେଳଠୁ ସେ କୁନ୍ଥଉଛି । ସବିତା ଦେବୀ ତା’ ପାଖକୁ ଯାଇ ତାକୁ ଥାପୁଡ଼େଇଲେ, ଓ ତା’ପରେ ତା’ ମଣ୍ଡ ପାଖରେ ବସି ରହି ତା’କୁ ଆଉଁସିବାକୁ ଲାଗିଲେ ।

 

ଅଭି ସେହି ମାଆଝିଅଙ୍କୁ ଚାହିଁଦେଇ ତା’ର ‘ବହିପଢ଼ା’କୁ ଫେରି ଆସିଲା । ତା’ ଭାବନାର ଗତି ଦ୍ରୁତତର ହେଲା ।

 

ମୋଟୀ, ବାଙ୍ଗରୀ ! ସେ କାହିଁକି ମୋ ମାଆ ହେବ ? ମୋ ମାଆ ଏମିତି ନୁହେଁ ।

 

ସେ ମୋ ମାଆ ନୁହେଁ ! ବାପା ତୁଚ୍ଛାଟାକୁ ଦୁଗୁଣେଇ ହେଉଥିଲେ,–ବୁଝିଲୁ ଅଭି, ସବିତା ମାଉସୀ ଆଉ ସମସ୍ତଙ୍କ ପରି ନୁହେଁ । ସେ ତୋତେ ଖୁ-ଉ-ବ୍‍ ସ୍ନେହ କରିବ, ତୋ ଖବର ବୁଝିବ, ତୋର କିଛି ହେଲେ ଅଭାବ ହେବ ନାହିଁ...ମାଆ ନା ଛେନା ଗୁଡ଼ !

 

ଅଭି ମନ ଭିତରେ ଦୁଇଜଣଙ୍କୁ ପାଖାପାଖି ରଖିଲା ଓ ତା’ର ଧାରଣା ଦୃଢ଼ ହେଲା ଯେ ଏ ଲୋକଟାର ସବୁ ଭୁଲ୍‍ । ମୋ ମାଆ ଦେହର ରଙ୍ଗ ଚିକ୍‍କଣ ସାବନା, ସେଠି ମୁହଁ ରଖିଲେ ଘର ପରି ଲାଗେ । ଅଲଗୁଣି ପଛରେ ଥିବା ଶାଢ଼ି ଚାଦର ଘେରା କାନ୍ଥର ସେହି ଛୋଟିଆ କୋଣଟି ପରି । ଆଉ ୟାଙ୍କ ଦେହର ଗୋରା ଦାଉ ଦାଉ ହୋଇ ଜଳୁଛି । ...ମାଆର ନାକ ସୁନ୍ଦରିଆ ହୋଇ ଛୋଟିଆ, ଆଉ ୟାଙ୍କର ଧାରୁଆ ଖଣ୍ଡାପରି । ୟାଙ୍କ ମୁଣ୍ଡରେ ମେଞ୍ଚାଏ କଳା ବାଳ, ମୁହଁର ଚାରିପାଖରେ ଫୁଲିକରି ରହିଛି, ପୁଣି ନୁଖୁରା ଦେଖା ଯାଉଛି । ମୋ ମାଆ ତେଲ ଲଗାଇ ଜୁଡ଼ା ବାନ୍ଧେ । ...ୟାଙ୍କ ଦେହରେ ପୁଳାଏ ପୁଳାଏ ମାଂସ ଲାଗିଛି । କେଡ଼େ ମୋଟା ବେକ ! ଆଉ କେତେ ବଡ଼ବଡ଼ ଛାତି ! ମୁଁ କ’ଣ ସେ ଛାତିରେ ଶୋଇ ପାରିବି ? ଛିଃ ଅସନା । ...ୟାଙ୍କର କେହି ପୁଅ ନାହାନ୍ତି । ତିନିଟାଯାକ ଝିଅ । ମାଇଚିଆଗୁଡ଼ାକ । ମୁଁ ତାଙ୍କର ସାଙ୍ଗରେ ବସିବି, ଖେଳିବି, ସ୍କୁଲକୁ ଯିବି । ମୁଁ ବି ମାଇଚିଆ ହୋଇଯିବି ।

 

ଧ୍ୟାତ୍‍, ମୁଁ ଏଠି ରହିବି ନାହିଁ । ମୁଁ କାଲି ସକାଳେ ବାପାଙ୍କ ସାଙ୍ଗରେ ଲଗେଇବି ଯେ ସେ ମୋତେ ଘରକୁ ଫେରେଇନେବେ । କାହିଁକି, ସେଆଡ଼େ, କ’ଣ ସ୍କୁଲ ନାହିଁ ? ଶହଶହ ସ୍କୁଲ ଭର୍ତ୍ତି ହୋଇଛି । ବାପାଙ୍କର ଏଠୁ ସେଠିକି ବଦଳି ହେଉଛି, ହେଉ । ମୋତେ କୋଉ ହଷ୍ଟେଲ୍‍ରେ ରଖି ଦେଇ ଥାଆନ୍ତେ । ଏଠି ପଢ଼ିବି ବୋଲି କ’ଣ ଲେଖା ହୋଇଛି ? ବାପାଙ୍କର ଗୋଟାଏ ଜିଦି ଲାଗିଛି– । ମାଆ ପ୍ରଥମେ ନାହିଁ ନାହିଁ କରୁଥିଲା, କହୁଥିଲା ମୋ ପୁଅକୁ ଏତେ ଦୂରକୁ ଛାଡ଼ିବି ନାହିଁ-। କିନ୍ତୁ ବାପା ତା’ ପଛରେ ଦିନ ରାତି ଏମିତି ଲାଗିଲେ, ଏମିତି ଲମ୍ୱା ଲମ୍ୱା କଥା କହି ବୁଝେଇଲେ ଯେ ଶେଷକୁ ସେ ବି’ ରାଜି ହୋଇଗଲା । ସବିତା ମାଉସୀ ବାପାଙ୍କର କଅଣ କି ?

 

ସବିତା ମାଉସୀକୁ ପୁଣି ଥରେ ଦେଖିବା ପାଇଁ ଅଭି କଡ଼େଇ କରି ଚାହିଁଲା । ଦେଖିଲା ଯେ ସେ ତା’ ଆଡ଼କୁ ଜଳଜଳ କରି ଚାହିଁଛନ୍ତି ।

 

ସେ କିଏ ମୋ’ଆଡ଼କୁ ଏମିତି ଚାହିଁବେ ? ଗିଳିପକାଇଲା ପରି ଚାହିଁଛନ୍ତି । ରାକ୍ଷସୀଙ୍କ ପରି ଚାହିଁଛନ୍ତି । ଅଭିକୁ ଡର ଲାଗିଲା । ଯେପରିକି ଏହି ନୂଆ ମାଆର ମାଆପଣ ତାକୁ ଟାଣି ନେବ ବୋଲି ବସିଛି । ଗୋଟାଏ ଅଜଣା ଦେହ,–ଗୋରା, ମୋଟା ଓ ଲୁତୁପୁତୁ,–ଭୋକେଇଛି ତା’କୁ ମାଡ଼ି ବସିବ, ଆଉ ଗେହ୍ଲେଇ ହୋଇ କହିବ,–ମୁଁ ତୋ ମାଆ ପରା !

 

ଅଭି କଡ଼ ଲେଉଟାଇଲା । ତା’ର ସେହି ରୋଗିଣା ଝିଅଟା ଉପରେ ରାଗ ଆସିଲା । କାହିଁକି ସେ ଏମିତି କାନ୍ଦୁଛି ? ମଣିଷକୁ ଟିକିଏ ଶୋଇବାକୁ ଦେବନାହିଁ । ସେ କ’ଣ ରାତିଯାକ ଏମିତି କାନ୍ଦି ଚାଲିଥିବ, ଅଭିଲା କେଁ କେଁଇଆ କାନ୍ଦ, ଆଉ ତା’ ମାଆଆଡ଼କୁ ଏମିତି ଚାହିଁ ରହିଥିବ-? ଆଲୁଅ ଲିଭେଇ ଦେବି ? ନା, ଆଲୁଅ ଲିଭେଇ ଦେଲେ ସବିତା ମାଉସୀର ଚାହାଣି ଆହୁରି ପାଖକୁ ଲାଗି ଆସିବ, ମୋତେ ଡରେଇବ, କାବୁ କରିଦେବ ।

 

‘‘ଅଭି, ବହି ପଢ଼ା ସରିନାହିଁ ? ଆଲୁଅ ଲିଭେଇ ଦେଇ ଶୋଇପଡ଼୍‍ । ଡେରି ହେଲାଣି ପରା ।’’

 

ଅଭି ନିରୁତ୍ତର ।

 

‘‘ତୁ ଆଜି ଭଲକରି ଖାଇଛୁ ତ ? ତରକାରୀ ପତ୍ର କେମିତି ହୋଇଥିଲା ?’’

 

‘‘ଭଲ ।’’

 

‘‘ତୁ କ’ଣ ଶୋଇବୁ ନାହିଁ ? ଆହୁରି ପଢ଼ୁଥିବୁ ?’’

 

‘‘ହଁ ।’’

 

ସବିତା ଦେବୀ ନିରସ୍ତ୍ର ହେଲେ ।

 

ନୀରାର କାନ୍ଦଣା କ୍ଷୀଣ ହୋଇ ଆସିଲା, ଥମିଗଲା । କିନ୍ତୁ ଅଭି ଶାନ୍ତ ହେଲାନାହିଁ । ସେ ବହି ପଢ଼ିଲା, ଓ ଘନ ଘନ ପ୍ରତିଜ୍ଞା କଲା ଯେ ସେ ଏ ମାଇଚିଆ ଘରେ ରହିବ ନାହିଁ । ସେ ସବିତା ମାଉସୀକୁ ସହି ପାରିବ ନାହିଁ । ମୋଟେ ସହି ପାରିବ ନାହିଁ ।

 

ତେବେ ତାକୁ ନିଦ ଲାଗି ଆସୁଥାଏ, ଓ ସେ ଅଜାଣତରେ ପୁଣି ଗଡ଼ିଗଲା ଆରପଟକୁ ବହିକୁ ସାଙ୍ଗରେ ନେଇ । ସେତିକିବେଳେ ସେ ସେହି ଅବାଞ୍ଛିତା ଅନ୍ୟ ବ୍ୟକ୍ତିଙ୍କୁ ଆଉ ଥରେ ଦେଖିଲା । ବୋଧହୁଏ ଦେଖିବାର ଲୋଭ ସମ୍ଭାଳି ପାରିଲା ନାହିଁ ।

 

ସବିତା ମାଉସୀଙ୍କର କଅଣ ହୋଇଛି ? ସେ କ’ଣ କାନ୍ଦୁଛନ୍ତି ?

 

ଅଭି ଧରାପଡ଼ିବାର ଭୟକୁ ଭୁଲି ଯାଇ ତାଙ୍କ ଆଡ଼କୁ ସିଧା ହୋଇ ଚାହିଁଲା, ଯଦିଓ ସେ ବହି ଖଣ୍ଡକ ହାତରୁ ଛାଡ଼ୁ ନ ଥାଏ । ସବିତା ମାଉସୀଙ୍କର କଅଣ ହୋଇଛି ? ନା ସେ କାନ୍ଦୁ ନାହାନ୍ତି । ତାଙ୍କ ଆଖିରେ ଲୁହ ଟୋପାଏ ବୋଲି ନାହିଁ । ସେ ସେମିତି ମୋର ଆଡ଼କୁ ଚାହିଁଛନ୍ତି । କିନ୍ତୁ ତାଙ୍କ ଚାହାଣି ଫୋଡ଼ି ଦେଉ ନାହିଁ, ବୋଳି ହୋଇଗଲା ଲାଗୁଛି । ମୋ ଦେହ ମୁହଁରେ, ଏ ଘରସାରା ବୋଳି ହୋଇ ଯାଇଛି । ଏହିକ୍ଷଣି ତାଙ୍କ ଗୋରା ରଙ୍ଗ ଦାଉ ଦାଉ ହୋଇ ଜଳୁନାହିଁ, ପାଉଁଶିଆ ପଡ଼ି ଯାଇଛି । ଆଉ ସେ ସୁନ୍ଦର ଦେଖା ଯାଉଛନ୍ତି ।....ଅଭିର ମନେ ହେଲା ତା’ର କିଛି କରିବା ଦରକାର । ଏ ଘରେ ଏକୁଟିଆ ସେ ଦୁଇଜଣ, ଚୁପ୍‍ଚାପ୍‍, ଅଭି ଓ ତା’ର ନୂଆ ମାଆ, ସବିତା ମାଉସୀ । ଆଉ କେହି ନାହିଁ । ସେ ଝିଅଟା ବି’ କାନ୍ଦୁ ନାହିଁ । ତାକୁ ଓଜନିଆ ଲାଗିଲା, ଯେପରିକି ସେ ଜଣେ ବଡ଼ ମଣିଷ ହୋଇ ଗଲାଣି, ଆଉ ତା ସାମନାରେ ଏହି ସ୍ତ୍ରୀ ଲୋକ ଜଣକ କଷ୍ଟ ପାଉଛନ୍ତି ।

 

ସବିତା ମାଉସୀ ସୁନ୍ଦର । ଅଭିର ଖିଆଲ ହେଲା ଯେ ସେ ମୂଳରୁ ଏ କଥା ଜାଣିଛି । ବାପା କହୁଥିଲେ ? ନା ମାଆ କହୁଥିଲା ? ନା ମୁଁ ଭାବି ନେଇଥିଲି ? ଯାହାହେଉ ମୁଁ ମୂଳରୁ ଜାଣିଛି ଯେ ସେ ସୁନ୍ଦର । ଅଲଗା । ମାଆଠାରୁ ଅଲଗା । ମାଆଠାରୁ ସୁନ୍ଦର ।

 

‘ଅଭି, ସୁନାଟି ପରା, ବହି ରଖିଦେଇ ଶୋଇପଡ଼୍‍ ।’

 

ତା’ର ଗୋପନ ଭାବନା ଓ ପ୍ରବଣତାକୁ କିଏ ଜାଣି ପକାଇଲା ପରି ଅଭି ଚିହିଙ୍କି ଉଠିଲା ଓ ରୁକ୍ଷ ସ୍ୱରରେ କହିଲା, ‘‘ମୁଁ ଏହିକ୍ଷଣି ଶୋଇ ପାରିବି ନାହିଁ, ମୋତେ ନିଦ ହେଉ ନାହିଁ ।’’

 

ଅଭି ନିଜେ ବୁଝିଲା ଯେ ସେ କଡ଼ା କଥା କହିଲା । ତାଙ୍କୁ ଆହୁରି କଷ୍ଟ ହୋଇଥିବ । ହେଉ । ମୁଁ କହିଛି, ବେଶ୍‍ କରିଛି । ଆହୁରି କହିବି । ‘ଅଭି, ସୁନାଟି ପରା !’ ସେ କିଏ ମୋତେ ସେମିତି କହିବେ ? ସତରେ ଯେମିତି ମୁଁ ତାଙ୍କ ପୁଅ ! ଧାଉଁଥିଲି ବସି– ।

 

ସେ ଖୁସି ହେଲା ଯେ ସେ ଶୁଣି ରାଗି ପାରୁଛି । ସବିତା ମାଉସୀ ଉପରେ ତା’ର ରାଗିବା କଥା । ସେ ମୋତେ ଫୁସୁଲାଉଛନ୍ତି ଯେ ମୁଁ ଏଇଠି ରହିବି, ତାଙ୍କ ପାଖରେ ରହିବି । ସେ କଥା ହେବ ନାହିଁ । କିନ୍ତୁ ଛାତିଭିତରେ କ’ଣ ଜମିଗଲା ପରି ଲାଗୁଛି । କ’ଣ ଜମିଯାଇଛି ଓ ବିନ୍ଧୁଛି-। ବୋଧହୁଏ ଟିକକରେ ଫୁଟିଫାଟି ପଡ଼ିବ, ମୁଁ ଏଠୁ ପଳେଇ ଯିବି, ସବିତା ମାଉସୀ ଉପରକୁ ବହି ଖଣ୍ଡକ ଫିଙ୍ଗି ଦେବି, ନ ହେଲେ ସେ ଦୌଡ଼ି ଆସି... ।

 

ସେ ଆସୁ ନାହାନ୍ତି କାହିଁକି ? ଏତେ ଦରଦ ଯଦି ସେ ଶୋଇଲା ଝିଅଟାକୁ ଆଉଁସୁଛନ୍ତି କାହିଁକି ?

 

ସେ ଦୌଡ଼ି ଆସିବେ । ମୋ ପାଖରେ ବସିପଡ଼ି ମୋ ହାତକୁ ହାତରେ ଧରିବେ, ମୋ ଉପରକୁ ନଇଁଯିବେ, ଆଉ ମୁଁ ଆଉଜିଯିବି । ମାଆ ପରି ନୁହେଁ, ନୂଆ ମାଆ ପରି । ଆଉ ଗୋଟିଏ ଦେହ, ..ଗୋରା ଚଉଡ଼ା...ନରମ । ତାଙ୍କର ସେ ସାନ ପୁରୁକା ମୁହଁ ମୋତେ ଗେହ୍ଲା କରିବ । (ତାଙ୍କ ଗାଲରେ ଗୋଟାଏ ଖାଲ ଅଛି ?) ମାଆ ଯେମିତି କରେ, ହେଲେ ମାଆଠୁ ଅଲଗା । କହିବେ,–ଅଭି, ତୁ ମୋ ପୁଅ ନୁହେଁ । ମୀରା ହେରିକା ଅନେଇଥିବେ, ହିଂସା କରୁଥିବେ । କରନ୍ତୁ । ଖାଲି କଅଣ ସେଇମାନେ ମାଆ ପାଖରେ ଗେହ୍ଲେଇ ହେଉଥିବେ ? ଯୋଉ ସୁନ୍ଦର ଝିଅଗୁଡ଼ାକ ତ-! ମୀରାର ଦାନ୍ତ ବାହାରିଛି । ମୀରାଟି ରୋଗିଣା । ସାନ ଏ ପର୍ଯ୍ୟନ୍ତ ଭଲ କରି କଥା କହି ଶିଖିନାହିଁ-। ସେମାନେ କିଏ ମୋ ସାଙ୍ଗରେ ବାଦ କରିବେ ?

 

ସେ ଆସୁ ନାହାନ୍ତି କାହିଁକି ? ଅଭିର ମନେହେଲା ଯେ ସେ ଯେ କୌଣସି ମୁହୂର୍ତ୍ତରେ ଆସିଯିବେ । ଉତ୍‍କଣ୍ଠା ତୀବ୍ରତର ହେଲା । କମିକ୍‍ ବହିର ଗୋଟିଏ କାଟୁନ୍‍ ଛବି, ଅସୁର ପରି ମୁହଁ,–ସେ ଅଭିର ନିରନ୍ତର ନିଃଶ୍ୱାସ ଗ୍ରହଣ କରି ଫେରାଇ ଦେଲା ପରି ଲାଗିଲା, ଯେପରିକି ସେ ମଧ୍ୟ ଚାହିଁ ବସିଛି । ସେ ଆସିବେ ଯଦି ଆସୁ ନାହାନ୍ତି କାହିଁକି ?

 

ସବିତା ଦେବୀ ଖଟରୁ ଉଠି ଛିଡ଼ା ହେଲେ । ତାଙ୍କ ଓଠରେ ହସର ଗୋଟିଏ କ୍ଷୀଣରେଖା ଉଦିତ ହେଲା । ଅଭି ଯଦି ଉପମା ଦେଇ ଜାଣିଥାଆନ୍ତା ତା’ର ବୋଧହୁଏ ମନେ ପଡ଼ିଥାଆନ୍ତା କେଉଁ ଗୋଟିଏ ଦିନର ସକାଳ, ସାଦା ମେଘ ଆକାଶରେ ଛାଇ ହୋଇ ଯାଇଛି, ପାଲିସ୍‍ ହୋଇ ପଲସ୍ତରା ହୋଉଛି ମୂଳରୁ ଶେଷ ଯାଏଁ ଆଉ ତା’ରି ତଳେ ଗୋଟାଏ ଧଳା ଚଢ଼େଇ ଡେଣା ପିଟି ପିଟି ଉଡ଼ି ଚାଲିଛି । ସେହି ସଞ୍ଚରଣ ପ୍ରାଣ ଅଛି, ଗତି ଅଛି କିନ୍ତୁ ତାହା ଫୁଟି ଉଠୁନାହିଁ । ଫୁଟି ଉଠି ପାରିବ ନାହିଁ ।

 

ସେହିପରି ସେ ହସିଲେ । ଅଭିଆଡ଼କୁ ଚାହିଁ ହସିଲେ । ଅଭି ତା’ର ପ୍ରତିଦିନ ଦେଲା ନାହିଁ । ତା’ର ମନେହେଲା ସବିତା ମାଉସୀ ଦୂରେଇ ଯାଉଛନ୍ତି, ପାଖକୁ ଆସୁ ନାହାନ୍ତି ।

 

ସେ ପାଖଦେଇ ଗଲେ, କିନ୍ତୁ ପାଖକୁ ଆସିଲେ ନାହିଁ । ସେ ହସିଲେ, କିନ୍ତୁ ସେ ହସ ତାଙ୍କ ନିଜର, ମୋ ପାଇଁ ନୁହେଁ । ସେ ମୋତେ ଚାହାଁନ୍ତି ନାହିଁ ।

 

ସେ ମୋତେ ଚାହାଁନ୍ତି ନାହିଁ । ହେଲେ କିଏ କହୁଛି ଯେ ମୁଁ ତାଙ୍କୁ ଚାହେଁ ? ମୁଁ ବଞ୍ଚିଥିବା ଯାଏଁ ତାଙ୍କ ପାଖ ମାଡ଼ିବି ନାହିଁ । ମୁଁ ବଞ୍ଚିଥିବା ଯାଏଁ ତାଙ୍କ ପୁଅ ହେବିନାହିଁ । ସେ ମୋର ମାଆ ନୁହେଁ । ନୁହେଁ, ନୁହେଁ, ନୁହେଁ !

 

ଅପମାନରେ ଜର୍ଜରିତ ହୋଇ ଅଭି ଠିକ୍‍ କଲା ଯେ ସେ ରାତିଯାକ ବହି ପଢ଼ୁଥିବ, ଆଲୁଅ ଲିଭେଇବ ନାହିଁ ।

 

ତିନି

 

ମଝିଘର ।

 

ଏଠି ଯୋଡ଼ି ଖଟ ପଡ଼ିଛି । ଗୋଟିକରେ ଶୁଅନ୍ତି ଗୋକୁଳି ବାବୁ, ଅନ୍ୟଟିରେ ସବିତା ଦେବୀ ।

 

ସବିତା ଦେବୀ ସେଠି ଆସି ପହଞ୍ଚିଲା ବେଳକୁ ଗୋକୁଳି ବାବୁ ବିଛଣାରେ ଲମ୍ୱି ଗଲେଣି । ସେ ସଂଜ ନ ହେଉଣୁ ବାହାରକୁ ଯାଇଥିଲେ, ଜଣକ ଘରେ ବ୍ୟବସାୟ ସଂକ୍ରାନ୍ତ ମସୁଧା ଓ ଡିନର୍‍ ଥିଲା । ବର୍ତ୍ତମାନ ତାଙ୍କ ମୁହଁରୁ ଜଣା ପଡ଼ୁଛି ଯେ ଆଳାପ ଆଲୋଚନାର କ୍ରମ ଓ ଡିନର୍‍ ଉଭୟ ସନ୍ତୋଷଜନକ ହୋଇଛି । ପୁଣି ସେ ଯେପରି ଭାବରେ ଖେଳାଇ ଖେଳାଇ ମୁହଁରୁ ସିଗାରେଟ ଧୂଆଁ ଛାଡ଼ୁଥିଲେ, ସେଥିରୁ ମଧ୍ୟ ଏହି ଭାବ ପ୍ରକଟିତ ହେଉଥିଲା ।

 

ସବିତା ଦେବୀ ପାଖ ଖଟରେ ପଡ଼ି ଉପସ୍ଥାପନାର ଭଙ୍ଗୀରେ ନିଜ ମୁହଁକୁ ଦୁଇ ହାତରେ ତୋଳି ଧରିଲେ ଓ କହିଲେ, ‘‘ଶୁଣୁଛ ?’’

 

ସସ୍ମିତ ଉତ୍ତର ମିଳିଲା–‘‘ୟେସ୍‍ ?’’(ମୋର ସୁନ୍ଦରୀ ସ୍ତ୍ରୀ କିଛି କହିବ ବୋଲି ଆସିଛି । କଥାବସ୍ତୁ ଅସାର ହେଲେ ମଧ୍ୟ କିଛି ଯାଏ ଆସେ ନାହିଁ । ଶୋଇବା ପୂର୍ବରୁ ଏହି ଦୁଇଜଣିଆ ସ୍ୱାମୀ-ସ୍ତ୍ରୀ ଟୁଆଁଟୁଇଁ ଭାବ ବେଶ୍‍ ଭଲ ଦେଖାଯାଏ ।)

 

‘‘ବିନଭାଇଙ୍କ ସାଙ୍ଗରେ ଦେଖା ହେଲାଣି ?’’

 

‘‘ହଁ । ଶୁଣିଲି ସେ ତା’ ପୁଅକୁ ଆଣିଛି ଏଠି ପଢ଼ିବ ବୋଲି । ପିଲାଟି କେମିତି ? (ମୁଁ ଦାଣ୍ଡଘର ଆଲୁଅ ଜଳାଇ ଦେଲା ବେଳକୁ ସେ ମୋ’ଆଡ଼କୁ ଏମିତି ଭାବରେ ଚାହିଁଲା, ମୁଁ ଭାବିଲି ଯେ ସେ ମୋତେ ଖୁଣ୍‍ କରିବ । ଯେପରିକି ମୁଁ ତା’ର ଦୁଃସ୍ୱପ୍ନକୁ ଭାଙ୍ଗିଦେଲି,–ଏବଂ ମୁଁ ଥିଲି ସେହି ଦୁଃସ୍ୱପ୍ନର ପ୍ରଧାନ ଆତତାୟୀ, ଭିଲେନ୍‍ ! ତା’ପରେ ଅବଶ୍ୟ ସେ ବନ୍ଧୁ ମିଳନରେ ଗଦ୍‍ଗଦ୍‍ ହେଲା, ପାଖରେ ଡାକି ବସାଇଲା, ଆଉ ତା’ ପୁଅ ବିଷୟ ଗପିଲା । ସବିତା ଏହି ଲୋକଟିକୁ କାହିଁକି ଏତେ ପ୍ରଶଂସା କରେ ?)

 

ସବିତା ଦେବୀ ଚିନ୍ତିତ ହେଲା ପରି କହିଲେ, ‘‘ପିଲାଟି ଭଲ, କିନ୍ତୁ ଭାରୀ ମନୁଆ । ନିଦରେ ନ ଶୋଇ କମିକ୍‍ ବହି ପଢ଼ୁଥିଲା । ମୁଁ ଯେତେ କହିଲେ ବି’ ମୋ କଥା ଶୁଣିବାକୁ ନାରାଜ । ବିନଭାଇ ତାକୁ ଟିକିଏ ବେଶି ଗେଲବସର କରି ରଖିଛନ୍ତି । ଏମିତି ହେଲେ ସେ କେଉଁଠି ଚଳିବ-?’’

 

ଏତିକିରେ ଗୋକୁଳିବାବୁ ହସି ଉଠିଲେ । ସେ ନିଜେ ବୁଝି ପାରିଲେ ନାହିଁ ଯେ ତାଙ୍କୁ କାହିଁକି; ହସ ଲାଗିଲା, ହାସ୍ୟାସ୍ପଦ ବସ୍ତୁଟି କଅଣ । ବିନର ପୁଅ ସବିତାର ବୋଲ ମାନୁନାହିଁ ! ଏହି ସାମାନ୍ୟ କଥାଟିକୁ ନେଇ ଏତେ ମୁଣ୍ଡବଥା ? ବିନର ପୁଅ ଏଠି ଆସି ପଢ଼ିବାର ସମଗ୍ର ମୂର୍ଖତା କିମ୍ୱା ଏତାଦୃଶ କେଉଁ ଭାବ ତାଙ୍କୁ କୁତୁକୁତୁ କଲା କହି ହେବ ନାହିଁ । କିନ୍ତୁ ତାଙ୍କ ହସରେ ସହାନୁଭୂତି ନ ଥିଲା, ଏବଂ ସେହି ଧାରଣାକୁ ଦୂର କରିବାକୁ ଯାଇ ସେ କହିଲେ, ‘‘ଓ୍ୱେଲ୍‍ ଡାର୍ଲିଂଗ୍‍, ଏଥିରେ ଏତେ ବ୍ୟସ୍ତ ହେଲେ ଚଳିବ ? ଆମେ ଆମର କର୍ତ୍ତବ୍ୟ କରିଯିବା । ତା’ଛଡ଼ା ସେ ଯେତେହେଲେ ବିନର ପୁଅ ଆମର ନୁହେଁ । ତା’ ଭଲ ମନ୍ଦ କଥା ସେମାନେ ବୁଝିବେ ।’’

 

ଅପ୍ରସ୍ତୁତ ହୋଇଗଲା ପରି ସବିତା ଦେବୀ କିଛି ସମୟ ତଳକୁ ଉପରକୁ ଅନାଇଲେ, ଚୁପ୍‍ ରହିଲେ । ତା’ପରେ ସେ ନିଜକୁ ସଜାଡ଼ି ନେଇ ନାନାଦି ଅନ୍ୟ କଥା ପକାଇଲେ । ଘରକରଣାର ହାନିଲାଭ, ଅର୍ଥାଭାବ, ସ୍ୱାମୀପରାୟଣତା–ତୁମେ କାହିଁକି ଏତେ ଟୁର୍‍ରେ ଯାଉଛ, ଏଥର କିଛିଦିନ କ’ଣ ରହିଗଲେ ହୁଅନ୍ତା ନାହିଁ ? ହୋଟେଲରେ ଏଣୁ ତେଣୁ ନ ଖାଇ ରାନ୍ଧିବା ପାଇଁ ଗୋଟିଏ ଲୋକ ଯୋଗାଡ଼ କର...ବେଶି ରାତି ଯାଏଁ କାମ କରିବ ନାହିଁ, ଇତ୍ୟାଦି । ତା’ ସହିତ ଅଭି ସମ୍ୱନ୍ଧରେ କେତୋଟି କଥା ଯୋଡ଼ି ହୋଇଗଲା, ଯଥା ସେ କାହା ସାଙ୍ଗରେ ସ୍କୁଲକୁ ଯିବ, ତା ପାଇଁ କେଉଁ ଖର୍ଚ୍ଚ କେମିତି ଭାବରେ କରାଯିବ; ତା’ର ପଢ଼ା ଟେବୁଲ କେଉଁଠି ପଡ଼ିବ ।

 

ଗୋକୁଳି ବାବୁ ଶୁଣି ଯାଉଥିଲେ । ଆଜି ସବିତା କ’ଣ ସବୁଦିନଠାରୁ ଟିକିଏ ବେଶି ଗପୁଛି ? ଯାହାହେଉ ବିରକ୍ତି ଆସିବା ଆଗରୁ ତାଙ୍କ ଇଚ୍ଛା ହେଲା ଯେ ସେ ଚପଳ ତରଳ କଥାକୁହା ମୁହଁକୁ ବନ୍ଦ କରି ଦେବେ ଓ କହିବେ,–ଥାଉ ସେ ବାଜେ ଗପ । ଚୁପ କରି ଚାଲି ଆସ ଏକାଠି ହେବା ଓ ପ୍ରେମ କରିବା । ସେହି ଇଚ୍ଛାର ଉତ୍ତେଜନାରେ ସେ ନିଜ ସ୍ତ୍ରୀଙ୍କୁ ଅଭଦ୍ର ପରି ଚାହିଁ ରହିଲେ । ଏପରିକି ସେ ତାଙ୍କ ଓଠର ସ୍ଫୁରଣଠାରୁ ଆରମ୍ଭ କରି ଝୁଲି ଆସୁଥିବା ନାଚି ଉଠୁଥିବା ଗୋଟି ଗୋଟି କେଶକୁ ଗଣିବାକୁ ଲାଗିଲେ, ସମୟ ଗଣିଲା ପରି । ତାଙ୍କର ଅପେକ୍ଷାରେ ଆଗ୍ରହ ଥିଲା, ଆକୁଳତା ନ ଥିଲା । କାରଣ ସେ ଜାଣିଥିଲେ ଯେ ସେ ନିମେଷକରେ ଝାମ୍ପ ଦେଇ ପାରିବେ, ସବିତା ମନା କରିବ ନାହିଁ ।

 

ସବିତା ବୋଧହୁଏ ବୁଝି ସାରିଲାଣି ଯେ ମୁଁ ତା’ର କଥା ଶୁଣିବାକୁ ଚାହେଁ ନାହିଁ, ମୁଁ ତାକୁ ଚାହେ । କ୍ରମଶଃ ତା’ର କଥା ଖାପ୍‍ଛଡ଼ା ହୋଇ ଯାଉଛି, ଶବ୍‍ଦ ଯୋଜନାରେ ଭୁଲ୍‍ ହେଉଛି, ଓ ବିରତିର ମାତ୍ରା ବଢ଼ିଯାଉଛି । ଶେଷକୁ ସେ କହିବ;–‘କ’ଣ ଶୁଣୁଛ ନା ନାହିଁ ?’ ନବବଧୂପରି ଲାଜ ଲାଜ ହେବ, ଛଳନା କରିବ ଯେ ସେ କିଛି ବୁଝି ପାରୁନାହିଁ, ଓ ମିଛ ରାଗରେ ଶୋଇ ପଡ଼ିବାର ଢଙ୍ଗ କରିବ । ସେହିଠୁ ଆରମ୍ଭ ହେବ ପ୍ରେମର ଉପଚାର,–ଗୋଡ଼ରୁ ମୁଣ୍ଡ ଯାଏଁ, ସମାପ୍ତିର ଶେଷ ବିନ୍ଦୁ ପର୍ଯ୍ୟନ୍ତ ।

 

ଚଉଠି ରାତିଠାରୁ ଆଜିଯାଏଁ କ’ଣ କିଛି ବଦଳି ନାହିଁ ?

 

ବ୍ୟବସାୟ ବଢ଼ିଛି । ଲାଭ, କମିସନ୍‍, ବୋନସ୍‍, ସବୁ ବଢ଼ିଛି । ପଦର ଉନ୍ନତି ହୋଇଛି, ସେଲ୍‍ସ୍‍ମ୍ୟାନ୍‍ରୁ ସେଲ୍‍ସ୍‍ ମ୍ୟାନେଜର୍‍ । ତା’ ସାଙ୍ଗକୁ ଟୁର୍‍ର ସଂଖ୍ୟା ଓ କ୍ଷେତ୍ର ବଢ଼ି ଚାଲିଛି । ହେଲେ ପ୍ରତି ଟୁର୍‍ ପରେ ସେଇ ଏକା କଥା, ନ ହେବ ନାହିଁ । ଘର ବାହୁଡ଼ାର କେତୋଟି ଦିନ ମଧ୍ୟରେ ଜୀବନସୁଧା ସଂଗ୍ରହ କରି ନେବାକୁ ହେବ । ଆକଣ୍ଠ, ଆପ୍ରାଣ । ମରୁଭୂମିର ଓଟ ପରି ! ଭାବିଲା ବେଳକୁ ଗୋକୁଳିବାବୁଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ଏ ସ୍ତ୍ରୀ ଜିନିଷଟି କଅଣ ? ନା, ସମସ୍ତଙ୍କ ସ୍ତ୍ରୀ ଏମିତି ନୁହଁନ୍ତି । ଏ ବୟସରେ ଏତେ ରୂପ ଏତେ ରଙ୍ଗ କାହାର ଅଛି ? କହିବାକୁ ଗଲେ ଏ ସବିତା ଜିନିଷଟି କଅଣ ?

 

ଏମିତି ଭାବୁ ଭାବୁ ତାଙ୍କର ଗୋଟିଏ ହାତ ସ୍ୱତଃ ପ୍ରସାରିତ ହେଲା ସବିତା ଦେବୀଙ୍କଆଡ଼କୁ । ଏବଂ ସବିତା ଦେବୀ ନିଜ ହାତ ପାପୁଲି ତହିଁରେ ରଖିଲେ, ଜୀବନର ନିୟମାବଳୀ ମାନିନେଲା ପରି । ତାଙ୍କ କଥାର ସୁଅ ଶୀଥିଳ ହୋଇ ଆସିଲା, ଓ ଚାହାଣିରେ ପାଇବାର ଆବେଶ ଦେଖିବାକୁ ମିଳିଲା ।

 

ଆଲୁଅ ଲିଭିବାକୁ ଡେରି ନାହିଁ । ବିଛଣାରେ ପଡ଼ିଥିବା ସୁବିସ୍ତୃତ ଧୋବ ଚାଦର, କାନ୍ଥ ଡ୍ରେସିଂ ଟେବୁଲ ଇତ୍ୟାଦିରେ ଶୋଭାପାଉଥିବା ଅବରୁଦ୍ଧ ପ୍ରେମର ଛବି, ଟାଇମ୍‍ ପିସ୍‍ର କ୍ଳାନ୍ତ ଟିକ୍‍-ଟିକ୍‍, ରାସ୍ତାରେ କାଁ ଭାଁ କାର୍‍ ବସ୍‍ର ପ୍ରଳାପ, ସମସ୍ତେ ଯେପରିକି ସୁଇଚ୍‍ ଟିପିବାକୁ ହାତ ଟେକି ବସିଲେ । ଯାହା ହେବାର କଥା ହୋଇଯାଉ । ଆମର ଏହି ନିତ୍ୟତାରେ ତୁମର ନିତ୍ୟ ବୈଚିତ୍ର୍ୟର ଲୀଳା ଫୁଟି ଉଠୁ !

 

ବର୍ତ୍ତମାନ ସବିତା ଦେବୀ ଓ ଗୋକୁଳିବାବୁଙ୍କ ଯୁଗ୍ମ ହାତପାପୁଲି ବିଷୟରେ କିଛି କହିବାକୁ ପଡ଼ିବ । ସବିତା ଦେବୀଙ୍କ ହାତକୁ ନେଇ ବିନାୟକବାବୁଙ୍କର ଉପମା-କଳ୍ପନା ପୂର୍ବର ବର୍ଣ୍ଣିତ ହୋଇଛି । ଗୋକୁଳିବାବୁଙ୍କ ହାତ ସଂପୂର୍ଣ୍ଣ ଭାବେ ଭିନ୍ନ ସୁଦୀର୍ଘ, ଶିରାଳ ଓ କୃଷ୍ଣବର୍ଣ୍ଣ । ମନେହୁଏ ଯେ ସେଥିରେ କାରିଗରି ଓ ଶକ୍ତି ଉଭୟ ରହିଛି ଯେପରିକି ତାହା ଆଉଁସିବାରେ ଆଙ୍ଗୁଳି ଚଳାଇବାରେ ଅଭ୍ୟସ୍ତ; କିନ୍ତୁ ସ୍ପର୍ଶ ହାଲୁକା ନୁହେଁ, ତାକୁ ପାଇ ଦେହ ଶିହରି ଉଠେ ନାହିଁ । ସେହି ହାତରୁ ତାଙ୍କ ମୁହଁର ଠାଣି ମଧ୍ୟ ଅନୁମାନ କରି ହେବ । ଦୃଢ଼ ଧାରୁଆ ମୁହଁରେ ଅନୁରାଗ ପ୍ରତିଭାତ ହୁଏ; କିନ୍ତୁ କାୟାର ମାୟା ପରି ଅଥବା ଛାୟା ପରି ନୁହେଁ, ପ୍ରାପ୍ୟ ଦ୍ରବ୍ୟ ପରି । ଏହିକ୍ଷଣି ତାଙ୍କ ଚାହାଣିର ସେହି ପ୍ରେମଦ୍ରବ୍ୟ କ୍ରମଶଃ ଟାଣ ହୋଇ ଆସିଲା । ପଥର ନୁହେଁ, ବରଫ ବୋଲି କହିଲେ ଉଚିତ ହେବ । କାରଣ ଗୋକୁଳିବାବୁ ନିଜକୁ ଧରି ରଖିଲେ ଗୋଟିଏ ବିଜ୍ଞାନୀ ପ୍ରଶ୍ନ ପଚାରିବା ପାଇଁ,–କାହିଁକି ?

 

କାହିଁକି ଏ ଯୁଗ୍ମ ହାତର ଶୋଭା ? ରାଧାକୃଷ୍ଣର ଛଳନା ?

 

ମୁଁ ମୋର ପ୍ରଶ୍ନର ଜରୁରୀ ଉତ୍ତର ଚାହେଁ, ଏହି ଭାବରେ ସେପାଖ ଖଟକୁ ଗଡ଼ିଗଲେ ଓ ଆନ୍ଦୋଳନକାରିଣୀର ମୁହଁକୁ ନିକଟଦୃଷ୍ଟିରେ ଦେଖିଲେ । ମସୃଣ-କୋମଳ ମୁହଁ, ଗୋରା ଗୋଲାପି ମୁହଁ, ଉଜ୍ଜ୍ୱଳ-ଉଚ୍ଛଳ ମୁହଁ । ମୋର ରୂପଗୁଣ ସଂପନ୍ନ । ସ୍ତ୍ରୀ ମୁହଁ । ମୁଁ ତାକୁ ଅଧିକାର କରିବି । ଡୁବ ମାରି ଉଠି ଆସିବି । ବାସ୍‍ !

 

ଶାନ୍ତି ଲାଗେ ? ପେଟ ପୂରିଯାଏ ? ଅବଶ୍ୟ । କାରଣ’–ସେକ୍‍ସ, ସାଥୀତ୍ୱ, ପ୍ରକୃତିର ଲୀଳା ଇତ୍ୟାଦି ଇତ୍ୟାଦି । କହିବାକୁ ଗଲେ ଅନେକ କାରଣ ଖଞ୍ଜି ଦେଇ ହେବ । କିନ୍ତୁ ସତକଥାଟିକୁ ଘୋଡ଼େଇ ଲାଭ ନାହିଁ, ଆମେ ଦୁହେଁ ଅଲଗା । ମଣିଷ ଗୋକୁଳି ମଣିଷ ସବିତାଠାରୁ ପୂରାପୂରି ଭିନ୍ନ ! ଏହି ଯୋଡ଼ି ହାତ ପରି,–ବେଯୋଡ଼ ।

 

ମୁଁ ତାକୁ ଖୋଜି ଆଣି ନାହିଁ, ପାଇଛି । ଶାସ୍ତ୍ର ଓ ଆଇନ୍‍ ଅପୁଯାୟୀ ସେ ମୋର, ତେଣୁ ମୁଁ ଯେତେବେଳେ ଯାହା ମାଗିଛି ସେ ଦେବାରେ ତ୍ରୁଟି କରି ନାହିଁ, ପତ୍ନୀ ଧର୍ମ ପାଳନ କରିଛି । କିନ୍ତୁ ମୁଁ ତା’ ଲାଗି ନୁହେଁ ।

 

ହୁଏତ ବିନ ନା’ ଲାଖି ହୋଇ ଥାଆନ୍ତା । ବିନ କଲମପେକ୍ଷା ଅଫିସର । ଦେଖିବାକୁ ସୁନ୍ଦର, ଗୋରା ଗୋଲ୍‍ଗାଲ୍‍ ଚେହେରା,–ରୋମାଣ୍ଟିକ୍‍ । ପୁଣି ସେ ଡାଏରୀ ଲେଖେ । (ସବିତା ତା’ ଡାଏରୀ ପଢ଼ିଛି ଆଉ କହୁଥିଲା ଯେ ବିନଭାଇ ଗୋଟିଏ ପାଗଳ ଲୋକ) ସେ ଧୀରେ ଧୀରେ ନରମ ଭାବରେ କଥା କୁହେ, ହୃଦୟ ଭିତରୁ କହିଲା ପରି, ଫୁଲଗୁଡ଼ିକୁ ଗୋଟି ଗୋଟି କରି ସଜାଇ ପାରିଲା ହୁଏତ ସେ କବିତା ଲେଖୁଥିବ !

 

ସବିତା ତାକୁ ପସନ୍ଦ କରେ, ପ୍ରଶଂସା କରେ, ଖାତିର କରେ । ସବିତା ତା’ ପୁଅକୁ ପାଖରେ ରଖିବାକୁ ଚାହେଁ । ଅର୍ଥାତ୍‍ ସେ ବିନକୁ ଭଲପାଏ ହୋଇଥିବ,–ଏଥିରେ ଭାବିବାର କଅଣ ଅଛି ? ...କିନ୍ତୁ କଳ୍ପନାରେ ସେ ଦୁଇଜଣଙ୍କୁ ଏକାଠି ଦେଖିଲା ପରେ ଗୋକୁଳିବାବୁଙ୍କର ହସିବାକୁ ଇଚ୍ଛା । ଯେପରିକି ସେ ବିନର ଦୁର୍ଦ୍ଦଶା ଦେଖି ହସୁଛନ୍ତି । ...ସବିତା ଭଲପାଏ ! ସେ କାହାକୁ ଭଲ ନ ପାଏ ? ସେ ମୋତେ ବି ଭଲପାଏ ? ସେ ଜଲି କୁକୁରକୁ ଭଲପାଏ । ସେ ଝୁମ୍‍ରୁ ବିଲେଇକୁ ଭଲପାଏ, ଗାଈ ଗୋରୁ, ଲତାପତ୍ର, ପିଲାପିଲି ସମସ୍ତଙ୍କୁ ଭଲପାଏ । ମାନେ ତା’ର ଅଜସ୍ର ଭଣ୍ଡାରରୁ ଦାନ ଦିଏ, ଢାଳିଦିଏ, ବାଣ୍ଟିଦିଏ । ତା’ର ସାନ ଦେହରେ ଏତେ ରୂପ, ଏତେ ଗୁଣ । କିଏ କାହିଁକି ତାକୁ ନ ଚାହିଁବ ? କାହିଁକି ସେ କାହାକୁ କିଛି ନ ଦେବ ? ସେ ସାଧାରଣ ନାରୀ ନୁହେଁ-। ସୁର ରମଣୀ ! ବିଶ୍ୱପ୍ରିୟା !

 

ତାହାହେଲେ ମୁଁ କାହିଁକି ଏହି ସ୍ୱାମୀତ୍ୱର ଡୁବ ଦେବି ? କ’ଣ ଦରକାର :

 

କ୍ରୋଧ, ଇର୍ଷା ଓ ନିର୍ମ୍ମମ ନିବିଡ଼ ଅନୁରାଗ ନେଇ ଗୋକୁଳିବାବୁ ସବିତା ଦେବୀଙ୍କର ଜୀବନ୍ତ ଓଠକୁ ଚାହିଁଲେ (ଏହିକ୍ଷଣି ସେ ଓଠ କଥା କହୁ ନାହିଁ, କିନ୍ତୁ ଉଚିତରୁ ଅଧିକ ଥରି ଉଠୁଛି), ଓ ତାଙ୍କର ଇଚ୍ଛା ହେଲା ଯେ ସେ ତାକୁ କାମୁଡ଼ି ଛିଣ୍ଡାଇ ଦେବେ, କିମ୍ୱା–। କିମ୍ୱା ଫେରିଯିବେ ।

 

ସେ ହଠାତ୍‍ ଫେରିଗଲେ । ଏକା ସଙ୍ଗରେ ହାତ ମୁହଁ ଦେହକୁ ଫେରାଇ ନେଲେ । ନିଜ ଖଟରେ ଲୋଟି ପଡ଼ି ସ୍ୱାଗତ କହିଲା ପରି କହିଲେ, ‘‘ବେଶି ରାତି ହେଲାଣି । ଶୋଇ ପଡ଼ିବା-।’’

 

** ସବିତା ଦେବୀ ପୁଣି କଷ୍ଟ ପାଇଲେ, ଏଥିରେ ସନ୍ଦେହ ନାହିଁ । ଏଥର ବୋଧହୁଏ ତାଙ୍କୁ ସବୁଠାରୁ ବେଶି ବାଧିଲା, କାରଣ ତିନିଭୂଇଁର ପରାଭବ ଏକାଠି ହୋଇଗଲା, ଏକାପରି ଦିଶିଲା । ସେ ନ ଭାବି ରହି ପାରିଲେ ନାହିଁ ଯେ ଏମାନେ ପୁରୁଷ, ତିନିଙ୍କି ତିନିହେଁ ପୁରୁଷ, ପୃଥିବୀସାରା ଖାଲି ପୁରୁଷ, ଓ ନାରୀ ବୋଲି ଜଣେ । ଦୁଃଖିନୀ ।

 

କିନ୍ତୁ ସେ କାନ୍ଦିଲେ ନାହିଁ । ଭାଙ୍ଗି ପଡ଼ିଲେ ନାହିଁ । ବରଂ କିଛି ସମୟ ପରେ ଏକ ଗୌରବର ଭାବ, ବୀରାଙ୍ଗନା ତଥା ନର୍ସ ତଥା ଗୃହୀଣୀର ଉତ୍‍କଟ ଭାବ ତାଙ୍କୁ ଆକ୍ରମଣ କଲା । ସେ ବିଛଣାରୁ ଉଠି ପଡ଼ିଲେ ଓ ପ୍ରଥମେ ଗଲେ ଦାଣ୍ଡଘରକୁ । ସେଠି ବିନଭାଇଙ୍କ ହାତପାହାନ୍ତା ଟେବୁଲରେ ଭରା ପାଣିର ପାତ୍ର ଓ ଗ୍ଳାସ ରଖି ଦେଇ ଆସିଲେ, ପିଇବା ପାଇଁ । ତା’ ପରେ ସେ ଗଲେ ଲମ୍ୱା ଘରକୁ । ଶୋଇଥିବା ଅଭିର ହାତରୁ ବହି ଖଣ୍ଡକ ଆସ୍ତେ କାଢ଼ି ଆଣିଲେ ଓ ଆଲୁଅ ଲିଭାଇଦେଲେ । ଶେଷରେ ମଝିଘରକୁ ଫେରି ଆସି ସ୍ୱାମୀଙ୍କ ଦେହରେ ଚାଦର ଘୋଡ଼େଇ ଦେଲେ । ଝରକାରୁ ଶିରିଶିରି ପବନ ଆସୁଛି, ତାଙ୍କ ଦେହରେ ଥଣ୍ଡା ଯାଏ ନାହିଁ ।

 

ପୁଣି ନିଦ ଲାଗିବା ପୂର୍ବରୁ ସେ ଭାବିଲେ ଆସନ୍ତା କାଲି କଥା । ଭାବିଲେ ଯେ ସେ ବଡ଼ି ସକାଳୁ ଉଠିବେ ଓ ବିରି ଚାଉଳ ବାଟି ପିଠା ତିଆରି କରିବେ । ‘ସେ’ ପିଠା ଭଲ ପାଆନ୍ତି, ବିନଭାଇ ଭଲ ପାଆନ୍ତି, ଆଉ ସେ ଟୋକାଟା ନିଶ୍ଚୟ ଭଲ ପାଉଥିବ ।

 

ଏହିସବୁ ଘରୋଇ ସାନ କଥା ନେଇ ସେ ଯେପରିକି ପରମ ପିତାଙ୍କଠାରେ ଜଣାଣ କରୁଥିଲେ–ଏମାନଙ୍କ ମଙ୍ଗଳ ହେଉ !

Image

 

ସଂଗୀତାର ବାପା

 

ସଂଗୀତାର ବାପାଙ୍କ ନାଁ ନବଘନ ଓରଫ୍‍ ନାଣ୍ଡୁବାବୁ । ତାଙ୍କ ବଡ଼ ଝିଅର ନା ହାରାମଣୀ, ସେ ବାହା ହୋଇ ଯାଇଛି । ସାନ ଝିଅର ନା ସୀତାମଣି ହୋଇ ରହିଥାଆନ୍ତା; କିନ୍ତୁ ନିଜେ ନାଣ୍ଡୁବାବୁ ତାକୁ ବଦଳାଇଲେ । ଦିନେ ସେ ଘୋଷଣା କଲେ ଯେ ଝିଅ କନ୍‍ଭେଣ୍ଟ୍ ସ୍କୁଲରେ ପଢ଼ିବ ଏବଂ ତା’ର ଠିକ୍‍ ଗୋଟିଏ ଦିନ ପରେ ସେ ପରବର୍ତ୍ତୀ ଘୋଷଣା କଲେ ଯେ ସ୍କୁଲରେ ତା’ର ନାଁ ରଖାଯିବ ସଂଗୀତା ।

 

ଏ ହେଉଛି ପାଞ୍ଚ ବର୍ଷ ତରଳ କଥା । ସେତେବେଳେ ସେ ହଜାରି ସାହିରେ ଗୋଟିଏ ଛୋଟ ଚାଳ ଘର ଭଡ଼ା ନେଇ ରହିଥିଲେ ।

 

ପ୍ରଥମେ ସେ ଏକୁଟିଆ ଥିଲେ, ପିଲାପିଲିଙ୍କୁ ଆଣି ନ ଥିଲେ । ସାହି ମୁଣ୍ଡରେ ଯେଉଁ ଦଳୁଆ ଶାଗୁଆ ପୋଖରୀ ଅଛି, ସେ ସଞ୍ଜବେଳକୁ ତା’ କୂଳରେ ଯାଇ ବସୁଥିଲେ ଓ ଭାବୁଥିଲେ,–ଏ ମ୍ଳେଚ୍ଛ ସହରଟାରେ ରହି ଲାଭ କଅଣ ? ଆଉ କେତେଦିନ ରହିବି ? ତେବେ ଶୋଇବାକୁ ଯିବା ପୂର୍ବରୁ ସେ ଏହି ପ୍ରଶ୍ନ ଏହି ଦ୍ୱିଧାକୁ ନଷ୍ଟ କରି ଦେଇ ପାରୁଥିଲେ । ଭାବନାର କ୍ରମ ପ୍ରାୟ ଏହି ପ୍ରକାର ଥିଲା ।

 

ରାହାସ ଦାଦା କହୁଛନ୍ତି, ‘ତୁ ଘରୁ ଟିକିଏ ବୁଲିଆ । ଏଠି ତୋ ଦେହ ଭଲ ରହୁନାହିଁ ।’ ନିଜର ପଛକେ ପେଟ ବେମାରି, ଓଳିଏ ଖାଇଲେ ଆର ଓଳିକ ଖାଇବେ ନାହିଁ । ଗପ କରୁ କରୁ ହାକୁଟି ମାରିବେ । ମୁହଁ ବିଚିକିଟିଆ କରି କହିବେ, ‘ବୁଝିଲୁ ନାଣ୍ଡୁ, ଏ ବରଫଦିଆ ମାଛ ମୋ ଦେହରେ ଯାଉ ନାହିଁ–’ ଆଉ ଲେମ୍ୱୁ ସରବତପାଇଁ ଡାକ ଛାଡ଼ିବେ । ସରବତ୍‍କୁ ଢୋକେ ଢୋକେ ପିଇ ସେ ମୋ ବିଷୟ ଭୁଲିଯିବେ, ଏଣୁ ତେଣୁ ବାଜେ କଥା ପକାଇବେ । ଆଜିକାଲିକା ପିଲାଙ୍କର ପଢ଼ାରେ ମନ ନାହିଁ, ଚାକରଗୁଡ଼ାକ ଧପ୍‍ପାବାଜ୍‍ ହେଲେଣି, ଦରଦାମ୍‍ ହୁ ହୁ ହୋଇ ବଢ଼ିଯାଉଛି, ଇତ୍ୟାଦି । କିଓ, ମୋ କଥା କ’ଣ ବୁଝିଲ ? ସବୁଦିନେ ସେହି ଏକା ଉତ୍ତର, ‘ଟିକିଏ ଥୟ ଧର୍‍ । ଏ ସରକାରୀ କାରବାର, କେତେ ଶେଣାରେ ପାଣି ଉଠିବ । ବ୍ୟସ୍ତ ହେଲେ ଚଳିବ ନାହିଁ ।’ ଶେଷକୁ କ’ଣ ନା ଘରୁ ଯାଇ ବୁଲିଆ । ଘରୁ ବୁଲି ଆସିଲେ ଅଧିକ କ’ଣ ହେବ ?

 

...ନନ୍ଦବାବୁ ତାସ୍‍ ଖୋଳିବାକୁ ଡାକନ୍ତି । ବୁଢ଼ାର ତାସ୍‍ରେ ଭାରୀ ସଉକ୍‍ । ଖାଇବାରେ ସଉକ୍‍ । ଘର ତୋଳିବାରେ ସଉକ୍‍ । କଥା-କଥାକେ ଶଳା କହିବାରେ ସଉକ୍‍ । ତାଙ୍କ ଘରକୁ ଅନେକ ହାକିମହୁକୁମା ଯିବା ଆସିବା କରନ୍ତି । ଆଶା ଥିଲା ଯେ ସେ ଦିନେ କେବେ କାହାକୁ ଉଡ଼େଇଲା ପରି କହି ଦିଅନ୍ତେ–‘ଏ କିଏ ଜାଣିଛ ? ଏ ହେଉଛି ଆମ ଗାଁର ନାଣ୍ଡୁ । ଖାସା ପିଲା । ବିଚରା ଚାକିରିଖଣ୍ଡେ ପାଇଁ ବଡ଼ ହଇରାଣ ହେଲାଣି । ଥ୍ରି ହାର୍ଟ୍‍ସ୍‍...ମୋ ଅଫିସରେ କାମ ଖାଲି ନାହିଁ ନ ହେଲେ ତାକୁ କେବେଠୁଁ ରଖେଇ ସାରନ୍ତିଣି । ଶଳା ରାମା, ଦାମା, ଶାମା ଚାକିରିରେ ପଶି ଯାଉଛନ୍ତି, ଆଉ ୟା ଭଳିଆ ପିଲା... ।’’ କିନ୍ତୁ ସେ କାହାକୁ କିଛି କହିବାର ଶୁଣାଯାଇ ନାହିଁ । ପଚାରିଲା ବେଳକୁ କହନ୍ତି ‘ମୁଁ କ’ଣ ଚେଷ୍ଟା କରୁ ନାହିଁ ଭାବୁଛୁ ? ଯାହାହେଉ ତୁ ଖାଲି ନ ବସି ଗୋଟାଏ କାମ କର– ।’ ତା’ପରେ ସେ କାମର ବରାଦ ଦିଅନ୍ତି । ଯଥା–ତାଙ୍କର ଯେଉଁ ନୂଆ ଘର ତିଆରି ହେଉଛି ତା’ର ତଦାରଖ୍‍ କରିବା, ତାଙ୍କ ଝିଅ ରେଣୁର ବାହାଘର ପାଇଁ ମଧ୍ୟସ୍ଥ ହେବା କିମ୍ୱା ତାଙ୍କ ବଗିଚାପାଇଁ ଭଲ ଗୋଲାପଚରା ଯୋଗାଡ଼ କରିବା । ବେଳେ ବେଳେ ମନେହୁଏ ଯେ ମୋର ଚାକିରିବାକିରି ଦରକାର ନାହିଁ । ୟାଙ୍କରି କାମ କରି ୟାଙ୍କରି ସାଙ୍ଗରେ ତାସ୍‍ ଖେଳି ଚା’ ଜଳଖିଆ ଖାଇ ସମୟ କଟେଇ ଦେଲେ ମୋ ଜୀବନ ଧନ୍ୟ ! ବର୍ତ୍ତମାନ ବୁଢ଼ାଙ୍କର ନୂଆ ସଉକ ଉଠିଛି ଯେ ସେ ଗାଁରେ ଘର ତୋଳିବେ ଓ ରିଟାୟାର୍‍ କରି ସେଇଠି ରହିବେ । ଆଉ ମୁଁ କ’ଣ ହେବି ? ତାଙ୍କର ମନ୍ତ୍ରୀ ?

 

ନାରୁ ଭାଇ,–ତାରାମଣିର ଦାଦିପୁଅ ଭାଇ, ବୟସରେ ଦି’ ତିନି ବର୍ଷରେ ବଡ଼ ହେବ । ଓକିଲାତିରେ ବହୁତ ଟଙ୍କା କରିଛି । ସେ ମୋତେ ଦେଖିଲେ ଏମିତି ଶଙ୍କିଯାଏ କାହିଁକି ? ସତେ ଯେପରି ମୁଁ ତା’ଠାରୁ ପୁଳାଏ ଛଡ଼େଇ ନେବାକୁ ଆସିଛି କିମ୍ୱା ସଭା ମଝିରେ ତାକୁ ନାରୁ ଭାଇ ବୋଲି ଡାକିଦେଲେ ତା’ର ମାନହାନି ହୋଇଯିବ ! ତା’ର ନୂଆ ଘର । ପାଲିସ୍‍ ମୋଜେଇକ୍‍ ଚଟାଣ । କାନ୍ଥ ଝରକା ସବୁଠି ଖାଲି ଲମ୍ୱା ଲମ୍ୱା କାଚ । ସେ ସବୁବେଳେ ଫିଟ୍‍ଫାଟ୍‍ ହୋଇଥାଏ । ବଡ଼ ପାଟିରେ ନ ହସି ତା’ର ଧାଡ଼ିବନ୍ଧା ଧଳା ଦାନ୍ତକୁ ଝଟକେଇ ଦିଏ । ତା’ଦେଇ କିଛି ହେବ ନାହିଁ-। ସେ ସବୁବେଳେ କାମରେ ବ୍ୟସ୍ତ ଅଛି ବୋଲି ଦେଖେଇ ହୁଏ, ଆଉ କହେ ମୁଁ ତୋତେ ଅମୁକ ପାଖକୁ ନେଇ ଯିବି ସମୂକ ପାଖକୁ ନେଇଯିବି । ଦି’ ଦିନ ତଳେ କହିଲା, ‘ମୋହରିରକାମ ବଡ଼ ନିଉଛୁଣା । ସେଥିରୁ କ’ଣ ମିଳିବ ? ତୁ ଗୋଟାଏ ବ୍ୟବସାୟରେ ଲାଗିଯାଉନୁ ? ଯଦି କହିବୁ ମୁଁ ତୋତେ ମାଲଗୋଦାମର ରଘୁନାଥ ସିଂ ପାଖକୁ ନେଇଯିବି ।’ ଥାଉ, ଦରକାର ନାହିଁ ବାବୁ । ମୁଁ ନିଜେ ଯାଇ ପାରିବି ।

 

ଆଉ କେତେଜଣ ଅଛନ୍ତି, ପୁତୁରା ଭଣଜାସ୍ଥାନୀୟ । ସେମାନେ ମୋତେ ମାନ୍ୟ କରନ୍ତି-। ନମସ୍କାର ହେବେ କି ନ ହେବେ ଠିକ୍‍ କରି ନ ପାରି ଶେଷକୁ ଚଟ୍‍ କରି ହାତ ଯୋଡ଼ି ଦିଅନ୍ତି, ଅଧା ବାଟରେ । କାହିଁକି ନା ମୁଁ ମଫସଲର ମୁରବି ? ଗରିବ ମୁରବି ? ମୋଟା ଲୁଗା ପିନ୍ଧେ ? ଛାଡ଼ ସେମାନେ ପିଲାଲୋକ । କାଲି ସକାଳେ ପାଠପଢ଼ା ସାରି ଦି’ ପଇସା କମାଉଛନ୍ତି, ନିଜ ରକ୍ଷଣ ଅସମ୍ଭବ । ସେମାନେ କ’ଣ କରି ପାରିବେ ?

ନବଘନ ! ନାଣ୍ଡୁ, ନାଣ୍ଡୁବାବୁ ! ଏ ସହରଯାକ ତୋର ବନ୍ଧୁବାନ୍ଧବ ଛାଇ ହୋଇଛନ୍ତି, ସମସ୍ତେ ତୋର ଶୁଭାକାଂକ୍ଷୀ ହେଲେ ସେମାନେ ଭିନ୍ନ ଜଗତର ପ୍ରାଣୀ, ତୋ ପରି ନୁହନ୍ତି । ସେମାନେ ଭାବୁଛନ୍ତି ଯେ ନାଣ୍ଡୁ ସହରକୁ ଆସିଛି କେବଳ ଟଙ୍କା ରୋଜଗାର କରିବା ପାଇଁ, ବୁଝୁ ନାହାନ୍ତି ଯେ ତା’ର ଗୋଟାଏ ହୃଦୟ ଅଛି । ସେ ହୃଦୟ ଗଉଡ଼ ଭଣ୍ଡାରି କିମ୍ୱା ତନ୍ତୀ ଚଷାର ନୁହେଁ-। କରଣ ପିଲାର ହୃଦୟ । ଗାଆଁରେ ଜମିବାଡ଼ି ଯାହା ଅଛି ସେଥିରେ କୌଣସି ମତେ ଚଳିଯାଉଛି; କିନ୍ତୁ ସେ କ’ଣ ସବୁଦିନେ ଗୋରୁ ଲାଙ୍ଗୁଡ଼ରେ ବାଡ଼େଇ ହୋଇଥାଆନ୍ତା, ପଚା ପତର ଓ ପାଚିଲା ଧାନର ବାସ୍ନାକୁ ସହୁ ଥାଆନ୍ତା, କାଦୁଅ ନଟପଟ ହୋଇ ଶେଉଳ ମାଛକୁ ଚିପୁଥାଆନ୍ତା, ଆଉ ରାତିରେ ଡିବିରି ଜଳେଇ ଜେମାଦେଈ କାନ୍ଦଣା ପଢ଼ୁ ଥାଆନ୍ତା ? ହୋଇପାରେ ଯେ ସେ ବେଶି ପାଠ ପଢ଼ି ନାହିଁ, ତାକୁ ବୟାଳିଶ ବର୍ଷ ହେଲାଣି । ହୋଇପାରେ ଯେ ତା’ର ଡାକ ନାଆଁ ନାଣ୍ଡୁ, ସେ ଭୋବନି ମହାନ୍ତିର ପୁଅ, ଦେଖିବାକୁ ଲମ୍ୱା ଚଉଡ଼ା ନୁହେଁ, ଭୋଟ ବେଳେ କଂଗ୍ରେସ କି ବେକଂଗ୍ରେସ ନେତା କେହି ତାକୁ ପଚାରନ୍ତି ନାହିଁ; କିନ୍ତୁ ସେ ଚୌଧୁରୀ ବୈକୁଣ୍ଠ ମହାନ୍ତିର ନାତି, ବଡ଼ ଅଂଶର ପିଲା । ତା’ର ସ୍ତ୍ରୀ ତାରାମଣି ଗାଉଁଲି ଝିଅ ନୁହେଁ । ସେ ଟାଟା ନଗରରେ ମଣିଷ ହୋଇଛି, ହିନ୍ଦୀ ବଙ୍ଗଳା ଇଂରେଜୀ ସବୁ ଜାଣେ । ବଡ଼ ଝିଅ ହାର ବାହା ହୋଇ ଗଲାଣି । ବାକି ଗୋଟିଏ ବୋଲି ସୁନାନାକୀ ଝିଅ, ଚାରିବର୍ଷର କୋଡ଼ପୋଛା ପୁଅ,–ଛଅଟା ନୁହେଁ କି ନଅଟା ନୁହେଁ । ନାଣ୍ଡୁ କାହିଁକି ସହରରେ ରହିବ ନାହିଁ ? ସେ କାହିଁକି କିଛି ହେବ ନାହିଁ ? ତା’ର ମଧ୍ୟ ହୃଦୟ ଅଛି ।

କୌଣସି ଗୋପନ ଶକ୍ତି ତାଙ୍କୁ ସଞ୍ଚାଳିତ କରେ, ପୋଖରୀ କୂଳରୁ ଉଠି ଆସି ସହରର ବଜାର ଭିତରେ, ସାହି ଭିତରେ, ଗଳି ଭିତରେ ବୁଲିବାକୁ କହେ । ଯେପରିକି ଚାଲି ରହିଲେ କିଛି ବନ୍ଦ ହୋଇଯିବ ନାହିଁ, ଗାଆଁକୁ ଫେରି ଯିବାର ଦୁର୍ଭାବନା ଉଭେଇ ଯିବ ।

ତେଣୁ ନାଣ୍ଡୁବାବୁ ଚାଲିବାକୁ ଲାଗନ୍ତି । ପ୍ରଥମେ କାମିଜ ପକେଟରୁ ଗୋଟିଏ ବିଡ଼ି ବାହାର କରି ଗହୀରିଆ ଫୁଙ୍କ ଦିଅନ୍ତି । ମନେହୁଏ ଯେ ସେ ଏହି ମ୍ଳେଚ୍ଛ ସହରକୁ ଦେଖି ନେବେ, ତା’ ସାଙ୍ଗରେ ବଳ କଷିବେ, ଏହି ଭାବରେ ଆଗେଇଛନ୍ତି ।

 

ସାହି, ଗଳି ବଜାର । ବଜାର ଗଳି, ସାହି । କେଉଁ ପାନଦୋକାନ ରେଡ଼ିଓରୁ ଗୀତ ଶୁଭୁଛି, ସିନେମା ଗୀତ । ସୀତାର ମିଠା ଗଳା । ସେ ଏମିତିକା ଗୀତ କ’ଣ ବୋଲି ପାରନ୍ତା ନାହିଁ ? କିନ୍ତୁ ଗାଆଁରେ କିଏ ପଚାରୁଛି ତାକୁ ?...ପାନଦୋକାନୀ, ଚା’ ଦୋକାନୀ, ଭୋଜନାଳୟ, ମନୋହରି ଦୋକାନୀ, ଲୁଗା ଦୋକାନୀ, ଫଟୋଦୋକାନୀ,–ସମସ୍ତେ ଇନ୍ଦ୍ରଙ୍କ ପରି ନିଜ ନିଜ ଆସ୍ଥାନରେ ବସିଛନ୍ତି, ଆଉ କିଣାବିକା ଚାଲିଛି । କିଏ ଜଣେ କହୁଥିଲା ଯେ ହଜାରି ସାହିର ବୁଦ୍ଧିଆ ଇଟାବାଲା ଗୋଟାଏ ମଟରସାଇକଲ କିଣିଛି । ମଟର ସାଇକଲ୍‍ ଚଢ଼ିଲେ କ’ଣ ସେ ଦି’ଇଞ୍ଚ ଉପରକୁ ଉଠିଯିବ ? ଯେଉଁ ଇଟାବାଲାକୁ ସେହି ଇଟାବାଲା । ଅସଲ ହେଉଛି ଖାନ୍‍ଦାନି, ବୁନିଆଦି । କଳାକୁଚୁକୁଚୁ ଚେହେରା, ନାଲିଆ ଆଖି, ବାବୁରି ବାଳ, ମୁହଁରେ ଯେତେ ରକମର ଅସଭ୍ୟ କଥା,–ସେ ପୁଣି ବାବୁ ହେବାକୁ ବସିଛି ! ...ଭୋକ...। ଏତିକିବେଳକୁ ଏତେ ଭୋକ କେଉଁଠୁ ଆସେ ? ନା, ଆଜି ଭୋକକୁ ଦବେଇ ଦେବାକୁ ହେବ । ଗାଆଁରେ ଥିଲେ କେତେବେଳଠୁ ଖାଇପିଇ ଶୋଇ ସାରନ୍ତାଣି । ହେଉ, ବୟାଳିଶ ବର୍ଷ ତ ଏମିତି କଟିଗଲା । ଆଜି ଗୋଟାଏ ଦିନ ନ ଖାଇଲେ କ’ଣ ଚଳିବ ନାହିଁ ? (ଏହି ସମୟରେ ମନକୁ ଆସେ ଯେ ହାରବୋଉ ଦେଇଥିବା ଟଙ୍କା ସରି ଆସିଲାଣି, ହାର ଘରକୁ ପୁଷ ପୁନେଇଁ ଭାର ପଠା ହେବ, ପୁଅପାଇଁ ଛବିବହି ଦରକାର, ଇତ୍ୟାଦି । କିନ୍ତୁ ନାଣ୍ଡୁବାବୁ ଭୋକ ସମେତ ସେସବୁ ଭାବନାକୁ ଦବେଇ ଦିଅନ୍ତି ।) ଅସଲ କଥା ହେଲା ଛାତିର ଦମ୍ଭ । ଚରିତ୍ର । ହୃଦୟ । ଗାନ୍ଧିଜୀ କେତେଦିନ ଓପାସ ରହି ନ ଥିଲେ-?

 

ଚା’ କପେ ପିଇଦେଲେ ଭୋକ ମରିଯିବ ଆହୁରି ଥୋଡ଼ାଏ ଚାଲିହେବ । ନାଣ୍ଡୁବାବୁ ନିକଟତମ ଚା’ ଦୋକାନକୁ ପଶିଯାଇ ଗରମ୍‍ ଗରମ୍‍ କପେ ଚା’ର ବରାଦ ଦିଅନ୍ତି । ଏବଂ ଚା’ ପିଇସାରି ପୁଣି ଚାଲନ୍ତି ।

 

ତା’ପରେ ବେଳେ ବେଳେ ଇଚ୍ଛା ହୁଏ ଯେ ଗୋଟାଏ ସିଗାରେଟ୍‍ ଟାଣିଲେ ମନ୍ଦ ହୁଅନ୍ତା ନାହିଁ । ନାଣ୍ଡୁବାବୁ ଶସ୍ତା ଦେଖି ଗୋଟାଏ କିଣନ୍ତି । ଧୂଆଁଗୁଡ଼ା ପାଣିଚିଆ ଲାଗେ, ଏବଂ ସେ ଥାକରେ ସଜା ହୋଇଥିବା ଟିଣ ସିଗାରେଟ ଉପରେ ଆଖି ପକାନ୍ତି,–ଏ ସବୁ ବେଶି ଦାମ୍‍ ସିନା କିନ୍ତୁ ଭଲ ଲାଗୁଥିବ । ନନ୍ଦବାବୁ ଟିଣ ପରେ ଟିଣ ଧ୍ୱଂସ କରି ଦିଅନ୍ତି । ଏତେ ପଇସା କେଉଁଠୁ ଆସେ ?

 

ରାତି ବଢ଼ୁଛି । ଲୋକ କମି ଆସିଲେଣି । ଲମ୍ୱି ଯାଇଥିବା ପିଚ୍‍ ରାସ୍ତା ବହଳ ମଜ୍‍ବୁତ୍‍ ଫିତା ଭଳି ଦେଖା ଯାଉଛି, ଯେଉଁଥିରେ ସହରିଆଙ୍କର ସବୁ କାରବାର ଏକାଠି ବନ୍ଧା ହୋଇଛି । ସେହି ବନ୍ଧନ ଭିତରେ ବଡ଼ବଡ଼ କୋଠାର ଦଳ ଝଳି ଦିଶୁଛନ୍ତି, ଆତ୍ମବଳରେ ବଳୀୟାନ୍‍ ମୁନିଙ୍କପରି-। ଦେଖିବାକୁ ଭଲ ଲାଗୁନାହିଁ ? ଭଲ, କିନ୍ତୁ ମନେ ହେଉଛି ଯେ ତାଙ୍କୁ ଛୁଇଁବା ମନା-। ସେମାନେ ନିରୋଳାରେ ନିଜର ପବିତ୍ର ବଡ଼ପଣକୁ ଟିକିଏ ଅନୁଭବ କରିବାକୁ ଚାହାନ୍ତି, ତେଣୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ । ହେଇ ରାହାସ ଦାଦାଙ୍କ କୋଠା । ଫାଟକରେ ତାଲା ପଡ଼ୁ ବା ନ ପଡ଼ୁ ତା’ ଚେହେରାରେ ବନ୍ଧୁ ଭାବ ନାହିଁ । ଆଗକୁ ଚାଲିଲେ ନାରୁଭାଇର କୋଠା-। ରଫିକ୍‍ ବଜାରରେ ନନ୍ଦବାବୁ । କେତେ ଜଣାଶୁଣା କେତେ ଅଜଣାଙ୍କ ନିବାସ କୁଟୀର-ସୌଧ ମୁଣ୍ଡ ଟେକିଛନ୍ତି ଓ ମୋ ଆଡ଼କୁ ଚାହିଁଛନ୍ତି । ସର୍ବସାଧାରଣଙ୍କ ପ୍ରବେଶ ନିଷେଧ ।

 

ନାଣ୍ଡୁବାବୁଙ୍କୁ ଏକୁଟିଆ ଲାଗେ । ଏଇକ୍ଷଣି ଯେଉଁମାନେ ବାହାରେ ବୁଲୁଛନ୍ତି ସେମାନେ ସମସ୍ତେ ସର୍ବସାଧାରଣ,–ରିକ୍‍ସାବାଲା, ଘର ଫେରନ୍ତା ମୂଲିଆ, ଟୋକା ବଜାରିଙ୍କ ଦଳ, କେଉଁ ନିର୍ଭୀକା ମଳିନା ଅଳ୍ପବୟସୀ (ଚାକରାଣୀ ? ବରାପିଆଜିବାଲିର ଝିଅ ? ଖରାପ ମାଇକିନିଆ ?) ଏକୁଟିଆ ବିଲେଇ ଓ ଭୁକିଲା କୁକୁର; ମୁଁ ନୁହେଁ । ମୁଁ ନୁହେଁ ! ମୁଁ ଏମାନଙ୍କ ଭିତରୁ ଜଣେ ନୁହେଁ । ମୁଁ ଇଚ୍ଛା କଲେ ଯେ କୌଣସି କୋଠା ଭିତରକୁ ପଶିଯାଇ ପାରିବି ଓ କହି ପାରିବି ଯେ ମୁଁ ହେଉଛି ରଙ୍ଗଣିପୁରର ନବଘନ ମାହାନ୍ତି । ନାଣ୍ଡୁବାବୁ । ମୁଁ ଏମିତି ଅବେଳାରେ ରାସ୍ତାରେ ବୁଲୁଛି କାହିଁକି ନା– ।

 

ଶେଷକୁ ଆଉ ଚାଲି ହୁଏ ନାହିଁ, ଚାଲିବାକୁ ଇଚ୍ଛା ହୁଏ ନାହିଁ । ନାଣ୍ଡୁବାବୁ ରିକ୍‍ସା ଚଢ଼ନ୍ତି ଓ ହଜାରି ସାହିକୁ ଫେରି ଆସନ୍ତି ।

 

ଫେରିବା ବାଟରେ ସେ ନିଜ ଥକିଲା ମନକୁ ଆଶ୍ୱାସନା ଦିଅନ୍ତି,–ଆଉ ବେଶିଦିନ ନୁହେଁ, ଆଉ ବେଶିଦିନ ନୁହେଁ । କିଛି ହେଲେ ଜୁଟିବ । ଭଗବାନ୍‍ ଅଛନ୍ତି । ଏବଂ ଭଗବାନଙ୍କୁ ଡାକିବା ପରେ ପରେ ସେ ପୁଣି କୈଫିୟତ୍‍ ଦେବାକୁ ପ୍ରସ୍ତୁତ ହୋଇ ଉଠନ୍ତି । ଯେ ଗାଆଁରେ ଆଉ ଚଳି ହୋଇ ନ ଥାଆନ୍ତା, ସହରକୁ ନ ଆସି ଚାରା ନ ଥିଲା । ଭଗବାନ୍‍ ଅଥବା ଯେ କେହି ଜାଣିବା ଶୁଣିବା ଲୋକ ବୁଝିବେ ଯେ ଏ ଗୋଟାଏ ବଦ୍‍ଖିଆଲ୍‍ ନୁହେଁ । ନାଣ୍ଡୁ ସହରରେ ଜଣେ ହୋଇ ରହିବ । ଜରୁରୀ ଓ ଉଚିତ ।

 

ସେହି ସମୟରେ ମନେ ପଡ଼ିଯାଏ ହାର ବାହାଘରବେଳେ କେଉଁ ବରଯାତ୍ରୀର ବ୍ୟଙ୍ଗୋକ୍ତି–‘‘ଏ ଜିନିଷଟି କଅଣ ? ଚା’ ପିଇବା ବେଲା ନା ସରବତ୍‍ ପିଇବା କଂସା ?’ ନନ୍ଦବାବୁଙ୍କ ପରିବାରବର୍ଗର ଆଗମନ, ତାଙ୍କ ସାନପୁଅ ରମୁର ଘୋର ଆଶ୍ଚର୍ଯ୍ୟ–‘ଏଠି କ’ଣ କେହି ଚଉକିରେ ବସନ୍ତି ନାହିଁ ?’ ତା’ ମାଆର ଫୁସ୍‍ଫୁସ୍‍ ଉପଦେଶ । ...ଦର୍ପଣ ସାମ୍‍ନରେ ହାର ବୋଉର ଏକୁଟିଆ ଦୀର୍ଘ ନିଃଶ୍ୱାସ, କେବେ କେଉଁ ଅତୀତରେ ସେ ଥିଲା ଟାଟା ନଗରର ଯୁବତୀ, ଆଜି ସେ ରଙ୍ଗଣିପୁରର ବୁଢ଼ୀ ! ବୃଦ୍ଧ ଭଗି ବଡ଼ ବାପାଙ୍କର ପ୍ରଶଂସା–‘ବାପ, ବେଶି ପାଠ ପଢ଼ି ନାହୁଁ ଭଲ ହୋଇଛି । ଯେ ଯୁଆଡ଼େ ପଳେଇଗଲେ, ତୁଇ ଏକା ଏଇ ଗାଆଁ ମାଟିକୁ ଚିହ୍ନିଲୁ ।’ ସୀତା ଓ ଜିଲ୍ଲା ମାଜିଷ୍ଟ୍ରେଟ୍‍ । ସୀତା ଓ ଅଞ୍ଚଳ ନେତା ବିଶ୍ୱମ୍ୱର ଛୋଟରାୟ । ସୀତା ଓ ତା’ ଭିଣେଇ । ସମସ୍ତଙ୍କ ମୁହଁରେ ସେହି ଏକା କଥା,–ଏତେ ଚାଲାଖ୍‍ ଝିଅ ! ଏତେ ସୁନ୍ଦର ! ନ ଜାଣିବା ଲୋକେ କେହି ବିଶ୍ୱାସ କରନ୍ତି ନାହିଁ ଯେ ତା’ ବାପା ହେଉଛନ୍ତି ନାଣ୍ଡୁବାବୁ ।

 

ବସାରେ ପହଞ୍ଚି ପୁଣି ଭୋକ କରିବାରୁ କଦଳୀ ଗୋଟିଏ ଖାଇଦେଇ ନାଣ୍ଡୁବାବୁ ଚିଠି ଲେଖନ୍ତି । ପ୍ରଥମେ ‘ଆଦରଣୀୟା ସୀତା... ।’ ତା’ପରେ ପ୍ରାଣେଶ୍ୱରୀ... ।’ ଲେଖିଲାବେଳେ ସେ ଆତ୍ମତ୍ୟାଗର ଗାରିମା ଅନୁଭବ କରନ୍ତି । –ରାତି ଅଧରେ ଭୋକିଲା ପେଟରେ ମୁଁ ଏହି ମାଆ ଝିଅଙ୍କ ପାଖକୁ ଚିଠି ଲେଖୁଛି ।

 

ତା’ପରେ କଚିରି ଛକରୁ କିଣିଥିବା ‘କଳାମୁଖା’ କିମ୍ୱା ସେହି ଧରଣର ଗୋଟିଏ ଡିଟେକ୍‍ଟିଭି ଉପନ୍ୟାସ ପଢ଼ୁ ପଢ଼ୁ ତାଙ୍କୁ ନିଦ ଲାଗି ଆସେ ଓ ସେ ଶୋଇ ପଡ଼ନ୍ତି ।

 

ଏହିପରି ଭାବରେ ଛଅମାସରୁ ଉର୍ଦ୍ଧ୍ୱ ହୋଇଗଲା । ନାଣ୍ଡୁବାବୁ ଗାଆଁକୁ କିଛିଦିନ ଯାଇ ବୁଲି ଆସିଲେଣି । ହାରବୋଉ ସ୍ପଷ୍ଟଭାବରେ ଜଣାଇ ଦେଲେଣି–ହାତରୁ ଖାଇ ଘୋଡ଼ା ଆଗରେ ଦୌଡ଼ିବାପାଇଁ ମୋ ପାଖରେ ଆଉ ପଇସା ନାହିଁ । ଯାହା ହେଲେ କିଛି ଗୋଟାଏ ବ୍ୟବସ୍ଥା କର ।’ ଦଶବର୍ଷର ସୀତା କେତେ ଆବେଗଭରା ପ୍ରଶ୍ନ ପଚାରି ସାରିଲାଣି । ଯଥା,–‘ନୀରା ଅପା କହୁଥିଲା ଯେ ସେଠିକା ସ୍କୁଲରେ ମାଷ୍ଟ୍ରାଣୀମାନେ ପାଠ ପଢ଼ାନ୍ତି । ଆଉ କହୁଥିଲା ଯେ ପ୍ରତି ସ୍କୁଲରେ ଅଲଗା ଅଲଗା ରଙ୍ଗର ଫ୍ରକ ପିନ୍ଧନ୍ତି । ଯେଉଁ ସ୍କୁଲ୍‍ରେ ନେଳିଆ ଫ୍ରକ୍‍ ଥିବ ମୁଁ ସେଇଠି ପଢ଼ି ପାରିବି ନା-? ବାପା ଆମେ କେବେ ଯିବା ?’ କିନ୍ତୁ ଅବସ୍ଥା ପୂର୍ବ ପରି ଅଛି । ଅଦୂରରେ କେଉଁ ଆଶାର ବର୍ତ୍ତିକା ଜଳିଲାପରି ଦିଶୁ ନାହିଁ ।

 

କହିବାକୁ ଗଲେ ଅବସ୍ଥା ତଳେଇ ଯାଇଛି ।

 

ଅନ୍ତତଃ ନାଣ୍ଡୁବାବୁଙ୍କ ମନରେ ସେହି ଧାରଣା ଆସୁଛି । କେତେ ଦିନତଳେ ରାହାସ ଦାଦାଙ୍କର ଶରୀରପୀଡ଼ା ଘୁଞ୍ଚାଇବାକୁ ଯାଇ ସେ ତାଙ୍କ ଗୋଡ଼ହାତ ଚିପି ଦେଲେ । ଦାଦା ପ୍ରୀତ ହେଲେ । ଆଉ ଦିନେ ନନ୍ଦବାବୁ ଖାଇସାରି ଉଠିଗଲା ପରେ ସେ ସେହି ଥାଳୀରେ ବସି ଖାଇଲେ । ପ୍ରଥମେ ନନ୍ଦବାବୁଙ୍କ ସ୍ତ୍ରୀ ଟିକିଏ ବିସ୍ମିତ ହେଲା ପରି ଲାଗିଲା, କିନ୍ତୁ ତା’ ପରେ ସେ ସ୍ନେହରେ ଗଦ୍‍ଗଦ୍‍ ହୋଇ କେତେ ତରକାରୀପତ୍ର ଭଲମନ୍ଦ ବଳେଇ କରି ଖୋଇଲେ । ଦୁଇଥର ଯାକ ନାଣ୍ଡୁବାବୁ ନିଜକୁ କହିଲେ ଯେ ସେ କିଛି ଛୋଟକାମ କରି ନାହାନ୍ତି,–ସେମାନେ ବୟୋଜ୍ୟେଷ୍ଠ, ନିଜ ଲୋକ । କିନ୍ତୁ ପରେ ତାଙ୍କର ମନେହେଲା ଯେ ଏହି ନିଜ ଲୋକମାନେ ତାଙ୍କର ଉଦାରତା ସ୍ୱୀକାର କରୁ ନାହାନ୍ତି । କାହିଁକି ? କାହିଁକି ? ଆଗରୁ କ’ଣ ଏମିତି ହେଉଥିଲା ? ମୁଁ କ’ଣ ସତରେ ସେମାନଙ୍କ ଅନୁଗ୍ରହରେ ପଡ଼ି ରହିଛି ? ଏହିସବୁ ପ୍ରଶ୍ନର ତାଡ଼ନାରେ ତାଙ୍କର ଧାରଣା ଆସୁଛି ଯେ ଅବସ୍ଥା ବଳେଇ ଗଲାଣି ।

 

ଆଜିକାଲି ସେ ସଞ୍ଜବେଳେ ବୁଲିଯାଉ ନାହାନ୍ତି । ଘରେ ବସି ଏଣୁ ତେଣୁ ଭାବୁଛନ୍ତି ଓ ଉପନ୍ୟାସ ପଢ଼ୁଛନ୍ତି । ଦିନେ–‘ପ୍ରେତପୁରୀ, ନାମକ ଗୋଟିଏ ଉପନ୍ୟାସ ପଢ଼ୁପଢ଼ୁ ତା’ର ଅନ୍ତରାଳରେ ସେ ସ୍ୱପ୍ନ ଦେଖିଲେ । ତିକ୍ତ-ମଧୁର ଭାବନାର ସ୍ୱପ୍ନ । ଦେଖିଲେ ଯେ ସେ ଗୋଟିଏ ରହସ୍ୟଜାଲ ସୃଷ୍ଟି କରି ସେମାନଙ୍କ ନିଜ ଅଧିକାରରେ ଆଣି ପାରିଛନ୍ତି । ସେମାନେ ଶତ୍ରୁ ନା ମିତ୍ର, ବନ୍ଧୁବାନ୍ଧବ ବା ଅପର ଲୋକ ବୁଝି ହେଉ ନାହିଁ; କିନ୍ତୁ ସେମାନେ ସମସ୍ତେ ଅଛନ୍ତି ଗୋଟିଏ ଗୁହାଭିତରେ ଏବଂ ନାଣ୍ଡୁବାବୁ ତାଙ୍କୁ ବୁଝାଉଛନ୍ତି । ଆଶ୍ୱାସନା ଦେଉଛନ୍ତି । ଯେ ତାଙ୍କର କିଛି ଅନିଷ୍ଟ ହେବ ନାହିଁ, କାରଣ ନାଣ୍ଡୁ ନୀଚ ନୁହେଁ, ତା’ର ହୃଦୟ ଅଛି–ବିଶାଳ ହୃଦୟ, ରାଜା ପରି ।

 

ଖୋଲା କବାଟରେ କିଏ ଖଟ୍‍ଖଟ୍‍ କଲା । ନାଣ୍ଡୁବାବୁ ସଚେତ ହୋଇ ଦେଖିଲେ ଯେ ପ୍ରତିବେଶୀ ଉଚ୍ଛବ ପାତ୍ର ହସହସ ବଦନରେ ମାଡ଼ି ଆସୁଛନ୍ତି । ସତେ ଯେପରି ସେ ତାଙ୍କ ପୁରୁଣା ସାଙ୍ଗ । ସାମାନ୍ୟ ସ୍କୁଲ ମାଷ୍ଟର୍‍, ଗୋଛାଏ ଅବାଗିଆ ଅପରିଛନିଆ ପିଲା, ପଇସା ପତ୍ରରେ ନିହାତି ଛୋଟଲୋକ,–ତା’ର ମୋ ପାଖରେ କ’ଣ କାମ ଅଛି ? ପୁଣି ଏତେ ହସ କାହିଁକି ?

 

‘‘ନମସ୍କାର ନବଘନ ବାବୁ । କ’ଣ ଖବର ?’’

 

‘‘ଚାଲିଛି ।’’ ନାଣ୍ଡୁବାବୁ ଯଥାସମ୍ଭବ ତାଙ୍କର ବିରକ୍ତିକୁ ଦମନ କଲେ ଏବଂ କାମନା କଲେ ଯେ ଏ ଲୋକଟା ଶୀଘ୍ର ଚାଲିଯିବ ଓ ସେ ତାଙ୍କ ‘ପ୍ରେତପୁରୀ’କୁ ଫେରି ଆସି ପାରିବେ ।

 

କିନ୍ତୁ ଅଧଘଣ୍ଟାଏ ନ ଯାଉଣୁ ଦେଖାଗଲା ଯେ ନାଣ୍ଡୁବାବୁ ମନୋଯୋଗୀ ଛାତ୍ରଙ୍କ ପରି ମାଷ୍ଟର୍‍ ଉଚ୍ଛବ ପାତ୍ରଙ୍କ କଥା ପିଇ ଯାଉଛନ୍ତି । ମୁହଁରେ ମୂଢ଼ତା, ଉନ୍ମେଷ, ଓ ଜାଗରଣର ଚଳନ୍ତା ଛବି । କଥୋପକଥନର ଶେଷ ପଦ କତୋଟି ଏହିପରି ଥିଲା,–

 

‘‘ମୁଁ ବୁଝି ପାରୁ ନାହିଁ । ସିଧାସଳଖ ବ୍ୟବସାୟ ନ କରି ଏହି ଏଜେଣ୍ଟ୍ ହେବାରେ କଅଣ ଲାଭ ଅଛି ?’’

 

‘‘ଆପଣଙ୍କୁ କେମିତି ବୁଝେଇବି ?’’ (ହାରିଯିବାର ଭଙ୍ଗୀରେ ମସ୍ତକ ସଞ୍ଚାଳନ) ‘‘ମୁଁ ଆପଣଙ୍କୁ ଦଲାଲ୍‍ ହେବାକୁ କହୁନାହିଁ; ଏଜେଣ୍ଟ୍ । ସରକାରଙ୍କ ଏଜେଣ୍ଟ୍ ।’’

 

‘‘ଓ– ।’’

 

‘‘ନା, ତଥାପି ଆପଣ ଠିକ୍‍ ଧରି ପାରୁ ନାହାନ୍ତି । ସାଧାରଣ ବ୍ୟବସାୟ କଲେ ଆପଣ ପବନରେ ଉଡିଯିବେ, ତାତିରେ ପୋଡ଼ିଯିବେ, କିନ୍ତୁ ଏମିତିକା ବ୍ୟବସାୟରେ ଆପଣ ଛାଇତଳେ ରହିବେ, ତଣ୍ଟିକଟା କମ୍ପିଟିସନ୍‍ରୁ ରକ୍ଷା ପାଇବେ ।’’

 

‘‘ଆଚ୍ଛା ।’’

 

ଆପଣ କିଛି କରିବେ ନାହିଁ, ଆପଣ ନିମିତ୍ତ ମାତ୍ର । ସରକାର ଲୋକଙ୍କଠାରୁ କିଣିବେ, ସରକାର ଲୋକଙ୍କୁ ବିକିବେ, ମଝିରେ ଆପଣଙ୍କର କମିସନ୍‍ । ସେଥିରେ ଦାତାର କିଛି ଭାଗ ରହିବ, ବାକି ସବୁ ଆପଣଙ୍କର’’

 

ଉତ୍ତର ନାହିଁ । ଚାହାଣି ପ୍ରଶ୍ନାକୁଳ ।

 

‘‘ହୁଏତ ଆପଣ ଭାବୁଥିବେ ଯେ କମିସନ୍‍ କେଇଟା ଟଙ୍କା ମିଳିବ, ସେଥିରେ ଭାଗ ପଡ଼ିଲା ବେଳକୁ ଆଉ କ’ଣ ବା ରହିବ; କିନ୍ତୁ ନବଘନବାବୁ, ଆପଣ ଦେଖିବେ ଯେ ଏ ହେଉଛି ଗୋଟାଏ ସୁନାଖଣି । ମୋ କଥା ଲେଖି ରଖନ୍ତୁ । କମିସନ୍‍କୁ କିଏ ପଚାରେ ? ଆପଣ ହାତକୁ ଯେଉଁ କିଣାବିକାର ମାଲ ଆସିବ, ସେଥିରୁ କେତେ ପାଣି ପଶି ନଷ୍ଟ ହୋଇଯିବ, କେତେ ମୂଷା ଖାଇଯିବେ, କେତେ ଚୋରି ହୋଇଯିବ । ଆଉ କେତେ ଅଶରୀରୀ ଲୋକମାନଙ୍କୁ ଦିଆ ହୋଇଯିବ । ହିସାବ ଖାତାରେ କିଛି ତ୍ରୁଟି ରହିବ ନାହିଁ । ହେଲେ ସେହି ଗୁପ୍ତଧନର ମାଲିକ ହେବେ ଆପଣ । କେବଳ ଆପଣ ।

 

ନାଣ୍ଡୁବାବୁଙ୍କ ପାଟି ଈଷତ୍‍ ମେଲା ହୋଇଗଲା । ତାଙ୍କର ମନେ ହେଲା ଯେ ଏ ସେହି ‘ପ୍ରେତପୁରୀ’ ଜନିତ କଳ୍ପନାର କ୍ରମଶଃ, ଉଚ୍ଛବ ପାତ୍ର ହେଉଛନ୍ତି ସେଠିକାର ଜଣେ ଗୋଇନ୍ଦା କିମ୍ୱା ସର୍ଦ୍ଦାର । ଯାହାହେଉ ସେ ବାସ୍ତବତାକୁ ପରଖି ନେଲା ପରି ଚମକାଇବା ସ୍ୱରରେ ପ୍ରଶ୍ନ କଲେ–

 

‘‘କିନ୍ତୁ ମୋତେ କାହିଁକି ଏ କାମ ଦିଆଯିବ ? ମୁଁ କିଏ ?’’

 

ଏହାର ଉତ୍ତରରେ ମାଷ୍ଟର ଉଚ୍ଛବ ପାତ୍ର ହସି ଉଠିଲେ । କହିଲେ, ‘‘ଆପଣଙ୍କୁ ସେ ବିଷୟ ଭାବିବାକୁ ପଡ଼ିବ ନାହିଁ । ସବୁ ଯୋଗାଡ଼ ହୋଇ ଯାଇଛି । ଦାତା ନିଜକୁ ଜଣାଇବାକୁ ଚାହେ ନାହିଁ; କିନ୍ତୁ ତା’ର ଅସାଧ୍ୟ କିଛି ନାହିଁ । ଠିକ୍‍ ହୋଇଛି ଯେ, ପ୍ରଥମେ ଧାନଚାଉଳ, ତା’ପରେ ସିମେଣ୍ଟ୍, ତା’ପରେ– । ଅବଶ୍ୟ ଆପଣ ଯଦି ରାଜି ହୁଅନ୍ତି ।’’

 

ନାଣ୍ଡୁବାବୁ ଡେରିରେ ହସିଲେ; କିନ୍ତୁ ତାଙ୍କ ହସର ସରଳତା, ମଧୁରତା ଓ ବ୍ୟାପ୍ତି ଉଚ୍ଛବ ପାତ୍ରଙ୍କ ମନକୁ ଛୁଇଁଲା । ସେ ବୁଝିଲେ ଯେ ଆଉ କିଛି କହିବାର ନାହିଁ ।

 

ଉଚ୍ଛବ ପାତ୍ର ଚାଲିଗଲା ପରେ ମଧ୍ୟ ନାଣ୍ଡୁବାବୁଙ୍କ ଓଠର ହସ ଲିଭିଲା ନାହିଁ । ଯେପରିକି ସେ ମୁଗ୍‍ଧ ହୋଇ ନିଜକୁ, ନିଜର ନୂଆ ରୂପକୁ ଦେଖୁଛନ୍ତି । ନାଣ୍ଡୁ ଗୋଟାଏ ବଡ଼ କାମ, ଅସାଧାରଣ ବ୍ୟସାୟ କରିବାକୁ ଯାଉଛି ।

 

ଅଜ୍ଞାତ ଦାତା କିଏ, ସେ ବିଷୟରେ ସେ ମୁଣ୍ଡ ଖେଳାଇଲେ ନାହିଁ । ହୁଏତ ନିଜେ ରାହାସଦାଦା, ନନ୍ଦବାବୁ, ନାରୁଭାଇ, କିମ୍ୱା କେଉଁ ହାକିମ, ଶେଠ, ମିନିଷ୍ଟର୍‍–କିଏ କହିବ ? କିନ୍ତୁ ତାଙ୍କର ବିଶ୍ୱାସ ଯେ ନାଣ୍ଡୁ ଅପାରଗ ନୁହେଁ । ମୂଳଧନ ଶହେ ନୁହେଁ, ଦୁଇଶହ ନୁହେଁ, ଆଠହଜାର ଟଙ୍କା– !

 

ସୀତାର ମୁହଁ ମନେ ପଡ଼ିଲା । ସେ ଆନନ୍ଦରେ ନେଳିଆ ଫ୍ରକ୍‍ ପିନ୍ଧି ନାଚୁଛି ।

 

ଏହାର କିଛି ଦିନ ପରେ ସେ ପିଲାପିଲିଙ୍କୁ ସହରକୁ ଆଣିଲେ । ସୀତାର କନ୍‍ଭେଣ୍ଟ୍ ସ୍କୁଲରେ ନାଁ ଲେଖାଗଲା, ଓ ତା’ ନାଁ ଦିଆହେଲା ସଙ୍ଗୀତା ।

Image

 

ଦୁଇ

 

ଆଜି ସଙ୍ଗୀତାକୁ ପନ୍ଦର ପୁରି ଷୋଳ । ସେ ନେଳିଆ ଫ୍ରକ ପିନ୍ଧୁ ନାହିଁ, ନାଇଲନ୍‍ ଶାଢ଼ି ପିନ୍ଧି କଲେଜ୍‍କୁ ଯାଉଛି ।

 

ନାଣ୍ଡୁବାବୁ ଗୋଟିଏ କୋଠାଘର ତୋଳିଛନ୍ତି । ତା’ର କାମ ସରିନାହିଁ, ବିଭିନ୍ନ ଜାଗାରୁ କଞ୍ଚା ଚୂନ ସିମେଣ୍ଟର ବାସ୍ନା ଆସୁଛି । ନନ୍ଦବାବୁ କେତେଥର କହିସାରିଲେଣି–‘ନାଣ୍ଡୁ, ତୁ ଏ ଘରପିଛା ଯେତେ ଟଙ୍କା ଖର୍ଚ୍ଚ କଲୁଣି ଯେତେ ସମୟ ନଷ୍ଟ କଲୁଣି, ମୁଁ ହୋଇଥିଲେ ତିନିଟା ଘର ତୋଳି ସାରନ୍ତିଣି ।’ ହାରବୋଉ ମଧ୍ୟ ବ୍ୟସ୍ତ ହୋଇ ଗଲେଣି । ସେ ଗର୍ବମିଶ୍ରିତ ଦୁଃଖରେ ସଙ୍ଗିନୀମାନଙ୍କୁ କହନ୍ତି ‘କଅଣ ସବୁଦିନେ ଖୁଟୁରୁଖାଟୁରୁ ଚାଲିଛି, ଭଗବାନ୍‍ ଜାଣନ୍ତି । ଠାକୁରଘର ପ୍ଲାନ୍‍ରେ ନ ଥିଲା, ଠାକୁର ଘର ହେଲା । ତା’ପରେ କ’ଣ ନା ଦଣ୍ଡ ବାରଣ୍ଡାକୁ ଚଉଡ଼ା କର, ଆହୁରି ଚଉଡ଼ା । ସେଇଠୁ ଠିକ୍‍ ହେଲା ଯେ ଦାଣ୍ଡକୁ ଗୋଟାଏ ପୋର୍ଟିକୋ ଦରକାର, ନାରୁଭାଇ ଘରେ ଯେମିତି ଅଛି, କାର୍‍ କିଣା ହେଲେ ସେହିଠି ଛିଡ଼ା ହେବ । ବର୍ତ୍ତମାନ ଝୁଙ୍କି ଉଠିଛି ଯେ ବାରିପଟକୁ ଧାଉଡ଼ିଏ ସାନଘର ତିଆରି ହେବ, ଚାରିକାନ୍ଥରେ ବହିଥାକ ଖଞ୍ଜା ହେବ, ଆଉ ପିଲାଏ ସେଠି ନିରୋଳାରେ ପାଠ ପଢ଼ିବେ । ଝିଅ ବାହାଘର ମୁଣ୍ଡ ଉପରେ, ପୁଅ ମଣିଷ ହୋଇ ନାହିଁ–ତାଙ୍କ ପାଇଁ କିଛି ରଖିଯିବ ନା ନାହିଁ ? ବଡ଼ଲୋକ ବଡ଼ଲୋକ ବୋଲି ହୁରି ପଡ଼ିଛି, ଦେଖିଲାବେଳକୁ ଖଡ଼ା ନାସ୍ତି । ତା’ ଛଡ଼ା ତମର ବୟସ ହେଲା । ସବୁଦିନେ କ’ଣ ଖୁଟୁଥିବ ? ଦିନକୁ ଦି’ ଘଣ୍ଟା ବିଶ୍ରାମ ନେଲେ ହୁଅନ୍ତା ନାହିଁ ?’

 

ପ୍ରକୃତରେ ନାଣ୍ଡୁବାବୁ ବିଶ୍ରାମ ନେଇ ପାରୁ ନାହାନ୍ତି । କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ଗତ ପାଞ୍ଚବର୍ଷ ହେଲା ସେ ମୁହୂର୍ତ୍ତେ ବିଶ୍ରାମ ନେଇ ନାହାନ୍ତି । କାରଣ ସେଦିନ ରାତିରେ ହଜାରିସାହିର କୁଡ଼ିଆଘରେ ଯେଉଁ ସୁଅର ମୁହଁ ଖୋଲିଗଲା ତାକୁ ରୋଧିବାର ଶକ୍ତି ନ ଥିଲା । ନାଣ୍ଡୁକୁ କାମ କରିବାକୁ ହେବ । ଗୁଡ଼ସ୍‍ କ୍ଳର୍କ୍‍ ସୋମୟା ଯଦି କହିଛି ଯେ ରାତି ତିନିଟା ବେଳେ ତିନିନମ୍ୱର ସେଡ୍‍ ପାଖରେ ତା’ ସାଙ୍ଗରେ ଦେଖା କରିବାକୁ ହେବ ତାହା ହେଲେ ସେଠିକି ଯଥାସମୟରେ ଯିବାକୁ ପଡ଼ିବ । ଶିଳ୍ପପତି ଚିତ୍ତ ଷଡ଼ଙ୍ଗୀର ଗାଆଁଘରେ ଶହେ ବସ୍ତା ଚାଉଳ କୌଣସି ମତେ ପହୁଞ୍ଚାଇ ଦେବାକୁ ପଡ଼ିବ, ଚବିଶ ଘଣ୍ଟାରୁ ବେଶି ଡେରି ହେବ ନାହିଁ । ସେକ୍ରେଟେରୀଏଟର ବିଭିନ୍ନ ମହଲାରେ ବିଭିନ୍ନ ଲୋକଙ୍କ ସହିତ କାରବାର ଚାଲୁ ରଖିବାକୁ ହେବ ଏବଂ ନିୟମିତଭାବରେ ଉଚ୍ଛବ ପାତ୍ରର ଜରିଆରେ ଦାତାଙ୍କ ଉପଦେଶ ଶୁଣିବାକୁ ହେବ ।

 

କର୍ତ୍ତବ୍ୟପରାୟଣତା । ଯେତେବେଳେ ଦେଖିବ ସେହି ଗମ୍ଭୀର ଭାବ, ତତ୍‍ପର ଭଙ୍ଗୀ, ମାର୍କାମରା ବିନୟୀ ହସ ଏବଂ କପାଳରେ ଝାଳ । ଯେପରିକି ସେ ଏକାଧାରରେ ସୈନିକ ଓ ସେବକର ବ୍ରତ ଗ୍ରହଣ କରିଛନ୍ତି, ନିଜ କଥା ଭାବିବାକୁ ବେଳ ନାହିଁ । ଉଚ୍ଛବ ପାତ୍ର ଦିନେ ଦୟାପରବେଶ ହୋଇ କହିଲେ ‘ନବଘନବାବୁ, ଆପଣଙ୍କୁ ଏତେ ଧାଁ-ଧପଡ଼ କରିବାକୁ କିଏ କହୁଛି-? ଗରଜ କ’ଣ ଖାଲି ଆପଣଙ୍କର ?’ ନାଣ୍ଡୁବାବୁ ସହନଶୀଳତାର ଭାବ ଦେଖାଇ କହିଲେ ‘ନା, ନା, ମୋତେ କିଛି କଷ୍ଟ ହେଉନାହିଁ । ଏଇ କନ୍‍ସାଇନ୍‍ମେଣ୍ଟଟା ଆସିଗଲେ ।’

 

ଉଚ୍ଛବ ପାତ୍ର ସେତେବେଳେ ବୁଝିଲେ ନାହିଁ । ପରେ ବୁଝିଲେ । ଥରେ କ୍ଳାସରେ ପାଠ ପଢ଼ାଉ ପଢ଼ାଉ ପଛବେଞ୍ଚର ଗୋଟିଏ ଉଦ୍‍ଗତ ମୁହଁକୁ ଦେଖି ତାଙ୍କ ନାଣ୍ଡୁବାବୁଙ୍କ କଥା ମନେ ପଡ଼ିଲା ଏବଂ ତାଙ୍କର ଧାରଣା ହେଲା ଯେ ସାଧୁତା ଗୋଟିଏ ଗୁଣବାଚକ ଶବ୍ଦ, କ୍ରିୟାବାଚକ ନୁହେଁ-। ନବଘନବାବୁଙ୍କର ସେହି ଚାରିକୋଣିଆ ଚଟକା ମୁହଁ, କପାଳ ଓ ଚିବୁକ ଉଭୟ ପଶ୍ଚାଦଗାମୀ, ଘଞ୍ଚ ଭ୍ରୂଲତା, ଗହୀରିଆ ଚାହାଣି, ଚଉଡ଼ା ଗୋଲେଇ ନାକ, ଅର୍ଦ୍ଧ ପ୍ରସ୍ଫୁଟିତ କମଳପରି ଛୋଟିଆ କିନ୍ତୁ ମୋଟା ପାଖୁଡ଼ାର ଓଠ,–ଏତିକିରୁ କ’ଣ ଜଣା ପଡ଼ୁନାହିଁ ଯେ ସେ ସାଧୁତାର ପ୍ରତିମୂର୍ତ୍ତି ? ଅର୍ଥାତ୍‍ ସେ କାମ କରନ୍ତି ନାହିଁ, ନିଜକୁ ନିଯୁକ୍ତ କରନ୍ତି । ସରଳ (ସୁନ୍ଦର) ମୌଳିକ (ମହାନ୍‍) ଉଦ୍ଦେଶ୍ୟଦ୍ୱାରା ପ୍ରେରିତ ଓ ଧାବିତ ହୁଅନ୍ତି । ଯଥା ଚଷାପୁଅ । ଯଥା ଭକ୍ତ । ଯଥା ବାୟା ଚଢ଼େଇ-। କିଏ କାହିଁକି ଭାବିବ ଯେ ସେ କଳାବଜାର କରନ୍ତି ?

 

ଏତେବେଳେକେ ସେ ବୁଝିଲେ ଯେ ଦାତା କାହିଁକି ୟାଙ୍କୁ ହିଁ ବାଛିଲେ । ଆଉ କାହିଁକି ସୋମାୟା ଷଡ଼ଙ୍ଗୀ ଓ ଅନ୍ୟମାନେ ନିଜେ ଆଢ଼ୁଆଳରେ ରହି ୟାଙ୍କୁ ପଦାକୁ ଆସିବାକୁ କହନ୍ତି । କାରଣ ନବଘନବାବୁ ଧରା ପଡ଼ିବେ ନାହିଁ । କସ୍ମିନକାଳେ ଧରା ପଡ଼ିବେ ନାହିଁ ।

 

ଭାବୁ ଭାବୁ ଉଚ୍ଛବ ପାତ୍ର ଅଧିକତର ଆଶ୍ଚର୍ଯ୍ୟ ହେଲେ ଓ ତାଙ୍କ ମନରେ ଈର୍ଷାର ଭାବ ଆସିଲା । ତେଣୁ ସେ ଚଟ୍‍କରି କଥାଟା ଛିଣ୍ଡେଇ ଦେଲେ,–ଧ୍ୟାତ୍‍, ମଫସଲିଆଟା !

 

ଯାହାହେଉ ନାଣ୍ଡୁବାବୁ ଅନ୍ୟମାନଙ୍କ ପ୍ରଶଂସା ନିନ୍ଦାକୁ ଭ୍ରୂକ୍ଷେପ ନ କରି କାମ କରିଯାଇଛନ୍ତି ଏବଂ ତାଙ୍କୁ ଭଲ ଲାଗିଛି ।

 

କାମ ହେଉଛି, ଟଙ୍କା ଆସୁଛି । କ୍ରମବର୍ଦ୍ଧିଷ୍ଣୁ ସମ୍ପଦର ସୁଖ । ଭଡ଼ା ଚାଳଘର ଛାଡ଼ି କୋଠାଘର–ଗୋଟିକ ପରେ ଆଉ ଗୋଟିଏ–ତା’ପରେ ନିଜର ନୂଆ କୋଠା ଘର । ଅଗଣା ବଡ଼ ଦିଶୁଛି, ଝରକାରେ ବେଶି ପବନ ଆସୁଛି, କୁଣ୍ଡରେ ଫୁଲ ଫୁଟୁଛି, ପିଲାମାନେ କେକ୍‍ ବିସ୍‍କୁଟ୍‍ ଖାଉଛନ୍ତି, ହାରବୋଉ ନୂଆ ନୂଆ ରକମର ଶାଢ଼ି ପିନ୍ଧୁଛନ୍ତି... । ସଙ୍ଗୀତା ଚହଟୁଛି । ଅନ୍ଧାରରୁ ଆଲୁଅକୁ ଆସିବାର ଏହି ସୌଭାଗ୍ୟକୁ ହେଜି ନାଣ୍ଡୁବାବୁ ବିଶ୍ୱପିତାଙ୍କ ପାଖରେ ନତମସ୍ତକ ହୁଅନ୍ତି ଏବଂ ବିଶ୍ୱପିତାଙ୍କ ଦୂତସ୍ୱରୂପ ଅଜଣା ଦାତା, ଉଚ୍ଛବ ପାତ୍ର, ରାହାସଦାଦା ଓଗେର ଶୁଭାକାଙ୍‍କ୍ଷୀ ଓ ସହକାରୀ ସହକର୍ମୀମାନଙ୍କ ପ୍ରତି କୃତଜ୍ଞତା ଜଣାନ୍ତି ।

 

ବାହ୍ୟିକ ଦୃଷ୍ଟିରୁ ଦେଖିଲେ ତାଙ୍କର ବଦଳି ନାହିଁ । ସେ ପୂର୍ବପରି ଖଣ୍ଡେ ଡୋରିଆ କାମିଜ ଓ ଧୋତି ପିନ୍ଧ, ପାଦରେ ଚଟି ଗଳେଇ ଚାରିଆଡ଼େ ବୁଲୁଛନ୍ତି । ଅଧିକାଂଶ ସମୟ ବିଡ଼ି ଓ କେବେ କେମିତି ସିଗାରେଟ୍‍ ଟାଣୁଛନ୍ତି । ଫୁରୁସତ୍‍ ହେଲେ ଡିଟେକ୍‍ଟିଭ୍‍ ଉପନ୍ୟାସ ପଢ଼ୁଛନ୍ତି । କିନ୍ତୁ ସେ ନିଜେ ଅନୁଭବ କରୁଛନ୍ତି ଯେ ତାଙ୍କ ଆତ୍ମାର ଉନ୍ନତି ହୋଇଛି, ହୃଦୟଗୁଣ ବିକଶି ଉଠିଛି-। ଏମିତି ହେବାର ଥିଲା । ବେଳେ ବେଳେ ଦୁଃଖ ହୁଏ ଯେ ଜୀବନର ପ୍ରାୟ ତିନି ଭାଗରୁ ଦୁଇଭାଗ ବୃଥା କଟିଗଲା । ରଙ୍ଗଣିପୁରର ମାଟିଗୋବର ବାସ୍ନା ଶୁଙ୍ଘି, ତେଲଚିକିଟା ତକିଆ ମସିଣାରେ ଶୋଇ, ରତନିମାଆର ଚାଳରେ ମାଡ଼ିଥିବା ପାଣିକଖାରୁକୁ ଦେଖି ଦେଖି ସମୟ ଚାଲିଗଲା । ତେବେ ଅନୁଶୋଚନା ପରିହାର କରି ସେ ଭାବନ୍ତି ଯେ ବେଶି ଡେରି ନ ହେଉଣୁ ସେ ଠିକ୍‍ ବାଟକୁ ଚାଲିଆସି ପାରିଛନ୍ତି ।

 

ଏହି ପାଞ୍ଚବର୍ଷ ଭିତରେ ଯେ କେତେଥର କାହା ଉପରେ ରାଗିଛନ୍ତି ? କେତେ କ’ଣ ତାଙ୍କ ମନରେ ଆସିଛି ଯେ ଅମୁକର ଅନିଷ୍ଟ ହେଉ, ଅମୁକ ବଡ଼ଲୋକର ବଡ଼ଲୋକି ଧ୍ୱଂସ ପାଇଯାଉ, କେଉଁ ଦୁଃଖୀରଙ୍କି ଗରିବର ମଙ୍ଗଳ ନ ହେଉ ? ପୂର୍ବେ ସେ ଏହି ସହରରେ ତାଙ୍କର କେତେଜଣ ବନ୍ଧୁବାନ୍ଧବଙ୍କ ଛଡ଼ା ପ୍ରାୟ ଆଉ କାହାକୁ ଜାଣି ନ ଥିଲେ । ବ୍ୟବସାୟ ଆରମ୍ଭ ହେଲାଦିନୁ ଅନେକ ପ୍ରକାରର ଅନେକ ଲୋକ–କଣ୍ଟ୍ରାକ୍‍ଟର, କିରାଣି ଦଲାଲ୍‍, ଗୁମାସ୍ତା, ଚପରାସି, ହାକିମ, କର୍ମୀ, ନେତାମାନଙ୍କ ସହିତ ତାଙ୍କର ପରିଚୟ ହୋଇଛି । କେବେ କ’ଣ ଭୁଲ୍‍ରେ ତାଙ୍କ ମନଟା ପିତା ହୋଇଯାଇଛି ଓ ସେ ଭାବିଛନ୍ତି ଯେ ଅମୁକ ଲୋକ ପୃଥିବୀରେ ଜନ୍ମ ନେଇ ନ ଥିଲେ ଭଲ ହୋଇଥାଆନ୍ତା ? ନା । ଯେ କୌଣସି ନିରପେକ୍ଷ ବିଚାରକ କହିବ ଯେ ନାଣ୍ଡୁବାବୁ ବଦଳିଛନ୍ତି ଏବଂ ସଂସାରର–ଅନ୍ତତଃ ଏହି ସହରର, ସାଧାରଣ ସ୍ତରର ଉପରକୁ ଉଠି ଯାଇଛନ୍ତି ।

 

ତାଙ୍କର ଏହି ଭଲମଣିଷପଣିଆ ଘରେ ବାହାରେ କେତେ ଭାବରେ ପ୍ରକଟିତ ହୁଏ । ଧର, ରାହାସଦାଦାଙ୍କ ଘରେ । ରାହାସଦାଦା ତାଙ୍କ ବଡ଼ପୁଅ ବିରଜା ଉପରେ ମହାବିରକ୍ତ–ସେ ପାଠପଢ଼ାରେ ମନ ଦେଲା ନାହିଁ, ବ୍ୟବସାୟରେ ମଧ୍ୟ ଲାଗି ରହୁ ନାହିଁ, ଏହି ସେଦିନ ତା ପାର୍ଟନର ସାଙ୍ଗରେ କଜିଆ କରି ରେଲଓ୍ୱେର ଗୋଟାଏ ବଡ଼ କଣ୍ଟ୍ରାକ୍‍ଟ ହରାଇଲା ଇତ୍ୟାଦି । ଏ କଥା ଶୁଣି ନାଣ୍ଡୁବାବୁ ଚୁପ୍‍ ରହି ପାରିଲେ ନାହିଁ, କହିଲେ–‘ରେଲଓ୍ୱେର ମିଷ୍ଟର କପୁରଙ୍କ ସାଙ୍ଗରେ ମୋର ଚିହ୍ନା ଅଛି, ତୁମେ ଯଦି କହିବ ମୁଁ ବିରଜାକୁ ସାଙ୍ଗରେ ନେଇଯିବି...।’ ଏତିକିରେ ରାହାସଦାଦା କେଜାଣି କାହିଁକି ତାଙ୍କ ଆଡ଼କୁ କଟମଟ କରି ଅନାଇଲେ, ଯେପରିକି ସେ ମିଷ୍ଟର୍‍ କପୁରଙ୍କ ପରି ବଡ଼ ଅଫିସରଙ୍କ ସାଙ୍ଗରେ ନାଣ୍ଡୁବାବୁଙ୍କ ସମ୍ପର୍କକୁ ସହ୍ୟ କରି ପାରୁ ନାହାନ୍ତି । ତା’ପରେ ସେ ଛିଞ୍ଚାଡ଼ିଲା ପରି କହିଲେ–‘ନାଇଁ, ତୋର ଭାବିବା ଦରକାର ନାହିଁ । ମୁଁ ବର୍ମନକୁ କ୍ଳବ୍‍ରେ ଦେଖାହେଲେ କହିବି’ । କିନ୍ତୁ ନାଣ୍ଡୁବାବୁ ସେଥିରେ ଅପମାନବୋଧ କଲେ ନାହିଁ । ପରଂ ତାଙ୍କର ରାହାସଦାଦାଙ୍କ ପ୍ରତି ଦୟା ଆସିଲା । କ୍ଷଣକ ପରେ ସେ ଦାଦାଙ୍କ ପେଟମରାପାଇଁ ଗୋଟିଏ ଦରକାରୀ ଦାମି ଔଷଧକୁ ‘କଳା’ରେ ଅଥଚ ସୁବିଧା ଦରରେ ଆଣି ଦେବେ ବୋଲି ପ୍ରତିଶ୍ରୁତି ଦେଲେ ।

 

କିମ୍ୱା ନନ୍ଦବାବୁଙ୍କ ବଗିଚାରେ । ନାଣ୍ଡୁବାବୁ ସ୍ୱତଃପ୍ରବୃତ୍ତ ହୋଇ ଆନନ୍ଦରେ କୋଡ଼ି ହାଣିଲେ । ତଥାପି ଥଟ୍ଟା ଛଳରେ ନନ୍ଦବାବୁ ପଦେ କହିବାକୁ ଛାଡ଼ିଲେ ନାହିଁ,–‘ଯେତେ କୋଡ଼ି ହାଣିଲେ, ଯେତେ ଖଟିଲେ କ’ଣ ହେବ ? କଣ୍ଟ୍ରୋଲ ମାଲର ଚର୍ବି କଅଣ ସହଜେ ଝଡ଼ିବ ?’ ଏଥିରେ ନାଣ୍ଡୁବାବୁ ବିବ୍ରତ ନ ହୋଇ ଗୋଟିଏ ଅମାୟିକ ହସ ହସି ଦେଲେ । ଭାବିଲେ,–ନନ୍ଦବାବୁ ସବୁଦିନେ ସେମିତି, ଥଟ୍ଟାପରିହାସରେ ତାଙ୍କୁ କେହି ଜିଣି ପାରିବେ ନାହିଁ । ସେହିଦିନ ସେ ବିନା ଦ୍ୱିଧାରେ ନନ୍ଦବାବୁଙ୍କ ଚତୁର୍ଥ କୋଠାପାଇଁ ସିମେଣ୍ଟ୍ ଅଣାଇ ଦେବାର ଭାର ଗ୍ରହଣ କଲେ ।

 

ଘରେ ହାରବୋଉ ବେଳେ ବେଳେ କଥା ନ କହି ଛାଡ଼ନ୍ତି ନାହିଁ । ଏଇ ଖଣ୍ଡିଆ ବିଡ଼ି ଏଣେତେଣେ ପକାଇବା ଅଭ୍ୟାସ ନେଇ ସେ କେତେଥର ଗାଳି ଦେଇଛନ୍ତି,–‘ତମକୁ କିଏ କହୁଥିଲା ସହରକୁ ଆସିବାକୁ ? ବାବୁ ହେବାକୁ ? ତମେ ଯେଉଁ ଘୁଷୁରି ସେଇ ଘୁଷୁରି ।’ କିମ୍ୱା ଆଉ କେଉଁ କଥାରେ–‘ଏତେ ବଡ଼ଲୋକଙ୍କ ପଛେପଛେ ଚାଲିଲ ଟିକିଏ ସଭ୍ୟତା ଶିଖି ପାରିଲ ନାହିଁ ?’ ଏହିସବୁ କଥା ନାଣ୍ଡୁବାବୁଙ୍କୁ କାଟେ ନାହିଁ । କାରଣ ସେ ଭାବିନିଅନ୍ତି ଯେ ସାଧାରଣ ଲୋକ,–ହାରବୋଉ ମଧ୍ୟ ସେହି ଦଳରେ–, ‘ବଡ଼ଲୋକ’ ‘ସଭ୍ୟତା’ ଇତ୍ୟାଦି ଶବ୍ଦର ଅର୍ଥ ବୁଝନ୍ତି ନାହିଁ । ସ୍ୱାଭାବିକ । ସେ ହସିଦେଇ ହାରବୋଉଙ୍କ ହାତରେ ଶୋଭା ପାଉଥିବା ନୂଆ ଚୁଡ଼ି ଓ ପିନ୍ଧିଥିବା ଓଡିଶୀ ଶାଢ଼ିର ନୂତନତମ ଡିଜାଇନ୍‍ ପ୍ରତି ଦୃଷ୍ଟି ଦିଅନ୍ତି । ଆପଣା କୃତିତ୍ୱର ସମ୍ମାନ ଅନୁଭବ କରନ୍ତି ।

 

ଏବଂ ସଙ୍ଗୀତା । ପିଲାଟା ପଢ଼ା ଚାପରେ ଶୁଖିଯାଉଛି । ହାରବୋଉ ଯେତେବେଳେ କହନ୍ତି ଯେ ସେ ସହରକୁ ଆସି ଖାଇବା ପିଇବାରେ ବେଶି ଢଙ୍ଗ ବାହାର କରୁଛି (ବାଇଗଣ ଖାଇବ ନାହିଁ, ଭେଣ୍ଡି ଖାଇବ ନାହିଁ, ମାଛ ମାଂସ ନ ହେଲେ ରୁଚିବ ନାହିଁ...), ଓ ସେଥିଲାଗି ଶୁଖିଯାଉଛି, ସେତେବେଳେ ନାଣ୍ଡୁବାବୁ ଆମୋଦିତ ହୁଅନ୍ତି । ହାରବୋଉ ବୁଝୁ ନାହାନ୍ତି ଯେ ସଙ୍ଗୀତର ରୁଚି ବଦଳିଛି । ସେ ପଢ଼ାଚାପରେ ଶୁଖିଯାଉଛି, ଆଉ କିଛି ନୁହେଁ !

 

ସଙ୍ଗୀତାର ଗୀତ ଶିଖିବାପାଇଁ ମାଷ୍ଟର୍‍ ରଖା ହୋଇଥିଲା । ସେଥିରେ ସେ ବିଶେଷ ଆଗେଇଲା ନାହିଁ, କିନ୍ତୁ ସେ ଯେତେବେଳେ ଗାଧୁଆ ଘରେ କିମ୍ୱା ଅଙ୍କ କଷିଲାବେଳେ ଗୁଣୁଗୁଣୁ ହୋଇ ସିନେମାଗୀତ ବୋଲେ, ନାଣ୍ଡୁବାବୁଙ୍କ ଛାତି କୁଣ୍ଢେମୋଟ ହୋଇଯାଏ । ତାଙ୍କର ମନେହୁଏ ଯେ ଏ ହେଉଛି ପୃଥିବୀରୁ ଆକାଶକୁ ଛାଡ଼ି ଦେଇଥିବା ଗୀତ, ଏଥିରେ ତାଳଲୟ କିଛି ଲୋଡ଼ା ନାହିଁ-। ଏ ପ୍ରାଣର ରୁଣୁଝୁଣୁ । ମୋର କିଶୋରୀ ସୁନ୍ଦରୀ ଝିଅର ପ୍ରାଣ । ସେ ଭାବି ଶିହରି ଉଠନ୍ତି,–ରଙ୍ଗଣି–ପୁରରେ ପଡ଼ି ରହିଥିଲେ ୟା’ର ଦ’ଶା କ’ଣ ହୋଇଥାଆନ୍ତା ।

 

ଦିନେ ସେ ଲକ୍ଷ୍ୟ କଲେ ସେ ସଙ୍ଗୀତା ବୋଧହୁଏ ତା’ ଓଠରେ ଟିକିଏ ନାଲି ଲଗେଇଛି-। ଲିପ୍‍ଷ୍ଟିକ୍‍ ? ନାରୁଭାଇର ଝିଅମାନେ ଯାହାକୁ ଲଗାନ୍ତି ? ନାଣ୍ଡୁବାବୁଙ୍କୁ ଯଥାକ୍ରମେ ଅଡ଼ୁଆ ଲାଗିଲା, ମଜା ଲାଗିଲା ଓ ଖୁସି ଲାଗିଲା । ଯେପରିକି ଏ ସଂଗୀତାର ଗୋଟାଏ ଅଭିନବ ଉଦ୍ୟମ, ନିଜକୁ ଓ ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିବାର ଗୋଟିଏ ନୂଆ ଫିକର ।

 

ମୋଟ ଉପରେ ତାଙ୍କୁ ଯଦି ପଚରାଯାଏ ଯେ କାଲି ଓ ଆଜି ଭିତରେ, ରଙ୍ଗଣିପୁର ଓ ଏ ସହର ଭିତରେ, ନ ଥିବା ଓ ଥିବା ଭିତରେ ଯେଉଁ ପ୍ରଭେଦକୁ ନେଇ ତାଙ୍କ ଭଲଗୁଣ ଗଢ଼ି ଉଠିଛି ସେ ଜିନିଷଟି କଅଣ ତାହାହେଲେ ସେ ହୁଏତ ପ୍ରଥମେ ଉତ୍ତର ଖୋଜି ପାଆନ୍ତେ ନାହିଁ । କାରଣ ବଡ଼ଲୋକ ଅଖାଡ଼ୁଆ ଲାଗନ୍ତା, ସଭ୍ୟତା ଆଂଶିକ ସତ୍ୟ ବୋଲି ମନେ ହୁଅନ୍ତା, ହୃଦୟ ଆତ୍ମାର କଥା ବୁଝାଇ ହୁଅନ୍ତା ନାହିଁ । କିନ୍ତୁ ସେ ଶେଷକୁ ହାତ ବଢ଼ାଇ ଆଙ୍ଗୁଳି ଦେଖାଇ କହନ୍ତେ,–ହେଇ, ସଂଗୀତା !

 

ସଙ୍ଗୀତାକୁ ଛାଡ଼ି ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ପ୍ରିୟ । ହେଲେ ସେମାନେ ଏହି ନୂତନ ଜୀବନର ପ୍ରତୀକ ହୋଇ ପାରିବେ ନାହିଁ । ନିଜେ ନାଣ୍ଡୁବାବୁ ହୋଇ ପାରିବେ ନାହିଁ, ଯଦ୍ୟପି ସେ ଏହି ଜୀବନର କର୍ତ୍ତା ଓ ଅଧିକାରୀ । ପତାକା ପୋତି ପାରିବ କେବଳ ଜଣେ, ସଙ୍ଗୀତା–ତା’ର ସୌନ୍ଦର୍ଯ୍ୟ, ପ୍ରଥମ ଯୌବନ, ସ୍ୱପ୍ନ ଓ ଅଭିଳାଷ ।

 

ହାରବୋଉ ବା ଅନ୍ୟମାନେ ଯେ ଯାହା କହନ୍ତୁ ପଛେ କାମ କରିବାକୁ ହେବ । ବ୍ୟବସାୟ କାମ ଘରତୋଳା କାମ । ଯଥାଯୋଗ୍ୟ ଉପାର୍ଜନ ଓ ବ୍ୟୟର କାମ । ବୟସ ଅଛି, ଉତ୍ସାହ କମିଯାଇ ନାହିଁ ।

 

ନାଣ୍ଡୁବାବୁ ବିଡ଼ି ଟାଣନ୍ତି ଓ ଆପଣା ପନ୍ଥାରେ ଅଗ୍ରସର ହୁଅନ୍ତି ।

 

ତିନି

 

ଶ୍ରାବଣ ମାସର ଗୋଟିଏ ଦିନ । ଥାଇ ଥାଇ ଅସରାଏ ବର୍ଷା ହେଉଛି ଓ ଦେହରୁ ଝାଳବହିବା ବନ୍ଦ ହେଉ ନାହିଁ । ନାଣ୍ଡୁବାବୁ ସୋମାୟାର ରେଳବାଇ କ୍ୱାଟରକୁ ଯାଇଥିଲେ–ପ୍ରଥମଥରପାଇଁ । ସେଠି ସୋମାୟା ତାଙ୍କୁ ବିଅର୍‍ ପିଇବା ପାଇଁ ବାଧ୍ୟ କଲା; କିନ୍ତୁ ନାଣ୍ଡୁବାବୁ ଢୋକେ ଦି’ ଢୋକ ପରେ ଆଉ ପିଇ ପାରିଲେ ନାହିଁ । କ୍ଷମା ମାଗିଲେ । ଏହି ପିତା ଦୁର୍ଗନ୍ଧ ପାଣିକୁ ଲୋକେ କାହିଁକି ପିଅନ୍ତି ? ସେ ସୋମାୟାକୁ କିଛି କହିଲେ ନାହିଁ, ହେଲେ ତାଙ୍କ ମନରେ ଦୃଢ଼ ଧାରଣା ହେଲା ଯେ ଏଗୁଡ଼ାକ ନ ପିଉଥିଲେ ସୋମାୟାର ମୁହଁ ଏମିତି କାଳିଆ ଓ ସିଠା ଦିଶୁ ନ ଥାନ୍ତା ଏବଂ ସେ କେତେ ବର୍ଷର ଧନରେ ଗୋଟିଏ ସୁନ୍ଦର ଘର ତୋଳି ସାରନ୍ତାଣି ।

 

ସେଠୁ ଫେରି ତାଙ୍କର ଇଚ୍ଛା ଥିଲା ନାଗପାଲ୍‍ର ଘରକୁ ଯିବେ । ବାରିପଟ ଘରପାଇଁ ଅଧିକ ଲୁହାଛଡ଼ର ବନ୍ଦୋବସ୍ତ କରାହେଲା କି ନାହିଁ ସେ କଥା ବୁଝିବେ । କିନ୍ତୁ କିଛି ବାଟ ନ ଯାଉଣୁ ହଠାତ୍‍ ବର୍ଷା ଆରମ୍ଭ ହୋଇଗଲା, ରିକ୍‍ସା ଡାକିବାକୁ ମଧ୍ୟ ବେଳ ନ ଥିଲା । ଏହି ସମୟରେ ରାସ୍ତା କଡ଼ରେ ଥିବା ଗୋଟିଏ ‘ହିନ୍ଦୁ ଭୋଜନାଳୟ’ର ଉଷୁମ ତାଙ୍କ ଦୃଷ୍ଟି ଆକର୍ଷଣ କଲା-। ବର୍ଷାରୁ ରକ୍ଷା ପାଇବା ପାଇଁ ତଥା ମୁହଁରୁ ବିଅର୍‍ ଗନ୍ଧ ଛଡ଼ାଇବାପାଇଁ ନାଣ୍ଡୁବାବୁ ତା ଭିତରକୁ ପଶିଗଲେ ଓ କପେ ଚା, ମାଗିଲେ ।

 

ବାହାର ପିଣ୍ଡାର ଗୋଟିଏ ଟେବୁଲ ପାଖରେ ବସିପଡ଼ି ମୁହଁରୁ ପାଣି ଝାଳ ପୋଛୁ ନ ପୋଛୁଣୁ ପାର୍ଶ୍ୱବର୍ତ୍ତୀ ଜଣେ ଗରାଖ ଉଚ୍ଚସ୍ୱରରେ ସମ୍ଭାଷଣ କଲେ–‘‘କ’ଣ ତିନ୍ତିଗଲେ !’’ ନାଣ୍ଡୁବାବୁ ଆଶ୍ଚର୍ଯ୍ୟରେ ଅନାଇ ଦେଖିଲେ ଯେ ଜଣେ ପାତଳା ଲମ୍ୱାମୁହାଁ ଭଦ୍ରଲୋକ ଚା’ କପ୍‍ଟିକୁ ମୁଠେଇ ବଙ୍କେଇ କରି ହସୁଛନ୍ତି । ଯେପରିକି ଏହି ବର୍ଷାରେ ତିନ୍ତିବା ଗୋଟିଏ ଛୋଟ କଥା, ହାସ୍ୟାସ୍ପଦ ହେଉ ବା ନ ହେଉ । ପୁଣି ସେ ଦେଖିଲେ ଯେ ହସ ମଉଳିଗଲା, କିନ୍ତୁ ସେ ବକ୍ରତା ସହଜେ ଲିଭୁ ନାହିଁ ।

 

ନାଣ୍ଡୁବାବୁ ଅପ୍ରତିଭ ହୋଇ ହସିବାପାଇଁ ହସିଲେ, କିନ୍ତୁ ସେ ଦେଖିଲେ ଯେ ଭଦ୍ରଲୋକ ଆମୋଦିତ ନ ହୋଇ ପୁଣି କ’ଣ କହିବେ ବୋଲି ହେଉଛନ୍ତି । ଚେହେରାରେ କେତେ କ’ଣ ଜମାଟ ବାନ୍ଧି ରହିଛି, ବନ୍ଧୁଭାବ ଟିକିଏ ବୋଲି ନାହିଁ ।

 

‘‘ଏ ବର୍ଷା ସହଜେ ଛାଡ଼ିବ ନାହିଁ । ମରୁଡ଼ି ହୋଇଥିଲା, ଏଥର ବଢ଼ି ହେବ । ଲୋକେ ଆହୁରି ମରିବେ ।’’

 

ୟାଙ୍କର କ’ଣ ହୋଇଛି ? ନାଣ୍ଡୁବାବୁ ତାଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ କହିଲେ, ‘‘ମୁଁ ଶୁଣିଥିଲି ଯେ ଏ ବର୍ଷ ଫସଲ ମନ୍ଦ ହେବ ନାହିଁ । ବର୍ଷା ଭଲ ହୋଇଛି । ଆଉ ବଢ଼ି ସେମିତି କିଛି ପ୍ରବଳ ହେଲା ପରି ଲାଗୁ ନାହିଁ ତ । ମୁଁ ଶୁଣିଥିଲି– ।’’

 

ଚା’ କପ୍‍କୁ ଠେଲି ଦେଇ ଭଦ୍ରଲୋକ ନାଣ୍ଡୁବାବୁଙ୍କ ଆଡ଼କୁ ନିଠେଇ କରି ଚାହିଁଲେ । ମନେହେଲା ଯେ ତାଙ୍କ ଚାହାଣି ନାଣ୍ଡୁବାବୁଙ୍କ ଚରିତ୍ରକୁ ଟିକିନିକି କରି ମାପୁଛି ।

 

ତା’ପରେ ସେ ମାଡ଼ିବସିଲେ,–‘‘ହେବ ନାହିଁ କହୁଛନ୍ତି ? ନିଶ୍ଚୟ ହେବ । ଆଜି ନ ହେଲେ କାଲି ହେବ । ଦେଶବାସୀଙ୍କ ସହିବାର ସୀମା ଚାଲିଗଲାଣି; କନ୍ତୁ ବିଚରା କିଛି କରିପାରୁ ନାହାନ୍ତି, ଭାବୁଛନ୍ତି ଯେ ସେମାନେ ଦୁର୍ବଳ, ନିରୁପାୟ । ତେଣୁ ତାଙ୍କ ମତେଇବାକୁ ହେବ ଏବଂ ସେଥିପାଇଁ ଦରକାର ନାହିଁ ନ ଥିବା ଦୁର୍ଭିକ୍ଷ, ବଢ଼ି । ଯେଉଁଥିରେ ହଜାର ହଜାର ଲୋକ ମରିବେ ଆଉ ବଞ୍ଚିଥିବା ଲୋକ ଇସାରାରେ ଧାଇଁ ଆସିବେ, ଆଙ୍ଗୁଳି ଦେଖେଇଲେ ବାହା ଗିଳି ଦେବେ, ସବାଖିଆ କେଳା ପରି ସବୁ ଖାଇଯିବେ ମାରିବେ ଆଉ ଖାଇବେ । ମାରିବେ ଆଉ... ।’’

 

ବକ୍ତା କହି ଚାଲିଛନ୍ତି । ତେଜରେ କହୁଛନ୍ତି; କିନ୍ତୁ ନାଣ୍ଡୁବାବୁ ଭାବିଲେ ଯେ ତାଙ୍କ ରାଗଠାରୁ ବ୍ୟଥା ଅଧିକ ସେ କଷ୍ଟ ପାଉଛନ୍ତି । ନାଣ୍ଡୁବାବୁ ଥମି ଆସିଥିବା ବର୍ଷା ଓ ସରି ଆସିଥିବା ଚା’କୁ ଅନେଇଲେ, ଅଥଚ ସେଠୁ ଉଠି ଆସି ପାରିଲେ ନାହିଁ ।

 

‘‘ଦୋଷ ଆମର । ଆପଣଙ୍କର ଓ ମୋର । ଆମରି ପରି ଲୋକମାନଙ୍କର । ଆମେ ଚେଷ୍ଟା କରିଥିଲେ ଦେଶର ଏ ଅବସ୍ଥା ହୋଇ ନ ଥାଆନ୍ତା । ଆପଣ କ’ଣ ଦେଖି ନାହାନ୍ତି ? ନା ମୁଁ ଦେଖି ନାହିଁ ? ଯେ ସଜ ମୁହଁ ଓ ଧୋବ ପୋଷାକର ପଲସ୍ତରା ତଳେ କେତେ ମୁନାଫାଖୋର୍‍ କେତେ କଳାବଜାରି ଜିଭ ଲହ ଲହ କରୁଛନ୍ତି । ତଥାପି ଆମେ ତାଙ୍କ ସାଙ୍ଗରେ ବସିଛୁ, ହସିଛୁ, ହାତ ମିଳେଇଛୁ, ଝିଅ ବାହାଘରକୁ ନିମନ୍ତ୍ରଣ କରିଛୁ, ଆଉ ଦରକାରବେଳେ ଦାନ୍ତନିକୁଟି ମାଗିଛୁ । କାହିଁକି ? କାହିଁକି ? କାହିଁକି ଆମେ ତାଙ୍କୁ ବେଇଜତ୍‍ କରି ପାରିଲୁ ନାହିଁ, ତାଙ୍କ ମୁହଁରେ କଳା ବୋଳି ପାରିଲୁ ନାହିଁ ? କିଛି ନ ହେଲେ କାହିଁକି ତାଙ୍କୁ ଚିହ୍ନେଇ ଦେଇ ପାରିଲୁ ନାହିଁ ? କହନ୍ତୁ ଆପଣ । କହନ୍ତୁ ।’’

 

ମୁଁ କଅଣ କହିବି ? ମୁଁ କହିଁକି କହିବି ? ଲୋକଟି ପାଗଳ । ଏଥର ନ ଉଠିଲେ ହେବ ନାହିଁ ।

 

ନାଣ୍ଡୁବାବୁଙ୍କ ବ୍ୟସ୍ତତା ଦେଖି ପାରିଲା ପରି ଭଦ୍ରଲୋକ କହିଲେ, ‘‘କ’ଣ ଯିବାକୁ ବାହାରିଲେଣି ? ବସନ୍ତୁ ନା, ଆଉ କପେ ଚା’ ଖାଇ ଯାଆନ୍ତୁ । ବର୍ଷା ଛାଡ଼ି ନାହିଁ ।’’ ତାଙ୍କ ଅନୁରୋଧ ଆଦେଶ ପରି ଲାଗିଲା ଏବଂ ନାଣ୍ଡୁବାବୁଙ୍କୁ ଦ୍ୱିତୀୟ କପ୍‍ ଚା’ ମଗାଇବାବୁ ପଡ଼ିଲା ।

 

‘‘ସେମାନେ କ’ଣ ରାକ୍ଷସ ? ସେମାନେ କ’ଣ ବୁଝନ୍ତି ନାହିଁ ଯେ ତୁମେ ସ୍ତ୍ରୀପିଲାଙ୍କୁ ସଜାଇବାପାଇଁ, ତୁମ ବାଲ୍‍କନିର ଶୋଭାପାଇଁ ତୁମ ଭୋଜିଭାତପାଇଁ ତୁମେ କେତେ ଚାଷୀ ମୂଲିଆ କିରାଣି ମାଷ୍ଟର୍‍ ଗରିବ ବାପୁଡ଼ାଙ୍କର ରକ୍ତ ଶୋଷି ନେଉଛ ? ସେ ରକ୍ତ କ’ଣ ମଣିଷ ରକ୍ତ ନୁହେଁ । ସେ ରକ୍ତ କ’ଣ ସୁଆଦ ଲଗେ ?...କିନ୍ତୁ କେତେଦିନ ଚାଲିବ ଏମିତି ? କେତେ ଦିନ ? ଚକ ଘୂରୁଛି... ।’’

 

ବକ୍ତା କ୍ଷଣକପାଇଁ ନଜ ଭାବନାର ଅସହ୍ୟ ଉତ୍ତାପକୁ ସମ୍ଭାଳି ନେଲା ପରି ଆଖି ବୁଜି ଦେଲେ । ଏବଂ ସେହି ଅବସରରେ ନାଣ୍ଡୁବାବୁ ଚଟ୍‍କରି ‘ମୁଁ ଯାଉଛି, ନମସ୍କାର’ କହି ପଳାଇ ଆସିଲେ । ଗଲାବେଳେ ତାଙ୍କ ମନରେ ଆସୁଥାଏ,–ସେ ଆଖି ଖୋଲି ମୋତେ ପଛରୁ ଦେଖୁଛନ୍ତି-। ଦେଖନ୍ତୁ । ସେ ମୋର କ’ଣ କରିବେ ? ସେ କିଏ କି ?

 

‘‘ଏ ରିକ୍‍ସା, ଜଲ୍‍ଦି ଚାଲ । କୀର୍ତ୍ତି ନଗର । ପ୍ରେସ ପାଖ ଗଳିରେ ସେଇ ଦୁଇମହଲା ନୂଆ କୋଠାଟା ବୁଝିଲୁ ?’’ ନାଗ୍‍ପାଲ୍‍ ପାଖକୁ ଯିବା କଥା ଭୁଲିହୋଇଗଲେଣି । ଘରେ ପହଞ୍ଚିଗଲେ ରକ୍ଷା ।

 

‘ଧ୍ୟାତ୍‍’–ମୁଁ କ’ଣ ଡରୁଛି ନା କଅଣ ? ଏମିତିକା ଲେକଚର୍‍ ମୁଁ କ’ଣ ଆଗରୁ ଶୁଣି ନାହିଁ-? ତା ଛଡ଼ା ସେ ମୋ କଥା କହୁ ନ ଥିଲେ ମୁଁ ବଡ଼ଲୋକ ନୁହେଁ । ମୁଁ କ’ଣ ନାଗପାଲ୍‍ ପରି ହୋଇଛି ? ନା ମୁଁ ରଘୁନାଥ, ସିଂ ଶମସୁଦ୍ଦିନ୍‍, ପାନ୍ନାଲାଲ୍‍, ଶେଠ ତୁଳସୀ ଦାସ୍‍–ସେମାନଙ୍କ ପରି ହୋଇଛି ? ଏପରି କି ମୁଁ ରାହାସଦାଦା ନନ୍ଦବାବୁ, ନାରୁଭାଇଙ୍କ ପରି ନୁହେଁ । ମୁଁ ନାଣ୍ଡୁ । ଏଇ କାଲି ସକାଳେ ରଙ୍ଗଣିପୁରରୁ ଆସି ଏଠି ଦି ପଇସା ରୋଜଗାର କରୁଛି । ଘର ଖଣ୍ଡେ ତୋଳିଛି, ପିଲାଏ ଟିକିଏ ଭଲରେ ଚଳୁଛନ୍ତି । ଏଥିରେ କାହାର କ’ଣ କହିବାର ଅଛି ?

 

ଲହ ଲହ ଜିଭ...ରକ୍ତ ଶୋଷି ନିଅନ୍ତି...ଲୋକମାନେ ମରିବେ...ମାରିବେ ଆଉ ଖାଇବେ, ମାରିବେ ଆଉ...। ଥିଏଟର୍‍ରେ ଏମିତି କହନ୍ତି । କିମ୍ୱା ଜଣେ ଜଣେ ନିଆଁଗିଳା ଟୋକା ପଡ଼ିଆରେ ଏମିତି ବତ୍କୃତା ଦିଅନ୍ତି । କିନ୍ତୁ ସେ ବତ୍କୃତା ଦେଉ ନ ଥିଲେ । ତାଙ୍କୁ କଷ୍ଟ ହେଉଥିଲା ।

 

ହେଉ । ମୋର କାହିଁକି ମୁଣ୍ଡ ବଥଉଛି ? ସେ ପାଗଳ, ମୁଁ ପାଗଳ ନୁହେଁ । ମୁଁ ବ୍ୟବସାୟୀ ମୁଁ ଗୃହସ୍ଥ, ମୁଁ ନାଣ୍ଡୁବାବୁ । ଓ, ଏ ରିକ୍‍ସାବାଲାଟା ଭାରୀ ଆସ୍ତେ ଚଳଉଛି । ଘରେ ପହଞ୍ଚିଗଲେ ବହୁତ କାମ ଅଛି ।

 

ଏହିପରି ଭାବନା ସମୂହକୁ ଅତିକ୍ରମ କରି ନାଣ୍ଡୁବାବୁ ଘରେ ପହଞ୍ଚିଲେ ଓ ତାଙ୍କୁ ଶାନ୍ତି ଲାଗିଲା । ସେ ଚଟି ଖୋଲି ଦେଲେ, ବହୁତ ସମୟ ହେଲା ଭୁଲି ଯାଇଥିଲା ପରି ଅତି ଆଗ୍ରହରେ ବିଡ଼ି ଟାଣିଲେ, ଓ ‘ଆଃ !’ ବୋଲି କହିଲେ । ତଳବାରଣ୍ଡାରେ ଥିବା କାନ୍ଥ ଦର୍ପଣରେ ମୁହଁ ଦେଖି ମୁଣ୍ଡ ବାଳରେ ହାତ ଚଳାଇ ଆଣିଲେ । ହାରବୋଉ ବୋଧହୁଏ ଉପରଘରେ ଶୋଇଛି । ପିଲାମାନେ ସ୍କୁଲ କଲେଜକୁ ଯାଇଛନ୍ତି । ପୁଝାରୀ ରୋଷେଇଘରେ କାମ କରୁଛି, ଚାକରଟୋକା ତଳ ଅଗଣାରେ ମାଟି ଖୋଳୁଛି (କାହିଁକି କେଜାଣି ।) ତାରରେ ଶାଢ଼ି ଶୁଖା ହୋଇଛି, ଅଥାନ ଥାନରେ ଧୂଳି ଜମିଛି, କଳା ପିମ୍ପୁଡ଼ି ପାଲିସ୍‍ ଚଟାଣ ଉପରେ ତରତର ହେଇ ଚାଲୁଛି ।

 

‘ଆଃ !’ ଏହି ଶବ୍ଦଟିକୁ ସେ ବାରମ୍ୱାର ମନଭିତରେ କହି ସାରିଲେଣି । ଶାନ୍ତି ଓ ଆତ୍ମବିଶ୍ୱାସର ପ୍ରମାଣକୁ ଦୋହରାଇଲେଣି । ମୋର ଘର,–ଜିମିଛି, ବସିଯାଇଛି । ତାକୁ କେହି ଟଳେଇ ପାରିବେ ନାହିଁ । କାଚ ବାସନ ନୁହେଁ, ମାଟିରୁ ଉଠିଥିବା ଗଛ । ଏ ସହରକୁ ଆସିବାର ପାଞ୍ଚବର୍ଷ ହୋଇଗଲାଣି, ଏମିତି ଦଶବର୍ଷ ହେବ, ପଚାଶ ବର୍ଷ ହେବ । ମୁଁ ନ ଥିବି, ମୋ ପିଲାମାନେ, ନାତିନାତୁଣୀ ଥିବେ । ସେତେବେଳକୁ କ’ଣ କାହାର ମନେଥିବ ଯେ ଏ କୋଠା, ଏ ସମ୍ପତ୍ତି କେଉଁଠୁ ଆସିଲା ? ମୁଁ ନ ଥିବି । ଆଉ ଆଜିକାର ସେହି ଲୋକ ମରି ହଜି ଭୂତ ହୋଇ ସାରିବେଣି !

ତଥାପି କ’ଣ ସେ ପ୍ରଣାମ ଦେଇ ପାରିଲେ ନାହିଁ ? ନା ତାଙ୍କର ମନେହେଲା ଯେ ସେହି କଦାକାର ଲୋକଟି ପାଖରେ ଆସି ଛିଡ଼ା ହେଲାଣି ? ଯାହାହେଉ ସେ ହଠାତ୍‍ ଦ୍ରୁତଗତିରେ ଉପର ମହଲାକୁ ଉଠିଲେ, ଓ ନିଜ ଶୋଇବାଘର ଆଡ଼କୁ ମୁହାଁଇଲେ ।

ଶୋଇବାଘରେ ସେ ଦେଖିଲେ ଯେ ହାରବୋଉ ଗୋଡ଼ହାତ ଲମ୍ୱେଇ ଶୋଇଛନ୍ତି, କ’ଣ ଗୋଟାଏ ମ୍ୟାଗାଜିନ୍‍ ପଢ଼ୁଛନ୍ତି । କେଜାଣି କାହିଁକି ତାଙ୍କୁ ସେ ଦୃଶ୍ୟ ଭଲ ଲାଗିଲା ନାହିଁ । ସତେକି ହାରବୋଉଙ୍କର ଶୋଇବା ଉଚିତ ନୁହେଁ, ତାଙ୍କ ଜଙ୍ଘ ଦୁଇଟା ଏତେ ମୋଟା ହେବା ଉଚିତ ନୁହେଁ, ତାଙ୍କ ମୁହଁ ଅତି ବଳିଷ୍ଠ ଓ ପ୍ରସନ୍ନ, କିମ୍ୱା ସେ ଅଯଥାରେ ବହି ପଢ଼ୁଛନ୍ତି ।

ନାଣ୍ଡୁବାବୁ ସେ ଘରକୁ ଯିବାକୁ ଚାହିଁଲେ ନାହିଁ । ହାରବୋଉଙ୍କ ଦୃଷ୍ଟିକୁ ବଞ୍ଚାଇ ଅନ୍ୟଦିଗରେ ପାଦ ବଢ଼ାଇଲେ । କ୍ରମଶଃ ଅନ୍ୟମନସ୍କ ହୋଇ ଓ ଟାଣି ହେଲାପରି ସେ ପହଞ୍ଚିଲେ ଡାହାଣ ମୁଣ୍ଡରେ ଥିବା ଗୋଟିଏ ଛୋଟିଆଘରେ । ସଂଗୀତାର ଘର । ସେ ଏଇଠି ପଢ଼େ ଓ ଶୁଏ ।

ଟେବୁଲ୍‍ରେ ଅନେକ ବହି, ଅନେକ ଖାତା । ଅନ୍ତତଃ ନାଣ୍ଡୁବାବୁଙ୍କୁ ସେମିତି ଲାଗିଲା । କାନ୍ଥରେ ଫୁଲ-ଛବି କ୍ୟାଲେଣ୍ଡର, କ୍ଳାସ୍‍ର ରୁଟିନ୍‍, ଓ ଗୋଟିଏ କଣ୍ଟାରେ ଗୁଡ଼ା ହୋଇଥିବା ନାଲିଆ ତେଲିଆ ରିବନ୍‍ । ଥାକରେ ଆହୁରି କେତେ ବହି କେତେ ଖାତା, ପାଉଡ଼ର ଡବା, ସ୍ନୋ ଡବା, ଛୋଟ ଦର୍ପଣ, ପାନିଆ, ଆଉ କେତେ କ’ଣ । ନାଣ୍ଡୁବାବୁ କେବଳ ଛିଡ଼ା ହୋଇ ଦେଖି ରହିଲେ, ଓ ତାଙ୍କୁ ଭଲ ଲାଗିଲା । ତାଙ୍କ ମନରେ ଆସିଲା ଯେ ଏ ପାଠ, ପ୍ରସାଧନ ଓ ପ୍ରବଣତାର ବାସ୍ନା ଆଉ କାହାପାଇଁ ନୁହେଁ,–କେବଳ ତାଙ୍କରି ପାଇଁ ।

ଦେଖୁ ଦେଖୁ ତାଙ୍କ ଆଖିରେ ପଡ଼ିଲା ଯେ ଗୋଟିଏ ମୋଟା ବନ୍ଧେଇ ଖାତା ଉପରେ ଲେବଲ୍‍ ମରା ହୋଇଛି, ଓ ଲେଖା ହୋଇଛି ‘କବିତା କୁସୁମ’ । କୌତୂହଳରେ ସେ ପୃଷ୍ଠା ଓଲଟାଇଲେ,–ଲେଖିକା ସଙ୍ଗୀତା ମହାନ୍ତି । ତା’ପରେ ଗୋଟିଏ ପରେ ଗୋଟିଏ ଦଶ ବାରଟି କବିତା–‘କିଏ ତୁମେ ?’ ‘ଦେବତାର ଅଭିଶାପ’, ‘ଦୀପଶିଖା’, ‘ଅଭିମାନ’ ଇତ୍ୟାଦି । ଜୀବନ ମରଣ, ପ୍ରେମ, ପ୍ରକୃତି, ଭଗବାନ ସବୁ ସେଥିରେ ଅଛି । ନାଣ୍ଡୁବାବୁ କେତେଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କଲେ, ଅର୍ଥ ପୂରାପୂରି ବୁଝି ପାରିଲେ ନାହିଁ । ତଥାପି ତାଙ୍କ ଆହୁରି ଦେଖିବାକୁ ଆହୁରି ପଢ଼ିବାକୁ ଇଚ୍ଛା ହେଲା । ଯଥା ସେଥିରେ ମନ୍ତ୍ରର ଶକ୍ତି ଓ ମାଧୁରୀ ଅଛି, ନ ବୁଝିଲେ କିଛି ଯାଏ ଆସେ ନାହିଁ-। କ୍ରମଶଃ ଉଦ୍ଦୀପନାର ଶୀର୍ଷରେ ପହଞ୍ଚିଲା ପରି ସେ ଖାତାକୁ ବୁଜି ଦେଇ ହାତରେ ଧରିଲେ, ଓ ନିଜକୁ କହିଲେ,–

ଝିଅ କବିତା ଲେଖୁଛି !

ଆନନ୍ଦ ଓ ଆଶ୍ଚର୍ଯ୍ୟ ଘୋଷଣା । ସଙ୍ଗୀତା କବିତା ଲେଖୁଛି । ଏଇ କ’ଣ ଯଥେଷ୍ଟ ନୁହେଁ-? ଏଇ କ’ଣ ପ୍ରମାଣ ନୁହେଁ ଯେ ନାଣ୍ଡୁବାବୁ ଯାହା କରିଛି ଭୁଲ୍‍ କରି ନାହିଁ, ଦୋଷ କରି ନାହିଁ ? ନାଣ୍ଡୁବାବୁ କବିତାବଳୀକୁ ପୁଣି ପଢ଼ି ବସିଲେ । ଭଲ, ସୁନ୍ଦର ଓ ମହାନ୍‍ର ସଂଯୁକ୍ତ ଭାବ ତାଙ୍କ ମନକୁ ଛୁଇଁଲା ଓ ସେ ଅସ୍ଥିର ହେଲେ । ଏଇଥିପାଇଁ ଅସ୍ଥିର ହେଲେ ଯେ ବିଶ୍ୱବ୍ରହ୍ମାଣ୍ଡକୁ ଏହି ସମ୍ୱାଦ ଦେବାକୁ ହେବ । ଶୁଣିଲା ପରେ ସେମାନେ ନିଶ୍ଚୟ ବୁଝିବେ, ଖୁସି ହେବେ ଓ ବାପଝିଅଙ୍କ କପାଳରେ ଜୟଟୀକା ଲଗାଇ ଦେବେ ।

ସେ ଅସ୍ଥିର ହେଲେ ଓ ବ୍ୟାକୁଳ ହେଲେ । କିନ୍ତୁ ତା’ପରେ ଧୀରେ ଧୀରେ ସେ ବିକଳ ହେଲେ ଓ ହତାଶ ହେଲେ । କହିଲେ ଭୁଲ୍‍ ହେବ ନାହିଁ ଯେ ତାଙ୍କ ଆଖି ଛଳଛଳ ହୋଇ ଆସିଲା । କାରଣ ତାଙ୍କୁ ଜଳଜଳ ହୋଇ ଦିଶିଗଲା ଯେ ପ୍ରକୃତରେ କେହି ବୁଝିବେ ନାହିଁ । ହାରବୋଉ ହୁଏତ ଟିକିଏ ହସିଦେବେ; କିନ୍ତୁ ତଳ ଓଠ ଲମ୍ୱେଇ କରି ହସିବେ ଓ ପୁଣି ଆରମ୍ଭ କରିବେ ଯେ କୋଠାତୋଳାଠାରୁ ଗହଣା ଗଢ଼ା ଅଧିକ ଆବଶ୍ୟକ । ସୋମାୟା, ନାଗ୍‍ପାଲ୍‍, ଉଚ୍ଛବ ପାତ୍ର ଇତ୍ୟାଦି ଭଦ୍ରତାରେ ପ୍ରଶଂସା କରିବେ ଓ ତା’ପରେ ସିମେଣ୍ଟ-ଚାଉଳ କିରାସିନିର ଉପଯୋଗୀ କଥା ଆଲୋଚନା କରିବେ । ରାହାସ ଦାଦା, ନନ୍ଦବାବୁ ଓଗେର ନୀରବରେ ଶୁଣିବେ, ତାଙ୍କ ଓଠର ଉଦାର କୁଞ୍ଚନରେ କୌଣସି ପରିବର୍ତ୍ତନ ଘଟିବ ନାହିଁ–ନୂଆ ଡାହାଣୀ ଘୁଅ ଖାଇ ଶିଖୁଛି ! ଯେପରିକି ସଙ୍ଗୀତାର କବିତା ଲେଖା ନାଣ୍ଡୁର ଗୋଟିଏ ନୂଆ ବ୍ୟବସାୟ ।

ଏବଂ ଚା’ ଦୋକାନର ସେହି ଲମ୍ୱାମୁହାଁ ଭଦ୍ରଲୋକ ଶୁଣି ନ ଶୁଣିଲା ପରି ରହିବେ, ବୁଦ୍ଧଙ୍କ ପରି କଷ୍ଟ ପାଇବେ ଓ ସେହି ଅଶ୍ଳୀଳ ଭୟାନକ କଥା କହି ଚାଲିବେ–କଳାବଜାର...ଲହ ଲହ ଜିଭ...ରକ୍ତ ...ମାରିବେ ଆଉ ଖାଇବେ, ମାରିବେ ଆଉ– ।

Image

 

Unknown

ନିଶାପ

 

ଆମେ କଲେଜ ହତାର ବରଗଛତଳେ ଏକାଠି ହେଲୁ । ତା’ ପରେ ହଷ୍ଟେଲ୍‍କୁଯାଇ ଅର୍ଜୁନ ଦାସର ରୁମ୍‍ରେ ଚାହା ଓ ସିଙ୍ଗଡ଼ା ଖାଇଲୁ । ସେହିଠୁ ଜୟଗୋପଳର ପ୍ରାସାଦତୁଲ୍ୟ ଘରକୁ ଯାଇ ତା’ ପଢ଼ାଘରେ ରୁଣ୍ଡ ହେଲୁ, ଓ ତା’ର ନୂଆ ସିନେମା ରେକର୍ଡ଼ ବଜେଇଲୁ । ସବୁଥରପରି ଆମେ ପ୍ରଫେସରମାନଙ୍କ ଦୋଷଗୁଣର ଆଲୋଚନା କଲୁ, ସହପାଠିନୀମାନଙ୍କର ଦେହମାନ ପାପପୁଣ୍ୟ ସଂପର୍କରେ ଟୀପ୍‍ପଣି ଦେଲୁ, ଓ ମଝିରେ ମଝିରେ ମାର୍କସ୍‍ଫ୍ରଏଡ଼୍‍ ଇତ୍ୟାଦିଙ୍କୁ ସ୍ମରଣ କଲୁ । କିନ୍ତୁ କେଉଁଥିରେ କିଛି ଜମିଲା ନାହିଁ । ଏ ହେଲା ତୃତୀୟ ରବିବାର, ବିଷ୍ଣୁ ଚାଲିଯିବାର ମାନେ ଆତ୍ମହତ୍ୟା କରିବା ପରଠୁଁ ପ୍ରାୟ ତିନିସପ୍ତାହ ହୋଇଗଲା, ହେଲେ ପୂର୍ବର ଅବସ୍ଥା ଫେରି ଆସୁ ନାହିଁ ।

 

ସେ ଆମ ଦଳରେ ଥିଲା । ଅଧିକାଂଶ ସମୟ ରୁପ୍‍ ହୋଇ ବସୁଥିଲା (ସେ କେବେ କେମିତି ଯୁକ୍ତି କରେ ଓ ସେତେବେଳେ ତା’ ମୁହଁ ଲାଲ ହୋଇ ଯାଏ), ଆଉ ମାସକୁ ଥରେ ଖଣ୍ଡେ ଆମକୁ ‘ବାଦସାହୀ’ ହୋଟେଲ୍‍ରେ ଭୂରି ଭୋଜନ ଖୁଆଉଥିଲା । ତା’ର ଘର ଛୋଟ ନୁହେଁ; କିନ୍ତୁ ସେ ସେଠିକି ଆମକୁ ନିଏ ନାହିଁ, କହେ ଯେ ଅସୁବିଧା ହେବ । ଆମେ ସେଥିପାଇଁ ତାକୁ କେତେ ଚିଡ଼େଇଛୁ, ଧମକେଇଛୁ ଯେ ସେ ଆମ ଦଳର ଯୋଗ୍ୟ ନୁହେଁ । ତଥାପି ତା’ ଘର ଭିତରକୁ ଯିବାର ସୌଭାଗ୍ୟ ଆମର ହୋଇ ନାହିଁ । ଯାହା ହେଉ ସେ ଆମକୁ ଜାବୁଡ଼ି ଧରିଥିଲା, ଏବଂ ତା’ ଶୁକୁଟା ମୁହଁର ହରିଣୀ-ଆଖି ଅଥବା ବାଦ୍‍-ସାହୀ’ ମଟନ୍‍ ଚପ୍‍ର ମୋହ ଛାଡ଼ି ହେଉ ନ ଥିଲା । ସେ ଥିଲା ଆମରି ଭିତରୁ ଜଣେ ।

 

ଟୋକାଟା ରୋଗ ବଇରାଗରେ ମରିଯାଇ ଥିଲେ ନିଶ୍ଚୟ ଦୁଃଖ ହୋଇ ଥାଆନ୍ତା, କିନ୍ତୁ ବୋଧହୁଏ ଏତେ ବ୍ୟସ୍ତ ଲାଗୁ ନ ଥାଆନ୍ତା । ଏମିତି ହଠାତ୍‍ ପଳାଇ ଯାଇ, ଆତ୍ମହତ୍ୟା କରି ପକାଇ ସେ ଆମକୁ ଖୁଞ୍ଚା ଦେଉଛି, ହଇରାଣ କରୁଛି । ଯେପରି କି ଆମର ଏହି ଆଡ୍‍ଡ଼ା, ଏହି ଗପଗୀତର କୋଳାହଳ, ଏହି ତର୍କବିତର୍କ, କହିବାକୁ ଗଲେ ଆମର ଏହି ଅଣ୍ଡରଗ୍ରାଜୁଏଟ୍‍ ତାରୁଣ୍ୟ ଓ ବନ୍ଧୁ ପଣରେ କିଛି ମୂଲ୍ୟ ନାହିଁ । ଆମେ ନିହାତି ଅଣ୍ଡରଗ୍ରାଜୁଏଟ୍‍, ନିହାତି ତରୁଣ, ନିହାତି କଞ୍ଚା ଓ ଫମ୍ପା ! ଆମେ ତା’ ଜୀବନର ବଡ଼ କଥାଟିକୁ ବୁଝିଲୁ ନାହିଁ । ତାକୁ ଧରି ରଖି ପାରିଲୁ ନାହିଁ ।

 

ସେଦିନ ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଘଟିଲା । ଆଶ୍ଚର୍ଯ୍ୟ ଏହି ହିସାବରେ ଯେ ଆମେ ମୁରଲୀଠାରୁ ଏପରି ଉଗ୍ରତା ଓ ଉଦ୍ଦୀପନା ଆଶା କରି ନ ଥିଲୁ । ତା’ ଛଡ଼ା ବିଷ୍ଣୁ ମରିବାର ଏତେଦିନ ପରେ ତା’ର ଏପରି ଭାବ କାହିଁକି ଆସିଲା କେଜାଣି ! ମୁରଲୀ ଥଣ୍ଡା ପ୍ରକୃତିର ପିଲା । ଥଣ୍ଡା ଓ ପରିଚ୍ଛନ୍ନ । ତା’ର ପରିଚ୍ଛନ୍ନତା କେବଳ ବେଶଭୂଷାରୁ ଜଣାପଡ଼େ ନାହିଁ, ତା’ର ହାବାଭାବ ଚାଲିଚଳଣିରୁ ସୂଚିତ ହୁଏ । ସେ କଥା ସଜେଇ କରି କହେ, ଛିଣ୍ଡେଇ କରି କହେ । ସିଧା ହୋଇ ଚାଲେ । ନିଃଶବ୍ଦ ଉପଭୋଗ ସହ ଭୋଜନ ପୂରା କରେ । ଏବଂ ସେ କୌଣସି ପିଲାଳିଆମି ଅଥବା ଦୁଃସାହାସ,–ଯଥା ଗର୍ବିଣୀ ମାଳିନୀର ନାଁରେ ବେନାମି ଚିଠି ପଠାଇବା, ଭୁରୁଙ୍ଗାମୁହାଁ ପ୍ରଫେସର୍‍ ଜି. ଏନ୍‍ଙ୍କ କ୍ଳାସରେ ଢୋଲ ବଜାଇବା ଇତ୍ୟାଦିର ପକ୍ଷପାତୀ ନୁହେଁ ।

 

ସେହି ମୁରଲୀ ସେଦିନ ରାଗିଲା । ଟେବୁଲ ବାଡ଼େଇ ଚିତ୍କାର କଲା । ନାହିଁ, କିନ୍ତୁ ତା’ର ପ୍ରଚଣ୍ଡ ଆନ୍ତରିକତାରେ ଆମେ ଅବାକ୍‍ ହୋଇଗଲୁ । ଆମ ଆଖି ଝଲସି ଗଲା । ମନେହେଲା ଯେ ନଷ୍ଟ–ମୃତ ବନ୍ଧୁର କାୟା ବିବେକପରି ଆମ ଆଖି ଆଗରେ ଛିଡ଼ା ହୋଇଛି ଓ ଆମକୁ ତା’ର ପାଉଣା ମାଗୁଛି । ମୁରଲୀକୁ ମନା କରିବାର କ୍ଷମତା ଆମର ନ ଥିଲା ।

 

ଜୟିର ଘରେ ଆସର ସରିଲା ବେଳକୁ ଗୋଟିଏ ଦୁଃଖାତ୍ମକ ଗୀତର ରେକର୍ଡ଼ ବାଜୁଥିଲା । ସେତିକିବେଳେ ମୁରଲୀ ହଠାତ୍‍ କହିଲା, ‘‘ଏ ହେଉଛି ବିଷ୍ଣୁର ରେକର୍ଡ଼ । ତା’ରି ଗୀତ-। ସେ ୟା’କୁ ଗୁଣୁଗୁଣୁ ହୋଇଥାଏ, ମୁଁ କେତେଥର ଶୁଣିଛି ।’’ ଏହା କହି ସେ ଜୟି ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁଲା ।

 

ତା’ପରେ ଜୟି ସମେତ ଆମ ସମସ୍ତଙ୍କୁ ଦୋଷ ଦେଲାପରି ସେ କହିଲା, ‘‘କେହି କାହିଁକି ତା ଗୀତ ଶୁଣିଲେ ନାହିଁ ? କେହି କାହିଁକି ତାକୁ ବଞ୍ଚିବାକୁ କହିଲେ ନାହିଁ ?’’

 

ପୁଣି,–‘‘ତମେ ବିଷ୍ଣୁକୁ ଯେତିକି ଜାଣିଛ, ମୁଁ ବି’ ସେତିକି ଜାଣେ । କିନ୍ତୁ ମୁଁ ସେ ଝିଅକୁ ଜାଣେ, ଯାହାପାଇଁ ସେ ମଲା । ମୁଁ ସେ ଦି’ଜଣଙ୍କ ବାପମାଆଙ୍କୁ ଜାଣେ । କହିବାକୁ ଗଲେ ମୁଁ ତା’ରି ସମାଜର ଲୋକ । ତଥାପି ମୁଁ କିଛି କରି ପାରିଲି ନାହିଁ, କିଛି କରି ପାରିଲି ନାହିଁ ।

 

‘‘ସେ କ’ଣ ବଞ୍ଚିବାକୁ ଚାହିଁ ନ ଥିଲା ? ଚାହିଁ ନ ଥିଲା ଯେ ସେ କାଲି ସକାଳେ ନିଦରୁ ଉଠିବ, ସବୁଦିନପରି ଅଙ୍କ କଷିବ, କେଉଁ ଅଜଣା-ଅଶୁଣା ମହାପୁରୁଷଙ୍କ ଜୀବନୀ ପଢ଼ିବ, ଆଉ ତିନିଚାରିଟା କଦଳୀ ଖାଇ ଦେଇ ମନ ଖୁସିରେ ଗୁଣୁଗୁଣୁ ହେବ ? ହେଲେ ତା’ର ଚାହିଁବାକୁ କେହି ପଚାରିଲେ ନାହିଁ । ସେମାନେ ତାକୁ ମରିବାକୁ କହିଲେ ।

 

‘‘ସେ ମୋର ବେଷ୍ଟଫ୍ରେଣ୍ଡ୍ ନୁହେଁ, ମୁଁ ତା’ପାଇଁ କାନ୍ଦୁ ନାହିଁ । ଆମର କାହାରି କାନ୍ଦିବା ଦରକାର ନାହିଁ । କିନ୍ତୁ କଥା ହେଉଛି ଯେ ଆମେ କ’ଣ ତା’ପାଇଁ କିଛି କରି ପାରିବା ନାହିଁ ? ଅନ୍ତତଃ ଏତିକି ବୁଝିବା ନାହିଁ ଯେ ସେମାନେ କିଏ,–ଯେଉଁମାନେ ତାକୁ ମାରିଦେଲେ ?

 

‘‘ମୁଁ ବୁଝିବି । ମୁଁ ପ୍ରତିଜ୍ଞା କରୁଛି ଯେ ବୁଝିବି । ମୋ ସାଙ୍ଗରେ ଯିଏ ଆସୁଛ ଆସ । ତା’ପରେ ଆମେ ଏକାଠି ବସି ନିଶାପ କରିବା । ଯେ ଦୋଷୀ ହୋଇଥିବ ତାକୁ,–ତାକୁ–

 

‘‘ତାକୁ ଅଭିଶାପ ଦେବା ।’’

 

ଆମେ ସମସ୍ତେ ନୀରବରେ ଏହି ନିଷ୍ପତ୍ତି ଗ୍ରହଣ କଲୁ ।

 

ଦୁଇ

 

ତା’ପରେ ଅନେକଦିନ ତଦନ୍ତ ଓ ଅନୁସନ୍ଧାନ, ଅର୍ଥାତ୍‍ ଇଣ୍ଟର୍‍ଭିଉ ଓ ଡାଏରି-ଚିଠି ପଢ଼ାରେ କଟିଲା । ମୁରଲୀ ପ୍ରଥମରୁ କହିଲା ଯେ ସେ ଦୂରେଇ ରହିବ, କାରଣ ତାକୁ ସେମାନେ ଜାଣନ୍ତି, ସାକ୍ଷୀପ୍ରମାଣରେ ବାଧା ହେବ । ବେଶ୍‍ ଭଲ କଥା । ଯେତେହେଲେ ସେ ଏ ବ୍ୟାପାରରେ ଆମର ଲିଡ଼ର, ତା’ର କାଦୁଅ ଘାଣ୍ଟିବା ଦରକାର ନାହିଁ ।

 

କିନ୍ତୁ ଏମିତି ହେଲା ଯେ ମୋ ଛଡ଼ା ଅନ୍ୟମାନେ ମଧ୍ୟ ଆଡ଼େଇ ହୋଇଗଲେ । ସେମାନେ ଦେଖିଲେ ଯେ ଏ ପ୍ରଣୟ-କାହାଣୀରେ କିଛି ନୂତନତ୍ୱ ନାହିଁ, ରୋମାନ୍‍ସ ସାମାନ୍ୟ, କଳା ଓ ନାଟକ ଘରେ ଶୂନ୍‍ । ସେମାନେ ଭାବିଲେ ଯେ ବିଷ୍ଣୁର ମୃତ୍ୟୁ ପାଇଁ ସେ ନିଜେ ଦାୟୀ କିମ୍ୱା ଅନ୍ୟମାନେ ଦାୟୀ ସେ ନିଶାପ ପରେ ହେବ, କିନ୍ତୁ ଏହି ଆତ୍ମହତ୍ୟା ଜିନିଷଟି ମୋଟେ ଖାପ ଖାଉ ନାହିଁ । ଯେପରିକି କାଠର ମାଳିରେ କିଏ ଗୋଟିଏ ଉଜ୍ଜ୍ୱଳ ନାଲି ପଥର ଗୁନ୍ଥି ଦେଇଛି । ସେମାନଙ୍କର ବିଷ୍ଣୁ ଉପରେ ଦୟା ହେଲା,–ଲୟଲା ମଜ୍‍ନୁ କେଦାରଗୌରୀ ପ୍ରଭୃତିଙ୍କ ଆତ୍ମା ତାକୁ କ’ଣ କେବେହେଲେ ପାଖରେ ପୁରାଇବେ ?

 

ମୁଁ କିନ୍ତୁ ଠିକ୍‍ ସେହି କାରଣରୁ ଲାଗି ରହିଲି । କେବଳ ସେତିକି ନୁହେଁ, ତା’ର ଜୀବନମରଣକୁ ନେଇ ଗୋଟିଏ ଗପ ତିଆରି କଲି । ମୁଁ ବୋଧହୁଏ ଜାଣିବାକୁ ଚାହୁଁଥିଲି, ଜଣାଇବାକୁ ଚାହୁଁଥିଲି ଯେ ଏମିତି ବି’ ହୁଏ । ବିଷ୍ଣୁ ପରି ଗୋଟିଏ ପିଲା ସୁଶୀଳାପରି ଗୋଟିଏ ଝିଅକୁ ନ ପାଇ, –ନା ନା–, ପାଇବ ନାହିଁ ବୋଲି ଭାବି ଆତ୍ମହତ୍ୟା କରେ । ହେ ବିଧାତା ! ଏହି ଅଳୀକ ଅସଂଗତ ସଂସାରକୁ ନେଇ ମଣିଷ କ’ଣ କରିବ ?

 

ଯାହାହେଉ ମୁଁ ଯେଉଁ ଗପଟି ଲେଖିଲି ତା’ର ସାରାଂଶ ଏହି ପ୍ରକାର :

 

ବିଷ୍ଣୁ ବାପାମାଆଙ୍କର ମଝିଆ ପୁଅ । ତା’ ଉପରେ ଦୁଇଜଣ ଭାଇ ବାହାସାହା ହୋଇ ଚାକିରି ବ୍ୟବସାୟ କରି ଦୂରରେ ଅଛନ୍ତି, ତଳେ ଦୁଇଜଣ ଭାଇଭଉଣୀ । ମରିବା ବେଳକୁ ତାକୁ ଊଣେଇଶ ପୂରି କୋଡ଼ିଏ ଚାଲୁଥିଲା । ବିଷ୍ଣୁର ମାଆ ଲୁହ ପୋଛି କହୁଥିଲେ ଯେ ଆଉ ମାସଟା ପରେ ତାକୁ କୋଡ଼ିଏ ପୂରି ଯାଇ ଥାଆନ୍ତା ।

 

ବିଷ୍ଣୁର ବାପା ଗୌରହରିବାବୁ ଜଣେ ସରକାରୀ କର୍ମଚାରୀ । ଉଚ୍ଚପଦସ୍ତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ, କାରଣ ତାଙ୍କ ଉପରହାକିମମାନଙ୍କଠାରୁ ଅଧୀନସ୍ଥ କର୍ମଚାରୀମାନଙ୍କ ସଂଖ୍ୟା ଅଧିକ । କିନ୍ତୁ ତାଙ୍କୁ କେହି କେବେ ତ୍ରିପାଠୀ ସାହେବ ବୋଲି ଡାକିବାର ଶୁଣାଯାଇ ନାହିଁ, ସମସ୍ତେ ଡାକନ୍ତି ଗୌରହରିବାବୁ ନ ହେଲେ ତ୍ରିପାଠୀବାବୁ ।

 

ଗୌରହରିବାବୁଙ୍କ ଦାଣ୍ଡଘର ବସ୍ତୁ ଓ ମର୍ଯ୍ୟାଦାରେ ଭରପୂର । ପ୍ରଥମେ ମନେହେବ ଯେ ବସ୍ତୁର ବହୁଳତା ଘରଟିକୁ ସଂକୀର୍ଣ୍ଣ କରି ଦେଇଛି, ତେଣୁ ପୃଥିବୀଯାକର ଆଲୁଅ ପବନକୁ ଡାକି ଆଣିବାକୁ ଇଚ୍ଛା ହେବ । କିନ୍ତୁ କିଛିକ୍ଷଣ ପରେ ଆଗନ୍ତୁକ ବୁଝିବ ଯେ ଘରଟି ସଂକୀର୍ଣ୍ଣ ନୁହେଁ, ସଂପନ୍ନ । ଏଠି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଧର୍ମ, ଅଫିସରି ଓ ବଂଶାନୁଭବ, ଫାଇଲ ଓ ଆର୍ଟ,–ସବୁଥିର ମର୍ଯ୍ୟାଦା ଠୁଳ ହୋଇଛି ଏବଂ ଜଣାଇ ଦେଉଛି ଯେ କେଉଁ ଗୋଟିକୁ ବାଦ୍‍ ଦେଲେ ଚଳିବ ନାହିଁ; ଗୌରହରିବାବୁ ଏକାବାଗିଆ ନୁହନ୍ତି । ଏଠି ଦେଖିବାକୁ ପାଇବ ପିତାମହଙ୍କର ଉଇଖିଆ ଫଟୋ, ପିତାଙ୍କର ତୈଳଚିତ୍ର, ଅଫିସବାଲାଙ୍କ ସହିତ ଗ୍ରୁପ୍‍ଫଟୋ, ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା, ଭାରତବର୍ଷର ମାନଚିତ୍ର, ଖେଳଣା ରାକେଟ୍‍, ସ୍ତ୍ରୀଙ୍କ ବାପଘରୁ ଆସିଥିବା ତାଙ୍କ ହାତ ତିଆରି ତୁଳାର ତାଜମହଲ (ତଳେ ଛୁଞ୍ଚିସୂତାରେ ଲେଖା,–କି ଥିଲା ଏ ରାଜ୍ୟ, କି ହୋଇଛି ଆଜ), ବଡ଼ପୁଅ ଶାନ୍ତିନିକେତନରୁ ଆଣିଥିବା ପ୍ରକୃତି ଓ ପୁରୁଷ, ଟେବୁଲ୍‍ ଉପରେ ଗଦା ଗଦା ଫାଇଲ୍‍, ଓ ଗୋଟିକିଆ ସୋଫା ଉପରେ ଥୁଆ ହୋଇଥିବା ଆଜିକାର ଖବରକାଗଜ । ତେବେ କେହି ଭଦ୍ରଲୋକ ନ ଆସିଲେ ଗୌରହରିବାବୁ ଦାଣ୍ଡଘରେ ବସନ୍ତି ନାହିଁ, ପାଖବାରଣ୍ଡାର ଆରାମ-ଚଉକିରେ ବସି ଓ ଶୋଇ ଫାଇଲ୍‍ କାମ କରନ୍ତି କିମ୍ୱା ଖବରକାଗଜ ପଢ଼ନ୍ତି, ଖବରକାଗଜ ଛଡ଼ା ଆଉ କୌଣସି ବହିପତ୍ର ପଢ଼ନ୍ତି ନାହିଁ କି ପଢ଼ିବାର ପ୍ରୟୋଜନ ମନେ କରନ୍ତି ନାହିଁ ।

ଦିନେ ରାତି ନଅଟା ବେଳକୁ ସେ ସେହି ଆରାମଚଉକିରେ ପଡ଼ି ସକାଳ ଖବରକାଗଜର ଚର୍ବିତଚର୍ବଣ କରୁଥିଲେ, ଏହି ସମୟରେ ବିଷ୍ଣୁ ସେହି ବାଟ ଦେଇ ଘରଭିତରକୁ ଗଲା । ସେ କାଗଜରୁ ମୁହଁ ଉଠାଇ ପଚାରିଲେ, ‘‘କିରେ ଏତେବେଳଯାଏଁ କୋଉଠି ଥିଲୁ ?’’

ତାଙ୍କ ପ୍ରଶ୍ନରେ ତେଜ ନ ଥିଲା, ଜିଜ୍ଞାସା ନ ଥିଲା । ଯେପରିକି ସେ ଗୋଟିଏ ଧରାବନ୍ଧା ପ୍ରଶ୍ନ ପଚାରୁଛନ୍ତି, ପଚାରିବା କଥା, ଯେ କୌଣସି ଉତ୍ତର ଦେଲେ ଚଳିବ । କିନ୍ତୁ ବିଷ୍ଣୁ କ୍ଷଣକପାଇଁ ବାପାଙ୍କ ମୁହଁକୁ ଚାହିଁଲା, ଜଣେ ଅଜ୍ଞାତ ଲୋକର ଅନଧିକାର ଚର୍ଚ୍ଚାରେ ବିବ୍ରତ ହେଲାପରି ଚାହିଁଲା, ଓ ଟାଣୁଆ ସ୍ୱରରେ କହିଲା, ‘‘ମୁଁ ଯାଇଥିଲି ମୋର ଜଣେ ସାଙ୍ଗଘରକୁ । ଭଗବାନ ପଣ୍ଡା ।’’

‘‘ସେ କିଏ ? କାହା ପୁଅ ?’’

–ବାପା ମୋର କେଉଁ ସାଙ୍ଗକୁ ଜାଣନ୍ତି ଯେ ଏତେ କଥା ପଚାରୁଛନ୍ତି ? ଯାହା ହେଉ ମୋର ନ କହିବାର କିଛି ନାହିଁ । ବିଷ୍ଟୁ ରୋକ୍‍ଠୋକ୍‍ ଉତ୍ତର ଦେଲା, ‘‘ତା ବାପା ପି. ଡବଲ୍ୟୁ ଡି.ରେ କାମ କରନ୍ତି । ତାଙ୍କ ନାଁ ପ୍ରଫୁଲ୍ଲ ପଣ୍ଡା’’ ।

‘‘ଓ–’’ । ସବୁ ବୁଝିପାରିଲାପରି ଗୌରହରି ବାବୁ ପୁଣି କାଗଜ ପଢ଼ି ବସିଲେ, ଓ ବିଷ୍ଣୁ ସେଠୁ ଚାଲିଆସିଲା ।

ପଢ଼ାଘରେ ପହଞ୍ଚି ବିଷ୍ଣୁ ତା ଟେବୁଲ ପାଖରେ ବସିପଡ଼ିଲା, ଓ ଅସମ୍ଭାଳ ହୋଇ ତ୍ରିଭୁଜ ଚତୁର୍ଭୁଜ ଆଦି ଆଙ୍କି ଚାଲିଲା । ବାପା ମୋର କେଉଁ ସାଙ୍ଗକୁ ଜାଣନ୍ତି ଯେ ଏତେକଥା ପଚାରୁଛନ୍ତି-? ତାଙ୍କର କି ଅଧିକାର ଅଛି ? ସେ ମୋ ବିଷୟ କ’ଣ ଜାଣନ୍ତି ?

ମୁଁ ଯଦି କହେ ଯେ ସେ ମୋର ସାଙ୍ଗ ନୁହେଁ, ସାଙ୍ଗର ସାଙ୍ଗ, ମୁରଲୀର ସାଙ୍ଗ । ଆଉ ଯଦି କହେ ଯେ ମୁଁ ସେଠି ତା ଭଉଣୀକୁ ଦେଖିଲି, ତା ନାଁ ସୁଶୀଳା, ସେ ମୋତେ ଜଳଖିଆ ବାଢ଼ିଦେଲା, ଆମେ ଏକାଠି ବସି ତାସ୍‍ ଖେଳିଲୁ...ଭଗବାନ କହିଲା ଯେ ମୁଁ ଗୋଟିଏ ଭାବୁକଲୋକ–ଖାଲି ଭାବେ ଆଉ ଅଙ୍କ କଷେ–, ଓ ସେ ତାସ ଉପରୁ ଆଖି ଉଠେଇ ଚାହାଣିରେ ହସିଲା...ଚାହାଣିରେ ଏମିତି ହସି ହୁଏ ବୋଲି ମୁଁ ଜାଣି ନ ଥିଲି ! ପିଲାଟା ଭାରୀ ଚଞ୍ଚଳ, ତା’ହାତରେ କୁଆଡ଼େ ଅଛି ଯେ ସେ କୋଡ଼ିଏବର୍ଷ ପୂର୍ବରୁ ମରିଯିବ, ଯଦି ବଞ୍ଚିଯାଏ ତାହାହେଲେ ଅଶି ବର୍ଷ ବଞ୍ଚିବ (ବାଜେ କଥା !) ସେ ଦେଖିବାକୁ ସୁନ୍ଦର ନୁହେଁ, ପଢ଼ାପଢ଼ିରେ ବିଶେଷ ଭଲ ନୁହେଁ, ତା’ର ଭଲ ଶାଢ଼ି ଖଣ୍ଡେ ନାହିଁ, କାହିଁକି ନା ତା’ର ବାପମାଆ ଗରିବ, ଓ ଗୁଡ଼ିଏ ଭାଇଭଉଣୀ-। ଭଗବାନ ଚିଡ଼େଇ କରି କହିଲା ଯେ ସେ ସକାଳେ କେହି ନ ଉଠିବା ଆଗରୁ ଏକାଥରକେ କାନ୍ଦି ନିଏ ଓ ଦିନଯାକ ଖେଁ ଖେଁ ହୋଇ ହସୁଥାଏ...

ଧ୍ୟାତ୍‍ ! ବାପା ଏଥିରୁ କ’ଣ ପାଇବେ ? ତାଙ୍କୁ କହିଲେ କେତେ ନ କହିଲେ କେତେ ! ବାପା ମୋତେ ଜାଣନ୍ତି ନାହିଁ । ସେ ଖାଲି ଜାଣନ୍ତି ଯେ ମୁଁ ତାଙ୍କ ମଝିଆଁ ପୁଅ ଓ ଅପେକ୍ଷା କରିଛନ୍ତି ମୁଁ କେବେ ପାଠପଢ଼ା ସାରି ‘‘ଯୋଗ୍ୟ’’ ହେବି ।

ଯାହାହେଉ ମୁଁ ସୁଶୀଳା ସାଙ୍ଗରେ ବାପାଙ୍କ କଥା କାହିଁକି ଏତେ ଭାବୁଛି ? ମୁଁ କାଲି ଛାଡ଼ି ପଅରଦିନ ଗ୍ରାଜୁଏଟ୍‍ ହେବି । ମୁଁ କଅଣ ପିଲା ହୋଇଛି ? ମୋର ବୟସର ପିଲାମାନେ କେତେ କୁଆଡ଼େ ଭଲ୍‍ କରୁଛନ୍ତି । ମୁଁ ସେମିତିକା ପରଜାପତିଆ ପ୍ରେମରେ ବିଶ୍ୱାସ କରେ ନାହିଁ, ମୋର ବୁଦ୍ଧି ବିଚାର ଅଛି । ତେବେ ମୋର ଇଚ୍ଛା ମୁଁ ଯାହା କରିବି,–ସେଥିରେ ବାପା କଅଣ କରିବେ, କିଏ କ’ଣ କରିବ ? ମୁଁ ସୁଶୀଳା ଘରକୁ ହଜାରବାର ଯିବି, ମୋ ଇଚ୍ଛା ।

ସୁଶୀଳା ଓ ବାପା । ତଥାପି ସେ ଦୁଇଜଣଙ୍କର ବିପରୀତବିରୋଧୀ ଛବି ବିଷ୍ଣୁର ମନକୁ ଆସୁଥାଏ । ଯେପରି କି ଜଣକ କଥା ଭାବିଲେ ଅନ୍ୟ ଜଣକ ସହିତ ମୁକାବିଲା କରିବାକୁ ପଡ଼ିବ । ଯେପରି କି ଆଜିକାର ଏ ଝିଅଟି ନୂଆ ଧରଣର ପ୍ରାଣୀ, ତା’ର ପ୍ରାଣ ଏହି ବାପାଙ୍କ ସଂସାର ସାଙ୍ଗରେ ମିଶୁ ନାହିଁ, ଅଖାଡ଼ୁଆ ଲାଗୁଛି । ଏଠି ଲମ୍ୱା ସାଦା କାନ୍ଥ, କାନ୍ଥରେ ପୁରୁଣା ଜାପାନୀ ଘଣ୍ଟା–ଦିନରାତି ଟିକ୍‍ଟିକ୍‍ କରି ଚାଲିଛି । ଏଠି ଜଣେ ବାପା, ସେହି ଘଣ୍ଟା ଓ କାନ୍ଥପରି, ସେ ମଝିରେ ମଝିରେ ପଚାରେ, ‘‘କିରେ, କୁଆଡ଼େ ଯାଇଥିଲୁ ?’’ ଆଉ ସେଠି ଜଣକର ଛଳଛଳ ଲୁହ ଖଳଖଳ ହସ । ଦୁଃଖିନୀ କିଶୋରୀ । ଛୋଟିଆ ପ୍ରାଣ । ଘାସ ଫୁଲ ।

ବିଷ୍ଣୁର ମନହେଲା ସେ ସୁଶୀଳାକୁ ଏଇଠିକି ଡାକିଆଣିବ, ଏଇ ପଢ଼ାଘରକୁ । ବାପା ତାକୁ ଆବିଷ୍କାର କରିବେ, ଓ କାବା ହୋଇ ପଚାରିବେ,–‘‘ଏ କିଏ ? କୋଉଠୁ ଆସିଲା ?’’ ତା’ପରେ କିନ୍ତୁ ସେ ଦାଣ୍ଡପିଣ୍ଡାକୁ ଚାଲିଯାଇ ଖବରକାଗଜ ପଢ଼ିପାରିବେ ନାହିଁ ।

ବାପା ଚେଙ୍ଖେ ପାଇବେ । ସମ୍ଭାବିତ ଆନନ୍ଦ-କ୍ରୋଧରେ ବିଷ୍ଣୁ ତା ତ୍ରିଭୁଜ ଚତୁର୍ଭୁଜ ଉପରେ ବଡ଼ବଡ଼ ଫୁଲ ଆଙ୍କିବାକୁ ଲାଗିଲା । ଫୁଲର ପାଖୁଡ଼ା ସବୁ ଅଗ୍ନିଶିଖା ପରି ଦେଖାଯାଉଥାଆନ୍ତି । ବିଷ୍ଣୁକୁ ଭଲ ଲାଗିଲା ।

 

**ରାତିରେ ଭାଇଭଉଣୀଙ୍କ ସାଙ୍ଗରେ ଏକାଠି ଖାଇ ବସିଲାବେଳେ କେବଳ ସାନଭଉଣୀ ଉମି ଲକ୍ଷ୍ୟ କରିପାରିଲା ଯେ ବିଷ୍ଣୁ ସବୁଦିନ ଅପେକ୍ଷା ବେଶି ତରତର ହୋଇ ଆଉ ଗିଳିପକାଇଲା ପରି ଖାଉଛି । ସେ ଥଟ୍ଟା କରି ପଚାରିଲା, ‘‘କ’ଣ ବିଷ୍ଣୁଭାଇ, ସେକେଣ୍ଡ୍ ଶୋ ସିନେମା ଦେଖିଯିବ ବୋଲି ତରତର ହେଉଛ କି ?’’

 

ବିଷ୍ଣୁ କିଛି କହିଲା ନାହିଁ, କିନ୍ତୁ ଉମିର ଏହି ଚଗଲାମିକୁ ପସନ୍ଦ କରିପାରିଲା ନାହିଁ । ଗୋଟାଏ କୋଉ ପୁରୁଣା କଥା, ସେଇୟାକୁ ବସି ଦୋହରେଇ ହେଉଛି । କେତେ ମାସ ହୋଇଗଲାଣି, ସେ ସାଙ୍ଗମାନଙ୍କ ସାଙ୍ଗରେ ସେକେଣ୍ଡ୍ ଶୋ ଦେଖି ଯାଇଥିଲା । ବାପା ଜାଣିଲେ ଏବଂ ପ୍ରଥମ ଦେଖାରେ ପଚାରିଲେ, ‘‘କିରେ କାଲି ସେକେଣ୍ଡ ଶୋ ଦେଖିଯାଇଥିଲୁ ? କାହିଁକି ?’’ ଆଉ କିଛି କଥା ନାହିଁ, ଉତ୍ତରର ଅପେକ୍ଷା ନ କରି ଚାଲିଗଲେ । ବିଷ୍ଣୁର ମନେହେଲା ଯେ ବାପା ଗାଳିଦେଲେ ନାହିଁ (ଏଡେ ବଡ଼ ପିଲାକୁ କ’ଣ ଗାଳି ଦିଅନ୍ତେ ?) କିନ୍ତୁ ଜଣାଇଦେଲେ ଯେ ସେକେଣ୍ଡ୍ ଶୋ ଦେଖି ଯିବାର ମୂର୍ଖତା କେବଳ ବିଷ୍ଣୁ ପକ୍ଷରେ ସମ୍ଭବ । ବିଷ୍ଣୁ ନିଜକୁ ସଜାଡ଼ୁଥିଲା, ଏହି ସମୟରେ ଉମି ପଛରୁ ଏହି ଦୃଶ୍ୟରୁ ମଜା ପାଇଲାପରି ତାଳି ମାରିଲା । ଗୋଟିଏ ବୋଲି ଗେଲବସର ଝିଅ କି ନା, ଭାରୀ ମୁହଁ ବଢ଼ା ହୋଇଯାଇଛି ।

 

ମାଆ ପ୍ରଭାବତୀ ଦେବୀ ପାଖରେ ଆସି ଛିଡ଼ା ହେଲେ, ଓ ଡାକ ଛାଡ଼ିଲେ, ‘‘ବିଷ୍ଣକୁ ଆଉ ଦି’ଟା ପୋଟଳ ଭଜା ଆଣି ଦିଅ, ଆଉ ଗଣ୍ଡାଏ ଭାତ ଦେଇଯାଅ–।’’

 

ବିଷ୍ଣୁ ମନେମନେ ମାତୃଗତ ମନୋଭାବର ତର୍ଜମା କଲା–ବିଷ୍ଣୁ ଦୁର୍ବଳିଆ ପିଲା (ବିଚାରା ବେମାରିଆଟା !) । ସେ ତା’ର ଭାଇମାନଙ୍କ ପରି ନୁହେଁ, ନିଜ କଥା ନିଜେ ବୁଝିପାରିବ ନାହିଁ (ମଝିଆଁ ପୁଅ କି ନା) । ତା’ର ପଢ଼ା ଭଲ କି ସେ ଭଲ (ସେ ଏକାଟିଆବାରା) । ମାଆ ମୋତେ ସମୁକ ଦିଅ ବୋଲି ବେଶି ଦେଖିପାରେ ? ସେ ସବୁଦିନେ ଖାଇଲାବେଳେ ମୋ ପାଖରେ ଆସି ଛିଡ଼ାହୁଏ, ଅଯଥାରେ ଛିଡ଼ା ହୁଏ, ଆଉ ଅମୁକ ଦିଅ ପାଟି କରେ । ବଦଭ୍ୟାସ !

 

କିନ୍ତୁ ସେଦିନ ସେହି ପାତଳୀ ଗୋରୀ ସ୍ତ୍ରୀଲୋକ ଜଣକର ପରିଚର୍ଯ୍ୟା ବିଷ୍ଣୁକୁ ଘସରା ଲାଗିଲା ସିନା, ଚିଡ଼ିମାଡ଼ିଲା ନାହିଁ । ବରଂ ତା ମନ ଖୁଜୁବୁଜୁ ହେଲା । ମାଆକୁ କହି ଦିଅନ୍ତି । କିଛି କହିବାକୁ ନାହିଁ, ନ ଥାଉ, ମୁଁ ଯାହା କହିଲେ ବି ସେ ଶୁଣିବ । ଆଉ ଭାବି ବସିବ ଯେ ମୁଁ କାହିଁକି ଏତେ କଥା କହିଲି, ମୋ ମନରେ କଅଣ ଅଛି । ମୁଁ ଠିକ୍‍ ଜାଣେ...। ଆମର ଚରିତ୍ର ହାତମୁଠାରେ, ଓ ତାକୁ ନେଇ ଖେଳି ହେବ,–ଏହି ଭାବରେ ସେ ଉଦ୍ଦୀପ୍ତ ହେଲା । ଯେପରି କି ସେ ଓଲଟି ମାଆ ପ୍ରତି ଦୟା ଦେଖାଇ ପାରିବ ଯେତେହେଲେ ମାଆ, ନାରୀ ।

 

ସେଇଠୁ ସେ ହାତ ଧୋଇ ନ ସାରୁଣୁ ପ୍ରଭାବତୀଦେବୀଙ୍କୁ କହିଲା,– ‘‘ମାଆ ମୁଁ ଆଜି ଗୋଟାଏ ଜାଗାକୁ ଯାଇଥିଲି । ସେଠି ସେମାନେ ତୋ କଥା କହୁଥିଲେ ।’’

 

ମାଆର କୌତୂହଳ ଜାଗରିତ କରି ସାଙ୍ଗରେ ଧରି ବିଷ୍ଣୁ ଧୀରେସୁସ୍ଥେ ଆରମ୍ଭ କଲା, ‘‘ତାଙ୍କର ଗୁଡ଼ିଏ ଝିଅ, ଛଅ କି ସାତ । ବଡ଼ ଦୁଇଜଣ ବୋଧହୁଏ ବାହା ହୋଇ ଯାଇଛନ୍ତି, ବାକି ସମସ୍ତେ ସ୍କୁଲ କଲେଜରେ ପଢ଼ନ୍ତି । ଯୋଡ଼ିଏ ପୁଅ, ଜଣେ ମୋ ସାଙ୍ଗ, ମାନେ ଆମ କଲେଜରେ ପଢ଼େ । ତାଙ୍କ ଘର ଛୋଟ, କିନ୍ତୁ ବାରିପଟେ ବହୁତ ଜାଗା ଅଛି । ବାଇଗଣ ଶାଗ କେତେ କ’ଣ ଲାଗିଛି, ତା ପଛକୁ କେତେ ଗଛ ବୃକ୍ଷ, ଖୋଲା ପବନ–’’

 

ବିଷ୍ଣୁ ସେହି ବିସ୍ତୃତ ବାରିପଟକୁ ଅନୁମାନ କଲା ଓ ମୁଗ୍‍ଧ ହେଲା । ସେ ସବୁ ଜାଗା ତାଙ୍କର ନୁହେଁ, ଅନାମିକା । କିନ୍ତୁ ତାଙ୍କର ସବୁ ପୁଅଝିଅ ଆପଣା ସାଙ୍ଗସାଥୀକୁ ଧରି ସେଠି ଖୋଳାଇ ହୋଇ ଯାଇପାରନ୍ତି, ଖେଳନ୍ତି, ବୁଲନ୍ତି ବଣଭୋଜି କରନ୍ତି ବୁଦା ଆଢ଼ୁଆଳରେ କୁରୁକୁରୁ ହୋଇ ହସନ୍ତି, ଓ କେବେ କେମିତି ଗୋଟିଏ ଠୋ ଠୋ ସ୍ୱାଧୀନ ହସ ଛାଡ଼ିଦିଅନ୍ତି ଆକାଶକୁ । ବାରିପଟେ ଶୁଖୁଥିବା ବିବିଧ ପ୍ରସାରିତ ଶାଢ଼ି, ଲୁଙ୍ଗି, ଶାୟା, ଚେଡ଼ି ମଧ୍ୟ ମନେପଡ଼ିଲା; ସେଥିରେ କଳ୍ପନା ଦୃଶ୍ୟ ସଙ୍କୁଚିତ ହେଲା ନାହିଁ, ଆତ୍ମୀୟତାରେ ସିକ୍ତ-ଆପ୍ଳୁତ ହେଲାପରି ଲାଗିଲା ।

 

‘‘–ବିରାଟ ଜାଗା, ବଢ଼ିଆ !’’

 

ପ୍ରଭାବତୀ ଦେବୀଙ୍କ ମୁହଁରେ ସାମାନ୍ୟ ବିମୂଢ଼ତାର ଭାବ ଦେଖାଦେଲା, କିନ୍ତୁ ସେ ଶୁଣି ରହିଲେ । ବିଷ୍ଣୁ ବାରିପଟୁ ଆରମ୍ଭ କରି ଝିଅଙ୍କ ଘର, ପୁଅଙ୍କ ଘର, ଅଫିସ୍‍ଘର (ତାଙ୍କର ଦାଣ୍ଡଘର ନାହିଁ), ମାତ୍ର ତିନୋଟି ବଖରାକୁ ସସମ୍ମାନେ ଦର୍ଶାଇଲା । ତା’ପରେ ଅଭ୍ୟର୍ଥନାର ପର୍ବକୁ ବଖାଣିଲା-। ଯଥା–‘‘ଭଗବାନର ମାଆ ନିଜେ ତଳେ ସପ ପାରି ଦେଲେ, ଆଉ ମୋତେ ବସିବାକୁ କହିଲେ-। ତାଙ୍କ ଝିଅ ସୁଶୀଳା ଜଳଖିଆ ଆଣି ଦେଲା, ତା’ ପରେ ଚା’ । ଭାରି କଡ଼ା ଚା’, ସେମାନେ ଗିଲାସରେ ଖାଆନ୍ତି, କିନ୍ତୁ ମନ୍ଦ ଲାଗିଲା ନାହିଁ । ସେଥିରୁ ବୋଧହୁଏ ଟିକିଏ ଗୁଜୁରାତିର ବାସନା ଆସୁଥିଲା ।’’

 

ବିଷ୍ଣୁ ଏକା ନିଃଶ୍ୱାସରେ କହିଗଲା । ସବାଶେଷକୁ ଯୋଡ଼ି ଦେଲାପରି କହିଲା, ‘‘ତାଙ୍କ ମାଆ ତୋତେ ଜାଣନ୍ତି । ସେ କୁଆଡ଼େ ଆମ ବଡ଼ ମାଇଁଙ୍କର ଦାଦି ଝିଅ ଭଉଣୀ । କହୁଥିଲେ ଯେ ସେ ଅନେକ ଦିନୁ ଆମ ଘରକୁ ଆସିବେ ବୋଲି ହେଉଛନ୍ତି, କିନ୍ତୁ ଆସିପାରୁ ନାହାନ୍ତି ।’’

 

ପ୍ରଭାବତୀ ଦେବୀ ଶୁଣି ରହିଲେ । ଶୁଣି ସାରିଲା ପରେ ଭାବିଲେ,–ମୋର ଆଉ କେହି ପିଲା ମୋ ଆଗରେ ଏମିତି ଗପନ୍ତି ନାହିଁ । ଏ ଟୋକାଟା ମଉନ ମୁହାଁ, କିନ୍ତୁ ହଠାତ୍‍ ମଝିରେ ମଝିରେ ଏମିତି ଗପିଯିବ ମୋ ଆଗରେ । କାହିଁକି ? ଏବେ ଥରେ ସେ ଗପୁଥିଲା ତା’ର ଅଙ୍କ ପ୍ରଫେସରଙ୍କ କଥା । ସେ ଅଙ୍କରେ ଭଲକରେ ବୋଲି ପ୍ରଫେସର କୁଆଡ଼େ ତାକୁ ଭାରି ଭଲ ପାଆନ୍ତି ଓ ସେଇଥିଲାଗି ବଡ଼ଦିନ ଛୁଟିରେ ତାକୁ ଘରକୁ ଡାକି ନେଇ କେକ୍‍ ଖୁଆଇଥିଲେ । ତାଙ୍କ ସ୍ତ୍ରୀ ସୁନ୍ଦର ସିଲେଇ କରନ୍ତି, ସେ ଦକ୍ଷିଣୀ ଖ୍ରୀଷ୍ଟିୟାନ, ତାଙ୍କର ଗୋଟାଏ ଭାଲୁ ପରି ବଡ଼ ରୁମା କୁକୁର ଅଛି, ଇତ୍ୟାଦି ଇତ୍ୟାଦି । ବିଷ୍ଣୁ ଛଡ଼ା ଆଉ କେହି ଏମିତି ଗପନ୍ତି ନାହିଁ ମୋ ଆଗରେ । ବିଷ୍ଣୁ ମୋ ଛଡ଼ା ଘରେ ଆଉ କାହା ସାଙ୍ଗରେ ଏମିତି ଗପେ ନାହିଁ । ଅଦ୍‍ଭୂତ ପିଲା । ବାହାସାହା ହେଲେ ବଦଳିଯିବ–କେଜାଣି-! ...ତାଙ୍କ ମନରେ ସାମାନ୍ୟ ଦୁଃଖର ଭାବ ଆସିଲା (ଏମିତି କେତେଥର ଆସେ) ଯେ ବିଷ୍ଣୁର ଊଣେଇଶ ବର୍ଷର ଜୀବନରେ ବୋଧହୁଏ କିଛି ଅଭାବ କିଛି ଅପୂରଣ ରହିଗଲା, ଯେଉଁଥିପାଇଁ ତା’ର ଏପରି ସ୍ୱଭାବ ହୋଇଛି । କିନ୍ତୁ ତା’ଠାରୁ ବଳି ସେ ଅନୁଭବ କଲେ ମମତ୍ୱର ମାର୍ତ୍ତଣ୍ଡଉତ୍ତାପ, ଅସ୍ଥିମଜ୍ଜା ଭିତରକୁ ଟାଣି ନେଲେ,–ବିଷ୍ଣୁ କେବଳ ମୋର ସାଙ୍ଗରେ ଏମିତି ଗପେ । ସେ ବଡ଼ ହେଲେ ବାହସାହା ହେଲେ ମଧ୍ୟ ବଦଳିବ ନାହିଁ । ସେ ମୂଳରୁ ସେଇୟା ।

 

ତେବେ ବିଷ୍ଣୁର ଏହି ନୂଆ ପରିଚୟର ତାତ୍ପର୍ଯ୍ୟ ସେ ବୁଝି ପାରିଲେ ନାହିଁ । ଗୁଡ଼ିଏ ଝିଅ...ଛୋଟ ଘର, ବଡ଼ ବାରି...ତଳେ ବସି ଗିଲାସରେ ଚା’ ଖାଆନ୍ତି...ଭାଉଜଙ୍କର ଦାଦି ଝିଅ ଭଉଣୀ...ତାଙ୍କ ପୁଅର ସାଙ୍ଗ ପାଇଁ ଏପରି ଉଛୁଳା ସ୍ନେହ.... । ସେ କିଛି ଥଳକୂଳ ପାଇଲେ ନାହିଁ । ଶେଷକୁ ଶୋଇବାକୁ ଯିବା ଆଗରୁ ସ୍ୱାମୀ ଗୌରହରିବାବୁଙ୍କୁ ପଚାରିଲେ, ‘‘ଶୁଣିଲ,–ତମେ ଜଣେ ପ୍ରଫୁଲ୍ଲବାବୁଙ୍କୁ ଜାଣ, ପି. ଡବ୍ଳୁ. ଡ଼ି. ରେ କାମ କରନ୍ତି ?’’

 

‘‘ପ୍ରଫୁଲ୍ଲ ବାବୁ ! ନା, ମୁଁ ଚିହ୍ନି ନାହିଁ । କାହିଁକି, କ’ଣ ହେଲା କି ?

 

‘‘ନାଇଁ, କିଛି ନାଇଁ । ତାଙ୍କ ସ୍ତ୍ରୀ କହୁଥିଲେ ଯେ ସେ କୁଆଡ଼େ ମୋ ବଡ଼ ଭାଉଜଙ୍କର ଦାଦି ଝିଅ ଭଉଣୀ ହୁଅନ୍ତି ।’’

 

‘‘ଆଚ୍ଛା ?’’ ଗୌରହରି ବାବୁଙ୍କ ଖିଆଲ ହେଲା ଯେ ସେ ଏହି ନାଁଟିକୁ ଏବେ କେଉଁଠି ଶୁଣିଛନ୍ତି । କିନ୍ତୁ ସେ ମନେ ପକାଇବାକୁ ଚେଷ୍ଟା କଲେ ନାହିଁ ।

 

** ଏହି ଘଟଣାର ଚାରି ପାଞ୍ଚ ମାସ ପରେ । ସେତେବେଳକୁ ପ୍ରଫୁଲ୍ଲବାବୁଙ୍କ ଘରକୁ ବିଷ୍ଣୁର ଯିବା ଆସିବା ଯଥେଷ୍ଟ ବଢ଼ିଗଲାଣି ଓ ସୁଶୀଳା ତାକୁ ‘ବିଷ୍ଣୁ ବାବୁ’ ପରିବର୍ତ୍ତେ ‘ବିଷ୍ଣୁ ଭାଇ’ ବୋଲି ଡାକିବାକୁ ଆରମ୍ଭ କଲାଣି ।

 

ଦିନେ ଗୋଟିଏ ଆଶ୍ୱିନ ସକାଳକୁ ପଛ କରି ସୁଶୀଳା ଲୁହ ଗଡ଼ାଇଲା । ପରିବାରର ଅଧିକାଂଶ ନିଦରୁ ଉଠି ନାହାନ୍ତି,–କେବଳ ବାପା ମନ୍ଦିରକୁ ଯାଇଛନ୍ତି ଓ ଭଗି ଭାଇ ପିଞ୍ଜରାର ଶାରୀକୁ ଖତେଇ ହେଉଛି ।

 

ଏଥିରୁ ବୁଝିବାକୁ ହେବ ନାହିଁ ଯେ ଭଗବାନ ଯାହା କହୁଥିଲା ସତ–ଯେ ସୁଶୀଳା ସକାଳେ କେହି ନ ଉଠିବା ଆଗରୁ କାନ୍ଦେ ଓ ଦିନସାରା ହସେ । କହିବାକୁ ଗଲେ ତା’ର ସାବଲୀଳ ହସ ଓ ସହଜ କାନ୍ଦରେ କିଛି ବିଶେଷତ୍ୱ ନାହିଁ, ଏହି ବୟସର ସବୁ ଝିଅମାନେ ଊଣା ଅଧିକ ସେମିତି ହୁଅନ୍ତି । କିନ୍ତୁ ଆଜିକା କଥା ଅଲଗା । ଆଜି ସେ ନିଜର ଜୀବନ ଯୌବନକୁ ନିର୍ମଳ ଦର୍ପଣରେ ଦେଖି ନେଲାପରି କାନ୍ଦିଲା । ବିଜ୍ଞଜନ ପରି ଶେଷକଥାର ସୀମା ଦେଖିବାକୁ ପାଇ ହତାଶାର ରୋଦନ କଲା । ଭଗବାନ ମଧ୍ୟ ଶାରୀ ପାଖରୁ ଥକି ଯାଇ ଭଉଣୀକୁ ଦେଖିଲା ଓ ଭାବିଲା ତାକୁ ପ୍ରକୃତରେ କଷ୍ଟ ହେଉଛି ।

 

ବିଷ୍ଣୁ ଭାଇ ପ୍ରାୟ ମାସେ ହେଲା ଆସି ନାହାନ୍ତି । ବୋଧହୁଏ ଆଉ ଆସିବେ ନାହିଁ ।

 

ସେ ଶୋକ କରୁ ନ ଥିଲା–ଯେ ବିଷ୍ଣୁ ଭାଇ ନ ଆସିଲେ ତା’ର ଜୀବନ ଶୂନ୍ୟ ହୋଇ ରହିବ । ବିଷ୍ଣୁ ଭାଇଙ୍କ ପୂର୍ବରୁ କେତେ ଆସିଛନ୍ତି, ତାଙ୍କ ପରେ ପୁଣି କେତେ ଆସିବେ । ଡେଙ୍ଗା, ଗେଡ଼ା, ମୋଟା, ପାତଳା, ଫାଜିଲ, ପୋତା ମୁହାଁ–। ଏ ଘରେ ଟୋକାମାନଙ୍କ ଅଭାବ ହେବନାହିଁ, ଭଗିଭାଇର ଅସରନ୍ତି ସାଙ୍ଗ । କିନ୍ତୁ ଏ ଆସିବା ଯିବା କ’ଣ ସରିବ ନାହିଁ ? ସୁଶୀଳାର ମନେହେଲା ଯେ ଏ ହେଉଛି ପ୍ରତିଦିନର ଉଦୟ ଅସ୍ତ, ପ୍ରତ୍ୟହର ବୋଝ, ଜୀବନଯାପନର କ୍ଳେଶ, ଏଥିରୁ ନିସ୍ତାର ନାହିଁ । କାହିଁକି ନା ବାପାଙ୍କର ଛଅଟି ଝିଅ, ଦୁଇ ଜଣ କୌଣସି ମତେ ବାହା ହୋଇ ଯାଇଛନ୍ତି । କାହିଁକି ନା ବାପା ସବୁଦିନେ ମନ୍ଦିରକୁ ଯାଆନ୍ତି, ଉଧାର ଉପରେ ଉଧାର କରି ଯାଆନ୍ତି ଓ ବାହୁ ଟେକି କହନ୍ତି ‘ଗୋବିନ୍ଦଙ୍କ ଇଚ୍ଛା ।’ କାହିଁକି ନା ମୁଁ ସୁନ୍ଦର ନୁହେଁ, ଆମେ କେହି ସୁନ୍ଦର ନୁହଁ-

 

ସେ ବାସି ବିଛଣାର ମଉଳା ମୋକଚା ସ୍ତୂପରୁ ଉଠି ଆସୁଥିବା ଭଉଣୀମାନଙ୍କୁ ଦେଖିଲା ଓ ତା’ର ମନ ବଳକା ତିକ୍ତତାରେ ଭରିଗଲା । ସୁଦୂର ମୁମୂର୍ଷୁ ଜହ୍ନକୁ ଡାକ ଛାଡ଼ିଲା ପରି ସେ ଭାବିଲା,–ଏ ସମାଜରେ ଲଭ୍‍ ବୋଲି କ’ଣ କିଛି ଜିନିଷ ନାହିଁ ?

 

ଦୈନନ୍ଦିନ କୋଳାହଳ ଆରମ୍ଭ ହୋଇଗଲା । ସୁଲି ଦର୍ପଣ ପାଇଁ ପାଟି କରୁଛି । ନିଦରୁ ଉଠି ପ୍ରଥମେ ମୁହଁର ବ୍ରଣ ନ ଚିପିଲେ ତା’ର ଶାନ୍ତି ଆସେନାହିଁ । ମାଆ ଗୋଟିଏ ସୁଖବର ଦେଲାପରି ସମସ୍ତଙ୍କୁ ଥରେ ଥରେ କହୁଛି ଯେ ତା’ର ଅଣ୍ଟା ପୁଣି ଦରଜ ହେଲାଣି । ନୀଲି ଧମକଉଛି ଯେ ସମସ୍ତେ ଏକାଠି ଚା’ ଖାଇବ ତ ଆସ, ସେ ଏତେ ଥର ଗିଲାସ ଧୋଇ ପାରିବ ନାହିଁ । ସବା ସାନ ଭଉଣୀ ପୁଷି କାନ୍ଥବାଡ଼କୁ ଶୁଣେଇ କରି କହୁଛି ଯେ ସେ ଆଜି ସ୍କୁଲକୁ ଯିବନାହିଁ, ତା’ର ଚଟି ଏକଦମ୍‍ ଛିଣ୍ଡି ଗଲାଣି । ମେହେନ୍ତରାଣୀ ବାରି ଦୁଆର ମୁହଁରେ ଛିଡ଼ା ହୋଇ କହି ଚାଲିଛି ଯେ ତା’ର ଡେରି ହେଉଛି, କୋଉଥି ପାଇଁ ଭଗବାନ ଜାଣନ୍ତି । ଓଃ ? ଏ ଘରେ ପାଞ୍ଚିମିନିଟ୍‍ ଏକୁଟିଆ ବସି ଭାବି ହେବ ନାହିଁ । ଏ ଘରେ କେହି କିଛି ଭାବନ୍ତି ନାହିଁ ।

 

ପଳେଇ ଯିବି । କେଉଁଠିକି ପଳେଇବି ? ବାପାଙ୍କର ଅଫିସ ଘରକୁ ? ନା, ସେଠି ଭଗି ଭାଇ ପାଠ ପଢ଼ୁଛି, ଆର ଭାଇ ଆସି ପହଞ୍ଚିଯିବ,–ଗୋଟିଏ ଭଙ୍ଗା ଟେବୁଲ, ଯୋଡ଼ିଏ ଚଉକି । ବାରିପଟର କେଉଁ ଗଛ ମୂଳକୁ ଚାଲିଯିବି ? ନା, ମୁଁ ଏହିକ୍ଷଣି ‘ପ୍ରକୃତି’ ସାଙ୍ଗରେ କଥାଭାଷା ହୋଇ ପାରିବି ନାହିଁ, ଫୁରୁସତ୍‍ ନାହିଁ । ଏଇ ଭଲ । ଏଇ ଶୋଇବା ଘର, ମାଆ ଓ ଅଭିଆଡ଼ି ଝିଅମାନଙ୍କର ଗୁମ୍ଫା । ଏଇ ଲୁଗାପଟାର ଆବର୍ଜନା, ଏଇ କିଚିରିମିଚିରି, ରୋଷେଇ ଘରୁ ପଶି ଆସୁଥିବା ଧୂଆଁ (ଚା, ପାଣି ସିଝା ହେଉଛି), କେଶବର୍ଦ୍ଧିନୀ ତେଲର ବାସ୍ନା... । ଆଉ କେଉଁଠିକି ଯିବି ? ସୁଶୀଳା ଝିଅର ଆଉ କେଉଁଠି ଥାନ ଅଛି ? ସେ ଏଇଠି କାନ୍ଦିବ ଓ ଭାବିବ । ସୁଶୀଳା ନାଟକୀୟ ଭଙ୍ଗୀରେ ନିଜକୁ କହିଲା–ଅବସ୍ଥାର ଟ୍ରାଜେଡିକୁ ଚିହ୍ନାଇବା ପାଇଁ ।

 

କେହି ତାକୁ ପଚାରିଲେ ନାହିଁ ଯେ ସେ ବାସି ବିଛଣା ଉପରେ କାହିଁକି ଏମିତି ବସି ରହିଛି । ବୋଧହୁଏ ନ ପଚାରିବାଦ୍ୱାରା ସହାନୁଭୂତି ଦେଖାଇଲେ । ନୀଲି ନିଜେ ଆସି ଗିଲାସରେ ଗିଲାସେ ଚା’ ରଖି ଦେଇଗଲା ।

 

ବିଷ୍ଣୁଭାଇ କାହିଁକି ଆସୁ ନାହାନ୍ତି ? ସେ ଅନ୍ୟମାନଙ୍କ ପରି ନୁହନ୍ତି । ସେ ଅନ୍ୟମାନଙ୍କ ପରି ଖୋସାମତିଆ କଥା କହନ୍ତି ନାହିଁ, କିମ୍ୱା ନିଜ ବଡ଼ପଣକୁ ସମ୍ଭାଳିଲା ପରି ଜାକିଜୁକି ହୋଇ ବସନ୍ତି ନାହିଁ । କିନ୍ତୁ ସେ ବେଳେବେଳେ ଏମିତି ମୋତେ ଗୋଡ଼ରୁ ମୁଣ୍ଡଯାଏ ଚାହାନ୍ତି ଯେ ମୁଁ ଅପ୍ରସ୍ତୁତ ହୋଇଯାଏ । ସତେ ଯେପରି ସେ ମୋ ଭଳି ଗୋଟିଏ ଝିଅକୁ ଆଗରୁ କେବେ ଦେଖି ନାହାନ୍ତି । କ’ଣ ଦେଖନ୍ତି,–ମୁଁ ଏତେ ଅସୁନ୍ଦର ? ଶାଢ଼ି ତଳୁ ଛିଣ୍ଡା ସାୟା ବାରି ହୋଇ ଯାଉଛି ? ନା କହିବାକୁ ଚାହାନ୍ତି ଯେ ମୋ ଯୌବନରେ ସତ କେତେ ମିଛ କେତେ ? ଉଃ,–ନିଜେ ଯୋଉ ତ ସୁନ୍ଦର ! ଟାକୁଆ ଗାଲ, ଉଚ୍ଚ କପାଳ । ଘୋଡ଼େଇ ହେଲାପରି ଚାହାଣି; କିନ୍ତୁ ନରମ, ଅତି ନରମ ।

 

–ନା, ସେ ମୋଟେ ସେମିତି ନୁହନ୍ତି, ଅଭଦ୍ର ନୁହନ୍ତି । ସେ ଭାରୀ ସଦାସିଧା । ସରଳ । ଥରେ ଗୋଟିଏ ଗୂଢ଼ କଥା କହିଲା ପରି କହିଲେ, ‘‘ମୋତେ ତୁମ ଘରକୁ ଆସିବାକୁ ଭଲ ଲାଗେ-।’’ ମୁଁ ହସି ପକାଇଲି; କିନ୍ତୁ ସେ ଗଭୀରତାର କ୍ରମରେ କହିଲେ, ‘‘ଏଠି ଥିଲେ ମୋତେ ଲାଗେ ଯେ ପୃଥିବୀରେ ସମସ୍ତେ ଏକାଠି ଅଛନ୍ତି, କେହି କାହାଠୁଁ ଦୂରେଇ ଯାଇ ନାହାନ୍ତି ।’’ ୟାର ମାନେ କଅଣ-? ସବୁଠି ଲୋକମାନେ ଖଣ୍ଡି ଖଣ୍ଡି ହୋଇ ଅଛନ୍ତି, ଆଉ ଆମେ ଏଠି ମେଞ୍ଚାମେଞ୍ଚି ହୋଇ ଅଛୁ ?

 

‘‘ଯେ ଅଫିସ ଘରେ ବସିବାକୁ ଚାହାନ୍ତି ନାହିଁ । ଅଧିକାଂଶ ସମୟ ଏଇ ଘରେ କାନ୍ଥକୁ ଲାଗିକରି ତଳଟାରେ ବସି ପଡ଼ନ୍ତି, କଥାବାର୍ତ୍ତା ହେଲାବେଳେ ଅନ୍ୟମନସ୍କ ହୋଇ ଚୂନଛିଟା ଲୁଗା ପାନପେଟରା, ଟ୍ରଙ୍କ ଉପରୁ ଓହଳି ପଡ଼ିଥିବା ମଶାରି ସତରଞ୍ଜି କିମ୍ୱା ପୁସିର ବହି ବସ୍ତାନିରେ ଧୀରେ ଧୀରେ ହାତ ବୁଲାନ୍ତି । ସତେ ଯେପରି ସେ ଗୋଟିଏ ଯୁବତୀର ଦେହକୁ ଆଉଁଷୁଛନ୍ତି !

 

ଥରେ ମୋ ଦେହରୁ ଗମ୍‍ ଗମ୍‍ ଝାଳ ବହୁଥିଲା । ତାକୁ ଦେଖି ତାଙ୍କ ଚକ୍ଷୁ ସ୍ଥିର ହୋଇଗଲା ଓ ସେ କହିଲେ, ‘‘ତୁମ ଦେହରୁ ଏତେ ଝାଳ ବହେ ?’’ ଆଉ କେହି ହୋଇଥିଲେ ଏମିତିକା ମନ୍ତବ୍ୟରେ ରାଗିଯାଇ ଥାଆନ୍ତା । ହେଲେ ମୁଁ ରାଗିଲି ନାହିଁ । ମୋର ଖିଆଲ ହେଲା ଯେ ସେ ଝାଳକୁ କୁତ୍ସିତ ବୋଲି ଭାବୁ ନାହାନ୍ତି, ବୋଧହୁଏ ଭାବୁଛନ୍ତି ଯେ ତାହା ହେଉଛି ବେଦନାରେ ନିଗିଡ଼ା ରସ । କାରଣ ମୁଁ ଦେଖିଲି ଯେ ତାଙ୍କ ହାତ ଚାଲି ଯାଉଛି ପାଖରେ ଥିବା ଗୋଟାଏ ତଉଲିଆ ଆଡ଼କୁ । ଭାଗ୍ୟ ଭଲ ମୁଁ ସାଙ୍ଗେ ସଙ୍ଗେ ଶାଢ଼ି ପଣତରେ ଝାଳ ପୋଛିଦେଲି-। ନ ହେଲେ ହୁଏତ–

 

ଯଥାକ୍ରମେ ସୁଶୀଳା ତା’ର ସ୍ଥାଣୁଭାବ ତ୍ୟାଗକରି ଉଠି ଠିଆହେଲା । କାମରେ ଲାଗିବାକୁ ହେବ । ଭଉଣୀମାନେ ସର୍ବଂସହା ନୁହନ୍ତି ।

 

କିନ୍ତୁ କାମ କରୁ କରୁ ବିଷ୍ଣୁଭାଇଙ୍କର ବିଚିତ୍ର ସ୍ୱଭାବର ବିଭିନ୍ନ ନମୁନାର ତା’ର ମନେ ପଡ଼ି ଯାଉଥାଏ ।

 

ସେ ବଡ଼ଲୋକ ପିଲା ? ଭଗି ଭାଇ କହୁଥିଲା ଯେ ସେମାନେ ଆମ ପରି ନୁହନ୍ତି, କିନ୍ତୁ ସେମିତି କିଛି ବଡ଼ଲୋକ ନୁହନ୍ତି । କେତେ ବଡ଼ଲୋକ ? ବ୍ୟବହାରରୁ କିଛି ଜଣା ପଡ଼ୁ ନାହିଁ ତ । ମଣ୍ଟୁଭାଇ, ନୀରେନ୍‍ ଦା’, ବିଶୁବାବୁ–ସେମାନେ କିଛି କମ୍‍ ନୁହନ୍ତି । ସେମାନେ ଆସିଲେ, ତାଙ୍କ ବିଜୁଳିର ଛଟା ଦେଖାଇ ଚାଲିଗଲେ । ସେ ବିଜୁଳିରେ ସୁନାମ ରଙ୍ଗ, କିଛି ନୂଆ ନୁହେଁ । କିନ୍ତୁ ଏଇ ବିଷ୍ଣୁ ଭାଇ ଜଣକ ଚମକେଇ ଦେଇ ପାରି ନାହାନ୍ତି, ଚମକେଇବାକୁ ଚାହିଁ ନାହାନ୍ତି । ସେ ଅନ୍ଧାର ଭିତରେ କ’ଣ ଖୋଜୁଥିଲେ, ଅଣ୍ଡାଳି ହେଉଥିଲେ ପିଲାଙ୍କ ପରି କାଳେ କୋଉ ନିଧି ମିଳିଯିବ ପରା-!

 

ସୁଶୀଳାର ପୁଣି ମନେ ପଡ଼ିଗଲା, ସେ କେମିତି ବେଳେବେଳେ ଗୋଡ଼ରୁ ମୁଣ୍ଡ ଯାଏଁ ଚାହାନ୍ତି । ଏବଂ ହଠାତ୍‍ ତା’ର ମନେ ହେଲା, (ତା’ର ଛାତି ଦମ୍‍ଦମ୍‍ ହୋଇ ଉଠିଲା) ଯେ ସେ ସେହି ଚାହାଣିର ଉତ୍ତର ଦେଇ ପାରିବ ।

 

ବିଷ୍ଣୁ ଭାଇ ଯଦି ଆସନ୍ତେ, ଫେରିଆସନ୍ତେ ! ଆକସ୍ମିକ ଆତୁରତାରେ ସୁଶୀଳା ଲୁଗାପଟା ସଜାଡ଼ି ପାରିଲା ନାହିଁ, ମାଆ କେଉଁଥିପାଇଁ ଡାକି ହେଉଛି, ଶୁଣି ପାରିଲା ନାହିଁ । ଯେପରିକି ଏହି ହେଉଛି ଲଭ୍‍ ! ସେ ଏତେଦିନକେ ବିଷ୍ଣୁ ଭାଇଙ୍କୁ ବୁଝିଛି । ବୁଝିଛି ଯେ ସେ ଏମିତିକା ଲୋକଟିକୁ ବାନ୍ଧି ଦେଇ ପାରିବ, ଆଜୀବନ ଆମରଣ ବାନ୍ଧି ଦେଇ ପାରିବ...ଏହି ଶୋଇବା ଘରର ଖଟ ଖୁରାରେ ମୋ ପାଲଟା ଶାଢ଼ିର ଦଉଡ଼ିରେ । ଅବଶ୍ୟ ସେ କଷ୍ଟ ପାଇବେ, କିନ୍ତୁ ମୁକୁଳିବାକୁ ଚାହିଁବେ ନାହିଁ... ।

 

କଳ୍ପନାରେ ବିଷ୍ଣୁ ଭାଇଙ୍କର ବନ୍ଧା ହେବା ଦୃଶ୍ୟ ତାକୁ ମୋହିତ କଲା, ସେ ସେଇଠି ଅଟକି ରହିଲା । ସେହି ନରମ ଆଖିର ପୀଡ଼ା–ଇସ୍‍ ! ଏଇୟାକୁ ତ ଲଭ୍‍ କୁହନ୍ତି ! ...ବିଷ୍ଣୁ ଭାଇ, ତୁମେ ନିଶ୍ଚୟ ଆସିବ–ନୁହେଁ ? ...ତା’ର ଶ୍ୟାମଳ ମୁହଁରେ ଥିବା ସ୍ୱଚ୍ଛ ଆଖି ଦୁର୍ବିନୀତ ଆନନ୍ଦରେ ଝଳି ଉଠିଲା । ଯେପରିକି ସେ ଜାଣିଛି ଯେ ବିଷ୍ଣୁଭାଇ ଆସିବେ ଓ ଟାକି ରହିଛି ସେ ଆସିବା ମାତ୍ରେ ହିଁ– ।

 

‘‘ସୁଶୀ ଅପା ! ସୁଶୀ ଅପା ।’’ ପୃଷି ଦାଣ୍ଡଆଡ଼ୁ ଚିତ୍‍କାର କରି ଆସିଲା । ହେଲେ ସେ କିଛି କହିବା ଆଗରୁ ସୁଶୀଳା ଜାଣି ପାରିଥିଲା ଯେ ବିଷ୍ଣୁ ଭାଇ ଫେରି ଆସିଛନ୍ତି । କିନ୍ତୁ ବର୍ତ୍ତମାନ ତା’ ମନରେ ଅସ୍ଥିରତାର ସତ୍ତା ଲେଶମାତ୍ର ନ ଥିଲା, ତା’ର ମନେହେଲା ଯେ ସେ ସାମାନ୍ୟ ଷୋଳବୟସୀ ନୁହେଁ, ସେ ପ୍ରେମବଳରେ ବଳିଷ୍ଠା ହୋଇ ସାରିଛି, ସେ ଜାଣିଛି ଏହାପରେ ଠିକ୍‍ କ’ଣ କରିବାକୁ ହେବ ।

 

ବିଷ୍ଣୁ ପାଖରେ ଆସି ପହୁଞ୍ଚିଲାରୁ ସୁଶୀଳା ଦୃପ୍ତ–ଅଳସ ଭଙ୍ଗୀରେ ଗ୍ରୀବା ଉତ୍ତୋଳନ କଲା ଓ କହିଲା, ‘‘କଣ ବିଷ୍ଣୁ ଭାଇ–ଏତେ ଦିନକେ ମନେ ପଡ଼ିଲା ?’’

 

‘‘ଟିକିଏ ପଢ଼ାପଢ଼ିର ପ୍ରେସର୍‍ ପଡ଼ି ଯାଇଥିଲା । ତା’ ଛଡ଼ା,–ତା’ ଛଡ଼ା,–ମୁଁ ଦେଖୁଥିଲି ଯେ ଏ ଘରକୁ କେତେଦିନ ନ ଆସି ରହି ପାରିବି’’ । ବିଷ୍ଣୁ ହସହସ ମୁହଁରେ କହିଲା ।

 

‘‘କଣ ଦେଖିଲ ?’’ ସୁଶୀଳାର ମୁହଁରେ ହସ ନ ଥିଲା । ମାନେ ସେ ଏତେ ସହଜରେ କ୍ଷମା କରି ପାରିବନାହିଁ ।

 

**ବିଷ୍ଣୁର ପୁନରାଗମନରେ ଯେଉଁମାନେ ଖୁସି ହେଲେ, ସେମାନଙ୍କ ମଧ୍ୟରେ ପ୍ରଫୁଲ୍ଲବାବୁ ଅନ୍ୟତମ ।

 

ସେ ମନ୍ଦିରରୁ ଫେରି ଘର ଦୁଆର ମୁହଁରେ ପହୁଞ୍ଚିଛନ୍ତି, ଏହି ସମୟରେ ବିଷ୍ଣୁକୁ ଦେଖିଲେ, କୁଶଳ ସମ୍ଭାଷଣ କଲେ, ଏବଂ ତାଙ୍କ ମୁହଁରେ ପ୍ରସନ୍ନତା ଚହଟିଗଲା ।

 

ପ୍ରଫୁଲ୍ଲବାବୁଙ୍କ ଚେହେରା ସୁନ୍ଦର ନୁହେଁ, କିନ୍ତୁ ସରସ ଓ ଆଖିଦୁରୁଶିଆ । କୃଷ୍ଣବର୍ଣ୍ଣ ବଡ଼ ମୁହଁରେ ପାଚିଲା ଅଧା-ନିଶ, ଚାହାଣି ସତେଜ ଓ ତତ୍‍ପର (ବୋଧହୁଏ ସୁଶୀଳା ତା’ର ଚାହାଣି ବାପାଙ୍କଠୁଁ ପାଇଛି), ଓଠର ତରଳ କଥାକୁହା ଭାବ, ଏବଂ ସୁଗଠିତ ଦେହ । ସେ ଅତି ଧର୍ମପରାୟଣ, ସବୁଦିନେ ମନ୍ଦିରକୁ ଯାଆନ୍ତି । ମନ୍ଦିରରୁ ଫେରିଲା ପରେ ତାଙ୍କୁ ଦେଖିଲେ ମନେହୁଏ ଯେ ସେ ଘଣ୍ଟାଏ ଖଣ୍ଡେ ଭଗବାନଙ୍କ ସାଙ୍ଗରେ ଖୁସିଗପ କରି ଆସିଛନ୍ତି, ତାଙ୍କ ଲୀଳାର ଗହୀରିଆ କଥା, ମଜାକଥା ବୁଝି ଆସିଛନ୍ତି । ସେ କିଛିକ୍ଷଣ ପାଇଁ ପରିବାର ସହିତ ମିଶି ଯାଆନ୍ତି । ଦୁଃଖକ୍ଳେଶର ଗୁହାରି, ଭର୍ତ୍ସନା ଶୁଣିଲେ ମୃଦୁମୃଦୁ ହସନ୍ତି, କେବଳ ବାହୁ ଟେକି ‘ଗୋବିନ୍ଦଙ୍କ ଇଚ୍ଛା’ ବୋଲି କହନ୍ତି । ଅର୍ଥାତ୍‍ ଜୀବନନିର୍ବାହର ଯେତେକ ଯାତନା–ଅର୍ଥାଭାବ ଋଣର ବୋଝ, କନ୍ୟାଦାୟ ଇତ୍ୟାଦି ସମସ୍ତ ବିଷୟ ନେଇ ସେ ଗୋବିନ୍ଦଙ୍କ ସାଙ୍ଗରେ କଥାବାର୍ତ୍ତା କରି ନେଇଛନ୍ତି । ଗୋପନ କଥାବାର୍ତ୍ତା ।

 

ଆଜି କିନ୍ତୁ ସେ କେହି କିଛି କହିବା ପାଇଁ ଅପେକ୍ଷା କଲେ ନାହିଁ । ବିଷ୍ଣୁକୁ ଦେଖିସାରି ତାଙ୍କର ଓଠରେ ସ୍ୱଗତ ଆନନ୍ଦର ହସ ପ୍ରଷ୍ଫୁଟିତ ହେଲା । ବିଷ୍ଣୁ ଫେରି ଆସିଛି । ମନେ ହେଉଛି ଯେ ସେ ଅନ୍ୟମାନଙ୍କ ପରି ନୁହେଁ, ସହଜେ ଛାଡ଼ି ଦେଇ ଯିବନାହିଁ । ପିଲାଟା ଦେଖିବାକୁ ସେମିତି କିଛି ନୁହେଁ, ତଥାପି ହାତରେ ଥିବା ଭଲ । ଗୌରହରି ବାବୁ ବେଶ୍‍ ଥିଲାବାଲା ଲୋକ । ଦେଖାଯାଉ କଅଣ ହେଉଛି । ସବୁ ଗୋବିନ୍ଦଙ୍କ ଇଚ୍ଛା । ମୁରଲୀ ହେଲେ ସବୁଠୁ ଭଲ ହୁଅନ୍ତା,–ବହୁଦିନର ଚିହ୍ନା ଘର, ରୂପ, ଗୁଣ, ଧନ ସବୁ ଅଛି । କିନ୍ତୁ ସେ ଧରାଛୁଆଁ ଦେଉନାହିଁ । ସେ କୁଆଡ଼େ ସୁନ୍ଦର ଝିଅ ଖୋଜୁଛି । ଦେଖାଯାଉ । ଭାବୁଛି ବିଷ୍ଣୁକୁ ଧରି ପିଲାମାନେ ଥରେ ଯାଆନ୍ତୁ ପିକ୍‍ନିକ୍‍ କରି, ସାଆନ୍ତରା ତୋଟା ନହେଲେ ମୁକୁନ୍ଦପୁର ଫାର୍ମ୍‍ । ମୁରଲୀକୁ ଡାକିଲେ ଆସିବ ? କେଜାଣି । ଅଦୂର ଭବିଷ୍ୟତରେ କିଛି ନା କିଛି ଘଟିବ ବୋଲି ମନେ ହେଉଛି । ଲୀଳାମୟଙ୍କର ଅପୂର୍ବ ଲୀଳା,–କାଲି ସକାଳେ କ’ଣ ହେବ କିଏ କହିବ ?

 

** ପରଦିନ ସକାଳେ ଅବଶ୍ୟ କିଛି ଘଟିଲା ନାହିଁ, କିନ୍ତୁ ଏହାପରେ ବିଷ୍ଣୁର ଜୀବନ ନୌକା ଦ୍ରୁତଗତିରେ ଧାବିତ ହେଲା ।

 

ଦିନେ ସଞ୍ଜର ଅନ୍ଧାରରେ ବାରିର କେଉଁ ଗଛମୂଳରେ ସୁଶୀଳା ବିଷ୍ଣୁର ହାତକୁ ଧରିଲା ଓ ତା’ର ଆଙ୍ଗୁଳିଗୁଡ଼ିକ ଗୁଡ଼େଇ ତୁଡ଼େଇ ପଚାରିଲା ‘‘ବିଷ୍ଣୁଭାଇ, ତୁମେ ମୋତେ ଛାଡ଼ିକରି ଯିବନାହିଁ, କେବେହେଲେ ଯିବ ନାହିଁ । ମୋ ଦେହ ଛୁଇଁ କହ ।’’

 

ବିଷ୍ଣୁ ସ୍ତବ୍‍ଧ ହେଲା । ଆଘାତ ନୁହେଁ, ଅପ୍ରତ୍ୟାଶିତ ଅବଦାନର ସଂଘାତ । ଯେପରିକି ସେ ଆଶା କରି ନ ଥିଲା ଯେ ଏଭଳି ଗୋଟିଏ ମୁହୂର୍ତ୍ତ ତା’ ଜୀବନରେ ଆସିବ, ଜଣେ ଲୋକ ଏତେ ବେଶି ତା’ଠାରୁ ଚାହିଁବ, ଏତେ ବଡ଼ ଦାୟିତ୍ୱର ଗୌରବ ଆଣିଦେବ । ସୁଶୀଳାର ମୁହଁ ଅନ୍ଧାରରେ ଭଲ ଭାବରେ ଦିଶୁ ନାହିଁ । କିନ୍ତୁ ବୋଧହୁଏ ସେଇଥିପାଇଁ ତା’ର ନାରୀକାୟାର ନିବିଡ଼ତା ମାଡ଼ି ପଡ଼ୁଛି । ମନେ ହେଉଛି ଯେ ସେ ଆଦିମ ପୃଥିବୀର କନ୍ୟା,–ତା’ର ଅନୁରୋଧ, ଦାବି ଓ ଯାଚନା ଗୋଟିଏ ଧାତୁରେ ଗଢ଼ା, ତାକୁ ଟାଳିବାର ନୁହେଁ । ବିଷ୍ଣୁ ଭୀରୁ ନୁହେଁ, କାପୁରୁଷ ନୁହେଁ, ବାପା ମାଆ, ଭାଇ ଭଉଣୀ, ସାଙ୍ଗସାଥୀ, ସେମାନେ କ’ଣ କିଛି ବୁଝିବେ ? ନ ବୁଝନ୍ତୁ ? ମୁଁ ସ୍ୱୀକାର କରିବି, ଗ୍ରହଣ କରିବି, ସହିବି । ଆତ୍ମ–ଅନୁଭୂତିର ଆବେଶରେ ବିଷ୍ଣୁର ଆଖି ଦରବୁଜା ହୋଇଗଲା ଓ ସେ ସୁଶୀଳାର ହାତକୁ ନିଜର ଦୁଇ ହାତରେ ମୁଠେଇ ଧରି କହିଲା, ‘‘ସୁଶି ? ମୋତେ ବିଶ୍ୱାସ କର । ମୁଁ ତୁମକୁ ଛାଡ଼ିକରି ଯିବି ନାହିଁ, ବଞ୍ଚିଥିବା ଯାଏଁ । ଯଦି ମରିଯାଏ, ସେ କଥା ଅଲଗା–

 

ସୁଶୀଳା ଚଟ୍‍କରି ତା’ ହାତ ଛଡ଼ାଇ ଆଣି ବିଷ୍ଣୁର ପାଟିକୁ ଘୋଡ଼େଇ ଦେଲା, କହିଲା, ‘‘ଛିଃ, ସେମିତି କହିବ ଯଦି ଜାଣିଥା ।’’

 

**ବିଷ୍ଣୁ କାହାକୁ କିଛି କହିଲା ନାହିଁ । ଏ ନିଜ ମନର ଗହନ କଥା, ଦାଣ୍ଡଘାଟରେ ପଡ଼ିଲେ ତା’ର ମର୍ଯ୍ୟାଦା ନଷ୍ଟ ହୋଇଯିବ । ସେ ଆଶ୍ଚର୍ଯ୍ୟ ହେଲା–ମୁଁ ଆଗରୁ କେମିତି ଏତେ କଥା ମାଆ ଆଗରେ ଗପୁଥିଲି ?

 

କିନ୍ତୁ ପ୍ରଭାବତୀ ଦେବୀ ଲକ୍ଷ୍ୟକଲେ । ବିଷ୍ଣୁ ଅତି ନୀରବ । ଅବଶ୍ୟ ସେ ଏମିତି ବହୁତ ଦିନ ଚୁପଚାପ ରହେ, ତା’ପରେ ମାଆ ଆଗରେ କ’ଣ ବୋଲି କ’ଣ ଗପିଯାଏ । ଆଜିକାଲି ସେତିକି ବି ନାହିଁ । ମନେ ହେଉଛି ଯେ ସେ ନିଜ ଭିତରେ ମଜ୍ଜି ଯାଇଛି, ତା’ର କିଛି ଅଭାବ ନାହିଁ । ଏହି ମୌନତା ଭିନ୍ନ ଧରଣର, ଏଥିରେ ଅବାଗିଆପଣ ନାହିଁ । ସେ ଘରେ ସମସ୍ତଙ୍କ ସାଙ୍ଗରେ ସହଜ ଓ ସମାନ ଭାବରେ ମିଶୁଛି, ଥଟ୍ଟା ପରିହାସରେ ଯୋଗ ଦେଉଛି, ତରତର ହୋଇ ଖାଉ ନାହିଁ, ଭାଇ ଭଉଣୀଙ୍କ ମେଳରୁ ଖସିଯାଇ ତା’ ପଢ଼ାଘରକୁ ପଳାଉ ନାହିଁ । ସେ ଶାନ୍ତ । ସେ ତ ଏମିତି କେବେ ନ ଥିଲା ! ବିଷ୍ଣୁ କ’ଣ ସତରେ ବଦଳି ଯାଇଛି ? କ’ଣ ହେଲା ?

 

ପ୍ରଭାବତୀ ଦେବୀଙ୍କର ଖୁସି ହେବାର କଥା, ସେ ଖୁସି ହେବାକୁ ଚେଷ୍ଟା କଲେ । କିନ୍ତୁ ସେ ଅଶାନ୍ତ ହେଲେ । ...କିଛି ଗୋଟାଏ କାରଣ ଥିବ । ମୋର ଜାଣିବା କଥା, ମୁଁ ତା’ର ମାଆ ।

 

ତାଙ୍କର ମନେ ପଡ଼ିଲା ଯେ ବିଷ୍ଣୁ ସେହି କେଉଁ ପ୍ରଫୁଲ୍ଲ ବାବୁଙ୍କ ଘର କଥା ଗପୁଥିଲା । ଗତଥର ବୋଧହୁଏ କହୁଥିଲା ଯେ ତାଙ୍କର ଗୋଟାଏ ଶାରୀ ଅଛି, ସେ ସବୁ ଝିଅଙ୍କ ନା ଧରି ଡାକେ, ଭୋକକଲେ ଖାଇବାକୁ ମାଗେ ଇତ୍ୟାଦି । ସେ ଘର ତା’ର ଭାରି ପସନ୍ଦ । ସେ ଘରେ ଅନେକ ଝିଅ ଅଛନ୍ତି, ଜଣକ ନା ସୁଶୀଳା । ନା, ବିଷ୍ଣୁ ସେମିତିକା ପିଲା ନୁହେଁ । ଆଉ କୋଉ ପୁଅ ହୋଇଥିଲେ ହୁଏତ ମୁଁ ବିଶ୍ୱାସ କରନ୍ତି । କିନ୍ତୁ ଆଉ କୋଉ ପୁଅ ହୋଇଥିଲେ ମୁଁ ଏତେ ଭାବନ୍ତି ନାହିଁ । ଶେଷକୁ ବାଧ୍ୟ ହେଲାପରି ସେ ପଚାରି ଦେଲେ, ‘‘କିରେ ତୁ ଯାହାଙ୍କ କଥା କହୁଥିଲୁ, ତୋ ମାଇଁଙ୍କର ଭଉଣୀ ହେବେ ନା କଅଣ–ତାଙ୍କ ଖବର କଅଣ ? ତାଙ୍କୁ କହୁନୁ, ଥରେ କେବେ ପିଲାପିଲିଙ୍କୁ ଧରି ଆମ ଘରକୁ ଆସିବେ ।’’

 

‘‘ଆଚ୍ଛା,’’ କହି ବିଷ୍ଣୁ ଯେମିତି ଭାବରେ ତାଙ୍କ ଆଡ଼କୁ ଚାହିଁଲା, ସେଥିରେ ପ୍ରଭାବତୀ ଦେବୀଙ୍କର ଛାତି ଦବିଗଲା । ଏ ହେଉଛି କୃତଜ୍ଞତାର ଚାହାଣି । ...ନା, ଅସମ୍ଭବ । ମୋ ମନର ଭ୍ରମ । ...ଏବଂ ସେହି ପ୍ରଥମେ ତାଙ୍କର ଧାରଣା ହେଲା ଯେ ପ୍ରଫୁଲ୍ଲବାବୁଙ୍କ ଘର ଭଲଲୋକ ନୁହନ୍ତି । ସେମାନେ ହୀନ ଓ ଇତର ।

 

**ଯାହାହେଉ, ଗୋଟିଏ ନିର୍ଦ୍ଦିଷ୍ଟ ଦିନ ଉପରବେଳାରେ ସେମାନେ ଆସିଲେ । ସୁଶୀଳା, ତା’ ସବା ସାନ ଭଉଣୀ ପୁଷି ଓ ତାଙ୍କ ମାଆ । ବିଷ୍ଣୁ ଘରେ ଥାଏ ।

 

ପ୍ରଭାବତୀ ଦେବୀ ସେମାନଙ୍କୁ ଅପେକ୍ଷା କରିଥିଲେ । ଦିନସାରା ଅପେକ୍ଷା କରିଥିଲେ-। ଗୌରହରି ବାବୁଙ୍କଠାରୁ ଆରମ୍ଭ କରି ଦୀନୁ ପୂଝାରି ପର୍ଯ୍ୟନ୍ତ ତାଙ୍କ ସଦ୍‍ବେଗଜନିତ ବିରକ୍ତି ଲକ୍ଷ୍ୟ କଲେ । ତା’ର କାରଣ ବୁଝି ପାରିଲେ ନାହିଁ ।

 

କିନ୍ତୁ ସେମାନେ ପହୁଞ୍ଚିବା ମାତ୍ରେ ହିଁ ପ୍ରଭାବତୀ ଦେବୀଙ୍କ ଉଦ୍‍ବେଗ ଦୂର ହୋଇଗଲା-। ସେ ଆଶ୍ଚର୍ଯ୍ୟ ହେଲେ, ଖୁସି ହେଲେ ଓ ନିଜର ଆଶଙ୍କାକୁ ଧିକ୍‍ ବୋଲି କହିଲେ । କାହିଁକି ନା ସେ ସ୍ପଷ୍ଟଭାବରେ ଦେଖିଲେ ଯେ ସନ୍ଦେହର କୌଣସି କାରଣ ନାହିଁ । ଏ ଝିଅଟା ଅସୁନ୍ଦର ତା’ ମାଆ, ତା’ ଭଉଣୀ ସମସ୍ତେ ଅସୁନ୍ଦର । ବିଷ୍ଣୁ ଏତେ ବୋକା ନୁହେଁ, ଅଗୁଆଁର, ନୁହେଁ-। ସେ ଏତେ ଅସୁନ୍ଦର (ଏତେ ଖରାପ) ଲୋକଙ୍କ ଘରେ ଧରା ଦେବନାହିଁ । ସେମାନେ ମୋ ପୁଅକୁ କଅଣ ବୋଲି ପାଇଛନ୍ତି କି ?

 

ଏହି ଅପ୍ରତ୍ୟାଶିତ ଦୃଶ୍ୟରେ ଅନୁପ୍ରାଣିତ ହୋଇ ବିଷ୍ଣୁର ମାଆ ସେମାନଙ୍କୁ ପାଛୋଟି ଆଣିଲେ, ଉପରେ ପଡ଼ି କଥା କହିଲେ ଓ ଚର୍ଚ୍ଚା କଲେ–‘‘ବିଷ୍ଣୁ କେତେ ଥର ତମ କଥା କହିଲାଣି...ତମେ ଆମ ଭାଉଜଙ୍କ ଭଉଣୀ ପରା, ଆଜିଯାଏଁ ନଣନ୍ଦଟି ବଞ୍ଚିଛି କି ମଲାଣି ବୁଝିବାକୁ ମନ କଲନାହିଁ ? ଆସ ଆସ, ଆମ ଘର ଭିତରକୁ ଆସ... ଏ ଝିଅଟି ନାଁ କଅଣ ? କେଉଁ କ୍ଲାସରେ ପଢ଼େ ? ସମସ୍ତଙ୍କୁ କାହିଁକି ନେଇ ଆସିଲ ନାହିଁ ?’’ ଇତ୍ୟାଦି ଇତ୍ୟାଦି । ପୁଣି ସେ ଉଚ୍ଚଦରର ଜଳଖିଆ ପ୍ଲେଟରେ ଭରି ଦେଲେ, ଥରକୁ ଥର ଖାଇବାକୁ ବଳାଇଲେ ଓ ଭଲ କପ ପ୍ଲେଟରେ ଚା’ କରି ଦେଲେ । ...ଏ ଘରେ ଆଦର ଅଭ୍ୟର୍ଥନାରେ ତ୍ରୁଟି ହେବନାହିଁ । ବିଷ୍ଣୁର କହିବାକୁ ନ ଥିବ ଯେ ତା’ ସାଙ୍ଗର ମାଆଭଉଣୀ ଖାତିର ପାଇଲେ ନାହିଁ । କିନ୍ତୁ ଯେତେହେଲେ–

 

ଅର୍ଥାତ୍‍ ସେମାନେ ନିକୃଷ୍ଟ । ପ୍ରଭାବତୀ ଦେବୀ ମନେମନେ ସେମାନଙ୍କ ନିକୃଷ୍ଟତାର ନମୁନା ଗଣିବାକୁ ଲାଗିଲେ । ...ତାଙ୍କ ଶାଢ଼ି ପିନ୍ଧା ଢଙ୍ଗକୁ ଦେଖ ! ଗାଆଁର ହାଟୁଆ ବାଟୁଆ ଘର ବି ଏମିତି ଆଣ୍ଠୁ ଉପରକୁ ଶାଢ଼ି ପିନ୍ଧିବେ ନାହିଁ । ସେଥିରେ ପୁଣି ସ୍ନୋ, ପାଉଡ଼ର କେତେ ପରସ୍ତ ବୋଳା ହୋଇଛି, ଭଗବାନଙ୍କୁ ଜଣା । ...ବଡ଼ ଝିଅଟା ମୁହଁ ପୋତି ବସୁଛି, କିନ୍ତୁ ବେଳେ ବେଳେ କ’ଣ ହସ କଥା ପଡ଼ିଲେ ଘୋଡ଼ୀଙ୍କ ପରି ହସୁଛି । ଚାକୁ ଚାକୁ କରି ଖାଉଛି । ...ହେଲେ ସେ କମ୍‍ ଜଣେ ହୋଇ ନ ଥିବ । ଦେଖୁନା ସେ କେମିତି ଲୁଚେଇ ଲୁଚେଇ କଣେଇ କଣେଇ ଚାରିଆଡ଼କୁ ଚାହୁଁଛି, ସତେ ଯେମିତି ସେ ଏଠିକି ଗୋଇନ୍ଦାଗିରି କରିବାକୁ ଆସିଛି । ...ଗରିବ ଘର ସାଙ୍ଗରେ କିଛି କଥାନାହିଁ, ଅସଲ ହେଉଛି ସଭ୍ୟତା, ଖାନଦାନି । ଏ ଭାଉଜଙ୍କର କୋଉ ଭଉଣୀ, ହୋଇଥିବେ କୋଉଆଳିଆ ଲେଖାରେ...ବ୍ଲାଉସର କାଖମୂଳ ପାଖରେ କି କୋଚଟ ମଇଳା !

 

କହିବାକୁ ଗଲେ ସେ ଗୋଟିଏ ଅସ୍ୱାସ୍ଥ୍ୟକର, ଅପ୍ରୀତିକର ସାପକୁ ପିଟି ପିଟି ମାରିଦେଲେ, ତା ମୁଣ୍ଡକୁ ଛେଚିଦେଲେ–କାଳେ ସେ ବିଷଧର ହୋଇଥିବ, ଓ ପବନ ପିଇ ଜୀଇଁ ଉଠିବ ।

 

ସେମାନେ ଗଲାପରେ ପ୍ରଭାବତୀ ଦେବୀ ହସହସ ବଦନରେ ବିଷ୍ଣୁ ପାଖକୁ ଯାଇ ତା ଟେବୁଲ ପାଖରେ ଛିଡ଼ା ହେଲେ ଓ ସସ୍ନେହ ଦୃଷ୍ଟିରେ ତା ପାଠପଢ଼ା ଦେଖିଲେ । ମନେ ହେଉଥିଲା ଯେ, ଆଉ ଟିକିଏ ଗଲେ ସେ ତା ମୁଣ୍ଡ ଆଉଁଷି ଦେବେ ଓ କହିବେ–ପୁଅରେ, ମୁଁ ତୋତେ ଭୁଲ ବୁଝିଥିଲି ।

 

ବିଷ୍ଣୁ ପାଠ ପଢ଼ୁ ନ ଥିଲା । ତା ହାତରେ କଲମ ଧରା ହୋଇଥିଲା, ତା’ ସାମନାରେ ବହି ଖାତାର ଭିଡ଼, କିନ୍ତୁ ତା ଭଲରେ ଥିଲା ସାମାନ୍ୟତମ କୁଞ୍ଚନ, ଓଠରେ କ୍ଷୀଣତମ ଚାପ । ଏକାଗ୍ରତାର ଲକ୍ଷଣ ଦେଖା ଯାଉ ନଥିଲା । ପାଠପଢ଼ା, ଖାଇବା ପିଇବା, ଶୋଇବା–ଏ ସବୁ ଗଡ଼ିଗଡି ଯିବ, ଯେହେତୁ ଜୀବନରେ ଜଣେ ଅଛି । ସେ ଅଛି, ଉଦ୍ଦେଶ୍ୟ ଓ କାରଣ ଅଛି । ...ସେ ଆଜି ଆମ ଘରକୁ ଆସିଛି । ନିଜେ ମାଆ ନିମନ୍ତ୍ରଣ କରି ଆଣିଛି ।

 

ବିଷ୍ଣୁ ମାଆର ଉପସ୍ଥିତି ତଥା ଅନୁରାଗ ଅନୁଭବ କଲା ଏବଂ ଅନ୍ତରଙ୍ଗ–ମଧୁର ଭଙ୍ଗୀରେ ପଚାରିଲା–‘‘ଦେଖିଲୁ ?’’

 

‘‘କାହାକୁ ?’’ ସେ ଓଲଟି ପଚାରି ବସିଲେ । ତାଙ୍କ କଣ୍ଠରେ ସାମାନ୍ୟ ରୁକ୍ଷତା ଥିଲା ।

 

ବିଷ୍ଣୁ ମାଆର ଭାବାନ୍ତର ଲକ୍ଷ୍ୟ କଲାନାହିଁ । ବୋଧହୁଏ ସେ ସେପରି ଅବସ୍ଥାରେ ନ ଥିଲା । କହିଲା, ‘‘ଏଇ ସେମାନେ । ତାଙ୍କ ମାଆ ଆଉ ସୁଶୀଳା । ସୁଶୀଳା ପିଲାଟି ଭଲ ନୁହେଁ ?’’

 

ପ୍ରଭାବତୀ ଦେବୀ ହସିଲେ । ବୋଧହୁଏ ଭାବିଲେ ଯେ ତା ଛଡ଼ା ଅନ୍ୟ ଉପାୟ ନାହିଁ । ହସିଦେଲେ ସନ୍ଦେହଭୂତ ଦୂର ହୋଇଯିବ । ସେ ହସିକରି କହିଲେ, ‘‘ହଁ, କିନ୍ତୁ ଦେଖିବାକୁ ମୋଟେ ସୁନ୍ଦର ନୁହେଁ ।’’

 

‘‘ନା ସେମିତି କିଛି ସୁନ୍ଦର ନୁହେଁ । କିନ୍ତୁ ତା’ର ସ୍ୱଭାବ ଭଲ, ଭାରି ଭଲ । ଆଉ ସେ ଭାରି କାମିକା, ଘରର ଅଧେ କାମ ସେ ନିଜେ କରେ । ତାଙ୍କ ମାଆ ଆଜିକାଲି କାମକୁ ପାରୁ ନାହାନ୍ତି କିନା–’’

 

‘‘ତାର ପାଠଶାଠ କେମିତି ?’’

 

‘‘ସାଧାରଣ ।’’ ଏତିକି କହିଲା ପରେ ବିଷ୍ଣୁ ଚେଇଁ ଉଠିଲା । ମାଆ କଅଣ ମୋତେ ଜେରା କରୁଛି ? ଏବଂ ସେ ମାଆର ମୁହଁରେ ଛପିଲା କ୍ରୋଧ ଓ ହତାଶାର ଲକ୍ଷଣ ଦେଖିବାକୁ ପାଇଲା । ଆଶ୍ଚର୍ଯ୍ୟ । ମାଆର ହାଡ଼ୁଆ ମୁହଁ ଆହୁରି ଶୁଖିଲା ଦେଖା ଯାଉଛି । କିନ୍ତୁ ମନେ ହେଉଛି ଯେ ସେ ଛାଡ଼ିବାକୁ ଚାହେଁନାହିଁ । ହୋଇପାରେ ଯେ ସେ ଦୁର୍ବଳା, ତାକୁ ଏ ଘରେ କେହି ପଚାରନ୍ତି ନାହିଁ, କିନ୍ତୁ ସେ ତା’ର ଶେଷ ଅଧିକାରଟିକ ଛାଡ଼ିବାକୁ ଚାହେନାହିଁ ।

 

ପ୍ରଭାବତୀ ଦେବୀ କହି ଚାଲିଲେ ନିଜକୁ କହିଲାପରି, ‘‘ତୁ ଯାହା କହ, ମୋତେ ତାଙ୍କ ଢଙ୍ଗଢ଼ାଙ୍ଗ ନିହାତି ମଫସଲିଆ ଲାଗିଲା । ଆଉ ସେ ଝିଅଟା ଏଡ଼େ ବଡ଼ ହେଲାଣି, ହେଲେ କିଛି ସଣ୍ଠଣା ଶିଖିନାହିଁ । ...ତାଙ୍କ ମାଆଙ୍କ କଥାରୁ ଜଣା ପଡ଼ିଲା ଯେ, ସେ ତାକୁ ଶୀଘ୍ର ବାହା କରିଦେବାକୁ ଚାହାନ୍ତି । କିଏ ତାକୁ ବାହାହେବ କେଜାଣି । ଏକେତ ଦେଖିବାକୁ ସୁନ୍ଦର ନୁହେଁ, ପୁଣି ପାଠଶାଠରେ ଭଲନୁହେଁ, ଢଙ୍ଗଢ଼ାଙ୍ଗ ଯାହା ଦେଖିଲି ଦେଖିଲି । ମୁଁ ନିନ୍ଦା କରୁନାହିଁ । ସବୁ ଦୋଷ ତା’ର ନୁହେ ।’’

 

ଥାଉ ମାଆ, ସେତିକି ଥାଉ । ମୁଁ ବୁଝୁଛି, ବୁଝିପାରୁଛି । ବିଷ୍ଣୁ ଆଉ ଶୁଣିବାକୁ ଚାହିଁଲାନାହିଁ ଓ ମାନସପଟରେ ବଡ଼ବଡ଼ ଅକ୍ଷରରେ ଲେଖିଦେଲା–ମାଆ ଚାହେଁ ନାହିଁ, ଚାହେଁ ନାହିଁ, ଚାହେଁ ନାହିଁ ।

 

ବେଶ୍‍ ଭଲ କଥା, ସେ ଚାହେଁ ନାହିଁ । ମୁଁ ଗୋଟାଏଆଡ଼ୁ ନିଶ୍ଚିନ୍ତ । ମାଆ ନିଜକୁ ଜଣାଇ ଦେଇଛି, ପରିଷ୍କାର ଭାବେ ଜଣାଇ ଦେଇଛି ।

 

କିନ୍ତୁ ତାକୁ ରାଗ ଆସିଲା, ଯେତେବେଳେ ପ୍ରଭାବତୀ ଦେବୀ ତାଙ୍କ ବକ୍ତବ୍ୟ ଶେଷକଲା ପରେ ମଧ୍ୟ ସେଇଠି ଛିଡ଼ାହୋଇ ରହିଲେ । ଯେପରିକି ତାଙ୍କ କଥା ସରିନାହିଁ, ସେ ପ୍ରୟୋଜନ ହେଲେ ପୁଣି ଆଉ କିଛି କହିବେ, ପୁଅକୁ ସତ୍‍ପଥକୁ ନ ଆଣିବାଯାଏଁ ଫେରିବେ ନାହିଁ । ମାଆ ହୋଇ ସେ ପୁଅର ଏ ଅବସ୍ଥା ଦେଖି ପାରିବେ ନାହିଁ ।

 

ମାଆ ପୁଅ ଦୁହେଁ ବହୁକ୍ଷଣ ଯାବତ୍‍ ନୀରବ ରହିଲେ । ଶେଷକୁ ପ୍ରଭାବତୀ ଦେବୀ ବିଷ୍ଣୁର ପିଠିରେ ହାତ ରଖିଲେ, ଓ କ୍ଳାନ୍ତ ସ୍ୱରରେ କହିଲେ, ‘ପଢ଼, ମନ ଦେଇ ପାଠପଢ଼ ।’’ ତଦ୍ଦ୍ୱାରା ବିଷ୍ଣୁର କ୍ରୋଧର ମାତ୍ରା ସବୁଠାରୁ ବଢ଼ିଗଲା, ଓ ସେ ଭାବିଲା ଯେ ସେ ଦିନେ ନା ଦିନେ ଏହି ମାଆ ପଣର ପ୍ରତିଶୋଧ ନେବ ।

 

ଦୁର୍ଭାଗ୍ୟ । ବିଷ୍ଣୁ ଗୋଟାଏ ଦିନ ମଧ୍ୟ ନିଜକୁ ସଜାଡ଼ିବାକୁ ବେଳ ପାଇଲା ନାହିଁ । ରାତିରେ ସେ ମାଆବାପାଙ୍କ କଥୋପକଥନ ଶୁଣିବାକୁ ପାଇଲା । ଦାଣ୍ଡଘରେ କଥୋପକଥନ । ଦୁହେଁ ଲମ୍ୱା ସୋଫାର ଦୁଇ ଦିଗରେ ବସିଛନ୍ତି, ଗୌରହରି ବାବୁ ସତୃଷ୍ଣ ନୟନରେ ଭଙ୍ଗା ହୋଇ ରହିଥିବା ଖବରକାଗଜ ଆଡ଼କୁ ଚାହିଁଛନ୍ତି ଏବଂ ପ୍ରଭାବତୀ ଦେବୀ ଜରୁରୀ କଥାରେ ଆକ୍ରମଣ ଚଳାଇଛନ୍ତି । ବିଷ୍ଣୁର ମନେହେଲା ଯେ ବାପାଙ୍କ ପାଖରେ ମାଆର ଏପରି ଏକମୁଖୀ ଏକନିଷ୍ଠ ବ୍ୟବହାର ସେ ଆଗରୁ ଦେଖି ନ ଥିଲା ସେ ଶୁଣିଲା ବାପା କହୁଛନ୍ତି–‘‘ସେ ସେଠି କାହିଁକି ବାହା ହେବାକୁ ଚାହେଁ ?’’

 

‘‘କାହିଁକି, ସେ କଥା ମୁଁ କେମିତି କହିବି ? କିନ୍ତୁ ତା’ର ସେଠି ବାହା ହେବା ମୋଟେ ଉଚିତ ହେବନାହିଁ । ମୁଁ ଆଜି ସେ ଝିଅକୁ ଦେଖିଲି–’’

 

‘‘ବେଶ୍‍, ବେଶ୍‍’’ । ଗୌରହରି ବାବୁ ସ୍ତ୍ରୀଙ୍କର ବର୍ଣ୍ଣନାକୁ ଅଧାବାଟରେ କାଟି ଦେଲେ । ‘‘କିନ୍ତୁ କଥା ହେଉଛି ଯେ ସେ କେମିତି ବାହା ହେବ ?’’

 

ସ୍ୱାମୀ ସ୍ତ୍ରୀ ପରସ୍ପରକୁ ନ ବୁଝିଲା ପରି ଚାହିଁ ରହିଲେ ।

 

କିଛି ସମୟ ପରେ ଗୌରହରି ବାବୁ ହସି ଉଠିଲେ । ସେ ଆଉ ସମ୍ଭାଳି ପାରିଲେ ନାହିଁ, ଘଟଣାର ନିର୍ବୋଧତା ତାକୁ ଅତିକ୍ରାନ୍ତ କରିଦେଲା । ତା’ ପରେ ସେ କହିଲେ, ‘‘କିଓ, ବିଷ୍ଣୁ ଆଗେ ମଣିଷ ହେଉ । ଏହିକ୍ଷଣି ତା’ ବାହାଘର କଥା କାହିଁକି ପଡ଼ିଛି ? ତମେ ବ୍ୟସ୍ତ ହୁଅନାହିଁ । ମୁଁ ତାକୁ ପଚାରିବି ।’’

 

ବିଷ୍ଣୁ ଆଉ ସେଠି (ସିଡ଼ିଘରର ଆଢ଼ୁଆଳରେ) ରହି ପାରିଲା ନାହିଁ, ଧପ୍‍ ଧପ୍‍ ହୋଇ ସିଡ଼ି ଚଢ଼ି ତା’ ପଢ଼ା ଘରକୁ ଚାଲିଗଲା । କାହିଁକିନା ସେ ଅନୁମାନ କଲା ଯେ ବାପା ଯେ କୌଣସି ମୁହୂର୍ତ୍ତରେ ‘‘ପ୍ରଶ୍ନ’’ ପଚାରିବେ, ସେ ମରିଯିବ ପଛକେ ସେମିତିକା ପ୍ରଶ୍ନର ଉତ୍ତର ଦେଇ ପାରିବନାହଁ । ଯଥା–ବିଷ୍ଣୁ ତୁ କାହିଁକି ବାହା ହେବୁ ? ଅର୍ଥାତ୍‍ ତୁ କ’ଣ ମଣିଷ ହେବୁନାହିଁ ? ...ତୁ ସେଠି କାହିଁକି ବାହା ହେବୁ ? ଅର୍ଥାତ୍‍ ପ୍ରେମ ??? ଏପରିକି ତା’ର ଆଶଙ୍କା ହେଲା ଯେ ବାପା ପଚାରି ବସିବେ, ଅସମ୍ଭବ ନୁହେଁ–ସେ ତୋତେ କାହିଁକି ବାହା ହେବାକୁ ଚାହେଁ ?

 

ଏହା ପରେ ବିଷ୍ଣୁ କ’ଣ କରି ପାରି ଥାଆନ୍ତା ? ସୁଶୀଳା କେବଳ ଜଣେ, ସୁଶୀଳା । ତା’ରି ପାଇଁ ବାପା ମାଆଙ୍କର ଏହି ଅଲୋଡ଼ା ସଂସାରକୁ ଛାଡ଼ିଦେଇ ହେବ, ତ୍ୟାଜ୍ୟ କରି ଦେଇ ହେବ । ସେ ଠିକ୍‍ କଲା ଯେ ସେ ସୁଶୀଳାକୁ ଦେଖିବାକୁ ଯିବ, ଯେତେ ଶୀଘ୍ର ପାରେ, ଓ ତାକୁ ସବୁକଥା କହିବ । ତା’ଠାରୁ ପୁଣି ସଂପୂର୍ଣ୍ଣ ହୋଇ ଫେରିବ, –ଡର କାହାକୁ, ଭୟ କାହାକୁ !

 

** ତେଣୁ ତା’ ପରଦିନ ସକାଳେ ତୋଫାନିଆ ବର୍ଷାକୁ ନ ମାନି ସେ ସୁଶୀଳାର ଘରକୁ ଗଲା । ଗଲାବେଳକୁ ତା’ର ମନେ ହେଉଥିଲା ଯେ ଏ ପାଣିପବନ ଯଥେଷ୍ଟ ନୁହେଁ, ପ୍ରବଳ ଝଡ଼ ବହୁଥିଲେ ଗଛବୃକ୍ଷ କଡ଼ମଡ଼ ହୋଇ ଭାଙ୍ଗି ପଡ଼ୁଥିଲେ ମଧ୍ୟ ସେ ସୁଶୀଳା ପାଖକୁ ଯାଇ ଥାଆନ୍ତା ।

 

ସେ ଯାଇ ଦେଖିଲା ଯେ ସୁଶୀଳା ତାଙ୍କର ସେହି ଶୋଇବା ଘରର ଗୋଟିଏ କୋଣରେ ଛିଡ଼ା ହୋଇ ମୁଣ୍ଡ କୁଣ୍ଡାଉଛି ଓ ଗୁଣୁଗୁଣୁ ହୋଇ ଗୀତ ଗାଉଛି । ଜଣା ପଡ଼ୁଛି ସେ ଯେ ଖୁସି ଅଛି-

 

ବିଷ୍ଣୁ ପଛରୁ ଧୀର କଣ୍ଠରେ ଡାକିଲା–ସୁଶି !

 

ସୁଶୀଳା ମୁହଁ ଫେରାଇଲା । କିନ୍ତୁ ସେ ଚମକି ପଡ଼ିଲା କାହିଁକି ? ଯାହାହେଉ ବିଷ୍ଣୁ ତା’ର କାରଣ ଖୋଜିବାକୁ ଚାହିଁଲା ନାହିଁ । ସୁଶୀଳାର ତ୍ରସ୍ତ ଚାହାଣି, ତା’ର ଅବିନ୍ୟସ୍ତ ବେଶଭୂଷା, ଆଲୁଳାୟିତ କୁନ୍ତଳ ଏବଂ ମେଘ ବରଷାର ଛାଇକୁ ନେଇ ଯେଉଁ ମୋହନୀୟ ରୂପ ଦେଖାଗଲା, ବିଷ୍ଣୁ ତାକୁ ହିଁ ଚାହିଁ ରହିଲା । କିଏ କହିଲା ଯେ ସେ ଅସୁନ୍ଦର ? ସେମାନେ ଜାଣନ୍ତି ନାହିଁ । ତା’ ଛଡ଼ା ସେ ଅନ୍ୟମାନଙ୍କ ପାଖରେ ସୁନ୍ଦର ହୋଇ ପାରିବ ନାହିଁ, କେବଳ ମୋ’ରି ପାଖରେ ।

 

ବିଷ୍ଣୁର ମନରେ ଗୋଟିଏ ଅଶୋଭନୀୟ ଭାବର ଉଦୟ ହେଲା ଯେ ସେ ସୁଶୀଳାର ଓଠରେ ଚୁମ୍ୱନ ଦେବ । ତା’ର କମ୍ପମାନ ଓଠରେ ସମ୍ମାନର ସହିତ ଏକ ସୁଦୀର୍ଘ ଚୁମ୍ୱନ ଦେବ, ଭେଟି ଦେଲାପରି । ଯେଉଁଥିରେ ସବୁ ଭାଙ୍ଗି ସିଧା ହୋଇଯିବ, ଆଉ କିଛି କହିବାକୁ, କିଛି ଭାବିବାକୁ ନ ଥିବ । କିନ୍ତୁ ସେ ନିଜକୁ ସଂଯତ କଲା ।...ମୁଁ ସେମିତିକା ପିଲା ନୁହେଁ । ମୁଁ ସୁଶୀଳାର କୁମାରୀତ୍ୱ, ତା’ର ପବିତ୍ରତା ନଷ୍ଟ କରି ପାରିବି ନାହିଁ ।

 

ସୁଶୀଳା ଥଙ୍ଗଥଙ୍ଗ ହୋଇ କହିଲା, ‘‘ବିଷ୍ଣୁ ଭାଇ (କ’ଣ କହିବି ? କେମିତି କହିବି ? ଏ ଜଣକ ଅନ୍ୟମାନଙ୍କ ପରି ନୁହେଁ, ୟାଙ୍କୁ ବୁଝାଇବା କଷ୍ଟ)–ବିଷ୍ଣୁ ଭାଇ–କାଲି ଆମେ ତୁମ ଘରକୁ ଯାଇଥିଲୁ । ଆଉ କାଲି ରାତିରେ ବାପା କହିଲେ ଯେ–

 

ସୁଶୀଳା ଆନତ-ବଦନା । କଥା ଆଗେଇପାରୁ ନାହିଁ । ବିଷ୍ଣୁ ଆଗ୍ରହରେ ଛଟପଟ ହେଲା । ତା ହେଲେ–ତା ହେଲେ–କ’ଣ ପ୍ରସ୍ତାବ ପଠା ହୋଇ ସାରିଛି ? କେତେବେଳେ ଗଲା ? କାହା ହାତରେ ଗଲା ? ଏ ହୁଣ୍ଡୀ ଏମିତି ଲାଜଉଛି କାହିଁକି ?

 

ବିଷ୍ଣୁ ଭାଇଙ୍କ ଶୁକୁଟା ମୁହଁ ଉତୁରି ଆସୁଛି । ତାଙ୍କ ଭସାଣିଆ ଆଖିରେ ଅସଂଖ୍ୟ ଢେଉ କୁଳୁକୁଳୁ ହେଉଛି । ସୁଶୀଳା ଦେଖିଲା ଓ ତା’ର ରାଗ ଆସିଲା । କେମିତିକା ମଣିଷଟିଏ । ଏ କ’ଣ କିଛି ବୁଝି ପାରୁ ନାହାନ୍ତି ? କିନ୍ତୁ ମୋର ଦୋଷ ନୁହେଁ, ମୋର ଦୋଷ ନୁହେଁ । ...ସୁଶୀଳା ଆବିଷ୍କାର କଲା ଯେ ତା’ର ଆଖିରେ ଲୁହ ଜକେଇ ଆସୁଛି ଏବଂ ସେହି ହେତୁ ସେ ନିଜକୁ ପ୍ରମାଣିତ କଲା ଯେ ତା’ର ଦୋଷ ନୁହେଁ, ତା’ର ଦୋଷ ନୁହେଁ, ସେ ବିଷ୍ଣୁ ଭାଇ ପାଇଁ କାନ୍ଦୁଛି ।

 

ନିଜକୁ ଟାଣ କରିବାକୁ ହେବ । ମୁଁ ନ କହିଲେ ତାଙ୍କୁ ଆଉ କହିବ କିଏ ? ସୁଶୀଳା ମନରେ ଦମ୍ଭ ଆଣିଲା ଓ ମୁହଁ ଉଠାଇ ରୁଦ୍ଧ କଣ୍ଠରେ ତା’ର କଥା ଶେଷ କଲା, ‘‘ବାପା କହିଲେ ଯେ ତୁମ ଘରକୁ ପ୍ରସ୍ତାବ ଯିବ ନାହିଁ । ସେ ଆଉ ଗୋଟିଏ ଜାଗାରେ ଠିକ୍‍ କରିଛନ୍ତି– ।’’

 

‘‘କାହା ଘରେ ? ସେ କିଏ ?’’

 

ସୁଶୀଳା ଦେଖିଲା ଯେ ବିଷ୍ଣୁ ଭାଇଙ୍କର ଚାହାଣି ଗୋଳିଆ ଓ ଗହୀରିଆ ହୋଇ ଆସୁଛି-। ବିଷ୍ଣୁ ଭାଇ କଷ୍ଟ ପାଉଛନ୍ତି । ସେ ତାତି ଉଠୁ ନାହାନ୍ତି, ପାଟି କରୁ ନାହାନ୍ତି । ତଥାପି ଡର ଲାଗୁଛି । ସତେ କି ସେହି ମନ୍ଥନରୁ ଯାହା ବାହାରିବ ତାକୁ ସହି ହେବନାହିଁ । ...କାଲିକା କଥା ମନେ ପଡ଼ୁଛି । କାଲି ବାପା ଯେତେବେଳେ କହିଲେ ଯେ ଏଠି ପ୍ରସ୍ତାବ ପଡ଼ିବ ନାହିଁ, ସେତେବେଳେ ମନରେ ଦୁଃଖ ହେଲା, କିନ୍ତୁ ଉଶ୍ୱାସ ଲାଗିଲା–ଗୋଟିଏ ଅଜଣା ଭୟରୁ ତ୍ରାହି ମିଳିଲା ପରି । ତାପରେ ବାପା କହିଲେ ମୁରଲୀଭାଇଙ୍କ କଥା, ଯେ ସେଠି ପ୍ରସ୍ତାବ ପଡ଼ିବ, ତାଙ୍କ ବାପ ମାଆ ରାଜିହେବେ ବୋଲି ଜଣା ପଡ଼ୁଛି । ସେତେବେଳେ ମନରେ ଆସିଲା ଯେ ସେଇୟା ହେଉ । ମୁଁ ଭାବିଲି ଯେ ମୁଁ ମୁରଲୀ ଭାଇଙ୍କୁ ଭଲ ପାଏ ନାହିଁ, ଉତ୍ତମ । ସେଠି ପ୍ରେମ ନାହିଁ, ଡର ନାହିଁ, ଲଗା ନାହିଁ ପଘା ନାହିଁ, କାହିଁକି-? ମୁଁ କଅଣ ଭଲ ପାଇବାକୁ ଆବୁରି ପାରିଲି ନାହିଁ ? ମୁଁ ତା’ର ଯୋଗ୍ୟ ନୁହେଁ ?

 

‘‘ସୁଶି ! ମୋତେ କୁହ । ମୋତେ କୁହ ।’’

 

ଓଃ ! ସେ କାହିଁକି ଏମିତି ହେଉଛନ୍ତି ? ଜାଣିଲେ କ’ଣ କରି ପକାଇବେ ? ହିଂସା । ଛୋଟ ମଣିଷର ହିଂସା....ସୁଶୀଳାର ମନେ ହେଲା ଯେ ସେ ନିଜକୁ ଓ ମୁରଲୀ ଭାଇଙ୍କୁ ଏହି ହିଂସାର ଦାଉରୁ ରକ୍ଷା କରିବ । ...ମୁଁ କହିବି ନାହିଁ, କିଛି କହିବି ନାହିଁ । ମୁଁ କଅଣ ବା ଜାଣିଛି ? ଶେଷକୁ ମୋର ବାହାଘର କେଉଁଠି ହେବ କିଏ କହିବ ?

 

ଭଗି ଭାଇ ଘରେ ନାହିଁ । ବାପା ମନ୍ଦିରକୁ ଯାଇଛନ୍ତି (ଯେତେ ଝଡ଼ି ବର୍ଷା ହେଲେ ବି ସେ ମନ୍ଦିରକୁ ଯାଆନ୍ତି) କିନ୍ତୁ ଅନ୍ୟମାନେ ମାଆ, ସୁଲି, ନୀଲି ଥର ଥର କରି ଅନେଇ ଦେଇ ଗଲେଣି । ଭୂରୁ କୁଞ୍ଚେଇ ଫେରି ଗଲେଣି । ସେମାନେ ମଧ୍ୟ ଏହି ଦୃଶ୍ୟ ଦେଖି ଡରୁଥିବେ । ସୁଶୀଳାକୁ ଲାଗିଲା ଯେ ଅଭିମନ୍ୟୁ ପରି ସେ ଗୋଟିଏ ମରଣାନ୍ତକ ବ୍ୟୂହରେ ପଡ଼ି ଯାଇଛି । ବିଷ୍ଣୁ ଭାଇ ଜଣେ ନୁହେଁ, ଅନେକ ! ପ୍ରେମ ଓ ହିଂସାର ଫଉଜ !

 

ମୋତେ ବାଧୁଛି, ମୋତେ ଆଉ ହଇରାଣ କର ନାହିଁ–ଏହି ଭାବରେ ସୁଶୀଳା ତା’ ମୁହଁକୁ ଦୁଇହାତ ପାପୁଲିରେ ଘୋଡ଼େଇ ଦେଲା ଓ କୌଣସିମତେ କହି ପକାଇଲା, ‘‘ମୁଁ ଜାଣେ ନାହିଁ ବିଷ୍ଣୁ ଭାଇ, ମୁଁ ଜାଣେ ନାହିଁ ।’’

 

ବୋଧହୁଏ ବିଷ୍ଣୁର ଦୟା ଆସିଲା । ସେ ଆଉ କିଛି ପଚାରିଲା ନାହିଁ, କିନ୍ତୁ ସେ କହିଲା-। ସୁଶୀଳାର ମୁହଁରୁ ତା’ ହାତକୁ କାଢ଼ି ଆଣି ରୋକଠୋକ କଥା କହିଲା ପରି କହିଲା, ‘‘ଶୁଣ । ବ୍ୟସ୍ତ ହୁଅ ନାହିଁ । କାହାର ସାଧ୍ୟ ନାହିଁ ଆମକୁ ଅଲଗା କରି ପାରିବ । ମୋ ବାପା ମାଆ ଚାହାନ୍ତି ନାହିଁ–ମୁଁ ସେଇୟା କହିବାକୁ ଆସିଥିଲି । ତୁମ ବାପା ମାଆ ମଧ୍ୟ ଚାହାନ୍ତି ନାହିଁ । ନ ଚାହାନ୍ତୁ । ମୁଁ ତୁମକୁ କଥା ଦେଇଛି ।’’

 

ନା–ବିଷ୍ଣୁ ଭାଇ, ନା ! ସୁଶୀଳାର ଇଚ୍ଛା ହେଲା ପାଟି କରି ଉଠିବ । ...ତୁମେ କିଛି କଥା ଦେଇ ନାହଁ । ମୁଁ ତୁମକୁ କିଛି ମାଗି ନାହିଁ, ତୁମେ କିଛି ଦେଇ ନାହଁ । ଯଦି ମାଗିଥାଏ ମୋର ଭୁଲ ହୋଇଛି, ମୋତେ କ୍ଷମା ଦିଅ ।

 

କିନ୍ତୁ ବିଷ୍ଣୁ କହି ଚାଲିଲା ଚିର ପ୍ରେମିକର ଅଭୟବାଣୀ । ସେ ସୁଶୀଳାର ବିକଳ ଅବସ୍ଥା ଦେଖଲା, ଦେଖିଲା ଯେ ସେ କାନ୍ଦୁଛି ଓ ମୁଣ୍ଡ ହଲାଇ ‘ନାହିଁ ନାହିଁ’ କରୁଛି । ଅସହାୟ, ଅବଳା ।

 

ସୁଶୀଳା ପ୍ରକୃତରେ କାନ୍ଦୁଥିଲା । କାନ୍ଦଣା ଭିତରେ ସେ କହିବ ବୋଲି ହେଉଥିଲା, କହିପାରୁ ନ ଥିଲା–ନା, ନା, ନା ତୁମେ ନୁହଁ । ତୁମକୁ ମୁଁ ଜାଣେ ନାହିଁ । ତୁମେ ଅନ୍ଧାରି ଜୀବ । ମୁରଲୀ ଭାଇ ଜଣାଶୁଣା, ମୁରଲୀ ଭାଇ ସାଧାରଣ, ସାଧାରଣ ଓ ସୁନ୍ଦର । (ତା’ ମନରେ ଆସିଲା ଯେ ସାଧାରଣ ହେବା ଓ ସୁନ୍ଦର ହେବା ଏକା ଜିନିଷ) । ତୁମେ ଏକବାଗିଆ, ଅସାଧାରଣ, ଅମଣିଷ । କୁତ୍ସିତ ! ମୁଁ ତୁମକୁ ବାହା ଦେବାକୁ ଚାହେଁ ନାହିଁ । ମୋର ଦୁର୍ଭାଗ୍ୟ ଯେ ମୁଁ ତୁମକୁ ଭଲ ପାଉଥିଲି, ଭଲପାଏ... ।

 

ସେ ଆଉ ପାରିଲା ନାହିଁ । କଇଁ କଇଁ ହୋଇ ହାତଯୋଡ଼ି କହିଲା, ‘‘ତୁମ ଗୋଡ଼ତଳେ ପଡ଼ୁଛି ତୁମେ ଏଠୁ ଚାଲିଯାଅ । ପ୍ଳି–ଜ୍‍ । ତୁମକୁ ମୋ ରାଣ ।’’

 

ବିଷ୍ଣୁ କଥା ମାନିଲା । କହିଲା, ‘‘ଆଚ୍ଛାହେଉ, ମୁଁ ଯାଉଛି କିନ୍ତୁ ଯିବା ଆଗରୁ କହିଯାଉଛି ଯେ ଯଦି ତୁମକୁ ନ ପାଏ, ତାହାହେଲେ ମୁଁ ବଞ୍ଚି ପାରିବି ନାହିଁ । ମୁଁ ଆତ୍ମହତ୍ୟା କରିବି –।’’ ସେ ବୁଲିପଡ଼ି ଏକମୁହାଁ ହୋଇ ଫେରିଗଲା ।

 

ସୁଶୀଳା ତାକୁ ଅଟକାଇଲା ନାହିଁ, କିଛି କହିଁଲା ନାହିଁ । ତା’ର ମନେହଲା ଯେ ସେ ନିୟତିର ଖେଳ ଦେଖୁଛି, ସେଥିରେ ହାତ ଦେବାର କ୍ଷମତା ତା’ର ନାହିଁ । ଏବଂ ବିଷ୍ଣୁର ଫେରନ୍ତା ବାଟକୁ ଚାହିଁ ରହି ସେ ଭାବିଲା–ଏଇୟା ହେବାକୁ ଥିଲା । ସୁଶୀଳାର ଭାଗ୍ୟରେ ଏଇୟା ଅଛି !

 

** କହିବାକୁ ଗଲେ ଏହି ହେଉଛି ନାଟକର ଶେଷ ଦୃଶ୍ୟ । କାରଣ ଏହାପରେ ବିଷ୍ଣୁ ଅପେକ୍ଷା କରି ରହିଲା, କେଉଁ ଦିନ ସେ ଶୁଣିବ ଯେ ସୁଶୀଳାର ଆଉ କେଉଁଠି ବାହାଘର ଠିକ୍‍ ହୋଇ ଯାଇଛି । ଯେପରିକି ଏହି ଗୋଟିଏ ସୁଯୋଗ ମଳିଛି, ହାତଛଡ଼ା ହୋଇ ଗଲେ ପୁଣି ତାକୁ ବଞ୍ଚିବାକୁ ହେବ । ମଣିଷପଣିଆର ଏହି ଗୋଟିଏ ନିଦର୍ଶନ, ଏହି ଗୋଟିଏ ଅଧ୍ୟାୟ ବାକି ରହିଛି,–ଆତ୍ମହତ୍ୟା । ତାହାହେଲେ ହୁଏତ ସେମାନେ ବୁଝିବେ । ଶୁଭାକାଙ୍‍କ୍ଷୀ ବାପା, ମମତାମୟୀ ମାଆ, ଧର୍ମାତ୍ମା ପ୍ରଫୁଲ୍ଲ ବାବୁ, ପ୍ରେମଶୀଳା ଅବଳା ସୁଶୀଳା, ଏବଂ ଅନ୍ୟମାନେ ସମବୟସୀ, ସାଙ୍ଗସାଥୀ, ବନ୍ଧୁବାନ୍ଧବ । ସେମାନେ କଅଣ ବୁଝିବେ ତା’ର ରୂପରେଖା ଅବଶ୍ୟ ସ୍ପଷ୍ଟ ହୁଏନାହିଁ । କିନ୍ତୁ ଅନିର୍ଦ୍ଦିଷ୍ଟ ଭାବରେ ତା’ ମନରେ ଆସେ ଯେ ସେମାନେ ବୁଝିବେ–ଯେ ବିଷ୍ଣୁ ସେମିତିକା ପିଲାନୁହେଁ ।

 

ବେଳେ ବେଳେ ସେ ଅନୁଭବ କରିବାକୁ ଚେଷ୍ଟା କରେ ଯେ ସେ ମରୁଛି । ନିଜ ହାତରେ ନିଜେ ମାରୁଛି । ଧାରୁଆ ଇସ୍ପାତ ଦେହରେ ଗଳି ଯାଉଛି ଭିତରକୁ, ଆହୁରି ଭିତରକୁ, ଧଳା ନାଲି ମାଂସ ଭିତରଦେଇ ରକ୍ତସ୍ନାନ କରି ହାଡ଼ର ଖୁଣ୍ଟି ଯାଏଁ । ମୋଟା କତା ଦଉଡ଼ି ବେକକୁ ଚିପି ଦେଉଛି, ଜୋରରେ ଆହୁରି ଜୋରରେ, ବଞ୍ଚିବାର ଶେଷ ନିଶ୍ୱାସଟିକ ଶୁଖେଇ ଦେଉଛି । ବିଷ-! ବିଜୁଳି ପରି ବିନ୍ଧି ଦେଉଛି ଓ ଜାଳି ଦେଉଛି । ସେ ବେଦନାର ତୀବ୍ରତାରେ ଛଟପଟ ହୁଏ । କିନ୍ତୁ ତା’ର ମନେ ହୁଏ ଯେ ଏହି ହେଉଛି ଆନନ୍ଦ, ନିବିଡ଼ତମ ନିଷ୍ଠୁରତମ ପ୍ରେମର ଆନନ୍ଦ ।

 

ତେବେ ତା ମନରେ ସନ୍ଦେହ ହୁଏ ଯେ ସେ ଯାହାକୁ ପ୍ରେମ ବୋଲି କହୁଛି, ତାହା ହେଉଛି ଘୃଣା । କିମ୍ୱା ହୁଏତ ପ୍ରେମ ଓ ଘୃଣା ଭିତରେ କିଛି ପ୍ରଭେଦ ନାହିଁ ।

 

ବେଶିଦିନ ଅପେକ୍ଷା କରିବାକୁ ପଡ଼ିଲା ନାହିଁ । ଦିନେ ସେ ନିଶ୍ଚିତ ଖବର ପାଇଲା ଯେ ସୁଶୀଳାର ବାହାଘର ପ୍ରସ୍ତାବ ପଡ଼ିଛି ମୁରଲୀ ସାଙ୍ଗରେ ଏବଂ ଶୁଣିଲା ଯେ, ମୁରଲୀର ବାପ ମାଆ ରାଜି ହୋଇଛନ୍ତି । ସେ ପୋଟାସିୟମ ସାଏନାଇଡ ଖାଇ ଆତ୍ମହତ୍ୟା କଲା ।

 

ଯଥାକ୍ରମେ ସମସ୍ତେ ଜାଣିବାକୁ ପାଇଲେ ଯେ ସେ ସୁଶୀଳାକୁ ବାହା ହୋଇ ପାରିବ ନାହିଁ ଭାବି ଜୀବନ ହରାଇ ଦେଲା । କିନ୍ତୁ କାହିଁକି ? କାହିଁକି ସେ ପ୍ରତିବାନ କଲା ନାହିଁ ? କାହିଁକି ସେ ପଡ଼ି ଉଠି ନିଜର ଦାବି ହାସଲ କଲା ନାହିଁ ?

 

ନିଜେ ବିଷ୍ଣୁ ହୁଏତ ଏହାର ଉତ୍ତର ଦେଇ ପାରି ଥାଆନ୍ତା । କିନ୍ତୁ ଗୋଟାଏ କଥା । ସେ ମଲା ପରେ ତା’ର କୁତ୍ସିତ ବିକୃତ ମୁହଁକୁ ଦେଖି ମନେ ହେଉଥିଲା ଯେ ସେ ତୁଚ୍ଛା ଘୃଣାରେ ମରିଛି-। ଏଭଳି ଘୃଣାର ରକ୍ଷାନାହିଁ ।

 

ତିନି

 

ମୁଁ ଏ ଗପଟିକୁ କାହାକୁ କହିନାହିଁ । କହିବାର ଆବଶ୍ୟକତା ମନେ କରିନାହିଁ । କାରଣ ବିଷ୍ଣୁ ଯେତେ ଯାହା ହେଲେ ମଧ୍ୟ ମୋର ବନ୍ଧୁ, ମୁଁ ତା’ମନର ଭିତିରି କଥା ପଦାରେ ପକାଇ ପାରିବି ନାହିଁ ।

 

କିନ୍ତୁ ମୁରଲୀ ପ୍ରତି ମୋର ଦାୟିତ୍ୱ ଅଛି । ତା’ଛଡ଼ା ଛଅ ମାସ ନ ପୁରୁଣୁ ସେ ମୋତେ ବସେଇ ଉଠେଇ ଦେଲାନାହିଁ । କହିଲା–କଅଣ ତୋର ଏନ୍‍କ୍ୱାରୀ ଏ ପର୍ଯ୍ୟନ୍ତ ସରିନାହିଁ ? ଆଉ କେତେ ବାଟ ଅଛି ? ଦେଖ୍‍ ଏତେ ଡେରିକଲେ ଚଳିବ ନାହିଁ ଇତ୍ୟାଦି । ଶେଷକୁ ସେ ମୋତେ ନେହୁରା ହେଲାପରି କହିଲା;–ଭାଇଟା ପରା ! ଆସନ୍ତା ମାଘମାସ ଆଗରୁ ଜଣାଇ ଦେଇ ପାରିବୁ ନାହିଁ ?

 

ତେଣୁ ପୌଷ ଶେଷର ଗୋଟିଏ ଧୂସର–ମନୋରମ ସଞ୍ଜରେ ତାକୁ କହିଲି । ଗପ ନ କହି ଘଟଣାବଳୀର କ୍ରମ ଓ ପରିଣତି ଠିକେ ଠିକେ ଜଣାଇଦେଲି । ସବୁ ଶୁଣି ସାରିଲା ପରେ ସେ ଦୁଗୁଣେଇ ହୋଇ ପଚାରିଲା, ‘‘ବେଶ୍‍, ଏତିକି ? ଆଉ କିଛି ନାହିଁ ? ସବୁ ସତକଥା ?’’

 

‘‘ସବୁ ଏତିକି । ଖାଣ୍ଟି ସତ ।’’

 

ସେହିଠୁଁ ସେ ମୁକ୍ତି ପାଇଲା ପରି ଗୋଟିଏ ଦୀର୍ଘନିଃଶ୍ୱାସ ଛାଡ଼ିଲା, ତା ଓଠରେ ଉଦାର–ମଧୁ ହସ ଫୁଟି ଉଠିଲା ଓ ସେ କହିଲା, ‘ମୁଁ ଜାଣିଥିଲି । ସେ ନିଜ ଦୋଷରୁ ମଲା । ତଥାପି ମୁଁ ଚାହିଁଲି ଯେ ଏହାର ଗୋଟାଏ ନିରପେକ୍ଷ ବିଚାର ହେଉ, ନ ହେଲେ ମୁଁ ନିଜକୁ କ୍ଷମା କରି ପାରି ନଥାନ୍ତି ।’’ ତା’ ପରେ ସେ ଗମ୍ଭୀର ହୋଇ କହିଲା, ‘‘ସେମାନେ ମୋର ବହୁତ ଦିନର ଚିହ୍ନା । ସୁଶୀଳା ମୋ ଭଉଣୀ ପରି, ସେଇଥି ଲାଗି ମୁଁ ସେଠି ବାହା ହେବାକୁ ଚାହୁଁ ନଥିଲି । ବିଷ୍ଣୁ ମଲାପରେ ମୁଁ ଟାଣ ହୋଇ ବସିଲି,–ଯେ ନାଁ, ମୁଁ ସେଠି ବାହା ହେବି ନାହିଁ । କିନ୍ତୁ ସେ ଝିଅର ଦୋଷ କଅଣ ? ସେ କାହିଁକି ଏତେ ଅପବାଦ ସହିବ ? ତୁ ନିଜେ କହୁନୁ ! ...ମୁଁ ତୋରି ରିପୋର୍ଟକୁ ଅନେଇ ଥିଲି ।’’

 

ସେ ଚୁପ୍‍ ହୋଇ ରହିଗଲା; କିନ୍ତୁ ମୁଁ ତା’ର ତୀକ୍ଷ୍‍ଣ ନୀରବତା ଓ ବିକଶିତ ଚାହାଣିକୁ ଦେଖି ଅନୁମାନ କଲି ସେ ଭାବୁଛି–ଏଥର ଦୋଷ କଟିଯାଇଛି । ମୁଁ ସୁଶୀଳାକୁ ବାହା ହେବି । (ବିଚାରୀ !) ମୁଁ ତାକୁ ବାହା ହେବାକୁ ଚାହେ । ମୁଁ ତାକୁ ବାହା ନ ହୋଇ ରହିପାରିବି ନାହିଁ । ଏ ଭଳି ଇଚ୍ଛା ତ ଆଗରୁ ହେଉ ନ ଥିଲା !

Image

 

Unknown

ବିଜୟା-ଦଶମୀ

 

ନରେଶ୍ୱର ଦାସ ଆକାଶକୁ ମୁହଁ କରି ଛିଡ଼ା ହୋଇଥିଲେ । ଦୁଇ ହାତ ଛାତିରେ ଛନ୍ଦି ବିଜୟର ଠାଣିରେ ଛିଡ଼ା ହୋଇଥିଲେ । ଯେପରିକି ଆଜିକା ଦିନର ସନ୍ତକ, ଏହି ଦଶମୀର ଜହ୍ନ, ଏହି ସୁନାପଦକ ତାଙ୍କରିପାଇଁ ଗଢ଼ା ହୋଇଛି ।

 

ଜହ୍ନର ଅସଂପୂର୍ଣ୍ଣତା ତାଙ୍କ ମନରେ ରେଖାପାତ କରି ନ ଥିଲା । ସେ ଅନେକ ସମୟ ହେଲା ଏମିତି ଛିଡ଼ା ହୋଇ ରହିଛନ୍ତି, କଲୋନିର ଏକାଧିକ କାର୍‍ ଓ ଝରକାଭିତରୁ ଲୋକମାନେ ବାରମ୍ୱାର ତାଙ୍କୁ ଏହି ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହେଇଥିବେ,–ସେ ଧାରଣା ତାଙ୍କ ମନରେ ଆସୁ ନ ଥିଲା । ଏବଂ ସେ ଆପାତତଃ ଭୁଲି ଯାଇଥିଲେ ଯେ ଆଜି ବିଶୁ ମୁହଁ ତଳକୁ ପୋତି ଭଙ୍ଗା ସ୍ୱରରେ ଧମକ ଦେଇ ଯାଇଛି ଯେ ଇଂଜିନିୟରିଂ କଲେଜରେ ଆଡମିସନ୍‍ ନ ହେଲେ ସେ ବ୍ୟବସାୟ କରିବ, ଅର୍ଥାତ୍‍ ଛତରା ହୋଇଯିବ । କାରଣ ବର୍ତ୍ତମାନ ସେ ଏକ ଅପୂର୍ବ ସ୍ୱାଧୀନତା ଓ ସଂପୂର୍ଣ୍ଣତାର ଆନନ୍ଦ ପାଉଥିଲେ । ଚାହାଣି ତୀବ୍ରତର ହେଉଥିଲା, ନିଃଶ୍ୱାସ ଖରତର ବହୁଥିଲା, ଓ ମନେ ହେଉଥିଲା ଯେ ସେ ଯେ–କୌଣସି ପ୍ରଶ୍ନ ବା ସନ୍ଦେହର ମୁକାବିଲା କରିପାରିବେ ।

 

ବେଶ୍‍ କରିଛି ।

 

ଏ ସ୍ପର୍ଦ୍ଧା ନୁହେଁ, ବେପରୁଆ ଭାବ ନୁହେଁ । ନରେଶ୍ୱରବାବୁ ନିଜର ମନୋଭାବ ନିଜକୁ ସୁଚାଉଥିଲେ । –ମୁଁ କିଛି ଗୋଟାଏ ଅସାଧାରଣ କାମ କରି ନାହିଁ । ଦେଉଳ ତୋଳି ନାହିଁ କି ବାଟରେ ହଗି ନାହିଁ । ପ୍ରକୃତ ପକ୍ଷରେ ନରେଶ୍ୱର ଦାସ ବଦଳି ନାହିଁ । କିନ୍ତୁ ଆଜି ନରେଶ୍ୱର ଦାସ ଡରି ନାହିଁ । ଡରିବାହିଁ ଚରମ ଦୁର୍ବଳତା, ପରମ ଶତ୍ରୁ । ମୁଁ କ’ଣ ପିଲା ହୋଇଛି ଯେ ଗୋଟାଏ ମିଛ କୋକବାୟା, ଅନ୍ଧାରଗୁଡ଼ୁଗୁଡ଼ିକୁ ଦେଖି ଶଙ୍କି ଯିବି ?

 

ନରେଶ୍ୱରବାବୁ ପିଲା ନୁହନ୍ତି । ବରଂ ସେ ତାଙ୍କର ପୟଁଚାଳିଶ ବର୍ଷର ବୟସ ଅନୁପାତରେ ଅଧିକ ପ୍ରବୀଣ ଓ ବୟସ୍କ ଦେଖାଯାଆନ୍ତି । କେଶ ଚାରିଭାଗରୁ ତିନିଭାଗ ପାରିଗଲାଣି, ମୁହଁର ମାଂସପେଶୀ ଓହଳି ଗଲାଣି, ଆଖିତଳ କଳା ପଡ଼ିଗଲାଣି, ଏବଂ ପେଟଟି ବେଶ୍‍ ବଡ଼ । ତେବେ ତାଙ୍କ ଭାବଭଙ୍ଗୀରେ ତତ୍ପରତା ଅଛି । ସେ ବଡ଼ପାହୁଣ୍ଡରେ ବାଟ ଚାଲନ୍ତି, କୌଣସି ଫାଇଲ୍‍କୁ ବାସି ହେବାକୁ ଦିଅନ୍ତି ନାହିଁ ଓ ପିଲାପିଲି କେହି ସାମାନ୍ୟ ଅସୁସ୍ଥ ହେଲେ ତତ୍‍କ୍ଷଣାତ୍‍ ଡାକ୍ତର ପାଖକୁ ଛୁଟିଯାଆନ୍ତି ।

 

ସେହିପ୍ରକାର ନିରଳସ ଉଦ୍ୟତ ଭଙ୍ଗୀରେ ନରେଶ୍ୱରବାବୁ ତାଙ୍କର ଭାବନାକୁ ଛିଣ୍ଡାଇଦେଲେ, ଓ ଦାଣ୍ଡପିଣ୍ଡାରୁ ଓହ୍ଲାଇ ଚାଲିବାକୁ ଲାଗିଲେ । ଯଥାକ୍ରମେ କଲୋନିର ମଝି ରାସ୍ତାଦେଇ ଚାଲିଲେ । ଉଦ୍ଦେଶ୍ୟ,–କଲୋନିର ପୂଜାପେଣ୍ଡାଲ୍‍ ପାଖକୁ ଯାଇ ଅନ୍ୟମାନଙ୍କ ସଙ୍ଗରେ ଏକାଠି ହେବେ । ପିଲାମାନେ ସେଇଠି ଅଛନ୍ତି । କଲୋନିର ଯେତେକ ଅଫିସର୍‍, ସେମାନଙ୍କ ପିଲାପିଲି ଅଧିକାଂଶ ସେଇଠି ଥିବେ । ରେଣୁକା ବାରବାର କହିକରି ଯାଇଛି ଯେ ଠିକ୍‍ ସମୟରେ ଯିବାକୁ ହେବ, ନ ହେଲେ ଦେବୀ ଉଠିଯିବେ, ଗହଳି ଭାଙ୍ଗିଯିବ । ନିଶ୍ଚୟ, ନିଶ୍ଚୟ । ନ ଯିବାର ପ୍ରଶ୍ନ ଉଠୁ ନାହିଁ । ଆମରି କଲୋନି, ଆମରି ଦୁର୍ଗା । ମୁଁ ଚାରିଦିନଯାକ ଯାଇଛି, ଅଞ୍ଜଳି ଧରିଛି, ଆରତି ଦେଖିଛି । ପୂରାପୂରି ଚା-ରି-ଦି-ନ ଯାକ, ଆଉ କେହି ଯାଉ ବା ନ ଯାଉ ।

 

ନରେଶ୍ୱରବାବୁ ହାତଘଡ଼ି ଦେଖିଲେ । ଆଠଟା ବାଜି ପନ୍ଦର ମିନିଟ୍‍ । ପ୍ରୋଗ୍ରାମରେ ଥିଲା ଆଠଟା ବେଳକୁ ଦେବୀ ଉଠିବେ, ବେଶି ଡେରି ହୋଇନାହିଁ । ହେଇ ମିଷ୍ଟର ଓ ମିମେସ୍‍ ବସୁ ଧୀରେ ସୁସ୍ଥେ ଏକାନବେ ନମ୍ୱରରୁ ବାହାରୁଛନ୍ତି । ମିଷ୍ଟର ଓ ମିସେସ୍‍ ବସୁ ଭଲ ଲୋକ । ବେଶ୍‍ ମେଳାପୀ । ତାଙ୍କ ଡ୍ରଇଁ ରୁମ୍‍ଟିକୁ ଚମତ୍କାର ସଜେଇଛନ୍ତି । ରେଡ଼ିଓଗ୍ରାମ ଉପରେ ଥିବା ଜାପାନୀ କଣ୍ଢେଇଟି ସବୁଠାରୁ ସୁନ୍ଦର ।

 

‘‘ନମସ୍ତେ ଅଙ୍କଲ୍‍ ଜୀ’’ । ପାଖଦେଇ ବାଳକଟିଏ ଦୋହଲି ଦୋହଲି ଚାଲିଗଲା । ନରେଶ୍ୱରବାବୁ ଚାହିଁ ଦେଖିଲେ,–ସତଚାଳିଶ ନମ୍ୱରର ରାଜନ, ମିଷ୍ଟର ପିଲେଇଙ୍କ ପୁଅ । ପିଲାଟା ଭାରୀ ସ୍ମାର୍ଟ, ଠିକ୍‍ ତା’ ବାପ ପରି । ମାଳୟାଳୀ ମାତ୍ରେ ହିଁ ଏମିତି–ନ ହେଲେ କି ସେମାନେ ଏତେ ଊର୍ଦ୍ଧ୍ୱକୁ ଉଠିଥାଆନ୍ତେ ? ବାପ ପୁଅଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଦେଖାଇ ନରେଶ୍ୱରବାବୁ ସ୍ମିତହାସ ଦେଲେ ଓ ବସେଇ ବସେଇ କହିଲେ, ‘‘ନ-ମ-ସ୍ତେ । ଏଥର ଦେବୀଙ୍କ ସାଙ୍ଗରେ ଟ୍ରକ୍‍ରେ ବସି କରି ଯାଉଛ ନା ?’’ ତା’ପରେ ସେ ହସ ଝରାଇଲେ । ଆରବର୍ଷ ଏ ଟୋକା ଟ୍ରକ୍‍ ଉପରେ ଛିଡ଼ା ହୋଇ କମ୍‍ ତାମ୍‍ସା କରି ନ ଥିଲା । ଭାରୀ ଫାଜିଲ୍‍, ଭାରୀ ସ୍ମାର୍ଟ, ଅସଲ ଜଣେ ।

 

ଜହ୍ନର ଆଲୁଅ ଯଥେଷ୍ଟ ତୋରା ନ ଥିଲେ ମଧ୍ୟ ରାଜନ୍‍ର ମୁହଁରେ କ୍ଷଣିକ ବିମୂଢ଼ତାର ଲକ୍ଷଣ ଦେଖାଗଲା ସତେ କି ଦାସ୍‍ ଅଙ୍କଲଙ୍କଠାରୁ ଏତେ କଥା ଏତେ ହସର ଉତ୍ତର ଆଶା କରି ନ ଥିଲା । ସେ କୌଣସିମତେ ହଁ-ନା-କହି ଦେଇ ସେଠୁ ପଳାଇଗଲା । ନରେଶ୍ୱରବାବୁ ପୁଣି ମନକୁମନ କହିଲେ,–ଖାସା ପିଲାଟାଏ ।

 

ଦୂରରୁ ଜଣେ ଭଦ୍ରଲୋକ ଏ ଆଡ଼କୁ ଆସୁଛନ୍ତି । ଆଜିପରା ଦିନରେ ବିପରୀତଦିଗରୁ ଆସୁଥିବା ଏ ଜଣକ କିଏ ? ନରେଶ୍ୱରବାବୁ ନିରେଖି ଦେଖିଲେ । ହାତରେ ପରିବାଥଳୀ,–ବୋଝେଇ ହୋଇଛି ବୋଲି ମନେ ହେଉଛି, ଈଷତ୍‍ ଅବନତ ଦୃଷ୍ଟି, ମପାଚୁପା ଚାଲି । ନିଶ୍ଚୟ ବତିଶ ନମ୍ୱରର ମିଷ୍ଟର କାଶ୍ୟପ୍‍ । ବିଚାରା ! ନରେଶ୍ୱରବାବୁଙ୍କର ମନ ଅନୁକମ୍ପାରେ ଭରିଗଲା । ମିଷ୍ଟର କାଶ୍ୟପ୍‍ ଏହି କଲୋନିର ଜଣେ ଅଫିସର୍‍, କିନ୍ତୁ ଛୋଟ ଅଫିସର୍‍, ଉଠି ଉଠି ଉପରକୁ ଆସିଛନ୍ତି, ରିଟାୟାର କରିବାକୁ ବିଶେଷ ଡେରି ନାହିଁ । ଆଜି ମଧ୍ୟ ତାଙ୍କୁ ପରିବାଥଳୀ ହାତରେ ଧରି ଘରମୁହାଁ ଧାଇଁବାକୁ ପଡ଼ୁଛି । ତାଙ୍କର ଦୋଷ ନୁହେଁ, କିନ୍ତୁ କ’ଣ କରାଯିବ ? ମିଷ୍ଟର କାଶ୍ୟପ୍‍ ମାଡ଼ି ଆସୁଛନ୍ତି । ନିରୁପାୟ ହୋଇ ଲଜ୍ଜିତ ହେଲା ପରି ନରେଶ୍ୱରବାବୁ ନଇଁପଡ଼ି ଆଗତୁରା ନମସ୍କାର କଲେ-। ଆଉ କିଛି କହିବାକୁ ଭରସା ପାଇଲେ ନାହିଁ ।

 

ମିଷ୍ଟର କାଶ୍ୟପ୍‍ ଆପ୍ୟାୟିତ ହେଲେ । ଆତ୍ମୀୟତାରେ ଆଲୋଡ଼ିତ ହୋଇ କହି ପକାଇଲେ, ‘‘ଆପଣଙ୍କ ସାଙ୍ଗରେ ବହୁତ ଦିନୁ ଦେଖା ହୋଇ ନାହିଁ । ଭଲ ଅଛନ୍ତି ? ଆଉଟିକୁ ଆଜିକାଲି ଆସୁନାହିଁ କାହିଁକି ! କ’ଣ ଖୁବ୍‍ ପଢ଼ାପଢ଼ି କରୁଛି ? ମୁଁ ରମେଶକୁ କହୁଥିଲି... ।’’ ନରେଶ୍ୱରବାବୁ ଏହି ଉଚ୍ଛୁଳା ପଣକୁ ସ୍ୱୀକାର କରି ଘନ ଘନ ମୁଣ୍ଡ ଟୁଙ୍ଗାରିଲେ, ଟିକୁକୁ କହିବେ ବୋଲି ଠିକ୍‍ କଲେ ଯେ ତା’ର ରମେଶ ସାଙ୍ଗରେ ମିଶିବା ଦରକାର, ଏବଂ ମିଷ୍ଟର୍‍ କାଶ୍ୟପଙ୍କ କଥା ସରିବାଯାଏଁ ଅପେକ୍ଷା କଲେ; କିନ୍ତୁ ଇତି ମଧ୍ୟରେ ମିଷ୍ଟର ଓ ମିସେସ୍‍ ବସୁ ପାଖରେ ଆସି ପହଞ୍ଚିଗଲେଣି । ଏକାନବେ ନମ୍ୱରରୁ ମଝି ରାସ୍ତାଯାଏଁ ଆସିବାକୁ ଏତେ ସମୟ ଲାଗିଗଲା, କହିଁକି ନା ସେମାନେ ନିଜଗଢ଼ା ପୁ୍‍ଷ୍ପିତ ଲନ୍‍ର ଶୋଭା ଦେଖି ଦେଖି ଗଜଗମନରେ ଆସୁଥିଲେ ।

 

ନରେଶ୍ୱରବାବୁ ମିଷ୍ଟର୍‍ କାଶ୍ୟପ୍‍ଙ୍କୁ ଯଥାଯୋଗ୍ୟ କିଛି କହିବାର ସୁବିଧା ପାଇଲେ ନାହିଁ-। ମିଷ୍ଟର୍‍ କାଶ୍ୟପ ମଧ୍ୟ ଶୀଘ୍ର ବିଦାୟ ଲୋଡ଼ି ନିଜ ବାଟରେ ଗଲେ । ନରେଶ୍ୱରବାବୁ ଆସନ୍ତା ଦୁଇଜଣଙ୍କୁ ଦେଖିଲେ ଓ ମୁଗ୍‍ଧ ଦୃଷ୍ଟିରେ ଚାହିଁ ରହିଲେ । ମିଷ୍ଟର୍‍ ଓ ମିସେସ୍‍ ବସୁ । କଲୋନିର ଉଜ୍ଜ୍ୱଳତମ ଯୋଡ଼ି । ନିଖୁଣ ଯୋଡ଼ି ।

 

ମିସେସ୍‍ ବସୁଙ୍କର ଶାଢ଼ିରେ ପେଲବ ରଙ୍ଗହୀନ ରଙ୍ଗ । ଜ୍ୟୋତିର ସୀମା, ଆବେଶର ଜାଗରଣ । ଏଇ କ’ଣ ଫରେନ୍‍ ନାଇଲନ୍‍ ? ନା ଆଉ କିଛି ଅଭିନବ ସୃଷ୍ଟି । ଏବଂ ମିଷ୍ଟର୍‍ ବସୁଙ୍କର ସୁଟ୍‍ରେ ରେଖାର ଶୈଳୀ, ତୀରର ତଡ଼ିତ୍‍ । ତାଙ୍କର ସରୁ ନିଶ ଓ ସରୁ ହସ ସାଙ୍ଗରେ ଖାପ ଖାଇ ଯାଉଛି । କନା ସ୍ପେଶାଲ୍‍ କି ଦରଜି ସ୍ପେଶାଲ୍‍ କହି ହେବ ନାହିଁ । ନିଜେ ମିଷ୍ଟର ବସୁହିଁ ସ୍ପେଶାଲ୍‍ ବିଶିଷ୍ଟ ବ୍ୟକ୍ତି ।

 

ନରେଶ୍ୱରବାବୁ ମିଳନକାମୀ ହୋଇ ହାତ ବଢ଼ାଇଲେ । ମିଷ୍ଟର୍‍ ବସୁ ଅବିଳମ୍ୱେ ହାତ ମିଳାଇ ‘‘ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ’ ବୋଲି ତିନିଥର କହିଲେ । ତା’ପରେ ମିସେସ୍‍ ବସୁଙ୍କପାଇଁ ନମସ୍କାର, ଓ କମନୀୟ ପ୍ରତିନମସ୍କାର ।

 

ନରେଶବାବୁଙ୍କର ମନେହେଲା ଯେ ଏଥିପୂର୍ବରୁ ହୁଏତ ଅନେକଥର ଏମାନଙ୍କ ସାଙ୍ଗରେ ଦେଖା ହୋଇଛି, କଥାବାର୍ତ୍ତା ହୋଇଛି; କିନ୍ତୁ ଆଜିକାର ଏହି ସାକ୍ଷାତରେ କିଛି ଅଧିକ ଗୁଣ ଅଛି । –କାହିଁକି ନା ଆଜିକାର ମୁଁ ଆଉ ଜଣେ । ଆଜି ମୋର ହୃଦୟଦ୍ୱାର ଉନ୍ମୁକ୍ତ, ଅବାରିତ । ସାନ ବଡ଼ର ବିଚାର ନାହିଁ । ମଣିଷ ମଣିଷକୁ ଡାକୁଛି, କଲୋନିର ଅଫିସର-ଭାଇ ସାଙ୍ଗରେ ହାତ ମିଳାଉଛି ।

 

ତିନିଜଣଯାକ କିଛି ସମୟ ଲଗାଲଗି ହୋଇ ଚାଲିଲେ, ଗପ କଲେ । ନରେଶ୍ୱରବାବୁ ସେମାନଙ୍କର ସାନ୍ନିଧ୍ୟକୁ ଅନୁଭବ କଲେ, ଉପଭୋଗ କଲେ ଏବଂ ତାଙ୍କର ନବଜାଗୃତ ଶ୍ରଦ୍ଧାକୁ ବୁଝେଇଲା ପରି ନିଜକୁ କହିଲେ,–ସାଧୁତା ଗୋଟିଏ ଲୁହାର ସାଞ୍ଜୁ ନୁହେଁ । କଣ୍ଟାର ଖେଳ ନୁହେଁ, କ୍ରୋଧୀ ଜାନୁଆର ନୁହେଁ । ହୁଏତ ଫରେନ୍‍ ନାଇଲନ୍‍ ପରି ନୁହେଁ, ନ ହେଉ; କିନ୍ତୁ ପ୍ରୀତିକର ହେବ ନାହିଁ କାହିଁକି ?

 

କ୍ରମଶଃ ଆଉ କେତେ ଅଫିସର୍‍ ତାଙ୍କ ସ୍ତ୍ରୀ ଓ ପିଲାପିଲି ଘରୁ ବାହାରି ପେଣ୍ଡାଲଆଡ଼କୁ ମୁହାଁଇବାର ଦେଖାଗଲା । କେତେଜଣ ସୁପରିଚିତ–ମିଷ୍ଟର୍‍ ଚେଟ୍‍ଟୀ ଖାଦ୍ୟ ସର୍‍ବରାହ; ମିସେସ୍‍ ନନ୍ଦ ଓ ତାଙ୍କର ଆଧୁନିକା ଚିପା ସଲ୍‍ଓ୍ୱାର କାମିଜ୍‍ ପିନ୍ଧା ଝିଅ, ସ୍ୱାମୀ ରେଳବାଇ; କଲୋନିର ବିଦୂଷକ ସତ୍ୟ ପରମାଣିକ, ଦେଖିଲେ ଜଣା ପଡ଼ିବ ନାହିଁ ଯେ ସେ କଷ୍ଟମସ୍‍; ଦୁଇ ଭଉଣୀ ତରୁଣୀ ଶୁଭ୍ରା ଓ ଶୁକ୍ଳା, ବାପା ପି.ଡବ୍ୟୁଲ.ଡ଼ି. କେନ୍ଦ୍ରଚ୍ୟୁତ ଗ୍ରହ ପରି ଇତସ୍ତତଃ ହେଉଥିବା କେତୋଟି ଯୁବକ, ସର୍ବଜନବିଦିତ କିନ୍ତୁ ଅନିର୍ଦ୍ଦିଷ୍ଟ, କାହାର ପୁଅ ବୋଲି ଜାଣିବା କଷ୍ଟ ।

 

ସିନେମା ପରଦାରେ ତାରା କିମ୍ୱା ଫୁଲ ଫୁଟି ଉଠିଲା ପରି ସେମାନେ ଦୃଶ୍ୟମାନ ହେଲେ, ଗୋଟି ଗୋଟି କରି । ଅନ୍ତତଃ ନରେଶବାବୁଙ୍କୁ ସେମିତି ଲାଗିଲା । ଏବଂ ତାଙ୍କ ମନରେ ସାର୍ବଜନୀନ ଆହ୍ୱାନ-ଆଲିଙ୍ଗନର ଭାବ ଆସିଲା ।–ଆସ, ସମସ୍ତେ ଆସ । ମୁଁ ତୁମ ସମସ୍ତଙ୍କ ସାଙ୍ଗରେ ମିଶିବାକୁ ଚାହେଁ, ଏକାଠି ହେବାକୁ ଚାହେଁ । ମୁଁ ଗୁହାମାନବ ନୁହେଁ । ପର୍ବତଶିଖରିର ମୁନି ନୁହେଁ, ଡରକୁଳା ପିଲା ନୁହେଁ । ମୁଁ ସମାଜର ମଣିଷ ।

 

କେଉଁ ଦୂରରୁ ସେହି ବିତାଡ଼ିତ ଭୂତପ୍ରେତମାନଙ୍କର ଅଶ୍ଳୀଳ ପଦେଅଧେ ଶୁଭିଯାଉଥାଏ, କିନ୍ତୁ ନରେଶ୍ୱରବାବୁ ତାହାକୁ ଅନାୟାସାରେ କାଟିଦେଇ ପାରୁଥାଆନ୍ତି । ଶୁଭୁ, ମୁଁ ଶୁଣିବି ନାହିଁ । ଆଜି ମୁଁ ସୁସ୍ଥା । ସୁସ୍ଥ ଓ ମୁକ୍ତ ।

 

ଅତୀତରେ ସେ ଶୁଣିଥାଆନ୍ତେ, ପୁଣି ଶୁଣିଥାଆନ୍ତେ ରାଗି ଥାଆନ୍ତେ, ଏହି ଜାତିଭାଇମାନଙ୍କୁ ଛିଃ ବୋଲି କହିଥାଆନ୍ତେ, ପୁଣି ରାଗିଥାଆନ୍ତେ ଓ ମନେମନେ କାନ୍ଦିଥାଆନ୍ତେ, କାନ୍ଦିଥାଆନ୍ତେ ଓ ଡରିଥାଆନ୍ତେ, ନିଜ ଗୁହା ଭିତରକୁ ଚାଲିଆସି କବାଟ କିଳିଦେଇ ପୁଣି ଛିଃ ବୋଲି କହି ଥାଆନ୍ତେ । ଯଥା :–

 

ମିସେସ୍‍ ବସୁ ପୁଚ୍ଛ ହଲେଇ ମୃଦୁମୃଦୁ ହସି କାର୍‍ ଚଲାନ୍ତି, ମୋର ବାଟଦେଇ ଗଡ଼ି ଯାଆନ୍ତି । ମୁଁ ସେତେବେଳେ ଖରାରେ ବସ୍‍ ପାଇଁ ଅପେକ୍ଷା କରିଥାଏ, ମୋଟା ଖାକି ପ୍ୟାଣ୍ଟ୍ ତଳେ ଝାଳ ଗଳଗଳ ହୋଇ ବହିଯାଉଥାଏ । କାହିଁକି ? ମିଷ୍ଟର୍‍ ବସୁ ଏମିତି କେତେ ଦରମା ପାଆନ୍ତି କି-? ଦରମା ନୁହେଁ ଦରମା ନୁହେଁ, ଦରମା ନୁହେଁ । ସେ ସରକାରୀ କର୍ପୋରେସନ୍‍ର ବଡ଼ କର୍ତ୍ତା, ବଡ଼ କଣ୍ଟ୍ରାକ୍ଟରଙ୍କ ମିତ । ମୁଁ ସେଦିନ ନିଜେ ଦେଖିଛି ଶେଠ ଭରତ୍‍ ସିଂର ଗାଡ଼ି ଏକାନବେ ନମ୍ୱର ସାମନାରେ ଛିଡ଼ା ହୋଇଥାଏ, ଆଉ ଗାଡ଼ି ଭିତରୁ କାଠଢ଼ାବଲରେ ଭାରୀ ଭାରୀ ଜିନିଷ ବାହାରୁଥାଏ । ବୋତଲର ଢାବଲ, –ସ୍କଚ୍‍ ହୁଇସ୍କି ନା ଆଉ କଅଣ ? ହେଉ କେବେହେଲେ କ’ଣ ଧରା ପଡ଼ିବ ନାହିଁ ଭାବିଛ ? ଚୋରଘର ସବୁଦିନେ ଆଲୁଅ ନୁହେଁ । ରେଣୁକା କହୁଥିଲା ଯେ ଚେଟ୍ଟୀଙ୍କ ଘରେ ସବୁଦିନେ ସରୁ ବାସୁମତି ଚାଉଳ ଖାଆନ୍ତି । ଖାଆନ୍ତୁ, ଜୀଅନ୍ତୁ । ମରନ୍ତୁ । ମୋ ପିଲାଏ ସେହି ରେସନର ପାଣିପଶା ମୋଟା ଚାଉଳ ଖାଇବେ, ଭାରତର ଲକ୍ଷ ଲକ୍ଷ ଲୋକ ଯାହାକୁ ଖାଆନ୍ତି । କିନ୍ତୁ ଚେଟ୍ଟୀ ସେମିତି ନିର୍ଲଜ୍ଜଙ୍କ ପରି ହସେ କାହିଁକି ? କଳା ଫାଲୁଆ ମୁହଁରେ ତା’ର ଦାନ୍ତୁରା ହସକୁ ଦେଖିଲେ ମୋ ହାଡ଼ ଜଳେ...ଏଇ ଆସୁଛି, ଅସଲ ବାଳୁଙ୍ଗା ! ଟିକୁ କେତେଦିନ ତାଙ୍କ ଦଳରେ ପଶିଥିଲା । ଏ ଟୋକା ତାକୁ ମିଛୁଟାରେ ପିଟି ପକାଇଲା, ତା ଦେହଯାକ କାଦୁଅ ବୋଳିଦେଲା, ଆଉ ଥେଇ ଥେଇ ହୋଇ ନାଚିଲା । କିନ୍ତୁ ଇଏ (ରାଜନ୍‍) ସେଣ୍ଟ୍ ପିଟର୍ସ୍‍ ସ୍କୁଲ୍‍ରେ ସିଟ୍‍ ପାଇଛି । ବଢ଼ିଆ ଇଂରେଜି କହେ । ଆଜିଠୁ ଟେନିସ୍‍ ଖେଳି ଶିଖିଲାଣି । କାହିଁକି ହେବ ନାହିଁ ? ସେଣ୍ଟ୍ ପିଟର୍ସର ପ୍ରିନ୍‍ସିପାଲ୍‍ଙ୍କ ନାଁ ଶିବସମୁଦ୍ର ପିଲେଇ, ଦୁଇ ପିଲେଇଯାକ ‘ରେଡ଼୍‍ ରୋଜ୍‍’ ରେସ୍ତୋରାଁରେ ଡିନର୍‍ ଖାଆନ୍ତି । ଠିକ୍‍ ଅଛି । ତମ ପୁଅ ଆଇ.ଏ.ଏସ୍‍ ହେଉ, କମ୍ପାନୀ ମ୍ୟାନେଜର ହେଉ, ମୋ ପୁଅ ଶିଳ୍ପୀ ହେବ କବି ହେବ, ଦେଶସେବା କରିବ (ଅନ୍ତରର ଓଠ କାମୁଡ଼ା କ୍ରନ୍ଦନ) । ଶୁକ୍ଳା ଆଉ ଶୁଭ୍ରା ! କଲ୍‍ଚର୍‍ର ବାସ୍ନାରେ ମହୁକୁଛନ୍ତି । ଶୁକ୍ଳା ରେଣୁକାକୁ ପଚାରିଲା, ‘ଆଣ୍ଟି ଆପଣଙ୍କର ହବି କଅଣ ? ଆପଣ ଇଙ୍ଗର ବର୍ଗମାନ୍‍ର ପିକ୍‍ଚର ଦେଖିନାହାନ୍ତି-? ଆପଣ ରୁଷିଆନ୍‍ ବାଲେ ଦେଖିବାକୁ ଗଲେ ନାହିଁ !’ ମାଆ ନାହିଁ, ଆଉ ବାପଙ୍କର ଚୋରା ମାଲରେ ଏ ଦି’ଜଣଯାକ ଉତୁରୁଛନ୍ତି । କଲ୍‍ଚର୍‍ କରୁଛନ୍ତି । ବାପଙ୍କର କୀର୍ତ୍ତି କିଏ ନ ଜାଣେ-? ଏ ଯେତେକ କଲୋନିର ଘର ୟାଙ୍କରିଦ୍ୱାରା ତିଆରି ହୋଇଛି । ସବୁଥିରୁ ପର୍‍ସେଣ୍ଟଜ୍‍ ଏକାଠି କଲେ ତାଜ୍‍ମହଲକୁ ବି କିଣି ନେଇ ହେବ । ଆମେ ସତ୍‍ରେ ଚଳିବୁ, ମୋ ସ୍ତ୍ରୀ ଚୁଲି ଫୁଙ୍କିବ,–କିଛି କ୍ଷତି ନାହିଁ । ମୁଁ କ’ଣ ଗୋଟାଏ ପୂଝାରୀ ରଖି ପାରନ୍ତି ନାହିଁ ? ରେଣୁକା ନିଜେ ମନା କଲା । କାଶ୍ୟପ୍‍ ଲୋକଟା ଏତେ ନିକୁଛିଆଭାବରେ କାହିଁକି ଚଳେ ? ହେଲେ ତା’ର ସାହସ କମ୍‍ ନୁହେଁ । ମୋତେ ପୁଣି ସେ ମିଛ ଟି. ଏ. ବିଲର ବାଟ ବତଉଥିଲା ! ନୀଚ’ ଅତି ନୀଚ ।

 

ଆଜି ଏଭଳି ମନ୍ଦଭାବନାର ବିନ୍ଦୁବିସର୍ଗ ନାହିଁ ।

 

କିଛି ସମୟ ପୂର୍ବରୁ ଘରୁ ବାହାରିଲାବେଳେ ତାଙ୍କ ଆନନ୍ଦରେ ତୀବ୍ରତର ଚାହାଣି ଖରତର ନିଶ୍ୱାସ ଆଦି ଲକ୍ଷଣ ରହିଥିଲା । କ୍ରମଶଃ ସେ ଅବସ୍ଥା ମଧ୍ୟ ପାରି ହୋଇଗଲାଣି । ବର୍ତ୍ତମାନ ପ୍ରଶାନ୍ତିର ସମତଳ ଭାବ । ଯେପରିକି ସ୍ୱାଧୀନତା ପୁରୁଣା ହୋଇଗଲାଣି ମାତ୍ର ଏଇ ସଞ୍ଜବେଳଠାରୁ ଆରମ୍ଭ ହୋଇ ନାହିଁ ।

 

ହାଲୁକା ଲାଗୁଛି । ମନେ ହେଉଛି ଯେ କ୍ଷଣକରେ ଏହି ଅଭିମୁଖୀ ଅମଳିନ ବନ୍ଧୁମାନଙ୍କ ସହିତ ମିଶିଯାଇ ହେବ, ପାଖୁଡ଼ାରେ ପାଖୁଡ଼ା ଯୋଡ଼ି ହୋଇଯିବ, ଚୂନା ବଉଦରେ ଚୂନା ବଉଦ, କୁହୁଧ୍ୱନିରେ କୁହୁଧ୍ୱନି, ଅଦେହରେ ଅଦେହ ।

 

ହାଲୁକା ଲାଗୁଛି । ହଠାତ୍‍ ନରେଶ୍ୱରବାବୁଙ୍କୁ ଶୀତ ଲାଗିଲା । ସତେ କି ଏହି ହାଲୁକାପଣରୁ ଶୀତ ଆସୁଛି । ପୁଣି ସ୍ମୃତିରେ କ’ଣ ଦିଶିଗଲା ପରି ମନେହେଲା, କିନ୍ତୁ ଦିଶିଲା ନାହିଁ-। ନରେଶ୍ୱରବାବୁ ବୁଝି-ପାରିଲେ ନାହିଁ । ଓ ବିରକ୍ତ ହେଲେ । ଭାବିଲେ ଯେ ଏ ବର୍ଷ ଜଲ୍‍ଦି ଥଣ୍ଡା ପଡ଼ିଯାଇଛି । ସ୍ୱେଟ୍‍ର ଖଣ୍ଡେ ପିନ୍ଧି ଆସିବା ଉଚିତ ଥିଲା ।

 

ଭଙ୍ଗୁର ମୁହୂର୍ତ୍ତ ଭାଙ୍ଗିରୁଜି ଗଲା । କ୍ରମ ବର୍ଦ୍ଧମାନ ଢୋଲବାଜା ଓ ସିନେମାଗୀତର କୋଳାହଳରେ ସେ ଉତ୍ସାହିତ ହେଲେ, ଧାବିତ ହେଲେ । ମିଷ୍ଟର୍‍ ବସୁ ତାଙ୍କର ଅଗ୍ରଗତିକୁ ଲକ୍ଷ୍ୟ କରି କହିଲେ, ‘‘ବ୍ୟସ୍ତ ହୁଅନ୍ତୁ ନାହିଁ । ଦେବୀ ଆପଣଙ୍କ ସଙ୍ଗରେ ଦେଖା ନ କରି ଯିବେ କୁଆଡ଼େ-?’’

 

ନରେଶ୍ୱରବାବୁ ନିଜର ଗତି କୋହଳ କଲେ । ହେଲେ ଦେବୀମଣ୍ଡପ ଯେତିକି ପାଖ ହୋଇ ଆସୁଥାଏ, ତାଙ୍କର ଦେବୀଦର୍ଶନର ଇଚ୍ଛା ସେତିକି ବଳବତୀ ହେଉଥାଏ । ମିଷ୍ଟର୍‍ ବସୁଙ୍କ କହିଲା ପରି ତାଙ୍କ ମନରେ ଆସୁଥାଏ ଯେ ଆଜି ଶେଷଥରପାଇଁ ଦେବୀଙ୍କ ସାଙ୍ଗରେ ଦେଖା ନ ହେଲେ ଚଳିବ ନାହିଁ ।

 

ଦେବୀ-ମଣ୍ଡପ । ଦେବୀ-ଆସ୍ଥାନ ଛାଡ଼ି ଉଠିଲେଣି । ଟ୍ରକ୍‍ ଉପରକୁ ନିଆ ହେଉଛନ୍ତି । ଆଉ ଟିକିଏ ଡେରି ହୋଇଥିଲେ !

 

ସର୍ବ ପ୍ରଥମ ନରେଶ୍ୱରବାବୁ ଦେବୀ-ପ୍ରତିମାର ସମ୍ମୁଖରେ ଛିଡ଼ା ହୋଇ ପ୍ରଣାମ କଲେ ନରେଶ୍ୱର ବାବୁ ନାସ୍ତିକ ନୁହନ୍ତି, ଓ ସେ ପ୍ରତିମା ପୂଜାକୁ ହେୟଜ୍ଞାନ କରନ୍ତି ନାହିଁ, କିନ୍ତୁ ସେ କ୍ୱଚିତ ଏପରି ମୁଣ୍ଡ ନୁଆଁଇ ହାତଯୋଡ଼ି ଦୀର୍ଘକାଳବ୍ୟାପୀ ପ୍ରଣାମ କରିବାର ଦେଖାଯାଇଛି ।

 

‘ମୁହବ୍‍ବତ୍‍’ ଓ ‘ପ୍ୟାର୍‍’ର ସିନେମା ଗୀତ, ତା’ର ଅନ୍ତରାଳରେ ଢୋଲବାଜା, ଶଙ୍ଖ ଓ ହୁଳହୁଳି ସାନପିଲାମାନଙ୍କର କିଚିରିମିଚିରି ଓ ବଡ଼ମାନଙ୍କର ହର୍ଷଧ୍ୱନି, –ନରେଶ୍ୱରବାବୁ ଏ ସବୁରି ଭିତରେ ଦଶଭୂଜାଙ୍କୁ ଧ୍ୟାନ କଲେ । ନିବିଷ୍ଟ ଚିତ୍ତରେ ଧ୍ୟାନ କଲେ । ବୋଧହୁଏ ଏହି ଉତ୍ସବରୋଳହେତୁ ସେ ତାଙ୍କୁ ଏକୁଟିଆ ପାଇ ପାରିଲେ ।

 

ସେ କିଛି କହିଲେ ନାହିଁ, ବର ମାଗିଲେ ନାହିଁ–ମୋର କିଛି କହିବାର ନାହିଁ, ସେ ସବୁ ଜାଣନ୍ତି । ଦେଖା ହୋଇଗଲା, ଏହି ଯଥେଷ୍ଟ । ମୁଁ ଯାହା ଥିଲି, ସେଇୟା ଅଛି । ସେହି ନରେଶ୍ୱର ଦାସ, ସେହି ଦେବୀ ସେହି ଭକ୍ତି, ସେହି ପ୍ରଣତି । ସେହି ମଣିଷ, ପିଲାଦିନୁ ଆଜିଯାଏଁ ।

 

ନରେଶ୍ୱରବାବୁ ଆଖି ଖୋଲିଲେ । କ୍ଷମା କରିବେ, ମୁଁ ପ୍ରଣାମ କରୁଥିଲି–ଏହିଭାବରେ ସେ ଦ୍ୱିଗୁଣ ଅନୁରାଗ ଦର୍ଶାଇ ଅଫିସର୍‍-ସାଥିମାନଙ୍କ ସାଙ୍ଗରେ ମିଶିଗଲେ । ଶତାଧିକ ସେମାନେ ଓ ସେମାନଙ୍କର ପରିବାର । କେଉଁ ଜଣକପାଖରେ ରହିଯିବାର ନୁହେଁ, ନିଜକୁ ଖେଳାଇ ଦେବାକୁ ହେବ । ଆଜିପରା ଦିନ । ପୁଣି କେବେ କାହା ସାଙ୍ଗରେ ଦେଖା ହେବ ।

 

ଆସନ୍ତୁ ଆସନ୍ତୁ ମିଷ୍ଟର ଦାସ୍‍ । ଆପଣ ତ ଇଦ୍‍ର ଚାଁଦ୍‍ ! ଭାଗ୍ୟରେ ଥିଲେ ଦେଖା ମିଳେ । ହେଃ ହେଃ । ...ମୋତେ ଏ ଢୋଲ୍‍ବାଜା ଭାରୀ ପସନ୍ଦ, ଯେତେ ଜୋର୍‍ରେ ବାଜିବ ସେତେ ଭଲ । ଆମ ଧର୍ମରେ ଯାହା ଅଛି, କୌଣସିଟିକୁ ବାଦ୍‍ ଦେବା ଉଚିତ ନୁହେଁ । ...ଧର୍ମ କଥାରୁ ମନେ ପଡ଼ିଲା । ମୁଁ ଯେବେ ଆମେରିକାରେ ଥିଲି ଜଣେ ଭଦ୍ରଲୋକ ଥଟ୍ଟା କଲା ପରି ପଚାରିଲେ–‘ଆପଣଙ୍କର କେତୋଟି ଭଗବାନ୍‍, ଶହେ ନା ହଜାରେ ? ମୁଁ କ’ଣ କହିଲି ଜାଣନ୍ତି ? ଜାଣନ୍ତି ? (ଚତୁର ଚାହାଣି) ମୁଁ କହିଲି ହଜାରେ ନୁହେଁ, ଲକ୍ଷେ । ଲକ୍ଷେ ଅଫିସର, ସେକ୍ରେଟେରୀ, ଅଣ୍ଡର୍‍-ସେକ୍ରେଟେରୀ, ଆସିଷ୍ଟାଣ୍ଟ୍‍ ଇତ୍ୟାଦି, କିନ୍ତୁ ସମସ୍ତଙ୍କୁ ମିଶେଇ ଗୋଟିଏ ଗଭର୍ଣ୍ଣମେଣ୍ଟ୍, ମାତ୍ର ଗୋଟିଏ–ଯାହାକୁ ଦେଖିହେବ ନାହିଁ, ଛୁଇଁ ହେବ ନାହିଁ.... ।

 

ଆଉ ଏକ ଦଳ । ଏଠି ନାରୀସଂଖ୍ୟା ଅଧିକ । କଅଣ ପୂଜା କରିବ ମଣିଷ ! ଚିନି କାହିଁ-? ଚିନି କଥା ଛାଡ଼ିଦିଅ । ମଇଦା କାହିଁ ? ଛେନା କାହିଁ ? ଯେତେକ ଦୁର୍ଦ୍ଦଶା ଆମ ଅଫିସର-ସ୍ତ୍ରୀମାନଙ୍କର । ମୋ ମତରେ ଚାଲ ସମସ୍ତେ ଦଳ ବାନ୍ଧି ଡେପୁଟେ-ସନ୍‍ରେ ଯିବା ମନ୍ତ୍ରୀଙ୍କ ପାଖକୁ । ଡର କଅଣ ? ଆମ ସ୍ୱାମୀମାନେ ସରକାରଘରେ ଚାକିରି କରିଛନ୍ତି ବୋଲି କଅଣ ଆମେ କରୁଛୁ-? (କୁଳୁ କୁଳୁ ହସ)

 

ଅପରେକ ଦଳ । ଏଠି କେତେଜଣ ସିନିୟର୍‍ ଅବସରମୁଖୀ ଅଫିସର୍‍ । ଗମ୍ଭୀର ଠାଣି, ଓଜନିଆ ପଦେ ପଦେ କଥା । ମୁଁ ଚେଷ୍ଟା କରିବି, ମୁଁ ଚେଷ୍ଟା କରିବି । ଆମ ଶାସନ ରସାତଳକୁ ଗଲାଣି । ବ୍ରିଟିଶ୍‍ ଅମଳ ହୋଇଥିଲେ କ’ଣ ତା’ର ଏମିତିକା ଅବସ୍ଥା ହୋଇଥାଆନ୍ତା ? ଠିକ୍‍ କହିଛନ୍ତି । ପ୍ରକୃତରେ ଆମେ ସ୍ୱାଧୀନତାର ଯୋଗ୍ୟ ନୁହେଁ ।...କଅଣ ମିଷ୍ଟର୍‍ ଦାସ ? ଆପଣଙ୍କ ମନ୍ତ୍ରୀଙ୍କ ଖବର କଅଣ ? (ଓଠରେ ବକ୍ରରେଖା)...

 

ଏହିପରି କେତେ ଦଳ । ବହୁମୁଖୀ ଆଳାପର ଆନନ୍ଦ । ଯେତେଦୂର ସମ୍ଭବ ନରେଶ୍ୱର ବାବୁ ପ୍ରତି ଦଳକୁ ଛୁଇଁବାକୁ ଚାହିଁଲେ, କଥା କହିଲେ, ହସିଲେ ଏବଂ ମଜ୍ଜିଗଲେ ।

 

ଇତିମଧ୍ୟରେ ଟ୍ରକ୍‍ରେ ବସି ଦେବୀ କ୍ରମଶଃ ପ୍ରସ୍ଥାନ କଲେ । ବାଦ୍ୟଗୀତ କିଛି ସମୟ ଥକା ମାରି ରହିଗଲା ପରେ ଉନ୍ନତ ହୋଇ ଉଠିଲା । ଦେଖାଗଲା ଯେ ଏଥର ରାଜନ୍‍ ଓ ସହଶିଳ୍ପୀବୃନ୍ଦ ଟ୍ରକ୍‍ରେ ଛିଡ଼ା ହୋଇ ନାଚୁନାହାନ୍ତି, ସେମାନେ ବସି ରହି ଢୋଲ ପିଟୁଛନ୍ତି, ଏବଂ ତାଙ୍କ ବଦଳରେ ବାଜାବାଲାମାନେ ନାଚୁଛନ୍ତି । ଭାଙ୍ଗରା ନାଚ ।

 

ଦଳମଧ୍ୟରୁ କେହି କେହି ମୁଣ୍ଡ ଟେକି ଫେରନ୍ତା ଦେବୀଙ୍କୁ ଚାହିଁଲେ ଓ ନମସ୍କାର କଲେ-। ବଛା ବଛା ସ୍ତ୍ରୀଲୋକ କେତେଜଣ ପୁନର୍ବାର ଶଙ୍ଖ ଫୁଙ୍କିଲେ, ଓ ହୁଳହୁଳି ଦେଲେ । କଲୋନିର ଦେବୀ ଚାଲିଲେ । ପୁଣି ଆଉ ବର୍ଷେ ।

 

ନରେଶ୍ୱରବାକୁ ମଧ୍ୟ ଚାହିଁଲେ ଓ ନମସ୍କାର କଲେ, କିନ୍ତୁ ବର୍ତ୍ତମାନ ତାଙ୍କ ମନରେ ଏକୁଟିଆ ତୁମେ-ଓ-ମୁଁ ଭାବ ନ ଥିଲା । ଦଳମଧ୍ୟରୁ ଜଣେ ସୁସଜ୍ଜିତା ସମ୍ଭ୍ରାନ୍ତ ମହିଳା ବିଦାୟ ନେଲା ପରି ମନେହେଲା । ସେ ଚାରିଦିନପାଇଁ ଆସିଥିଲେ; ଚାଲିଗଲେ । ଆମେ ତାଙ୍କୁ ଯଥୋଚିତ ସମ୍ମାନ ଦେଇଛୁ, ଆଶା କରାଯାଏ । ସେଥିସହିତ ସେ ଭାବିଲେ ଯେ କେତୋଟି ବିଷୟରେ ତ୍ରୁଟି ରହିଗଲା । ଦେବୀଙ୍କ ମୁହଁର ଗଢ଼ଣ ପୁରୁଣାକାଳିଆ ହୋଇଛି, ଗଣେଶଙ୍କ ଶୁଣ୍ଢ ଭାଙ୍ଗିଯାଇଛି, ଲକ୍ଷ୍ମୀ ଓ ସରସ୍ୱତୀ ଏକାପରି ଦିଶୁଛନ୍ତି । ତା’ଛଡ଼ା ଏ ବର୍ଷ ଭୋଗରାଗରେ ଡେରି ସହଳ ହୋଇଛି, ଚାରିଦିନିଆ ଡ୍ରାମା ହୋଇ ପାରିଲା ନାହିଁ, ଏବଂ ଉଦ୍‍ଘାଟନପାଇଁ କେହି ନେତା ବା ବିଶିଷ୍ଟ ବ୍ୟକ୍ତି ଆସି ପାରିଲେ ନାହିଁ । ନରେଶ୍ୱରବାବୁ ଠିକ୍‍ କଲେ ଯେ ଆସନ୍ତା ବର୍ଷ ରେଣୁକା ପୂଜାକମିଟିରେ ରହିବ ଓ ସେ କଲ୍‍ଚରାଲ କମିଟିରେ ରହିବେ । କଲୋନିର ମର୍ଯ୍ୟାଦା ବଢ଼ାଇବା ଦିଗରେ ସମସ୍ତଙ୍କର ଲାଗିପଡ଼ିବା ଦରକାର ।

 

ଦେବୀ ଚାଲିଗଲେ । ଶୂନ୍ୟ ମଣ୍ଡପରେ ପିଲାମାନେ ଅବାଧରେ ଖେଳିବାକୁ ଲାଗିଲେ । କେତେଜଣ ମାଆ ପିଲାମାନଙ୍କୁ ତିଆରିଲେ, କିନ୍ତୁ ତାଙ୍କ କଥା କେହି ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ଶୂନ୍ୟତା ତଥା ରିକ୍ତତାରେ ମୁଣ୍ଡି ମାରିଲା ପରି ସାନ ପିଲାଟାଏ ମଣ୍ଡପ ଉପରେ ବସିପଡ଼ି ହଠାତ୍‍ ଭେଁ-କିନି କାନ୍ଦି ଉଠିଲା ।

 

ସେହି କାନ୍ଦଣା ପରେ ପରେ ଅନେକ ଫେରିବାକୁ ବସିଲେ, କିନ୍ତୁ କେତେ ଜଣ ପୂର୍ବପରି ଗପିବାକୁ ଲାଗିଲେ । ନରେଶ୍ୱରବାକୁ ଫେରିଲେ ନାହିଁ, ତାଙ୍କର ଆହୁରି ଗପିବାକୁ ଜଡ଼ି ରହିବାକୁ ଇଚ୍ଛା ହେଉଥିଲା ।

 

ଥରେ ଅଧେ ସେ ସ୍ତ୍ରୀ-ପିଲାଙ୍କୁ ଖୋଜିଥିଲେ । ରେଣୁକା ସେହି ବାଉଁଶଖୁଣ୍ଟ ପଛରେ ଛିଡ଼ା ହୋଇ ମିସେସ୍‍ ନନ୍ଦଙ୍କ ସାଙ୍ଗରେ କଥାବାର୍ତ୍ତା କରୁଛି, ଘନଘନ ହାତ ହଲାଉଛି । ଭଲା ଝିଅ କୁନି ଓ ସାନପୁଅଟିକୁ ଅନ୍ୟ ପିଲାଙ୍କ ସାଙ୍ଗରେ ଖେଳୁଛନ୍ତି, ଦୌଡ଼ା-ଦୌଡ଼ି ହେଉଛନ୍ତି । ଖେଳୁଥାଆନ୍ତୁ । ବଡ଼ପୁଅ ବିଶୁ ବୋଧହୁଏ ଏଠିକି ଆସିନାହିଁ, ସିନେମା ଦେଖି ଯାଇଥିବ । ଯେଝାର ଯେଝା ବିଜୟାର ଉତ୍ସବ ପାଳୁଛନ୍ତି । ନରେଶ୍ୱରବାବୁ ସେମାନଙ୍କ ସହିତ ସାକ୍ଷାତ କରିବାର ବିଶେଷ କାରଣ ଦେଖି ପାରିଲେ ନାହିଁ ।

 

ସମାବେଶ କ୍ଷୀଣରୁ କ୍ଷୀଣତର ହେଲା, ମାତ୍ର କେତୋଟି ସ୍ତ୍ରୀ ପୁରୁଷ ବାକି ରହିଲେ । ସେମାନେ ମଧ୍ୟ ହାଇ ମାରିଲେଣି, ଥରକୁ ଥର ହାତଘଡ଼ି ଦେଖିଲେଣି ଓ ଶେଷ ସିଗାରେଟକୁ ମୁହଁରେ ଗୁଞ୍ଜି ଖାଲି ପ୍ୟାକେଟ୍‍କୁ ବିରକ୍ତିରେ ଫିଙ୍ଗି ସାରିଲେଣି । ଏଥର ସ୍ତ୍ରୀ ପିଲାଙ୍କୁ ସାଙ୍ଗରେ ଧରି ଘରକୁ ଯିବାକୁ ହେବ ।

 

ତଥାପି ସେ ଯିବାକୁ ଚାହିଁଲେ ନାହିଁ । କିଏ ହେଲେ ଭାବିବ ଯେ ସେ ଜାଣି ଶୁଣି ଡେରି କରୁଛନ୍ତି, ଯେମିତିକି ସ୍ତ୍ରୀ ପିଲାଏ ଅପେକ୍ଷା କରିବେ ନାହିଁ, ଆପଣା ବାଟରେ ଫେରିଯିବେ !

 

ସତକୁସତ ସେଇୟା ହେଲା । ରେଣୁକା ଦେବୀ ସ୍ୱାମୀଙ୍କର ମଗ୍ନଲିପ୍ତଭାବ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ଖୁସି ହେଲେ । (ତାଙ୍କର ଦଶଲୋକଙ୍କ ସାଙ୍ଗରେ ମିଶିବା ଦରକାର ! ଘରକୋଣରେ ବସି ରହିଲେ କିଏ କାହାକୁ ପଚାରୁଛି ଆଜିକାଲି ?) ସେ ପିଲା ଦି’ଜଣଙ୍କୁ ସାଙ୍ଗରେ ଧରି ଜନୈକ ମିସେସ୍‍ଙ୍କ ସହିତ ଗପ କରି କରି ଫେରି ଚାଲିଲେ ।

 

ନରେଶ୍ୱରବାବୁଙ୍କୁ ଏକୁଟିଆ ଆସିବାକୁ ହେଲା ।

 

ଆକାଶରେ ଜହ୍ନ ପୂର୍ବପରି ଥିଲା; କିନ୍ତୁ ନରେଶ୍ୱରବାବୁ ଲକ୍ଷ୍ୟ କଲେ ଯେ ଜହ୍ନର ଚାରିପାଖରେ କେତେଗୁଡ଼ାଏ କଳା ଚଢ଼େଇ ଘୂରି ବୁଲୁଛନ୍ତି, ସେହି ସ୍ୱର୍ଗୀୟ ବସ୍ତୁଟିର ପହରା ଦେଲାପରି । ସେ ସେହି ଦୃଶ୍ୟର ସମାଲୋଚନା କଲେ । ମଣିଷ ଜାତ ହୋଇଛି, ମରିଯିବ, ଅର୍ଥାତ୍‍ ଆପଣା ଜ୍ୟୋତିରେ ଉଦ୍‍ଭାସିତ ହୋଇ ଜୀବନଗଗନରେ ଭାସି ଭାସି ଡୁବିଯିବ । ଅପରକୁ ଜ୍ୟୋତି ଦେବ, କିନ୍ତୁ ନିଜେ ନିର୍ବାଧ ନିଶ୍ଚିନ୍ତ ହୋଇ ତରିଯିବ । ଏତିକି କଅଣ ତା’ର ପ୍ରାପ୍ୟ ନୁହେଁ ? ତେବେ କାହିଁକି ଏହି ସାଲୁବାଲୁ କଳା ଚଢ଼େଇ ? ଏହି ପହରା, ଏହି ବନ୍ଧନ ?

 

ସେ ଜହ୍ନ ପ୍ରତି ସହାନୁଭୂତି ଦେଖାଇଲେ, କାରଣ ଏକୁଟିଆରେ ତାଙ୍କର ହାଲୁକାଭାବ ପୁଣି ସ୍ପଷ୍ଟ ହୋଇ ଉଠିଥିଲା । ସଦ୍ୟ ନିରାବରଣ ନିଷ୍କାସନର ସୁଖ ପୁଣି ଅନୁଭବ କରି ହେଉଥିଲା । ଅଃ ! ଆଜି ଦିନଟା ବେଶ୍‍ କଟିଲା । ବିଜୟା-ଦଶମୀ ।

 

ନୀରବ ରାତି । କାଁ ଭାଁ ଜଣେ ଦି’ଜଣ ଯେଝା ଯେଝାର ଘରେ ପଶିବାର ଦେଖାଯାଉଛି-। ଗୋଡ଼ବିଛା ମଝିରାସ୍ତାରେ ଆପଣା ଜୋତାର ମଚ୍‍ମଚ୍‍, ଗତିଶୀଳତାର ମଚ୍‍ମଚ୍‍ । ନିଜ ଶବ୍ଦ ନିଜକୁ ଶୁଭୁଛି । ନିଜର ଚେତନା ନିଜ ଉପରକୁ ଆଉଜି ହୋଇ ଆସୁଛି । ଅନାବୃତ ଓ ଏକୁଟିଆ ଜହ୍ନ (ଚଢ଼େଇମାନେ ବର୍ତ୍ତମାନ ନାହାନ୍ତି) ଦେହରେ ଲେପି ହୋଇ ଯାଉଛି ଏବଂ ମନେ ପଡ଼ୁଛି ।

 

ମନେ ପଡ଼ିଲାପରି ଲାଗୁଛି, ହେଲେ ବାରି ହେଉ ନାହିଁ । ଅତୀତର କେଉଁ ଗୋଟିଏ ମୁହୂର୍ତ୍ତ, ଅବିକଳ ଏମିତି । ଏଇ ସ୍ୱାଧୀନତା, ଏଇ ମୁକ୍ତି । ଏଇ ଶୀତ । ନା, ଶୀତ ନୁହେଁ, ଶୀତ୍‍କାର-। ଆପଣାକୁ ଦେଖି ନ ପାରିବାର ସହି ନ ପାରିବାର ଶୀତ୍‍କାର–ମୁଁ ନୁହେଁ ମୁଁ ନୁହେଁ, ମୁଁ ନୁହେଁ । ଏ ନବୀନ ଉପଭୋଗ ମୋର ନୁହେଁ ! ଆଉ କାହାର ।

 

ଘରପାଖ ହୋଇ ଆସିଲାଣି । ନରେଶ୍ୱରବାବୁ ସ୍ମୃତିର ତାଡ଼ନାକୁ ତିରସ୍କାର କଲେ । କର୍ମବହୁଳ ଜୀବନରେ ଅନେକ କାମ ଅଛି । ଅତୀତକୁ ଅଣ୍ଡାଳିବାକୁ ବେଳ ନାହିଁ ।

 

ଘରକୁ ପଶିବା ମାତ୍ରେ ହିଁ ସେ ସେହି ଟୋକେଇଟାକୁ ଦେଖିଲେ । ଭିତର କରିଡ଼ରର ଆରମ୍ଭରେ ଡ୍ରଇଁରୁମ୍‍ର ସାମ୍‍ନାରେ ବସି ରହିଛି ସେମିତି । ସ୍ଥାଣୁ ଓ ନିର୍ବିକାର ।

 

ଟୋକେଇଟାର ଚେହେରା ନରେଶ୍ୱରବାବୁଙ୍କୁ ଭଲ ଲାଗିଲା ନାହିଁ । ବାଟମଝିରେ ଥୁଆ ହୋଇଛି–କିଏ ହେଲେ ଝୁଣ୍ଟି ପଡ଼ିବ ନାହିଁ ? ମଦନା କୁଆଡ଼େ ଗଲା ? ମଦନା ସଞ୍ଜ ଆଗରୁ ଛୁଟି ନେଇ ଯାଇଛି, ଫେରୁ ଫେରୁ କେତେ ରାତି ହେବ । ବେଶ୍‍ ମୁଁ ନିଜେ ଉଠେଇ ଦେଇ ପାରିବି ନାହିଁ-? ନାଇଁ, ବହୁତ ଭାରୀ ହେବ । ଥାଉ ସେମିତି । ଆଲୁଅ ଜଳା ହୋଇ ରହିଛି । ଝୁଣ୍ଟିଲେ ଝୁଣ୍ଟିବେ,–ମୁଁ କଅଣ କରିବି ?

 

ପିଲାମାନେ ଫେରି ନାହାନ୍ତି । ରେଣୁକା ବୋଧହୁଏ କେଉଁଠି ଅଟକି ଯାଇଛି । କିନ୍ତୁ ସାନଘରେ କିଏ ? ବିଶୁ ଫେରି ଆସିଛି ? ନରେଶ୍ୱରବାବୁ ଅନୁସନ୍ଧାନ କରିବାକୁ ଗଲେ ନାହିଁ । ଆସିଲେ ଆସିଥିବ । ତା’ର ଇଂଜିନିୟରିଂରେ ଆଡ୍‍ମିସନ୍‍ କଥା କେଉଁଯାଏ ଗଲା ? ଆଉ କାହାଠାରୁ କିଛି ବୁଝିଲା ? ଥାଉ, କାଲି ପଚାରିବି ।

 

ବିଶୁ ନିଶ୍ଚୟ ଆସିଛି । ଖୁସ୍‍ଖାସ୍‍ ଶୁଭୁଛି, କାଗଜ ଫଡ଼ଫଡ଼ ହେଉଛି । ତାହାହେଲେ ସେ ଏଇ ବାଟଦେଇ ଯାଇଥିବ, ଟୋକେଇ ବାଟଦେଇ । ବୋଧହୁଏ ଦେଖି ପାରି ନାହିଁ, ଅସମ୍ଭବ ନୁହେଁ । ବିଶୁଟା ଉପରମୁହାଁ । କଅଣ ଯଦି ଭାବୁଥିବ ତଳେ ଗୋଟିଏ ପିଲା ଶୋଇଥିଲେ ବି’ ତା’ ଆଖିକୁ ଦିଶିବ ନାହିଁ । ବଡ଼ପୁଅର ଅନ୍ୟମନସ୍କପଣକୁ ସ୍ନେହର ସହିତ ସ୍ୱୀକାର କରି ନରେଶ୍ୱରବାବୁ ଡ୍ରଇଂରୁମ୍‍ ଭିରତକୁ ଗଲେ ଓ ସୋଫାରେ ବସି ପଡ଼ିଲେ । ଦୀର୍ଘନିଃଶ୍ୱାସ ଛାଡ଼ିଲେ ଓ ବାସି ଖବରକାଗଜ ପଢ଼ି ବସିଲେ । ....ରେଣୁକା କେତେବେଳେ ଫେରିବ ?

ପ୍ରଥମେ ଟିକୁର ପାଟି ଶୁଭିଲା । ପାଟି ନୁହେଁ, କୁହାଟ । ସେଇଠୁ କୁନିର ଗାଡ଼ୁରୁଗୁଡ଼ୁରୁ ଗୀତିକଥା ଏବଂ ଦୁହିଁଙ୍କ ମଝିରେ ମାତୃତ୍ୱରେ ମଣ୍ଡିତ ହୋଇ ଉଭା ହେଲେ ରେଣୁକା ଦେବୀ । ହସହସ ମୁହଁ, କପାଳରେ ମେଞ୍ଚାଏ ସିନ୍ଦୁର ବୋଳା ହୋଇଛି–ବୋଧହୁଏ କେହି ବଙ୍ଗଦେଶୀୟା ସ୍ୱାମୀସୁହାଗିନୀ ଦେବୀଙ୍କର ପାଦତଳୁ ଏହି ଆଶୀର୍ବାଦଟିକ’ ଆଣି ଦେଇଛନ୍ତି । ନିଜର ସ୍ତ୍ରୀ-ପିଲାଙ୍କୁ ନୂଆକରି ଦେଖିଲାପରି ନରେଶ୍ୱରବାବୁ ଅବଲୋକନ କଲେ । ଉପଲବ୍‍ଧି କଲେ । ମୋର ସୁଖର ସଂସାର ।

ସେ ସୋଫାରୁ ଉଠି ପଡ଼ିଲେ ଓ ଆଗେଇ ଗଲେ । ଯେପରିକି ସେ ପ୍ରଥମେ କିଛି କହିବାକୁ ଚାହାନ୍ତି, ଅନେକ କିଛି କହିବାକୁ ଚାହାନ୍ତି; କିନ୍ତୁ ତା’ ପୂର୍ବରୁ ରେଣୁକା ଦେବୀ ଅଧୀର ବେଗରେ ଆରମ୍ଭ କଲେ–

‘‘କଅଣ ଆଜି ଭାରୀ ମଜ୍ଜି ଯାଇଥିଲ ଦେଖୁଛି । ମୁଁ ସମସ୍ତଙ୍କୁ କହୁଛି କଅଣ ନା ଆମ ସାହେବ ଶାନ୍ତଶିଷ୍ଟ ମଣିଷଟିଏ, ଘରେ ସ୍ତ୍ରୀର ମୁହଁକୁ ଚାହିଁ ବସନ୍ତି । ଆଉ ଆଜି ଦେଖିଲାବେଳକୁ ସାହେବ ସଭାମଝିରେ ମହୁ ପିଉଛନ୍ତି, ପିଉଛନ୍ତି ! ପୁଣି ମୋ ଆଖି ଆଗରେ ! କିଏ,–ମିସେସ୍‍ ବସୁ-? ନା ମିସେସ୍‍ ସବର୍‍ଓ୍ୱାଲ ? (ଥଟ୍ଟା ଛଳରେ ପ୍ରଶଂସା କରିବାକୁ ଯାଇ ସେ ଉଚିତରୁ ଅଧିକ ହସିଲେ । ହୁଏତ ଆଉ ଟିକିଏ ପରେ ପାଖକୁ ଯାଇ ଥାପୁଡ଼େଇ ଦେବେ, ସାବାସ୍‍ ବୋଲି କହିବେ) ଶୁଣ, ଆଜି ଗୋଟାଏ ମଜା କଥା ହେଲା ।...ଏଇଟା କଅଣ ? କୋଉଠୁ ଆସିଲା ?’’

ସେତେବେଳକୁ ଟିକୁ ଓ କୁନି ଟୋକେଇ ଉପରକୁ ଝୁଙ୍କି ପଡ଼ିଲେଣି । ଟିକୁ ନାଲି ନେଳି କାଗଜ ନଡ଼ାକୁ ଖେଳାଉଛି । କୁନି,–ତା’ର ଗୋଟାଏ ବଦଭ୍ୟାସ–, ବାସ୍ନା ଶୁଙ୍ଘିଲା ପରି ନାକକୁ କୁଞ୍ଚଉଛି ।

 

ନରେଶ୍ୱର ବାବୁଙ୍କର ମନେହେଲା ଯେ ତିନିଙ୍କି ତିନିହେଁ ଚିତ୍କାର କରି ଉଠିବେ । ଏମାନେ ସଂଯମର ଧାର ଧାରନ୍ତି ନାହିଁ । ଦବେଇଲା ପରି ସେ ପିଲାଙ୍କୁ କହିଲେ, ‘‘ସେଥିରେ ଲାଗିବା ଦରକାର ନାହିଁ ।’’ ଏବଂ ସ୍ତ୍ରୀଙ୍କୁ ଠିକେ ଠିକେ ଜଣାଇଲେ, ‘ଜଣେ ଭଦ୍ରଲୋକ ଦେଇଯାଇଛନ୍ତି ।’’

 

‘‘ମାନେ ?’’

 

ନରେଶ୍ୱର ବାବୁ ସ୍ତ୍ରୀଙ୍କ ମୁହଁକୁ ଅନେଇଲେ । ରେଣୁକା ମାନେ ପଚାରୁଛି । କାହିଁକି ? ସେ ମୋର ସ୍ତ୍ରୀ, ମୁଁ ତାକୁ ଯେମିତି ଚଳାଇବି, ସେ ସେମିତି ଚଳିବ । ନରେଶ୍ୱର ବାବୁଙ୍କର ଦୃଢ଼ଭାବ କୋହଳ ହେଲା ନାହିଁ । ସେ ଉତ୍ତର ଦେଲେ, ‘‘ଦଶହରା–ଭେଟି !’’ ପୁଣି ଅବହେଳାସୂଚକ ସାମାନ୍ୟ ହସଟିଏ ଯୋଡ଼ି ଦେଲେ ।

 

‘‘ଆଚ୍ଛା !’’

 

ସ୍ଥିର ଚକ୍ଷୁ ବିରାଟ ବିସ୍ମୟ । ହେଲା, ସେତିକି ଥାଉ ! ଦଶହରାରେ କ’ଣ କେହି କାହାକୁ ଭେଟି ଦିଅନ୍ତି ନାହିଁ ? ରେଣୁକା କ’ଣ ପିଲା ହୋଇଛି ? ଭେଟି କାହାକୁ କୁହାଯାଏ ଜାଣିନାହିଁ ଆଜିଯାଏଁ ? ନା ଫୁଲେଇ ହେଉଛି ? ଯାହାହେଉ ନରେଶ୍ୱର ବାବୁ ନିଜକୁ ସମ୍ଭାଳି ନେଇ ସହଜସ୍ୱରରେ ବୁଝାଇ ଦେଲେ, ‘‘ମୋର ଜଣେ ସାଙ୍ଗ ଦେଇଯାଇଛି । ଅଫିସ୍‍ ସାଙ୍ଗ ।’’

 

ତା’ର ଚେହେରା ସାଙ୍ଗ ପରି ନୁହେଁ । ବଳିଷ୍ଠ ଚକ୍‍ଚକ୍‍ ମୁହଁ । ସେଥିରେ କୁଣ୍ଠାନାହିଁ, ଲଜ୍ଜାନାହିଁ, କମନୀୟତା ନାହିଁ,–ଠିକ୍‍ ତା’ର ସେହି ନୂଆ ସେଭ୍ରୋଲେଟ୍‍ ଇମ୍ପାଲା ଗାଡ଼ି ପରି । ତା’କୁ ମୁଁ ମୂଳରୁ ଶେଷଯାଏଁ ଘୃଣା କରିଛି; କିନ୍ତୁ କଥା ହେଉଛି ଯେ...

 

‘‘ଦେଖିବା, କ’ଣ ଅଛି ଏଥିରେ ।’’

 

‘‘ମାଆ, ମୁଁ ଦେଖିପାରିବି ?’’

 

‘‘ନାଇଁ ମୁଁ ଆଗ, ମୁଁ ଆଗେ ଆସିଛି ।’’

 

କଥା ହେଉଛି ଯେ ମୁଁ ତାକୁ ଡରିବି କାହିଁକି ? ମୁଁ କାହିଁକି ଡରିବି ଯେ ସେ ମୋତେ ଲାଞ୍ଚ ଦେଉଛି ? ମୁଁ ପ୍ରଥମେ ମନା କରୁଥିଲି; କିନ୍ତୁ ସେ ମୋ କଥାରେ ହସିଲା । ତା’ର ନାଲିଚିଆ ମାଂସଳ ମୁହଁକୁ ଥରେଇ ଥରେଇ ହସିଲା । ସତେକି ମୁଁ ଅତି ଭୀରୁ, ଅତି ନାବାଳକ । ମୁଁ ତାକୁ ଡରୁଛି, ତା’ର ଟୋକେଇକୁ ଡରୁଛି, ତା’ର ପ୍ରଗଲ୍‍ଭ ସମ୍ପତ୍ତିକୁ ଡରୁଛି ! କହିଲା,–ମୁଁ କ’ଣ ଏତେ ଅଯୋଗ୍ୟ ଯେ ଆପଣ ମୋ’ଠାରୁ ସାମାନ୍ୟ ଉପହାରଟିକ ଗ୍ରହଣ କରିବେ ନାହିଁ ? କହିସାରି ସେ ମୋ’ଆଡ଼କୁ ତଳେଇ କରି ଚାହିଁଲା ।

 

ମାଆପୁଅଝିଅ ଟୋକେଇକୁ ଖୋଲି ସାରିଲେଣି । ସବୁ ପଦାରେ ପଡ଼ି ଫୁଟି ଦିଶିଲାଣି । ସୁନେଲି ଜରି କାଗଜରେ ବିବିଧ ପ୍ୟାକେଟ୍‍, ଉପରେ ଲେଖାହୋଇଛି, ‘‘ଶ୍ରୀ ମିଷ୍ଟାନ୍ନ ଭଣ୍ଡାର,’’–ବିଖ୍ୟାତ ହାଲୁଆ, ବିଖ୍ୟାତ ପେସ୍ତା ବରଫି । ତା’ ତଳକୁ ଟିସୁ କାଗଜରେ ଗୁଡ଼ା ହୋଇଥିବା ଗୋଲ୍‍ ଗୋଲ୍‍ ଫଳ କାଶ୍ମିରୀ ଆପ୍‍ଲ୍‍, କମଳା, ବାଟେଭିଆ । ରେଣୁକା ଆହୁରି ତଳକୁ ହାତ ପୂରେଇଛି ।

 

ସେ ମୋତେ ଅଯୋଗ୍ୟ ବୋଲି କହିଲା । ହଁ, ସେ ଯାହା କହିଲା ତା’ର ମାନେ ସେଇୟା । କଲୋନିରେ ଆଉ କାହା ଘରକୁ ଯାଇଥିଲେ ସେ କ’ଣ ଏମିତି କହିଥାଆନ୍ତା ? ଏମିତି ଛିଗୁଲେଇଲା ପରି ଚାହିଁଥାଆନ୍ତା ? କଦାପି ନୁହେଁ । ସେ ଭାବିଲା ଯେ ମୁଁ ମୋ ନିଜ ଗୋଡ଼ରେ ଠିଆ ହୋଇ ପାରୁନାହିଁ । କେଉଁ ଜରାଜୀର୍ଣ୍ଣ ଖୁଣ୍ଟକୁ କୁଣ୍ଢେଇ ଧରିଛି । ଲୁହଲାଳ ଏକାଠି କରି କୁଣ୍ଢେଇ ଧରିଛି । ତେଣୁ ସେ ମୋର ଦୁର୍ଦ୍ଦଶା ଦେଖି ହସୁଛି !

 

ରେଣୁକା ହାତ ପୂରାଇ କାଢ଼ି ସାରିଲାଣି । ଟୋକେଇର ସର୍ବଶେଷ ସୁନ୍ଦରତମ ବସ୍ତୁ । କହୁଛି,–ଆରେ ଏ ତ ଭାରୀ ବଢ଼ିଆ ! ଜିନିଷଟିଏ ରୂପା ନା ଷ୍ଟେନ୍‍ଲେସ୍‍ ଷ୍ଟିଲ୍‍ ? ତମ ସାଙ୍ଗଜଣକ ଭାରୀ ବଡ଼ଲୋକ ଜଣା ପଡ଼ୁଛି ।

 

‘‘ଆପଣ କ’ଣ ଭାବୁଛନ୍ତି ହେ ?? ହେଃ ହେଃ । ମୁଁ ଏଇ କଲୋନିକୁ ନୂଆ ହୋଇ ଆସି ନାହିଁ । ମୋତେ ସମସ୍ତେ ଜାଣନ୍ତି । ମୁଁ କେତେଥର ଆପଣଙ୍କ କ୍ଳବରେ ଟେନିସ୍‍ ଖେଳିଛି । ଆପଣଙ୍କର ଯେତେକ ଦେବୀପୂଜା, କଲ୍‍ଚରାଲ ଶୋ’ ବାହାଘର ରିସେପ୍‍ସନ, ସବୁଥିରେ ସାହାଯ୍ୟ କରିଛି । ମୁଁ କାହାକୁ ପର ବୋଲି ଭାବି ନାହିଁ । ବୁଝିଲେ ?’’ ବୋଧହୁଏ ଏମିତିକା ଧଳା ହାଡ଼ୁଆ ଦାନ୍ତ ମୁଁ ଆଗରୁ ଦେଖି ନ ଥିଲି । ଏଭଳି କୁତ୍ସିତ ସ୍ୱାସ୍ଥ୍ୟ, ଏଭଳି ଜାନ୍ତବ ଚାହାଣି, ଏଭଳି ନିର୍ଲଜ୍ଜ ଉଜ୍ଜ୍ୱଳତା ମୋ ଆଖିରେ ପଡ଼ି ନ ଥିଲା । ମୁଁ ଉତ୍କଟ ଘୃଣାରେ ମୁହଁ ତଳକୁ କଲି ।...ତା’ର କଥା ଥମିଗଲା, କିନ୍ତୁ ତା’ର ଟାଣୁଆ ମଣିବନ୍ଧର ଦାମିକା ଘଣ୍ଟା ଚୁପ୍‍ ହେଲା ନାହିଁ । ତା’ର ଟିକ୍‍-ଟିକ୍‍-ଟିକ୍‍ ମୋତେ ଶୁଭିଲା, ମୋ ଛାତି ଭିତରେ ବାଡ଼େଇ ହେଲା । ଏଇ ଶେଷ ସୁଯୋଗ । ମୁଁ ଆଜିଯାଏଁ ଏଇ ଲୋକଟାପାଇଁ ଅପେକ୍ଷା କରିଛି । ଏଇ ମୋତେ ବନ୍ଧନରୁ ମୁକୁଳେଇବ, ସିଧା ହୋଇ ଠିଆ କରାଇବ । ସହଜ ହୋଇ ହସିବାକୁ କହିବ ।

 

ବିଶୁ ତା’ ରୁମ୍‍ରୁ ଧାଇଁ ଆସିଲାଣି । ପିଲାଙ୍କ ପରି ଗେହ୍ଲେଇ ହୋଇ କହୁଛି,–ମାଆ ! ମୁଁ ଆଜି ଦିନଯାକ ଖାଇନାହିଁ, ଜାଣିଛ ? ମୋର ଖାଲି ସେଇ ପେସ୍ତା ବରଫିରୁ ଗୋଟାଏ ଦରକାର । ଟିକୁ ଗୋଟାଏ ଆପ୍‍ଲ୍‍କୁ ଦାନ୍ତଉଛି । କୁନି ତଳେ ବସିପଡ଼ି ସାରା ଟେକେଇର ଜିନିଷକୁ ପୁଣି ଦେଖୁଛି, ପୁଣି ଶୁଙ୍ଘୁଛି, ମନ ନ ପୂରିଲା ପରି । ଆଉ ରେଣୁକା ରୂପା ସିଗାରେଟ କେସ୍‍ଟିକୁ ଆଦରରେ ଆଉଁସୁଛି ।

 

ତା’ର ମୋ ପାଖରେ କେସ୍‍ ଅଛି, ମୁଁ ଜାଣେ ଥାଉ,–ଭାସିଗଲା କଅଣ ? ଏଇୟାକୁ ପାଇ ମୁଁ କ’ଣ ତା’କୁ କେସ୍‍ରେ ଜିତେଇ ଦେବି ? ନା ମୁଁ ଏଇଥିରେ ବଡ଼ଲୋକ ହୋଇଯିବି ? କେତେଟଙ୍କାର ଜିନିଷ ହେବ ତିରିଶ, ଚାଳିଶ, ଅତି ବେଶି ହେଲେ ଶହେ । ସାମାନ୍ୟ ଜିନିଷ, କିନ୍ତୁ ଏ ମୁହୂର୍ତ୍ତ ଫେରି ଆସିବ ନାହିଁ । ମୁଁ ଆଦିମ ଅନ୍ଧକୂପରେ ପଡ଼ି ରହିଥିବି । ହନ୍ତସନ୍ତ ହେଉଥିବି । ନା, ମୁଁ ଆଉ ପାରିବି ନାହିଁ । ମୁଁ ବଞ୍ଚିବି ମୁଁ ସ୍ୱାଧୀନ ହେବି ! ମୁଁ ସିଧା ହୋଇ ବସିଲି, ତା’ ଆଖିରେ ଆଖି ରଖିଲି । ଅବିଳମ୍ୱେ ମୋ ଓଠରେ ହସ ଉପୁଜିଲା, ଓ ମୁଁ ତା’ ହାତରେ ହାତ ମିଳାଇଲି ଓ୍ୱେଲ୍‍, ଥ୍ୟାଙ୍କ୍ ୟୁ । ଥ୍ୟାଙ୍କ୍ ୟୁ ଭେରି ମଚ୍‍ ।

 

ମୋର ନବକଳେବର ଶତଜିହ୍ୱ ହୋଇ ନାଚି ଉଠିଲା । ମୁଁ ତାକୁ ଠଉରେଇ ପାରିଲି ନାହିଁ ।

 

ନରେଶ୍ୱରବାବୁ ସଞ୍ଜର ସ୍ମୃତିରୁ ଫେରି ଆସିଲେ, ଓ ପରିବାରର ଆନନ୍ଦକୁ ଲକ୍ଷ୍ୟ କଲେ-। ଏତେ ଆନନ୍ଦ ! କେହି ସନ୍ଦେହ କରୁନାହିଁ, କେହି ମୋତେ ହୀନଦୃଷ୍ଟିରେ ଚାହୁଁନାହିଁ । ରେଣୁକା ଓ ବିଶୁ, ସାନପିଲା ନୁହଁନ୍ତି । ସେମାନେ ବୁଝି ପାରିଛନ୍ତି । ହେଲେ ସେମାନେ ମଧ୍ୟ ଖୁସିରେ ଲହଡ଼ି ଭାଙ୍ଗୁଛନ୍ତି । ସତେ ଯେମିତି ରାଜତ୍ୱ ମୋର, ତାଙ୍କର ତାଳି ମାରିବା କଥା ।

 

ଓଃ, ଏତେ ଆନନ୍ଦ ! ଏତେ ଆଲୁଅ ! ନରେଶ୍ୱରବାବୁଙ୍କର ମନେହେଲା ଯେ ଯେତେକ ଆଲୁଅ ଏଇଠି ଠୁଳ ହୋଇଛି, ଟୋକେଇ ଉପରେ ଟର୍ଚ୍ଚ ପଡ଼ିଛି, ଆଉ ସେମାନେ ତା’ ଚାରିପାଖରେ ବେଢ଼ି ଯାଇଛନ୍ତି । ସେମାନେ ତା’ ପ୍ରାଣକୁ ଶୋଷି ନେବେ, ଖୁସି ହେବେ, ଆହୁରି ଖୁସି ହେବେ ।

 

ନରେଶ୍ୱରବାବୁଙ୍କର ଦେହ ପୁଣି ଥରେ ଶୀତେଇ ଉଠିଲା, କିନ୍ତୁ ଏଥର ମନେ ପଡ଼ିଲା । ଜଳଜଳ ହୋଇ ଦିଶିଗଲା ।

 

ଆଜି ମୋର ବାପ ମରିଛି । –ସେଦିନ ପରି ।

 

କୁନି ଭାବିଲା ପରି ହୋଇ ଗୋଟିଏ ଫଳ ହାତରେ ଧରି ପଚାରିଲା,–ଏମିତିକା ଆଉ ମିଳିବ ନା ? କେବେ ମିଳିବ ? ନରେଶ୍ୱରବାବୁ ତା’ ଆଡ଼କୁ ଶୂନ୍ୟ ଦୃଷ୍ଟିରେ ଚାହିଁଲେ । ତାଙ୍କର କହିବାକୁ ଇଚ୍ଛା ହେଲା,–ମିଳିବ ଲୋ ଝିଅ ମଳିବ । ବାପ ମରିଗଲେ ପୁଣି ଉଠିକରି ଆସେ ନାହିଁ ।

Image

 

ସୁଖର ସଂସାର

 

ସୁରବାବୁ ଦୈନିକ ଖବରକାଗଜ ପଢ଼ୁଥିଲେ । ପଢ଼ୁ ପଢ଼ୁ ସିନେମା ପୃଷ୍ଠାରେ ଥିବା ଷ୍ଟାର୍‍ମାନଙ୍କ ଛବି ତାଙ୍କ ଆଖିରେ ପଡ଼ିଲା । ତାକୁ ଦେଖିବାକୁ ଯାଇ ସେ ପାଞ୍ଚ ଛଅ ଧାଡ଼ି ପଢ଼ି ନେଲେ, ନୂଆ ନୂଆ ଫିଲ୍‍ମମାନଙ୍କ କଥା । ତା’ପରେ ସେ କାଗଜକୁ ରଖି ଦେଇ ହାଇ ମାରିଲେ ଓ ହସିଲେ ।

 

ସିନେମାରେ କ’ଣ ନ ଥାଏ ! ଜହ୍ନ ତଳେ ଗୀତ, ହାହାକାର, ଅଶ୍ରୁ, ବକ୍ତୃତା, ମୃତ୍ୟୁ, ପୁଣି ଗୀତ ଶେଷକୁ ଟ୍ରାଜେଡି କିମ୍ୱା ମଧୁର ମିଳନ । ଜୀବନରେ କ’ଣ ଏତେ କଥା ଘଟେ ? ଘଟୁଥିଲେ ଏହି ଦୀର୍ଘ ତେପନ ବର୍ଷ ଭିତରେ କେତେ କ’ଣ ଘଟି ଯାଆନ୍ତାଣି । ସେ ପାଖ ଚଉକିରେ ବସିଥିବା ସ୍ତ୍ରୀ ଶାନ୍ତିଦେବୀଙ୍କଆଡ଼କୁ ଅନାଇଲେ । (ଶାନ୍ତି ଦେବୀ ଛୁଞ୍ଚିସୂତା ଧରି କେଉଁ ଗୋଟିଏ କନାରେ ଗୋଲ୍‍ ଗୋଲ୍‍ ଫୁଲ ରେଣୁ ତିଆରି କରୁଥିଲେ) ସେ ମୁରୁକି ହସା ଦେଇ ଅନାଇଲେ, ଯାହାର ଭାଷା–ତୁମେ ବି’ ଦରବୁଢ଼ୀ ହେଲଣି । ତୁମ ଜୀବନର କଣ କଣ ଘଟିଛି ଟିକିଏ କହିଗଲ, ଶୁଣିବା ।

 

ଚାକର ପୂଝାରୀ ଦୁଇଜଣ କ’ଣ ଖୁଟ୍‍ଖାଟ୍‍ କରୁଛନ୍ତି, ଦିନର କାମ ଚାଲିଛି । ପଙ୍ଖା ଘୂରୁଛି । ରାସ୍ତାରେ ଚଳନ୍ତା ଦୃଶ୍ୟ,–କାର୍‍, ରିକ୍‍ସା, ଟଣା ଶଗଡ଼, ଫୁଟ୍‍ପାଥ୍‍ର ଲୋକ, ବୁଲାକୁକୁର ଇତ୍ୟାଦି । ସୁରବାବୁ ଚାରିଆଡ଼କୁ ଆଖି ବୁଲାଇଲେ । ଯେପରିକି ସେ ନମୁନା ହିସାବରେ ଏହି ମୁହୂର୍ତ୍ତଟିକୁ ଦେଖି ନେଇ ଜୀବନର ସ୍ୱରୂପ ବୁଝିପାରୁଛନ୍ତି ।

 

ତାଙ୍କ ମନରେ ଆସିଲା ଯେ ଚତୁର୍ଦ୍ଦିଗରେ କାମ ଚାଲିଛି, ଏବଂ ସେ ସୁଖୀ । ତା’ର ଅର୍ଥ ନୁହେଁ,–ସେ ନିଜକୁ କହିଲେ ଯେ ମୁଁ ଭଗବାନଙ୍କ ପରି ଅଲଗା ଏକୁଟିଆ ହୋଇ ବସିଛି ଓ ସଂସାରର ଲୀଳାଖେଳା ଦେଖୁଛି । ନା, ମୁଁ ମଧ୍ୟ କାମ କରିଛି, କରୁଛି । ମୁଁ ବାହାସାହା ହୋଇ ଘରଦ୍ୱାର କରିଛି, ଟଙ୍କା ରୋଜଗାର କରିଛି, ପିଲାଙ୍କୁ ମଣିଷ କରିଛି । ମୁଁ ମୋ ସ୍ତ୍ରୀ ସାଙ୍ଗରେ କଳି କରିଛି, ପିଲାଙ୍କୁ ଗାଳି ଦେଇଛି, କେତେ ଅଭାବ ଅସୁବିଧା ସହିଛି, ଏବଂ ପଡ଼ି ଉଠି ଆଗକୁ ଚାଲିଛି-। ମୋତେ କେତେବେଳେ କେମିତି କାନ୍ଦ ମାଡ଼ିଛି, ମୁଁ ପ୍ରେମ କାହାକୁ କୁହାଯାଏ ଜାଣିଛି ଓ ମୁଁ ଦରକାର ବେଳେ ପ୍ରାର୍ଥନା କରିଛି । କିନ୍ତୁ ତା ସତ୍ତ୍ୱେ ମୁଁ ଭଗବାନଙ୍କ ପରି ଭାବି ପାରୁଛି । ତେଣୁ ମୁଁ ସୁଖୀ ।

 

ଘଟଣାମାନେ ବ୍ୟତିକ୍ରମ । ଘଟଣା ଘଟିପାରେ । କିନ୍ତୁ ସେ ସବୁକୁ ତ ଗୋଟାଏ ଫ୍ରେମ୍‍ ଭିତରେ ରଖିଦେଲେ ଚଳନ୍ତା ! ଜୀବନର ବିଭିନ୍ନ ଅବସ୍ଥା ପାଇଁ ବିଭିନ୍ନ ଫ୍ରେମ୍‍ । ଚାକିରି ଜୀବନ ପାଇଁ ଗୋଟାଏ ଫ୍ରେମ୍‍,–ପେଟ ପୋଷିବାକୁ ହେବ । ବିବାହିତ ଜୀବନ ପାଇଁ ଗୋଟାଏ ଫ୍ରେମ୍‍,–ସ୍ତ୍ରୀ ସବୁଦିନର ସାଥୀ । ସାମାଜିକ ଜୀବନ ପାଇଁ ଆଉ ଗୋଟାଏ–ଫ୍ରେମ୍‍,–ସମସ୍ତେ ବନ୍ଧୁ, କେହି ନିଜର ନୁହଁନ୍ତି । କହିବାକୁ ଗଲେ ସମଗ୍ର ଜୀବନ ପାଇଁ ଗୋଟିଏ ସର୍ବବ୍ୟାପୀ ଫ୍ରେମ୍‍ ରହିଛି,–ବଞ୍ଚିବାକୁ ହେବ । ଏତିକି ବୁଝିନେଲେ ନାଟକର ପ୍ରଶ୍ନ ଆସୁଛି କେଉଁଠୁ ? କେଉଁ ଗୋଟିଏ ଘଟଣାକୁ ନେଇ ଏତେ ଘଣ୍ଟାଚକଟା, ପାଟିତୁଣ୍ଡ, ମୂର୍ଚ୍ଛା ଓ ପତନ, ଆନନ୍ଦ ଓ ବେଦନାର ପାଗଳାମି କାହିଁକି ? ସିନେମା ଥିଏଟର୍‍, ଉପନ୍ୟାସ । ଆର୍ଟ୍‍ ! ଏଥର ସୁରବାବୁ ଲମ୍ୱେଇ କରି ହସିଲେ । ଯେପରିକି ସେ ଆର୍ଟ୍‍ନାମ୍ନୀ ବାଳିକା ଦୁହିତାର ରାଣୀସାଜ, ଖଣ୍ଡା ଓ ମୁକୁଟ ଦେଖୁଛନ୍ତି, ଓ ତାଙ୍କୁ ମଜା ଲାଗୁଛି । ବେଶ୍‍ ବେଶ୍‍ । ଆର୍ଟ୍‍ ଭଲ, ଜୀବନ ଭଲ ।

 

ଶାନ୍ତିଦେବୀ ସ୍ୱାମୀଙ୍କର ଅଲିଭା ସ୍ମିତହାସ ଦେଖିଲେ, କିନ୍ତୁ ଡେରିରେ ଦେଖିଲେ । ମନେ ହେଉଥିଲା ଯେ ସେ ତାଙ୍କ ସିଲେଇରେ ମଜ୍ଜି ଯାଇଛନ୍ତି । କେତେବେଳକେ ତାଙ୍କର ଚେତା ହେଲା ଯେ ସ୍ୱାମୀ ଖବରକାଗଜ ପଢ଼ୁନାହାନ୍ତି, ସେ ନିର୍ଭୟରେ ଓ ନିର୍ବୋଧଙ୍କ ପରି ହସୁଛନ୍ତି । ଶାନ୍ତିଦେବୀ ଆଶ୍ଚର୍ଯ୍ୟ ହେଲେ । ସେ ଥଟ୍ଟା କଲା ପରି ଅଥଚ ଭୂରୁ କୁଞ୍ଚାଇ ପଚାରିଲେ, ‘‘କଅଣ ହେଲା କି ? ସ୍ୱପ୍ନ ଦେଖୁଛ ?’’

 

ଶାନ୍ତି ଦେବୀଙ୍କର ବଡ଼ ମୁହଁ, ପୁରିଲା ଗାଲ, ସ୍ୱଚ୍ଛ ଗୋଲ ଆଖି । ପାଖକୁ ଯାଇ ଦେଖିଲେ ଜଣା ପଡ଼ିବ ଯେ ସେ ହେଉଛି ପ୍ରୌଢ଼ାର ମୁହଁ,–ସେଥିରେ ଅନେକ ରେଖା ଓ ବିନ୍ଦୁ, ବହଳ ପୁଟ, କେତେ ଖରା ଶୀତର ଅଭିଜ୍ଞତା । ତଥାପି ମନେହେବ ଯେ ସେ ସ୍ୱଭାବତଃ ଶିଶୁ କିମ୍ୱା ଧରିତ୍ରୀ ରୂପିଣୀ ମାଆ, ଯୌବନ ଅନାବଶ୍ୟକ ।

 

ସୁରବାବୁ ସ୍ତ୍ରୀକୁ ଉତ୍ତର ଦେଇ କହିଲେ, ‘‘ମୁଁ ସ୍ୱପ୍ନ ଦେଖୁ ନାହିଁ । ମୁଁ ଗୋଟିଏ ସିନେମାର ସିଚୁଏସନ୍‍ କଥା ଭାବୁଛି । ସେଥିରେ ଆମେ ଦୁଇଜଣ ହିରୋ ଓ ହିରୋଇନ୍ । ଆମେ ତୁମୂଳ ଯୁଦ୍ଧ କରୁଛୁ, ଜୀବନ ମରଣ ସମସ୍ୟା । ଶେଷକୁ ତୁମେ ହାଲିଆ ହୋଇଯାଇ କଇଁ କଇଁ ହୋଇ କାନ୍ଦୁଛ । ଆଉ ମୁଁ ଜଟାଛିଣ୍ଡାଇ ଦୂରକୁ ଚାହିଁଛି, ଭାବୁଛି ମୁଁ କାହିଁକି ଜନ୍ମ ହେଲି । ପରବର୍ତ୍ତୀ ଦୃଶ୍ୟ । ତୁମେ ସ୍ଳିପିଙ୍ଗ୍ ଟେବ୍‍ଲେଟ ଖାଇ ଆତ୍ମହତ୍ୟା କରିବାକୁ ବସିଛ । ମୁଁ ଚମକିପଡ଼ି ତୁମ ହାତ ଧରି ପକାଉଛି । ତୁମେ କହୁଛ–ଛାଡ଼ ଛାଡ଼ ମୋତେ ଯିବାକୁ ଦିଅ, ମୁଁ କହୁଛି ମୁଁ ତୁମକୁ ଛାଡ଼ି ରହି ପାରିବି ନାହିଁ । ଆମେ ଦୁହେଁ କାନ୍ଦୁଛୁ । ତ’ ପରେ ।’’

 

‘‘ହଉ, ଥାଉ ।’’ ଶାନ୍ତିଦେବୀ ନ ହସି ରହି ପାରିଲେ ନାହିଁ । ‘‘ଘରେ ବସି ଯେତେକ ରୋଗ ବାହାରୁଛି । ଅଫିସ୍‍ ବେଳ ହୋଇ ନାହିଁ ? ଯାଉନା ବାହାରେ ଟିକିଏ ବୁଲି ଆସିବ ।’’

 

ଶାନ୍ତିଦେବୀ ଭାବିଲେ,–ମୋର ସ୍ୱାମୀଟି ବିଚିତ୍ର । ଆସି ବୁଢ଼ା ହେଲେଣି, ଅଫିସର ବଡ଼ବାବୁ ହେଲେଣି, ଗାଲ ପଶି ଗଲାଣି, ମୁଣ୍ଡବାଳ ଅଧେ ଧଳା ହୋଇ ଗଲାଣି, ତଥାପି ତାଙ୍କର ପିଲାଳିଆମି ଯାଇନାହିଁ । ତଥାପି ତାଙ୍କର ଛୋଟ ଆଖି ନାଚି ଉଠେ ଯେତେବେଳେ ସେ ଖୁସି ଥାଆନ୍ତି, ଆଉ ଏମିତିକା ରୋମାଣ୍ଟିକ୍‍ କଳ୍ପନା ତାଙ୍କ ମନକୁ ଆସେ । (ଦୀର୍ଘନିଃଶ୍ୱାସ) ଆମ ଜୀବନଟା ବେଶ୍‍ କଟିଗଲା । ସୁଧାର ଭାଗ୍ୟରେ କଅଣ ଅଛି କେଜାଣି !

 

ଏହାପରେ ସେ ଯେତେବେଳେ ପୁଣି ମୁହଁ ତଳକୁ କରି ମନଯୋଗ ସହ ସିଲେଇ କଲେ, ସୁରବାବୁଙ୍କର ସନ୍ଦେହ ହେଲା । ଶାନ୍ତି ନାଁକୁ ସିଲେଇ କରୁଛି, ସେ ସିଲେଇର ଆଢ଼ୁଆଳରେ କଅଣ ବସି ଭାବୁଛି । ଭାବୁଛି ଓ ଠିକ୍‍ କରି ପାରୁ ନାହିଁ । ବିଚାରୀ ! ତା’ ମନଟା ପିଲାଙ୍କ ପରି ନିର୍ମଳ । କେଉଁଠୁ ଗୋଟିଏ ଚଲାବଉଦ ଆସିଗଲେ ସେ ତା’ର କଳା ଛାଇରେ ବ୍ୟତିବ୍ୟସ୍ତ ହୋଇ ପଡ଼େ ।

 

ସମୟ ଖରାଦିନିଆ ପ୍ରଶସ୍ତ ସକାଳ । ଅଫିସ୍‍ ଯିବାକୁ ଡେରି ଅଛି । ସୁରବାବୁ ପୁଣି ଥରେ ଖବରକାଗଜକୁ ଓଲଟାଇଲେ ଏବଂ ମନକୁ ଖେଳାଇଲେ । ଗୋଟିଏ ଚଢ଼େଇର ଚେଁ ଚାକୁ ସେ ଅଲଗା କରି ଶୁଣିବାକୁ ପାଇଲେ, ଓ ଭାବିଲେ ଏକ ନୂଆ ରକମର ଶବ୍‍ଦ । ଗୋଟିଏ ପତଙ୍ଗ ଜାତୀୟ ଜୀବ ଝରକାର ଦୁଇଟି ରେଲିଙ୍ଗ୍ ଭିତରେ ଘୂରି ଘୂରି ଉଠୁଥିଲା, ତାକୁ ମଧ୍ୟ ସେ ଦେଖିବାକୁ ପାଇଲେ ।

 

ଶାନ୍ତିଦେବୀ ଅଧିକରୁ ଅଧିକ ଗମ୍ଭୀର ହେଲେ । କ୍ରମଶଃ ଦେଖାଗଲା ଯେ ସେ ଆଉ ସିଲେଇ କରି ପାରିବେ ନାହିଁ । ସେ ଆଉ ଭାବି ପାରିବେ ନାହିଁ । ସେ କିଛି କରିବେ ।

 

ସେହିଠୁଁ ଜରୁରୀ ଭାବ ନେଇ ସେ ପଚାରିଲେ, ‘‘ଶୁଣ, ମୁଁ କ’ଣ କହୁଛି । ତୁମର ଖରାଛୁଟି ହେବାକୁ ଆଉ କେତେ ଦିନ ରହିଲା ?’’

 

‘‘କାହିଁକି ? ଆଉ ସାତ ଆଠ ଦିନ ।’’

 

‘‘ତୁମେ ସାନ ପିଲାଙ୍କ ଖବର ବୁଝିବ । ମୁଁ ଯାଉଛି, ସୁଧାଘରେ କିଛି ଦିନ ରହିକରି ଆସିବି । କ’ଣ କହୁଛ ?’’

 

ସୁରବାବୁ ଅପେକ୍ଷା କଲେ । କଥା ସରି ନାହିଁ, ଉଦ୍ଦେଶ୍ୟ ବୁଝି ହେଲା ନାହିଁ ।

 

‘‘ସୁଧା ଚିଠି ଦେଇଛି । ଲେଖିଛି ଯେ ତା’ମନ ଭଲ ରହୁ ନାହିଁ । ଆଉ ମୋତେ କେତେ କରି ଆସିବାକୁ କହୁଛି ।’’

 

ସୁଧା ବଡ଼ ଝିଅ । ଦୁଇତିନି ବର୍ଷ ହେଲା ବାହା ହେଲାଣି କିନ୍ତୁ ଏହି ପ୍ରଥମ ସ୍ୱାମୀ ପାଖରେ ରହିବ ବୋଲି ଯାଇଛି । ଜ୍ୱାଇଁ ପ୍ରଭାତକୁମାର ଗୋଟିଏ କମ୍ପାନୀରେ ଚାକିରି କରେ, ଭଲରେ ଅଛି । ସୁଧାର ମନ ଭଲ ରହୁନାହିଁ କାହିଁକି ? ହୋଇଥିବ, ଅଜଣା ବଡ଼ ସହରରେ ପ୍ରଥମେ ଟିକିଏ ଅଡ଼ୁଆ ଲାଗୁଥିବ । ତେବେ ମାଆ ମନ । ଯାଉ ବୁଲିକରି ଆସୁ...।

 

ପ୍ରସ୍ତାବକୁ ମନ ଭିତରେ ଆଲୋଚନା କରି ସାରିଲା ପରେ ସୁରବାବୁ କହିଲେ, ‘‘ବେଶ୍‍ ଭଲ କଥା । ଯାଅ ଦଶ ପନ୍ଦର ଦିନ ରହି କରି ଆସିବ । ...ଏଇୟା ବସି ଭାବୁଥିଲ ?’’

 

ଶାନ୍ତିଦେବୀ ଚଟ୍‍କରି ଉତ୍ତର ଦେଇ ପାରିଲେ ନାହିଁ । କହିଲେ, ‘‘ନା, ଏମିତି କିଛି ନୁହେଁ-। ତେବେ ତୁମ ଝିଅ କଥା ଜାଣିଛ ତ, ଅତି ଗେହ୍ଲାରେ ବଢ଼େଇଛ, ଟିକିଏ ଦୁଃଖ କଷ୍ଟ ସହିବ ନାହିଁ । ମୁଁ ଭାବିଲି ନିଜେ ଯାଇ ଦେଖି ଆସିଲେ, ବୁଝାବୁଝି କରିଦେଲେ ଝିଅଙ୍କ ମିଜାଜ ଠିକ୍‍ ରହିବ-। ତୁମେ ତ ଯାଇ ପାରିବ ନାହିଁ, କେତେ ବାହାନା କରିବ । ମୁଁ ପିଲାଙ୍କୁ ଛାଡ଼ି ଯାଇ ପାରୁ ନାହିଁ-। ସେଇଲାଗି ମୁଁ କହିଲି ଯେ ଛୁଟି ଆସୁଛି, ଏତିକିବେଳେ ସୁବିଧା ଅଛି ଅବଶ୍ୟ ତୁମେ ହଇରାଣ ହେବ । ଏ ପୁଝାରୀ ଟୋକା କିଛି କାମର ନୁହେଁ କିନ୍ତୁ– ।’’

 

ଏତେ ସଫେଇ ଦେବାର କଅଣ ଅଛି ? ସୁରବାବୁ ଆମୋଦିତ ହେଲେ । ଶାନ୍ତି ବଡ଼ ହୋଇନାହିଁ । କେଇଟା ଦିନ ମୋତେ ଛାଡ଼ି କରି ଯିବ, ସେଥିପାଇଁ ଏତେ ବ୍ୟସ୍ତ । ମୁଁ କଅଣ ନୂଆ ବାହା ହୋଇଛି ଯେ ସ୍ତ୍ରୀ ସାତଦିନ ପାଇଁ ବାପ ଘରକୁ ଗଲେ ବିଚ୍ଛେଦ ବୋଲି ମନେକରିବି ଓ ମୁହଁ ଶୁଖେଇବି ?

 

କିନ୍ତୁ ଶାନ୍ତିଦେବୀ ଭାବିଲେ,–ମୁଁ ଆଉ କଅଣ କହିବି ? ଆଉ କଅଣ କହିପାରି ଥାଆନ୍ତି-? ସେ ମାଆ ନୁହନ୍ତି, ଯେ ବୁଝିବେ ନାହିଁ ।

 

ଆଜି ଶାନ୍ତିଦେବୀ ଝିଅ ଘରକୁ ଯିବେ । ସକାଳ ପହରୁ ସଜଡ଼ାସଜଡ଼ି ଚାଲିଛି ।

 

ସୁରବାବୁ ଲକ୍ଷ୍ୟକଲେ ଯେ ଶାନ୍ତି କାମ ଛାଡ଼ିଦେଇ ବେଳେ ବେଳେ କାନ୍ଥ ବାଡକୁ ଚାହିଁ ରହୁଛି, ଓ ଓଠକୁ ଚାପି ଦେଉଛି ରାଗିଲା ପରି । କିନ୍ତୁ କିଏ ପାଖକୁ ଆସିଗଲେ ପୁଣି କାମରେ ଲାଗି ପଡ଼ୁଛି ।

 

ତା’ ମନରେ ଆଗ୍ରହ ନାହିଁ । କିମ୍ୱା କେବଳ ଦୁଃଖ ଥିଲାପରି ଲାଗୁନାହିଁ । ମନେ ହେଉଛି ଯେ ସେ କୌଣସି ରଣକ୍ଷେତ୍ରକୁ ବାହାରିଛି; ଶତ୍ରୁ ଅତି ବଳଶାଳୀ । ତାକୁ ଏ ଯୁଦ୍ଧ ଭଲ ଲାଗୁନାହିଁ, କିନ୍ତୁ ଅନ୍ୟ ଉପାୟ ନାହିଁ । ସେ ରହି ରହି କହୁଛି, ‘‘ମୁଁ କଅଣ ସେଠି ବେଶିଦିନ ରହିବି-? ମୋତେ ଆରେଇବ ନାହିଁ । ମୁଁ ଜଲଦି ଚାଲି ଆସିବି ।’’ କିନ୍ତୁ ପୁଅ ଦୁଇଜଣ ବାଲୁ ଓ ସୁଲୁ ଯେତେବେଳେ ପଚାରିଲେ, ‘‘ମାଆ ତୁମେ କେବେ ଫେରିବ ? ଆର ରବିବାରକୁ-? ପହିଲା ବେଳକୁ ?’’ ଇତ୍ୟାଦି, ସେ ଚିଡ଼ି ଉଠିଲା । କହିଲା, ‘‘ଓଃ । ମୁଁ କଅଣ ସେଠିକି ମଉଜ କରିବାକୁ ଯାଉଛି ? କହିଲି, ତ ଜଲ୍‍ଦି ଫେରି ଆସିବି–’’

 

ସ୍ତ୍ରୀଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ ସୁରବାକୁ ଥରେ ତାଙ୍କ ହାତକୁ ଧରି ପକାଇଲେ । ସେତେବେଳେ ଶାନ୍ତିଦେବୀ ଗୋଟାଏ ବଡ଼ କଳା ଟ୍ରଂକ୍‍ ଉପରେ ବସିଥାଆନ୍ତି । ଚାରିଆଡ଼େ ଖୋଲା ବିଛଣା, ବାସିଲୁଗା, ଦର୍ପଣ ପାନିଆ ପ୍ରଭୃତି ଖେଳା ହୋଇ ପଡ଼ିଥାଏ । ପିଲାମାନେ ଆଖି ପାହାନ୍ତାରେ ବୁଲୁଥାଆନ୍ତି । କିନ୍ତୁ ଏହି ପରିବେଶରେ ସଙ୍କୁଚିତ ନହୋଇ ଶାନ୍ତିଦେବୀ ସ୍ଥିର, ନମିତ, ଓ ପ୍ରୀତିଭରା ଚାହାଣିରେ ସ୍ୱୀମୀଙ୍କୁ ଅନାଇଲେ, ମନେହେଲା ଯେ ସେ କୃତଜ୍ଞତାରେ ତରଳି ଯାଉଛନ୍ତି । ଯେପରିକି ସେ ଯାହା ପାଇଲେ ତା’ର ତୁଳନା ନାହିଁ । ଯେତକି ସେ ତୃଷିତା ପ୍ରିୟା, ବୟସ ଅଠର ବର୍ଷ ।

 

ସୁରବାବୁ ଅପ୍ରସ୍ତୁତ ହୋଇ ହାତ ଫେରାଇ ଆଣିଲେ, ଗୋଟିଏ ସାଟିନ୍‍ ତକିଆ ଖୋଳରେ ହାତ ଘସିଲେ । ତାଙ୍କୁ ଡର ଲାଗିଲା । କାହିଁକିନା ତାଙ୍କର ଇଚ୍ଛା ହେଲା ଯେ ଏହି ମୁହୂର୍ତ୍ତରେ ଓ ସର୍ବସମ୍ମୁଖରେ ସେ ସେହି କ୍ଳାନ୍ତ ଦୀପ୍ତ, ଗୋରା ଗୁରୁଣା ମୁହଁରେ ଚୁମ୍ୱନ ଦେବେ ।

 

ଶାନ୍ତିର କଅଣ ହୋଇଛି ।

 

ମୁହୂର୍ତ୍ତ କଟିଗଲା । କିନ୍ତୁ କେତେବେଳଯାଏଁ ତା’ର ମହତ୍ତ୍ୱ ଶାନ୍ତିଦେବୀଙ୍କ ମନରେ ବସା ବାନ୍ଧିଥିଲା । ସେ ଭାବୁଥିଲେ, –ସବୁ ପୁରୁଷ, ସବୁ ସ୍ୱାମୀ, ସବୁ ଜ୍ୱାଇଁ କ’ଣ ତାଙ୍କପରି ହୋଇ ପାରିବେ ନାହିଁ ? କାହିଁକି ହେବେନାହିଁ ?

 

ଟ୍ରେନ୍‍ ଛାଡ଼ିଲା ବେଳକୁ ସେ ଶେଷକଥା ସ୍ୱାମୀଙ୍କୁ କହିଲେ, ‘‘ଭଲ କରି ଖାଇବ, ଦେହର ଯତ୍ନ ନେବ–’’

Image

 

ଦୁଇ

 

ଶାନ୍ତିଦେବୀ ଯିବାର ପ୍ରାୟ ସାତଦିନ ହୋଇ ଗଲାଣି ।

 

ସୁରବାବୁ ତାଙ୍କର ପୁଅ ଦୁଇଜଣଙ୍କୁ ନେଇ ପାର୍କକୁ ବୁଲି-ଯାଇଥିଲେ । ପିଲାମାନେ ତିନିଖଣ୍ଡ କାଠି ପୋତି କ୍ରିକେଟ୍‍ ଖେଳୁଥାଆନ୍ତି ଓ ସୁରବାବୁ ଦୂରରେ ବହଳିଆ ଘାସ ଉପରେ ବସି ରହି ଥାଆନ୍ତି । ସଞ୍ଜ ପବନ ସାଙ୍ଗରେ ପ୍ରୀତିକର ଚେତନାର ବିଭିନ୍ନ ରୂପ ତାଙ୍କ ମନକୁ ଛୁଇଁ ଚାଲି ଯାଉଥାଏ । ଯଥା: ଏ ଘାସ ବେଶ୍‍ ନରମ ଓ ଶାଗୁଆ...ଶାନ୍ତି ଚିଠି ଦେଇଥିଲା, ସେ ଭଲ ଅଛି, ସୁଧା ଭଲ ଅଛି, ବାଲୁ ଭଲ ଖେଳୁଆଡ଼ ହେବ କିନ୍ତୁ ସୁଲୁ ପଣ୍ଡିତ ହେବ...ଆଗରେ ଯେଉଁ ସ୍ତ୍ରୀ ଲୋକଟି ଚାଲିଗଲା,–ବିରାଟ ବକ୍ଷ, ବିଶାଳ ନିତମ୍ୱ–,ସେ ମଧ୍ୟ ଏହି ସଂଜକୁ ଉପଭୋଗ କରି ପାରୁଛି ! ସେଦିନ ଶାନ୍ତିର ମୁହଁ ମନେ ପଡ଼ୁଛି, ସେ ମୋତେ ଭାରୀ ଭଲପାଏ । ସୁଧା ନିଶ୍ଚୟ କିଛି ଚିଠିରେ ଲେଖିଥିଲା ଯେଉଁଥିରେ ଶାନ୍ତି କାହାକୁ କିଛି କହି ପାରି ମନେମନେ କଷ୍ଟ ପାଉଥିଲା-। ମୁଁ ତା’ର ବ୍ୟଥାକୁ ଦେଖିପାରି ଆଉଁସଦେଲି ସେଥିଲାଗି ସେ ଗଦ୍‍ଗଦ୍‍ ହୋଇ ମୋ ଆଡ଼କୁ ଚାହିଁଲା । ସେ ମୋତେ ଭାରୀ ଭଲପାଏ...ଯୋଡ଼ାଏ ସାନପିଲା ଘାସରେ ଗଡ଼ାଗଡ଼ି, ମରାମରି ହେଉଛନ୍ତି । ତାଙ୍କଆଡ଼କୁ ଚାହିଁଲେ ସେମାନେ ଖେଳ ଦେଖାଇଲା ପରି ପୁଣି ମାତୁଛନ୍ତି...ସୁଧା କଅଣ ଲେଖିଥିଲା ? ଯେ ତା’ର ସ୍ୱାମୀ ସାଙ୍ଗରେ ପଡ଼ୁନାହିଁ ? ସେଥିରେ ଏତେ ଭାବିବାର କଅଣ ଅଛି ? ମାଆ ଝିଅ ଦୁହେଁ ସମାନ କୋମଳ ଭାବରେ ସରି ଯାଇଛନ୍ତି । ସୁଧା ଓ ପ୍ରଭାତ ଦିନେ ବଡ଼ ହେବେ, ଆମ ପରି ହେବେ । ତାଙ୍କ ଜୀବନ ସୁରୁଖୁରୁରେ କଟିଯିବ...ତେବେ ଶାନ୍ତି ମୋତେ ବେଶି ଭଲପାଏ...

 

ସେ ମୋତେ ବେଶି ଭଲପାଏ । ଜୀବନର ଜୟମାଲ୍ୟ । ପ୍ରବୀଣ ଯୋଦ୍ଧାର ସାଜରେ ଉଦ୍ଧତ ସ୍ୱର୍ଣ୍ଣ ପଦକ । ତା’ ବୋଲି କ’ଣ ସେ ତୁଚ୍ଛାଟାକୁ ଝଣଝଣ ହେଉଥିବ ? ଛାତି ଉପରେ ପିଟି ହେଉଥିବ ?

 

କ୍ରମଶଃ ସୁରବାବୁଙ୍କର ମନେହେଲା ଯେ ସେହି ନିଦା ସୁନାର ବୋଝ ସହି ହେଉ ନାହିଁ-। ତା’ର ଚହଟରଙ୍ଗ ଆଖିକୁ ବାଧୁଛି । ଏ ପ୍ରୌଢ଼ତା ଏ ସାୟାହ୍ନରେ ତା’ର ଏମିତି ଦେଖେଇ ହେବା ଉଚିତ ନୁହେଁ ।

 

ସଂସାରରେ କଅଣ ଆଉ କେହି ସ୍ୱାମୀ-ସ୍ତ୍ରୀ ନାହାଁନ୍ତି ? ସେମାନେ କଅଣ ପରସ୍ପରକୁ ଭଲ ପାଆନ୍ତି ନାହିଁ ? ସୁରବାବୁ ନିଜକୁ ତିଆରିବାକୁ ଚାହିଁଲେ ଓ ପ୍ରମାଣ ଦେଲା ପରି ପାର୍କରେ ବୁଲୁଥିବା ଯୁଗଳ ମୂର୍ତ୍ତିମାନଙ୍କୁ ନିରେଖି ଦେଖିଲେ । ଏହି ଆସୁଛନ୍ତି ଉତ୍ତର ଭାରତର ଦୁଇଜଣ, ସ୍ୱାସ୍ଥ୍ୟବାନ ଓ ସ୍ୱାସ୍ଥ୍ୟବତୀ, ହସଖୁସିରେ ଫାଟି ପଡ଼ୁଛନ୍ତି । ଆଉ ଦୁଇଜଣ ତରୁଣ ତରୁଣୀ, ହୁଏତ ନୂଆ ବାହା ହୋଇଛନ୍ତି କିମ୍ୱା ନୂଆ କରି ପ୍ରେମ କରୁଛନ୍ତି, ସେମାନେ ଦେହରେ ଦେହ ଲଗାଇ ଝୁଲି ଝୁଲି ଚାଲୁଛନ୍ତି,–ଯେପରିକି ପ୍ରତି ସ୍ପର୍ଶରବିନ୍ଦୁ ନେଇ ପ୍ରେମର ସାଗର ଗଢ଼ା ହେଉଛି । ଆଉ ଦୁଇଜଣ କ୍ଷିପ୍ର ଗତିରେ ଚାଲୁଛନ୍ତି, ଯୁକ୍ତି କଲା ପରି କଥା କହୁଛନ୍ତି ଏବଂ ସାନଝିଅଟିଏ ଟାଣି ହେଲାପରି ସାଙ୍ଗରେ ଚାଲିଛି । ପୁଣି ଦେଖ ସେ ଦୁଇଜଣଙ୍କୁ, ହାତରେ କୁକୁର ଧରା ହୋଇଛି, ଗର୍ବର ଉନ୍ନତ ମସ୍ତକରେ ପବନ ଶୁଙ୍ଘୁଛନ୍ତି, କଥା କହିବାର ଆବଶ୍ୟକତା ବୋଧ କରୁ ନାହାନ୍ତି । ଏହିପରି କେତେ । ସମସ୍ତେ ସୁଖୀ, ସୁସ୍ଥ ଓ ସାଧାରଣ । ତାହାହେଲେ ଶାନ୍ତି ମୋତେ କାହିଁକି ଏମିତି ତର୍ଜନୀ ଦେଖାଇ ଭଲ ପାଇବ ? ମୁଁ କି ଦୋଷ କରିଛି ?

 

ସୁରବାବୁ ନିଜକ ପ୍ରବୋଧନା ଦେଲେ । ଭାବିଲେ ଯେ ବୋଧହୁଏ ଶାନ୍ତି ପାଖରେ ନ ଥିବାରୁ ଏପରି ଅସଂଗତ ଭାବନା ମନକୁ ଆସୁଛି । କଳ୍ପନାରେ ତା’ ମୁହଁ ଅତ୍ୟଧିକ କରୁଣ ଓ ସରଳ ଦେଖା ଯାଉଛି । କିମ୍ୱା ହୁଏତ ମୁଁ ବୁଢ଼ା ହୋଇ ଆସୁଛି–ସୁରବାବୁ ଚିନ୍ତିତ ହେଲେ । ମୋର ମନ ଦୁର୍ବଳ ହେଉଛି । ଅଦୂର ମରଣର ଛାଇରେ ମୋ ଭାବନାର ରଙ୍ଗ ବଦଳି ଯାଉଛି । କହିଁକି ? ମୋତେ ମୋଟେ ତେପନ ବର୍ଷ । ମୋ ଦେହରେ ବଳ ଅଛି, ମୋର ବୁଦ୍ଧି ମଳିନ ହୋଇ ନାହିଁ । ଶେଷକୁ ସେ ଅନୁମାନ କଲେ ଯେ ଏ ହେଉଛି ଗ୍ରୀଷ୍ମୋତ୍ତାପର ଲକ୍ଷଣ ।

 

କିଛିକ୍ଷଣ ପରେ ସେ ନିଜକୁ ସଜାଡ଼ି ନେଇ ପାରିଲେ । ଦମ୍ଭର ସହିତ ନିଜକୁ କହିଲେ,–ଶାନ୍ତି ମୋତେ ବେଶି ଭଲ ପାଉ, କିଛି ଯାଏ ଆସେ ନାହିଁ । ମୁଁ ମଧ୍ୟ ତାକୁ କିଛି କମ୍‍ ଭଲ ପାଏ ନାହିଁ ।

 

ଆଉ ଦିନେ ସେହି ପାର୍କ୍‍ରେ ବାଲୁ ଚିତ୍କାର କଲା ଯେ ତାଙ୍କରି ପାଖ ଦେଇ ଗୋଟାଏ ସାପ ଚାଲିଗଲା । ସରୁ ସାପଟିଏ ଦିଶି ନ ଦିଶିଲା ପରି ସୁର୍‍ ସୁର୍‍ ହୋଇ ପଳେଇଗଲା । ଘାସ ଭିତରୁ ବାହାରି ଘାସରେ ଲୁଚିଗଲା ।

 

ସୁରବାବୁ ବିଶ୍ୱାସ କଲେ ନାହିଁ । କିନ୍ତୁ ତାଙ୍କର ମନେହେଲା ଯେ ସେ ତାକୁ ଦେଖିଛନ୍ତି-। ତା’ର ଚେହେରା କେମିତି କହି ହେଉ ନାହିଁ, କିନ୍ତୁ ସେ ଆସିଥିଲା । ମନେ ପକାଇଲେ ମନେ ପଡ଼ୁଛି ଯେ ସେ ଆସିଥିଲା–ଗୋଟିଏ ଦୁଃସ୍ୱପ୍ନପରି । ତା’କୁ ଅସ୍ୱୀକାର କଲେ ଚଳିବ, କିନ୍ତୁ କିଛି ଲାଭ ନାହିଁ-

 

ଏ ଘାସରେ ଆଉ କଅଣ ବସି ହେବ ? ସେହି ଘୃଣ୍ୟଜନ୍ତୁକୁ ମାରି ହେବ ନାହିଁ, ସେ ପଳେଇ ଯାଇଛି । କିନ୍ତୁ ଏ ଘାସ ଆଉ ପୂର୍ବପରି ନାହିଁ । ଘୋର ବିରକ୍ତି ସହ ସୁରବାବୁ ଉଠି ପଡ଼ିଲେ ଓ ପିଲାଙ୍କୁ ସାଙ୍ଗରେ ଧରି ଘରକୁ ଫେରିଲେ ।

 

ସାମାନ୍ୟ କଥା । ତେବେ ବୋଧହୁଏ ସେଇଥିପାଇଁ ତାଙ୍କର ବିରକ୍ତି ବଢ଼ିବାକୁ ଲାଗିଲା-। ଯେପରିକି ଛାତ କୋଣରେ କେଉଁଠି ଟିକିଏ ଅଳନ୍ଧୁ ରହିଯାଇଛି, ତାକୁ ଦେଖି ଦେଖି ନିଦ ହେଉନାହିଁ । ଅଦୃଶ୍ୟରେ ନିଜ ଦେହରେ କେଉଁଠି ମଇଳା ଲାଗିଯାଇଛି, ତାକୁ ଛଡ଼ାଇ ହେଉ ନାହିଁ-

 

ତାଙ୍କର ମନେ ହେଲା ଯେ ଏହି ଅସ୍ୱସ୍ତି ଆଜି ନୁହେଁ, ଅନେକ ଦିନୁ ରହିଛି । କାରଣ ସ୍ମୃତି ମିଛ ନୁହେଁ, ସତକଥାର ସନ୍ତକ । ଘାସରେ ଚାଲିଯାଇଥିବା ସାପର ଚିହ୍ନ । ତାକୁ ଲିଭାଇ ଦେଇ ହେବ ନାହିଁ । ଆଉ ସେ ଯେତେଦିନ ଥିବ ଶାନ୍ତିର ଗୋଲ ଶିଶୁ ମୁହଁ ଚୋଟ ହାଣୁଥିବ,–ମୁଁ ତୁମକୁ ବେଶି ଭଲପାଏ, ମୁଁ ତୁମକୁ ବେଶି ଭଲପାଏ ।

 

ଶେଷକୁ ବିରକ୍ତିରୁ କ୍ରୋଧ ଆସିଲା । ଏବଂ ସୁରବାବୁ ପ୍ରତିଜ୍ଞା କଲେ ଯେ ସେ ଶାନ୍ତି ଦେବୀଙ୍କୁ ସବୁକଥା କହିଦେବେ । ଶାନ୍ତି ବୁଝିବ, ବୁଝିବା ଉଚିତ ।

 

ପ୍ରତିଜ୍ଞା କରି ସାରିଲା ପରେ ସୁରବାବୁଙ୍କୁ ହାଲୁକା ଲାଗିଲା । କିବା କଥା ! କେତେବର୍ଷ ତଳେ ଜନୈକା ନାରୀ ସହିତ ତାଙ୍କର ଘନିଷ୍ଠତା ଆସି ଯାଇଥିଲା । ପିକ୍‍ନିକ୍‍ରେ ଏକୁଟିଆ ଆଳାପ, ଆଳାପରୁ ଚୁମ୍ୱନ, ଚୁମ୍ୱନରୁ ବାକି ସବୁ । ଚାହୁଁ ଚାହୁଁ କେତୋଟି ମାସ ଭିତରେ ଯାହା ହେବାର ହୋଇଗଲା, ଭାବିବାକୁ ସମୟ ମିଳିବ ନାହିଁ । ତା’ପରେ ସେ ଅନ୍ୟ ସହର, ଅନ୍ୟ ପ୍ରଦେଶ, କହିବାକୁ ଗଲେ ପୃଥିବୀ ବାହାରକୁ ଚାଲିଗଲା । କଥା ଛିଣ୍ଡିଲା । ଏଥିରେ ଶାନ୍ତିକୁ ଜଣାଇବାର କ’ଣ ଥିଲା ?

 

ସୁରବାବୁ ଭାବିଲେ ଯେ କାହାଣୀ ଶୁଣିଲା ପରେ ଶାନ୍ତି ହସିବ । ଦୁହେଁ ତାକୁ ହସରେ ଉଡ଼ାଇ ଦେବେ । ସାପ ହୋଇଯିବ ଗୋଟିଏ ରବର ଖେଳଣା, ଓ ତା’ର ଚିହ୍ନକୁ ଦୟା ଦେଖାଇ ଫୁଙ୍କି ଦେଇ ହେବ ।

 

ତା’ ନାଁ ଯୂଥିକା । ମନେ ପକେଇଲେ ମନେପଡ଼ୁଛି ତା’ର ମୋ ମୁହଁ, ଗହୀରିଆ ଗୋପନ ହସ, ତା’ ଦେହର ରଙ୍ଗ, ଧାସ ଓ ପାଲିସ୍‍ । ସେ କାମୁକା । ସେ ଶାନ୍ତି ପରି ମୋଟେ ନୁହେଁ, ରୂପରେ କି ଗୁଣରେ ତା’ର ସରି ହେବ ନାହିଁ । ତାହାହେଲେ ମୁଁ ତାକୁ କାହିଁକି ଭଲ ପାଇଲି-? ନା, ନା,–ମୁଁ ଭଲ ପାଇ ନାହିଁ । ମୁଁ ତାକୁ ଚାହିଁଥିଲି ବୋଲି କ’ଣ ଭଲ ପାଇଥିଲି ? ମୋର ଇଚ୍ଛା ହୋଇଥିଲା ଯେ ତା’ର ଗୁମାନ ଭାଙ୍ଗି ଦେବି, ତା’ର ଉଚ୍ଚନୀଚ ପାତଳା ଦେହକୁ ଚାପି ଧରି ନଷ୍ଟ କରିଦେବି । ଥରେ କେଉଁ ରାତିରେ ମୁଁ ତିନ୍ତି ତିନ୍ତି ଯାଇ ତା’ ଘରେ ପହଞ୍ଚିଲି । ସେ ମୋତେ ବିଲ୍ୱମଙ୍ଗଳ ବୋଲି କହି ଥଟ୍ଟା କଲା ଓ ଦୂରେଇ ରଖି ଛଟପଟ କଲା । ତା’ ବୋଲି ମୁଁ କ’ଣ ତା’କୁ ଭଲ ପାଇଥିଲି ? ଶାନ୍ତି ଯାହା ନୁହେଁ ସେ ସେଇୟା । ସେ ସ୍ୱାର୍ଥୀ, ସ୍ୱାଧିକାରିଣୀ, ତାମସୀ-। ସେଇଥିପାଇଁ ବୋଧହୁଏ ମୁଁ ତାକୁ ଚାହିଁଥିଲି, ବିପରୀତର ସ୍ୱାଦୁ ପାଇବା ନାହିଁ । ସେ ହେଉଛି ମୋର ମନର ବିକାର, ଆଉ କିଛି ନୁହେଁ ।

 

ମୁଁ ଭଲକୁ ଅର୍ଥାତ୍‍ ଶାନ୍ତିକୁ ଭଲପାଏ, ସବୁ ଦିନେ ଭଲ ପାଇ ଆସିଛି । ଶାନ୍ତି ବୁଝିବ ।

 

ସୁରବାବୁ କ୍ୟାଲେଣ୍ଡର୍‍କୁ ଅନାଇଲେ ଏବଂ ଆବେଗଭରା ହୃଦୟରେ ସ୍ତ୍ରୀଙ୍କର ଫେରିବାକୁ ଅପେକ୍ଷା କଲେ ।

 

ତିନି

 

ଶାନ୍ତିଦେବୀ ସଂପଦ ମଣ୍ଡିତା ଫେରିଲେ । ସାଙ୍ଗରେ କେଜାଣି କେତେ ଟୋକେଇ, ଝୁଡ଼ି, ପ୍ୟାକେଟ, ଖୋଳ ଇତ୍ୟାଦି । ପିଲାମାନେ ଲୋଭ ସମ୍ଭାଳି ପାରିଲେ ନାହିଁ । ଘରେ ନ ପହଞ୍ଚୁଣୁ ସେଗୁଡ଼ିକର କୋଣ ଛିଡ଼େଇ ଉଙ୍କି ମାରି ଦେଖିବାକୁ ଚେଷ୍ଟା କଲେ । ଶାନ୍ତିଦେବୀ କୃତ୍ରିମ ରାଗରେ କହିଲେ, ‘‘ରୁହ ସେମିତି କାହିଁକି ହେଉଛ । ମୁଁ କହି ଦେଉଛି କ’ଣ ଆଣିଛି । ସେ ଟୋକେଇରେ ଅଛି ଦଶେରି ଆମ୍ୱ, ବଡ଼ ଝୁଡ଼ିରେ ଲିଚୁ, ସାନ ଝୁଡ଼ିରେ ଦି’ ରକମର ମିଠା–ମୁଁ ନାହିଁ ନାହିଁ କରୁଥିଲି, ସୁଧାଅପା ଜବରଦସ୍ତି କରି ଦେଇଛି । ବାକି କେତେଖଣ୍ଡ ନାଇଲନ୍‍ କନା, ବାପାଙ୍କ ପାଇଁ ଖଣ୍ଡେ ସ୍ୱେଟର୍‍–ଏମିତି । ଆଉ କଅଣ ? ଟଙ୍କା କେତେ ଥିଲା ଯେ ବଡ଼ଲୋକି କରି ଥାଆନ୍ତି ? (ଆପେକ୍ଷ କରିବା ଛଳରେ ସେ ସ୍ୱାମୀଙ୍କଆଡ଼କୁ ଅନାଇଲେ) ହଁ, ପ୍ରଭାତଭାଇ ତମ ପାଇଁ କ୍ରିକ୍ରେଟ୍‍ ବ୍ୟାଟ ଆଉ କ’ଣ ସବୁ ଖେଳ ଜିନିଷ ଦେଇଛି ।’’

 

ତା’ ପରେ ଖୁସି ହେଲା ପରି ଜ୍ୱାଇଁକୁ ନିନ୍ଦା କଲେ, ‘‘ସେ ସୁଧା ସାଙ୍ଗକୁ ଠିକ୍‍ ପଡ଼ିଛି । ଭାରୀ ବଦ୍‍ ଖର୍ଚ୍ଚୀ ।’’

 

ସୁରବାବୁଙ୍କର ଇଚ୍ଛା ହେଲା କହିବେ, କିନ୍ତୁ ଜଣା ପଡ଼ୁଛି ଯେ ତୁମ ହାତରେ ଟଙ୍କା ଥିଲେ ତୁମ ଝିଅ ଜ୍ୱାଇଁଙ୍କୁ ସାଙ୍ଗରେ ଧରି କଲିକତା ସହରଟାକୁ କିଣି ନେଇ ଆସିଥାଆନ୍ତି ! କେଉଁ ଗଡ଼ ଜିତି କରି ଆସିଛ, ଶୁଣିବା ।

 

ସେ କିଛି କହିଲେ ନାହିଁ, ପଚାରିଲେ ନାହିଁ, ନୀରବରେ ଉପଭୋଗ କଲେ,–ଶାନ୍ତି ଗଲାବେଳକୁ କେମିତି ଦେଖା ଯାଉଥିଲା, ଆଉ ଏହିକ୍ଷଣି କେମିତି ଦେଖାଯାଉଛି । ଅନ୍ଧାର ଓ ଆଲୁଅର ପ୍ରଭେଦ । ତେବେ ସେ ସେହି ଫୁଲ୍ଲ ବଦନରେ ଗୋଟିଏ ତ୍ରୁଟି ଦେଖିପାରିଲେ, ଓ ତାକୁହିଁ ନେଇ ଦି’ପଦ ଥଟ୍ଟା କଲେ । ଶାନ୍ତିଦେବୀଙ୍କର ଗୋଟିଏ ଦାନ୍ତ ପଡ଼ିଯାଇଛି । ଅକାଳ ବାର୍ଦ୍ଧକ୍ୟ ? ପିତାମହୀ ହେବାର ପୂର୍ବ ଲକ୍ଷଣ ? ଯାହା ହେଉ ସେଥିରେ ତାଙ୍କ ସଂପଦ କମି ଯାଉନାହିଁ, ବରଂ ମନେ ହେଉଛି ଯେ ଭବିଷ୍ୟତକୁ ଡାକି ଆଣି ଆଗତୁରା ଉଛୁଳି ଉଠୁଛି ।

 

ବୁଝିବାକୁ ବାକି ରହିଲା ନାହିଁ ଯେ ସୁଧାର ସବୁ ଦୁଃଖ ଦୁର୍ଦ୍ଦଶା ଦୂର ହୋଇ ଯାଇଛି ଏବଂ ଶାନ୍ତିଦ୍ୱାରା ତାହା ସମ୍ଭବ ହୋଇଛି । କିନ୍ତୁ ଶାନ୍ତିଦେବୀ କିଞ୍ଚିତ୍‍ ରହସ୍ୟର ସଚନା ଦେଇ କହିଲେ, –‘‘ତୁମେ ଅଫିସରୁ ଫେରିଆସ, ମୁଁ ତୁମକୁ ସବୁ କଥା କହିବି ।’’

 

ତେଣୁ ଶୀତଳ ସଂଜରେ ବାରିପଟେ ଦୁଇଟି ବେତ ଚଉକିରେ ବସିଲା ପରେ, ଧୀରେ ସୁସ୍ଥେ କଥାଟା ପଡ଼ିଲା । ଶାନ୍ତିଦେବୀ ଆରମ୍ଭ କଲେ–

 

‘‘ତୁମ ଝିଅଟି ଅସଲ ନାକ କାନ୍ଦୁରୀ ।’’

 

‘‘ଠିକ୍‍ ତା’ ମାଆ ପରି ।’’

 

‘‘ହଁ, କାହିଁକି କହିବ ନାହିଁ ? ମାଆ ଯଦି କାନ୍ଦୁରୀ ହୋଇଥାନ୍ତା ତାହାହେଲେ ଏତେବେଳକୁ–’’

 

‘‘ତା’ ଲୁହରେ ଲଙ୍କା ନଗରୀ ଛାରଖାର ହୋଇ ଯାଆନ୍ତାଣି ।’’

 

ଦୁହେଁ ହସି ଉଠିଲେ । ସେହିଠୁ ଶାନ୍ତିଦେବୀ ଗମ୍ଭୀରତା ପୂର୍ବକ କହିଲେ, ‘‘ଛାଡ଼ ସେ ବାଜେ କଥା । ମୁଁ କ’ଣ କହୁଛି ଶୁଣ । ...ସୁଧା ପ୍ରକୃତରେ ଭାରୀ ଦାବି ଯାଇଥିଲା । ମୁଁ ଯାଇ କରି ଖୁବ୍‍ ଭଲ କରିଛି ।’’

 

ସେ କହି ଚାଲିଲେ, ‘‘ତା’ ଦେହ ଭଲ ଅଛି । ଖାଉଛି ପିଉଛି, ସିନେମା ଦେଖୁଛି, ବଜାରକୁ ଯାଉଛି, ମାଷ୍ଟର ରଖି ହିନ୍ଦୀ ଶିଖୁଛି,–କେଉଁଥିରେ ହେଳା ନାହିଁ । ହେଲେ ତା’ ମନଟି ମରିଯାଇଥିଲା । ମୋତେ ଦେଖିଲା ମାତ୍ରକେ କୁଣ୍ଢାଇ ପକାଇ କାନ୍ଦ କାନ୍ଦ ହୋଇ କହିଲା,–ମାଆ ମୁଁ ଘରକୁ ଯିବି । ମୁଁ ଏଠି ବଞ୍ଚି ପାରିବି ନାହିଁ ।’’

 

ସୁରବାବୁ ବିଚଳିତ ହେଲେ ନାହିଁ । ବାହା ହେବାର କେତେବର୍ଷ ଯାଏଁ ଝିଅମାନେ ଏମିତି କହିଥାନ୍ତି । ବାପ ମାଆଙ୍କର ସେଥିରେ ଗୁରୁତ୍ୱ ଦେବା ଉଚିତ ନୁହେଁ । ଯାହାହେଉ ସେ ମନୋଯୋଗ ସହ ଶୁଣିଲେ ।

 

‘‘କେତେଦିନ ପରେ ଅଳ୍ପ ଅଳ୍ପ କରି ମୁଁ ପୂରା ଘଟଣା ଜାଣିବାକୁ ପାଇଲି । ବୁଝିଲି ସେ ସୁଧାର ସନ୍ଦେହ ହୋଇଛି ।’’

 

‘‘ସନ୍ଦେହ ?’’

 

‘‘ହଁ । ତା’ ମନରେ ଧାରଣା ହେଲା ଯେ ପ୍ରଭାତ । (ଶାନ୍ତିଦେବୀ ସ୍ୱର ବଦଳାଇଲେ-।) କଥାଟା ପ୍ରକୃତରେ କିଛି ନୁହେଁ ସେଇ ତୁମକୁ କହିବି ନାହିଁ ବୋଲି ଭାବୁଥିଲି । ତାଙ୍କ ଘର ପାଖରେ ଜଣେ ଇଂଜିନିୟର୍‍ ଅଛି । ବେଶ୍‍ ମେଳାପି ଭଦ୍ରଲୋକ । ତା’ର ଗୋଟିଏ ଭଉଣୀ, ଏମ୍‍. ଏ. ପାସ କରିଛି, ଏଇକ୍ଷଣି ଭାଇ ପାଖରେ ରହି କେଉଁଠି କ’ଣ ଟ୍ରେନିଂ ନେଉଛି । ସେ ୟାଙ୍କ ଘରକୁ ବହୁତ ଯିବା ଆସିବା କରେ । ଅକାଳେ ସକାଳେ ପହୁଞ୍ଚି ଯାଇ ଖାଇବାକୁ ମାଗେ, ରନ୍ଧାରେ ସାହାଯ୍ୟ କରେ, ରେଡ଼ିଓ ସାଙ୍ଗରେ ଗୀତ ବୋଲେ, ଇତ୍ୟାଦି । ଝିଅଟି ଭଲ, ଗର୍ବ ମୋଟେ ନାହିଁ । ହେଲେ ସେ ସେ ଟିକିଏ ଫାଜିଲ୍‍ ଆଉ ଫୁଲେଇ, ଆମ ସୁଧା ପରି ନୁହେ । ତା’ ଛଡ଼ା ସେ ବେଶି ପାଠ ପଢ଼ିଛି କି ନା, ସେଇଲାଗି ପ୍ରଭାତ ତାକୁ ବହୁତ କଥା ପଚାରେ, ତା’ ସାଙ୍ଗରେ ଘଣ୍ଟା ଘଣ୍ଟା ଧରି ଗପ କରେ । ଦିନେ କ’ଣ ହେଲା ନା– ।’’

 

ସୁରବାବୁ ଚୁପ ହୋଇ ରହିଥିଲେ, କିନ୍ତୁ ରହି ପାରୁ ନ ଥିଲେ । ପ୍ରତି ମୁହୂର୍ତ୍ତରେ ତାଙ୍କର ଇଚ୍ଛା ହେଉଥିଲା ଯେ ସେ ଚଉକିରୁ ଉଠି ଛିଡ଼ା ହେବେ, ଓ ଶାନ୍ତିଦେବୀଙ୍କୁ ଦି’ପଦ ଖାରା କଥା କହିବେ । କହିବେ ଯେ ସେ ସବୁ ଜାଣନ୍ତି, ସେ ଝିଅ ଗୋଟିଏ ରାକ୍ଷସୀ, ତା’ ପରି ଝିଅ ଅନେକ ଅଛନ୍ତି । ପ୍ରଭାତ ତା ଫାନ୍ଦରେ ଫଡ଼ିଯାଇଛି । ବୁଝୁନାହିଁ ଯେ ପ୍ରେମ ଭିନ୍ନ ଉପାଦାନରେ ଗଢ଼ା, ପ୍ରେମ ଏକ ମହାନ୍‍ ବସ୍ତୁ,...ପ୍ରେମ...

 

କିନ୍ତୁ ଶାନ୍ତି ଗପ କହିଲା ପରି କହୁଚି । ତୃତୀୟ ବ୍ୟକ୍ତି ପରି । କେଉଁ ଦମ୍ପତି ଏବଂ କେଉଁ ଫାଜିଲ୍‍ ଝିଅ ବିଷୟରେ ମନୋରଞ୍ଜନ ଗପ । ହୋଇପାରେ ଯେ କନ୍ଦଳ ତୁଟି ଯାଇଛି । ତୁଟିଛି ନା ନାହିଁ ? ଶାନ୍ତି ଏ ସବୁ ବିଷୟରେ କଅଣ ଜାଣେ ?

 

ସେ ଅଧାରୁ ଶୁଣିଲେ, ଶାନ୍ତି କହୁଛି, ‘‘ସୁଧା କୁଆଡ଼େ ଦି’ତିନି ଥର ଖାଇବାକୁ ଡାକିଲା, କିନ୍ତୁ ପ୍ରଭାତ ଶୁଣିଲା ନାହିଁ । ଶେଷକୁ ସେ ରାଗି କରି ଶୋଇବାକୁ ଗଲା । ଟିକିଏ ନିଦ ଲାଗି ଯାଇଛି, ଏହି ସମୟରେ ସେ ଶୁଣିଲା ଯେ ଦାଣ୍ଡଘରୁ ହସ ଶୁଭୁଛି । ଦୁଆର ମୁହଁକୁ ଯାଇ ଦେଖେ ଯେ ସେମାନେ ହସୁଛନ୍ତି ଆଉ କଫି ପିଉଛନ୍ତି । ଆଉ ଦିନେ...’’

 

ଏଥର ସୁରବାବୁ ଆଉ ସମ୍ଭାଳି ପାରିଲେ ନାହିଁ । କଣ୍ଠରେ ରୁକ୍ଷତା ଆଣି କହିଲେ, ‘‘ସେ ଗପରୁ କ’ଣ ମିଳିବ ? ତୁମେ କଅଣ କଲ ମୋତେ କୁହ । ଯଦି ଦରକାର ହୁଏ ମୁଁ ନିଜେ ଯିବି ସେଠିକି ।’’

 

ଶାନ୍ତିଦେବୀ ହସି ଉଠିଲେ । ତାଙ୍କର ସେହି ଭଙ୍ଗା ଦାନ୍ତର ହସ ଭଲ ଦିଶିଲା ନାହିଁ ।

 

ସେ କହିଲେ, ‘‘ମୁଁ କିଛି କଲି ନାହିଁ । ତୁମର ଯିବା ଦରକାର ନାହିଁ ।’’

 

ତା’ ପରେ ସେ ସାନ୍ତ୍ୱନା ଦେଲା ପରି କହିଲେ, ‘‘ସୁଧା ଭଲ ଅଛି । ସେତିକି ଜାଣିଲେ କ’ଣ ଯଥେଷ୍ଟ ନୁହେଁ ? ମୁଁ ନିଜକୁ ବାହାବା କରୁଛି ଯେ ମୁଁ ଗଲାରୁ ସବୁ ଠିକ୍‍ ହୋଇଗଲା । ହେଲେ ମୁଁ କଅଣ କରିଛି ? ଟିକିଏ ଲୁହ ପୋଛି ଦେଇଛି । ଦି’ ପଦ ଲେକ୍‍ଚର୍‍ ଦେଇଛି ଯେ ମଣିଷ ଜୀବନରେ ଏମିତି ଅନେକ ଭୁଲ୍‍ ହୁଏ, ପୁରୁଷ ଭ୍ରମର ଜାତି, ସମସ୍ତେ ତା’ ବାପା ପରି ଦେବତା ନୁହନ୍ତି–(ଆଦରବୋଳା ସ୍ମିତହାସ) ଟିକିଏ କଥାକୁ ଏତେ ବଡ଼ କରି ଧରିବା ଉଚିତ ନୁହେଁ, ଇତ୍ୟାଦି ଇତ୍ୟାଦି । କିନ୍ତୁ ସୁଧା ନିଜଗୁଣରେ ପୁଣି ହସି ପାରିଛି । ସେ ଆମ ଝିଅ ।’’

 

ଶାନ୍ତିଦେବୀ ତାଙ୍କ ଚଉକି ଟାଣି ଆଣି ପାଖେଇ ଆସିଲେ, ଓ ଗଭୀର ସଂବେଦନା ସହ କହିଲେ, ‘‘ବ୍ୟସ୍ତ ହୁଅ ନାହିଁ । ସବୁ ସୁଧୁରି ଯାଇଛି ।’’

 

ସେ ଭାବିଲେ,–ମୁଁ ଏତେ କଥା କହିଗଲି । ଆଉ କ’ଣ କହିବି ? ଏ ନିହାତି ସିଧା ମଣିଷ, ୟାଙ୍କ ମୁଣ୍ଡରେ ପଶିବ ନାହିଁ । ତା’ ଛଡ଼ା ଆଉ କ’ଣ କହିବାର ଅଛି ? ସେଇ ହିନ୍ଦୀ ମାଷ୍ଟରର ପୁଅ, ସୁଧାଠାରୁ ବର୍ଷେ ବଡ଼ ହେବ କି ନାହିଁ । ସେ ଯଦି ସୁଧାକୁ ‘ଭାବୀ’ ବୋଲି ଡାକିଲା, ସୁଧାର ହାତ ଦେଖି କହିଲା ଯେ ତା’ ଭାଗ୍ୟ ଦପ୍‍ଦପ୍‍ ହୋଇ ଜଳୁଛି ଓ ସେ ମିଠା ଭଲପାଏ ବୋଲି ସୁଧା ଯଦି ଦିନଯାକ ଲାଗି ବରଫି ତିଆରି କଲା ସେଥିରେ କ୍ଷତି କଅଣ ଅଛି ? ପିଲାଟି ଭଲ, ଭାରୀ ଲାଜକୁଳା । ତା ସାଙ୍ଗରେ ଏବେ ଜଣାଶୁଣା ହେଲା । ସେହିଦିନଠୁଁ କ’ଣ ସୁଧା ଖୁସି ଅଛି, ସେ ପାଠେଇ ଝିଅ ସାଙ୍ଗରେ ବାଦ କରୁ ନାହିଁ । କିଏ କହିବ ? ଯାହାହେଉ ସୁଧା ବାଗକୁ ଆସିଛି । ସୁଧା ବାଟ ହୁଡ଼ିବ ନାହିଁ, ସେ ଆମରି ଝିଅ ।

 

ସୁରବାବୁ ମୁଗ୍‍ଧ ହୋଇ ସ୍ତ୍ରୀଙ୍କୁ ଚାହିଁଥିଲେ ।

 

ତାଙ୍କର ନିଜର ପ୍ରତିଜ୍ଞା ମନେ ପଡ଼ିଲା । ଏବଂ ସେ ଭାବିଲେ,–କି ନିର୍ବୋଧତା ! କି ଆସ୍ପର୍ଦ୍ଧା ! ଆମେ ଯେଉଁ ସ୍ୱର୍ଗରେ ଅଛୁ, ତା’ର ମିଆଦ ପୂରିବ ନାହିଁ–ଅନ୍ତତଃ ମରିବା ଯାଏଁ । କେଉଁ ଯୂଥିକା, ବୀଥିକା, ସାପ ବେଙ୍ଗ ଚୁଚୁନ୍ଦ୍ରା ଆମର କ’ଣ କରିପାରିବେ ?

Image

 

ଶହେ ପୁଅ

 

ଜୟ ଯୁବ ଶକ୍ତିର ଜୟ !

 

ଜୟ ଜନନୀର ଜୟ !

 

ଇନ୍‍ କିଲାବ୍‍ ଜିନ୍ଦାବାଦ୍‍ !

 

ରୁହ ରୁହ, ମୁଁ ଟିକିଏ ନିଃଶ୍ୱାସ ମାରେ । ଏତେ ନିକଟରେ ମୁଁ ତୁମକୁ ଆଗରୁ କେବେ ଦେଖି ନ ଥିଲି କିନା, ସେଥିପାଇଁ । ଅବଶ୍ୟ ଶୋଭାଯାତ୍ରାରେ ଦେଖିଛି, କନ୍‍ଭୋକେସନ୍‍ ହଲରେ ଦେଖିଛି, ଘେରାଉରେ ଦେଖିଛି । କିନ୍ତୁ ଏମିତି ପାଖାପାଖି ଗୋଟିଏ ବେଞ୍ଚରେ ବସି, ତୁମ ମଇଳା କାମିଜର ବାସ୍ନା ଶୁଙ୍ଘି, ତୁମର ଛିଣ୍ଡା ଜ୍ୟାମିତି ବହିରେ ମାଛି ହୁରୁଡ଼େଇ, ତୁମର ପ୍ରଚଣ୍ଡ ଶକ୍ତିକୁ ଛୁଇଁ ନ ଥିଲି । ଭାବିଲେ ଏବେ ମଧ୍ୟ ହୃଦୟର ମଝିରେ ଚାଉଁକିନି ଲାଗୁଛି । ଆରେ, ମୁଁ କଅଣ ଏଇ ଅନ୍ତରଙ୍ଗତାର ବିଜୁଳିରେ ଜଳିଯିବି ନା କଅଣ ? ମୋର ନିଜତ୍ୱ, ମୋର ପ୍ରୌଢ଼ତ୍ୱ ମୋର ବେଦଦତ୍ତ ଦୂରତ୍ୱକୁ ଭୁଲିଯିବି ?

 

ତତ୍‍ସହ ଗାନ୍ଧାରୀଙ୍କ ପ୍ରତି ଦାନ୍ତ କଡ଼ମଡ଼ କରିବାକୁ ଇଚ୍ଛା ହେଉଛି । କାରଣ ମୁଁ ଜାଣିଛି ଯେ ତୁମେମାନେ ମରିବ । ଅକାଳରେ ମରିବ । ନହେଲେ ମହାଭାରତ ସଫଳ ହେବ କେମିତି ?

 

ଏଇ କେତେଦିନ ତଳର କଥା ।

 

ମୁଁ ଛୁଟିରେ ଘରୁ ଫେରିଥିଲି କଲିକତାକୁ । କଲିକତାରେ ମୁଁ ଚାକିରି କରେ । ସେଇଠି ମୋର ଯାନବାହାନ, ଆସ୍ଥାନ ଓ ସମ୍ମାନ । ତେଣୁ କୌଣସିମତେ ବାପମାଙ୍କ ପାଖରେ କିଛିଦିନ କଟେଇ ଆପଣା ଜାଗାକୁ ଫେରି ଆସିବା ପାଇଁ ତର ସହୁ ନ ଥିଲା ।

 

ରାତି ଟ୍ରେନ୍‍ । ପାହାନ୍ତିଆ ବେଳକୁ କଲିକତାରେ ପହଞ୍ଚିଯିବି ଏଇ ଭରସାରେ ମୁଁ ଥାର୍ଡ୍‍କ୍ଳାସ୍‍ ସ୍ଳିପର୍‍ର ଟାଣୁଆ ବେଞ୍ଚ୍ କୁ ସହି ନେଉଥିଲି । ସହଯାତ୍ରୀମାନଙ୍କୁ ପ୍ରକାରାନ୍ତରେ ଜଣାଇ ସାରିଛି ଯେ ମୁଁ ଅମୁକ, ଛୁଟିରେ ନ ଥିଲେ ମୁଁ ଏୟାର କଣ୍ଡିସନ୍‍ଡ଼୍‍ ଶ୍ରେଣୀରେ ଯାଉଥାଆନ୍ତି, ଇତ୍ୟାଦି । ବର୍ତ୍ତମାନ ସେମାନେ ନିଶ୍ଚିନ୍ତରେ ଶୋଇଗଲେଣି, କିନ୍ତୁ ମୋ ଆଖିକୁ ନିଦ ଆସୁ ନାହିଁ । ଆଲୁଅ ଜଳେଇ ଘଡ଼ି ଦେଖିବାକୁ ଯାଉଛି ଏହି ସମୟରେ ଗାଡ଼ି କ୍ରମଶଃ ଗୋଟିଏ ବଡ଼ ଷ୍ଟେସନର ଝଲମଲ ଭିତରକୁ ଗଡ଼ି ଆସିଲା । ଖଡ଼ଗପୁର ! ଗୁଡ଼୍‍ । ତାହାହେଲେ ଆଉ ମାତ୍ର ଦୁଇ ଘଣ୍ଟା । ମୁଁ ଉଠି ପଡ଼ି ଗୋଟିଏ ସ୍ୱସ୍ତିର ସିଗାରେଟ୍‍ ଟାଣିଲି ।

 

ଲାଉଡ଼୍‍ସ୍ପିକ୍‍ର ମୁଖସ୍ଥ ପାଠ କହି ଚାଲିଥାଏ,–ଅମୁକ ଟ୍ରେନ୍‍ ଅମୁକ ପ୍ଳାଟ୍‍ଫର୍ମରେ, ଅମୁକ ଟାଇମ୍‍ ରେ...ଥରେ ବଙ୍ଗଳା, ଥରେ ହିନ୍ଦୀ, ଥରେ ଇଂରେଜି । ହଠାତ୍‍ ମୋର ମନେହେଲା ଯେ ସେ କିଛି ନୂଆ କଥା କହୁଛି, ତା’ର ନିଦୁଆ ଧାଡ଼ିଗୁଡ଼ିକ ମଝିରେ ‘‘କିନ୍ତୁ’’ ବୋଲି କ’ଣ ଯୋଡ଼ି ଦେଉଛି । କାନପାତି ଶୁଣିଲା ବେଳକୁ କହୁଛି–ସେଭେନ୍‍ ଡାଉନ ଚାର୍‍ ବଜ୍‍କେ ପୟଁଚାଳିଶ୍‍ ମିନିଟ୍‍ ପର୍‍ ଛୁଟେଗି, କିନ୍ତୁ ପାଁଶକୁରା ମେଁ ରୁକ୍‍ ଜା ନେକୀ ସମ୍ଭାବନା ହୈ ।

 

ପାଶକୁରା ମେଁ ରୁକ୍‍ ଜାନେକୀ ସମ୍ଭାବନା ହୈ ? ପାଁଶକୁରା କେଉଁଠି ? ସମ୍ଭାବନାର ମତଲବ କଅଣ ?

 

ମୋର ପ୍ରଥମ ପ୍ରତିକ୍ରିୟା ହେଲା ଯେ ଶୀଘ୍ର ରାତି ନ ପାହୁଣୁ ପ୍ରସ୍ତୁତ ହୋଇଯିବାକୁ ପଡ଼ିବ । ହୁଏତ ଗାର୍ଡ଼କୁ ଷ୍ଟେସନ୍‍ମାଷ୍ଟରକୁ କିମ୍ୱା ଆଉ କାହାକୁ ନିଜର ପରିଚୟ ଦେବାକୁ ହେବ ଯେ ମୁଁ ଜଣେ ଉଚ୍ଚ ପଦାଧିକାରୀ । ବର୍ତ୍ତମାନ ଛୁଟିରେ ଅଛି, ଛୁଟି ପୂରିବାକୁ ସାତଦିନ ବାକି ଅଛି-। ଯାହାହେଉ ସାମାନ୍ୟ ବ୍ୟତିକ୍ରମ । ଉତ୍ତେଜନା,–ମନ୍ଦ କଅଣ ?

 

ପାଁଶକୁରା ଆସିଲା । ଛୋଟିଆ ଷ୍ଟେସନ୍‍ଟିଏ । ଫିଟିଆସୁଥିବା ଦିନର ଆଲୁଅରେ ସେ ତା’ର ଚେହେରାଟିକୁ ଜମେଇ କରି ବସିଥାଏ । ସତେ କି ବିଖ୍ୟାତ ସେଭେନ୍‍ ଡାଉନ୍‍ ଏକ୍‍ସପ୍ରେସ୍‍ ଆଜି ଏଇଠି ରୋକିଯିବ, ଉକ୍ତ ମର୍ଯ୍ୟାଦାଲାଭ ତାକୁ ବଳେଇ ଯିବ ନାହିଁ । କେହି ତରତର ହେଉ ନାହାନ୍ତି । ଷ୍ଟେସନ୍‍ ବାବୁମାନେ ପ୍ଲାଟ୍‍ଫର୍ମକୁ ଉତୁରି ପଡ଼ିଛନ୍ତି, ଅଥଚ ଧାଁଧପଡ଼ କରୁନାହାନ୍ତି । ଖଲାସି ଦୁଇଜଣ ଶାଗୁଆନାଲି ପତାକାମାନଙ୍କୁ ଗୁଡ଼େଇ ପୁଡ଼େଇ ଧରି ଦଣ୍ଡାୟମାନ ହୋଇଛନ୍ତି । ମୋର ମନେହେଲା ଗୋଟିଏ ଉତ୍ସବ ପାଳନ କରାହେଉଛି । ଯଥା ସମୟରେ ଉତ୍ସବର ସମାପନ ହେବ, ପାଁଶକୁରା ବିଦାୟ ନେବ ।

 

ତାହାହିଁ ହେଲା । କିନ୍ତୁ ଗାଡ଼ି ଛାଡ଼ିବା ପୂର୍ବରୁ ଗୋଟାଏ ଚା’ ବାଲା ତା’ର ଦଶ ପଇସିଆ ମାଟିଖୁରା ମୋ ହାତକୁ ବଢ଼େଇ ଦେଉଁ ଦେଉଁ ଦାନ୍ତ ଗିଜିଡ଼ିଲା । କହିଲା, ‘‘ଏଇଠୁ ସିନା ଛାଡ଼ିଲା, କିନ୍ତୁ ତା’ପରେ ମେଚେଡ଼ା । ସେଇଠି ଖତମ୍‍ ।’’ ତା’ର ମଉଜିଆ ଭାବ ମୋତେ ଭଲ ଲାଗିଲା ନାହିଁ-

 

ଏଥି ମଧ୍ୟରେ ମୋ’ର ସହଯାତ୍ରୀମାନେ ଉଠି ଗଲେଣି । ଲାଉଡ୍‍ସ୍ପିକର୍‍ ଯାହା କହିଲା ଓ ପାଁଶକୁରାର ଚା’ବାଲା ଯାହା କହିଲା ମୁଁ ତାଙ୍କୁ ଠିକେ ଠିକେ ଜଣାଇଦେଲି । ଖଦଡ଼ ପିନ୍ଧା ଭଦ୍ରଲୋକ ଜଣକ ଅସ୍ପଷ୍ଟ ସ୍ୱରରେ ସରକାରକୁ ଗାଳିଦେଲେ । ପୃଥୁଳ ବ୍ୟବସାୟୀ ଜଣକ କହିଲେ–ଧ୍ୟାତ୍‍ ତେରି । ଜନୈକ ଟ୍ରାଉଜର ପିନ୍ଧା ଟାକୁଆ ଗାଲ ଭଦ୍ରବ୍ୟକ୍ତି ମୋ’ ଆଡ଼କୁ କଟମଟ କରି ଅନାଇଲେ, ମୋତେ କି ମୁଁ ତାଙ୍କ ଦୁଃସ୍ୱପ୍ନରୁ ସମ୍ଭୁତ ।

 

ମେଚେଡ଼ାଠାରେ ରାତି ପାହି ଗଲାଣି । ଅନେକ ଯାତ୍ରୀଙ୍କ ସହ ମୁଁ ମଧ୍ୟ ପ୍ଲାଟଫର୍ମକୁ ଓହ୍ଲେଇ ପଡ଼ିଲି । ନିକଟତମ ଜଣେ ଷ୍ଟେସନ୍‍ବାବୁଙ୍କୁ ଆକ୍ରମଣ କରି କହିଲି, ‘‘ଏକ୍‍ ସିଉଜ୍‍ ମି । ମୁଁ ହେଉଛି ଅମୁକ । ଏ ଗାଡ଼ି କାହିଁକି ବନ୍ଦ ରହିଛି ? କେତେବେଳକୁ ଚାଲିବ ?’’ ମୋ ସ୍ୱରରେ ଭର୍ତ୍ସନାର ଇଙ୍ଗିତ ଥିଲା ।

 

ଷ୍ଟେସନ୍‍ବାବୁ ଦାମ୍ଭିକ ଭଦ୍ରତାରେ ଗ୍ରୀବା ଉତ୍ତୋଳନ କରି କହିଲେ,–

 

‘‘ଉଲୁବେଡ଼ିଆରେ ଘେରାଉ’’

 

‘‘ମାନେ ?’’

 

‘‘ରେଲ୍‍ ଶ୍ରମିକମାନେ ଲାଇନ୍‍ ଉପରେ ଶୋଇଛନ୍ତି ।’’

 

‘‘ତାହାହେଲେ କ’ଣ ଗାଡ଼ି ଚାଲିବ ନାହିଁ ?’’

 

‘‘କିଛି କୁହାଯାଇ ପାରିବ ନାହିଁ ।’’

 

‘‘ଅନ୍ତତଃ ସଂଧ୍ୟା ବେଳକୁ ଚାଲିବ ତ ?’’

 

‘‘କିଛି କୁହା ଯାଇ ପାରିବନାହିଁ ।’’

 

କିଛି କୁହାଯାଇ ପାରିବ ନାହିଁ ! ନିଷ୍ଫଳ କ୍ରୋଧରେ ମୋ’ର ସର୍ବାଙ୍ଗ ତାତିଗଲା । ଭାବିଲି ଯଦି ଏହି ଲୋକଟାକୁ ପଚରାଯାଏ ଯେ ସେ ବଞ୍ଚିବାକୁ ଚାହେ କି ମରିବାକୁ ଚାହେ, ସେ ତା’ର ପଲମମୁହଁକୁ ଠିକ୍‍ ସେତିକି ପରିମାଣରେ ଫାଡ଼ିଦେଇ କହିବ,–କିଛି କୁହାଯାଇ ପାରିବ ନାହିଁ-

 

ମୁଁ ଫେରି ଆସିଲି । ମୋର ମନେହେଲା ଯେ ପାଁଶକୁରା ଷ୍ଟେସନର ସେହି ଚା, ବାଲାର ଦାନ୍ତ ଗିଜିଡ଼ା ଶ୍ରେୟସ୍କର ଥିଲା । ତା’ର ବେଖାତିରିଆ ଢଙ୍ଗରେ ଅନ୍ତତଃ ଏକ ଜାନ୍ତବ ଆନନ୍ଦ ଥିଲା-। ନୌକରଶାହୀର ନିର୍ବିକାରପଣ ନ ଥିଲା ।

 

ଆପଣ କହି ପାରନ୍ତି ଯେ ମୁଁ ନିଜେ ଜଣେ ବଡ଼ ଅଫିସର ହୋଇଥିବା ଯୋଗୁଁ ଛୋଟ ଅଫିସରର ବଡ଼ପଣକୁ ସହିପାରିଲି ନାହିଁ । ଆପଣଙ୍କ ଧାରଣା ଭୁଲ୍‍ । ମୁଁ ସେମିତିକା ଲୋକ ନୁହେଁ-। କିନ୍ତୁ ସେତିକିବେଳୁ ମୋ’ର ଅସହିଷ୍ଣୁତା ବଢ଼ି ଚାଲିଲା । ମୋ’ର ଅଙ୍ଗପ୍ରତ୍ୟଙ୍ଗରୁ ଯେତିକି ଝାଳ ବହୁଥିଲା ତା’ର ଅଧିକାଂଶ ଏଇମାନଙ୍କ ଯୋଗୁଁ, ଏଇମାନଙ୍କ ଅବିମୃଶ୍ୟତାର ମୁକାବଲା କରିବା ପାଇଁ ନିଗିଡ଼ି ପଡ଼ୁଥିଲା । ରାତି ପାହାନ୍ତାରୁ ଧୋଇଧାଇ ହୋଇ ପୋଷାକ ପିନ୍ଧି ମୁଁ ଯଦି ଜଣେ ରେଳବାଇ କର୍ମଚାରୀଠାରୁ ଉତ୍ତର ଲୋଡ଼ିଲି ସେ କାହିଁକି ଭଲା ଏମିତି ଓଠଚିପି କଥା କହିବ-? ମୋର ସହଯାତ୍ରୀ ଖଦଡ଼ପିନ୍ଧା ନେତା ଜଣକ କାହିଁକି କହିବେ ଯେ ଯେତେକ ସରକାରୀ ବଡ଼ ଅଫିସର ଅଛନ୍ତି ତାଙ୍କୁ ଗୁଳି ମାରିଦେବା ଦରକାର ? ମୁଁ କିଏ ବୋଲି ମୁଁ ତାକୁ ନିଶ୍ଚୟ ଜଣେଇ ଥିଲି,–ସେତିକି ଭୁଲିଗଲେଣି ? ସରୁଧୋତି ସୁନାଘଡ଼ି ପିନ୍ଧା ବ୍ୟବସାୟୀ ଜଣକ କାହିଁକି ଚାକୁ ଚାକୁ କରି କାଶ୍ମିରୀ ଆପ୍‍ଲ ଖାଇବେ ଓ ମୋ’ ଆଡ଼କୁ ଗୋଟାଏ ଫିଙ୍ଗିଦେଇ କହିବେ,–ଖାଆନ୍ତୁ, ଖାଆନ୍ତୁ, ଭଲ ଜିନିଷ ? ଅର୍ଥାତ୍‍ ନାକ ଟେକିବେ ଯେ ମୁଁ ଷ୍ଟେସନରୁ ଦି’ଅଣିଆ ପୁରୀ ତରକାରୀ କିଣି କରି ଖାଇଛି ? ଆଉ ସେ ହାଡ଼ୁଆ ବ୍ୟକ୍ତି କାହିଁକି ମୋ’ ଆଡ଼କୁ ଏମିତି ମୁନିଆ ଚାହାଣି ଛାଡ଼ି ଦେଇ ପଚାରିବେ–ଗୃହମନ୍ତ୍ରୀଙ୍କୁ ଖବର ଦିଆ ହୋଇଛି ତ ? ଜେନେରାଲ ମ୍ୟାନେଜର ଆସିଲେଣି ନା ନାହିଁ ? ସତେ କି ସେ ମୋର ପ୍ରଚଣ୍ଡ ଗଣ ଦେବତା, ମୋଠାରୁ କୈଫିୟତ୍‍ ମାଗୁଛି ! ପ୍ରକୃତରେ ସେହି ଷ୍ଟେସନବାବୁଠାରୁ ଆରମ୍ଭ କରି ମୋର ସହଯାତ୍ରୀ ସମେତ ଯେପରି ଭାବରେ ମୋର ବ୍ୟକ୍ତିତ୍ୱକୁ ଖେଞ୍ଚୁଥିଲେ ଏପଟ ସେପଟ କରି ଓଲଟେଇଥିଲେ ସେଥିରୁ ମୁଁ ଛାଟିପିଟି ହୋଇ ପଳେଇ ଯିବାକୁ ଚାହୁଁଥିଲି । ସେହି ଦୃଷ୍ଟିରୁ ମୁଁ ପ୍ରୀତିପୂର୍ବକ ଉପରୋକ୍ତ ରସିକ ଚା’ବାଲାକୁ ସ୍ମରଣ କରୁଥିଲି ।

 

ଏଣେ ମେଚେଡ଼ା ମୁହଁ ମୋଡ଼ିଦେଇ ବସିଛି ତ ବସିଛି । ବୁଝିନେଲାଣି ଯେ ଅତିଥିର ନିଜ ରକ୍ଷଣ ଅସମ୍ଭବ । ଘଣ୍ଟାକ ପରେ ଘଣ୍ଟାଏ ଛଅଘଣ୍ଟା ବିତିଗଲାଣି । କେବେ ଭାଗ୍ୟ ଖୋଲିବ, ଟ୍ରେନ୍‍ ଆଗକୁ ଗୋଡ଼ ବଢ଼ାଇ ପାରିବ, ତା’ର ଠିକ୍‍ ନାହିଁ । ଦଳଦଳ ଲୋକ ଷ୍ଟେସନ ବାହାରକୁ ଯାଉଛନ୍ତି, ଫେରୁଛନ୍ତି । କିଏ କହୁଛି ଗୁଳି ଚାଲିପାରେ, ମିଲିଟାରୀ ଡକା ହୋଇଛି । କିଏ କହୁଛି ଫୋନ କଟିଗଲାଣି, ଆଉ ଟିକିଏ ଗଲେ ଆଲୁଅ ପଙ୍ଖା ସବୁ ବନ୍ଦ ହୋଇଯିବ । ପକୋଡ଼ାବାଲା ପୁରୀ–ତରକାରୀବାଲା କଦଳୀବାଲା ଓଗେର ଦାମ୍‍ ବଢ଼େଇ ବଢ଼େଇ ଥକି ଗଲେଣି, ଏବେ ଖାଲି ପସରା ଦେଖାଇ ଚଙ୍କୁ ନାହାନ୍ତି । ଷ୍ଟେସନବାବୁମାନେ କେଉଁ ଗୁହାରେ ପଶିଗଲେଣି ।

 

ଏହି ଅବସ୍ଥାରେ ମୁଁ କ’ଣ କରିବି, ଆଉ ଥରେ ଗାଧୋଇ ପଡ଼ିବି କି ନାହିଁ ବୋଲି ଭାବୁଛି, ହଠାତ୍‍ ମୋତେ ବୁଦ୍ଧି ଜୁଟିଲା । ହାଓଡ଼ା ଆଡ଼କୁ ଗାଡ଼ି ଯାଉ ନାହିଁ ସିନା, କୌଣସି ଗାଡ଼ି ପଛକୁ ଫେରିବ ନାହିଁ ?

 

ବୁଝିଲି ଯେ ମୋର ଅନୁମାନ ଭୁଲ୍‍ ନୁହେଁ । ଗୋଟାଏ କେଉଁ ଲୋକାଲ ଟ୍ରେନ୍‍ ଆଗ ଷ୍ଟେସନରୁ ଫେରିବ, ହାଓଡ଼ା ଯାଇ ନ ପାରି ନିର୍ଗମ ସ୍ଥାନ ଖଡ଼ଗପୁରକୁ ଫେରି ଆସିବ । ଉତ୍ତମ ! ତାହାହେଲେ ମୁଁ ଖଡ଼ଗପୁର ଚାଲିଯିବି । ସେଠି ମୋ ଭଉଣୀ ଘରେ ରହି ଖାଇପିଇ ସୁସ୍ଥ ସତେଜ ହୋଇ କାର୍ଯ୍ୟପନ୍ଥା ସ୍ଥିର କରିବି । ସେଇଠି ରେଲ୍‍ ଅଧିକାରୀମାନଙ୍କୁ ଫୋନ୍‍ କରିବି, ସେମାନେ ମୋତେ ଚିହ୍ନିବେ । ଯଥା ସମୟରେ ଘେରାଉ କଟିଯିବ ଓ ମୁଁ ନିର୍ବିଘ୍ନରେ–ଆଜି ହେଉ ବା କାଲି ହେଉ,–କଲିକତାରେ ଆସି ପହଞ୍ଚିବି ।

 

ତେଣୁ ଦିନ ଦି’ପହରେ ଗୋଟିଏ ବିପରୀତମୁଖୀ ଟ୍ରେନ୍‍ ଅଟକି ରହିବା ମାତ୍ରେ ହିଁ ମୁଁ ତାକୁ ସ୍ୱାଗତ କଲି । ସୁଟ୍‍କେଶ୍‍ଟି ଧରି ଲାଟିନ୍‍ ପାରି ହୋଇ ପହିଲି ଡ଼ବା ଭିତରକୁ ପଶିଗଲି । ପଶିଗଲି ଓ ମୁକ୍ତିର ନିଃଶ୍ୱାସ ଛାଡ଼ିଲି ।

 

ତା’ପରେ ମୁଁ ଶୁଣିଲି ଗୋଟିଏ ବଳଶାଳୀ କୂଜନକାକଳିର ଶବ୍‍ଦ । କାକଳିର କଳେବର ମଧ୍ୟରେ କୂଜନର ଧାରେ ।

 

ଏବଂ ମୁଁ ଦେଖିଲି ସେମାନଙ୍କୁ । ଛଅ ସାତଜଣ ଯୁବକ । କାହାରି ବୟସ ସତରରୁ କମ୍‍ ହେବ ନାହିଁ କି ପଚିଶରୁ ବେଶି ହେବ ନାହିଁ । ଛଅ ସାତଟି କଥାକୁହା ଓଠ, ଆଖି ଓ ହାତ ।

 

‘‘ଆସନ୍ତୁ ସାର୍‍, ଥଣ୍ଡା ପାଣି ପିଇବେ ?’’

 

ମାନେ ? ଏମାନେ,–ଏଇ ଅର୍ବାଚୀନ ବସ୍ତୁମାନେ, ମୋ ପୁଅ ଭଲିଆ ହେବେ,–ଏମାନେ କ’ଣ ମୋତେ ଥଟ୍ଟା କରୁଛନ୍ତି ?

 

ମୁଁ ମୋର ପିତୃ ସୁଲଭ ଦୃଷ୍ଟି ନିକ୍ଷେପ କରି ଯୁବକମାନଙ୍କୁ ଚାହିଁଲି । କେହି ଝାଉଁଳିଗଲେ ନାହିଁ । କିନ୍ତୁ ମୁଁ ସେହି ପ୍ରମତ୍ତ ପ୍ରଦୀପ୍ତ ମୁହଁଗୁଡ଼ିକରେ ଉଦ୍ଦେଶ୍ୟରେ ଆଭାସ ପାଇଲି ନାହିଁ । ନିର୍ମଳ ଚାହାଣିରେ ବିଜ୍ଞତା ଶୂନ, ଅବଜ୍ଞାର ପ୍ରଶ୍ନ ଆସୁଛି କେଉଁଠୁ ? ବୁଝିଲି ଯେ ଏମାନେ ଦେଖିପାରୁଛନ୍ତି ମୁଁ କ୍ଳାନ୍ତ, ବିରକ୍ତ ଓ ଘର୍ମାନ୍ତ ତେଣୁ ମୋର ପାଣି ପିଇବାକୁ ଚାହିଁବା ସ୍ୱାଭାବିକ । ମୋତେ ଶୀଘ୍ର ଉତ୍ତର ଦେବାକୁ ପଡ଼ିବ, ନ ହେଲେ ପ୍ରଶ୍ନର ମିଆଦ ପୂରିଯିବ । ହେଇ ଦେଖ ଜଣେ ତାସମୁଠାଏ କାଢ଼ିଲାଣି । ଆଉ ଜଣେ ବନ୍ଧୁର କାନ୍ଧକୁ ହଲାଇ ହଲାଇ କ’ଣ କହିବାକୁ ବସିଛି-। ଅପରେକ ଝରକାବାଟେ ମୁଣ୍ଡ ଗଳାଇ, କାଢ଼ିଆଣି, ପୁଣି ଗଳାଇ ହୋଇ ବୋଲି ପାଟି କରୁଛି ।

 

ଉତ୍ତର ନ ଦେଲେ ମୋରି କ୍ଷତି ହେବ । ତେଣୁ ମୁଁ ଅଧିକ ବିଳମ୍ୱ ନ କରି କହିଲି, ’’ଥ୍ୟାଙ୍କ ୟୁ । ଦୁଇ ଗିଲାସ ।’’

 

ଜଣେ ଗୋଟାଏ ଶସ୍ତା ପ୍ଲାଷ୍ଟିକ୍‍ ପାଣି ବୋତଲ ମୋ ଆଗରେ ରଖି ଦେଇ କହିଲା, ‘‘ପିଅନ୍ତୁ ।’’ ମୋର ପୂର୍ବତନ ସହଯାତ୍ରୀ ମୋ’ ଆଡ଼କୁ ଯେମିତି ଆପ୍‍ଲ ଗୋଟାଏ ଫିଙ୍କି ଦେଇଥିଲେ ସେହିପରି ବ୍ୟବହାର । ଶାଳୀନତା ନାସ୍ତି । କିନ୍ତୁ ମୁଁ କ୍ଷୁଣ୍ଣ ହୋଇ ପାରିଲି ନାହିଁ । ନିଜକୁ ଚେତାଇ ଦେଲି ଯେ ପାଣିର ରଙ୍ଗ ନାହିଁ ।

 

ଖଡ଼ଗପୁର ଯିବା ପର୍ଯ୍ୟନ୍ତ, ପ୍ରାୟ ଦେଢ଼ଘଣ୍ଟାର ରାସ୍ତା–ଏମାନଙ୍କ ସାଙ୍ଗରେ ବସି ରହିବାକୁ ପଡ଼ିବ । ଚୁପ୍‍ ହୋଇ ବସିବି ? ନା କଥାବାର୍ତ୍ତା କରିବି ? ପ୍ରଥମରୁ ଏମାନେ ସାର୍‍ ବୋଲି ଡାକିଛନ୍ତି, ମୋର ପ୍ରବୀଣତାକୁ ସ୍ୱୀକାର କରିଛନ୍ତି । କିନ୍ତୁ ପ୍ରବୀଣତାର ସ୍ଥାନ କେଉଁଠି ତା’ର ବିନ୍ଦୁବିସର୍ଗ ଜାଣନ୍ତି ନାହିଁ । ମୋତେ ଥଣ୍ଡା ପାଣି ପିଆଇ ସାରି ଏମାନେ ପୁଣି ଅବୋଧ୍ୟ କାକଳିରେ ମଜ୍ଜି ଗଲେଣି । ଠିକ୍‍ ଅଛି, ମୋତେ କୌଣସି ଅସୁବିଧାରେ ନ ପକେଇଲେ ହେଲା ।

 

ଏହି ସମୟରେ ଗାଡ଼ି ସିଟି ବଜାଇଲା ଓ ସଙ୍ଗେ ସଙ୍ଗେ ଜଣକ ମୁହଁରୁ ଏକ ତୀବ୍ର କୂଜନର ଶବ୍‍ଦ ନିର୍ଗତ ହେଲା । ଛିଃ ମନେମନେ ଦଶବର୍ଷିଆ ପିଲା ହୋଇଛ ନା କଅଣ ? ଏହି ମର୍ମରେ ମୁଁ ଅଧିକତର ଗମ୍ଭୀର ହେଲି ।

 

ଗାଡ଼ି ଚାଲିଲା । ...ହଠାତ୍‍ ଜଣେ–ଗାଢ଼ ନେଳି କାମିଜ, ମୁହଁରେ ବସନ୍ତଦାଗ, ନୁଖୁରା କେଶ–ମୋ ପାଖକୁ ଲାଗି ଆସି ପଚାରିଲା, ‘‘ସାର୍‍, ଆପଣ ଏ ଘେରାଉରେ ବିଶ୍ୱାସ କରନ୍ତି ?’’

 

ଓଃ, କି ହଟହଟା ! ଆସି ପୟଁଚାଳିଶ ବର୍ଷ ହେଲା ଏଇ ବିଶ୍ୱାସ-ଅବିଶ୍ୱାସର ଦାୟିତ୍ୱକୁ ସମ୍ଭାଳି ଆସିଛି । ଆଜି ଏଇ ଦାୟିତ୍ୱହୀନ ଯୁବକକୁ ଉତ୍ତର ଦେବାକୁ ପଡ଼ିବ ? ନା ଇଏ ଦେଖାଇବାକୁ ଚାହେଁ ଯେ ସେ ଦଶବର୍ଷିଆ ପିଲା ନୁହେଁ ।

 

ମୁଁ ଉତ୍ତର ଦେଲି, ‘‘ନା । ଏଥିରେ କିଛି ନାହିଁ । ଏତେଗୁଡ଼ିଏ ନିରୀହ ଯାତ୍ରୀମାନଙ୍କୁ କଷ୍ଟ ଦେଇ...’’

 

ସେ ହସି ପକାଇଲା । ସତେ କି ମୁଁ କେଉଁ ନୋଟବହିରୁ ଛାଁ କି ଆଣି କହୁଛି, ମଗଜ ଖଟାଉ ନାହିଁ । ମୋତେ ଅଟକେଇ ଦେଇ କହିଲା, ‘‘ସାର୍‍, ସେ କଥା ନୁହେଁ । କଷ୍ଟ ହେଲେ ହେବ, ସେଥିରେ ଯାଏ ଆସେ ନାହିଁ । ପ୍ରଶ୍ନ ହେଉଛି ଯେ ଏଇ କ’ଣ ବିପ୍ଳବର ବାଟ ।’’

 

ମୁଁ ସମୀଚୀନ ଉତ୍ତର ଦେବାକୁ ଭାବୁଛି, ଏଇ ସମୟରେ ତା’ ପଛରୁ ଡାକ ଆସିଲା, ‘‘ହଇରେ ମଣ୍ଟୁ, ତୋ ଭଉଣୀ ଡାକ୍ତରଖାନାରେ ପଡ଼ିଥିଲା ପରା ? କ’ଣ ହେଲା ?’’

 

‘‘ହବ ଆଉ କ’ଣ ? ଶଳା ଡାକ୍ତର ବେଡ଼୍‍ କରେଇ ଦେବ ବୋଲି ଶହେ ଟଙ୍କା ମାଗିଲା-। ମୁଁ ନ ଦେଲାରୁ କହିଲା କିଛି ହୋଇ ନାହିଁ, ଘରକୁ ନେଇଯାଅ ।

 

‘‘ସେଇଠୁ ?’’

 

‘‘ମୁଁ ଆଉ ଦେଖା ଦେଉନାହିଁ । ଯଦି ମୋ ଭଉଣୀର କିଛି ହୁଏ ତା’ର ମଜା ଦେଖି ନେବି ନାହିଁ ? ତାଙ୍କ ସାହି ମସ୍ତାନ୍‍ ଆମ ଦଳରେ ଅଛି । ଶଳା ଯେତେବେଳେ ରାତିରେ ଡାକ୍ତରଖାନାରୁ ଫେରୁଥିବ... (ଭୁଷି ଦେବାର ଭଙ୍ଗୀ)’’

 

ସମବେତ ହାସ୍ୟରୋଳ ।

 

ମୁଁ ଅବାକ୍‍ ହେଲି । ଏମାନେ କିଏ ? କେଉଁ ଧରଣର ପ୍ରାଣୀ । ହଁ, ଏମାନେ ଯୁବକ, ହାତରେ ଥିବା ବହି ଖାତାରୁ ଜଣା ପଡ଼ୁଛି ଯେ ସ୍କୁଲ୍‍ କଲେଜରେ ପଢ଼ନ୍ତି । ଏମାନେ ମୋ ପୁଅ ପରି-। କିନ୍ତୁ ଇଏ କି କିମ୍ଭୂତ କିମାକାର ପୁଅ । ମୁଁ ଯେଉଁମାନଙ୍କୁ ଜାଣେ ସେମାନେ ଧରିତ୍ରୀର ଗଣ୍ଡି ଉପରେ ସିଧା ହୋଇ ଚାଲନ୍ତି, ଚଶମା ପିନ୍ଧି ଘଣ୍ଟା ଘଣ୍ଟା ଲାଇବ୍ରେରୀରେ ପଢ଼ନ୍ତି, ଅନୁପ୍ରାଣିତ ହୋଇ ସମାଜସେବା କରନ୍ତି, ଉଦ୍‍ବେଳିତ ହୋଇ କବିତା ଲେଖନ୍ତି, ଉତ୍ତେଜିତ ହୋଇ ଥରେ ଅଧେ କ୍ଳବ ରେସ୍ତୋରାଁରେ ଡ୍ୟାନସ କରନ୍ତି, ଚିନ୍ତିତ ହୋଇ ଥରେ ଅଧେ ବିପ୍ଳବ କରନ୍ତି, ଅର୍ଥାତ୍‍ ଶୋଭାଯାତ୍ରାରେ ଯୋଗ ଦିଅନ୍ତି । ସେମାନେ ଭାରସାମ୍ୟ ବୁଝନ୍ତି, ତେଣୁ ଚେତନାର କଣ୍ଟାଥୁଣ୍ଟାକୁ କାଟି କାଟି ଚାଲିଛନ୍ତି ଯେପରିକି କ୍ରମଶଃ ଗୋଲ୍‍ ବୁଲିଯିବେ । ପରିପୂର୍ଣ୍ଣ ହେବେ । ଯଥା ମୁଁ । କିନ୍ତୁ ଏଗୁଡ଼ିକ କ’ଣ ହେବେ ? କେତେବେଳେ କ’ଣ ହେବେ ?

 

ବାବୁ, ଜୀବନଟା କ’ଣ ଗୋଟିଏ ଫାର୍ସ୍‍ ? ଭଉଣୀ ଡାକ୍ତରଖାନାରେ ପଡ଼ି ମରିବ କି କ’ଣ ଚିନ୍ତା ନାହିଁ , ଡାକ୍ତରକୁ ଛେଚିବାର କଳ୍ପନାରେ ଠୋ ଠୋ ହୋଇ ହସୁଛି ? ଅକାରଣରେ ଥେଇ ଥେଇ ହେଉଛ, ସିଟି ବଜଉଛ, ଏଣେ ବିପ୍ଳବର ଧାରା ବାଢ଼ୁଛ ? ମୋତେ ସାର୍‍ ବୋଲି ଡାକି ପାଣି ପିଆଉଛ, ଏଣେ ଭୁଲି ଯାଉଛ ଯେ ମୁଁ ଅଛି ?

 

ତା’ ଛଡ଼ା କାହାରି ଜଣକର କାମିଜରେ ଇସ୍ତ୍ରୀ ବାଜିନାହିଁ, କାହାରି କେଶରେ ତେଲ ଲାଗି ନାହିଁ । କେତେ ଜଣକ ପାଦରେ ଜୋତା ନାହିଁ ।

 

ସେଇଠୁ ମୋର ଦୃଢ଼ ଧାରଣା ହେଲା ଯେ ଏମାନେ ଶହେ ପୁଅ । ଏମାନଙ୍କର ରକ୍ଷା ନାହିଁ ।

 

ତଥାପି ମୁଁ ଜାଣିବାକୁ ଚାହିଁଲି । କେତେ ଦୁଇ ମିନିଟିଆ ତାସଖେଳ, ହସ୍ତରେଖାଗଣନ, ଆସ୍ଫାଳନ, ମାଓ-ସେ-ତୁଙ୍ଗଙ୍କ ପ୍ରେମ ଜୀବନ ସଂପର୍କରେ ବାଦାନୁବାଦ କଲିକତାରେ ଭଲ ମୁଢ଼ିମସଲା କେଉଁଠି ମିଳେ ତା’ର ସତ୍ୟାସତ୍ୟ ବର୍ଣ୍ଣନ ଏବଂ କେତେ ଅବୋଧ୍ୟ କାକଳି କୂଜନର ସନ୍ଧିରେ ମୁଁ ମଣ୍ଟୁ ଓ ଶଙ୍କୁଙ୍କ ସାଙ୍ଗରେ କଥାବାର୍ତ୍ତା କଲି ତା’ର ସାରାଂଶ ହେଲା ଏହି ପ୍ରକାର :–

 

ଏମାନେ ଦୈନିକ ଲୋକାଲ୍‍ ପ୍ୟାସେଞ୍ଜର୍‍, କଲିକତାରେ ପାଠ ପଢ଼ନ୍ତି । ଆଜି ଘେରାଉରେ ପଡ଼ି ଅସମୟରେ ଫେରି ଆସୁଛନ୍ତି ।

 

ଏମାନେ କଲିକତାରେ ପଢ଼ନ୍ତି ନାହିଁ, କାରଣ ଅଧିକାଂଶ ସମୟ ମନୋହରି ଦୋକାନ ମରାମତି ଦୋକାନ ଇତ୍ୟାଦିରେ କାମ କରନ୍ତି । (ସାର୍‍, ଆମେରିକାରେ ଏମିତି କରନ୍ତି ପରା ?)

 

ଏମାନେ କଲିକତାରେ ପଢ଼ନ୍ତି ନାହିଁ, କାରଣ ବିସ୍ତୃତ ପାର୍ଟିକାମ କରିବାକୁ ପଡ଼େ ।

 

ଏମାନେ କଲିକତାରେ ପାଠ ପଢ଼େଇ ପେଟ ପୋଷନ୍ତି, ଫେରି ଆସି ଗାଁ କଲେଜରେ ପଢ଼ନ୍ତି ।

 

ମୋଟାମୋଟି ବୁଝି ହେଲା ତ । ଛାଡ଼ନ୍ତୁ, ଅନ୍ୟାନ୍ୟ ବିବରଣୀ ଶୁଣନ୍ତୁ । ବୁଝିବାକୁ ଚେଷ୍ଟା କରନ୍ତୁ–

 

ମଣ୍ଟୁର ଭଉଣୀ ଛଅମାସ ହେଲା ଶକ୍ତ ବେମାର । ଆଉ ଜଣେ କେଉଁ ବିଲାତି କମ୍ପାନୀରେ କିରାଣିଗିରି କରୁଥିଲା । ତାକୁ ତଡ଼ିଦେବା ପାଇଁ ଧମକଉଛନ୍ତି, କାହିଁ କିନା ସାହେବଙ୍କର ଗୋଟିଏ ଛଇଳି ଜୁଟି ଯାଇଛି । ଏମିତି ପାଞ୍ଚ ଭଉଣୀ ।

 

ମଣ୍ଟୁ ବାହା ହେବ ନାହିଁ, ଆଉ ଗୋଟାଏ ମାଇକିନିଆ ଘରକୁ ଆଣିବ ନାହିଁ । (ବୁଦ୍‍ଧୁ-!)

 

ଶଙ୍କୁ–ସେଇ ଯେଉଁ ପାତଳା ଟୋକା ନିଶ ରଖିଛି–ତା’ ବାପା ବଡ଼ଲୋକ ଥିଲା, ବିଡ଼ି ଦୋକାନ କରି ଦି’ହଜାର ଟଙ୍କା ଜମେଇ ଥିଲା । ହ୍ୟାପ ଟଙ୍କାତକ ନେଇ ଗାଏବ୍‍ ହୋଇଗଲା ।

 

ଶଙ୍କୁ କମ୍‍ ଜଣେ ନୁହେଁ, ଥରେ ପ୍ରିନ୍‍ସ୍‍ପାଲଙ୍କ ଗଳା ଦବେଇବାକୁ ଯାଉଥିଲା, କାହିଁକିନା ପ୍ରିନିସ୍‍ପାଲ ତାକୁ ଛୋଟଲୋକ ବୋଲି କହିଲେ ।

 

ନବୀନ,–ଯେ ହାତ ଦେଖୁଛି,–ତା’ବାପା ବଇଦ ଥିଲା, କ୍ୟାନ୍‍ସରରେ ମରିଗଲା । ସେ ମୋ ହାତଦେଖି କହିଛି ଯେ ମୁଁ ଫାଶିଖୁଣ୍ଟରେ ମରିବି । (ମିଛୁଆଟା, ମୁଁ ମରିବି ଯଦି ଗୁଳିଖାଇ ମରିବି) ।

 

ସନ୍ତୁ ବଢ଼ିଆ ମାଛ ରାନ୍ଧେ । (ସେ ବାଙ୍ଗାଲ୍‍ ପରା ! କହିଲେ ଚିଡ଼ିଯିବ)

 

ସନ୍ତୁ କେମିତି ସିଟି ମାରୁଛି ଦେଖିଲେ ? ଥରେ ପୁଲିସକୁ ଭୂତେଇ ଦେଲା, ବିଚରା ଓଲଟା ବାଟରେ ପଳେଇଗଲେ ।

 

...ଇତ୍ୟାଦି–ଇତ୍ୟାଦି । ଏଥର ବୁଝି ପାରିଲେ । ଛତରାପଣର ସବୁ ନିଦର୍ଶନ ଦେଖିଲେ ତ ?

 

ଆଉ ଗୋଟାଏ ସାନକଥା । ଏମାନେ ସକାଳୁ କିଛି ଖାଇ ନାହାନ୍ତି । ମେଚେଡ଼ାରେ କିମ୍ୱା ଆଉ କେଉଁଠି ପୁରୀ ତରକାରୀ ସିଙ୍ଗଡ଼ା ଇତ୍ୟାଦି ଖାଇ ପାରି ନାହାନ୍ତି, କାରଣ ପକେଟରେ ପଇସା ନାହିଁ । କଲିକତାରେ ପହଞ୍ଚିଥିଲେ ବଛା ଦୋକାନମାନଙ୍କରେ ଖାଇ ଥାଆନ୍ତେ ଯେଉଁଠି ଉଧାର ଆଉ କନ୍‍ସେସନର ବ୍ୟବସ୍ଥା ଅଛି ।

 

ଆଉ କିଛି ଜାଣିବାକୁ ବାକି ରହିଲା ?

 

ଲୋକାଲ୍‍ ଟ୍ରେନ୍‍ ପ୍ରତି ଷ୍ଟେସନରେ ରହି ରହି ଚାଲିଛି । ଲୋକାଲ ଟ୍ରେନରେ କ’ଣ ଏତେ ମାଛି ହୁଅନ୍ତି । ମୋର ବ୍ୟତିବ୍ୟସ୍ତ ହେବାର ଦେଖି ମଣ୍ଟୁ ତା’ ଜ୍ୟାମିତି ବହି ଖଣ୍ଡକ ମାଛି ହୁରୁଡ଼େଇବା ପାଇଁ ଦେଇଦେଲା । ମୁଁ ତା’ର କିଞ୍ଚିତ ସଦ୍‍ବ୍ୟବହାର କଲି । କିନ୍ତୁ ମୁଁ ପ୍ରଧାନତଃ ଆଖିବୁଜି ଆସନ୍ତା ଖଡ଼ଗପୁରକୁ ସ୍ମରଣ କଲି, ଯେଉଁଠି ମୁଁ ମୋର ଆପଣା ରାଇଜର ବାଲ୍‍କନି ଉପରୁ ସୁରକ୍ଷିତ ଲନ୍‍ର ଶୋଭା ଦେଖିବି ଓ ଆଜିକାର ଆଡ଼ଭେଞ୍ଚରକୁ ମନେ ପକାଇ ମନଇଚ୍ଛା ହସିବି ।

 

ଗୋଟାଏ କେଉଁ ଷ୍ଟେସନରୁ ଗାଡ଼ି ଛାଡ଼ିଛି କି ନାହିଁ ଶଙ୍କୁ କୁହାଟ ଛାଡ଼ିଲା, ‘‘ହେଇ ଛୋଟା ଯାଉଛି ! ଛୋଟା !’’

 

ମୁଁ ଆଖି ଖୋଲି ଦେଖିଲି ଯେ ସେ ଝରକାବାଟେ ଆଗକୁ ଅନେଇଛି ଓ ଅନ୍ୟମାନେ ତା’ ପାଖରେ ଭିଡ଼ିଗଲେଣି । ହସରେ ହସ, ଚାହାଣିରେ ଚାହାଣି ଯୋଡ଼ି ନିମେଷରେ ଗୋଟାଏ ନିଷ୍ପତ୍ତି ହୋଇଗଲା ଓ ଚାହୁଁ ଚାହୁଁ ଜଣକୁ ଜଣେ ଡବାର ବିଭିନ୍ନ ଦିଗରେ ଖେଦିଗଲେ । ଖେଦିଗଲେ ଓ ଆଲାର୍ମ୍‍ ଚେନଖୁ ଧରି ଟାଣିଲେ ।

 

ଇଏ କ’ଣ ? ଇଏ କି କାଣ୍ଡ ? ମୁଁ ଥାଉ ଥାଉ ବୋଲି ପାଟି କଲି କିନ୍ତୁ ମୋ କଥା କାହାକୁ ଶୁଭିଲା ନାହିଁ । ଏକ ଅପରକୁ କହିଲା, ‘‘ଟାଣ୍‍ । ଆହୁରି ଟାଣ୍‍ । ଆରେ ଆହୁରି ଟାଣ୍‍ !’’

 

ମୋ ଛାତି ଦବିଗଲା । ଏଇକ୍ଷଣି ଗାଡ଼ି ବନ୍ଦ ହେବ । ପୁଲିସ ଆସିବ । ମୋତେ ଯେତେବେଳେ ପଚରା ହେବ, ମୁଁ କ’ଣ କହିବି ? ମୁଁ ଏମାକଙ୍କୁ ଧରେଇଦେବି ? ମହାବିପଦ ! ତା’ ଛଡ଼ା–ତା’ ଛଡ଼ା ଏମାନେ କ’ଣ ପୁଲିସକୁ ମାନିବେ ? ମାନିବେ ନାହିଁ, ସେଇଠୁ ହାତା ହାତି ଚାଲିବ, ସେଇଠୁଁ–

 

ଓଃ, କି ଦୁର୍ଯୋଗରେ ମୁଁ ଟ୍ରେନରେ ବସିଲି !

 

ଦୁବୃର୍ତ୍ତଗଣ ହସୁଥାନ୍ତି, ହସୁଥାଆନ୍ତି ଓ ଚେନ୍‍ ଟାଣୁଥାଆନ୍ତି । ମୁଁ ଉଠିପଡ଼ି ‘ପ୍ଳିଜ୍‍...ପ୍ଳିଜ୍‍’ ବୋଲି କହି ଚାଲିଥାଏ ।

 

ଟାଣିବାର ପ୍ରଣାଳୀରେ ଭୁଲ୍‍ ହେଲା କି କ’ଣ ହେଲା କେଜାଣି ଗାଡ଼ି ଅଟକି ଗଲା ନାହିଁ-। ସେଇଠୁ ଶଙ୍କୁ ମୋ ପାଖକୁ ଭିଡ଼ି ଆସିଲା, କହିଲା, ‘ସାର୍‍, ଟଙ୍କା ଗୋଟାଏ ଦିଅନ୍ତୁ । ଜଲ୍‍ଦି-।’’

 

ମୁଁ ବିମୂଢ଼ ହୋଇ ଟଙ୍କାଟିଏ କାଢ଼ି କରି ଦେଲି । ଶାଙ୍କୁ ତାକୁ ରୁମାଲରେ ବାନ୍ଧି ଝରକାବାଟେ ଫିଙ୍ଗି ଦେଲା । ତା’ ପରେ ଘନଘନ ତାଳି ବାଜିଲା, ସୁସୁରି ବାଜିଲା, ଜୁଆର ଫିଟିଲା, ବୋଧହୁଏ ଇନ୍‍କିଲାବ୍‍ର ଧ୍ୱନି ମଧ୍ୟ ଶୁଣାଗଲା । ....ମୁଁ କିଛି ବୁଝି ପାରିବାର ଅବସ୍ଥାରେ ନ ଥିଲି ।

 

କୋଳାହଳ ଥମିଗଲା ପରେ ମଣ୍ଟୁ ସଂକ୍ଷେପରେ କହିଲା, ‘‘ସାର୍‍, ସେ ଛୋଟା, ଖିରାଇରେ ଘର, ରାଧାମୋହନପୁରକୁ ପଢ଼ିବାକୁ ଯାଏ । ପାଗଳ, ଟ୍ରେନରେ ନ ବସି ଚାଲିଚାଲି ଯାଉଛି ! ଯାହାହେଉ ଟଙ୍କାଟା ପାଇଗଲା, ରିକ୍‍ସା କି କଅଣ ଗୋଟାଏ ଧରି ନେବ ।’’

 

ତଥାପି ମୋ ପାଟିରୁ କଥା ବାହାରୁ ନ ଥିଲା । ମୁଁ ଖାଲି ମୁଣ୍ଡ ଟୁଙ୍ଗାରୁଥିଲି ।

 

ରାଧାମୋହନପୁର ଷ୍ଟେସନରେ ସମସ୍ତେ ଓହ୍ଲାଇଗଲେ । ମଣ୍ଟୁ ମୁଖପାତ୍ର ହୋଇ କହିର, ‘‘ସାର୍‍, ଯାଉଛୁ । ପୁଣି କେବେ ଦେଖା ହେବ ।’’

 

ମୁଁ ପ୍ରତିନମସ୍କାର କଲି । କିନ୍ତୁ ମନେମନେ ଭାବିଲି–ଦୁରାଶା । ମୋର ତୁମମାନଙ୍କ ସାଙ୍ଗରେ ଦେଖାହେବ ନାହିଁ । ଦେଖାହେଲେ ମଧ୍ୟ ମୁଁ ଚିହ୍ନି ପାରିବି ନାହିଁ । କଥା ହେଉଛି ଯେ ତୁମମାନଙ୍କୁ ଚିହ୍ନିଲେ ମୋ ପଞ୍ଚପାଣ୍ଡବ କୁଆଡ଼େ ଯିବେ ?

 

ହଁ କହିବାକୁ ଭୁଲିଯାଇଛି ଯେ ସେହି ଷ୍ଟେସନରେ ତାଙ୍କରି ଗୋଷ୍ଠୀର ଆଉ ଦୁଇଜଣ ଟ୍ରେନରେ ବସିଲେ । ବାଲିଚକ୍‍ ଷ୍ଟେସନରେ ଓହ୍ଲେଇଯିବା ଆଗରୁ ଜଣେ ମୋ ଟଙ୍କାଟି ଫେରାଇ ଦେଲା ଓ କହିଲା, ‘‘ନିଅନ୍ତୁ, ଶଙ୍କୁଦା ପଠେଇଛି । ଆଉ କହିଛି, ଅନେକ ଅନେକ ଧନ୍ୟବାନ ।’’

Image